STORYMIRROR

Lokanath Rath

Tragedy Action Classics

3  

Lokanath Rath

Tragedy Action Classics

ନିସ୍ତବ୍ଧ ରାତ୍ରି

ନିସ୍ତବ୍ଧ ରାତ୍ରି

6 mins
231

A

ଘର ଭିତରେ ଗୋଟିଏ କୋଣରେ ଚୁପ ଚାପ ପୁରା ନିସ୍ତବ୍ଧ ହୋଇ ରାତ୍ରି ବସି ରହିଛି. ଆଖୁରେ ଲୁହ ନାହିଁ କି ପାଖରେ କେହି ନାହିଁ ବସି ତାକୁ ସାନ୍ତ୍ୱନା ଦେବାକୁ. ଖାଲି ତା ମନ ଭିତରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉତ୍ତର ଖୋଜୁଛି ଯେ କାହିଁକି ସେ ନିସ୍ତବ୍ଧ ରାତ୍ରି ରେ ତା ଜୀବନରେ ସବୁ କିଛି ଓଲଟ ପାଲଟ ହେଇଗଲା ?


ରାତ୍ରି ଦାସ ଜଣେ ଇଞ୍ଜିନିରିଂ ର ତୃତୀୟ ବର୍ଷ ର ଛାତ୍ରୀ. ତା ବାପା ମାନସ ଦାସ ଜଣେ କପଡା ବ୍ୟବସାୟୀ ଥିଲେ. ମା ରାଜଶ୍ରୀ ଜଣେ ଗୃହିଣୀ. ବାପା ମା ଙ୍କର ସେ ଏକ ମାତ୍ର ସନ୍ତାନ. ବାପା ମାନସ ପିଲାଦିନୁ ରାତ୍ରି କୁ ବଡ଼ ଅଲିଅଳି କରି ବଢ଼ାଇଛନ୍ତି. ଯେତେବେଳେ ତାର ଯାହା ଦରକାର ସବୁ ଯୋଗାଇ ଦେଇଛନ୍ତି. ରାତ୍ରି ବି ଭଲ ପାଠ ପଢୁଥିଲା. ଦେଖିବାକୁ ସେ ବହୁତ ସୁନ୍ଦର. ତାର ରଙ୍ଗ ଟିକିଏ ଶ୍ୟାମଳ. ସେଥିପାଇଁ ବାପା ମାନସ ତା ନାମ ରାତ୍ରି ରଖିଛନ୍ତି. ରାତ୍ରି ପାଠ ପଢିବା ସାଙ୍ଗରେ ଭଲ ଗୀତ ଗାଏ ଓ ନାଚେ ମଧ୍ୟ. ପିଲାଦିନୁ ରାଜଶ୍ରୀ ତାକୁ ପାଖ ସଙ୍ଗୀତ କଳା ବିଦ୍ୟାଳୟରେ ନାଚ ଓ ଗୀତ ଶିଖିବା ପାଇଁ ପଢାଉ ଥିଲେ. ଦ୍ୱାଦଶ ଶ୍ରେଣୀ ପରେ ରାତ୍ରି ଇଚ୍ଛା କଲା ଜଣେ ଯନ୍ତ୍ରୀ ହେବ ବୋଲି. ସେଥିପାଇଁ ମାନସ ତାକୁ ଯାନ୍ତ୍ରିକ ବିଦ୍ୟାଳୟ ରେ ନାମ ଲେଖାଇ ଦେଲେ. ସେ ବିଦ୍ୟାଳୟ ଟିକେ ନିଜ ସହର ଠାରୁ ଦୂରରେ ଥିବାରୁ ରାତ୍ରି କୁ ଛାତ୍ରୀ ନିବାସ ରେ ରହିବାକୁ ପଡିଲା. ପ୍ରତ୍ୟେକ ମାସରେ ଉଭୟ ମାନସ ଓ ରାଜଶ୍ରୀ ରାତ୍ରି ପାଖକୁ ଯାଆନ୍ତି. 

ସବୁ କିଛି ଠିକ ଠାକ ଚାଲୁଥିଲା. ରାତ୍ରି ର ଯେତେବେଳେ ସେ ବିଦ୍ୟାଳୟରେ ଦ୍ଵିତୀୟ ବର୍ଷ ହଠାତ ମାନସ ବାବୁଙ୍କର ଦେହ ଖରାପ ହେଲା ଓ ସେ ଡାକ୍ତରଖାନା ରେ ଭର୍ତ୍ତି ହେଲେ. ଖବର ପାଇ ରାତ୍ରି ପହଞ୍ଚି ଗଲା. ପରୀକ୍ଷା ସରିଥାଏ. ମନ ବଡ଼ ବ୍ୟାକୁଳ ତା ବାପାଙ୍କୁ ନେଇ. ସେ ଓ ତା ମା ଡାକ୍ତରଙ୍କ ଠାରୁ ବୁଝିଲେ ଯେ ମାନସ ଙ୍କର ବହୁତ ବଡ଼ ହୃଦଘାତ ହୋଇଛି. ତିନି ଦିନ ପରେ ଆଗକୁ କଣ ହେବ କହି ହେବ. ଏବେ ତାଙ୍କୁ ନିରୀକ୍ଷଣ ପାଇଁ ରଖା ଯାଇଛି. ଏତକ ଶୁଣି ରାତ୍ରି ଓ ରାଜଶ୍ରୀ ସେଠାରେ ଥିବା ଠାକୁରଙ୍କୁ ଖାଲି ପ୍ରାର୍ଥନା କରିବାରେ ଲାଗିଲେ ମାନସଙ୍କର ଆରୋଗ୍ୟ କାମନା କରି. ଦୁଇଦିନ ପରେ ଡାକ୍ତର କହିଲେ ଯେ ମାନସ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି. ଏତକ ଶୁଣି ଉଭୟ ରାତ୍ରି ଓ ରାଜଶ୍ରୀ ତାଟସ୍ତ ହେଇଗଲେ. ଦୌଡ଼ି ଯାଇ ରାତ୍ରି ତା ବାପାଙ୍କୁ ଦେଖିଲା. ବହୁତ କାନ୍ଦି କାନ୍ଦି ବଡ଼ ପାଟିରେ ବାପା ବାପା ବୋଲି ବହୁତ ଡାକିଲା, କିନ୍ତୁ ତା ବାପା ମାନସ କିଛି ଶୁଣିଲେ ନାହିଁ. ପାଖକୁ ରାଜଶ୍ରୀ ଆସି ରାତ୍ରି କୁ ସମ୍ଭାଳିଲେ ଓ କାନ୍ଦି କାନ୍ଦି କହିଲେ, "ମା ତୋ ବାପା ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲେ. କି ପାପ ମୁଁ କରିଥିଲି ବା କି ଦୋଷ କରିଲି ଯେ ମୋ ଉପରେ ରାଗ କରି ଏକା କରିଦେଲେ." ପଡିଶା ର ଲୋକମାନେ ଆସି ମାନସ ଙ୍କ ମର ଶରୀର କୁ ନେଇଗଲେ ଓ ଦାହ କାର୍ଯ୍ୟ ରେ ସାହାଯ୍ୟ କଲେ. ରାତ୍ରି ତା ବାପାଙ୍କର ଶେଷ କୃତ୍ୟ ସମ୍ପର୍ଣ କଲା. ଦୋକାନ ର ଦାୟିତ୍ୱ ଏବେ ରାଜଶ୍ରୀ ଙ୍କୁ ନେବାକୁ ପଡିଲା. ଚୁଟି ସରିବାଯାଏ ରାତ୍ରି ତା ମା ରାଜଶ୍ରୀ ଙ୍କୁ ସାହାଯ୍ୟ କଲା.ଛୁଟି ସରିଗଲା ପରେ ବାଧ୍ୟ ହୋଇ ରାତ୍ରି କୁ ଯିବାକୁ ହେଲା. ଏବେ ତୃତୀୟ ବର୍ଷ ର ପାଠ. ତାକୁ ରାଜଶ୍ରୀ କହିଲେ, "ମନ ଦେଇ ଯେମିତି ହେଲେ ମା ତୁ ତୋ ପଢା ଭଲରେ ଶେଷ କରିବୁ. ତୋ ବାପାଙ୍କ ଆତ୍ମା କୁ ଶାନ୍ତି ମିଳିବ. ମୋ ପାଇଁ କିଛି ଚିନ୍ତା କରିବାର ନାହିଁ. ମୁଁ ସବୁ ସମ୍ଭାଳି ନେବି. ମୋ ସାଙ୍ଗରେ ସବୁଦିନେ କଥା ହେଉଥିବୁ. "ରାତ୍ରି ବଡ଼ କଷ୍ଟରେ ହଁ ଭରିଲା. ସେ ଦୋକାନର କର୍ମଚାରୀ ରମେଶ କୁ କହିଲା, "ତୁମେ ସବୁଦିନେ ଦୋକାନ ବନ୍ଦ କରି ଗଲାବେଳକୁ ମା କୁ ଘର ପାଖରେ ଛାଡି ଦେଇ ଯିବ. ତୁମେ ତ ଆମର ସବୁଠାରୁ ପୁରୁଣା ଲୋକ, ନିଜ ପରିବାର ର ଜଣେ ସଦସ୍ୟ ପରି." ରମେଶ ହସି ହସି କହିଲା, "ସେଥିପାଇଁ ମୋଟେ ବ୍ୟସ୍ତ ହୁଅନି. ଆମେ ସବୁ ମାଙ୍କର କଥା ବୁଝିବୁ. "ଏଥର ରାତ୍ରି ଟିକେ ଆଶ୍ବସ୍ତି ପାଇଲା. ତାପର ଦିନ ରାତ୍ରି ଚାଲିଗଲା ତା ମହାବିଦ୍ୟାଳୟକୁ. ସବୁଦିନେ ସେ ରାଜଶ୍ରୀ ସହିତ ରାତିରେ କଥା ହୁଏ. ଭଲ ମନ୍ଦ ସବୁ ବୁଝେ. ଏବେ ତା ବାପା ଚାଲିଯିବା ପରେ ତା ମା ର ଦାୟିତ୍ୱ ତା ଉପରେ. ସେ ଭଲ ଭାବରେ ଜାଣେ ରାଜଶ୍ରୀ କୁ. ସେ ଜାଣେ ତା ମା ବହୁତ ସ୍ନେହି ଓ ସରଳ ବିଶ୍ୱାସୀ. କିନ୍ତୁ ରାତ୍ରକୁ ଭୟ ଥାଏ ତାଙ୍କ ଘର ଗଳି ମୁଣ୍ଡରେ ବାସୁଥିବା ସେଇ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କୁ. ବହୁତ ଥର ରାତ୍ରି ଦେଖିଛି ରାତିରେ ସେମାନେ ନିଶାରେ ରହି ବହୁତ ଅନୈତିକ କାମ କରନ୍ତି. ବେଳେ ବେଳେ ଡରି ଡରି ସେ ଓ ରାଜଶ୍ରୀ ଘରକୁ ପଶି ଯାଇ ଶୀଘ୍ର କବାଟ ବନ୍ଦ କରିଦିଅନ୍ତି. ତାଙ୍କ ପଡିଶା ଘର ର ଦୁଇ ଜଣଙ୍କୁ ସେମାନେ ରାତିରେ ଅଟକାଇ ଧମକ ଦେଇ ପଇସା ଆଦାୟ କରିଛନ୍ତି. ସେଥିପାଇଁ ରାତ୍ରି କୁ ବହୁତ ଡର ଲାଗୁଥାଏ ତା ମା ରାଜଶ୍ରୀ ପାଇଁ. କିନ୍ତୁ ରାଜଶ୍ରୀ ତାକୁ ସବୁବେଳେ କହେ, "ଆମେ ଡରିଲେ କେମିତି ଆମ ଜୀବନ ବଞ୍ଚାଇବା. ଯେତେବେଳେ ଯାହା ହବାର ଥିବ ହେବ. ତୁ ଅଯଥାରେ ମନରେ ଏସବୁ ଭାବି ଡରିବା ଦରକାର ନାହିଁ. ମନଦେଇ ପାଠ ପଢ଼. "ରାତ୍ରି ତା ମା କଥା ଶୁଣି ନିଜକୁ ସମ୍ଭାଳି ନିଏ. ଏମିତି ପ୍ରାୟ ତିନି ମାସ ବିତିଗଲା. ଅମାବାସ୍ୟା ସମୟ ନିକଟ ହେଇ ଆସୁଥାଏ. ମାନେ କାଳୀପୂଜା ଅମାବାସ୍ୟା. ଦୋକାନରେ ବି ଭିଡ଼ ବହୁତ ହେଉଥିଲା. ବେଳେ ବେଳେ ରାତି ଏଗାରଟା ବେକେ ରାଜଶ୍ରୀ କୁ ଫେରିବାକୁ ପଡୁଥିଲା. ରାତି ବିକ୍ରି ର ଟଙ୍କା ଗୋଟିଏ ବ୍ୟାଗ ରେ ଧରି ସେ ରମେଶ ସହିତ ଆସେ. ତାକୁ ଛାଡ଼ିଦେଇ ରମେଶ ଯାଏ. କାଳୀପୂଜା ପାଇଁ ରାଜଶ୍ରୀ ତାଙ୍କ ଦୋକାନ ର ସବୁ କର୍ମଚାରୀଙ୍କୁ ମାସକର ଦରମା ବୋନସ ଆକାରରେ ଦେଇଦେଲେ, ଯାହା ମାନସ ପ୍ରତ୍ୟେକ ବର୍ଷ ଦିଅନ୍ତି. ରାତ୍ରି ବି କହିଛି କାଳୀପୂଜା ଆଗଦିନ ଆସି ପହଞ୍ଚିବ. କାଳୀପୂଜା ର ଦୁଇଦିନ ଆଗରୁ ରାତ୍ରି ବସରେ ବସି ବାହାରିଲା. ରାତି ପ୍ରାୟ ଏଗାରଟା ବେଳେ ସେ ବହୁତ ଫୋନ କଲା ରାଜଶ୍ରୀଙ୍କୁ, ହେଲେ କୌଣସି ଉତ୍ତର ପାଇଲା ନାହିଁ. ଭାବିଲା ବୋଧେ ତା ମା ଘରେ ପହଞ୍ଚି ମୁହଁ ହାତ ଧୋଉ ଥିବ. ଅଧ ଘଣ୍ଟା ପରେ ବି ରାଜଶ୍ରୀ ର କିଛି ଉତ୍ତର ନ ପାଇବାରୁ ସେ ବ୍ୟସ୍ତ ହେଇ ପଡିଲା. ସେ ଏବେ ବସରେ ବସିଛି ଭୋର ଚାରିଟା ରେ ସେ ପହଞ୍ଚିବ. ବଡ଼ ବ୍ୟସ୍ତ ହୋଇ ପୁଣି ଥରେ ରାଜଶ୍ରୀ ଙ୍କୁ ଫୋନ କଲା. ସେତେବେଳେ ରାତି ବାରଟା. ତଥାପି କିଛି ଉତ୍ତର ପାଇଲା ନାହିଁ. ଭାବିଲା ରମେଶ କୁ ଫୋନ କରିବ. ସେ ରମେଶକୁ ଫୋନ କଲା. ବହୁତ ଡେରିରେ ରମେଶ ଫୋନ ଉଠାଇଲା. ରାତ୍ରି ରମେଶ କୁ ପଚାରିଲା, "ତୁମେ ମା କୁ ଘରେ କେତେବେଳେ ଛାଡି ଆସିଥିଲ ?"ରମେଶ କହିଲା, "ମୋତେ ଦୁଇଦିନ ହେଲା ଭୀଷଣ ଜ୍ୱର, ସେଥିପାଇଁ ମୁଁ ଦୋକାନ ଯାଇନାହିଁ. ହେଲେ ରାମ କିମ୍ବା ଅଜୟ ନିଶ୍ଚୟ ଯାଇଥିବେ. କାହିଁକି କଣ କିଛି ଅସୁବିଧା ହେଲା କି ?"ଏବେ ଟିକେ ବଡ଼ ଦ୍ଵନ୍ଦ ରେ ପଡି ରାତ୍ରି କହିଲା, "ନାଇଁ ସେମିତି କିଛି ନୁହେଁ, କିନ୍ତୁ ମା ମୋ ଫୋନ କାହିଁକି ଉଠାଉ ନାହିଁ. ସେଥିପାଇଁ ପଚାରିଲି. ହଉ ନିଜ ଦେହର ଯତ୍ନ ନିଅ. "

ରାମ ଓ ଅଜୟ ର ଫୋନ ନମ୍ବର ରାତ୍ରି ପାଖରେ ନାହିଁ. କଣ କରିବ ବୁଝି ପାରିଲା ନାହିଁ. ମନ ବଡ଼ ବ୍ୟସ୍ତ ହେଲା. ଦେଖୁ ଦେଖୁ ଭୋର ତିନିଟା ରେ ବସ ପହଞ୍ଚି ଗଲା. ରାସ୍ତାରେ ଭିଡ଼ କମ ଥିବାରୁ ଘଣ୍ଟେ ଆଗରୁ ପହଞ୍ଚି ଗଲା. ବସରୁ ଓଲ୍ହାଇ ରାତ୍ରି ଶୀଘ୍ର ଗୋଟେ ଅଟୋ ରେ ବସିଲା. ଅଟୋବାଲା ଆଉ କେହି ନୁହେଁ, ପିଲାଦିନେ ତାକୁ ବିଦ୍ୟାଳୟ ନବା ଆଣିବା କରୁଥିବା ବାଦଲ ମଉସା. ସେ ପଚାରିଲେ, "ମା ଏତେ ରାତିରେ କେଉଁଠୁ ଆସିଲୁ?" ରାତ୍ରି ଟିକେ ହସିଦେଇ କହିଲା," ମୋର ଛୁଟି ହେଇଗଲା ତ ଆଜି ଫେରିଲି. ମୁଁ ଏବେ ଯାନ୍ତ୍ରିକ ମହାବିଦ୍ୟାଳୟ ରେ ପଢୁଛି. "ବାଦଲ ଖୁସି ହେଇ କହିଲା, "ଯାହା ହେଉ ଆମ ମା ବଡ଼ ଯନ୍ତ୍ରୀ ହେବ. " ଏତିକିରେ ଘର ଆସିଗଲା. ବାଦଲ ରାତ୍ରି ର ବ୍ୟାଗ ନେଇ ପଛେ ପଛେ ଗଲା. ଘର ଦୁଆର ମୁହଁ ରେ ଦୃଶ୍ୟ ଦେଖି ରାତ୍ରି ବସି ପଡିଲା. ବାଦଲ ବି ବଡ଼ ବିଚଳିତ ହେଇଗଲା. ସେଠାରେ ରକ୍ତାକ୍ତ ଅବସ୍ଥା ରେ ରାଜଶ୍ରୀ ପଡିଛନ୍ତି. ବାଦଲ ଦେଖିଲା ନିଶ୍ୱାସ ଚାଲୁଛି. ସେ ରାଜଶ୍ରୀ କୁ ଟେକି ଧରି ଅଟୋ କୁ ନେଲା ଓ ରାତ୍ରି କୁ କହିଲା, "ଚାଲ ମା ଶୀଘ୍ର ଡାକ୍ତରଖାନା ନେଇଯିବା.ସେ ବଞ୍ଚିଛନ୍ତି. "

ଡାକ୍ତରଖାନା ରେ ରାଜଶ୍ରୀ କୁ ଭର୍ତ୍ତି କରି ରାତ୍ରି ବାହାରେ ବସି କାନ୍ଦୁଥିଲା. ଡାକ୍ତର କହିଲେ ରକ୍ତ ଦରକାର ଶୀଘ୍ର. ବେଶି ରକ୍ତ ବୋହି ଯାଇଥିବାରୁ ଅଚେତ ହେଇଛନ୍ତି. ତାଙ୍କ ପେଟରେ ବଡ଼ ଛୁରୀ ରେ ଆଘାତ ଲାଗିଛି. ମୁହଁ ବି ଫାଟି ଯାଇଛି. ଏଇଟା ପୋଲିସ କେଶ. କିନ୍ତୁ ରକ୍ତ ଶୀଘ୍ର ଦରକାର ବଞ୍ଚାଇବାକୁ. " ରାତ୍ରି କହିଲା, "ମୋ ମା ଓ ମୋର ଗୋଟିଏ ଗ୍ରୁପ. ମୁଁ ଦେଉଛି. ହେଇଯିବ ତ ?"ଡାକ୍ତର ଆଉ ଗୋଟିଏ ବୋତଲ ରକ୍ତ ଲାଗିବ କହିବାରୁ, "ବାଦଲ କହିଲା, "ମୁଁ ଦେବି. ମୋ ରକ୍ତ ପରୀକ୍ଷା କରନ୍ତୁ. "ରକ୍ତ ନମୁନା ରୁ ଜଣା ପଡିଲା ବାଦଲ ରକ୍ତ ମିଶି ଯାଉଛି. ସଙ୍ଗେ ସଙ୍ଗେ ରାତ୍ରି ଓ ବାଦଲ ର ରକ୍ତ ରାଜଶ୍ରୀ ଙ୍କୁ ଦିଆ ହେଲା. ପେଟ ଓ ମୁହଁ ରେ ସିଲାଇ କରା ଗଲା. ତଥାପି ରାଜଶ୍ରୀ ଅଚେତ ଥାଆନ୍ତି. ଦୁଇଦିନ ପରେ ରାଜଶ୍ରୀ ଙ୍କ ଚେତା ଫେରିଲା. ସେ କଥା କହି ପାରୁ ନଥାନ୍ତି. କିନ୍ତୁ ପର ଦିନ ଖନେଇ ଖନେଇ ସବୁ ଘଟଣା କହିଦେଲେ. ପୋଲିସ ବି ଉପସ୍ଥିତ ଥିଲେ. ସବୁ ଶୁଣି ସେଠାରୁ ଗଲେ ଓ କହିଲେ ସେଗୁଡାକ ଗୁଣ୍ଡା ଓ ବଦମାସ. ନିଶ୍ଚୟ ତାଙ୍କୁ ବାନ୍ଧି ଜେଲ ରେ ପୂରେଇବୁ. ପାଞ୍ଚ ଦିନ ପରେ ରାଜଶ୍ରୀ କୁ ନେଇ ରାତ୍ରି ଘରକୁ ଫେରିଲା. 

ଘର ର ସେଇ କୋଣରେ ବସି ରାତ୍ରି ଭାବୁଥାଏ ତା ମା ର ଏଇ ଦଶା ଦେଇ ନିସ୍ତବ୍ଧ ରାତ୍ରି ରେ ସେମାନେ ଟଙ୍କା ନେବା ପାଇଁ କଲେ. ସେମାନେ ତା ମାରିବାକୁ ଚେଷ୍ଟା କରିଥିଲେ. ଭଗବାନ ଙ୍କ କୃପାରୁ ତା ମା ବଞ୍ଚି ଗଲେ. କିନ୍ତୁ ଏବେ ଯାଏ ପୋଲିସ ତାଙ୍କର କିଛି କରିନାହିଁ. ତାଙ୍କୁ ବାନ୍ଧିବା ଦୂର, କିଛି ପଚାରିବାର ସାହସ ବି କରିନି, କାରଣ ସେମାନେ ବିଧାୟକ ଙ୍କ ଲୋକ. ସେଇ ନିସ୍ତବ୍ଧ ରାତ୍ରି ରେ ସୁଯୋଗ ପାଇ ଗୁଣ୍ଡା ମାନେ ଏମିତି କଲେ, ଏବେ ପୋଲିସ ବି ନିସ୍ତବ୍ଧ ରାତ୍ରି ପରି ପୁରା ଚୁପ. ରାତ୍ରି ମନରେ କ୍ରୋଧ ବି ହେଲା ଓ ସମାଜ ପ୍ରତି ଘୃଣା ବି. ଟଙ୍କା ର ଲାଳସା ପାଇଁ ମଣିଷ ଆଉ ଗୋଟିଏ ମଣିଷ ର ଜୀବନ ନେଇ ପାରେ, ଲୋଭ ଓ ଭୟ ପାଇଁ ପୋଲିସ ଅଧିକାରୀ କର୍ତ୍ତବ୍ୟ ରେ ହେଳା କରୁଛନ୍ତି ଆଉ ସେ ନିସ୍ତବ୍ଧ ରାତ୍ରି ରେ ଏତେ ଅଶାନ୍ତି କୁ ଜାଣି ନିସ୍ତବ୍ଧ ହୋଇ ବସିଛି ରାତ୍ରି. ଖୋଜୁଛି ନିରାକାର ର ଉପାୟ.... 



Rate this content
Log in

Similar oriya story from Tragedy