ନିର୍ମାଲ୍ୟ ଓ କୈବଲ୍ୟ
ନିର୍ମାଲ୍ୟ ଓ କୈବଲ୍ୟ
ବନ୍ଧୁତା କରାଯାଏନା, ହେଇଯାଏ, ଆଉ ଜଗନ୍ନାଥ ଦେଶର ଲୋକ ବୋଲି ଜାଣି ବହୁଲୋକ ବନ୍ଧୁ ହୋଇଗଲେ, ଆଉ ତା ଭିତରୁ ଥିଲେ, ପୁଅ ଦିଲ୍ଲୀରେ ରହିଥିବା ଭଡ଼ାଘରର ମାଲିକ। ହିନ୍ଦିରେ କଥା ହେଉଥିଲେ ବି ବୁଝୁଥିଲେ ଓ କହିପାରୁଥିଲେ ଖାଣ୍ଟି ଓଡିଆ। ତ ବନ୍ଧୁତା ଖାତିରିରେ, ପୁଅ ପାଖରୁ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ଆତିଥ୍ୟରେ ବିଗଳିତ , ତଥା ଓଡିଆ ଘରର ମର୍ଯ୍ୟାଦା ହିସାବରେ, ତାଙ୍କୁ, ଆମ ଘରକୁ ସସ୍ତ୍ରିକ ନିମନ୍ତ୍ରଣ କରି ଫେରିଲୁ। ସେମାନେ ଜଗନ୍ନାଥଙ୍କୁ ଦେଖିବାର ମନ ନେଇ, ସତକୁ ସତ ପହଁଚିଗଲେ, ଆମ ଘରେ, ପୁରୀ ଠାରୁ କୋଡ଼ିଏ କିଲୋମିଟର ପଛରେ ଥିବା ସାକ୍ଷୀଗୋପାଳରେ। ସେଠାରେ ସାକ୍ଷୀଗୋପିନାଥଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହେଲେ ଓ ଗହମ ପ୍ରସ୍ତୁତ ଭୋଗ ଖାଇ ଆନନ୍ଦିତ ହେଲେ, ଏବଂ ପୁରୀ ଯିବାକୁ ଚାହିଁଲେ। ସେ ସସ୍ତ୍ରିକ ଆସିଥିଲେ କିଛି ଅସୁବିଧା ନଥିଲା କିନ୍ତୁ ବରିଷ୍ଠ ପୁରୁଷ ଲୋକଙ୍କୁ ନେଇ ଏକୁଟିଆ ପୁରୀ ଯିବାକୁ ମତେ ଟିକେ ମାଡ଼ି ମାଡ଼ି ପଡୁଥିଲା, ଯେହେତୁ ସ୍ଵାମୀ ବାହାରକୁ ଯାଇଥିଲେ, ତଥାପି ଭଦ୍ରାମି ଖାତିରିରେ, ନେଇକି ଗଲି। ପୁରୀର ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିଲା ବେଳେ, ସେ ମହାଶୟ ଅସୁସ୍ଥ ହୋଇପଡିଲେ। ପେଟ କଣ ହୋଇ, ମୁଣ୍ଡ ବୁଲାଇ ବାନ୍ତି। ଏକୁଟିଆ ସ୍ତ୍ରୀ ଲୋକ ମୁଁ, କଣ କରିବି, ନା ପଛକୁ ଯାଇ ହେବ ନା ଆଗକୁ ବଢ଼ି ହେବ। ମୋ ମୁଣ୍ଡ ଝାଇଁ ମାରିଗଲା। ହଠାତ୍ ନଜର ପଡିଲା ମୋ ପଛରେ ଠିଆ ହୋଇଥିବା ସ୍ତ୍ରୀ ଲୋକ ଜଣକ ହାତରେ ନିର୍ମାଲ୍ୟ ପୁଡିଆ ଧରି ଠିଆ ହୋଇଛନ୍ତି। ତାଙ୍କୁ ସବୁକଥା କହି, ତାଙ୍କଠୁ ନିର୍ମାଲ୍ୟ ଟିକେ ଆଣି ବିକଳରେ ଛଟପଟ ହେଉଥିବା ଅତିଥିଙ୍କ ପାଟିରେ ଟିକେ ଦେଲି। ଜଗାଙ୍କୁ ଡାକୁଥାଏ ବିକଳରେ, ହଠାତ୍ ସେ ସୁସ୍ଥ ହୋଇ ପଚାରିଲେ କି ଔଷଧ ଦେଲେ, ଯନ୍ତ୍ରଣା କମିଗଲା। ମୁଣ୍ଡ ମଧ୍ୟ ଭଲ ଲାଗୁଛି। ତାଙ୍କୁ ନେଇ ସିଧା ଜଗନ୍ନାଥ ଙ୍କ ପାଖରେ ପହଞ୍ଚାଇ ମୁଣ୍ଡିଆ ମରେଇ, ନେଇଗଲି ଆନନ୍ଦ ବଜାର, ଆଉ ଅବଢ଼ା ଡାଲି ବେସର, ମହୁର ଆଦି ଖାଦ୍ୟ ଦେଖି ସେ ପଚାରୁଥିଲେ, ଏ କଣ ମାଆ, ଦେହ ଖରାପ ହେବନିତ ଆକୁ ସବୁ ଖାଇଲେ ? ମୁଁ କହିଲି ନାହିଁ ଆଜ୍ଞା, ଏହା ମହୋଷଧି, ଏହାର ଶୁଖା ଅଳ୍ପ ନିର୍ମାଲ୍ୟ ଖାଇ ଆପଣ ଭଲ ହେଇଗଲେ, ଆଉ ଏସବୁ କୈବଲ୍ୟ ଖାଇଲେ , ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦିଲ୍ଲୀରେ ଭଲରେ ଭଲରେ ପହଞ୍ଚିବେ। ତୃପ୍ତ ହୋଇ ଖାଇସାରି ଅତିଥି ମହାଶୟ ଯେବେ ଏ ପ୍ରସାଦ ଦିଲ୍ଲୀ ନେଇହୁଅନ୍ତାନି ମାଆ କହୁଥିଲେ, ମୁଁ କହିଲି କୈବଲ୍ୟ ନୁହେଁ ନିର୍ମାଲ୍ୟ ହିଁ ନେଇପାରିବେ, ଯାହାକୁ ଖାଇ ଆପଣ ସୁସ୍ଥ ଅନୁଭବ କରିଥିଲେ। ଖୁସିରେ ଅତିଥି ମହାଶୟ କହୁଥିଲେ ହଉ ହଉ ଆଉ ଭିତରେ ଭିତରେ ମୁଁ କହୁଥିଲି ଶତତ ପ୍ରଣାମ, ହେ ମହାବାହୁ l