ପାଖଣ୍ଡ ବେଶ
ପାଖଣ୍ଡ ବେଶ
ଭାଗବତର କଥାଟିଏ। ମହାରାଜା ଅଙ୍ଗଙ୍କର ପୁତ୍ର ଥିଲେ ବେଣ।ପିଲା ଦିନରୁ ସେ ଅତ୍ୟନ୍ତ ଦୁଷ୍ଟ ଥିଲେ । ସାଙ୍ଗମାନଙ୍କ ସହ ଖେଳିବା ସମୟରେ କାହା ଉପରେ ରାଗିଗଲେ ସେ ତାକୁମାରି ଦେଉଥିଲେ। ବଣକୁ ଶିକାର କରିବାକୁ ଗଲେ ନିରୀହ ଶିଶୁ ବନ୍ୟଜୀବଙ୍କୁ ଶିକାର କରିବାକୁ ପଛାଉ ନଥିଲେ। ମହାରାଜା ଅଙ୍ଗ ଏକମାତ୍ର ପୁତ୍ର ବେଣକୁ ସୁଧାରିବା ପାଇଁ ବହୁଚେଷ୍ଟା କରି ବିଫଳ ହେଲେ ।ଦିନେ ରାତିରେ ସମସ୍ତେ ଶୋଇଥିବା ସମୟରେ ସେ ରାଜପ୍ରାସାଦ ପରିତ୍ଯାଗ କରି ତପସ୍ୟା କରିବା ପାଇଁ ଚାଲିଗଲେ । ତହିଁ ପରଦିନ ପ୍ରଭାତରୁ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିଲା ନାହିଁ ।
ଦୁଷ୍ଟ ବେଣ ରାଜା ହୁଅନ୍ତୁ ବୋଲି ରାଜ୍ୟର କେହି
ହେଲେ ଚାହୁଁ ନଥିଲେ । ରାଣୀ ସୁନୀଥାଙ୍କ ନିର୍ଦ୍ଦେଶ ଅନୁସାରେ
ବେଣଙ୍କୁ ରାଜା କରାଗଲା ।ମାତ୍ର ତାଙ୍କର କୁଶାସନରେ ପ୍ରଜା , ମୁନି, ଋଷି ଓ ବ୍ରାହ୍ମଣମାନେ ତ୍ରାହି ତ୍ରାହି ଡାକିବାକୁ ଲାଗିଲେ । ମୁନିମାନେ ବେଣଙ୍କୁ ସଦୁପଦେଶ ଦେଇ ବୁଝାଇ ନିଷ୍ଫଳ ହେଲେ। ବେଣ ନିଜକୁ ସର୍ବ ଦେବମୟ କହି ତାଙ୍କୁ ପୂଜା କରିବା ପାଇଁ କହିଲେ। ମୁନି ଋଷିମାନଙ୍କର ଅଭିଶାପରେ
ବେଣ ମୃତ୍ଯୁବରଣ କଲେ।
ବେଣଙ୍କର ମୃତ୍ଯୁ ପରେ ଋଷିମାନେ ଅଧିକ ମାତ୍ରାରେ
ବେଣଙ୍କର ଊଋକୁ ମନ୍ଥନ କରିବାରୁ ଏକ କ୍ଷୁଦ୍ରକାୟ ବାମନର
ଜନ୍ମ ହେଲା।ତାକୁ ନିିଷାଦ ଅର୍ଥାତ୍ "ବସିପଡ" ବୋଲି ଋଷିମାନେ କହିବାରୁ ସେ ନିଷାଦ ହୋଇଗଲା।
ତତ୍ପରେ ବେଣଙ୍କର ବାହୁଦ୍ୱୟ ମନ୍ଥନ କରିବାରୁ
ଦୁଇଟି ଜାଆଁଳା ପୁଅ ଝିଅ ଜନ୍ମ ହେଲେ। ସେମାନେ ହେଲେ
ପୃଥୁ ଓ ଅର୍ଚ୍ଚି ।ବିଷ୍ଣୁ ଓ ଲକ୍ଷ୍ମୀଙ୍କର କଳାରେ ସେମାନେ ଜନ୍ମ
ହୋଇ ଥିଲେ।
ମହାରାଜା ପୃଥୁ ଶହେ ଅଶ୍ୱମେଧ ଯଜ୍ଞ କରିବା ପାଇଁ
ସଙ୍କଳ୍ପ କରିଥିଲେ । ଅନେଶ୍ବତ ଯଜ୍ଞ ଶେଷ ହେଲା। ଇନ୍ଦ୍ର ଏହା
ସହି ପାରିଲେ ନାହିଁ। ଶେଷ ଅଶ୍ୱମେଧ ଯଜ୍ଞ ଚାଲିଥିବା ବେଳେ
ଇନ୍ଦ୍ର ଏକ ପାଖଣ୍ଡର ଛଦ୍ମ ବେଶ ଧାରଣ କରି ଯଜ୍ଞଅଶ୍ୱକୁ ଚୋରାଇ ନେଲେ ।ଅଧର୍ମୀ ଲୋକ ପାଖଣ୍ଡର ଛଦ୍ମ ବେଶରେ
ଧାର୍ମିକ ଭଳି ଜଣାଯାଏ। ଅତ୍ରି ମୁନି ଏହା ଦେଖି ପୃଥୁଙ୍କ ପୁତ୍ରକୁ
ଇନ୍ଦ୍ରଙ୍କୁ ହତ୍ୟା କରି ଅଶ୍ବ ନେଇ ଆସିବାକୁ କହିଲେ। ଇନ୍ଦ୍ରଙ୍କ ମସ୍ତକର ଜଟା ଓ ଶରୀରର ଭସ୍ମ ଦେଖି ପୃଥୁଙ୍କ ପୁତ୍ର ଫେରି ଆସିବାରୁ ଅତ୍ରି ମୁନି ପୁନର୍ବାର ଇନ୍ଦ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ ।ପୃଥୁ କୁମାର ଇନ୍ଦ୍ରଙ୍କୁ ଅନୁଧାବନ କରିବାରୁ
ଇନ୍ଦ୍ର ନିଜର ଛଦ୍ମ ବେଶ ଓ ଯଜ୍ଞ ଅଶ୍ବକୁ ପରିତ୍ଯାଗ କରି ସେଠାରୁ ଅନ୍ତର୍ହିତ ହୋଇଗଲେ। ପୃଥୁ କୁମାର ଯଜ୍ଞ ଅଶ୍ବକୁ
ଧରି ଫେରି ଆସିଲେ ।ତାଙ୍କର ନାମ ରଖାଗଲା ବିଜିତାଶ୍ୱ।
ଯୂପକାଠରେ ବନ୍ଧା ହୋଇଥିବା ଅଶ୍ୱକୁ ଚୋରାଇ ନେବାଲାଗି ଇନ୍ଦ୍ର ଘୋର ଅନ୍ଧକାର ସୃଷ୍ଟି କରି ଛଦ୍ମ ବେଶ ଧାରଣ କରି ପୁନର୍ବାର ଆସି ଅଶ୍ୱକୁ ଚୋରାଇ ଆକାଶ ମାର୍ଗରେ ଯାଉଥିବାର
ଦେଖି ଅତ୍ରି ମୁନି ପୁନର୍ବାର ବିଜିତାଶ୍ୱଙ୍କୁ ଆଦେଶ ଦେଲେ ଅଶ୍ବକୁ ଫେରାଇ ଆଣିବା ଲାଗି ।ଇନ୍ଦ୍ର କପାଳ ଓ ଖଟ୍ୱାଙ୍ଗ ଧରିଥିବାର ଦେଖି ବିଜିତାଶ୍ୱ ତାଙ୍କୁ ବାଧା ଦେଲେ ନାହିଁ ।ପୁନର୍ବାର ଅତ୍ରି ମୁନିଙ୍କ ନିର୍ଦ୍ଦେଶରେ ସେ କ୍ରୋଧିତ ହୋଇ ଶର ସନ୍ଧାନ କରିବାରୁ ଇନ୍ଦ୍ର ଅଶ୍ୱ ଏବଂ ଛଦ୍ମ ବେଶ ପରିତ୍ଯାଗ କରି ଅନ୍ତର୍ହିତ ହୋଇଗଲେ ।
ଇନ୍ଦ୍ର ଯେଉଁ ଯେଉଁ ଛଦ୍ମ ବେଶ ଧାରଣ କରିଥିଲେ
ସେହିଦିନ ଠାରୁ ମନ୍ଦବୁଦ୍ଧି ଲୋକମାନେ ସେହି ଛଦ୍ମ ବେଶ ବା
ପାଖଣ୍ଡ ବେଶ ଧାରଣ କରିବାକୁ ଲାଗିଲେ। ଏହି ପାଖଣ୍ଡ ବେଶ ପାପର ଖଣ୍ଡ ବା ଚିହ୍ନ। ପାଖଣ୍ଡ ବେଶଧାରୀ ସାଧୁ ବା କାପାଳିକ
ସୁନ୍ଦର ସୁନ୍ଦର କଥା କହି ଲୋକଙ୍କୁ ଭୁଲାଇ ବିଭ୍ରାନ୍ତ କରନ୍ତି ତଥା ଧର୍ମ ନାମରେ ଅପଧର୍ମର ପ୍ରଚାର କରନ୍ତି। ଇନ୍ଦ୍ର ପାଖଣ୍ଡ
ବେଶର ପ୍ରବର୍ତ୍ତକ। ପାଖଣ୍ଡ ବେଶଧାରୀଙ୍କ ପ୍ରତି ସାବଧାନ ରହିବା।
