STORYMIRROR

Niranjan Mishra

Others

3  

Niranjan Mishra

Others

ଧ୍ରୁବ ଚରିତ

ଧ୍ରୁବ ଚରିତ

3 mins
195

ଶ୍ରୀମଦ୍ଭାଗବତ ମହାପୁରାଣର କଥାଟିଏ ଧ୍ରୁବ ଚରିତ । ରାଜା ଉତ୍ତାନପାଦଙ୍କର ସୁରୁଚି ଓ ସୁନୀତି ନାମରେ ଦୁଇ ରାଣୀ ଥିଲେ ।ସୁରୁଚିଙ୍କ ପୁଅ ଥିଲେ ଉତ୍ତମ ଏବଂ ସୁନୀତିଙ୍କର ପୁଅ ଥିଲେ ଧ୍ରୁବ । ପାଞ୍ଚ ବର୍ଷ ବୟସର ଧ୍ରୁବ ଦିନେ ପିତା ରାଜସିଂହାସନରେ ବସିଥିବା ସମୟରେ ତାଙ୍କ କୋଳରେ ବସିବା ପାଇଁ ଯାଉଥିଲେ । ବିମାତା ସୁରୁଚି କଟୁକ୍ତି କରି ଧ୍ରୁବଙ୍କୁ କହିଲେ ଯେ କେବଳ ତାଙ୍କ ପୁଅ ଉତ୍ତମ ହିଁ ରାଜାଙ୍କ କୋଳରେ ବସି ପାରିବ । ଧ୍ରୁବ ତପସ୍ୟା କରି ତାଙ୍କ ଗର୍ଭରୁ ଜନ୍ମ ହେଲେ ଯାଇ ପିତାଙ୍କ କୋଳରେ ବସି ପାରିବ । ଧ୍ରୁବଙ୍କୁ ବିମାତାଙ୍କର କଥା ବହୁତ କଷ୍ଟ ଦେଲା । ସେ ମାତା ସୁନୀତିଙ୍କୁ ଏକଥା କହିଲେ । ମାତା ଏକଥାକୁ ସମର୍ଥନ କଲେ । ଏବେ ଧ୍ରୁବ ତପସ୍ୟା କରିବା ପାଇଁ ଚାଲିଗଲେ । ବନସ୍ତରେ ପହଞ୍ଚିଲେ । ସେଠାରେ ନାରଦ ମୁନିଙ୍କ ସହିତ ତାଙ୍କର ଦେଖା ହେଲା ।

ନାରଦ ମୁନି ବୀଣା ବଜାଇ ବଜାଇ ନାରାୟଣଙ୍କର ଗୁଣ କୀର୍ତ୍ତନ କରି କରି ଆସୁ ଥାଆନ୍ତି । ତୁମେ କୁଆଡେ ଯାଉଛ ବୋଲି ନାରଦ ମୁନି ଧ୍ରୁବଙ୍କୁ ପଚାରିଲେ । ଧ୍ରୁବ କହିଲେ ମୁଁ ଭଗବାନଙ୍କ ପାଖକୁ ଯାଉଛି । ନାରଦ କହିଲେ ତୁମେ ତ ଛୋଟ ପିଲା । ବଡ ବଡ ମୁନି ଋଷି ଯୁଗ ଯୁଗ ତପସ୍ୟା କରି ଭଗବାନଙ୍କୁ ପାଇ ପାରୁନାହାନ୍ତି । ତୁମେ କିପରି ତାଙ୍କୁ ପାଇବ ? ବାଘ ଭାଲୁ ହିଂସ୍ରଜନ୍ତୁ ଭରା ଜଙ୍ଗଲରୁ ତୁମେ ଘରକୁ ଫେରିଯାଅ । ଧ୍ରୁବ ଭଗବାନଙ୍କୁ ନ ଦେଖିଲେ ଘରକୁ ଫେରିବେ ନାହିଁ ବୋଲି ନାରଦ ମୁନିଙ୍କୁ ରୋକ୍ ଠୋକ୍ ଜଣାଇ ଦେଲେ । ଧ୍ରୁବଙ୍କର ଭଗବାନଙ୍କର ଦର୍ଶନ ଲାଳସାର ଦୃଢତା ଦେଖି ନାରଦ ମୁନି ତାଙ୍କୁ ଭଗବାନଙ୍କୁ ସନ୍ତୁଷ୍ଟ କରିବାର ଉପାୟ ବତାଇ ଦେଲେ । ଭଗବାନଙ୍କର ରୂପ କିପରି ତାହା ମଧ୍ୟ କହିଦେଲେ । "ଓଁ ନମୋ ଭଗବତେ ବାସୁଦେବାୟ " ମନ୍ତ୍ର ଜପ କରିବା ପାଇଁ ଉପଦେଶ ଦେଲେ । ନାରଦଙ୍କ ଉପଦେଶ ଅନୁସାରେ ଧ୍ରୁବ ଏହି ମନ୍ତ୍ର ଜପ କରିବାକୁ ଲାଗିଲେ । ମନ୍ତ୍ର ଜପରେ ଧ୍ରୁବ ତଲ୍ଲୀନ ହୋଇ ଯାଇଥିଲେ । ହୃଦୟ ମଧ୍ୟରେ ସେ ଭଗବାନଙ୍କର ରୂପ ଦେଖି ତାଙ୍କ ସହିତ ଏକାକାର ହୋଇଗଲେ । ଗୋଟିଏ ପାଦରେ ଠିଆ ହୋଇ ଧ୍ରୁବ ତପସ୍ୟା କରୁଥିଲେ ।ତେଣେ ଧ୍ରୁବଙ୍କର କଠୋର ତପସ୍ୟାର ପ୍ରଭାବରେ ପୃଥିବୀ ଥରିବାକୁ ଲାଗିଲା । ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡିଗଲା । ଦେବତାମାନେ ବ୍ରହ୍ମାଙ୍କୁ ଏକଥା ଜଣାଇଲେ । ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ନେଇ ନାରାୟଣଙ୍କ ପାଖରେ ପହଞ୍ଚି ସବୁକଥା ଜଣାଇଲେ। ଭଗବାନ ନାରାୟଣ କହିଲେ ତୁମେମାନେ ଭୟଭୀତ ହୁଅ ନାହିଁ । ଧ୍ରୁବ ମୋର ଦର୍ଶନ କରିବା ପାଇଁ ତୀବ୍ର ଉତ୍କଣ୍ଠିତ ହୋଇ ତପସ୍ୟା କରୁଛି । ତାର ତପସ୍ୟା ପ୍ରଭାବରେ ଏଭଳି ଘଟୁଛି ।ମୁଁ ସେକଥା ବୁଝୁଛି ।ତୁମେମାନେ ନିଶ୍ଚିନ୍ତ ରହ ।ଏହା ଶୁଣି ଦେବତାମାନେ ଫେରିଗଲେ । ଭଗବାନ ନାରାୟଣ ଧ୍ରୁବଙ୍କ ପାଖରେ ଯାଇ ପହଞ୍ଚିଲେ । ତପସ୍ୟାରତ ଧ୍ରୁବ ହୃଦୟ ଭିତରେ ନାରାୟଣଙ୍କୁ ଦେଖିବାକୁ ପାଇଲେ ନାହିଁ । ନାରାୟଣ କୁଆଡେ ଗଲେ ବୋଲି ଭାବି ଧ୍ରୁବ ଆଖି ଖୋଲି ବାହାରକୁ ଚାହିଁଲେ । ତାଙ୍କ ଆଖିରେ ସେ କଅଣ ଦେଖୁଛନ୍ତି ? ଶଙ୍ଖ , ଚକ୍ର, ଗଦା , ପଦ୍ମଧାରୀ ନାରାୟଣ । ନାରଦ ଯେଉଁ ରୂପ କହିଥିଲେ ଏବଂ ଯେଉଁ ରୂପକୁ ସେ ନିଜ ହୃଦୟରେ ଧ୍ୟାନ କରୁଥିଲେ ଇଏ ତ ସେଇ ପ୍ରଭୁ । ଧ୍ରୁବଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ନାରାୟଣଙ୍କର ସ୍ତୁତି କରିବା ପାଇଁ ଚାହିଁଲେ । ଭକ୍ତର ମନକଥା ଜାଣି ପାରି ଭକ୍ତବତ୍ସଳ ଭଗବାନ ନିଜର ବେଦଶଙ୍ଖଟିକୁ ଧ୍ରୁବଙ୍କର ଗଣ୍ଡ ଦେଶରେ ସ୍ପର୍ଶ କରାଇ ଦେଲେ । ଧ୍ରୁବ ବେଦ ମନ୍ତ୍ରରେ ଭଗବାନ ନାରାୟଣଙ୍କୁ ସ୍ତୁତି କଲେ । ନାରାୟଣ ସନ୍ତୁଷ୍ଟ ହୋଇ ଧ୍ରୁବଙ୍କୁ ବର ମାଗିବା ପାଇଁ କହିଲେ । ଧ୍ରୁବ କହିଲେ ମୋତେ ସବୁଠାରୁ ଉଚ୍ଚ ଆସନରେ ବସିବା ପାଇଁ ବର ଦିଅନ୍ତୁ । ଭଗବାନ ନାରାୟଣ କହିଲେ ଏ ବର ଅତ୍ୟନ୍ତ ଦୁର୍ଲ୍ଲଭ ।ତଥାପି ମୁଁ ତୁମ ଉପରେ ସନ୍ତୁଷ୍ଟ ହୋଇ ତୁମକୁ ଏହି ବର ପ୍ରଦାନ କରୁଛି ।ତୁମେ ଛତିଶି ହଜାର ବର୍ଷ ରାଜୁତି କରିବ । ଜରା ବ୍ୟାଧି ତୁମକୁ ସ୍ପର୍ଶ କରି ପାରିବ ନାହିଁ । କାଳ ପ୍ରଭାବରୁ ତୁମେ ମୁକ୍ତ ରହିବ । ତାହାପରେ ତୁମେ ପରମ ପଦ ଲାଭ କରିବ,ଯେଉଁ ପଦ ଆଜି ପର୍ଯ୍ୟନ୍ତ କେହି ପାଇ ପାରିନାହାନ୍ତି । ଏହା କହି ଭଗବାନ ଅନ୍ତର୍ଦ୍ଧ୍ୟାନ ହୋଇଗଲେ । ଧ୍ରୁବ ଆନନ୍ଦ ମନରେ ଘରକୁ ଫେରିଲେ । ରାଜା ଉତ୍ତାନପାଦ ନିଜର ଭୁଲ୍ ବୁଝି ପାରିଲେ । ଧ୍ରୁବଙ୍କର ପ୍ରତ୍ୟାଗମନରେ ତାଙ୍କର ସ୍ୱାଗତ ସତ୍କାରର ବ୍ୟବସ୍ଥା କରାଗଲା ।ଛତିଶି ହଜାର ବର୍ଷ ଶାସନ କରି ଧ୍ରୁବ ନିଜର ପୁତ୍ରକୁ ରାଜ୍ୟଭାର ଦେଇ ତପସ୍ୟା କରିବାପାଇଁ ଚାଲିଗଲେ। ସେ ଭଗବାନଙ୍କ ସହିତ ଏକାକାର ହୋଇଗଲେ।ସେହି ସମୟରେ ଆକାଶମାର୍ଗରୁ ଏକ ବିମାନ ଆଣି ନନ୍ଦ ସୁନନ୍ଦ ଦୁଇ ଜଣ ଭଗବାନଙ୍କର ପାର୍ଷଦ ଉପସ୍ଥିତ ହେଲେ । ଧ୍ରୁବଙ୍କୁ ସେଥିରେ ବସି ଯିବା ପାଇଁ ଅନୁରୋଧ କଲେ । ଧ୍ରୁବ ପାଖରେ ଥିବା ସମସ୍ତ ମୁନି ଋଷିଙ୍କର ଆଶ୍ରମରେ ପହଞ୍ଚି ସେମାନଙ୍କୁ ପ୍ରଣାମ ଜଣାଇ ବିମାନକୁ ପରିକ୍ରମା କରି ନନ୍ଦ ସୁନନ୍ଦ ଦୁଇ ଜଣଙ୍କୁ ପ୍ରଣାମ କରି ବିମାନରେ ବସିବା ସମୟରେ ତାଙ୍କର ମାତା ସୁନୀତିଙ୍କର କଥା ମନେ ପଡିଲା ।ନନ୍ଦ ଓ ସୁନନ୍ଦ ଦୁହେଁ ଧ୍ରୁବଙ୍କର ମନକଥା ଜାଣି ପାରି ଧ୍ରୁବଙ୍କୁ ଆଉ ଏକ ବିମାନ ଆଗରେ ଯାଉଥିବାର

ଦେଖାଇଲେ ।ଧ୍ରୁବ ଦେଖିଲେ ସେହି ବିମାନରେ ତାଙ୍କର ମାତା ସୁନୀତି ବସିଛନ୍ତି । ତତ୍ପରେ ଧ୍ରୁବ ନିଜର ବିମାନରେ ବସି ପରମଧାମ ବିଷ୍ଣୁପଦକୁ ଯାତ୍ରା କଲେ ଏବଂ ସେହି ପଦରେ ସେ ଅଦ୍ୟାବଧି ରହିଛନ୍ତି । ପାଞ୍ଚ ବର୍ଷ ବୟସର ଧ୍ରୁବ ନିଜର ତପସ୍ୟା ବଳରେ ଅସାଧ୍ୟ ସାଧନ କରି ପାରିଲେ।



Rate this content
Log in