ନିଜେ ନିଜର ନାୟକ
ନିଜେ ନିଜର ନାୟକ
ଆଖି ପାଇଲା ପରେ ପ୍ରଥମେ ଏଭଳି ଲେଖାଥିବା ସୂଚନା ଖୁଣ୍ଟଟିଏ ସାମ୍ନାରେ ଆସିଲା।
ମୃତ୍ୟୁ ଏତେ ପାଖରେ ? ତେବେ କ'ଣ ଜୀବନ ଆଗକୁ ଯାଇ ପାରିବନି ? ହଠାତ୍ ନିଜ ଭିତରେ ଏଇ ପ୍ରଶ୍ନଟି ଉଙ୍କି ମାରିଲା।
ନା,ସେମିତି ହୋଇ ପାରିବନି - ମନକୁମନ କହିଲି।
ଦେଖିଲି ରାସ୍ତାଟିଏ ଆଗକୁ ପଡିଛି।ଅନେକୁ ଅନେକ ଲୋକ ଚାଲିବାରେ ଲାଗିଛନ୍ତି।ଛାତିରେ ସାହସ ପଶିଲା।ମୁଁ ଚାଲିବା ଆରମ୍ଭ କରିଦେଲି।
ରାସ୍ତାରେ ଚାଲୁ ଚାଲୁ ନିଜ ଅଜାଣତରେ କେତେବେଳେ କାହା ସହିତ ସଂପର୍କ ଯୋଡ଼ି ହୋଇଗଲା।ରାସ୍ତା ସାରା ଖରା,ଛାଇ, ପାହାଡ଼, ଝରଣା, ନଈ - ସମସ୍ତଙ୍କୁ ଭେଟିଲି।ସେମାନେ ମୋତେ ଚେତେଇ ଦେଇ କହିଲେ - ଯେତେବେଳେ ଯେମିତି ବି ଯାହା ସହିତ ସଂପର୍କ ଯୋଡ଼ି ହେଉ ନା କାହିଁକି, ସମସ୍ତଙ୍କୁ ଜଣେ ଜଣେ ଉପକଥାର ନାୟକ ମନେ କରିବୁ।
ସଂପର୍କ ନ ଥିଲେ ଜୀବନରେ ପରିବର୍ତ୍ତନ ଆସେନା।ନୂଆ କଥା, ନୂଆ କାହାଣୀ ସୃଷ୍ଟି ହୁଏନା।ଜୀବନ ଫିକା ଫିକା ଲାଗେ।- ମୁଁ ବୁଝିଗଲି।ତେଣୁ ସଂପର୍କ ଯୋଡିବାରେ ଲାଗିଲି।
ବାଟରେ ଚାଲୁ ଚାଲୁ .......
ଜହ୍ନରାତି ହେଉ କି ଅନ୍ଧାର ରାତି ବାଘ ହୋଇ କିଏ ଜଣେ କେଉଁଠି ମାତିଥିବା ଜାଣିବାକୁ ପାଇଲି।ଆଉ କିଏ ପାରିଧି ମନସ୍କ ରାଜାପୁଅଟିଏ ପରି ବାଟ ହୁଡି ବନସ୍ତ ଭିତରେ ପଶିଥିବା ଜାଣିପାରିଲି।
ଦେଖିଲି କିଏ ଜଣେ ତୁଳସୀ ବଣର ବାଘ ପରି ମୌନ ବ୍ରତ ଆଚରଣ କରିଛନ୍ତି।ଆଉ କିଏ ତଳମୁହାଁ କାଙ୍କ ପାଲଟି ଯାଇଛନ୍ତି।
ଏସବୁ ଦେଖି,ଜାଣି ବେଶ୍ ମଜା ଲାଗୁଥିଲା।ଖୁସିରେ ଖୁସିରେ ମୋ ପାଦ ଆଗକୁ ଆଗକୁ ବଢୁଥିଲା।
ସେଇ ତ ଗୋଟିଏ ରାସ୍ତା।ଅନେକୁ ଅନେକ ଚାଲିଥିଲେ।ମୁଁ ବି ଚାଲିଥିଲି।
ମୃତ୍ୟୁ ୦ ୦ କି. ମି.। - ଆଖିରେ ଏପରି ଲେଖାଥିବା ସୂଚନା ଖୁଣ୍ଟଟି ହିଁ ପଡୁଥିଲା।
ଚାଲି ଚାଲି ଅନେକ ବାଟ ଆସିଗଲିଣି ମୁଁ ସେତେବେଳକୁ।
ଭାଗ୍ୟ ବଳରୁ ମରଣ ମୁହଁରୁ ବର୍ତ୍ତି ଯାଇଥିବା ନିରୀହ ଠେକୁଆଟିଏ ଦେଖି ପାରିଲି।ଚତୁରେ ଚତୁରେ ବଳବାନ୍ ହୋଇଥିବା ଚତୁର ବିଲୁଆକୁ ଦେଖିଲି।ମୁଁ ବିସ୍ମିତ ନ ହୋଇ ରହି ପାରିଲି ନାହିଁ।କିଛି ଶିକ୍ଷା ମିଳିଲା।ନିଜର କରିନେଲି।ଆଗକୁ କାମରେ ଆସିବ ଭାବିଲି।ଚାଲିବାକୂ ଲାଗିଲି।
ଆଉ କିଛି ରାସ୍ତା ଆଗକୁ ଆସିବା ପରେ ବୀଭତ୍ସ ଦୃଶ୍ୟଟିଏ ଭେଟିଲି।କାହାର ଉଦଗ୍ର କ୍ଷୁଧା ରାସ୍ତା ସାରା ରକ୍ତ, ମାଂସ, ଚର୍ମ ବିଛେଇ ଦେଇଥିଲା।
ଓଃ !ମୁଁ ଡରିଗଲି ଖୁବ୍।
ମେଘ କିଟିମିଟି ବିଜୁଳି ଝଲସା ରାତିରେ ମୋତେ ଆହୁରି ବି ଡରାଇଦେଲା - ଅଗନାଗ୍ନି ବନ,ଅମୁହାଁ ଦେଉଳ,ଭୂତପ୍ରେତ,ରାଜାଝିଅ,ବୁଢ଼ୀ ଅସୁରୁଣୀ।ଘଟଣା କ୍ରମରେ ଘାଟ ଜଗି ବସିଥିବା ମନ୍ତ୍ରୀ ପୁଅ,କଟୁଆଳ ପୁଅ,ସାଧବପୁଅ ସମସ୍ତେ ପଥର ପାଲଟି ଯାଇଥିବା ଦେଖି ମୋ ଛାତି ଥରି ଉଠିଲା।
ହେଲେ କ'ଣ କରିବି ! ରାସ୍ତା ତ ସେଇ ଗୋଟିଏ।ଆଗକୁ ଯିବାକୁ ହେବ ଇ ହେବ।ମନରେ ସାହସ ସଞ୍ଚୟ କରି ମୁଁ ପୁଣି ଚାଲିଲି।
କ୍ଷୁଧା, ତୃଷ୍ଣା, କାମନା, ବାସନା - ଏସବୁ ଯେମିତି ସେମିତି ଥିଲା।ନିଶ୍ଚଳ,ନିସ୍ପନ୍ଦ ରାଜାଝିଅ ଏମିତି ରୁଷି ବସିଥିଲା ଯେ ଫୁଲ ଶେଯରୁ ଉଠୁ ନ ଥିଲା।ସବୁଠି ଝଟକି ଉଠୁଥିଲା ଭୁଲ୍ ବୁଝାମଣା ଓ ରକ୍ତପାତର ସ୍ବାକ୍ଷର।କାହାର ଧୈର୍ଯ୍ୟର ବନ୍ଧ ଭାଙ୍ଗି ପଡୁଥିଲା ତ କପଟ ସଖ୍ୟରେ କିଏ ଯୋଡିବା ସଂପର୍କକୁ ଭାଙ୍ଗି ଦେଉଥିଲା।କାହାର ଆଉ ମନେ ପଡୁ ନ ଥିଲା - ଧୋ'ରେ ବାଇଆ ଧୋ' ମଧୁର ସଙ୍ଗୀତ।
ମରିବା ପରି ବଞ୍ଚିବା ସହଜ ନୁହେଁ।ବୋଧହୁଏ ମୃତ୍ୟୁର ପାଖେ ପାଖେ ଥାଏ ଜୀବନ ସବୁବେଳେ।ଆଶ୍ଚର୍ଯ୍ୟ ହୋଇ ମୁଁ ମନେମନେ ଏଇ କଥା ଭାବିବାକୁ ଲାଗିଲି।
ତଥାପି ଅଟକି ଯାଉ ନ ଥିଲା ମୋ ପାଦ।ଆଗକୁ ଆଗକୁ ବଢୁଥିଲି ମୁଁ।ଆଶାରେ ଆଶାରେ ପଦ୍ମ ପୋଖରୀରେ ପଶୁଥିଲି।ଫୁଲ ତୋଳିବାକୁ ହାତ ବଢାଉଥିଲି।ଘୁଞ୍ଚି ଘୁଞ୍ଚି ଯାଉଥିଲା ପଦ୍ମ।ତେଣେ କୁମ୍ଭୀର ବି ଗୋଡକୁ ଟାଣି ଧରୁଥିଲା।
ଓଃ ! କି ବିଚିତ୍ର ଅବସ୍ଥା ! ବିବ୍ରତ ହେଉଥିଲି ମୁଁ।ଭାବୁଥିଲି - ଜନମ ଆଗରୁ ମୋତେ ଯା' ମରଣ ନ ହେଲା !
ରାସ୍ତା ସାରା କେତେ କେତେ ଉପକଥାର ନାୟକଙ୍କୁ ଭେଟିଲି।ମନକୁ ଦମ୍ଭ ଆଣିଲି।ଭାବିଲି - ଡଙ୍ଗାରେ ପାଣି ପଶିଲେ ପଶୁ।ଯମୁନା ଉଜାଣି ବହିଲେ ବହୁ।ସୁନାକାଠି,ରୁପାକାଠି,ପଦ୍ମମଣି,କୁହୁକ କଠଉ,ସୁନା ଫରୁଆ ଖୋଜିବାକୁ ପଡିବ ହିଁ ପଡିବ।ମାଲ୍ୟାଣୀର ମନ୍ତୁରା ଫୁଲ ସ୍ପର୍ଶରେ କଳା ମେଣ୍ଢା, ଧଳା ମେଣ୍ଢା ବି ହେବାକୁ ପଡିବ।ଭୟ କଲେ ଚଳିବ ନାହିଁ।
ଏମିତି ଭାବି ଦୁଇ ଚାରି ଥର ଆଖି ଝାଡିଦେଲି।ମୃତ୍ୟୁ ୧୦ କି. ମି. - ଲେଖା ହୋଇଥିବା ସୂଚନା ଖୁଣ୍ଟ ହଠାତ୍ ମୋ ସାମ୍ନାରେ ଆସିଗଲା।ତା'ପରେ ଯେତେ ଥର ଆଖି ଝାଡିଲି ସେତେଥର ୧୦ ପରେ ଗୋଟିଏ ଗୋଟିଏ ୦ ଲେଖି ହେଉଥିବା ଦେଖିଲି।ଆଗକୁ ଆଗ କେତେ ଯେ ୦ ଲେଖି ହୋଇଗଲା କେଜାଣି !
ଏବେ ଯଥେଷ୍ଟ ସାହସ ଆସିଗଲା ମୋ ଛାତି ଭିତରକୁ।ମୃତ୍ୟୁକୁ ନେଇ ମୋ ଭିତରେ ଆଉ ଭୟ ନ ଥିଲା।ବୁଝିଲି - ମୃତ୍ୟୁ ଜୀବନର ପାଖରେ ଯେତିକି ଦୂରରେ ବି ସେତିକି।ଜୀବନ ଅଛି ତ ଜୀଇବାକୁ ପଡିବ।ମୃତ୍ୟୁକୁ ଡରିଲେ ହେବ ନାହିଁ।
ମୋ ଆଗରେ ବେଶ୍ ପରିଷ୍କାର ରାସ୍ତା ଗୋଟିଏ ଦିଶୁଥିଲା।ଅନେକୁ ଅନେକ ଚାଲିଥିଲେ ସେଇ ରାସ୍ତାରେ।ମୁଁ ବି ଚାଲିଲି - ନିଜେ ନିଜର ନାୟକ ସାଜି ନିର୍ଭୟରେ।
