STORYMIRROR

Dharmaraj Majhi

Romance Fantasy

4  

Dharmaraj Majhi

Romance Fantasy

ନଈ ସେ ପ୍ରେମର

ନଈ ସେ ପ୍ରେମର

4 mins
598


           

ସହରର କୋଳାହଳରୁ ବହୁତ ଦୂରରେ ଥିଲା ଗୋଟିଏ ଛୋଟ ନଈ ।


ନଈଟିର ନା ସ୍ୱପ୍ନ କିମ୍ବା ପ୍ରେମ ହୋଇଥିବ।


ସେ ନଈ ପାଣିରେ ପାଦ ନିମଗ୍ନ କରି ବସିଛି ଅଭିଳାଷ । ଯା'ଆଖିରେ ଅଛି ଖାଲି ସ୍ୱପ୍ନ ଆଉ ସମ୍ଭାବନା । ତା ମନରେ ହୁଏ ତ କିଛି ଆଶା,କିଛି ହତାଶl କିମ୍ଵା କିଛି ନ ପାଇବାର ବେଦନା ଅଛି।


ନଈଟି ତା'ର ଅତି ପ୍ରିୟ। ଅତି ଆପଣାର ବୋଲି ଛୁଟି ଆସେ ପ୍ରତିଦିନ ।ସେ ସବୁବେଳେ ପ୍ରାୟ ନଈ କୂଳରେ ଆସି ବସେ। ପାଦ ଦୁଇଟିକୁ ବୁଡେଇ ପାଣିରେ ଅନୁଭବ କରେ ତା ଆତ୍ମୀୟତାକୁ , ସ୍ରୋତକୁ ଅନୁଭବ କରେ ଆଉ ନଦୀର ଭଲ ପାଇବାକୁ। ପୂରାପୂରି ଛୁଆ ହୋଇଯାଏ ନଈ ପାଣିରେ। ତା ମନରେ ଜନ୍ମନିଏ ଅଦ୍ଭୁତ ଏକ କୈଶର ସୁଲଭ ଆବେଗ।


ସେ ନଈ ପାଣିକୁ ଦୁଇ ହାତରେ ଛୁଏ।ପାଣିର ଶୀତଳ ସ୍ପର୍ଶରେ, ମୃଦୁ କଂପନରେ ଶିହରି ଉଠେ ଅଭିଳାଷର ଦେହ। କିଛିଟା ତା ଭଗ୍ନ ହୃଦୟକୁ ଛୁଇଯାଏ।ସେ କମ୍ପନରେ ଭଗ୍ନ ହୃଦୟ ଟା ଆହୁରି ମଜଭୁତ ହୋଇଯାଏ,ଯେମିତି ସୁଉଚ୍ଚ ଅଟ୍ଟାଳିକାର ବିଶାଳ ସ୍ତମ୍ଭ କିମ୍ବା ଭଲ ପାଇବାର ସବୁ କରୁଣ କାନ୍ଥ।ମଝିରେ ମଝିରେ ସେ ପଶିଯାଏ ନଈ ଭିତରକୁ।ପ୍ରିୟତମାର ଅସଜଡା ଘନ କେଶ ସଜାଇବା ପ୍ରାୟ ଦି ହାତରେ ଆହ୍ଲାଦିତ କରୁଥାଏ ପାଣିକୁ ଆଉ ଭାବେ ସେ ଅନେକ ଖୁସି ,ବହୁତ୍ ଖୁସି ।ଆଉ ନଈକୁ କୁହେ ;"ମୁଁ ତୁମକୁ ଭଲପାଏ।ବହୁତ ଭଲ ପାଏ। ମୁଁ ତୁମର ହୋଇଗଲି ସବୁଦିନ ପାଇଁ। ଆଉ ତୁମକୁ ହିଁ ଚାହେଁ ସାରା ଜୀବନ।ମୁଁ ତୁମର ହୋଇ ରହିଥିବି।ତୁମକୁ ଛାଡ଼ି ମୁଁ କୁଆଡେ ବି ଯିବି ନାହିଁ"!


ମନ ଖୁସିରେ ଅଭିଳାଷ କାଗଜ ଡ଼ଙ୍ଗାଟିଏ ଭସାଇ ଦିଏ ନଈ ପାଣିରେ । ଦି ହାତରେ ମୃଦୁ ଆନ୍ଦୋଳିତ କରେ ପାଣି,ଗତି ସୃଷ୍ଟି କରେ ଡଙ୍ଗାରେ କିନ୍ତୁ କିଛି ଦୂର ଯାଇ ଡଙ୍ଗାଟି ଭାରସାମ୍ୟ ହରାଇ ଶୋଇଯାଏ।ପରେ କାଗଜଟି ହଜିଯାଏ ନଈ ଗର୍ଭରେ। ଅଭିଳାଷର ଶିଶୁ ସୁଲଭ କାର୍ଯ୍ୟ ଦେଖି ନଈ ମୃଦୁ ମୃଦୁ ହସେ। ସେ ହସରେ ବିହ୍ବଳ ହୁଏ ନଦୀର ଦୁଇ କୂଳ ।ଅଭିଳାଷ ଅବାକ୍ ହୋଇ ଶୁଣେ ନଦୀର ସେ ହସ।ଏତେ ସୁନ୍ଦର ସେ ହସ କେତେ ମନଲୋଭା ,ସେ ମୁଗ୍ଧ ହୁଏ।ଅବାକ୍ ହୋଇ ଦେଖେ ସେ ନଈ ପାଣିକୁ।ସେ ଅନୁରୋଧ କରେ ନଈ କୁ ଆଉ ଥରେ ହସିବାକୁ ;" ପ୍ଲିଜ ଆଉ ଥରେ ହସ ନା !"


ନଈ ଆଉ ହସେ ନା। ଛଳନା କରେ ଅଭିଳାଷକୁ। ଅଭିଳାଷ ଭୟ ଦେଖାଇ ଆଉ ଥରେ ହସିବାକୁ କହେ ।ଆଉ ଧମକ ଦିଏ ନଈକୁ ଆଉ କୁହେ " ଯଦି ନ ହସ ତେବେ ମୁଁ ଚାଲିଯିବ ବହୁ ଦୂରକୁ ଅନେକ ଦୂରକୁ  ଆଉ ଆସିବନି କେବେ ବି "।


ଏତିକି କଥାରେ ନଈ ଅଭିମାନ କରି ବସେ। ତା ଉତ୍ତଳ ଢେଉ ନିରବି ଯାଏ। କଳ କଳ ମୁଖରିତ ଦୁଇ କୂଳ ହୋଇଯାଏ ନିଶ୍ଚଳ । ସ୍ରୋତହୀନ ହୁଏ ନଈ। ନଈ ପାଣିରେ ଆଉ ଢେଉ ଉଠେନା। ଗୁମସୁମ୍ ହୋଇଯାଏ ନଈ। ଅଭିଳାଷ କାକୁତି ମିନତି କରେ ।ଦି ହାତରେ ଆନ୍ଦୋଳିତ କରିବାକୁ ଚେଷ୍ଟା କରେ ପାଣିକୁ।କିନ୍ତୁ ଆଉ ହୁଏ ନା। ନଈ ଆଉ ହସେ ନା। କାହିଁକି ବା ହସିବ ?


ଅଭିଳାଷ ଜାଣି ନ ଥିଲା ନଈ ବି ଅଭିମାନ କରିପାରେ।ସେ ବି ଅନ୍ୟ ମାନଙ୍କ ପରି ଅଭିମାନିନୀ?? ତେବେ ଏମିତି ନିରବି ଯିବା କେବେ ସେ ଦେଖିନି ! ଏଇ ଟିକି କଥାରେ ନଈ ରୁଷି ଯିବ କେବେ ଭାବିନି ଅଭିଳାଷ ।ଏବେ ଅଭିଳାଷ ଅନୁତପ୍ତ । ଅସ୍ତ ବ୍ୟସ୍ତ ।ଏବେ ଭାବୁଛି କାହିଁକି କଷ୍ଟ ଦେଲା ନଈକୁ ?? ମନ ଦୁଃଖରେ ବସି ପଡିଲା ନଈ କୂଳରେ ହତାଶ ହୋଇ। ସ୍ଥିର ଆଖିରେ ଚାହି ରହିଲା ନଈ ପାଣିକୁ। ଅପେକ୍ଷା କଲା କେବେ ଅଭିମାନ ଭାଙ୍ଗିବ ତା ପ୍ରିୟ ନଈର।ଆଉ କେତେବେଳେ ଆଗ ପରି ହସି ଉଠିବ । ମୁଖରିତ ହେବ ଦି କୂଳ।ଉଦାସ ହୋଇଯାଏ ଅଭିଳାଷର ମନ ଦୁଃଖରେ।ସ୍ମୃତି ଚାରଣ କଲା ଅଭିଳାଷ ତା ଅତୀତର ଦିନଗୁଡିକୁ।


      ବିସ୍ତୀର୍ଣ୍ଣ ଗୋଟିଏ ମରୁଭୂମିରେ ଦିଗହରା ହୋଇ ଘୁରିବୁଲୁଥିଲା ଅଭିଳାଷ। ତୃଷ୍ଣାରେ ଛଟପଟ ହେଉଥିଲା ସେ। ଖୋଜୁଥିଲା ମୁନ୍ଦାଏ ପିଇବା ପାଣି। ଓଠ ଶୁଷ୍କ ହୋଇ ଫାଟି ସାରିଥିଲା। ଜିଭ ଯେମିତି ହୋଇ ଯାଇଥିଲା ଶକ୍ତ ଚଟାଣ ନିଦାଘରେ। ଡହଳ ବିକଳ ହୋଇ ଆଖି ଖୋଜୁଥିଲା ଅମୃତ।


  ଠିକ୍ ସେଇ ସମୟରେ ନଜର ପଡିଥିଲା ଏଇ ଛୋଟ ନଈ ଉପରେ।ଏଇ ନଈର ଶୀତଳ ପାଣି ପିଇ ତୃଷ୍ଣା ମେଣ୍ଟି ଥିଲା ଅଭିଳାଷର। ଶୁଖିଥିବା ଓଠରେ ଫେରିଥିଲା ସଜୀବତା।ଶକ୍ତ ପାଷାଣ ପରି ଜିଭଟା ହୋଇଥିଲା ଶୀତଳ ଆଉ ଲହୁଣୀ ପରି ନରମ।


ପୁରୁଣା କଥା ଭାବୁ ଭାବୁ ଅନୁତାପରେ କୋହ ଉଠିଲା ଛାତିରେ।  ଆଖିରୁ ଝରି ପ଼ଡିଲା ଦି' ଟୋପା ଲୁହ। ଅହରହ୍ ଅଶ୍ରୁ ଓଦା କଲା ନଈ ପଟାର ବାଲିକୁ। କେଜାଣି କେଉଠି ଥିଲା ବିଶ୍ଵାସର ପୁଞ୍ଜି  ,ସ୍ୱପ୍ନର ବୀଜ ଅଙ୍କୁରି ଉଠିଲା ଚାରା ଟିଏ ହୋଇ । ଦେଖୁ ଦେଖୁ ବଡ଼ ହୋଇଗଲା କେମିତି କେଜାଣି ହୋଇଗଲା ଏକ ବିରାଟ ଦ୍ରୁମ।ଏପଟେ କିନ୍ତୁ ଶୁଷ୍କ ବାଲିଚରରେ ନିରସ ଜଳ ଶୋଇଥାନ୍ତି ଚୂଆରେ। ଅଭିମାନୀ ନଈକୁ ଶୀତଳ କରୁଥିଲା ସେ ପ୍ରେମ ଗଛର ବିସ୍ତୀର୍ଣ୍ଣ ଛାଇ।


  ଅଭିଳାଷର ଏହି କୃତଜ୍ଞତାରେ ନଈ ଖୁସି ହୁଏ। ତା ଅଭିମାନ ଭାଙ୍ଗେ ଆଉ ହସେ। ଚୁଆରେ ଲୁଚି ଥିବା ପାଣିରେ ପୁରି ଉଠିଲା ନଈ। ପାଣି ଆନନ୍ଦରେ ଆହ୍ଲାଦିତ ହୋଇ ଉତ୍ତାଳ ହେଲେ ଢେଉ। ନଈ ମୁଖରିତ ହୋଇ ହସିବାକୁ ଲାଗିଲେ।ଏହା ଦେଖି ଅଭିଳାଷର ପ୍ରତୀକ୍ଷାର ଅନ୍ତ ଘଟେ।ଅଶ୍ରୁ ଭିଜା ଆଖିରେ ହସ ଖେଳେ।ଅଭିଳାଷର ହସରେ ନଈ ମୁଗ୍ଧ ହୁଏ,ଖୁସିରେ ନଈରେ ପୁଣି ସ୍ରୋତ ତିଆରି ହୁଏ।ଆଉ ହସରେ ଦୋହଲି ଯାଏ ନଈର ଦୁଇ କୂଳ।

   ଅଭିଳାଷ ତା କଷ୍ଟ ଭୁଲି ଦୌଡ଼ି ଯାଏ ନଈ କୂଳକୁ। ଅଣ୍ଟାଏ ପାଣିରେ ଓହ୍ଲାଇ ନିମଗ୍ନ ହୁଏ। ନଈ ବି ଆବୋରି ନିଏ ବ୍ୟାକୁଳ ହୋଇ। ତାର ଶୀତଳ ଜଳରେ ଆଲିଙ୍ଗନ କରେ ଅଭିଳାଷର ସାରା ଦେହ।ଆଉ କହୁଥାଏ କାନେ କାନେ;

"ଭଲ ପାଏ ତୁମକୁ! ମୋତେ ଛାଡ଼ି ଯାଅ ନି ତୁମକୁ ଭଲ ପାଏ ଅନେକ ଅନେକ ଭଲ ପାଏ।"

  ଅଭିଳାଷ ଆଶ୍ଵସ୍ତ କରେ ନଈକୁ କହେ, "ଯମଦୁତ ଛଡ଼ା ଆମକୁ କେହି ଅଲଗା କରି ପାରିବେନି। ଯେଉଁ ଦିନ ମୁଁ ମରିଯିବି ,ସେଦିନ ତୁମେ ମାେ ଶବକୁ ତୁମ ସ୍ରୋତରେ ଭସାଇ ନେଇଯିବ ଦୂରକୁ ବହୁ ଦୂରକୁ ନୀଳ ସମୁଦ୍ରକୁ। ପାରିବ ନି ??"


ଅଭିଳାଷର କଥା ଶୁଣି କିଛି ଆଉ କହେ ନାହିଁ ନଈ।ଭୟଭୀତ ହୁଏ ହରେଇ ଦେବାର ଆଶଙ୍କାରେ।ଆହୁରି ନିବିଡ ଆଲିଙ୍ଗନରେ ଭିଡି ଧରେ ଅଭିଳାଷକୁ।ତାକୁ ଆଉ ହରେଇବ ନି କେବେ ବି ଯେମିତି !!


ଆଉ ଆରମ୍ଭ ହୁଏ ସେମାନଙ୍କ ଭଲ ପାଇବା !!


Rate this content
Log in

More oriya story from Dharmaraj Majhi

Similar oriya story from Romance