The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rozalini Mishra

Tragedy Drama

3  

Rozalini Mishra

Tragedy Drama

ନିର୍ବାଣ

ନିର୍ବାଣ

5 mins
475



      ଜଗଦୀଶ ବାବୁ ବିଛଣାରେ ପଡି ପଡି ଭାବୁଛନ୍ତି କ'ଣ କରାଯାଇପାରେ ଏ ପରିସ୍ଥିତିରେ।କାଲି ଯାଏ ସଂସାରରର ମୋହରେ ବାନ୍ଧି ହୋଇ ରହିଥିବା ମଣିଷଟାକୁ ଆଜି ଅଣନିଃଶ୍ଵାସୀ ଲାଗୁଛି ଘରଟା ଭିତରେ।ତାଙ୍କୁ ଏ ମୋହରୁ ମୁକ୍ତି ଦରକାର। ମୋକ୍ଷ ଦରକାର ଏ ଜୀବନ ମୃତ୍ୟୁର କାଳଚକ୍ରରୁ।

 

     ଜଗଦୀଶ ବାବୁ ଜଣେ ଅବସରପ୍ରାପ୍ତ କ୍ଳାସୱାନ ଅଫିସର।ନିଜର ଆଜ୍ଞାଧୀନ ପୁଅବୋହୁ, ଝିଅଜ୍ୱାଇଁ ଆଉ ନାତି ନାତୁଣୀଙ୍କୁ ନେଇ ବହୁତ ଗର୍ବ ତାଙ୍କର। ଦିନେ ଦିନେ ମର୍ଣ୍ଣିୱାକରୁ ଫେରିଲାବେଳେ ଜଗଦୀଶ ବାବୁଙ୍କର ତାଙ୍କ ବାଲ୍ୟବନ୍ଧୁଙ୍କ ସହ କଥା କଟାକଟି ଯୁକ୍ତିତର୍କ ହୁଏ ଏଇ ପିଲାମାନଙ୍କୁ ନେଇ ।ବାଲ୍ୟବନ୍ଧୁ ଶଙ୍କର ବାବୁ ଯେତେବେଳେ କୁହନ୍ତି "କ'ଣ ପାଇଁ ତୁ ଆଉ ଏ ସଂସାର ମାୟାରେ ପଡିଛୁ। ତୋ କର୍ତ୍ତବ୍ୟ ତୁ କରି ସାରିଲୁଣି। ପିଲାମାନେ ତ ପାରି ଗଲେଣି। ନିଜ ସଞ୍ଚିତ ଅର୍ଥରୁ କିଛି କିଛି ଦାନ ଧର୍ମ କର ଏଥର। ଯେଉଁ ଗରିବ ଅସହାୟ ମାନଙ୍କର ଧନର ଆବଶ୍ୟକତା ଅଛି ସେମାନଙ୍କୁ ଯଦି ଆମେ କିଛି ମାତ୍ରା ରେ ସାହାଯ୍ୟ କରି ପାରିବା ତାହେଲେ ତା ଠାରୁ ପୁଣ୍ୟ ଆଉ କଣ ଅଛି।" ସେତେବେଳେ ବିରକ୍ତିରେ ଭରିଉଠେ ଜଗଦୀଶ ବାବୁଙ୍କର ମନଟା ଏ ଶୁଖିଲା ଉପଦେଶ ସବୁ ଶୁଣିକି।


     ଦିନେ ହଠାତ ସନ୍ଧ୍ୟାବେଳେ ଦେଖା ହୋଇଗଲେ ଦୁଇ ବନ୍ଧୁ। ଶଙ୍କର ବାବୁ କହିଲେ , ମୁଁ ଆସନ୍ତା କାଲି ପୁରୀ ଯାଉଛି ରଥଯାତ୍ରା ଦେଖିବା ପାଇଁ।ଏଥର ତୁ ବି ଚାଲେ ମୋ ସହ।ସେଠି ଆମେ ମିଶିକି ରହିବା କିଛିଦିନ।ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ସହ ସନ୍ଧ୍ୟା ଆଳତି, ବାହୁଡା ଯାତ୍ରା,ସୁନାବେଶ, ଅଧରପଣା ନୀତି, ନୀଳାଦ୍ରି ବିଜେ ସବୁ ଦେଖି ସାରି ଘରକୁ ଫେରିବା। ଜଗଦୀଶ ବାବୁ କହିଲେ ନା', ନା' କ'ଣ ଦରକାର ସେ ଗହଳି ଭିତରେ ପଶି ହଇରାଣ ହେବା।ମୋର ଘରେ ଜଗନ୍ନାଥଙ୍କ ମୂର୍ତ୍ତି ଅଛନ୍ତି।ମୁଁ ସବୁଦିନେ ପୂଜା କରୁଛି।ଶଙ୍କର ବାବୁ କହିଲେ ହଁ ଯେ... କିନ୍ତୁ କଥାରେ ଅଛି ପରା ,  


   " ଦୋଳେ ଚ ଦୋଳ ଗୋବିନ୍ଦମ୍ ,ଚାପେ ଚ ମଧୁସୂଦନମ୍

     ରଥେ ତୁ ବାମନଂ ଦୃଷ୍ଟ୍ୱା , ପୁନର୍ଜନ୍ମ ନ ବିଦ୍ୟତେ।"


 ରଥରେ ମହାପ୍ରଭୁଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ। ଆଉ ମୁଁ ତ ଭାବୁଛି ଏଥର ପୁରୀରୁ ଫେରି କାଶୀ ବିଶ୍ୱନାଥ ଦର୍ଶନ ପାଇଁ ଚାଲିଯିବି।ଭାବୁଛି ସେଠି ରହିଯିବି ସବୁଦିନ ପାଇଁ। ମୋର ଏଠି କିଏ ଅଛି ଯେ , ବରଂ ସେଠି ଶେଷ ଜୀବନଟା କାଟିଦେବି।


         ଏ କଥା ଶୁଣି ତାତ୍ସଲ୍ୟ କରି ହସି ଉଠିଲେ ଜଗଦୀଶ ବାବୁ। କହିଲେ "ବୁଝିଲୁ ଶଙ୍କର ତୋ ପିଲାମାନେ ତୋତେ ପଚାରୁ ନାହାନ୍ତି ତ , ସେଥିପାଇଁ ତୁ ସଂସାର ବିମୁଖ ହୋଇ ତୀର୍ଥ, ଦାନ ଧର୍ମ ଆଡକୁ ମନ ବଳଉଛୁ ।କିନ୍ତୁ ମୋ ପିଲାମାନେ ସେମିତି ନୁହନ୍ତି। ମୋର ସେମାନଙ୍କ ପ୍ରତି କର୍ତ୍ତବ୍ୟ ସରିନାହିଁ। ମରିବା ଆଗରୁ ସବୁ ସମ୍ପତ୍ତିକୁ ସମାନ ଭାବରେ ପୁଅ ଝିଅଙ୍କ ଭିତରେ ବାଣ୍ଟିଦେବି।ଯେମିତି ମୋ ଅନ୍ତେ ସେମାନେ ହଇରାଣ ନ ହୁଅନ୍ତି କି ସେମାନଙ୍କ ଭିତରେ କଳି ତକରାଳ ନଲାଗେ।ତା ଛଡା ମୋ ସ୍ତ୍ରୀ ଥିଲା ବେଳେ ମୁଁ ସସ୍ତ୍ରୀକ ଚାରିଧାମ ଭ୍ରମଣ କରି ସାରିଛି। ତୁ ଯାଆ ମୋର କୁଆଡେ ଯିବାର ନାହିଁ।"ମୁଁହ ଶୁଖାଇ ଚାଲିଗଲେ ଶଙ୍କର ବାବୁ।

     ବାଲ୍ୟବନ୍ଧୁଙ୍କ ସହ କଥୋପକଥନର କିଛି ଦିନ ପରେ ହଠାତ ଅସୁସ୍ଥ ହୋଇପଡିଲେ ଜଗଦୀଶ ବାବୁ। ଡାକ୍ତର କହିଲେ ଏଇଟା ଫାଷ୍ଟ ଷ୍ଟ୍ରୋକ। ହାଇ ବିପି ସହ ହାଇ ସୁଗାର ଲେବଲ ତେଣୁ ନର୍ମାଲ କୁ ଆସିବା ପାଇଁ କିଛି ଦିନ ଚିକିତ୍ସା ସହ ବେଡ଼ରେଷ୍ଟ ଦରକାର। ଖବର ପାଇ ଝିଅ ଜ୍ୱାଇଁ ଆସି ପହଞ୍ଚିଗଲେ । ପୁଅବୋହୁ ଝିଅ ଜ୍ବାଇଁ ଦିନରାତି ଏକାକାର କରି ଲାଗି ପଡିଲେ ଜଗଦୀଶ ବାବୁଙ୍କ ସେବାରେ । ଗାଧୋଇଦେବା, ଖୁଆଇଦେବା, ପିନ୍ଧାଇଦେବା ଠାରୁ ଆରମ୍ଭ କରି ଝାଡାପରିଶ୍ରା ଯାଏ ସବୁ କାମ କରି ଯାଉଥାନ୍ତି ପିଲାମାନେ ବିନା କୌଣସି ବିରକ୍ତିରେ।


          ଗର୍ବରେ ଫାଟି ପଡୁଛନ୍ତି ଜଗଦୀଶ ବାବୁ ନିଜର ଯୋଗ୍ୟ ସନ୍ତାନ ମାନଙ୍କୁ ନେଇ। ଗର୍ବ ଆସୁଥାଏ ତାଙ୍କର ନିଜ ପିଲାମାନଙ୍କୁ ଦେଇଥିବା ସଂସ୍କାର ଉପରେ।ତା ସହ ଦୟା ଆସୁଥାଏ ନିଜ ବାଲ୍ୟବନ୍ଧୁ ଶଙ୍କର ଉପରେ।ବିଚରା ପିଲାମାନଙ୍କର ହତାଦର ସହି ନ ପାରି ଦାନଧର୍ମ, ତୀର୍ଥ ପ୍ରବଚନରେ ଦିନ କଟାଉଛି।କିନ୍ତୁ ମୋ ପିଲାମାନେ କେତେ ଭିନ୍ନ !


        ରାତି କେତେହେବ କେଜାଣି , ନିଦ ଭାଙ୍ଗିଗଲା ଜଗଦୀଶ ବାବୁଙ୍କର।ଶୋଷରେ ତଣ୍ଟି ଶୁଖି ଅଠା ଅଠା ହୋଇଯାଉଛି।ଉଠି ବସିଲେ ବିଛଣାରେ ଦେଖିଲେ ପାଖରେ କେହି ନାହାନ୍ତି। ପାଖରେ ଆଉ ଗୋଟିଏ ଖଟ ପକେଇ ପାଳି କରି ଶୋଉଥିଲେ ପିଲାମାନେ।ଆଜି କୁଆଡେ ଗଲେ ସବୁ। ପାଖରେ ପାଣି ବି ରଖିବା ପାଇଁ ଭୁଲି ଯାଇଛନ୍ତି ବୋଧେ।ପୁଅକୁ ଡାକିବି କି ? ନା' ନା' ଥାଉ। ମୋ ପିଲାମାନେ ବହୁତ ହଇରାଣ ହେଲେଣି ମୋ ପାଇଁ। ଏ କିଛି ଦିନ ଭିତରେ ଘାଣ୍ଟି ହୋଇଗଲେଣି ସେମାନେ ମୋ ସେବା କରି କରି।ଶୋଇ ବି ପାରୁ ନାହାଁନ୍ତି ଟିକେ ଛୁଆ ଗୁଡାକ।ବରଂ ମୁଁ ନିଜେ ଯାଇ ରୋଷେଇଘରୁ ପାଣି ବୋତଲଟିଏ ନେଇ ଆସିଲେ ଭଲ ହବ। ଶୋଇଥାନ୍ତୁ ସେମାନେ।


          ଧୀରେ ଧୀରେ ଉଠି ରୋଷେଇ ଘର ଆଡ଼କୁ ଗଲେ ଜଗଦୀଶ ବାବୁ। ହଠାତ ବୋହୂର ପାଟି ଶୁଣି ଅଟକି ଗଲେ ସେ।ବୋହୁ କହୁଛି,"ତୁମେ ତୁମ ଭାଗ ସୁନା ତୁମ ମା ବଞ୍ଚିଥିଲା ବେଳେ ନେଇ ସାରିଛ।ଆଉ ବାକି ଯାହା ଅଛି ସବୁ ବାପା ରଖିଛନ୍ତି। ବାପା ମଲା ପରେ ସବୁ ମୋର।"


    ପାଣିବୋତଲ କଥା ଭୁଲିଗଲେ ଜଗଦୀଶ ବାବୁ।ଧୀରେ ଧୀରେ ଯାଇ କାନ ଡେରିଲେ। ରୋଷେଇଘର ପାଖ ପୁଅର ବେଡ଼ରୁମରେ ଲାଇଟ ଜଳୁଛି ଆଉ ମିଟିଙ୍ଗ ଚାଲିଛି।ଝିଅ କହୁଛି ତୁ ତ ବାପାଙ୍କର ସବୁ ଫିକ୍ସଡ଼ ଡିପୋଜିଟ ରେ ନୋମିନି ଅଛୁ। ବାପା ମଲାପରେ ସବୁ ପଇସା ତ ତୋର। ମୋ ନାଁରେ ସେ ଘରଟା କରିବାରେ ତୋର ଅସୁବିଧା କୋଉଠି।ପୁଣି ପାଟି ଶୁଭିଲା ବୋହୂର।" ତୁମ ବାପା ତ ଖାଲି ରାତି ପାହିଲେ ମରି ଯାଉଛନ୍ତି ଆଉ ଆମେ ପଇସା ଗୁଡାକ ନେଇ ଯାଉଛୁ।ତା ଛଡା ବାପା ମଲେ ଶୁଦ୍ଧିକ୍ରିୟାରେ ପଇସା ଖର୍ଚ୍ଚ ହେବନି କି ?କିଏ କରିବ ସବୁ ? ତୁମେ.. ?ଆହୁରି ପୁଣି ବାପା କହିଛନ୍ତି ସେ ମଲାପରେ ଗାଁରେ ଯେଉଁ ଜମି ଖଣ୍ଡିକ ଅଛି ସେଠି ତାଙ୍କ ନାଁ ରେ ସ୍କୁଲଟିଏ ଖୋଲିବା ପାଇଁ। କ'ଣ ମାଗଣାରେ ସ୍କୁଲ ଖୋଲିଯିବ ।କୋଉଠୁ ଆସିବ ପଇସା।"ପୁଅ କହୁଛି ସ୍କୁଲ ନା ଆଉ କିଛି। ମୁଁ ଖାଲି ବାପାଙ୍କ ମନ ରଖିବା ପାଇଁ ହଁ ମାରିଦେଇଛି ନା।ବାପା ମଲାପରେ ସେ ଜାଗା ସାଙ୍ଗେ ସାଙ୍ଗେ ବିକ୍ରି ହେବ ମୁଁ କଥା ହେଇ ସାରିଛି। ସେ ପଇସା ରେ ବାପାଙ୍କ ଶୁଦ୍ଧିକ୍ରିୟା ହେବ।


      ଜ୍ବାଇଁ କହିଲେ ଯାହା କରୁଛ କର। ଟିକେ ଜଲଦି ଫାଇନାଲ କର।ଆମେ କେତେଦିନ ଏଠି ପଡିକି ରହିବୁ।ଝିଅ ପାଳି ଧରିଲା ଜ୍ବାଇଁଙ୍କ ସାଙ୍ଗରେ , ଆମର କିଛି କାମ ଧନ୍ଦା ନାହିଁ ତ ଏଠି ପଡି ରହିବୁ ବାପାଙ୍କ ସେବା କରିବା ପାଇଁ।


       ଚିହିଁକି ଉଠିଲା ବୋହୁ। କାଇଁ ମୁଁ କଣ ଠିକା ନେଇଛି ସେବା କରିବି ବୋଲି। ମୋତେ ବେଶୀ ଭାଗ ଦେଇ ଦେବ କି।ତୁମେ ଗଲା ପରେ ଗୋଟେ ଲୋକ ରଖାହେବ ଏ କାମପାଇଁ ବାପାଙ୍କ ପେନସନ ପଇସାରେ।ତୁମ ବାପା ମରିବେନି ସହଜରେ। ଆହୁରି ଘାଣ୍ଟିବେ ଆମକୁ। ତାଙ୍କର ତ ଲୋଭ ଛାଡ଼ୁନି ସେ......


        କାନରେ ହାତ ଦେଇଦେଲେ ଜଗଦୀଶ ବାବୁ। ଆଉ ଶୁଣି ପାରିଲେନି ବେଶୀ କିଛି।ଦେହରୁ ଝାଳ ପରସ୍ତେ ବୋହିଗଲାଣି। ସେକେଣ୍ଡ ଷ୍ଟ୍ରୋକଟା ହେଇ ଯିବକି ଆଉ।ପାଣିବୋତଲଟିଏ ଆଣି ଚୁପ କରି ଆସି ଶୋଇପଡିଲେ ଖଟରେ।


      ମନକୁ ଯେତେ ନିୟନ୍ତ୍ରଣ କଲେ ବି ଆଖିରେ ଜକେଇ ଆସୁଛି ଲୁହ।ଏବେ ସେ କରିବେ କଣ ?? ଏ ଯାଏ ସେ ଯାହା କରିଛନ୍ତି ସବୁ ପିଲାମାନଙ୍କ ପାଇଁ। ନିଜ ପେଟରୁ କାଟି ପିଲାମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସଞ୍ଚୟ କରିଛନ୍ତି। ନିଜ ଖର୍ଚ୍ଚରୁ କାଟି ଜାଗା ବାଡ଼ି , ଘରଦ୍ୱାର ଆଉ ବ୍ୟାଙ୍କ ଵାଲାନ୍ସର ପରିମାଣ ବଢ଼େଇଛନ୍ତି ଖାଲି ଏଇ ପିଲା ମାନଙ୍କ ପାଇଁ।କିନ୍ତୁ ଆଜି ସେ ଅନୁଭବ କରୁଛନ୍ତି ଯେ ଆଜି ଯାଏ ସେ କର୍ତ୍ତବ୍ୟ ନାଁରେ ଖାଲି ତେଲିଆ ମୁଣ୍ଡରେ ତେଲ ଢାଳି ଆସୁଥିଲେ ଯାହା।ବାପା ହିସାବରେ ଖାଲି ମୋର କର୍ତ୍ତବ୍ୟ ଅଛି ଆଉ ମୋର ଉତ୍ତରଦାୟାଦ ହିସାବରେ ଏମାନଙ୍କର ମୋ ପ୍ରତି କିଛି ବି କର୍ତ୍ତବ୍ୟ ନାହିଁ ?


      କିଛିଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ଜଗଦୀଶ ବାବୁ।ଶଙ୍କର ବାବୁଙ୍କ ସହ କଥା ହୋଇ ପୁରୀ ଯିବା ପାଇଁ ଆଉ କାଶୀ ବିଶ୍ୱନାଥ ଦର୍ଶନ ପାଇଁ ବ୍ୟବସ୍ଥା କରିଦେଲେ।ଦଶଦିନରେ ଫେରି ଆସିବି ବୋଲି ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇ ନିର୍ଦ୍ଧାରିତ ଦିନରେ ବାହାରି ପଡିଲେ ଦୁଇ ବନ୍ଧୁ।


     ବାଟରେ ସବୁ କଥା କୋହଭରା କଣ୍ଠରେ କହିଲେ ଜଗଦୀଶ ବାବୁ ନିଜ ବନ୍ଧୁଙ୍କ ଆଗରେ।କିଛିଦିନ ପରେ ପୁଅ ଫୋନ କରି ପଚାରିଲା, ବାପା ଆଉ କେତେଦିନ ରହିବ ସେଠି। କେବେ ଫେରିବ ତୁମେ ।


        ଜଗଦୀଶ ବାବୁ କହିଲେ , " ମୁଁ ଆଉ ଫେରିବିନି ତୁମ ମାନଙ୍କ ସଂସାରକୁ।ସେଦିନ ରାତିରେ ତୁମମାନଙ୍କର ସବୁ କଥାବାର୍ତ୍ତା ମୁଁ ଶୁଣିଛି।ଏ ସଂସାର ଯେ ଏତେ ଦୁଃଖମୟ ଏତେ ଛଳନାମୟ ବହୁତ ଡେରିରେ ବୁଝିଲି ମୁଁ।ମୁଁ ମୋର ସବୁ ସମ୍ପତ୍ତି ଦାନ କରି ସାରିଛି।ଗାଁ ରେ ଥିବା ଜମିକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଦେଇ ଦେଇଛି ସ୍କୁଲଟିଏ ଖୋଲିବା ପାଇଁ।କଟକ ଘର ଦେଇ ଦେଇଛି ଗୋଟେ ଜରାଶ୍ରମକୁ ଦାନ ସୂତ୍ରରେ।ମୁଁ ବଞ୍ଚିଥିବା ଯାଏ ଏଠି ଗୋଟେ ଅନାଥାଶ୍ରମରେ ମାଗଣାରେ ଛୁଆଙ୍କୁ ପାଠ ପଢେଇବା ପାଇଁ କଥାବାର୍ତ୍ତା କରି ସାରିଛି।ମୋ ଅନ୍ତେ ମୋର ସବୁ ବ୍ୟାଙ୍କ ବାଲାନ୍ସ ଆଉ ଲକରରେ ଥିବା ସମସ୍ତ ସୁନା ସେହି ଅନାଥାଶ୍ରମର ଟ୍ରଷ୍ଟକୁ ଚାଲିଯିବ।ତୁମ ମାନଙ୍କୁ ଜନ୍ମ କରିଛି ଯେତେବେଳେ ଏତେ ନିଷ୍ଠୁର ମୁଁ ହୋଇ ପାରିଲିନି।ତୁମ ମାନଙ୍କୁ ରାସ୍ତା କଡରେ ଠିଆ କରିଦେବା ପାଇଁ ମୋ ବିବେକ ବାଧା ଦେଲା ମୋତେ।ସେଥିପାଇଁ ଏବେ ରହୁଥିବା ଘରଟି ତୁମ ଭାଇ ଭଉଣୀଙ୍କ ନାଁରେ ଅଛି।ତୁମର ଯାହା ଇଛା କରିପାର।


       କୌଣସି ପ୍ରତ୍ୟୁତ୍ତରର ଆଶା ନରଖି ଫୋନ ରଖିଦେଲେ ଜଗଦୀଶ ବାବୁ।ବହୁତ ହାଲକା ଅନୁଭଵ କରୁଥିଲେ ସିଏ ନିଜ ଭିତରେ ନିଜକୁ।ଲାଗୁଥିଲା ଏତେ ଦିନ ଭିତରେ ସେ କିଛି ପୁଣ୍ୟକାମ କରି ପାରିଛନ୍ତି। ତାଙ୍କର ସ୍ବଅର୍ଜିତ ସମ୍ପତ୍ତିକୁ ସେ ସତମାର୍ଗ ଆଉ ସତପାତ୍ର ରେ ବିନିଯୋଗ କରି ପାରିଛନ୍ତି । ବଞ୍ଚିଥିବା ଅବସ୍ଥାରେ ଏ ସଂସାରର ମୋହମାୟାକୁ ଛିନ୍ନ କରି ନିର୍ବାଣର ପଥରେ ପାଦ ଦେଇ ସାରିଛନ୍ତି।ମନେ ପଡୁଥିଲା ତାଙ୍କର ବୁଦ୍ଧଦେବଙ୍କ ବାଣୀ, " ଏ ସଂସାର ଦୁଃଖମୟ।ଦୁଃଖର କାରଣ ହେଉଛି କାମନା। କାମନାର ବିନାଶରେ ଦୁଃଖର ବିନାଶ ଆଉ ନିର୍ବାଣ ପ୍ରାପ୍ତି।"

                  



Rate this content
Log in

More oriya story from Rozalini Mishra

Similar oriya story from Tragedy