ନୂଆ ପ୍ରଭାତ
ନୂଆ ପ୍ରଭାତ


"ଶୁଭ୍ରାଂଶୁ କଣ ସତରେ ପାହାଡ ଚଢ଼ି ପାରିବ? ତାକୁ ନ ନେଇକି ଚାଲିଗଲେ ହବନି? ତାକୁ ନେବା ମାନେ ଅଯଥା ନିଜକୁ ହଇରାଣ କରିବା ! କିନ୍ତୁ ତାହା ଠାରୁ ମଧ୍ୟ ଭାବିବାର ବିଷୟ ହେଲା, ସିଏ ଯଦି ଅଧିକ କଷ୍ଟ ଭୋଗେ? ପାହାଡ ଉପରୁ ପ୍ରଥମ ସୂର୍ଯ୍ୟ କିରଣର ଅନୁଭବ ନିଆରା, ସେଇଟାକୁ ଦେଖିବା ମୋର ବହୁତ ଇଛା , " ରଶ୍ମି ପଚାରିଲା I
"ଆମ୍ଭେ ମାନେ ଯାଉଛେ ଏହି ଭୀଷଣ ଗ୍ରୀଷ୍ମ ଉତ୍ତାପରୁ ମୁକ୍ତି ପାଇବା ଲାଗି I ତାକୁ କଣ ଏମିତି ଏକା ଛାଡ଼ିଦେବା ଭଲ ହବ ? ସବୁ ବେଳେ ଆମର ଦୁଃଖରେ ସୁଖରେ ସିଏ ସାଥି ହୋଇ ଆସିଛି I ଏ ଦୁର୍ଘଟଣା ଯଦି ହୋଇ ନ ଥାଆନ୍ତା ତାହା ହେଲେ ଆମ୍ଭେମାନେ ତାକୁ ସର୍ବ ପ୍ରଥମେ କହି ଥାଆନ୍ତେ ! ହଁ ନା ନାହିଁ?"ରାକେଶ ପଚାରିଲା ରଶ୍ମୀକୁ I
"ସେତେ ବେଳେ ପରିସ୍ଥିତି ଅଲଗା ଥିଲା I ମନରେ ଅନେକ ଇଛା ଥାଏ, କିନ୍ତୁ ଶରୀର ମଧ୍ୟ ତ ସକ୍ଷମ ହେବା ଦରକାର ! ଏତେ ଭାବ ବିହ୍ଵଳ ହୋଇ ତାକୁ ବାଦ ଦେଲେ ତୁମର ନ ଆସିବାର ନିଷ୍ପତି କାହିଁକି ମୋତେ ଠିକ ଲାଗୁନି I ଶୁଭ୍ରାଂଶୁ ଖରାପ ଭାବିବନିI ମୁଁ ତାକୁ ଜାଣିଛି କଲେଜର ପ୍ରଥମ ଦିନରୁ I ବରଂ ଆମ୍ଭେମାନେ ଏହି ଟୁର କ୍ୟାନସଲ କଲେ ସିଏ ଖରାପ ଭାବିବ, ଯେ ତାହା ଯୋଗୁଁ ଆମ୍ଭେ ମାନେ ଏ ପ୍ରୋଗ୍ରାମ ବାତିଲ କଲେ," ରଶ୍ମୀ କହିଲା I
ଅନେକ ସମୟ ପର୍ଯ୍ୟନ୍ତ ଚାଲିଥିଲା ଯୁକ୍ତିତର୍କ,ଶୁଭ୍ରାଂଶୁ କୁ ନେବା କିମ୍ବା ନ ନେବା ଲାଗି I ସ୍ନାତକୋତ୍ତର ଶିକ୍ଷାର ପ୍ରଥମ ବର୍ଷ ସରିଛି ଏବଂ ସମସ୍ତେ ସ୍ଥିର କରିଛନ୍ତି ଘରକୁ ଯିବା ପୂର୍ବରୁ ଦିନଟିଏ ଲାଗି ନିକଟରେ ଥିବା ହିଲ ଷ୍ଟେସନକୁ ଯିବେ ,ରାକେଶର ପ୍ରସ୍ତାବରେ I ଶୁଭ୍ରାଂଶୁ ଆଉ ରାକେଶ ଜିଗରୀ ଦୋସ୍ତ: ସମସ୍ତେ ଜାଣନ୍ତି I ରାକେଶ ବିନା ଟୁର ଅସମ୍ଭବ ଏବଂ ଶୁଭ୍ରାଂଶୁ କୁ ନେବା ସମ୍ଭବ ଲାଗୁନି ! ନିଜର ଗୋଟିଏ ଗୋଡ ହରେଇଛି ଶୁଭ୍ରାଂଶୁ ଦୁର୍ଘଟଣାରେ I ଡାକ୍ତର କହିଛନ୍ତି ପ୍ରସଥେଟିକ ଗୋଡ଼ରେ ବହୁତ କିଛି କରି ପାରିବ, ତେଣୁ ଏତେ ବିଚଳିତ ହେବାର କିଛି କାରଣ ନାହିଁ I ଆଜି କାଲି ବହୁତ ଆଗେଇ ଯାଇଛି ଚିକିତ୍ସା ଆଉ ଅସ୍ତ୍ରପଚାର I କିନ୍ତୁ ପ୍ରସଥେଟିକ ଗୋଡ଼ଟି ଆସିବାକୁ ଦୁଇ ମାସ ଲାଗିବ I ତେଣୁ ଶୁଭ୍ରାଂଶୁକୁ ନେବା ଅଥବା ଅଣ ନେବା ଲାଗି ଦ୍ଵନ୍ଦରେ ଥିଲେ ସମସ୍ତେ I ଆଗାମୀ ବର୍ଷ ପରେ କିଏ କୁଆଡେ ଯିବ କିଏ ଜାଣେ ! ଶାରୀରିକ ଠାରୁ ମାନସିକ ଆଘାତ ଅଧିକ ପାଇଛି ଶୁଭ୍ରାଂଶୁ I
ପ୍ରଭାକର ଆସିଗଲା ଏତିକି ବେଳେ ରୁମ ଭିତରକୁ ଏବଂ ସେମାନଙ୍କର ଯୁକ୍ତିତର୍କ ଦେଖିକି ପ୍ରସ୍ତାବଟିଏ ଦେଲା I ସେମାନେ ଶୁଭ୍ରାଂଶୁକୁ ନେଇଯିବେ ସାଥିରେ I ସିଏ ଯେଉଁ ଯାଏଁ ଚାଲି ପାରିବ ଚାଲିବ ଏବଂ ଯେଉଁଠାରେ ଅଟକିଯିବ ସେଠି ରହି ଅପେକ୍ଷା କରିବ ଅନ୍ୟ ମାନେ ସୂର୍ଯ୍ୟୋଦୟ ଦେଖି ଫେରିଲା ଯାଏଁ I
——————————————
ସହରଠାରୁ ଦୂରରେ ମଣିଷ ଜୀବନ ଯେମିତି ବଦଳି ଯାଏ I ଛୋଟ ପାଦଚଲା ରାସ୍ତାଟି ସାପ ଭଳି ଉଠି ଚାଲିଥିଲା ପର୍ବତ ଶିଖର ଯାଏଁ I ସମସ୍ତେ ଚାଲି ଯାଇଥିଲେ I ଶୁଭ୍ରାଂଶୁ ଚାହିଁଥିଲା ସେମାନଙ୍କର ରୂପରେଖ ଧୀରେ ଧୀରେ କ୍ଷୁଦ୍ର ହେବାକୁ ଲାଗିଥିଲା I
"ତୁ ଗଲୁନି କାହିଁକି ସେମାନଙ୍କ ସହ, ଏତେ ଦୂର ଆସିଛୁ," ଶୁଭ୍ରାଂଶୁ ପଚାରିଲା ରାକେଶକୁ I
"ତୋତେ ଛାଡି ଯିବାକୁ ଇଛା ହେଲାନି ଏକା I ଏମିତିରେ ବି ମୁଁ ଆସେ ଏଠିକି ଅନେକ ଥର ଆଉ ସୂର୍ଯ୍ୟାଦୟ ଦେଖେ I ମୁଁ ହିଁ ତା ପ୍ରସ୍ତାବ ଦ
େଇଥିଲି ଏଠାକୁ ଆସିବାକୁ," ରାକେଶ କହିଲା, " ଘଣ୍ଟା ଦେଢ଼ ଘଣ୍ଟାର କଥା, ସେମାନେ ଫେରିଯିବେ I ସୂର୍ଯ୍ୟ ଉଇଁ ସାରିଲେ ଆଉ ବେଶୀ କିଛି ନ ଥାଏ ଦେଖିବାକୁ I ଏବେ ପନ୍ଦର ମିନିଟ ଲାଗି ଚାଲିବେ I ଆଉ ସୂର୍ଯ୍ୟୋଦୟ ହେବ ପଇଁଚାଳିଶ ମିନିଟ ପରେ I ତା ଅପ୍ରେ ଫେରିବାକୁ ଆଉ କିଛି ସମୟ ଲାଗିବ I ଆମେ ବସିକି ଏଠି ଗପ କରିବା ଆଉ ଏହି ସୁନାର ଦୃଶ୍ୟ ଉପଭୋଗ କରିବା I ତୁ ଆସି ନ ଥିଲେ ଏତିକି ମଧ୍ୟ ଦେଖି ପାରି ନ ଥାଆନ୍ତୁ ! ତେଣୁ ଖୁସି ହେବା କଥା, ଅତି କମରେ ଏତିକି ଦେଖିଲୁ ! ତୋର ମନେ ଅଛି କେମିତି ଥରେ ଆମେ ବହୁତ ପ୍ଲାନ କରିଥିଲେ, ତୁ ଆଉ ମୁଁ, ଲମ୍ବା ଟୁରର ? ଶେଷରେ ଅତ୍ୟାବଶ୍ୟକ କାମ ପଡ଼ି଼ଇବାରୁ ଶେଷରେ କେବଳ ଚଣ୍ଡୀ ମନ୍ଦିର ଯାଇ ଫେରିଥିଲେ ! ବେଳେ ବେଳେ ସାଥିରେ ବିତେଇଥିବା ମୁହୂର୍ତ୍ତ ଗୁଡିକ ମହତ୍ଵପୂର୍ଣ୍ଣ ହୋଇଥାଏ, ସ୍ଥାନ କିମ୍ବା ପରିବେଶ ନୁହେଁ I ""ହଁ, କିନ୍ତୁ ହୁଏତ ମୁଁ ନଥିଲେ ତୁ ଅନ୍ୟ ମାନଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ ବିତେଇ ପାରି ଥାଆନ୍ତୁ ପର୍ବତ ଶିଖରରେ ଅନ୍ୟ ମାନଙ୍କ ସହିତ," ଶୁଭ୍ରାଂଶୁ କହିଲା , ମନ ଯୋଗୁଁ ଏହି ସୁଯୋଗ କର ହରେଇଲୁ I ""ଚଳିବ, ସାଙ୍ଗ ପାଇଁ ଏତିକି ଚଳିବ, କିନ୍ତୁ ତୁ କଣ ଚାହୁଁ ନଥିଲୁ ଯିବା ଲାଗି?" ରାକେଶ ପଚାରିଲା I "ଚାହୁଁଛି ତା ଏବେ ମଧ୍ୟ , କିନ୍ତୁ ପାରିବି କି?" ଶୁଭ୍ରାଂଶୁ କହିଲା I "ଯେତେ ଦୂର ଯାଏଁ ହେବ ଯିବା, ନ ହେଲେ ମୁଁ ତୋତେ ପିଠିରେ ଉଠେଇ ନେବି," ହସିକି କହିଲା ରାକେଶ I ମୁଣ୍ଡ ଟୁଙ୍ଗାରି କି ସହମତି ଦେଲା ଶୁଭ୍ରାଂଶୁ ଆଉ ରାକେଶ ଉପରେ ଭାର ଦେଇକି ଚାଲିବାକୁ ଲାଗିଲା I -------------
"ଆରେ ଦେଖ ସେମାନେ ମଧ୍ୟ ଆସୁଛନ୍ତି, ଆଉ ବୋଧେ ରାକେଶ ତାକୁ ପିଠିରେ ଉଠେଇଛି ଭଳି ଲାଗୁଛି ," ପ୍ରତ୍ୟୁଷ କହିଲା ନିଜର ସାଥି ମାନଙ୍କୁ I
"ଓଃ , ଆମ୍ଭେ ସମସ୍ତେ ଅଳ୍ପ ଅଳ୍ପ କରି ଆଣି ପାରି ଥାଆନ୍ତେ ତାକୁ ଏଠାକୁ ! ଆମ୍ଭେ ମାନେ ତରତରରେ ଆଉ ଏକଥା ଭାବି ନଥିଲେ I ଚାଲ ସବୁ, ତାକୁ ଧରିକି ଆସିବା,” ସୁଶାନ୍ତ କହିଲା I
—
ଦୂର ଦିଗବଳୟରେ ସୂର୍ଯ୍ୟୋଦୟ ଆରମ୍ଭ ହେଇ ଯାଇଥିଲା କିଛି କ୍ଷଣ ପୂର୍ଵରୁ I ପ୍ରଥମ କିରଣଟି ଚିରି ଯାଇଥିଲା ସମଗ୍ର ନଭକୁ I ତଥାପି ରକ୍ତିମ ସୂର୍ଯ୍ୟ ସୃଷ୍ଟି କରିଥିଲା ଏକ ମନୋରମ ପ୍ରଭାତ I ଆପେ ଆପେ ଠିଆ ହୋଇ ଗଲେ ସମସ୍ତେ ଆଉ ଉଠେଇଦେଲେ ନିଜ ନିଜର ହାତ ଉପରକୁ , ସଫଳତା ଲାଗି I ରାକେଶ ଉପରେ ଭରା ଦେଇ ଠିଆ ହୋଇଗଲା ଶୁଭ୍ରାଂଶୁ ମଧ୍ୟ I କ୍ଳାନ୍ତ ହୋଇ ସାରିଥିଲେ ସମସ୍ତେ କିନ୍ତୁ ମନରେ ଥିଲା ଏକ ନୂଆ ଉତ୍ତେଜନା , କଛି କରି ପାରିଥିବାର ସନ୍ତୋଷ I
"ମୋ ଯୋଗୁଁ ତୁମେ ମାନେ ପ୍ରଥମ ସୂର୍ଯ୍ୟୋଦୟର ଦୃଶ୍ୟ ଗୁଡିକ ଦେଖି ପାରିଲାନି," କହିଲା ଶୁଭ୍ରାଂଶୁ ଦୁଃଖ ଭରା ସ୍ଵରରେ I
"ତୋ ସହ ଦେଖିଥିବା କିରଣ ହିଁ ଆମ ପାଇଁ ପ୍ରଥମ କିରଣ," କହିଲା ପ୍ରତ୍ୟୁଷ, " ତୋ ବିନା ହୁଏତ ସୂର୍ଯ୍ୟୋଦୟ, ସୂର୍ଯ୍ୟୋଦୟଟି ଭଳି ଲାଗି ନଥାଆନ୍ତା I “
"ଆଉ ନୁହଁ କଣ," କହି ଉଠିଲେ ସମସ୍ତ ଗୋଟିଏ ସ୍ଵରରେ I ଭିନ୍ନ ହୋଇ ଯାଇଥିଲା ସେମାନଙ୍କ ଅଭିଯାନଟି ଆଉ ସ୍ମରଣୀୟ ମଧ୍ୟ !