STORYMIRROR

Sachidananda Kar

Abstract

3  

Sachidananda Kar

Abstract

ନିରୁତ୍ତର

ନିରୁତ୍ତର

2 mins
185


        ଟଙ୍କାକରେ ଖୁସି ହେବା ମଣିଷ ମୁଁ ଆଦୌ ନୁହେଁ। 


        ବିଡା ବିଡା ଟଙ୍କା ଧରିବାରେ ମୁଁ ଅଭ୍ୟସ୍ତ।ସବୁବେଳେ ସେଇ ଚକ୍କରରେ ଥାଏ ମୁଁ। 


        ସେଥିପାଇଁ ସକାଳୁ ଉଠିବାବେଳେ ମୁଁ ପ୍ରତିଦିନ ଠାକୁରଙ୍କୁ ଭକ୍ତିରେ ଡାକି କହେ - " ଠାକୁର, ଆଜି ମୋ ହାତକୁ ଗତକାଲି ଅପେକ୍ଷା ଅଧିକ ଟଙ୍କା ଆସୁ। " 


        ହାତ ପତେଇ ଟଙ୍କା ମାଗିହୁଏନା।ଭିକ,ଋଣ, ଦାନ,ପଇସା ଓ କରୁଣା - ଏସବୁ ମାଗିହୁଏ।ଏକଥା ମୁଁ ଜାଣେ।ମୋର ଟଙ୍କା ଦରକାର।ତେଣୁ ମୋ ବୁଦ୍ଧିରେ ମୁଁ ତା'ର ବାଟ କରିନିଏ। 


        ଦୁର୍ଭାଗ୍ୟ, ଦାରିଦ୍ର୍ୟ ଓ ନିଜର ଲଜ୍ଜା ଲୁଚେଇବାର ଅଭ୍ୟାସ ନ ଥିଲେ ଜଣେ ହାତ ପତାଇ ପାରେନା।ମୋର ସେସବୁ ନାହିଁ।ତେଣୁ ମୁଁ ହାତ ପତାଏନାହିଁ। 


        ତେଣୁ ଯେତେବେଳେ ଯାହା ନିଏ ମୁଁ ଦାବି କରି ନିଏ।ବେଳେବେଳେ ଭୟ ଦେଖାଏ।କାମ ଗଡେଇବାର ଅଭିନୟ ବି କରେ।ଭୁଲ୍ ବାହାର କରି ଥୋଇଦିଏ। 


         ଆପଣ ଏହାକୁ କିଳାପୋତେଇ କହିପାରନ୍ତି।କହିପାରନ୍ତି ହାତଗୁଞ୍ଜା।ଲାଞ୍ଚ ମଧ୍ୟ କହିପାରନ୍ତି।ସେସବୁ ଟଙ୍କାର ଭିନ୍ନ ଭିନ୍ନ ନାଆଁ ବୋଲି ମୁଁ ବୁଝେ। 


        ଆପଣ ନିଶ୍ଚେ ଜାଣିଥିବେ ଯେ ହାତ ପତେଇବା କାମଟି ଏତେ ସହଜରେ କରିହୁଏ ନାହିଁ। 


        ମୋ ଟେବୁଲ ଉପରେ ଫାଇଲ୍ ସ୍ତୁପ।ଯେତେ ଫାଇଲ୍ ଆସେ ସେତେ ମୋର ଖୁସି।କାରଣ ମୁଁ ବୁଝେ ଟଙ୍କା ସବୁ ଫାଇଲ୍ ରୂପରେ ମୋ ଟେବୁଲ ଉପରକୁ ଆସନ୍ତି। 


         " ଦେଖୁଛନ୍ତି ତ ଆଜ୍ଞା!ଗଦା ଗଦା ଫାଇଲ୍।ସମୟ ଲାଗିବ।ଚାରି, ଛଅ ମାସ ଲାଗିପାରେ।ଆପଣ କହିଲେ କିଛି ହେବନି।ଯଦି କିଛି ବ୍ୟବସ୍ଥା କରିବେ ତେବେ ହୁଏ ତ ଦେଖିବା।


          ବାସ୍,ଏତିକି ବନେଇ ଚୁନେଇ,ହସି ହସି, ମୁହଁ ହଲେଇ କହିବାକୁ ପଡେ।ଆଉ ତା' ପରେ ଘଟଣା ଘଟେ।ହାତ ଧରେ ଟଙ୍କା ବିଡା।ଫାଇଲ୍ ତଳ ଉପର ହୁଏ।ସାଙ୍ଗେ ସାଙ୍ଗେ ଫାଇଲ୍ କାମ ସରିଯାଏ। 


          ସ୍ବାର୍ଥ ପାଇଁ ଏସବୁ କରେ ମୁଁ।ବିନା ସ୍ବାର୍ଥରେ କିଏ ଏଠି କ'ଣ କରେ ଯେ ମୁଁ କରିବି!ବିଶ୍ୱାସରେ ଅମୃତ, ଅଭିନୟରେ ଅନ୍ତରଙ୍ଗତା ଭରିପାରିଲେ ହେଲା।ସେସବୁରେ ମୁଁ ବେଶ୍ ପାରଙ୍ଗମ। 


          ସୁଯୋଗ ହାତଛଡା କରିବା ଆଦୌ ଭଲ ନୁହେଁ।ତେଣୁ ମୁଁ କରେନାହିଁ।ଏ ଦୁନିଆରେ କିଏ କାହାର ଯେ!ମୁଁ କାହିଁକି କାହାର ହେବି?କାଲି ମୁଁ ସେଇଠି ଥାଇପାରେ ନ ଥାଇପାରେ।ଫାଇଲ୍ ଚାଷ କରିବାକୁ ମୋ ପାଇଁ ସୁଯୋଗ ଥାଇପାରେ ନ ଥାଇପାରେ ମଧ୍ୟ। 


          ସେଥିପାଇଁ ମୁଁ ସଚେତନ ଥାଏ।ଲକ୍ଷ୍ୟପଥରେ ଚାଲିଥାଏ ଅବିରତ।ମୋ ଖୁସି ମୋ ପାଇଁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇ ରହିଥାଏ। 


          ଦିନେ ଷ୍ଟେସନରେ ମୁଁ ଟ୍ରେନକୁ ଅପେକ୍ଷା କରିଥାଏ।ମୋର ଦିଲ୍ଲୀ ଯିବାର ଥାଏ। 


          - " ବାବୁ!ଏ ଦରିଦ୍ରକୁ କିଛି ଦିଅ। " 


          ମୋ ଆଗରେ ହାତ ପତେଇ ଜଣେ ଆସି ଠିଆ ହୋଇଗଲା।ଛିଣ୍ଡା ଗାମୁଛାଟେ ପିନ୍ଧିଥାଏ।ଅସହାୟ ବେଦନା ବାରି ହେଉଥାଏ ତା' ମଳିନ ମୁହଁରେ।ତା' ହାତକୁ ଟଙ୍କାଟିଏ ବଢାଇଦେଲି। 


          - " ତୁମର ମଙ୍ଗଳ ହେଉ,ବାବୁ। " 


           ଖୋଲା ହୃଦୟରେ ମୋ ଉପରେ ଶୁଭେଚ୍ଛା ଅଜାଡି ଦେଇ ଖୁସିରେ ଖୁସିରେ ଚାଲିଗଲା ସେ।ଓଃ!କି ଖୁସି ସେ! 


           ଟଙ୍କାକରେ ଏତେ ଖୁସି!ମୋ ପାଟିରୁ ବାହାରିଗଲା।ମୋତେ କୋଟିଏ ଦେଇଥିବା ପରି ମନେହେଲା। 


           ବାଃ . . ବାଃରେ ଦୁନିଆ!ଟଙ୍କାକରେ ଖୁସି ହେଉଥିବା ମଣିଷ ବି ଅଛନ୍ତି ଏଠି!


           କିଛି ସମୟ ପାଇଁ ମୁଁ ଟିକେ ଅନ୍ୟମନସ୍କ ହୋଇଗଲି। 


           ତେବେ କ'ଣ ଏଠି ଦୁନିଆଯାକର ଖୁସି ଖାସ୍ ଏଇ ମଣିଷମାନଙ୍କ ପାଇଁ?ପ୍ରଶ୍ନ ପଚାରିଲି ନିଜକୁ, ହେଲେ ତା'ର ଉତ୍ତର ଖୋଜି ପାଇଲି ନାହିଁ।କେହି ଜାଣିଥିଲେ ମୋତେ ଜଣାଇବେ ତ ପ୍ଲିଜ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract