ନିର୍ବାଚନ ରଣାଙ୍ଗନ
ନିର୍ବାଚନ ରଣାଙ୍ଗନ
ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଲାଣି । ଗାଁ ଠାରୁ ସହର ଏବେ ଗୋଟିଏ ମାତ୍ର ଚର୍ଚ୍ଚା ପଞ୍ଚାୟତ ନିର୍ବାଚନ । ପାନ ଦୋକାନ ଠୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସଭିଁଙ୍କ ମୁଖରେ ଗୋଟିଏ କଥା । ପଂଚାୟତ ନିର୍ବାଚନକୁ ରାଜନୀତି ମଇଦାନର ମୂଳଦୁଆ ସ୍ୱରୁପ ମାନି ଗାଁ ରାଜନିତୀକୁ ବେଶ ସରଗରମ କରି ରଖିଥାଏ । ସହରର ବଡ ବଡ ନେତା ମାନଙ୍କ ସୁଅ ଛୁଟିଥାଏ ଭୁଲି ଯାଇଥିବା ସେଇ ଗାଁ ପରିବେଶକୁ । ସଭିଙ୍କ ନଜର ଥାଏ ସରପଞ୍ଚଙ୍କ ଚଉକି ଉପରକୁ । ଚକ୍ ଚକ୍ କରୁଥିବା ସେଇ ଚଉକି କାହା ଭାଗ୍ୟରେ ଲେଖା ତାହା ନିର୍ଧାରଣ କରିଥାନ୍ତି ସେଇ ଜନତା ଜନାର୍ଦନ । ତେଣୁ କେବେ ମନେ ନ ପଡୁଥିବା ଜନତା ପାଞ୍ଚ ବରଷକେ ଥରେ ନିହାତି ମନେ ପଡନ୍ତି ଆମ ଏଇ ନେତା ମାନଙ୍କର ।
ସବୁ ବର୍ଷ ଭଳି ଏଥର ମଧ୍ୟ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ସବୁଠୁ ଚର୍ଚିତ ଚେହେରା ସନାତନ ବାବୁ । “ ଅଶୀ ବର୍ଷର ବୃଦ୍ଧ ସନାତନ ଝାପ୍ସା ଆଖିରେ ସୁଦ୍ଧା ଠିକ୍ ଦେଖିପାରୁଥିଲେ ପଂଚାୟତ ଭୋଟରେ ବିଡା ବିଡା ନୋଟ୍ ଉଡିବାର ଦୃଶ୍ୟ ଏବଂ ଭୋଜିଭାତ ଓ ମଦର ବନ୍ୟା । ନେତାଙ୍କ କଥାରେ ପଡି ହଣାକଟା ହେବାକୁ ବି ପଛାଉନଥିଲେ ଲୋକେ । ବିନା ଟଙ୍କାରେ ପୂର୍ବରୁ ଚାରିଥର ସରପଂଚ ହୋଇଥିବା ସନାତନ ଆଖିରୁ ଦି’ ଟୋପା ଲୁହ ଝରେଇବା ଛଡା ଅନ୍ୟ ଉପାୟ ପାଉ ନଥିଲେ ।“
ସନାତନ ବାବୁଙ୍କ ଥିଲା ନିର୍ମଳ ଭାବ ମୂର୍ତ୍ତି । ଯେଉଁଥିପାଇଁ ସେ ଚାରି ଚାରିଥର ନିର୍ବାଚିତ ହୋଇଛନ୍ତି ହୁଏତ ଏଥର କାମ ନକରି ପାରେ । ଅଶୀ ବର୍ଷରେ ପାଦ ଥାପିଥିବା ସନାତନ ବାବୁଙ୍କ ସ୍ୱଛ ଶାସନ କାଳ ମଧ୍ୟରେ କେବଳ ଜନତାଙ୍କ କଥା ଚିନ୍ତା କରି କରି ନିଜ ପାଇଁ ଖଣ୍ଡେ ପକା ଘର ବି ବନେଇ ନାହାନ୍ତି ହେଲେ ବର୍ତ୍ତମାନ ଏତେ ଟଙ୍କା ବା କେଉଁଠୁ ଆସିବ ତାଙ୍କ ସହ ମୁଣ୍ଡ ପକେଇବା ପାଇଁ । ସେମାନେ ସାହି ସାହିରେ ଭୋଜି ଭାତ ଆୟୋଜନ କରିବା ସହ ଲକ୍ଷ ଲକ୍ଷ ଟଙ୍କା ଦେଉଛନ୍ତି । ଯାହାକି ସନାତନଙ୍କ ପାଖେ ଅସମ୍ଭବ ।
ସେଇ ଗୋଟିଏ ଧୋତି ଗାମୁଛା ପକେଇ ନିଜର ରାଜନିତି ମଇଦାନରେ ଚଢିଥିବା ସନାତନ ବାବୁ ଏବେ ବି କେବଳ ସମ୍ପତ୍ତି କହିଲେ ସେଇ ଧୋତି ଗାମୁଛା ଖଣ୍ଡିକ । ନା ଅଛି ସୌଖିନ ଜିବନ ଯାପନ , ନା ଅଛି ନାମୀ ଦାମୀ କୋଠା , ନା ଅଛି ନାମୀ ଦାମୀ ଗାଡି । ଖଣ୍ଡିଏ ବାଇଶି ଇଂଚିଆ ସାଇକେଲ ଧରି ଘର ଠୁ ଘର ବୁଲି ଦୁଖି ରଙ୍କିଙ୍କ ମନ କଥା ବୁଝିବାରେ ଦିନ ରାତି ଏକ ହୋଇଯାଏ । ପଦବୀର ମୋହ ଠୁ ବହୁ ଦୁରରେ ରହି ଲୋକ ସେବାରେ ନିଜକୁ ନିତି ସେବା ପାଇଁ ସମର୍ପଣ କରିଦେଇଥାନ୍ତି ସନାତନ ବାବୁ ।
ଗାଁରେ ବାହାଘର ଠୁ ଆରମ୍ଭ କରି ବ୍ରତ ଘର ପର୍ଯ୍ୟନ୍ତ ସବୁ କାମରେ ନିଜକୁ ନିୟୋଜିତ କରିଥାନ୍ତି ସନାତନ ବାବୁ । ତାଙ୍କ ସମୟରେ ଯଦି କୌଣସି ଗରିବ ଘର ଝିଅଟି ବାହାଘର ହୋଇପାରୁନାହିଁ ସେ ଗାଁ ଗାଁ ବୁଲି ସାହାର୍ଯ୍ୟ ଆଣି ଝିଅର ବାହାଘର ବେଶ୍ ଧୁମ୍ ଧାମ୍ ରେ କରୁଥିଲେ । ଏପରିକି ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ଅନୁଦାନ ସେ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ଶ୍ରେୟ ମନେ କରନ୍ତି । ନିଜେ ପଛକେ ଦିନେ ଉପବାସ ରହିଯିବେ କିନ୍ତୁ ତାଙ୍କ ଗ୍ରାମର କୌଣସି ଲୋକ ଯେପରି ଦିନେ ଉପବାସ ନ ରୁହେ ସେଥିପାଇଁ ସଦା ତତ୍ପର । ତାଙ୍କର କେବଳ ଗୋଟିଏ ଲକ୍ଷ ଥିଲା ସେ ପଛେ ଦୁଖରେ ରୁହନ୍ତୁ କିନ୍ତୁ କାହା ଆଖିରେ ଲୁହ ଟିକେ ଝରେଇବାକୁ ଦେବେନି ।
କିନ୍ତୁ ଏ ବର୍ଷର ରାଜନିତିର ଗୋଟି ଚାଳନା କିଛି ମୁଣ୍ଡରେ ପଶୁନଥାଏ । ତାଙ୍କ ବିରୋଧି ଭାବରେ ଛିଡା ହୋଇଛନ୍ତି ପଂଚାୟତର ସବୁଠୁ ବଡ ଧନୀ । ଟଙ୍କା ପଇସାରେ ଭରପୁର । ଏପରିକି ସେ ପଂଚାୟତ ଟାକୁ କିଣିବାର ସକ୍ଷମ ରଖିଛନ୍ତି । ନାମାଙ୍କନ ଦାଖଲ ଦିନ ହଜାର ହଜାର ଯୁବକଙ୍କ ସହିତ ଶହ ଶହ ଯାନ ଦେଖି ସନାତନ ଟିକେ ଡରିଯାଇଛନ୍ତି । ଡରିଛନ୍ତି ନିର୍ବାଚନ ହାରିଯିବା ପାଇଁ ନୁହେଁ ଗାଁର ଯୁବକ ମାନଙ୍କ ଭବିଷ୍ୟତ ପାଇଁ । ଏପରି ଯଦି ମଦ ମାଂସ ପାଇଁ ସେ ସ୍ୱାଭିମାନ ଭୁଲି ଯିବେ କ’ଣ ହେବ ଏ ମା ମାଟିର । କ’ଣ ହେବ ଏ ଗାଁ ର ଭବିଷ୍ୟତ ।
ଗାଁର ସବୁ ଯୁବକ ମାନେ ଏବେ ତାଙ୍କ ବିରୋଧି ପାଲଟି ଯାଇଛନ୍ତି କିଛିଟା ଟଙ୍କା ଆଉ ମଦ ମୋହରେ । ଯାହାଙ୍କ ଠାରୁ ସର୍ବଦା ପ୍ରଶଂସା ପାଉଥିଲେ ସେଇମାନେ ଏବେ ନିନ୍ଦା କରିବାକୁ ପଛାଉ ନାହାନ୍ତି । ଯାହାଙ୍କୁ ସର୍ବଦା ଆଦର୍ଶ ବୋଲି ମାନି ବାଟ ଚାଲୁଥିଲେ ଗାଁର ଆବାଳ ବୃଦ୍ଧ ବନିତା । ସୁଖ ଦୁଖ ରେ ଭାଗିଦାର ଥିବା ସନାତନ ବାବୁ ଏବେ ସବୁଠି ଅଲୋଡା ହୋଇଯାଇଛନ୍ତି । ଯେଉଁଆଡେ ଯାଉଛନ୍ତି ସେଇଆଡେ ଖାଲି ମିଛ ନିନ୍ଦା ଅପବାଦ ଶୁଣି ବାକୁ ପାଉଛନ୍ତି ।
ଦିନ ସାରା ଗାଁ ପରିକ୍ରମା ସାରି ଫେରିବା ପରେ ଦାଣ୍ଡ ବାରଣ୍ଡାରେ ଥିରିକିନା ବସି ପଡିଲେ ସନାତନ ବାବୁ । ସର୍ବଦା ସାଥିରେ ଥିବା ଘରମଣି ପାଣି ଗ୍ଲାସ ବଢାଇଦେଲେ । କ’ଣ ଖାଲି ଗୁଣୁ ଗୁଣୁ ହୋଇ ଗପି ଯାଉଥିବାର ଶୁଣି ଘରମଣୀ ପଚାରିଲେ କ’ଣ ହେଇଛି ଆଜି ଏତେ ଉଦାସ କ’ଣ ପାଇଁ । କାନ୍ଦ କାନ୍ଦ ଭରା କଣ୍ଠରେ ସନାତନ ବାବୁ କହିଲେ ଏ ଗାଁ ଲୋକଙ୍କ ପାଇଁ କେତେବେଳେ କ’ଣ ନକରିଛି ଏବେ କେତୋଟି ଟଙ୍କା ଲୋଭରେ ନିଜ ପକ୍ଷ ବଦଳାଇବାକୁ ବି ପଛାଉନାହାନ୍ତି । ପକ୍ଷ ପରିବର୍ତ୍ତନ କଲେ ମୋର କୌଣସି ଅସୁବିଧା ହେବନାହିଁ କାହିଁକି ନା ମୋର କୌଣସି କ୍ଷମତା ପ୍ରତି ଲୋଭ ନାହିଁ । କିନ୍ତୁ ମୋ ଗାଁର ପରବର୍ତ୍ତି ପରିସ୍ଥିତି କ’ଣ ହେବେ ସେକଥା ଭାବି ଭାବି ଆଖିରୁ ନିଦ ହଜି ଗଲାଣି ।
ଆଜି ଯିଏ ଭୋଟ ପାଇଁ ଟଙ୍କା ଦେଇ ଲୋକଙ୍କୁ କିଣି ପାରୁଛି , କାଲି ସେ ଟଙ୍କା ପାଇଁ ହୁଏତ ମୋ ଗାଁ ବି ବିକିବାକୁ ପଛାଇବ ନାହିଁ । କିଛି ମଦ ଆଉ ମାଂସ ପାଇଁ ମୋ ଗାଁକୁ କିଏ ବିକିଦେବ ଏହା ମୋ ଦେହରେ ସହଜେ ହଜମ କରିହଉନି । ଲୋକମାନେ ସିନା ବୁଝି ପାରୁନାହାନ୍ତି କିନ୍ତୁ ମୁଁ ଠିକ୍ ସେ ବୁଝି ସାରିଲିଣି ଯଦି ସେ ନିର୍ବାଚନ ଜିତିଯିବେ ହୁଏତ ମୋ ଗାଁ ପୁଣି ବହୁତ ପଛକୁ ଫେରିଯିବ । ମୋ ଗାଁରେ ଥିବା ସେଇ ସୁନ୍ଦରତା ଆଉ ରହିବନାହିଁ ବୋଲି ମନେ ହେଉଛି । ଲୋକେ ତ ମଦ ମାଂସରେ ବୁଡିରହିବେ ତେବେ ଗାଁ ଉନ୍ନତି କରିବ ବା ହେବ କିପରି । ଯେଉଁ ମଦ ପାଇଁ ଗୋଟେ ସୁନ୍ଦର ପରିବାର ଛାରଖାର ହେଲାଭଳି ମୋ ଗାଁଟା ମଧ୍ୟ ସେହିପରି ଭିନ୍ନ ଦିଗକୁ ଗତି କଲାଭଳି ଅନୁଭୁତ ହେଉଛି । ଏସବୁ ଦେଖିଲା ପରେ କାହା ହୃଦୟ ବା ସହିବ । ଆଖିରୁ ଠକ ଠକ ହୋଇ ଲୁହ ମାନ ଝରି ଯାଉଛନ୍ତି । ସେ ଲୁହ ଦେଖିବାକୁ କେହି ଯେପରି ଆଉ ଆଗଭର ହେଉନାହାନ୍ତି । ମନ କଥା ମନ ମଧ୍ୟରେ ମାରି ଆସନ୍ତା ନୂଆ ସକାଳ ପାଇଁ ଅପେକ୍ଷା କରି ରହିଲେ ସନାତନ ବାବୁ ।
