Padmalaya Mishra

Inspirational

4  

Padmalaya Mishra

Inspirational

ନିରବ ସାଧକ

ନିରବ ସାଧକ

2 mins
194



  ପିଲାରୁ ଆଜି ଯାଏଁ ଯାହା ଅଳି କରିଛି, ବୋଉ ନିଶ୍ଚୟ ପୂର୍ଣ୍ଣ କରିଛି । ଯେତେବେଳେ ବାପାଙ୍କ ଠାରୁ କିଛି ଆଶା କରିଛି, ତାଙ୍କ ଚାହାଣୀରେ ଆଶାକୁ ଦାବି ଦିଏ । କିନ୍ତୁ ସେହି ଜିନିଷ ବୋଉ ମୋ ହାତକୁ ବଢେଇ ଦିଏ । ତାହା ପୁଣି କିଛି ନକହି । ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ବୋଉ ମୋ ମନକଥା କେମିତି ଜାଣେ । ସେମିତି ଭାଇ ଓ ବାପା ସବୁବେଳେ କଥା କଟାକଟି କାହିଁକି ନା ଭାଇ ର ଡିମାଣ୍ଡ ଉପରେ ବାପାଙ୍କ ଅବଜେକସନ୍ । 

  ଧୀରେ ଧୀରେ ବାପାଙ୍କ ପ୍ରତି କେମିତି ଗୋଟେ ପର ପର ଭାବନା ଆସିଲା । ନିଜ ଲୋକ କଣ ଏମିତି କରନ୍ତି । ସତରେ ବୋଉ କେତେ ମହାନ । ଦିନ ସାରା ଘର କାମ କରୁଛି, ପେଟ ଜାଣି ଆମକୁ ଖାଇବାକୁ ଦେଉଛି । ରାତିରେ ଜେଜେମା ଓ ଜେଜେବାପାଙ୍କ ଗୋଡ଼ ମୋଡି ଶୋଇବାକୁ ଗଲା ବେଳକୁ ଟିକେ ବାପାଙ୍କ ଗୋଡ଼ ବି ମୋଡୁଛି । ସେତେବେଳେ ମତେ ଭାରି ରାଗ ଲାଗେ । ବାପା ଦିନ ସାରା କୁଆଡେ ଯାଉଛନ୍ତି, ସଞ୍ଜ ବେଳକୁ ବେଗରେ କିଛି ସଉଦା ଓ ପରିବା ଆଣି ହାଲିଆ ହୋଇ ବସି ଯାଉଛନ୍ତି । ଦିନ ଯାକ ଏତକ ଜଞ୍ଜାଳ କରୁଥିବା ମୋ ବୋଉ ବାପାଙ୍କ ହାତକୁ ଗୋଡ଼କୁ ଜିନିଷ ଯୋଗାଇ ଚାଲୁଛି । ପୁଣି ଶେଷରେ ବାପା ଆରାମରେ ଶୋଉଚନ୍ତି, ବୋଉ ବସି ଘଷାମୋଡା କରୁଛି ।

  ମତେ ଯେତେବେଳେ ମାତ୍ର ୧୨ ବର୍ଷ ବାପା ଚାଲିଗଲେ । ସବୁବେଳେ ରଙ୍ଗୀନ ରହୁଥିବା ମୋ ବୋଉ ଧଳା ରଙ୍ଗକୁ ଆପଣେଇ ନେଲା । ବଡ଼ ଭାଇ ଦଶମ ଓ ନାନୀ ସପ୍ତମ ପଢୁଥାନ୍ତି । ମାଟ୍ରିକ ପରୀକ୍ଷା ପରେ ଭାଇ ପଢିବାକୁ ସହରକୁ ଗଲା । ଏଥର ବୋଉକୁ ଯାହା ମାଗିଲେ ସେ ମତେ ଧୀରେ ବୁଝାଏ- ଧନଲୋ ନିଶ୍ଚୟ ଆଣିଦେବି । କିନ୍ତୁ କିଛି ଆଣିଦିଏ କିଛି ବି ଦିଏନି । 

  ବଡ଼ ହେଲା ପରେ ବୁଝିଲି ବୋଉ-ବାପା ଉଭୟ ଉଭୟଙ୍କର ପରିପୁରକ ଥିଲେ । ବାପା ସୂର୍ଯ୍ୟ ପରି ପ୍ରଖର ଥିଲେ ଓ ବୋଉ ଜହ୍ନ ଥିଲା । ବାପାଙ୍କ ଆଲୋକ ତା ଉପରେ ପଡିଲା ପର୍ଯ୍ୟନ୍ତ ଛନଛନ ସୁଶୀତଳ ଥିଲା । ବାପା ଚାଲିଗଲା ପରେ ସେ ନା ଜହ୍ନ ରହିଲା, ନା ସୂର୍ଯ୍ୟ ହେଲା । ଦୂର ଗଗନର ତାରାଟିଏ ପରି ପରିବାରକୁ ବାଟେଇ ନେଲା ଜୀବନର ଦୁର୍ଗମ ପଥେ । 

  ବାପା ବଞ୍ଚିଥିବା ଯାଏଁ ନିରବ ସାଧନା କରୁଥିଲେ ପରିବାର ପାଇଁ । ହେଲେ ଆମେ ତାଙ୍କ ଅବଦାନ ବୁଝି ପାରିଲୁନି । ତାଙ୍କ କଷ୍ଟ ଉପାର୍ଜିତ ଧନରେ ନିର୍ମିତ ଘର ଏବେ ଭାଇ ଉପଭୋଗ କରୁଛି । ଘର ଆଗରେ ଭାଇ ନାଆଁର ଫଳକ । ବୋଉ ଯାହା ଖାଲି ବାପାଙ୍କ ସ୍ମୃତିରେ ରହିଛି ସେ ଘରେ ।ଆମେ ଦି ଭଉଣୀ ବାହା ହୋଇ ଆମ ସଂସାରରେ ବ୍ୟସ୍ତ । ଆମ ସଂସାର ମୂଳଦୁଆ ବି ବାପାଙ୍କ ସାଧନାରେ ମଜବୁତ । ଗାଆଁ ଘରକୁ ଗଲେ ସେଠି ମଧ୍ୟ ବାପାଙ୍କ ନିରବ ସାଧନାକୁ ଅନୁଭବ କରିହୁଏ । ବାପାଙ୍କ ସହ ଭେଟ ହୁଏ ଦିଅଁଙ୍କ ଘର କାନ୍ଥରେ ଟଙ୍ଗା ହୋଇଥିବା ଫୋଟରେ ଓ ବୋଉର କୋହଭରା ବାକ୍ୟରେ ।।



Rate this content
Log in

Similar oriya story from Inspirational