ବିଶ୍ଵାମିତ୍ର ବ୍ରହ୍ମର୍ଷି ହେଲେ
ବିଶ୍ଵାମିତ୍ର ବ୍ରହ୍ମର୍ଷି ହେଲେ
ପ୍ରାଚୀନ କାଳର କଥା।ରାଜା ବିଶ୍ଵାମିତ୍ର କଠୋର ତପସ୍ୟାରତ ଥିଲେ । ତପସ୍ୟା ପ୍ରଭାବରେ ସେ ବହୁତ ସିଦ୍ଧି
ଲାଭ କରିଥିଲେ । ଏପରିିକି ବ୍ରହ୍ମାଙ୍କ ଭଳି ସେ ସ୍ୱତନ୍ତ୍ର ସୃଷ୍ଟିର ସର୍ଜନା ମଧ୍ଯ କରି ପାରିବାର ଦକ୍ଷତା ଲାଭକରିଥିଲେ ।ବିଶ୍ଵାମିତ୍ରଙ୍କ ମନରେ ଥାଏ କିପରି ସେ ବ୍ରହ୍ମର୍ଷି ହୋଇ ବଶିଷ୍ଠଙ୍କ ସହିତ ସମାନ ହେବେ।
ବଶିଷ୍ଠ ତ ବ୍ରହ୍ମର୍ଷି ଥିଲେ । ସମସ୍ତଙ୍କ ମଧ୍ଯରେ ସେ
ବ୍ରହ୍ମଙ୍କର ଦର୍ଶନ କରୁଥିଲେ । ତାଙ୍କ ମନରେ ରାଗ ଦ୍ୱେଷ କିଛି
ନଥିଲା। ବଶିଷ୍ଠ ସ୍ବୀକାର କଲେ ଯାଇ ବିଶ୍ଵାମିତ୍ର ବ୍ରହ୍ମର୍ଷି ହୋଇ ପାରିବେ ।
ବଶିଷ୍ଠ ଯଦି ଟିକିଏ ରାଗି ଯିବେ ତେବେ ସେ
ବ୍ରହ୍ମର୍ଷି ପଦରୁ ଚ୍ୟୁତ ହୋଇଯିବେ ବୋଲି ରାଜର୍ଷି ବିଶ୍ଵାମିତ୍ର
ଜାଣିଥିଲେ । ତେଣୁ ବଶିଷ୍ଠଙ୍କୁ ରଗାଇବା ପାଇଁ ବିଶ୍ଵାମିତ୍ର ସବୁ
ସମୟରେ ଲାଗି ଥାଆନ୍ତି। ବିଶ୍ଵାମିତ୍ର ଆସୁରୀ ଶକ୍ତି ପ୍ରୟୋଗ କରି ବଶିଷ୍ଠଙ୍କର ଶହେ ପୁଅଙ୍କୁ ମାରିଦେଲେ ।କିନ୍ତୁ ବଶିଷ୍ଠ
ଟିକିଏ ବି ରାଗିଲେ ନାହିଁ ।
ବିଶ୍ଵାମିତ୍ର ବିଭିନ୍ନ ସମୟରେ ବଶିଷ୍ଠଙ୍କୁ ଜୀବନରେ ମାରି ଦେବାପାଇଁ ଯୋଜନା କଲେ। ମାତ୍ର ନିଜ ଯୋଜନାରେ ପ୍ରତିଥର ହାରିଯାଇ ଲଜ୍ଜିତ ହେଲେ। ଶେଷରେ
ସ୍ଥିର କଲେ ରାତିରେ ଲୁଚି ଲୁଚି ଯାଇ ବଶିଷ୍ଠଙ୍କୁ ହତ୍ୟା କରିବେ ।
ଦିନେ ରାତିରେ ବିଶ୍ଵାମିତ୍ର ହାତରେ ଖଣ୍ଡାଟିଏ ଧରି
ବଶିଷ୍ଠଙ୍କୁ ଶେଷ କରିଦେବା ପାଇଁ ବାହାରିଲେ ।ସେ ଆସି ବଶିଷ୍ଠଙ୍କ ଆଶ୍ରମ ନିକଟରେ ଗୋଟିଏ ଗଛ ପାଖରେ ଲୁଚି ରହିଲେ । ଆକାଶରେ ଚନ୍ଦ୍ର ଦେଖାଯାଉ ଥାଆନ୍ତି। ବିଶ୍ଵାମିତ୍ର ଦେଖିଲେ ବଶିଷ୍ଠ ତାଙ୍କ ପତ୍ନୀ ଅରୁନ୍ଧତୀଙ୍କ ସହ ଆସି ଆଶ୍ରମର ବାହାରେ ଥିବା ଗୋଟିଏ ବେଦୀ ଉପରେ ବସିଲେ । ଅରୁନ୍ଧତୀ ବଶିଷ୍ଠଙ୍କୁ କହିଲେ ଚନ୍ଦ୍ରଙ୍କର ଆଲୋକ କେତେ ସୁନ୍ଦର ଦେଖା ଯାଉଛି। ବଶିଷ୍ଠ କହିଲେ ଏ ଚନ୍ଦ୍ରାଲୋକ ବିଶ୍ଵାମିତ୍ରଙ୍କର ତପସ୍ୟାର ପ୍ରଭାବ ଭଳି ଚତୁର୍ଦ୍ଦିଗକୁ ବିଚ୍ଛୁରିତ ହୋଇ ଯାଇଛି। ଏକଥା ଶୁଣି ବିଶ୍ଵାମିତ୍ରଙ୍କର ହୃଦୟରେ ହଠାତ୍ ଘୋର ପରିବର୍ତ୍ତନ ଆସିଲା । ସେ ଭାବିଲେ ବଶିଷ୍ଠ ମୋର ଶତ୍ରୁ
ବୋଲି ଭାବି ମୁଁ ତାଙ୍କୁ ହତ୍ୟା କରିବା ପାଇଁ ଆସିଛି। ଅଥଚ
ମୋ ପ୍ରତି ତାଙ୍କର ମନୋଭାବ ସେ ଏକାନ୍ତରେ ତାଙ୍କ ପତ୍ନୀଙ୍କୁ
ଏତେ ସୁନ୍ଦର ଭାବରେ କହୁଛନ୍ତି।
ବିଶ୍ଵାମିତ୍ର ସିଧାସଳଖ ଆସି ବଶିଷ୍ଠଙ୍କ ପାଦ
ତଳେ ପଡି ପ୍ରଣାମ କରି ତାଙ୍କୁ କ୍ଷମାପ୍ରାର୍ଥନା କଲେ।ବଶିଷ୍ଠ
ବିଶ୍ଵାମିତ୍ରଙ୍କୁ ସ୍ୱଳ୍ପ ଚନ୍ଦ୍ରାଲୋକରେ ଠିକ୍ ଭାବରେ ଚିହ୍ନି ନପାରିଥିଲେ ବି ତାଙ୍କର କଣ୍ଠସ୍ବର ଶୁଣି "ବ୍ରହ୍ମର୍ଷି ବିଶ୍ଵାମିତ୍ର" କହି ତାଙ୍କୁ କୁଣ୍ଢାଇ ପକାଇଲେ ।
ସେହିଦିନଠାରୁ ବିଶ୍ଵାମିତ୍ର ବ୍ରହ୍ମର୍ଷି ହେଲେ ।
