କୃଷ୍ଣ ସୁଦାମା
କୃଷ୍ଣ ସୁଦାମା
କୃଷ୍ଣ ତାଙ୍କର ଗୁରୁ ସନ୍ଦିପନୀ ଗୁରୁକୁୁଳ ଆଶ୍ରମରେ ରହି ବିଦ୍ୟା ଶିକ୍ଷା କରୁଥିଲେ। ସେହି ସମୟରେ ଆହୁରି ଅନେକ ଶିଷ୍ଯ ମଧ୍ଯ ସେଠାରେ ବିଦ୍ୟା ଶିକ୍ଷା କରୁଥାଆନ୍ତି। ସୁଦାମା ମଧ୍ଯ ସେହି ସମୟରେ ସେଠାରେ ବିଦ୍ୟା ଅଧ୍ୟୟନ କରୁଥିଲେ। କୃଷ୍ଣ ଓ ସୁଦାମା ପରସ୍ପର ସଖା ଥିଲେ ।
ଦିନେ କୃଷ୍ଣ ସୁଦାମା ଉଭୟଙ୍କର ପାଳି ପଡିଲା ବଣରୁ ସମିଧ ସଂଗ୍ରହ କରି ଆଣିବା ପାଇଁ । କାଳେ ଫେରିବା ପାଇଁ ବିଳମ୍ବ ହେବ ଏହି ଆଶଙ୍କା କରି ଗୁରୁମାତା ସୁଦାମାଙ୍କୁ କିଛି ଭଜା ଚଣା ଦେଇ ଭୋକ ଲାଗିଲେ ଖାଇବାକୁ କହିଥିଲେ ।
କୃଷ୍ଣ ସୁଦାମା ଉଭୟେ ବଣରେ ସମିଧ ସଂଗ୍ରହ କରୁଥିବା ବେଳେ ବର୍ଷା ହେଲା।କୃଷ୍ଣ ଗୋଟିଏ ଗଛ ଉପରେ ଚଢିଗଲେ ।ସୁଦାମା ଗଛ ମୂଳରେ ଥାଆନ୍ତି। ସୁଦାମା କୃଷ୍ଣଙ୍କୁ
ଲୁଚାଇ ଗୋଟିଏ ଗୋଟିଏ ଚଣା ପାଟିରେ ଚୋବେଇଲେ। କୃଷ୍ଣ କହିଲେ ସଖା, କ'ଣ କଡ କଡ ଶୁଭୁଛି। କ'ଣ ଆଣିଥିଲ, ଖାଉଛ କି? ସୁଦାମା କହିଲେ ନାଇଁ ସଖା । ଗଛରୁ ପାଣି ପଡ଼ୁଛି ତ , ଟପ୍ ଟପ୍ ଶୁଭୁଛି। ପୁଣି ଥରେ ସୁଦାମା କଡ କଡ କରି ଚଣା ଚୋବାଇ ଖାଇଲେ ।କୃଷ୍ଣ ପଚାରିଲେ ସଖା, ତୁମେ କ'ଣ ଖାଇଲା ଭଳି ଶୁଭୁଛି। ସୁଦାମା ମନା କଲେ।
କୁନି ପିଲାମାନେ.. ଟିକିଏ ଭାବିଲ। ସୁଦାମା ତାଙ୍କ ପ୍ରିୟ ସଖା କୃଷ୍ଣଙ୍କୁ ମିଛ କହିଲେ ।ସେ ଚଣା ଖାଉଥିଲେ ସୁଦ୍ଧା କିଛି ଖାଉ ନାହାନ୍ତି ବୋଲି କହିଲେ। ଚଣା କିଛି ଖାଇଲେ କ'ଣ ପେଟ ପୂରିବ ? ଦୁଇ ଜଣ ଯାକ ସାଙ୍ଗ ଚଣା ଖାଇ ଖୁସି ହୋଇ ପାରି ଥାଆନ୍ତେ। ଏଇ ମିଛ କଥାଟି କହି ଥିବାରୁ ସୁଦାମା ପରବର୍ତ୍ତୀ ସମୟରେ ଦରିଦ୍ର ହୋଇ ରହିଲେ।
ସୁଦାମା ବହୁ କଷ୍ଟରେ କାଳାତିପାତ କରୁଥିଲେ ।ସେ, ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବହୁ ସମୟରେ ଉପବାସ ରହିବାକୁ ପଡୁଥୂଲା। ଥରେ ତାଙ୍କର ସ୍ତ୍ରୀ ତାଙ୍କୁ ବାଧ୍ୟ କରି ତାଙ୍କର ସଖା ଦ୍ଵାରକାଧୀଶ କୃଷ୍ଣଙ୍କ ପାଖକୁ ଖୁଦ ଭଜା ମୁଠାଏ ଦେଇ ପଠାଇଲେ । କହିଥିଲେ କିଛି ଧନ ସମ୍ପତ୍ତି କୃଷ୍ଣଙ୍କ ପାଖରୁ ମାଗି ଆଣିବାପାଇଁ । ବହୁ କଷ୍ଟ କରି ସୁଦାମା କୃଷ୍ଣଙ୍କ ପାଖରେ ପହଞ୍ଚିଲେ। କୃଷ୍ଣ ଓ ତାଙ୍କର ରାଣୀମାନେ ସୁଦାମାଙ୍କର ବହୁତ ଆଦର ସତ୍କାର କଲେ। ସୁଦାମାଙ୍କ ପାଖରୁ ଖୁଦଭଜା ନେଇ ଖାଇଲେ। ସୁଦାମାଙ୍କର କୃଷ୍ଣଙ୍କୁ ନଦେଇ ଚଣା ଖାଇବା କଥାଟି ମନରେଥାଏ। କୃଷ୍ଣଙ୍କୁ ପାଟି ଫିଟାଇ କିଛି ନମାଗି ସେ ଘରକୁ ଫେରି ଆସିଲେ। ମାତ୍ର ଶ୍ରୀକୃଷ୍ଣ ତ ଅନ୍ତର୍ଯ୍ୟାମୀ। ସଖା କିଛି ନମାଗିଲେ ବି ସେ ସୁଦାମାଙ୍କର ମନକଥା ଜାଣି ତାଙ୍କପାଇଁ ସୁନ୍ଦର ପ୍ରାସାଦଟିଏ ତୋଳାଇ ଦେଇ ଏତେ ଧନ ସମ୍ପଦ ଦେଲେ ଯେ ସୁଦାମା ତାହା ସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ତାଙ୍କ ଜୀବନର ଅବଶିଷ୍ଟ ସମୟ ଶ୍ରୀକୃଷ୍ଣଙ୍କ ଭଜନରେ କଟାଇଲେ।
ପିଲାମାନେ ! ଏଇ କୁନି କଥାରୁ ଆମେ କ'ଣ ବୁଝିଲେ ? ଆମେ ଏଇଆ ବୁଝିଲେ ଯେ ସାଙ୍ଗକୁ ମିଛ କହିବ ନାହିଁ । ସାଙ୍ଗ ହୋଇ ଖାଇବାର ମଜା ନେବ। ସାଙ୍ଗ ଭୁଲ୍ କଲେ
ସାଙ୍ଗର ଦୋଷ ଧରିବ ନାହିଁ । ସାଙ୍ଗ ସାଙ୍ଗର ମନ କଥା ବୁଝିବ। ସାଙ୍ଗର ଦୁଃଖ କଷ୍ଟ ଦୂର କରିବା ପାଇଁ ଯଥାଶକ୍ତି ସାହାଯ୍ଯ କରିବ ।
ଆଜି ପାଇଁ ଏତିକି ।
ଫୁଲ ଫୁଟେ କେତକୀ ।
