ନୀଳ ପରୀ
ନୀଳ ପରୀ
ଇନ୍ଦ୍ରଧନୁ ପରି ପ୍ରେମ ଜୀବନରେ କେବେ ଖୁସିର ପସରା ନେଇ ଆସିଥାଏ ତ କେବେ ଦୁଃଖର ସାଗରରେ ମନୁଷ୍ୟକୁ ତାର ଗଭୀର ଜଳରେ ଲୀନ କରିଦିଏ, ଜୀବନ ରାସ୍ତାରେ ଯାଉଯାଉ କେହିଜଣେ ଅନାମିକା ମନର ଝରକା ଦେଇ ହୃଦୟ ଭିତରକୁ ଧୀରେ ଧୀରେ ଆସେ | ସେତେବେଳେ ରିମଝିମ ବର୍ଷାର ଛିଟା ଛିଟା ବାସ୍ନା ନ ଥାଏ କି ନୁପୁରର ରୁମଝୁମ ଶବ୍ଦ ନ ଥାଏ | କେବଳ ଏକ ସୁନ୍ଦର ଅନୁଭବ ହୃଦୟ ଶାମୁକା ଭିତରେ ମୋତି ପରି ସାଇତା ହୋଇ ରହିଥାଏ | ମୋତି ପରି ଏହା ଚମକ ପ୍ରଦାନ କରିନଥାଏ ସତ କିନ୍ତୁ ଏହା ଜୀବନରେ ଭରି ଦେଇଥାଏ ଅସୀମ ଖୁସି | କେଉଁ ଏକ ପରୀ ରାଇଜର ରାଜକୁମାରୀ ତାର ସ୍ନେହ ଓ ପ୍ରେମରେ ମନକୁ ବାନ୍ଧିଦେଇ ପୁଣି ତାର ଅତି ଆପଣାର ପରୀରାଇଜକୁ ଫେରିଯାଇଥାଏ ତାର ଅତି ପ୍ରିୟର ସାଥୀକୁ ଏକ କରି, ଏଠି କଣ ପ୍ରେମ କଲେ ପ୍ରତାରଣାର ସ୍ୱାଦ ଚାଖିବାକୁ ହୁଏ, ସାଥି ଚାଲିଗଲେ ପୁନେଇଁ ରାତିକି ଅମାବାସ୍ୟାର ଅନ୍ଧକାର ପରି ଲାଗେ |
ଗ୍ରୀଷ୍ମ କ୍ଲାନ୍ତ ଗୋଧୂଳି, ନୀଲାକୋଠୀର ପରୀମହଲରେ ଭାବନାରତ ଥିଲେ ଅମନ ମହାପାତ୍ର, ହଠାତ କାହିଁକି ଅଡୁଆ ସୁତା ପରି ଛନ୍ଦି ହୋଇ ଯାଉଥିଲା ମନ ଓ ତାରି ଭିତରେ ଉଙ୍କି ମାରୁଥିଲା ସେ ଡାକୁଥିବା ନୀଳପରୀର କାହାଣୀ | ମହାବିଦ୍ୟାଳୟର ସାହିତ୍ୟ ପ୍ରକୋଷ୍ଠ ସବୁଦିନ ପରି ସେଦିନ ବି ଥିଲା ଗୁରୁବାର ଯଦିଓ ଐତିହାସିକ ଦିନ ନୁହେଁ ତଥାପି ସେଦିନ ଥିଲା ଅମନ ମହାପାତ୍ର ଜୀବନରେ ସ୍ଵର୍ଣ୍ଣାକ୍ଷରରେ ଲେଖା ଇତିହାସର ପ୍ରଥମ ପୃଷ୍ଠା, ସବୁଜ ସାହିତ୍ୟର ଆସର ଧୀରେ ଧୀରେ ଜମି ଉଠୁଥିଲା, କବି ଓ କବୟିତ୍ରୀ ମାନଙ୍କର କରତାଳି ଧ୍ୱନିରେ | ସେଦିନର ସେ ନୀଳପରି କବିତାଟି ବହୁ ଆଶାୟିତ ନୀଳପରୀକୁ ପାଖକୁ ଆଣିପାରିଥିଲା | ସେଦିନର ସେ ପଂକ୍ତିଗୁଡିକ ବୟସର ଅପରାହ୍ନରେ ପହଂଚିଥିଲେ ମଧ୍ୟ ଅସ୍ପଷ୍ଟ ଭାବେ ମନେପଡ଼ୁଥିଲା ଅମନ ମହାପାତ୍ରର | ଆକାଶର ପଞ୍ଚମୀର ମ୍ଳାନ ଚନ୍ଦ୍ର, ସନ୍ଧ୍ୟାର ସବୁଜ ସାହିତ୍ୟ ଆସର ଛାଡି ଏକ ମୁଁହା ହୋଇ ଧାଇଁ ଥିଲା ବେଳେ କାହାର କୋମଳ କଣ୍ଠ ଡାକରେ ପଛକୁ ଫେରି ଚାଂହିଥିଲା ଅମନ ମହାପାତ୍ର | ବିଶ୍ୱାସ କରିପାରିଲାନି ନିଜର ଆଖିକୁ, ପୂର୍ବର
ଉଦିତଭାନୁ ସତେ କଣ ପଶ୍ଚିମ ଦିଗରେ ଉଦୟ ପାଇଁ ପ୍ରସ୍ତୁତ | ବୈଶାଖର ତାତିରେ ବସନ୍ତ କୁହୁତାନ ପରି ଆଜିର ସବୁଜ ଅସାରର ନୀଳପରୀ ଥିଲା ଅମନର ହାତ ପାହାନ୍ତାରେ | ଆସନ୍ତା ସପ୍ତାହର ଅସାର ପାଇଁ କବିତାଟିଏ ଲେଖିବା ପାଇଁ ଅନୁରୋଧ କରି ଫିକ କିନା ହସିଦେଇଥିଲା ନୀଳପରୀ | ସପ୍ତାହ ପରେ ମାସ, ମାସ ପରେ ବର୍ଷର ସମ୍ପର୍କ ଗଢି ବସିଥିଲା କେଦାର ଗୌରୀର ଅଲିଭା କାହାଣୀ |
ସମ୍ପର୍କର ସେତୁ ପୂର୍ଣ୍ଣିମାଠାରେ ଚନ୍ଦ୍ରର ଆଲୋକ ପରି କ୍ରମଶଃ କ୍ଷୀଣ ହୋଇଯାଉଥିଲା, କେବଳ ଚାକିରିଟିଏ ପାଇଁ କ୍ଷଣିକ ବିପଦରେ ଧର୍ଯ୍ୟହରା ନ ହୋଇ ଅମନ ସୁଦୂର କଲିକତା ଯାଇଥିଲା, ଚାକିରୀ ମିଳିଲା ପରେ ସେ ଧାଇଁ ଆସିଥିଲା ତାର ପ୍ରାଣପ୍ରିୟା ମୁଁହରେ ଚେନାଏ ହସ ଦେବ ପାଇଁ, ମାତ୍ର ସେ ଆସି ଯାହା ଦେଖିଥିଲା ତା ପାଦତଳର ମାଟି ଖସିଯାଉଥିଲା, ତା ନୀଳପରୀ କାହା ପାଇଁ ସିନ୍ଦୂର ନାଇଥିଲା ସତ କିନ୍ତୁ ସେ ସିଂଦୂରରେ କେବଳ ତାରି ନାଁ ହୋଇଥିଲା | ଅନ୍ୟ କାହାର ବାସର ରାତିକୁ ମହକାଇବା ପାଇଁ ସେ ଗଜରା ବାନ୍ଧିଥିଲା ସତ କିନ୍ତୁ ସେ ରାଜନୀଗଂଧାର ବାସ୍ନା କେବଳ ତାକୁ ହିଁ ଖୋଜୁଥିଲା, ସେ ଲାଲଟୁକୁଟୁକୁ ସାଧବ ବୋହୁ ସାଜିଥିଲା ସତ କିନ୍ତୁ ତାର ଲାଲଟୁକୁଟୁକୁ ଅଧର ଦୁଇଟି ସବୁଦିନ ପାଇଁ ଚୁପ ହୋଇଯାଇଥିଲା ଓ ତାର ଦରଦୀ ହୃଦୟ ରେ ସ୍ନେହ ମମତା ଟିକେ ପାଇବାପାଇଁ ନିଜର ଗୋଲାପୀ ହସ୍ତରେ ଚିଠିଟିଏ ଧରି ଅପଲକ ନୟନରେ ଚାହିଁ ବସିଥିଲା ଅମନ ର ଫେରିବା ବାଟକୁ | ଯଦିଓ ଦେହରେ ଜୀବନ ନଥିଲା ତଥାପି ସେ ଶାମୁକା ହୋଇ ଚାହିଁ ବସିଥିଲା ତାର ସାଗରର ଫେରିବା ବାଟକୁ | କେଇ ଟୋପା ତତଲା ଲୁହ ଦେଇ ଭଲପାଇବାକୁ ତାର ଦେଇଥିଲା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ଏବେବି ତା ଚିଠିର ପ୍ରତିଟି ଶବ୍ଦ ତାଙ୍କ ହୃଦୟରେ ସ୍ପନ୍ଦନ ସୃଷ୍ଟି କରେ ମୁଁ ନିଶ୍ଚୟ ଆସିବି, ମୋ ପାଇଁ ଅପେକ୍ଷା କରିବ, ମୋ ରାଣ |
ପ୍ରତୀକ୍ଷାର ଶେଷ ନାହିଁ, ଏବେବି ନୀଳକୋଠିର ଅମନ ମହାପାତ୍ର ଅପଲକ ନୟନରେ ଚାହିଁ ବସିଛନ୍ତି ନିଶ୍ଚୟ ଫେରିବ କହି କଥା ଦେଇଥିବା ସେହି ନୀଳପରୀର ଫେରିବା ବାଟକୁ |