ଗର୍ବ ଗଞ୍ଜନ
ଗର୍ବ ଗଞ୍ଜନ
ରାମାୟଣର କଥାଟିଏ । ରାମଭକ୍ତ ହନୁମାନ ବିଶଲ୍ୟକରଣୀ ଆଣିବା ପାଇଁ ଗନ୍ଧମାର୍ଦ୍ଦନ ପର୍ବତକୁ ଯାଇଥିଲେ । ବହୁତ ଖୋଜି ଖୋଜି ସେ ଯେତେବେଳେ ବିଶଲ୍ୟକରଣୀ ଗଛ ଚିହ୍ନି ପାରିଲେ ନାହିଁ ସେତେବେଳେ ଠିକ୍ କଲେ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ନେଇ ଶ୍ରୀଲଙ୍କାକୁ ଯିବେ । ହନୁମାନ ତ ମହାବଳଶାଳୀ । ସେ ସଙ୍ଗେ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ନେଇ ପବନ ବେଗରେ ଆକାଶରେ ଉଡି ଯାଉଥାନ୍ତି । ମନରେ ତାଙ୍କର ଗର୍ବ ଆସିଲା ରାତାରାତି କେବଳ ସେ ହିଁ ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ଲଙ୍କାରେ ପହଞ୍ଚିବେ ଓ ଲକ୍ଷ୍ମଣଙ୍କର ଜୀବନ ରକ୍ଷା ହେବ ।ଏହା କେବଳ ତାଙ୍କ ଯୋଗୁଁ ସମ୍ଭବ ହେବ । ଏକଥା ଭାବିଲା ବେଳକୁ ହନୁମାନ ଉଡିଯାଉଥାନ୍ତି
ଅଯୋଧ୍ୟା ନଗରୀ ଉପରେ । ହଠାତ୍ ଏକ ବାଟୁଳି ଆସି ବାଜିଲା ହନୁମାନଙ୍କ ମୁଣ୍ଡରେ ।ହନୁମାନ ତଳେ ଖସି ପଡିଲେ । ଗନ୍ଧମାର୍ଦ୍ଦନ ପର୍ବତ ଆକାଶରେ ରହିଥାଏ । ରାମ ରାମ ଶବ୍ଦ ଶୁଣି ହନୁମାନଙ୍କର ଚେତା ଫେରିଲା । ଜଟାଜୁଟମୁକୁଟ ବିମଣ୍ଡିତ ଭରତଙ୍କୁ ହନୁମାନ ଦେଖିଲେ ।ରାମଙ୍କର କାର୍ଯ୍ୟ ସାଧନ କରିବା ପାଇଁ ଗନ୍ଧମାର୍ଦ୍ଦନ ପର୍ବତକୁ ନେଇ ଯାଉଥିବା କଥା କହିଲେ ।ରାତି ପାଇବା ପୂର୍ବରୁ ତାଙ୍କର ଲଙ୍କାରେ ପହଞ୍ଚିବା ଦରକାର ବୋଲି କହିଲେ । ମହାବଳଶାଳୀ ହନୁମାନଙ୍କର ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ନେଇ ଲଙ୍କା ଯିବା ପାଇଁ ଆଉ ଶକ୍ତି ପାଇଲା ନାହିଁ ।ସେ ଅତ୍ୟନ୍ତ ଉତ୍ସୁକ ଥିଲେ ଲଙ୍କାକୁ ପ୍ରସ୍ଥାନ କରିବା ପାଇଁ । ଏହା ଶୁଣି ଭରତ ତାଙ୍କର ଶରମୁନ ଉପରେ ଗନ୍ଧମାର୍ଦ୍ଦନ ପର୍ବତକୁ ଧରି ହନୁମାନଙ୍କୁ ବସିବା ପାଇଁ କହିଲେ । ହନୁମାନ ସେହିପରି କଲେ । ଭରତ ଶର ମାରିବାରୁ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ସହିତ ଲଙ୍କାରେ ପହଞ୍ଚିଲେ । ବୈଦ୍ୟ ସୁଷେଣ ବିଶଲ୍ୟକରଣୀ ଗଛ ନେଇ ଔଷଧ ସେବନ କରାଇବାରୁ ଲକ୍ଷ୍ମଣ ସୁସ୍ଥ ହେଲେ ।
ପରେ ହନୁମାନ ଏ ସବୁକଥା କହିବାରୁ ରାମ ଟିକିଏ ହସିଲେ । ରାମ ନାମର ଅପାର ଶକ୍ତି ବଳରେ ସବୁ ଅସମ୍ଭବ ସମ୍ଭବ ହେଲା । ଭକ୍ତ ହନୁମାନଙ୍କର ଗର୍ବ ଗଞ୍ଜନ କରି ତାଙ୍କୁ ଠିକ୍ ବାଟକୁ ଫେରାଇ ଆଣିବା ପାଇଁ ପ୍ରଭୁ ରାମଚନ୍ଦ୍ର ଏ ସବୁ କରିଥିଲେ ।
