ନର୍ଥ ହଷ୍ଟେଲ
ନର୍ଥ ହଷ୍ଟେଲ
ଅନେକ ଦିନ ତଳର କଥା, ଯୁବା ବୟସର ପ୍ରଥମ ପାହାଚ ଚଢ଼ିଥାଏ, ମନରେ ଅନେକ ଉଦ୍ଦୀପନା, ପ୍ରାଣରେ ଅଫୁରନ୍ତି ଉର୍ଜା। ସେତେବେଳେ କାର୍ଯ୍ୟଟି ଯେତେ ଜଟିଳ ହେଲେ ବି ଅଦମ୍ୟ ଏକ ସାହସ ଦ୍ୱାରା ସମ୍ପାଦନ ହେଉଥାଏ, ହୁଏତ ଏହାହିଁ ବୟସର ଚିହ୍ନ। କିନ୍ତୁ ବେଳେବେଳେ ଏଇ ସାହସ ହିଁ ଅସୁବିଧାକୁ ନିମନ୍ତ୍ରଣ ଦେଇଥାନ୍ତି। ଆସିପାରେ ଅସୁବିଧା କିନ୍ତୁ ଯଦି ବର୍ତ୍ତି ଯାଇଥିବା ତା'ହେଲେ ତାହା ଏକ ଶିକ୍ଷା ଭାବେ ଜୀବନ ସାରା ମନେ ରୁହେ।
ଘଟଣାଟି ଘଟିଥିଲା ଆମ ତିନି ସାଙ୍ଗଙ୍କ ସହ ରାଜେନ୍ଦ୍ର, କେଶବ ଓ ମୁଁ। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଥମବର୍ଷର ଛାତ୍ର, ହଷ୍ଟେଲରେ ଆମେ ତିନିଜଣ ରୁମମେଟ। ନର୍ଥ ହଷ୍ଟେଲଟି କଲେଜ ଲାଇବ୍ରେରୀ ପାଖେ ଥିବା ଗେଷ୍ଟ ହାଉସର ଠିକ ପଛପଟେ। ଅବଶ୍ୟ ନ୍ୟୁ ହଷ୍ଟେଲ, ସାଉଥ ହଷ୍ଟେଲ, ଲେଡିଜ଼ ହଷ୍ଟେଲ କଲେଜ଼ ବ୍ଲକ ଠୁଁ ଦୂରରେ। କେବଳ ନର୍ଥ ହଷ୍ଟେଲ ହିଁ ସବୁଠୁଁ ପୁରୁଣା ଆଉ କଲେଜ଼ ସଂଲଗ୍ନ ହୋଇ ରହିଛି।
ହୋଲିର ସମୟ, ଫାଇନାଲ ପରୀକ୍ଷା ମଧ୍ୟ ଶେଷ ହୋଇଥାଏ ଓ କଣ ପାଇଁ କେଜାଣି ଲଗାତାର ଭାବେ ୫ ଦିନ ଛୁଟି ଥାଏ ତେଣୁ ଜଣଜଣ କରି ସମସ୍ତେ ଘରକୁ ଚାଲିଗଲେ। ଗେଷ୍ଟ ହାଉସରେ ସାର ମାନେ ମଧ୍ୟ ଘରକୁ ଗଲେ। ସେତେବେଳେ ଆଜି ଭଳି ଏତେ ଦରୁଆନ ନଥିଲେ। କେବଳ ଲେଡିଜ଼ ହଷ୍ଟେଲ ପାଇଁ ଜଣେ ଆଉ ମେନ ବ୍ଲକ ପାଇଁ ଜଣେ କରି ଯୋଡିଏ ଲୋକ ଥିଲେ। ସେଥିରୁ ମଧ୍ୟ ଜଣେ ଘରକୁ ଛୁଟିରେ ଚାଲିଗଲା। ପୁରା ହଷ୍ଟେଲ ଖାଁ ଖାଁ, ଆମେ ତିନିହେଁ ଠିକ କରିଥିଲୁ ଛୁଟିରେ ଘରକୁ ନଯାଇ ଏଠି ହିଁ ହୋଲି ମନେଇବୁ ଏକା ସଙ୍ଗେ, ସବୁବେଳେ ତ ଘରଲୋକଙ୍କ ସଙ୍ଗେ ହୋଲି ହେଲେ ଏଥର ସାଙ୍ଗ ସହ।ମନରେ ଖୁସି କହିଲେ ନସରେ।
ପ୍ରଥମଦିନ ଖୁବ ମଜାକଲୁ ତାସ, ଚେସ, ଲୁଡୋ ଆଦି ଖେଳରେ ଦିନଟା କେମିତି ଗଲା ଜଣା ହିଁ ପଡ଼ିଲାନି, ଆମ ସହ ଦରୁଆନ ଦାଦା ବି ମିଶି ଖେଳିଲେ। ଏକସଙ୍ଗେ ସେତେବେଳର ଏକମାତ୍ର ହୋଟେଲ ଭରତ ହୋଟେଲରୁ ଖାଇବା ଆଣି ଖାଇଲୁ। ରାତିରେ ଅନ୍ୟଦିନ ପରି ଶାନ୍ତିରେ ଶୋଇଲୁ। କିନ୍ତୁ ସକାଳୁ ଉଠି ଦେଖିବାବେଳକୁ ଦରୁଆନ ଦାଦା ଆଉ କୋଉଠି ଦେଖାଯାଉନଥିଲେ, କିନ୍ତୁ ଏମିତି ନଜଣେଇ କଣ ପାଇଁ ଯେ ସେ ଘରକୁ ପଳେଇଲେ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ସେ ଯା' ହେଉ ଏଥର ଆମେ ତିନିଜଣ, ଦ୍ଵିତୀୟ ଦିନରେ ଟିକେ ବାହାରକୁ ବୁଲିବାକୁଗଲୁ, ଫେରୁ ଫେରୁ ଭରତ ହୋଟେଲରୁ ଖାଇ ଫେରିଲୁ। ହଠାତ କୋଉଠି କଳାହାଣ୍ଡିଆ ମେଘ ଥିଲା କେଜାଣି ଶୁକ୍ଳପକ୍ଷ ରାତିଟାରେ ଘୋ
ଘୋ କରି ଢାଳିଚାଲିଲା। ଏପଟେ କରେଣ୍ଟ ବି ଚାଲିଗଲା, ଟର୍ଚ୍ଚରେ ବ୍ୟାଟେରୀ ବି ନଥାଏ ଶେଷରେ ମହମବତୀ ଜାଳିଲୁ। ଠିକ ରାତି ୧୦ ପରେ ଆମେ ଶୋଇବା ପାଇଁ ଉଦ୍ୟତ ହେଉଛୁ ହଠାତ କିଛି ପଡିବା ଆବାଜ ଶୁଣାଗଲା, ସତେ କି ଦୋତଲା କୋଠାରୁ କେହି ଖସି ପଡିଲା। ସେଇ ମହମବତୀ ନେଇ ଆମେ ତିନିଜଣ ବାହାରିଲୁ ଦେଖିବାକୁ। ହେଲେ କାହିଁ ପାଖଆଖରେ କିଛି ପଡିବା ପରି ମନେ ହେଉନଥିଲା, ଆମେ ଆସି ଶୋଇପଡିଲୁ। ତା' ପରଦିନ ରାତିରେ ଠିକ ସେମିତି ହିଁ ଶୁଣାଗଲା, ଏଥର ଆମେ ଭାବିଲୁ ବୋଧେ ଏଇ ଲୋକାଲ କାହାରି କାମ, କିଛି ସମୟପରେ କାହାରି ଡାକିବା ଆବାଜ ଶୁଣାଗଲା ସତେକି ଭାରି କଷ୍ଟପାଇ ଡାକୁଚି। ଯେଉଁ ପଟୁ ପଡିବା ଶବ୍ଦ ଶୁଣାଯାଉଥିଲା ସେଇପଟୁ ହିଁ ଡାକିବା ଆବାଜ। ନୂଆ କିଣିଥିବା ବ୍ୟାଟେରୀ ଟର୍ଚ୍ଚରେ ଦେଇ ଆମେ ପୁଣି ଦେଖିବାକୁ ଗଲୁ, ହେଲେ କୋଉଠି କିଛି ବି ନଥିଲା। ଏଥର ଖସ ଖସ ଚାଲିବା ଶବ୍ଦ ଆଉ କେତେବେଳେ ହସିବା ଶବ୍ଦ ଶୁଣାଗଲା, ଆମକୁ ଆଉ ଏସବୁ ଠିକ ଲାଗୁନଥାଏ। କବାଟ କିଳି ରାତି ସାରା ଟର୍ଚ୍ଚ ଜାଳି ବସିଲୁ, କରେଣ୍ଟ ନଥାଏ ସେଦିନ ବର୍ଷା ପରେ ଆଉ ଆସି ନଥାଏ। ଶେଷରେ ଆମ କବାଟ ବି ବାହାରୁ ଠକ ଠକ କିଏ କଲା କିନ୍ତୁ ଆମେ ଖୋଲିଲୁ ନାହିଁ।
ଗୋଟିଏ ବେଡ ଉପରେ ଚାଦର ଘୋଡ଼ି ତିନିହେଁ ବସିଲୁ, କେମିତି ଯେ ସେ ରାତି ପାହିଛି ଆମକୁ ତ ଗୋଟେ ଯୁଗ ପରି ଲାଗୁଥିଲା। ଏମିତି ଡର ସମୟରେ ପରିସ୍ରା ଲାଗିବା ସ୍ୱାଭାବିକ, ତେଣୁ କୋଣର ଏକ ବାଲ୍ଟିରେ ସେ ରାତିରେ ୧ କଲୁ। ଏଥର ଟିକେ ଫର୍ଚ୍ଚା ପଡିବାରୁ ସାହସ ବାନ୍ଧି କବାଟ ଖୋଲିଲୁ ଆଉ ସଙ୍ଗେ ସଙ୍ଗେ ହିଁ ଘରକୁ ଯିବା ପାଇଁ ବାହାରି ପଡ଼ିଲୁ। କଲେଜ ଛକ ଉପରେ ଥାଏ ରଘୁଆ ଚା ଦୋକାନୀ, ସକାଳୁ ସକାଳୁ ଯିବାବେଳେ ତା ହାତରୁ କଡ଼ାକ ଚା ପିଇବା ବେଳେ ତାକୁ ଗଲା ରାତିର ଘଟଣା ଗୁଡା ବଖାଣିଲୁ, ତା ପାଖରୁ ଯାହା ଶୁଣିଲୁ ଗତବର୍ଷ ଲାଇବ୍ରେରୀ ଉପର ଛାତରୁ ଗୋଟେ ପିଲା ତଳକୁ ପଡିଯାଇ ମୁଣ୍ଡ ଫାଟି ସ୍ପଟ ଡେଥ ହେଇଥିଲା, ଭୀଷଣ ବର୍ଷାରୁ ଶିଉଳି ଛାତରୁ କେମିତି ଖସି ପଡିଛି ଆଉ। ଭାରି ମେଧାବୀ ପିଲାଟା ଥିଲା କୁଆଡେ ଆଉ ବହୁତ ଭଲ ମଧ୍ୟ।
ଆମେ ତ' ଘରକୁ ଗଲୁ ଆସିବା ପରେ, ହଷ୍ଟେଲ ବାଡେନଙ୍କ ସହ କଥାବାର୍ତ୍ତାକରି କତ୍ତୃପକ୍ଷଙ୍କୁ ଜଣାଇଲୁ। ଶେଷରେ ନର୍ଥ ହଷ୍ଟେଲଟି ବନ୍ଦ ହୋଇଗଲା ଛାତ୍ର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। କିନ୍ତୁ ସେ ଦରୁଆନ ଦାଦା ଆଉ ଆସିଲେ ନାହିଁ, ଖବର ମିଳିଲା ତାଙ୍କୁ କୁଆଡେ ଗୋଟେ ସାଇଡ ପାରାଲିସିସ।