Anasuya Panda

Tragedy Romance

5.0  

Anasuya Panda

Tragedy Romance

ନୀରବତାର ଭାଷା

ନୀରବତାର ଭାଷା

6 mins
523


"ସାଢ଼େ ଏଗାରଟାରେ ମୋର ଜରୁରୀ ମିଟିଂ ଅଛି । ଆଡ଼ମିସନ୍ ପାଇଁ ସକାଳ ନଅଟାରେ ସମୟ ଧାର୍ଯ୍ୟ କରିଛନ୍ତି ପରା ପ୍ରିନ୍ସିପାଲ୍ । ମୋତେ ପୁଣି ଆସି ତୁମକୁ ଘରେ ଛାଡ଼ିବାକୁ ପଡ଼ିବ ।” ଜୋତା ପିନ୍ଧୁ ପିନ୍ଧୁ ଚିଲାଉ ଥିଲେ ଅଜିତ୍ ।

ବିଟୁର ଆଜି ନୂଆ ସ୍କୁଲ୍‌ରେ ଆଡ଼ମିସନ୍ । ଫୋର୍ଥ ଷ୍ଟାଣ୍ଡାର୍ଡରେ ପଢ଼େ । ଅଜିତ୍‌ଙ୍କର ଅଚାନକ ବଦଳି । କ୍ଲାସ୍ ଆରମ୍ଭ ହେବାର ତିନିମାସ ବିତିଗଲାଣି । ଯାହା ହେଉ ସହରର ଭଲ ଇଂରାଜୀ ମିଡ଼ିୟମ୍ ସ୍କୁଲ୍‌ରେ ନାଁ ଲେଖା ହେବାକୁ ଯାଉଛି, କିଛି କମ୍ ଗର୍ବର କଥା ନୁହେଁ ।

ଆରେ ଲୋପା ଅପା ମୁଁ ବିଶ୍ୱାସ କରିପାରୁନଥିଲି ନିଜକୁ । ପ୍ରିନ୍ସିପାଲ୍‌ଙ୍କ ସିଟ୍‌ରେ ଲୋପା ଅପାଙ୍କୁ ଦେଖି । ଆଖିରେ ଚଷମା, ମୁହଁରେ ଅପେକ୍ଷାକୃତ ଗାମ୍ଭୀର୍ଯ୍ୟ । ଟିକେ ଦୋ’ ଦୋ’ ଚିହ୍ନା ହୋଇ ମୋତେ ଚାହିଁଲେ । ଆଉ ତାଙ୍କ ସଙ୍ଗେ ବିଟୁ ଓ ଅଜିତ୍‌ଙ୍କର ପ୍ରଶ୍ନବାଚୀ ଆଖି । ମୁଁ ଟିକେ ଅପ୍ରସ୍ତୁତ ହୋଇଗଲି । “ତୁ ଶ୍ୱେତା ନା ?” ନିରବତା ଭାଙ୍ଗି ଲୋପା ଅପା କହିଲେ, ମୁଁ ଆଶ୍ୱସ୍ତ ହେଲି । ଦେଖ୍‌, ପ୍ରାୟ ଆଠ ବର୍ଷ ପରେ ଆମର ଦେଖା । ଆଡ଼ମିସନ୍ ପର୍ବ ସରିଲା ପରେ ଅଫିସ୍ ପାଇଁ ତରତର ହେଉଥିଲେ ଅଜିତ୍ । ଗପିବାକୁ ମନ ଛଟପଟ ହେଉଥିଲେ ବି ଲୋପା ଅପାଙ୍କର ଠିକଣାଟା ନେଇ ଫେରିବାକୁ ବାଧ୍ୟ ହେଲି ।

ହଷ୍ଟେଲ୍‌ରେ ମୁଁ ଓ ଲୋପା ଅପା କେବଳ ଗୋଟିଏ ରୁମ୍‌ରେ ଏକାଠି ରହୁନଥିଲୁ, ଏକାଠି ଖାଉଥିଲୁ, ପଢୁଥିଲୁ, ସୁଖଦୁଃଖ ବାଣ୍ଟୁଥିଲୁ । ସବୁଠୁ ବଡ଼ କଥା ହେଲା ଆମ ଦୁହିଁଙ୍କର ଚଳଣିରେ ଏତେ ସାମଞ୍ଜସ୍ୟ ଥିଲା ଯେ କେବେ ଆମେ କେହି କାହାକୁ କୌଣସି କଥାରେ ବିରୋଧ କରିନୁ । ପ୍ରାୟ ହଷ୍ଟେଲ୍‌ର ଝିଅମାନେ ଛୁଟିକୁ ଅପେକ୍ଷା କରନ୍ତି, ଛୁଟି ହେଲେ ଘରକୁ ଯିବେ, ଆପଣାର ଲୋକମାନଙ୍କ ସହ ଖୁସି ମଜା କରିବେ, ହେଲେ ଆମେ ଦୁହେଁ ଛୁଟି ପାଖାପାଖି ହେଲେ ଦୁଃଖରେ ଭାଙ୍ଗିପଡୁ । କେମିତି ଛୁଟି ଖୋଲିବ ଆମେ ଦୁହେଁ ବୋଧେ ଏଇ ଚିନ୍ତାରେ ଥାଉ ।

ସବୁଥର ପରି ଦୁର୍ଗାପୂଜା ଛୁଟି ସରିଯାଇଥିଲା । ମୁଁ ଆଗ ଆସି ହଷ୍ଟେଲ୍‌ରେ ପହଞ୍ଚି ସାରିଥିଲି । ତିନିଦିନ ବିତିଗଲା ହେଲେ ଲୋପା ଅପା କାହାନ୍ତି ??

ସେଦିନ ସନ୍ଧ୍ୟାରେ ସେ ଫେରିଲେ । ମୁଁ ତାଙ୍କ ଉପରେ କୃତ୍ରିମ କ୍ରୋଧ କରି ମୁହଁ ଫୁଲାଇ ବସିଥାଏ ।

“କେବେ ଘରୁ ଆସିଲୁ । ମଉସା, ମାଉସୀ, ମନୁ କେମିତି ଅଛନ୍ତି ? କ’ଣ ରାଗିଛୁ, କଥା ହେବୁନି । ଗୋଟେ ଖୁସି ଖବର ଅଛି, ଜାଣିଛୁ ତୋ ଲୋପା ଅପାର ବାହାଘର ଠିକ୍ ହୋଇଯାଇଛି ।” କହୁଥିଲେ ଲୋପା ଅପା । ମୁଁ ସବୁ ରାଗ ଭୁଲି ଏକ ରକମ ଖଟରୁ ଡେଇଁ ପଡ଼ି କୁଣ୍ଢେଇ ପକାଇ ପଚାରିଲି, “ବାହାଘର, କ’ଣ ଜ୍ୟୋତି ଭାଇଙ୍କ ସାଙ୍ଗରେ ?” ପୂର୍ଣ୍ଣମୀ ଆକାଶରେ ମେଘଘୋଟି ଆସିବା ପରି ଫିକା ପଡ଼ିଗଲା ତାଙ୍କ ମୁହଁ । କେବଳ ଗୋଟିଏ ଅବୁଝା ହସଟିଏ ହସି ସେ କହିଲେ । “ଭଗବାନ ଯଦି ମଣିଷକୁ ମନଯନ୍ତ୍ରଟିଏ ଦେଇ ନ ଥାନ୍ତେ ତେବେ ଖୁବ୍ ଭଲ ହୋଇଥାନ୍ତା । ନ ପାଇବାର କଷ୍ଟଠାରୁ ବୋଧେ ଇଚ୍ଛା କରିବାର କଷ୍ଟଟା ବେଶି, ଆଉ ଇଚ୍ଛା କରିବାର କଷ୍ଟଠାରୁ ବୋଧେ ଇଚ୍ଛାଟିକୁ ପରିପ୍ରକାଶ କରିବାର କଷ୍ଟଟା ବହୁତ ବେଶୀ । ଜ୍ୟୋତିକୁ ମୁଁ ବାହା ହେଉ ନିଲୋ । ପ୍ରିୟ ବସ୍ତୁଟିକୁ ସମସ୍ତେ ପାଇବାକୁ ଇଚ୍ଛା କରନ୍ତି ମାତ୍ର ସେହି ପ୍ରିୟ ଜିନିଷଟି ହାତ ମୁଠାରେ ମିଳିଗଲା ପରେ ତା’ର ମୂଲ୍ୟ କମିଯାଏ । ସତ କ’ଣ ଜାଣୁ ? ଜ୍ୟୋତି ଜାଣେନା ଯେ ମୁଁ ତାକୁ ଭଲ ପାଏ ବୋଲି । ମୁଁ ତାକୁ ଭଲ ପାଏ, ସେ ମୋତେ ଭଲ ପାଉ ଏହା ତ ବାଧ୍ୟ ନୁହେଁ ।” ଚମକି ଗଲି ମୁଁ । କ’ଣ କହୁଛନ୍ତି ଲୋପା ଅପା । ଜୀବନରେ ପ୍ରତିଟି କଥାକୁ ଖୁବ୍ ଗୁରୁତ୍ୱ ଦେଉଥିବା, ଖୁବ୍ ସହଜରେ ପ୍ରକାଶ କରିପାରୁଥିବା ଝିଅ ଲୋପା ଅପା ଏତେ ହାଲୁକା ଭାବେ ଏ କଥା କହି ଦେଲେ ।

ଯେଉଁ ଜ୍ୟୋତିକୁ ନେଇ ଏତେ ହସ, ଏତେ କାନ୍ଦ, ଏତେ ଚିନ୍ତା, ଏତେ ବ୍ୟାକୁଳତା ସେ ଜାଣେନି ଯେ ଲୋପା ଅପା ତାକୁ ହୃଦୟ ଭରି ଚାହାଁନ୍ତି ବୋଲି । ରାତି ରାତି ଅନିଦ୍ରା ହୋଇ ସେ ନିଜ ଡାଏରୀର ପୃଷ୍ଠା କରିଛନ୍ତି ଜ୍ୟୋତିର୍ମୟ । ଅଥଚ. . . ! ଭାବିଲି ବୋଧେ ଅଧିକ ଭଲ ପାଉଥିବା ଜିନିଷକୁ ମଣିଷ ହରାଇବାକୁ ଚାହେଁନା, ଏଇ ଭୟରେ ସେ ସତ୍ୟକୁ ସାମ୍ନା କରିପାରେ ନା ।

ବାହାଘର ପରେ ଲୋପା ଅପା ହଷ୍ଟେଲ୍ ଛାଡ଼ିଲେ, ଆଉ ତାଙ୍କ ଫାଇନାଲ୍ ପରୀକ୍ଷା ପରେ ସେ ସହର ବି । ଦେବ ଭାଇନାଙ୍କର ଦୂରକୁ ବଦଳି ହୋଇଗଲା । ତା’ପରେ ଆମେ ଦୁହେଁ ପ୍ରାୟ ଚିଠି ଦେବା ଓ ଉତ୍ତର ପାଇବାର ଅପେକ୍ଷାରେ ଥାଉ । ବର୍ଷେ ପରେ ଚିଠି କେବଳ ଗଲା ମୋ’ଠୁ ହେଲେ ଉତ୍ତର ଲୋପା ଅପା ପାଖରୁ ଆସିଲାନି । ମୋର ମଧ୍ୟ ଫାଇନାଲ୍ ପରୀକ୍ଷା ପାଖେଇ ଆସିଥିଲା । ପରୀକ୍ଷା ଚିନ୍ତାରେ ଏତେଟା ଗୁରୁତ୍ୱ ଦେଲିନି ଚିଠିର ଉତ୍ତର ନ ଆସିବାଟାକୁ । ପରୀକ୍ଷା ପରେ ହଠାତ୍ ଅଜିତ୍‌ଙ୍କ ସହ ବାହାଘର ଓ ନିଜର ସଂସାର ଗଢୁଗଢୁ ମୁଁ ପୁରାପୁରି ଲୋପା ଅପାଙ୍କୁ ଭୁଲି ଯାଇଥିଲି । ହେଲେ ଆଜି ଏତେ ବର୍ଷ ପରେ ଏମିତି ଦେଖା ହେବ ଏ ବିଶ୍ୱାସ ନ ଥିଲା ।

ରବିବାରଟା ସତରେ ବଡ଼ ବ୍ୟସ୍ତ ଦିନଟା । ବାହାରକୁ ଯାଉଥିବା ମଣିଷମାନେ ଘରେ ରହି ବ୍ୟସ୍ତ କରିପକାନ୍ତି । ସେଦିନ ଭାରତ ପାକିସ୍ଥାନ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଚାଲିଥାଏ । ଅଜିତ୍ ଓ ବିଟୁ ମ୍ୟାଚ୍ ଦେଖାରେ ଭୋଳ । ଶୀଘ୍ର ରୋଷେଇ ଓ ଖାଇବା କାମଟା ସାରି ଦେଲା ପରେ, ମୁଁ ଲୋପା ଅପାଙ୍କ ଘରକୁ ବାହାରିଲି । ଅଜିତ୍ କହୁଥିଲେ ମୋତେ ଛାଡ଼ି ଦେବେ ତାଙ୍କ ଘରେ, ହେଲେ ମନ ଖୋଲି ଗପି ହେବନି । ମୁଁ ରିକ୍ସାଟିଏ ନେଇ ଲୋପା ଅପାଙ୍କ ଘରକୁ ବାହାରି ଗଲି ।

ଅମାନିଆ ଛୋଟ ପିଲାଟି ପରି ମୋ ହାତ ଧରି ଘର ଭିତରକୁ ଟାଣି ନେଉ ନେଉ ଅଜିତ୍ ଓ ବିଟୁକୁ ନ ଆଣିଥିବାରୁ ଅଭିମାନ କଲେ ଲୋପା ଅପା । ପଚାରିଲି “ଭାଇନା ନାହାନ୍ତି କି ? ଆଉ ପିଲାମାନେ କାହାନ୍ତି ?” ଭାଇନା ଦୁଇଦିନ ପାଇଁ ଅଫିସ୍ କାମରେ ଦିଲ୍ଲୀ ଯାଇଛନ୍ତି । ଆଉ ଆଜି ପରା ରବିବାର ଛୁଟି ପିଲାଙ୍କୁ ଦେଖିବୁ କ’ଣ ? “ମାନେ ?” ମୁଁ ପଚାରିଲି । ଆଲୋ ବୁଝିପାରୁନୁ ସ୍କୁଲ୍‌ରେ ତ ମୁଁ ଏତେ ପିଲାଙ୍କ ଯତ୍ନ ଠିକ୍‌ରେ ନେଇପାରୁନି, ପୁଣି ପିଲା କରି କ’ଣ କରିଥାନ୍ତି ? ଓଃ ! ମୁଁ ଶଙ୍କା ପାଇଲି । ପିଲାଙ୍କ କଥା ପଚାରି ଲୋପା ଅପାଙ୍କୁ ଆହତ କରିନି ତ ??

ଖାଇସାରି ଆମେ ଦୁହେଁ ଖଟରେ ପାଖାପାଖି ଗଡ଼ପଡ଼ ହେଉଥିଲୁ । ମୁଁ ଅନର୍ଗଳ ଗପି ଚାଲିଥାଏ ଲୋପା ଅପା ହଷ୍ଟେଲ୍ ଛାଡ଼ିବା ପରର କଥା, ଅଜିତ୍‌ଙ୍କ ପସନ୍ଦ ଅପସନ୍ଦ, ବିଟୁର ଦୁଷ୍ଟାମୀ । ଆରେ ଏ କ’ଣ ଲୋପା ଅପା ଆଖିରେ ଲୁହ ? ସେ ତ ଏମିତି ଯେ ସବୁ ଦୁଃଖକୁ ଚଳୁ କରି ପିଇଯିବେ ପଛେ ତା’ର ଆଭାସ ମୁହଁରେ ଆସିବାକୁ ଦେବେନି । ଅଥଚ ସେ କାନ୍ଦୁଛନ୍ତି । ଡରି ଡରି ପଚାରିଲି “ମୁଁ କ’ଣ ପଚାରି ଦେଲି ବୋଲି ରାଗିଲ ଲୋପା ଅପା ??” “ତୋ ଲୋପା ଅପା ହାରିଯାଇଛି, ଭାଙ୍ଗିଯାଇଛି ଲୋ”, କହି ଭୋ’ ଭୋ’ କାନ୍ଦି ଉଠିଲେ ସେ । ମୁଁ କେବଳ ଅବୁଝା ଆଖିରେ ତାଙ୍କୁ ଚାହିଁ ରହିବା ଛଡ଼ା ଅନ୍ୟ ଭାଷା ପାଇଲି ନାହିଁ ତାଙ୍କୁ ବୁଝାଇବା ପାଇଁ ।

ଅନେକ ସମୟର ନିରବତା ପରେ ସେ ସହଜ ହେଲେ । କହିଲେ “ନିଚ୍ଛକ ଖୋଲା ମଣିଷଟେ ଦେବକାନ୍ତ । ସତକୁ ଖୁବ୍ ଆଦରରେ ଗ୍ରହଣ କରିନିଅନ୍ତି ଆଉ ଦୋଷ ସ୍ୱୀକାର କରି ନେଲେ ଶତ୍ରୁକୁ ମଧ୍ୟ କୋଳେଇ ନିଅନ୍ତି । ଖୁବ୍ ଖୁସିରେ ଥିଲୁ ଆମେ । ମୁଁ ହିଁ ଅଧିକ ସୁଖରେ ସଂସାର ଗଢ଼ିବାର ଇଚ୍ଛାରେ ଅନାବଶ୍ୟକ ଛଳନା କରୁ କରୁ ହାରିଗଲି । ପ୍ରେମିକ ଓ ପତି ଭିତରେ ଲୁଚକାଳି ଖେଳୁ ଖେଳୁ ଧରା ପଡ଼ିଗଲି । ଏଇଆ ତ ହୁଏ । ଅଧିକ ଉଚ୍ଚାକୁ ଉଠିଗଲେ ଖୁବ୍ ଧକ୍କା ଲାଗି ତଳେ ପଡ଼ିବାକୁ ପଡେ଼ ।”

ଜାଣିଲୁ ଶ୍ୱେତା “ହଠାତ୍ ଦିନେ ମୁଁ ଅନୁଭବ କଲି ଛୁଆଙ୍କ ପରି ପ୍ରତିମୁହୂର୍ତ୍ତ ଅଳି ଅଝଟ କରି ବ୍ୟସ୍ତ କରି ପକାଉଥିବା ମଣିଷଟିର କୋଳାହଳ ବନ୍ଦ ହୋଇଯାଇଛି । ଗହଳ ଚହଳରେ ଫାଟି ପଡୁଥିବା ଘରେ ନିର୍ଜନତା ଖାଁ ଖାଁ କରି ଗୋଡ଼ାଉଛି । ଗପୁଡ଼ା ମଣିଷଟା ହଠାତ୍ ଚୁପ୍ ହୋଇଗଲେ ଡର ଲାଗେନି । ଦେବକାନ୍ତ ଅଫିସ୍ ଯାଉଥିଲେ, ଠିକ୍ ସମୟରେ ଫେରୁଥିଲେ, ଖାଉଥିଲେ, ମୋର ଭଲମନ୍ଦ ବୁଝୁଥିଲେ, ଆବଶ୍ୟକ ଜିନିଷ ଆଣି ଦେଉଥିଲେ । ତଥାପି କିଛିଟା ବ୍ୟତିକ୍ରମ ବାରି ହୋଇଯାଉଥିଲା ।”

ଖୁବ୍ ଶୀଘ୍ର ଘରକୁ ଫେରିଥିଲେ ସେଦିନ ଦେବକାନ୍ତ ଖବର କାଗଜଟା ଧରି ଅନ୍ୟମନସ୍କ ଭାବେ ଚାହା ପିଉଥିଲେ । ମୁଁ ପଚାରି ଦେଲି “କ’ଣ ହୋଇଛି ତୁମର ? ଏଇ କେତେଦିନ ହେବ ଖୁବ୍ ଅବଶ ଦେଖାଯାଉଛ ।”

“ଅତୀତକୁ ବର୍ତ୍ତମାନ ଭିତରକୁ ଟାଣି ଆଣି ମଣିଷ ବହୁତ ଦୁଃଖ ପାଏନା ଲୋପା”, ଖୁବ୍ ଉଦାସ ସ୍ୱରରେ କହିଲେ ଦେବକାନ୍ତ । ହେଲେ ଅତୀତ ତ ଅତୀତ, ବର୍ତ୍ତମାନ ଭିତରକୁ ସେ ସେତେବେଳେ ପଶିଆସେ ଯେତେବେଳେ ବର୍ତ୍ତମାନରେ କିଛି ଫାଙ୍କ ରହିଯାଏ । ଗୋଟେ କଥା ପଚାରିବି ସତ କହିବ ଲୋପା, “ତୁମେ କ’ଣ “ଜ୍ୟୋତି” ନାମକ ଯୁବକକୁ ଏବେ ବି ଭଲ ପାଅ ?”

“ଏ ସ୍ୱାଭାବିକ୍ ଯେ ଯୁବ ପ୍ରାଣ ଅନେକ ସ୍ୱପ୍ନ ଦେଖେ । କାହାକୁ ନେଇ ସ୍ୱପ୍ନ ଦେଖିବା ତ ଭୁଲ୍ ନୁହେଁ । ହେଲେ କ’ଣ ମୋ ଭଲ ପାଇବାରେ କିଛି ଊଣା ରହିଯାଉଛି ଯେ ତୁମେ ଏବେ ବି “ଜ୍ୟୋତି”କୁ ମନେ ପକାଉଛ । ମୁଁ ଉତ୍ତର ଚାହେଁ”, କହୁଥିଲେ ଦେବକାନ୍ତ । ହେଲେ ମୁଁ ଥିଲି ନିରୁତ୍ତର । ଜାଣୁ ଶ୍ୱେତା ସେଦିନର ସେ ମୌନତା ମୋ ଜାବନକୁ ଓଲଟ ପାଲଟ କରିଦେଲା ।

ଅଳସ ଅପରାହ୍ନରେ ଦେବଙ୍କ ଅନୁପସ୍ଥିତିରେ, ଏକୁଟିଆ ବେଳେ “ଜ୍ୟୋତି” ମନ ମଧ୍ୟକୁ ପଶିଆସି ମୋତେ ବ୍ୟସ୍ତ କଲାବେଳେ ମୋ ଡାଏରୀର କିୟଦଂଶ ହୋଇଛନ୍ତି । ଆଉ ଏଇ ସଦ୍ୟତମ ଦିନର ଅଧ୍ୟାୟରୁ ପଢ଼ି ଦେବକାନ୍ତ ଆଜି ରୁଷ୍ଟ ।

ମୁଁ ନିର୍ଦ୍ଦୋଷ ବୋଲି ନିଜକୁ ପ୍ରମାଣ କରିପାରିଲିନି ଶ୍ୱେତା । କ’ଣ ଥିଲେ ତ ପ୍ରମାଣ କରିଥାନ୍ତି । କେମିତି କହିଥାନ୍ତି “ଜ୍ୟୋତି” ସତ ନୁହେଁ ସ୍ୱପ୍ନ, ଏକ କଳ୍ପନା । କହିଲେ ବି ବିଶ୍ୱାସ କରିଥାନ୍ତେ କି ଦେବ ?

ଖୁବ୍ ଭଲ ହୋଇଥାଆନ୍ତା ଯଦି ଦେବକାନ୍ତ ମୋତେ ଆହତ କରିଥାନ୍ତେ, ମୋ ଚରିତ୍ରରେ କଳଙ୍କ ଥିବାର ଦ୍ୱାହି ଦେଇ ଅପମାନିତ କରିଥାନ୍ତେ । କିଛି ଭାଙ୍ଗି ଯାଇଥିଲେ ତ ନୂଆ କିଛି ଗଢ଼ା ହୋଇଥାନ୍ତା । କିନ୍ତୁ ନା, ସେମିତି କିଛି ଘଟିଲାନି । ସବୁ ଦୋଷକୁ ନିଜ ଆଡ଼କୁ ଟାଣି ନେଇ, ନିଜ ପତି ପଣିଆରେ ଦୋଷ ରହିଗଲା ବୋଲି ନିଜକୁ ଦାୟୀ କରି ସେ ନିରବ ରହିଗଲେ । କିଛି ନ କହି ଦେବକାନ୍ତ ଦେବତା ହୋଇଗଲେ, ଆଉ ମୁଁ କିଛି ନ କହି ଦୋଷୀ ହୋଇ ରହିଗଲି ।

ଯେଉଁ ନିରବତାକୁ ମୁଁ ମଧୁର ବୋଲି “ଜ୍ୟୋତି” ପାଇଁ ଧରି ନେଇଥିଲୁ, ସେହି ନିରବତା କଠୋର ହୋଇଗଲା ଦେବକାନ୍ତଙ୍କ ପାଇଁ । ଆମେ ଏକାଠି ଗୋଟିଏ ଛାତ ତଳେ ରହୁଛୁ, ମାତ୍ର ମନ ଭିତରେ ବିରାଟ ପ୍ରାଚୀର । ଆଠ ବର୍ଷ ହେଲା ଅଭିନୟ କରି କରି ମୁଁ ଥକି ଗଲିଣି ଶ୍ୱେତା ।

ତୋତେ ମୁଁ ବହୁତ ଖୋଜିଛି ଶ୍ୱେତା, କାରଣ ତୁ ସବୁ ଜାଣିଥିଲୁ । ପାରିବୁ ତୁ ଦେବକାନ୍ତଙ୍କୁ ବୁଝେଇ । । ଆମ ଭିତରେ ଥିବା ଅକୁହା ପାଚେରୀକୁ ଉଠେଇ ପାରିବୁ ତୁ ?? ଲୋପା ଅପା ମୋ ହାତ ଧରି ନେହୁରା ହେବା ପରି ଅନୁରୋଧ କରୁଥିଲେ ।

ମୁହଁରେ ପାରିବାର ମୃଦୁ ହସ ଫୁଟାଇ ମୁଁ ଭାବୁଥିଲି “ପତିପତ୍ନୀ ସମ୍ପର୍କର ସେ ରେଶମୀ ଡୋରୀ ଯେ କେତେ ସୂକ୍ଷ୍ମ, ଯାହା କେବଳ ବିଶ୍ୱାସର ସାହାରାରେ ବନ୍ଧାଯାଇପାରେ ତାକୁ ମୁଁ କେମିତି ଯୋଡ଼ିବି ?”


Rate this content
Log in

Similar oriya story from Tragedy