Illa Kanungo Mohapatra

Romance Inspirational

4.5  

Illa Kanungo Mohapatra

Romance Inspirational

ନୀରବ ପ୍ରେମ...

ନୀରବ ପ୍ରେମ...

14 mins
250


ପ୍ରେମ କେତେବେଳେ ମନରେ ଭରିଦିଏ ଅନେକ ଚଞ୍ଚଳତା, ତ ପୁଣି କେତେବେଳେ ବାନ୍ଧି ଦେଇଯାଏ ନୀରବତା ଭିତରେ. ଠିକ ଏଇ ମେଘ ପରି, କେତେବେଳେ ଝିପି ଝିପି ବର୍ଷାର ଘୁଙ୍ଗୁର ପିନ୍ଧି ନାଚି ଉଠୁଛି ତ ପୁଣି କେବେ ଅନ୍ଧାର କରି ଘୋଟି ଆସି ଗମ୍ଭୀର ହେଇଯାଉଛି, ସତେ ଯେମିତି ତାର ସେଇ ନୀରବତା ଅପେକ୍ଷା କରିଛି ଏକ ଅଶାନ୍ତ ଝଡକୁ... 


ସମୟ ପ୍ରାୟ ୬ଟା ହେବ, ଧୀରେ ଧୀରେ ଅନ୍ଧାର ହବାକୁ ବସିଲାଣି ତା ଉପରେ ପୁଣି ଝିପି ଝିପି ବର୍ଷା ହଉଚି, ହଠାତ୍ ଅଫିସ ଭିତରୁ ବାହାରି ଆସି ଗାଡ଼ିରେ ବସିଲେ କଳ୍ପନା ମାଡାମ । କଳ୍ପନା ପ୍ରିୟଦର୍ଶିନୀ , ଏ ସହରର ଜଣେ ପ୍ରତିଷ୍ଠିତ ଶିଳ୍ପପତି । ଏଇ କିଛି ବର୍ଷ ଭିତରେ ସେ ଅନେକ ସଫଳତା ହାସଲ କରିସାରିଲେଣି , ହେଲେ ତାଙ୍କୁ ଦେଖିଲେ ଲାଗେ କୋଉଠି ନା କୋଉଠି ତାଙ୍କ ମନ ଭିତରେ ଏକ ଅଶାନ୍ତ ଦୁଃଖ ନୀରବ ହୋଇ ବସି ରହିଛି ।


କାକା ଆଜି ଡେରି ହେଇଗଲାଣି, ଅଫିସରେ ଟିକେ ଅଧିକ କାମ ରହିଯାଇଥିଲା ତୁମେ ଜଲଦି ଜଲଦି ଚାଲ । ହଉ ମା ହେଲେ ଆଜି ବି କଣ ତୁମେ ସେଇଠିକୁ ଯିବ, ହଁ କାକା ଏଥିରେ ପଚାରିବାର କଣ ଅଛି, ତୁମେ ଏତେ ବର୍ଷ ହେଲାଣି ମୋ ସାଙ୍ଗରେ ଅଛ, କେବେ କଣ ମୁଁ ସେଠିକୁ ନଯାଇ ଘରକୁ ଫେରିଛି? ନା ମା ହେଲେ ଆଜି ପାଗଟା କାଇଁ କେମିତି କେମିତି ଲାଗୁଛି ତା ସାଙ୍ଗେ ପୁଣି ଅନ୍ଧାର ହେଇଗଲାଣି । ସେ ଯାହା ବି ହଉ କାକା ମୁଁ ସେଠିକୁ ଯିବି । ହଉ ମା ଯାହା ତୁମ ଇଛା । ଏଇ କଥା ଭିତରେ ଗାଡ଼ି ଗଡି ଚାଲିଲା ଆଗକୁ ସବୁ ଦିନ ପରି ଆଜିର ବି ନୀରବ ହେଇଗଲେ କଳ୍ପନା ମାଡାମ । ବେଳେ ବେଳେ ଆଖିରୁ ଲୁହ ଟିକେ ବହି ଆସୁଥାଏ, ଖୋଲା ଆକାଶକୁ ଚାହିଁ ରହି ଯେମିତି ଅନେକ ପ୍ରଶ୍ନ ପଚାରି ଚାଲିଥାନ୍ତି । ହଠାତ୍ କାକା କହିଲେ , ମା ମୁଁ ତ ସାମାନ୍ୟ ଡ୍ରାଇଭରଟାଏ ସେଥିପାଇଁ କେବେ ସାହସ କରିନି । ଭୁଲ ହେଲେ କ୍ଷମା କରିବ ମା ହେଲେ ଆଜି ଗୋଟାଏ ପ୍ରଶ୍ନ ପଚାରିବି । ଏମିତି କଣ କହୁଛ କାକା ତୁମକୁ ମୁଁ କେବେ ଡ୍ରାଇଭର ଭାବରେ ଦେଖିଚିକି ତୁମେ ତ ଏତେ ବର୍ଷ ହେଲାଣି ମୋ ସାଙ୍ଗରେ ମୋ ପରିବାର ପରି ରହିଆସିଛ ପଚାର ଯାହା ପଚାରିବ। ଉତ୍ତର ଦବ ତ ମା...?

 ହଁ କାକା ଦେବି । ଡରି ଡରି ପଚାରିଲେ କାକା, ଆଛା ମା ଏତେ ବର୍ଷ ହେଲାଣି ତୁମେ ସବୁଦିନ ଅଫିସରୁ ବାହାରି ସିଧା ସେ ନଈ କୂଳକୁ ଯାଅ ସେଠି କିଛି ସମୟ ନୀରବ ହେଇ ବସିରୁହ ଆଉ ଫେରି ଆସ ଗାଡ଼ିରେ ଗଲାବେଳେ ଲାଗେ ତୁମ ମନ ବହୁତ ଅଶାନ୍ତ ହେଇଯାଏ ବେଳେ ବେଳେ ଘୁମୁରି ଘୁମୁରି କାନ୍ଦି ପକାଅ କାହିଁକି ମା ! କାହିଁକି ଏ ମନ ଭିତରେ ଏ ଅଶାନ୍ତ ଜୁଆର?. କାକା ଆଜି ଏତେ ବର୍ଷ ପରେ ପ୍ରଥମ ଥର କିଏ ମତେ ମୋ କଥା ପଚାରିଛି ! କହି କାନ୍ଦି ପକେଇଲେ ମାଡାମ, କାନ୍ଦନି ମା ଆଜି କେଜାଣି କାହିଁକି ମୋ ମନ ସବୁ କିଛି ଖୋଲି କହିଦେବାକୁ ଚାହୁଁଚି । କଣ କହିବି କାକା କୋଉଠୁ ଆରମ୍ଭ କରିବି... ?


ମୁଁ ବି ଦିନେ ଏ ସହରର ଗୋଟେ ଉଚ୍ଚ ମଧ୍ୟବିତ୍ତ ପରିବାରର ଝିଅ ଥିଲି.. ମୋ ପାଖରେ ଥିଲା ହସ ଖୁସିର ପୁରା ପରିବାର ।

ବୀରେନ୍ଦ୍ର ରାୟ... ଏ ସହରର ଜଣେ କପଡା ବ୍ୟବସାୟୀ, ସ୍ତ୍ରୀ କେବେଠାରୁ ଆର ପାରିକୁ ଚାଲିଯାଇଛନ୍ତି । ଦୁଇ ପୁଅ ଆଲୋକ ଆଉ ଜ୍ୟୋତି ବାପାଙ୍କ ବ୍ୟବସାୟରେ ସମ୍ପୂର୍ଣ ସହଯୋଗ କରନ୍ତି ଦୁଇ ବୋହୁ ସୁରଭି ଆଉ ସଂଗୀତା, ଏକା ମା ପେଟର ନହଲେ ବି ଦୁଇ ଭଉଣୀ ଠୁ କମ ନୁହେଁ । ସେ ପରିବାରର ଦୁଇଟି ଆଖି ଜେଜେଙ୍କର ଦୁଇ ଗେଲ୍ହା ନାତୁଣୀ ସ୍ୱପ୍ନା ଆଉ କଳ୍ପନା । ଦୁଇ ନାତୁଣୀ ଜେଜେଙ୍କର ଦୁଇ ସାଙ୍ଗ ।


ଆଜି ସ୍ୱପ୍ନା ଅପାର ବାହାଘର । ଘରର ବଡ ନାତୁଣୀ ର ବାହାଘର ଜେଜେଙ୍କ ଗୋଡ ଖୁସିରେ ତଳେ ଲାଗୁନି । ସକାଳ ଠାରୁ ଚିଲେଇ ଚାଲିଛନ୍ତି ଆରେ ସବୁ ବ୍ୟବସ୍ଥା ଠିକରେ ଠିକ ରେ ହେଲାଣି ନା ନାଇଁ କଣ ସବୁ ବାକି ରହିଗଲା? ମୋ ନାତୁଣୀ ବାହାଘରରେ ଯେମିତି କିଛି କମ୍ ନ ରହିଯାଏ..। ହଠାତ ଜେଜେଙ୍କ ପାଟିରୁ ଶୁଭିଲା, ଆରେ ଆରେ ଦେଖ ଦେଖ କିଏ ଆସିଲେଣି ଯାହା ହଉ ଏତେ ଦିନେ ଦେଖା ହେଲା. ବଡ ବୋହୁ ଚିନ୍ହି ପାରୁଛ? ଦୌଡି ଆସି ସମସ୍ତେ ମୁଣ୍ଡିଆ ମାରିଲେ, ହଁ ବାପା ମୁଁ ଜାଣିପାରିବିନି ! ଆପଣଙ୍କ ପିଲା ବେଳର ସାଙ୍ଗ, ବାରିପଦାରେ ଥିଲା ବେଳେ କେତେ ଯିବା ଆସିବା ଲାଗି ରହୁଥିଲା। କଟକ ଆସିଲା ପରଠୁ ଏମିତି କୋଉ ଦିନ ଅଛି ଯୋଉଦିନ ଆପଣ ଘରେ ମିଶ୍ର ମଉସାଙ୍କ କଥା ଉଠେଇ ନାହାନ୍ତି ଯେ ଆମେ ଭୁଲି ଯିବୁ । ଯାହା ହଉ ମଉସା ବହୁତ ଖୁସି ଲାଗିଲା ଆପଣ ଆସିଲେ ବାପାଙ୍କର ଭାରି ଇଛା ଥିଲା ଆପଣଙ୍କ ସହ ଦେଖା କରିବା ପାଇଁ । ହଠାତ ମିଶ୍ର ଜେଜେ କହିଲେ, ଆଛା ମା ମତେ ତା ଜାଣିଦେଲ ଚିହ୍ନିଲ ଦେଖି ଏ କିଏ? ବଡ ମା ଚାହିଁ ରହିଲେ କିଛି ସମୟ ପରେ କହିଲେ ମଉସା ଏ ଆମ କର୍ତ୍ତବ୍ୟ ନା? ହଁ ତ ସେମିତି ଲାଗୁଛି। କର୍ତ୍ତବ୍ୟ ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ ନମସ୍କାର କଲେ । ଗାଲ ଆଉଁସି ଦେଇ ବଡ ମା କହିଲେ, କେତେ ବଡ ହେଇ ଗଲୁଣି ରେ ବାବା ହେଲେ ବି ତୁମେ ମତେ ଚିହ୍ନି ଦେଲ ବଡ ମା ! 


କର୍ତ୍ତବ୍ୟ ମିଶ୍ର ମଉସାଙ୍କ ଗୋଟେ ବୋଲି ନାତି । ପିଲା ବେଳଠୁ ମା ଛେଉଣ୍ଡ ବହୁତ ବଡ ଲୋକମାନେ ଘରର ପିଲା ବୋଲି କିଛି ଅଭାବ ରଖିନାହାନ୍ତି ମିଶ୍ର ଜେଜେ ହେଲେ ତାଙ୍କ ପାଇଁ କାହା ପାଖରେ ସମୟରେ ନଥାଏ। ଆମ ଘରେ ମା ବଡ ମା ଙ୍କ ପାଖରେ ବହୁତ ସମୟରେ କାଟୁଥିଲେ । ପିଲା ବେଳେ ବାରିପଦାରେ ଥିଲା ବେଳେ ଆମେ ଏକା ସାଙ୍ଗରେ ପାଠ ପଢ଼ୁଥିଲୁ । ବହୁତ ସାଙ୍ଗ ଥିଲୁ ହେଲେ ଜେଜେ ଯେବେଠାରୁ ବେପାର ବଢେଇବା ପାଇଁ କଟକ ଆସିଲେ ଆଉ ଏତେ ଦେଖା ସାକ୍ଷାତ ହୁଏନି। ଆଛା ବଡ ମା ତମର ସେ ଚୁଟକି କୁଆଡେ ଗଲା? କାଇଁ ଦେଖା ଯାଉନି ତ? ବୁଝିଲୁ କର୍ତ୍ତବ୍ୟ ସେ ଚୁଟକି ଏବେ ତୋ ପରି ବଡ ହେଇଗଲାଣି । ମୁଁ ତ ତତେ ଚିହ୍ନି ଦେଲି ଏବେ ତୁ ଚିହ୍ନିଲୁ ଦେଖିବା ଚୁଟକି କୁ... ?


କର୍ତ୍ତବ୍ୟ ସବୁଆଡେ ଆଖି ବୁଲେଇ ଚାଲିଲେ ଆଉ ହଠାତ ତାଙ୍କ ଆଖି ଅଟକିଗଲା ମୋ ପାଖରେ । ଲାଗୁଥିଲା ଯେମିତି ସମୟରେ ଟିକେ ଅଟକି ଗଲା ସେ ସେମିତି ଚାହିଁ ରହିଥିଲେ ମତେ । ମୋର ବି ମନେ ପଡି ଯାଉଥିଲା ସେ ପିଲା ଦିନର ସ୍ମୃତି ସବୁ । ଧୀରେ ଧୀରେ ପାଖକୁ ଆସି କର୍ତ୍ତବ୍ୟ କହିଲେ, ହାଏ କଳ୍ପନା.. କେମିତ ଅଛ? ତମେ ମତେ ଚି଼ହ୍ନ ଦେଲ କର୍ତ୍ତବ୍ୟ? କେମିତି? ବାସ ଏମିତି ! କାହିଁକି କେଜାଣି ସେ ଦିନର ସେ ଦେଖା ଭାରି ଅଲଗା ଥିଲା ମନ ଭିତରେ କିଛି ଗୋଟେ ଅଲଗା ଅନୁଭବ ଥିଲା। ସେଇ ଗୋଟିଏ ଦେଖାରେ ପିଲା ବେଳର ସେ ତୁ ତା ସବୁ ଆପେ ଆପେ ତୁମେରେ ବଦଳି ଯାଇଥିଲା।


ମିଶ୍ର ଜେଜେ କହିଲେ ବୁଝିଲୁ ବୀର, ତୁ କଟକ ରେ ଯୋଉ କଲେଜ କହିଥିଲୁ ମୁଁ କର୍ତ୍ତବ୍ୟ ର ଆଡ଼ମିସନ ସେଇଠି କରିଦେଇଛି । ସବୁ କାମ ଭଲରେ ଭଲରେ ହେଇଗଲା । ହଷ୍ଟେଲ ରେ ସିଟ୍ ଟା ବି ସୁବିଧାରେ ମିଳିଗଲା। "ହଷ୍ଟେଲ? କଣ ତୁ କହୁଛୁ? ଏଇଠି ମୋ ଘର ଥାଉ ଥାଉ କର୍ତ୍ତବ୍ୟ ଆମର ହଷ୍ଟେଲରେ ରହିବ? ତୁ ଏକଥା ଭାବିଲୁ କେମିତି? ଆରେ ସେଇ କଲେଜରେ ଆମ କଳ୍ପନାର ବି ଆଡ଼ମିସନ ହେଇଛି । ସେମାନେ ତ ପିଲା ବେଳର ସାଙ୍ଗ, ଏଇଠୁ ଘରୁ ଯିବା ଆସିବା କରି ପାଠ ପଢିବେ । ଆଉ ତୁ ତ ମୋ କଥା ଜାଣିଛୁ ମୁଁ ଏ ସମାଜ କି ଲୋକମାନଙ୍କ କଥାକୁ ଖାତିର କରେନି। ମୋର ମୋ ପିଲା ମାନଙ୍କ ଉପରେ ଭାରି ବିଶ୍ୱାସ । ଆଉ ପିଲା ବେଳେ ତୁ ତ ସବୁବେଳେ କହୁଥିଲୁ କଳ୍ପନାକୁ ବୋହୁ କରିବୁ। ହଁ ଏଇଟା ସତ ଯେ ଆମେ ପିଲା ମାନଙ୍କ ଉପରେ ଆମ ଇଛା ଲଦିବାନି । ତାଙ୍କର ଯାହା ଇଛା। ଆରେ ପିଲା ବେଳେ କଣ ମୁଁ ତା ଏବେବି କହୁଛି, କଳ୍ପନାକୁ ବୋହୁ କରିବାକୁ ମୋର ଭାରି ଇଚ୍ଛା । ଆଉ ରହିଲା ହଷ୍ଟେଲ କଥା। ତୁ ତ କର୍ତ୍ତବ୍ୟ ବାପା କଥା ଜାଣିଛୁ ତାର ଏକା ଜିଦ, କର୍ତ୍ତବ୍ୟ ହଷ୍ଟେଲରେ ହିଁ ରହିବ ।


ହଉ ତୁ ଛାଡ଼ ସେସବୁ କଥା ଏ ବିଷୟରେ ଆମେ ପରେ କଥା ହବା. ଆଜି ଏଡ଼େ ବଡ ଦିନ, ଆମ ସ୍ୱପ୍ନା ମା ର ବାହାଘର । ଦେଖ ସାହାଯ୍ୟ କରିବାକୁ ମୁଁ ଦିନରୁ ଆସିଗଲି । କହ ଏବେ କଣ ସବୁ କାମ ବାକି ଅଛି, ସବୁ କରିଦେବି । ଜେଜେ ହସିଦେଇ କହିଲେ, ହଉ ଚାଲ ଚାଲ ସେପଟେ ଯିବା । କର୍ତ୍ତବ୍ୟ ତୁ ଯା ବାବା, ପିଲା ମାନେ ତମେ ତମର ମଜା କର ।


ସବୁ କାମ ଭଲରେ ଭଲରେ ଚାଲିଲା ଘରେ ସମସ୍ତେ ଭାରି ଖୁସି । ସ୍ୱପ୍ନା ଅପାକୁ ଭଲ ଘର, ଭଲ ବର ସବୁ ମିଳିଛି । ଭାଇ ଆମର ଭୁବନେଶ୍ୱର ରେ ଭଲ ଚାକିରୀ କରିଛନ୍ତି। ୟା ଭିତରେ ଜେଜେ ସବୁ ବୁଝା ବୁଝି କରି ସାରିଛନ୍ତି ପିଲା ହିସାବରେ ବି ସେ ଭାରି ଭଲ କିଛି ଖରାପ ଅଭ୍ୟାସ ନାହିଁ। ବାହାଘର ଠିକ ହେଲା ପରଠୁ ସ୍ୱପ୍ନା ଅପା ବି ଆମର ଫୋନରେ ଗପୁଛି। ସେ ବି ବହୁତ ଖୁସି। ମୁଁ ବି ସ୍ୱପ୍ନା ଅପା କଥା ହେଲା ବେଳେ କେତେ ଥର କଥା ହେଇଛି ଭାଇଙ୍କ ସାଙ୍ଗରେ। ଭାରି ମେଳାପୀ ସେ ବହୁତ ଥଟ୍ଟା ମଜା ବି କରନ୍ତି.।


ହସ ଖୁସି, ଥଟ୍ଟା ମଜା ରେ କଟିଗଲା ପୁରା ଦିନ। ବାହାଘର କାମ ବି ଭଲରେ ଭଲରେ ସରିଗଲା। ଆସିଲା ବିଦା ବିଦି ର ସମୟ ।

ଏ ସମୟଟା ସତରେ ଭାରି କଷ୍ଟ କର । ବିଧାତାଙ୍କର ଏ କେମିତିକା ନିୟମ, ଯୋଉ ଘରେ ଜନ୍ମ ହେଲା ହସି ଖେଳି ବଡ ବଡ ହେଲା ସେ ସବୁକୁ ଛାଡି ଅଜଣା ମଣିଷକୁ ଆପଣାଇବାକୁ ପଡ଼େ। ପର ଘରକୁ ଅତି ନିଜର କରିବାକୁ ପଡ଼େ। ଛାଡ ଏସବୁ କଣ ଆମେ ବଦଳେଇ ପାରିବା?


ସ୍ୱପ୍ନା ଅପା ବିଦା ହେଇ ଚାଲିଗଲା ତା ଶାଶୁ ଘରକୁ । ସମସ୍ତେ ଯେମିତି ଥକା ହେଇ ବସି ପଡିଲେ । ମନ ଭିତରେ ଅଲିଅଳି ଝିଅକୁ ପର ଘର ପଠେଇବା କେତେ କଷ୍ଟ ସେଇଟା କେବଳ ଝିଅ ଘରଵାଲା ହିଁ ବୁଝି ପାରିବେ । ଧୀରେ ଧୀରେ ବନ୍ଧୁ ବାନ୍ଧବ ଯିବାକୁ ଆରମ୍ଭ କଲେ ଏତିକି ବେଳେ କର୍ତ୍ତବ୍ୟ ପାଖକୁ ଆସି କହିଲେ ବ୍ୟସ୍ତ ହୁଅନି, ସ୍ୱପ୍ନା ଅପା ବହୁତ ଭଲରେ ରହିବେ। ମୁଁ ଆସୁଛି ସପ୍ତାହେ ପରେ କଲେଜ ଖୋଲିବ ସେଇଠି ଦେଖା ହବ।  


ଆଜି କଲେଜରେ ପ୍ରଥମ ଦିନ। ମନ ଭିତରେ ଭାରି ଉତ୍ସାହ, ସବୁ କିଛି ସେଠି ନୂଆ ଜୀବନର ଆଉ ଗୋଟେ ନୂଆ ଅଧ୍ୟାୟ ଆରମ୍ଭ ହବାକୁ ଯାଉଛି। ଏସବୁ ଭିତରେ ମନ ଭିତରେ ଆଉ ଗୋଟେ ଅଜଣା ଆଶା ରହି ରହି ଉଙ୍କି ମାରୁଛି। ଚାହୁଁ ଚାହୁଁ ପହଞ୍ଚି ଗଲି କଲେଜରେ । ଏ ଆଖି ଯେମିତି ଆଉ ବୋଲ ମାନୁ ନଥିଲା। ଆଡେ ସାଡେ ଦେଖି ଖାଲି କର୍ତ୍ତବ୍ୟଙ୍କୁ ଖୋଜି ଚାଲିଥିଲା । କଣ ଏ ଅନୁଭବ କିଛି ବୁଝି ହଉନଥିଲା ହେଲେ ଯେବେଠାରୁ କର୍ତ୍ତବ୍ୟ ଙ୍କୁ ଦେଖିଲିଣି ଏ ମନ ଭିତରେ କିଛି ଅଲଗା ଅନୁଭବ ହଉଛି । ଏ ଆଖି ଖାଲି ଗୋଟେ ଚେହେରା ଖୋଜୁଛି । ଏମିତି ଭାବୁ ଭାବୁ ସାମ୍ନାକୁ ଆସିଗଲେ କର୍ତ୍ତବ୍ୟ। ସତେ ଯେମିତି ବହୁତ ଆଗରୁ ମୋରି ଅପେକ୍ଷାରେ ବସି ରହିଥିଲେ। ତାଙ୍କର ମନ ଭିତରେ ବି ସେମିତି କିଛି ଚାଲିଥିଲା । ବାସ୍ ମନ ର ଭାବନାକୁ ବୁଝିବା ବାକିଥିଲା ।


କେମିତି ଅଛ କଳ୍ପନା ? ସ୍ୱପ୍ନା ଅପାଙ୍କ ଖବର ସବୁ ଭଲ ତ? ଘରେ ସମସ୍ତେ ଭଲ ଅଛନ୍ତି ତ? ହଁ ସମସ୍ତେ ଭଲ ଅଛନ୍ତି. ତୁମେ କେମିତି ଅଛ? ଭଲ... ଛୋଟ ବେଳେ ସାଙ୍ଗ ହେଇ ବହୁତ ଗପୁଥିବି ଏଇ ସାଙ୍ଗ ଦୁଇ ଜଣ ସତରେ କେତେ ଅଲଗା ହେଇ ଯାଇଥିଲେ। ସେଦିନ ଦୁଇ ଜଣଙ୍କ ମୁହଁରୁ କଥା କମ୍ ବାହାରୁଥିଲା ଆଉ ସେ ନୀରବତା ଭିତରେ ଆଖି ଅନେକ କିଛି କହି ଯାଉଥିଲା। ଏମିତିରେ ଦିନ ପରେ ଦିନ ବିତି ଚାଲିଲା । ଆମ ବନ୍ଧୁତା ବଢ଼ି ଚାଲିଲା, ସାଙ୍ଗ ହେଇ କଲେଜ ଯିବା, କ୍ଲାସ କରିବା, ସାଙ୍ଗ ହେଇ ପାଠ ପଢିବା ଆଉ ବହୁତ ସମୟ ଗପିବା ଏସବୁ ନୀତି ଦିନିଆ ଅଭ୍ୟାସରେ ବଦଳି ଗଲା। ଆମ ଦୁଇ ଜଣଙ୍କୁ ଏସବୁ ବହୁତ ଭଲ ଲାଗୁଥିଲା ।


ୟା ଭିତରେ କିଛି ମାସ ବିତି ଗଲାଣି । ଦିନେ କ୍ଲାସ ସାରି କର୍ତ୍ତବ୍ୟ କହିଲେ, କଳ୍ପନା ଆମ କଲେଜ ପାଖରେ ଯୋଉ ନଈ ଅଛି ସେଇପଟେ ଟିକେ ବୁଲିଯିବା ଯଦି ତମର କିଛି ଆପତ୍ତି ନଥାଏ.. ହଁ ଚାଲ... ଆମେ ଏଇ ନଈ କୂଳରେ ବୁଲୁ ବୁଲୁ, କର୍ତ୍ତବ୍ୟ କହିଲେ କଳ୍ପନା ବହୁତ ଦିନ ହେଲାଣି ମନ ଭିତରେ ଗୋଟେ କଥା ଚାଲିଛି । ପଚାରିବି ପଚାରିବି ବୋଲି ସାହସ ଜୁଟେଇ ପାରୁନି। ଆଜି ପଚାରିବି ବୋଲି ଭାବୁଛି. ହଁ କର୍ତ୍ତବ୍ୟ ପଚାର ଏଥିରେ ଭାବିବାର କଣ ଅଛି ?

ଆମେ ତ ସାଙ୍ଗ ତମେ ମତେ କିଛି ବି ପଚାରି ପାରିବ। ହଁ ଆମେ ବହୁତ ଭଲ ସାଙ୍ଗ ସେଥିପାଇଁ ତ ଡର ଲାଗୁଛି। ତମେ ମତେ କଥା ଦିଅ ମୋ କଥା ଯଦି ଭଲ ନଲାଗେ ତାହାଲେ ବି ଆମେ ସାଙ୍ଗ ହେଇ ରହିବା । ମୁଁ ହସି ହସି କହିଲି ହଉ ହେଲା ବାବା ଆମ ବନ୍ଧୁତା ର କିଛି ହବନି ଏବେ କୁହ.... ଟିକେ ସମୟ ନିରବ ହେଇଗଲେ କର୍ତ୍ତବ୍ୟ ଆଉ ଧୀରେ ଧୀରେ କରି କହିଲେ, ଜାଣିଛ ଜେଜେଙ୍କର ଭାରୀ ଇଚ୍ଛା, ସେ ତମକୁ ଆମ ଘର ବୋହୁ କରିବେ, ମୁଁ ତଳକୁ ମୁହଁ ପୋତି ପଚାରିଲି ଆଉ ତମର? ସେ କହିଲେ ମୁଁ ତ କେବଳ ତମ କଥା ହିଁ ଭାବି ଚାଲିଛି, ତମେ ପଚାରୁଥିଲ ନା ସେଦିନ ମୁଁ ଏତେ ଦିନ ପରେ ବି ତମକୁ ଦେଖି କେମିତି ଚିହ୍ନି ପାରିଲି ବୋଲି.... ବୋଧେ ତମର ଏଇ ଛବି ବହୁତ ଦିନରୁ ମନ ଭିତରେ ଆଙ୍କି ହେଇ ରହି ଯାଇଥିଲା.... ଆଉ ସେ ଛବିର ପ୍ରକୃତ ଚେହେରାକୁ ଚିହ୍ନି କେମିତି ପାରିନଥାନ୍ତି? ମୁଁ ନୀରବ ହେଇ ତଳକୁ ଚାହିଁ ରହି ଥାଏ। ସେଦିନ ମୋ ଆଖିରେ ଖାଲି ଲାଜ ଆଉ ଲାଜ ଭରି ଯାଇଥିଲା । ଲାଜରେ ତାଙ୍କ ମୁହଁ କୁ ଚାହିଁ ପାରୁନଥିଲି, ସେ କହିଲେ କଣ ହେଲା କିଛି ଉତ୍ତର ଦେଲନି ଯେ? ମୁଁ ଟିକେ କଣେଇ ଚାହିଁ ହସି ଦେଇ ସେଠୁ ଦୌଡ଼ି ପଳେଇ ଆସିଲି , ଆରେ ରୁହ ରୁହ, କିଛି କହିକି ତ ଯାଅ... ହେଲେ ସେଦିନ ଯେମିତି ମତେ ଉଡିବାକୁ ଇଚ୍ଛା ହଉଥିଲା ଆଉ ଏମିତି ଆରମ୍ଭ ହେଲା ଆମ ଭଲ ପାଇବା ଯାହା ଧୀରେ ଧୀରେ ବଢ଼ି ମଜବୁତ ହେବାରେ ଲାଗିଲା ।


ୟା ଭିତରେ ଅନେକ ଦିନ ବିତି ଗଲାଣି । ଆମ କଲେଜ ବି ସରିବାକୁ ବସିଲାଣି । ଆଉ ଆମ ମାନଙ୍କ ଘରେ ବି ଆମ କଥା ଜାଣି ଗଲେଣି । କାହାର କିଛି ଅସୁବିଧା ନାହିଁ ଆମଠୁ ଅଧିକ ତା ସେମାନେ ଖୁସି ଆମ ସମ୍ପର୍କ କୁ ନେଇ। ଚାହୁଁ ଚାହୁଁ କଲେଜ ସରିଗଲା, ଆଜି କଲେଜରେ ଶେଷଦିନ । ଏଇଠି ଆମର କେତେ ମିଠା ମିଠା ମୁହୂର୍ତ୍ତ ସବୁ ରହିଛି । ଆଉ ସବୁଠୁ ବେଶି ତା ଏଇ ନଈ କୂଳରେ... ଏମିତି କୋଉ ଦିନ ନାହିଁ ଯୋଉ ଦିନ ମୁଁ ଆଉ କର୍ତ୍ତବ୍ୟ ଏଇ ନଈ କୂଳକୁ ଆସିନୁ । ଏ ନଈ ଯେମିତି ଆମ ପ୍ରେମର ସାକ୍ଷୀ.... ଆଜି ସେ ନଈ କୂଳରେ ବୁଲୁ, କର୍ତ୍ତବ୍ୟ କହିଲେ କାଲିଠୁ ତ ଆଉ କଲେଜ ଆସିବାର ନାହିଁ , କେମିତି ଦେଖା ହବ...? ମୁଁ କାଲି ସ୍ୱପ୍ନା ଅପା ପାଖକୁ ଯାଉଛି । ତୁମେ ତ ଜାଣିଛ ସ୍ୱପ୍ନା ଅପାର ଝିଅ ଟେ ହେଇଚି କେତେ ଦିନ ହେଇଗଲାଣି । ମୁଁ ଯାଇ ପାରୁନି ବୋଲି ସବୁ ବେଳେ ମନ ଦୁଃଖ କରୁଛି। ଭାଇ ବି ବହୁତ ଥର କହିଲେଣି । ସେଥିପାଇଁ ମୁଁ କାଲି ତା ପାଖକୁ ଯାଉଛି, ଆସିଲେ ପୁଣି ଦେଖା ହବ... କଣ କହୁଚ ଏକରେ ତ କଲେଜ ସରିଗଲା ଆଉ ତମେ ପୁଣି ସାଙ୍ଗେ ସାଙ୍ଗେ ଏ ସହର ଛାଡି ଯିବାକୁ ବସିଲଣି । ବ୍ୟସ୍ତ ହୁଅନି କର୍ତ୍ତବ୍ୟ, ମୁଁ ବହୁତ ଜଲଦି ପଳେଇ ଆସିବି ଆଉ ଏମିତିରେ ବି ତ ଘରେ ଆମ ବାହାଘର କଥା ଚାଲିଲାଣି। ବହୁତ ଜଲଦି ଆମେ ସବୁଦିନ ପାଇଁ ଏକାଠି ହୋଇଯିବା।


ସେଦିନର ସେ ଦେଖା କିନ୍ତୁ ଥିଲା ଆମ ଜୀବନର ଶେଷ ଦେଖା । ତା ପରେ ଆଉ ସେମିତି ମୁହୂର୍ତ୍ତ ଆମ ଜୀବନରେ କେବେ ଆସିଲାନି ।ସମୟ ଚକ୍ରରେ ସବୁକିଛି ବଦଳି ଗଲା । ମୁଁ ତା ପରଦିନ ଯାଇ ସ୍ୱପ୍ନା ଅପା ଘରେ ପହଂଚିଲି । ସେ ମତେ ଦେଖି ବହୁତ ଖୁସି ହେଇଗଲା ।ଭାଇ କହିଲେ ଯା ହଉ ଏତେ ଦିନେ ତୋର ପାଦ ଆମ ଘରେ ପଡିଲା । ସବୁ କିଛି ଠିକ୍ ରେ ଚାଲିଥାଏ, କୁନି ଝିଅ ର ମିଠା ମିଠା ହସ ଆଉ ଭାଇଙ୍କ ଥଟା ମଜା ଏ ସବୁ ଭିତରେ ଦିନ କୁଆଡେ କାଟି ଯାଉଥିଲା ଜଣା ପଡୁନଥିଲା। ଆଉ ବହୁତ ଦିନ ପରେ ଆମେ ଦୁଇ ଭଉଣୀ ଏକାଠି ହେଇଥିଲୁ ଆମ ଖୁସି ତ ଚାରି ଗୁଣା ବଢ଼ି ଯାଇଥିଲା। ହେଲେ କର୍ତ୍ତବ୍ୟଙ୍କ କଥା ବହୁତ ମନେ ପଡୁଥିଲା। ମନେ ମନେ ସବୁ ମୁହୂର୍ତ୍ତରେ ଯେମିତି ମନ ଖାଲି ତାଙ୍କୁ ହିଁ ଖୋଜୁଥିଲା..।


ହେଲେ ସବୁକିଛି ବଦଳିଗଲା ସେ କାଳ ରାତିରେ। ଦିନେ ହଠାତ ଲାଇଟ ଚାଲିଗଲା। ଝିଅ ମୋ ପାଖରେ ଥାଏ। ଅନ୍ଧାରରେ ସ୍ୱପ୍ନା ଅପା ଆସୁ ଆସୁ ତାର ଗୋଡ ଖସି ଗଲା। ତାର ମୁଣ୍ଡ ବହୁତ ଜୋରରେ ମାଡ ହେଇଗଲା। ମୁଣ୍ଡରୁ ଯେମିତ ରକ୍ତର ସୁଅ ଛୁଟୁଥାଏ । ବହୁତ ଜୋରେ ଚିତ୍କାର କରୁଥାଏ ସ୍ୱପ୍ନା ଅପା । ତାକୁ ସାଙ୍ଗେ ସାଙ୍ଗେ ଡାକ୍ତର ଖାନା ନେଇକି ଯାଉଥାଉ. ତା ମୁହଁରେ ଖାଲି ଗୋଟେ କଥା, କଳ୍ପନା ମୁଁ ଆଉ ବଞ୍ଚିବିନି କଣ ହବ ମୋ ଝିଅର ? ମୁଁ ଗୋଟେ ହାତରେ ଝିଅକୁ ଧରି ଥାଏ ଆଉ ଗୋଟେ ହାତରେ ତାକୁ ଆଉଁସି ଆଉଁସି ବୁଝାଉଥାଏ। ତୁ ବ୍ୟସ୍ତ କାଇଁ ହଉଛୁ ସ୍ୱପ୍ନା ଅପା । ତୋର କିଛି ହବନି ତୋ ଝିଅ କଥା ତୁ ହିଁ ବୁଝିବୁ ।ଆଖିରୁ ଲୁହ ଧାରା ବି ଯେମିତି ଅଟକୁ ନଥାଏ ସେଦିନ । ଏମିତି ରେ ଯାଇ ଡାକ୍ତର ଖାନା ରେ ପହଞ୍ଚି ଗଲୁ। ୟା ଭିତରେ ଭାଇ ଘରକୁ ଫୋନ ବି କରି ଦେଇଥାନ୍ତି । ଘରୁ ସମସ୍ତେ ଆସୁଛନ୍ତି କଳ୍ପନା, ପହଞ୍ଚବାକୁ ଟାଇମ ଲାଗିବ। ମୋ ସ୍ୱପ୍ନା ଠିକ ହେଇଯିବ ନା ?ଭାଇଙ୍କ ଆଖିରୁ ବି ଲୁହ ବନ୍ଦ ହଉନଥାଏ. ହଁ ଭାଇ ସ୍ୱପ୍ନା ଅପା ଭଲ ହେଇଯିବ। ତାର କଣ ହେଇଛିକି ବ୍ୟସ୍ତ ହୁଅନି ସବୁ ଠିକ୍ ହେଇଯିବ। 


ସାଙ୍ଗେ ସାଙ୍ଗେ ଡାକ୍ତର ଡାକୁଛନ୍ତି। ଆମେ ଦୌଡ଼ି ଗଲୁ ଡାକ୍ତର କହିଲେ, ବହୁତ ରକ୍ତ ବହି ଯାଇଛି ।ତାଙ୍କୁ ବଞ୍ଚେଇବା କଷ୍ଟ ହବ । ନା ନା ଡାକ୍ତର ଏମିତି କୁହନ୍ତୁନି ।ବଞ୍ଚେଇ ଦିଅନ୍ତୁ ମୋ ସ୍ୱପ୍ନା କୁ ତା ବିନା ବଞ୍ଚି ପାରିବିନି । ମୋତେ ଏସବୁ ଦେଖି ବହୁତ ବ୍ୟସ୍ତ ଲାଗୁଥାଏ । ମନ ଖାଲି ଖୋଜୁଥାଏ ଘରୁ ସମସ୍ତେ ଶୀଘ୍ର ଆସି ପହଞ୍ଚି ଯାଆନ୍ତୁ। ଡାକ୍ତର କହିଲେ ସେ ଆପଣ ଦୁଇ ଜଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି. ଆପଣ ଯାଆନ୍ତୁ, ତାଙ୍କୁ କିନ୍ତୁ ବେଶି ହାଇପର କରିବେନି । ସେ ଯାହା କହିବେ ତାଙ୍କ କଥା ଟିକେ ମାନି ଯିବେ। ନହଲେ ତାଙ୍କ ପାଇଁ ବେଶି କ୍ଷତି କାରକ।


ଆମେ ଯାଇ ସ୍ୱପ୍ନା ଅପା ପାଖରେ ପହଁଚିଲୁ। ବିଚାରି ବଡ କଷ୍ଟ ପାଉଥାଏ।ତାକୁ ଦେଖି ଆଉ ସହି ହଉନଥିଲା ।ସେଇ ଯନ୍ତ୍ରଣା ଭିତରେ ପାଖକୁ ଡାକିଲା, କହିଲା ମୁଁ ଜାଣି ଗଲିଣି ମୁଁ ଆଉ ବଞ୍ଚିବିନି। ମୋ ପାଖରେ ବହୁତ କମ ସମୟ ଅଛି। ମୋର ଗୋଟାଏ କଥା ରଖ ତୁମେ ଦୁହେଁ । ଜଲଦି ଯାଇ ମୁଁ ଥାଉ ଥାଉ ବାହା ହେଇଯାଅ ଦୁଇ ଜଣ ମୁଁ ତୋ ହାତରେ ମୋ ଝିଅକୁ ଟେକି ଦେଇ ଟିକେ ଶାନ୍ତିରେ ମରିବି। କଣ ତୁ କହୁଛୁ? ପାଗଳ ହେଇଗଲୁଣି ନା କଣ ମୁଁ ପୁଣି ଭାଇଙ୍କୁ ବାହା ହେବି। ତୁ ଆଡୁ ସାଡ଼ୁ କଥା ଜମା କହନା... ତୋର କିଛି ହବନି। ମୋର ଏତିକି କଥା ରଖ କଳ୍ପନା। ମୋ ୬ ମାସର ଛୁଆ ମା ଛେଉଣ୍ଡ ହେଇଯିବ। ମୁଁ ତାକୁ ଆଉ କାହା ହାତରେ ଦେଇ ପାରିବିନି। ହେଲେ ତୋ ଉପରେ ମୋର ପୁରା ବିଶ୍ୱାସ ଅଛି ତୁ ତାକୁ ମା ର ସ୍ନେହ କେବଳ ତୁ ଦେଇ ପାରିବୁ। ଆଜି ଏଇ କଅଁଳିଆ ଛୁଆ ତା ପାଇଁ ମୁଁ ସ୍ୱାର୍ଥପର ହେଇ ଯାଉଛି। ହେଲେ ମତେ ଆଉ କିଛି ବାଟ ଦେଖା ଯାଉନି। ଭାଇ ବହୁତ ଭଲ ସେ ତତେ ବହୁତ ଭଲରେ ରଖିବେ। ମୋର ଏତିକି କଥା ରଖ ସ୍ୱପ୍ନା। ତତେ ହାତ ଯୋଡୁଛି। ମୁଁ ତୁମ ଦୁଇଜଣଙ୍କୁ ବାହାହବାର ଦେଖି ଦେଲେ ଯାଇ ଶାନ୍ତି ପାଇବି। ଏତିକି ବେଳେ ବହୁତ ଜୋରେ ନିଶ୍ୱାସ ଉଠିବାକୁ ଲାଗିଲା ତାର। ଭାଇ ଦେଖିକି ଡରିଗଲେ, ତାଙ୍କର ଡାକ୍ତରଙ୍କ କଥା ମନେ ପଡି ଯାଉଥାଏ। କହିଲେ ହଁ ତମ କଥା ଆମେ ରଖିବୁ ବ୍ୟସ୍ତ ହୁଅନି । ଆ କଳ୍ପନା କହି ଟାଣି ବାହାରକୁ ନେଇ ଆସିଲେ. କଣ କହୁଛ ଭାଇ ମୁଁ କିଛି କହୁନି କଳ୍ପନା, ଏବେ ତୋ ଅପାକୁ ବଞ୍ଚେଇବାକୁ ବହୁତ ଜରୁରୀ । ମୁଁ ତତେ ବାହା ହବାକୁ କହୁନି ଖାଲି ନାଟକ କରିବାକୁ କହୁଛି। ତୁ ଟିକେ ରହ ମୁଁ ଆସୁଛି। ଦୌଡ଼ି ଯାଇ କୋଉଠୁ ଦିଟା ଫୁଲ ମାଳ ଆଣି କହିଲେ ୟାକୁ ଖାଲି ଟିକେ ବେକରେ ପକେଇଦେ,ତା ମନ ଟିକେ ଶାନ୍ତ ହେଇଯାଉ। ସେ ଭଲ ହେଇ ଘରକୁ ପଳେଇଲେ ଆପେ ଆପେ ସବୁ ଠିକ ହେଇଯିବ। ମୁଁ ଭାଇଙ୍କ କଥା ମାନି ସେଇଆ କଲି ଆଉ ଯାଇ ସ୍ୱପ୍ନା ଅପା ପାଖରେ ପହଞ୍ଚିଲି, ହେଲେ ଆଉ କିଛି ବି ଠିକ ହେଲାନି। ଗୋଟିଏ ମୁହୂର୍ତ୍ତ ରେ ସବୁକିଛି ସରିଗଲା. ସେ ସାଙ୍ଗେ ସାଙ୍ଗେ ତା ୬ ମାସର ଛୁଆକୁ ମୋ ହାତରେ ଥୋଇ ଦେଇ କହିଲା, ଆଜିଠାରୁ ଏ ତୋ ଝିଅ। ତତେ ଲାଗିଲା। ମୁଁ ଏବେ ଶାନ୍ତି ରେ ମାରିପାରିବି। ବାସ ସେତିକି ଥିଲା ତାର ଶେଷ କଥା।ଆମ ସମସ୍ତଙ୍କୁ ଛାଡି ଚାଲିଗଲା ସ୍ୱପ୍ନା ଅପା। ମୁଁ ଯେମିତି ପଥର ପାଲଟି ଗଲି। ଘରୁ ଆସି ସମସ୍ତେ ପହଁଚିଲେ, ହେଲେ ସେତବେଳକୁ ଆଉ କିଛି ନଥିଲା ।


ପରିସ୍ଥିତି କିନ୍ତୁ ଆହୁରି ଖରାପ ହେଇଗଲା, ଆମ ଦୁଇ ଜଣଙ୍କ ବେକରେ ପଡ଼ିଥିବା ଫୁଲ ମାଳ ସମସ୍ତଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରିଦେଲା। କେହି ଆମ କଥା ଶୁଣିବାକୁ ରାଜି ନଥିଲେ। ସମସ୍ତଙ୍କ ନଜରରେ ମୁଁ ଦୋଷୀ ପାଲଟି ଗଲି। ଆଉ ସେଦିନ କଥାରେ କଥାରେ ବଡ ମାଙ୍କ ପାଟିରୁ ଗଲା, ପରକୁ ନିଜର କରିଥିଲ ରଙ୍ଗ ଦେଖେଇଦେଲା। ନିଜ ରକ୍ତର ଭଉଣୀ ହେଇଥିଲେ କଣ ଏମିତି କରିଥାନ୍ତା। ମୁଣ୍ଡ ଉପରେ ମୋର ଚଡକ ଖସି ପଡିଲା ସେଦିନ ମୁଁ ପ୍ରଥମ ଥର ଜାଣିଲି ସେମାନେ ମୋର ନିଜର ନଥିଲେ ବରଂ ଗୋଟେ ଅନାଥକୁ ପାଳି ପୋଷି ନିଜର କରିଥିଲେ। ଆଉ ପୁଣି ପର କରିଦେଲେ। ମୋ ପାଇଁ ଘର ରାସ୍ତା ସବୁଦିନ ପାଇଁ ବନ୍ଦ ହେଇଗଲା।


ସବୁ ସରିବା ପରେ କର୍ତ୍ତବ୍ୟ ମତେ ଦେଖା କରିବାକୁ ଆସିଥିଲେ, ୟା ଭିତରେ ସେ ଅନେକ ଥର ଫୋନ କଲେଣି। ହେଲେ ମୁଁ ତାଙ୍କ ସହ କଥା ହଉନି। ଆଜି ଦେଖା କରିବାକୁ ଆସିଛନ୍ତି ହେଲେ ମୋର ସାହସ ନାହିଁ ତାଙ୍କୁ ସାମ୍ନା କରିବାକୁ। ଭାଇଙ୍କୁ କହି ମନା କରିଦେଲି। ଭାଇଙ୍କୁ ସେଦିନ ବହୁତ ବାଧିଲା କହିଲେ, ମୁଁ ତୋ ଜୀବନ ନଷ୍ଟ କରିଦେଲି ! ଏବେ ବି ସମୟ ଅଛି ତୁ ଚାଲି ଯା, କର୍ତ୍ତବ୍ୟ ପାଖକୁ ମୁଁ ମୋ ଝିଅକୁ ସମ୍ଭାଳି ନେବି। କିନ୍ତୁ ତତେ କେବେ ସ୍ୱପ୍ନାର ଜାଗା ଦେଇ ପାରିବିନି। ତମେ କଣ ଭାବୁଛ ଭାଇ ମୁଁ ସ୍ୱପ୍ନା ଅପା ର ଜାଗା ନେଇ ପାରିବି? ମୋ ପାଖରେ ଏବେ କିଛି ନାହିଁ, ଗୋଟେ ପରିବାର ଥିଲା ସେ ଚାଲିଗଲା, କର୍ତ୍ତବ୍ୟ ଙ୍କ ପାଖକୁ ଯାଇ ମୋ ଦେହରେ ଲାଗିଥିବା କଳଙ୍କକୁ ମୁଁ ତାଙ୍କ ଦେହରେ ବୋଳି ପାରିବିନି। ଆଉ ମୋ ପାଖରେ ବାକି ରହିଯାଇଛି ଖାଲି ମୋ ସ୍ୱପ୍ନା ଅପାକୁ ଦେଇଥିବା ପ୍ରତିଶୃତି। ଆଉ ଏଇ ଝିଅ ହିଁ ମୋର ବଞ୍ଚିବାର କାରଣ। ଏମିତିରେ କିଛି ଦିନ ଚାଲିଗଲା ଆଉ ଭାଇ ଅନୁତାପ କରି କରି ହୃଦଘାତରେ ଚାଲିଗଲେ। ମୋ ପାଖରେ କେହି ସାହାରା ନଥିଲେ।


ମୁଁ କିନ୍ତୁ ହାର ମାନିଲିନି। ନିଜକୁ ଦମ୍ଭ କରି ଛିଡା କଲି । ସବୁ କିଛି ନୂଆ କରି ଆରମ୍ଭ କଲି ଦିନରାତି ପରିଶ୍ରମ କରି ଗୋଟେ ଛୋଟ business କୁ ବଡ କରି ଠିଆ କଲି. ମୋ ଝିଅକୁ ମଣିଷ କଲି । ଆଜି ସେ ବି ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ତାର। 


ଚାହୁଁ ଚାହୁଁ ଗାଡି ଯାଇ ପହଞ୍ଚି ଗଲା ନଈ କୂଳରେ। ଗାଡି ରୁ ଓହ୍ଲାଇ ଗଲା କଳ୍ପନା । ଜାଣିଛ କାକା ଏ ଜାଗା ମୋ ପାଇଁ ଦୁନିଆଁର ସବୁଠୁ ସୁନ୍ଦର୍ ଜାଗା । ଏ ଜାଗା ହିଁ ମତେ ଶକ୍ତି ଦେଇଛି ବଞ୍ଚିବା ପାଇଁ । ଏ ଜାଗାକୁ ମୁଁ ନୀତି ଆସେ, ଆଉ ଭଲ ପାଇବା ନେଇଯାଏ। ଏତେ ବର୍ଷ ବିତି ଗଲାଣି ହେଲେ ଏଠି ସେ ଭଲ ପାଇବା ସେମିତି ଅଛି। ଯାହାକୁ ମୁଁ ଅନୁଭବ କରେ।

ଏସବୁ ଭିତରେ ମୁଁ ବହୁତ କିଛି ହଜେଇ ଦେଇଛି ହେଲେ ତା ଭିତରେ ସବୁଠୁ ମୂଲ୍ୟବାନ ଥିଲେ ମୋ ପାଇଁ ମୋ କର୍ତ୍ତବ୍ୟ। ଆଉ ତାଙ୍କ ଭଲ ପାଇବା। ତାଙ୍କ ସାଙ୍ଗରେ ମୁଁ ବହୁତ ଅନ୍ୟାୟ କରିଛି ହେଲେ ମୁଁ ନିରୁପାୟ ଥିଲି। ମୁଁ ଚାହୁଁ ନଥିଲି ସେ ମୋ ସାଙ୍ଗେ ତାଙ୍କ ଜୀବନ ନଷ୍ଟ କରନ୍ତୁ। ସେଥିପାଇଁ ତାଙ୍କ ପାଖରୁ ଦୁରେଇ ଗଲି। 


ଚାହିଁ ରହିଥିଲା ସେ ନଈ ଆଡକୁ। ତାର ପାଣିରେ ନାଚି ଉଠୁଥିଲା ସବୁ ପୁରୁଣା ଦିନ। ହଠାତ ପଛରୁ ପାଟି ଶୁଭିଲା, ଏ କଳ୍ପନା କେତେ ଆଉ କଳ୍ପନାରେ ହଜିବ। ମୁଁ ବୁଲି ଦେଖିଲି କାକା କାଢ଼ିଦେଲେ ତାଙ୍କ ମୁହଁରୁ ସେ ଧଳା ଦାଢ଼ି ନିଶ ମୁଣ୍ଡରୁ ସେ ନକଲି ଛୁଟି ।

ହାତବାକ ହେଇ ଚାହିଁ ରହିଲି ମୁଁ, ଏ କଣ କର୍ତ୍ତବ୍ୟ ତମେ ! ମୋ ଆଶ୍ଚର୍ଯ୍ୟର ସୀମା ନଥିଲା। ଆଖିରୁ ଲୁହ ବହି ଯାଉଥାଏ ତମେ... ? ହଁ ମୁଁ ସେବେଠୁ ତୁମ ପାଖରେ ଅଛି । ମୋର ବିଶ୍ୱାସ ଥିଲା ତୁମେ କିଛି ଭୁଲ କରି ନଥିବ । ତମେ ମୋ ପାଖେ ପାଖେ ରହି, ମତେ ସବୁ ବିପଦରୁ ରକ୍ଷାକଲ କିନ୍ତୁ ମୁଁ ଜାଣି ପାରିଲିନି କେମିତି ? କାହିଁକି କହିଲିନି, କେମିତି କହିଥାନ୍ତି, ତମ ଠୁ ଦୁରେଇ ଯିବାର ଡର ଥିଲା। ତୁମ ଭଲ ପାଇବା ମହାନ କର୍ତ୍ତବ୍ୟ । ଆଉ ତୁମର ଆଜି ଯାଏ ମୁଁ ବି ମୋ ପ୍ରତି ତୁମ ଭଲ ପାଇବା ଦେଖିଛି କଳ୍ପନା। କିଛି ପାଇବାର ଆଶା ରଖିନ, ଖାଲି ଅନ୍ୟ ମାନଙ୍କ ପାଇଁ କରିଚାଲିଛ ଆଉ ଆମ ଭଲ ପାଇବାକୁ ବି ଭୁଲିନି...। ତାକୁ ସାହାରା କରି ବଞ୍ଚିଛ ତୁମେ ବିନା କିଛି ପାଇବାର ଆଶାରେ.... 

ଏଇତ ଆମର ନିରବ ପ୍ରେମ..... !

ଯାହା ଚିର ଦିନ ପାଇଁ ଆମ ଦୁଇ ଜଣଙ୍କୁ ଦୁନିଆ ନଇ ରେ ପବିତ୍ର ଭଲ ପାଇବା ଆଉ ସ୍ନେହ ବତୁରା ପ୍ରେମ ରେ ଭିଜି ଭିଜି ନୌକା ଚଳେଇବା କୁ ସାହାରା ଦେଉଥିବ।


Rate this content
Log in

More oriya story from Illa Kanungo Mohapatra

Similar oriya story from Romance