ନିଛାଟିଆ ବର ଗଛରେ - ଅଧୁରା ପ୍ରେମ ଅପେକ୍ଷାରେ
ନିଛାଟିଆ ବର ଗଛରେ - ଅଧୁରା ପ୍ରେମ ଅପେକ୍ଷାରେ
ଜୟ +3 ପ୍ରଥମ ଶ୍ରେଣୀର ଛାତ୍ର ଅଟେ। ସେ ଜଣେ ମେଧାବୀ ଛାତ୍ର। +2ରେ ବେଷ୍ଟ 19 ସ୍ଥାନରେ ଥିଲା। ନୂଆ ନୂଆ କଲେଜ ଯାଇ ଥାଏ। ଘର ଠାରୁ ପ୍ରଥମ କରି ଦୂରରେ ହଷ୍ଟେଲରେ ରହୁଥାଏ। ଘରର ପରିବେଶ ଓ ହଷ୍ଟେଲର ପରିବେଶ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଅଛି। ଜୟକୁ ସେ ପରିବେଶ ଭଲ ଲାଗିଲା ନାହିଁ। ତେଣୁ ପ୍ରତି ଦିନ ସେ କ୍ଲାସ ସାରିଲା ପରେ ଲାଇବେରୀ ଯାଇ ପଢୁ ଥାଏ।
ଦିନକର କଥା। ତା ରୁମରୁ ସେ ଦେଖିଲା ଯେ ହଷ୍ଟେଲର ପଛ ପଟେ ପଡିଆରେ ଗୋଟିଏ ବଡ ଝାଙ୍କୁଳିଆ ବର ଗଛଟି ଅଛି। ହେଲେ ସେ ଗଛକୁ ଛାଡି ଦେଲେ ପଡିଆଟିରେ ଆଉ ଗୋଟିଏ ବି ଗଛ କି ଘାସ ସୁଧା ନାହିଁ। ଯେମିତି ଗଛଟି ପୁରା ନିଛାଟିଆ ଜାଗାରେ ଅଛି। ତାକୁ ଲାଗିଲା ସେଇ ନିଛାଟିଆ ଗଛ ମୂଳରେ ବସି ପଢିବାରେ ମଜା ଆସିବ। ସେଇ ଦିନ ଠାରୁ ଜୟ ସେଇ ନିଛାଟିଆ ଗଛ ମୂଳକୁ ଯାଇ ପାଠ ପଢେ। ପାଖାପାଖି ସନ୍ଧ୍ୟା ଆଠଟା ଯାଏଁ ପାଠ ପଢେ। ରାସ୍ତାର ଆଲୁଅ ପଢି ଥାଏ। ଗଛର ସୁଲୁସୁଲିଆ ମୃଦୁ ପବନରେ ପାଠ ପଢାବା ପାଇଁ ତାଙ୍କୁ ଭଲ ଲାଗେ। କିଛି ଦିନ ଗଲା ପରେ ଦିନେ ସନ୍ଧ୍ୟା ସାତଟା ପାଖାପାଖି ଜୟର ହଠାତ୍ ଗଛ କଡରେ ପଡି ଥିବା ଗୋଟିଏ ପୁସ୍ତକଟି ପାଇଲା। ପୁସ୍ତକଟିର ନାମ ହେଉଛି ଅଧୁରା ପ୍ରେମର ଅପେକ୍ଷାରେ । ପୁସ୍ତକଟି କାହାର କହି ଜୟ କାଢି ଟିକେ ପଢିଛି କି ନାହିଁ ସେଠାକୁ ଗୋଟିଏ ସୁନ୍ଦରୀ ଝିଅଟି ଆସିଲା। ସେ ଆସି ଧୀର ନମ୍ର ସ୍ୱରରେ କହିଲା ସେଇ ପୁସ୍ତକଟି ମୋର। ମୁଁ ଆଜି ଦିପହର ସମୟରେ ପଢୁ ଥିଲି। କ୍ଲାସ ସମୟ ହୋଇଯିବାରୁ ତରତରରେ ଛାଡି ପଳାଇଲି।
ଜୟ : ହଁ ମୁଁ ଟିକିଏ ପଢିବା ଆରମ୍ଭ କରି ଥିଲି। କାହାଣୀଟି ଭଲ ଲାଗିଲା।
ଝିଅଟି : ହଁ ମୁଁ ଲେଖିଛି। କାଲି ହିଁ ପ୍ରିଣ୍ଟ ହୋଇ ଆସିଛି।
ଜୟ : ଆଚ୍ଛା ! କାହାଣୀ ତ ବହୁତ ସୁନ୍ଦର ଆରମ୍ଭ ହୋଇଛି।
ଝିଅଟି : ହଁ। ମୋ ନିଜ ନାମରେ ମୁଁ ମୁଖ୍ୟ ଚରିତ୍ରର ନାମ ଦେଇଛି କାମିନି।
ଜୟ : ବହୁତ ସୁନ୍ଦର ନାମ।
କାମିନି ଆକର୍ଷଣ ଭରା ଦୃଷ୍ଟିରେ ପଚାରିଲା ଆପଣ ମୋର ବହି ପଢିବେ ?
ଜୟ : ହଁ ନିହାତି। ମୋତେ ଆପଣ ନ କହି ତୁମେ କହିଲେ ଭଲ ଲାଗିବ।
କାମିନି : ହଁ।
ଜୟ : ମୋ ପାଖରେ ତ ଏ ବହି ନାହିଁ।
କାମିନି : ହଷ୍ଟେଲ ନେଇ ଯାଆନ୍ତୁ। ମୁଁ କାଲି ଏଇ ସମୟରେ ଆସିବି ଏଠାକୁ।
ଜୟ : ଆଚ୍ଛା ତୁମ ଘର କେଉଁଠି?
କାମିନି ଟିକିଏ ଅଟକି ଯାଇ କହିଲା ମୋ ଘର ଯେଉଁଠି ତୁମେ ଆସି ପାରିବ ନାହିଁ।
ଜୟ : ମାନେ, ମୁଁ କିଛି ବୁଝି ପାରିଲି ନାହିଁ।
କାମିନି : ମାନେ ହେଉଛି ପାଖ ଲେଡିଜ ହଷ୍ଟେଲରେ ମୋ ମାଆ ରୋଷେଇ କରନ୍ତି। ବାପା ଛୋଟ ବେଳୁ ମରି ଯାଇଛନ୍ତି। ତାପର ଠାରୁ ମୁଁ ଓ ମାଆ ସେଠାରେ ରହୁ। ତେଣୁ ମୁଁ କହିଲି ତୁମେ ସେଠାକୁ ଯାଇ ପାରିବ ନାହିଁ।
ଜୟ ହସି କହିଲା ଅହଃ।
କାମିନି କହିଲା ହଉ ମୁଁ ଆସେ ରାତି ହେଲାଣି।
ଜୟ ବି ବାଏ କହି ହଷ୍ଟେଲକୁ ପଳାଇ ଆସିଲା। ଆଉ ରାତିରେ କାମିନିର ସେଇ ପୁସ୍ତକ ଟିକୁ ପଢିଲା। କାହାଣୀଟି ଆରମ୍ଭ ହୋଇଛି ଗୋଟିଏ ପ୍ରେମ କାହାଣୀ। ଯେଉଁଥିରେ କାହାଣୀର ମୁଖ୍ୟ ଅଭିନେତ୍ରୀ କାମିନି ନୂଆ ନୂଆ କଲେଜ ଯାଉ ଥାଏ ପାଠ ପଢିବା ପାଇଁ। ତାର ରୂପ ସମସ୍ତଙ୍କୁ ଆକର୍ଷିତ କରୁ ଥାଏ। ହେଲେ କାମିନିର ସବୁବେଳେ ତାର ପାଠ ପଢା ଉପରେ ଧ୍ୟାନ ଥାଏ। କିଛି ମାସ ପରେ ସେଇ କଲେଜକୁ ସୁବୋଧ ବୋଲି ଗୋଟିଏ ଛାତ୍ର ଟ୍ରାନ୍ସଫର ଆଡମିଶନ ହୋଇ ଥାଏ। ସୁବୋଧ ଟିକିଏ ଲାଜକୁଳା ଥିଲା। ତେଣୁ ଉପର କ୍ଲାସର ଛାତ୍ରମାନେ ରେଗିଂ କରୁ ଥିଲେ। ଦିନେ କାମିନି ଲାଇବେରି ଯାଉଥିବା ସମୟରେ ରେଗିଂ ପାଇଁ କାମିନି ଓ ସୁବୋଧଙ୍କୁ ବାଛିଲେ। କଲେଜ ମଝିରେ ସମସ୍ତଙ୍କ ସାମ୍ନାରେ ସେମାନେ ସୁବୋଧଙ୍କୁ କାମିନି କୁ ଭଲ ପାଉଛି ବୋଲି କହି ଓଠରେ ଚୁମ୍ବନ ଦେବା ପାଇଁ କହିଲେ। ସୁବୋଧ ଓ କାମିନି ପାଇଁ ଏ ସବୁ ବହୁତ ଅଡୁଆ ଥିଲା ତଥାପି ରେଗିଂ ଡରରେ ଦୁହେଁ କରିଲେ। ହେଲେ ଯୌବନର ଆରମ୍ଭ ପାହାଞ୍ଚରେ ପରସ୍ପର ଏମିତି ଭାବରେ ଯୋଡି ହେଲେ ତ ପ୍ରେମ କାହାର ନ ହେବ। ପୁଣି ସମାନ ଶ୍ରେଣୀରେ ଦୁହେଁ ପଢୁ ଥାଆନ୍ତି। କଲେଜ ପରେ ଦୁହେଁ ପୁଅମାନଙ୍କ ହଷ୍ଟେଲର ପଛପଟ ଜଙ୍ଗଲକୁ ଯାଇ ଗୋଟିଏ ବର ଗଛ ମୂଳରେ କଥା ହୁଅନ୍ତି। ପ୍ରେମ କରନ୍ତି। ହେଲେ କେବେ ନିଜ ସୀମା ପାର କରି ନାହାଁନ୍ତି। କାମିନିର ଉପର ଶ୍ରେଣୀରେ ମାନେ +3 ପ୍ରଥମ ବର୍ଷରେ ପଢୁ ଥିବା ବମନର ଖରାପ ଦୃଷ୍ଟି ଥାଏ। ହେଲେ ଏ କଥା ସୁବୋଧ କି କାମିନି ବୁଝି ପାରୁ ନ ଥାଆନ୍ତି। ଏତିକି ପଢୁ ପଢୁ ଜୟର ଆଖି ଲାଗିଛି କେତେବେଳେ ସେ ଆଉ ଜାଣି ପାରି ନାହାଁନ୍ତି। ସକାଳୁ ଉଠି ତରତର ହୋଇ କଲେଜ ଯାଇଛନ୍ତି। କଲେଜରୁ କ୍ଲାସ ସାରି ଆସୁ ଆସୁ ଡେରି ହୋଇ ଯାଇଛି। ପୁଣି ସପ୍ତାହେ ପରେ ପ୍ରଥମ ସେମିଷ୍ଟାରର ଇଣ୍ଟର୍ନାଲ ପରୀକ୍ଷା ଅଛି ଆଉ ମାସେ ପରେ ପ୍ରଥମ ସେମିଷ୍ଟାର ର ଫାଇନାଲ ପରୀକ୍ଷା ହେବ ଶୁଣି ସେ ପଢା ପଢିରେ ବ୍ୟସ୍ତ ହୋଇ ଯାଇଛନ୍ତି। ଆଉ ତାଙ୍କର ଅଧୁରା ପ୍ରେମର ଅପେକ୍ଷାରେ ପୁସ୍ତକ କଥା ମନେ ନାହିଁ। କିନ୍ତୁ କାମିନି କହି ଥିବା ସମୟ ଅନୁସାରେ ଆସି ପହଞ୍ଚିଲା। କାମିନିକୁ ଦେଖି ଜୟ କହିଲା Sorry ମୁଁ ପୁସ୍ତକଟିକୁ ଅଧା ପଢିଛି। ପୁରା ପଢି ପାରି ନାହିଁ। ଟିକିଏ ରୁହ ମୁଁ ହଷ୍ଟେଲରୁ ଆଣି ଦେଉଛି।
କାମିନି : ନା ନା ଥାଉ। ତୁମେ ପଢି ସାରି କି ଦେବ। ହେଲେ ଗୋଟିଏ କଥା ମୋ ସେ ପସ୍ତକକୁ ତୁମ ଛଡା ଯେମିତି ଆଉ କେହି ନ ପଢନ୍ତୁ। ନ ହେଲେ ମୋ କାହାଣୀ ବଜାରକୁ ଆସିବା ଆଗରୁ ସବୁ ପଢି ଦେବେ ଆଉ କେହି କିଣିବେ ନାହିଁ। ଜୟ ବି ହଁ କହିଲା। ଜୟ ଆଉ କାମିନି କିଛି ସମୟ ବସି ଭଲ ମନ୍ଦ କଥା ହେଲେ।
ଏମିତି ପ୍ରତିଦିନ ଜୟ କାମିନି ସହ ସନ୍ଧ୍ୟା ସମୟରେ ସେଇ ନିଛାଟିଆ ବର ଗଛ ପାଖରେ ଦେଖା କରେ। ଆସ୍ତେ ଆସ୍ତେ ଜୟ ମନରେ କାମିନି ପ୍ରତି ଭଲ ପାଇବା ଭାବନା ଆସିଲାଣି।
ପରୀକ୍ଷା ସରି ଯାଇଥାଐ। ଜୟର କିନ୍ତୁ ଆଉ ସେ ପୁସ୍ତକ କଥା ମନେ ନ ଥାଏ। ସେଦିନ ସନ୍ଧ୍ୟା ରେ କାମିନିକୁ ପ୍ରେମ ଭାବନା କହିବା ପାଇଁ ଯାଇଥାଏ। କାମିନିକୁ କହିବା ସମୟରେ ହଠାତ୍ ହଷ୍ଟେଲର ଛାତରୁ ଜୟର ସାଙ୍ଗ ରୂପେଶ ଫୋନ କରି ପଚାରିଲା ତୁ ସେ ନିଛାଟିଆ ଗଛ ପାଖରେ କଣ କରୁଛୁ। ଏମିତି ପାଗଳ ପରି କଣ ହେଉଛୁ।
ଜୟ : ଆରେ ମୁଁ ଏକୁଟିଆ କାହିଁ କାମିନି ପରା ମୋ ସହ ଅଛି। ରୂପେଶ : ତୋ ପାଖରେ ସେ ନିଛାଟିଆ ଗଛ ଛଡା ଆଉ କେହି ନାହାନ୍ତି।
ଜୟ : ଆରେ ମୁଁ ପରା କାମିନି ସହ କଥା ହେଉଛି।
ରୂପେଶ : ତୁ ଏକା ଅଛୁ ସେଇଠି।
ଜୟ : ତୁ ତଳକୁ ଆ ମୁଁ ଯାଉଛି ତୋ ପାଖକୁ।
ଜୟ କାମିନି କୁ ଅପେକ୍ଷା କରିବା ପାଇଁ କହି ରୂପେଶ ପାଖକୁ ଗଲା ଏବଂ ରୂପେଶ କୁ ନେଇ ସେଇ ନିଛାଟିଆ ଗଛ ପାଖକୁ ଗଲା। ହେଲେ ସେଠି କାମିନି ନ ଥାଏ।
ଜୟ କହିଲା ଲାଜରେ ବୋଧେ ସେ ପଳାଇଲା। କିଛି ଦିନ ଧରି ରୂପେଶ ସହ ଜୟ ସେଠାକୁ ଗଲା। ହେଲେ କାମିନିର ଦେଖା ନ ଥାଏ। ଶେଷରେ ରୂପେଶ ଲୁଚି ରହିଲା ଆଉ ଜୟ ନିଛାଟିଆ ଗଛ ପାଖକୁ ଗଲା ହେଲେ କାମିନି ଆସିଲା ନାହିଁ।
ରୂପେଶ ଶେଷରେ କହିଲା ଏ ସବୁ ତୋ ମନର ଭ୍ରମ। ଜୟ କିନ୍ତୁ ମାନିବା ପାଇଁ ନାରାଜ।କଣ ପାଇଁ ନା ସେ କାମିନିକୁ ଭଲ ପାଉଥିଲା। ସେ କାମିନିର ରୂପ ବର୍ଣ୍ଣନା କଲା। ରୂପେଶ ଭଲ ଚିତ୍ର କରୁଥିବାରୁ ସେ କାମିନିର ଫୋଟୋ ଆଙ୍କିଲା ଏବଂ ପାଖ ଲେଡିଜ ହଷ୍ଟେଲରେ ଥିବା ଗୋଟିଏ ଝିଅ ସାଙ୍ଗକୁ ଦେଇ ବୁଝିଲା। ଯାହା ଜାଣିଲେ ସେ ସବୁ ରୂପେଶ ଓ ଜୟର ମୁଣ୍ଡ ଖରାପ କରି ଦେଲା।ସେମାନେ ଜାଣିଲେ ଯେ ପୁସ୍ତକରେ ଥିବା କାମିନିର କାହାଣୀ ପ୍ରକୃତରେ କାମିନିର ନିଜ ଜୀବନ କାହାଣୀ। ବମନ ସୁବୋଧ ଓ କାମିନି ସହ ଭଲ ବନ୍ଧୁତା ସ୍ଥାପନ କଲା। ଦିନେ ବମନ ନିଜ ମନର କଥା କାମିନିକୁ କହିବାରୁ କାମିନି ତାକୁ ଜୋରରେ ଚଟକଣା ଟିଏ ମାରିଲା। ବମନକୁ ଅପମାନ ହେଲା। ବମନ କିନ୍ତୁ ଆସି କ୍ଷମା ମାଗିଲା। ହେଲେ କିଛି ଉପର ଶ୍ରେଣୀର ଟୋକା ମାନେ ହଷ୍ଟେଲରେ ସୁବୋଧର ରେଗିଂ କରିଛନ୍ତି। ଆଉ ଦିନେ ସକାଳୁ ସୁବୋଧ କାହାକୁ କିଛି ନ କହି କୁଆଡ଼େ ପଳାଇଲା ତାହା ରହସ୍ୟମୟ ହୋଇ ରହିଗଲା। କାମିନି ସୁବୋଧକୁ ଖୋଜୁ ଥାଏ। ହଠାତ ସୁବୋଧ ରୁମର ଗୋଟିଏ ପିଲା ଆସି ଚିଠି ଟିଏ ଦେଲା। ସେଥିରେ ଲେଖା ହୋଇ ଥିଲା ଯେ ସେ ରେଗିଂ ସହି ନ ପାରି ହଷ୍ଟେଲ ଛାଡ଼ି ଯାଉଛି। ଆଉ ସନ୍ଧ୍ୟା ସମୟରେ ସେଇ ବରଗଛ ମୂଳରେ ଦେଖା କରିବ।
ସନ୍ଧ୍ୟା ପାଖାପାଖି ସାତଟା ଯାଏଁ ସେଇ ଜଙ୍ଗଲର ବରଗଛ ମୂଳେ କାମିନି ତାକୁ ଅପେକ୍ଷା କରିଥାଏ। ହେଲେ ସୁବୋଧ ଆସିଲା ନାହିଁ। ହଠାତ ତିନି ଜଣ ମାସ୍କ ପିନ୍ଧି ଆସିଲେ ଏବଂ କାମିନିକୁ ଜଣ ଜଣ କରି ବଳାତ୍କାର କଲେ। ସେ ପାଟି କରୁ ଥାଏ। ହେଲେ ଜଙ୍ଗଲ ଭିତର ପାଟି ଶୁଣା ଗଲା ନାହିଁ। ଶେଷରେ କାମିନି ଜଣଙ୍କ ମୁହଁ ଖୋଲି ଦେଖିଲା ଯେ ସେ ବମନ। ଆଉ ଦୁଇ ଜଣ କିଏ ସେ ଜାଣି ପାରିଲା ନାହିଁ। ବମନ ପ୍ରକୃତରେ ତାକୁ ମାରିବାକୁ ଚାହୁଁ ନ ଥିଲା ହେଲେ କାମିନି ତା ମୁହଁ ଦେଖି ନେଇ ଥିବାରୁ ତାକୁ ସେଇ ବର ଗଛ ଡାଳରେ ତାହାରି ଡାଳରେ ଫାଶୀ ଟାଙ୍ଗି ମାରି ଦେଲେ। କାମିନି ରାତିରେ ନ ଫେରିବାରୁ ତାକୁ ଖୋଜି ଖୋଜି ପୋଲିସ କୁକୁର ସାହାଯ୍ୟରେ କାମିନିର ଅର୍ଧ ନଗ୍ନ ଶରୀରକୁ ସେଇ ବର ଗଛରୁ ଉଦ୍ଧାର କଲେ। ହେଲେ କିଏ ମାରିଛି ତାର ପ୍ରମାଣ ମିଳିଲା ନାହିଁ। ତାପରେ ଦିନେ ସପନରେ କାମିନି ତାର ଡାଏରୀରେ ଲେଖା ହୋଇ ଥିବା ଜୀବନୀ ବିଷୟରେ କହିଲା। ଆହୁରି ସେ କହିଲା ଯେ ବମନ ଆଉ ତାର ଦୁଇ ସାଙ୍ଗ ଏ ସବୁ କରିଛନ୍ତି। ସେ ବମନକୁ ମାରି ସାରିଛି। ଆଉ ଦୁଇ ସାଙ୍ଗକୁ ନ ମାରିବା ଯାଏଁ ସେ ଏ ଦୁନିଆରେ ଅତୃପ୍ତ ଆତ୍ମା ହୋଇ ସେଇ ବର ଗଛରେ ରହିବ। ତାର ଆଉ ଗୋଟିଏ ଇଚ୍ଛା ତାର ଜୀବନୀଟିକୁ ଗୋଟିଏ ପୁସ୍ତକରେ ପ୍ରକାଶ କରାଯାଉ। ଯେମିତି ସୁବୋଧ ସେ ପୁସ୍ତକଟିକୁ ପଢି ଜାଣିବ ଯେ ତାଙ୍କର ପ୍ରେମିକା ସହ କଣ ହୋଇଛି। ପୁସ୍ତକଟିକୁ ଛପା କରି ନେଇ ଆସିଲା ବେଳକୁ କାମିନିର ମାଆ ରାସ୍ତା ଦୁର୍ଘଟଣାରେ ମରି ଗଲେ ।ତାଙ୍କ ସହ ସେ ପୁସ୍ତକଟିକୁ ସମାଧି ଦିଆ ହେଲା। ହେଲେ ଆଜି ବି କାମିନିର ଆତ୍ମା ସେଇ ଦୁଇ ଅପରାଧୀଙ୍କ ଅପେକ୍ଷାରେ ଅଛି।ଆଉ ସେଇ ଜଙ୍ଗଲକୁ କାଟି କଲେଜକୁ ବଢା ଗଲା। ହେଲେ ସେଇ ବର ଗଛକୁ କେହି ବି କାଟି ପାରିଲେ ନାହିଁ। ପୂଜା କଲେ ମଧ୍ୟ କାମିନିର ଅତୃପ୍ତ ଆତ୍ମା ଶାନ୍ତି ପାଇଲା ନାହିଁ। ଆଉ ବରଗଛ ପାଖରେ ଥିବା ଛୋଟ ଛୋଟ ଘାସ ସବୁ ଆପେ ଆପେ ଜଳି ଟାଙ୍ଗରା ହୋଇ ଗଲା। ନିଛାଟିଆ ଗଛ ଭାବେ ସେଇ ଗଛରେ କାମିନି ଅପେକ୍ଷା କରି ରହିଛି ନ୍ୟାୟ ଓ ଅଧୁରା ପ୍ରେମର କାହାଣୀକୁ ନେଇ। ଏ ଘଟଣା ପରେ କେହି ବି ସେ ବର ଗଛ ପାଖକୁ ଡରି ଗଲେ ନାହିଁ। ଆଉ ଏ ବିଷୟରେ ନ ଜାଣି ଜୟ ସେଠାକୁ ଗଲା। ତେଣୁ କାମିନି ଆସି ତାକୁ ତାର ଜୀବନୀ ବିଷୟରେ ଜଣାଇବା ପାଇଁ ସେ ପୁସ୍ତକଟିକୁ ଦେଲା।
ଜୟ ସେ ପୁସ୍ତକଟିକୁ ପଢି ଜାଣିଲା ସେଥିରେ କାମିନିର ମୃତ୍ୟୁ ପର୍ଯ୍ୟନ୍ତ ସବୁ କଥା ଲେଖା ହୋଇଛି। ଜୟ କଣ କରିବ ବୁଝି ନ ପାରି ସେ ପୁସ୍ତକଟିକୁ ଧରି ଝରକା ପଟୁ ସେଇ ବର ଗଛକୁ ଚାହିଁ ରହି ଥାଏ ଏବଂ ଭାବୁ ଥାଏ କାମିନି ଖରାପ ଆତ୍ମା ନୁହେଁ। ନହେଲେ ସେ ତାକୁ ମାରି ସାରି ଥାଆନ୍ତି।
ସେଇ ସମୟରେ କାମିନିର ଆତ୍ମା ତାକୁ ସେଇ ନିଛାଟିଆ ବର ଗଛରୁ ଡାକିଲା। ସାହାସ କରି ଜୟ ସେଠାକୁ ଗଲା। ଜୟକୁ କାମିନି କହିଲା ସେ ତାର ଶକ୍ତି ବଳରେ ଆଉ ଦୁଇ ଅପରାଧୀ ଙ୍କୁ ମାରି ସାରିଛି। ହେଲେ ଶେଷ ଥର ପାଇଁ ସେ ସୁବୋଧଙ୍କୁ ଦେଖା କରିବାକୁ ଚାହୁଁଛି। ସୁବୋଧ ଆସି ତାକୁ ସିନ୍ଦୂର ପିନ୍ଧାଇଲେ ସେ ମୁକ୍ତି ପାଇ ଯିବ। ସେଇ ନିଛାଟିଆ ବର ଗଛରେ - ଅଧୁରା ପ୍ରଥମ ଅପେକ୍ଷାରେ ଜଗି ରହିଛି କାମିନି । ତେଣୁ ତାର ଜୀବନୀ ପୁସ୍ତକକୁ ପ୍ରଚାର କରା ଯାଉ।
ଜୟ କାମିନି କହିବା ଅନୁସାରେ ସବୁ କଲା। ପୁସ୍ତକ ପଢି ସୁବୋଧ ଆସି କିଛି ଦିନ ପରେ ସନ୍ଧ୍ୟା ସମୟରେ ଜୟକୁ ଦେଖା କଲା। ସୁବୋଧ କହିଲା ହଷ୍ଟେଲ ଛାଡିଲା ବେଳକୁ ସେ ବମନକୁ ତାର ନୂଆ ଫୋନ ନମ୍ବର ଦେଇ କହିଥିଲା ଯେ କାମିନିକୁ ଦେବା ପାଇଁ। କିନ୍ତୁ ବମନ ଫୋନ କରି କହିଲା କାମିନି ର ମାଆ ସବୁ ଜାଣି ପାରି କାମିନିର ବାହାଘର ଠିକ କରି ଦେଇଛନ୍ତି। ତେଣୁ ସୁବୋଧ ଆଉ କେବେ ଘୁରି କି ସେ କଲେଜକୁ ଆସିଲା ନାହିଁ। ସୁବୋଧ ଏକୁଟିଆ ଗଲା ସେଇ ନିଛାଟିଆ ବର ଗଛ ପାଖକୁ। ସେଠାରେ କାମିନିର ପ୍ରେତ ଅପେକ୍ଷା କରି ରହି ଥାଏ ତାର ଅଧୁରା ପ୍ରେମକୁ। କାମିନି ସୁବୋଧ କୁ ଦେଖି ଭୋ ଭୋ ହୋଇ କାନ୍ଦିଲା।ଦୁହେଁ ଦୁହିଁଙ୍କୁ ଚାହିଁ ରହି ଥାଆନ୍ତି। ସୁବୋଧ ଆଖିରୁ ଲୁହ ବହି ଯାଉଥାଏ। ଶେଷରେ କାମିନି କହିଲା ସେଇ ବରଗଛକୁ ସିନ୍ଦୂର ପିନ୍ଧାଇ ତାକୁ ମୁକ୍ତି କରିବା ପାଇଁ ଏବଂ ସେ ଯାଇ ଗଛ ଉପରେ ବସିଲା। ସୁବୋଧ କାମିନି କହିବା ଅନୁସାରେ ବର ଗଛକୁ ସିନ୍ଦୂର ପିନ୍ଧାଇଲେ। ଆଉ ସେ ନିଛାଟିଆ ବର ଗଛଟି ଆପେ ଜଳି ପାଉଁଶ ହୋଇଗଲା ଏବଂ କାମିନିର ଅତୃପ୍ତ ଆତ୍ମା ମୁକ୍ତି ପାଇଲା। ଜୟ ତାପରେ ସେ ହଷ୍ଟେଲରେ ନ ରହି ଅଲଗା ଜାଗାରେ ରହି ପାଠ ପଢିଲେ। ଏବେ ବି କାମିନିର ସ୍ମୃତି ଭାବରେ ଅଧୁରା ପ୍ରେମର ଅପେକ୍ଷାରେ ପୁସ୍ତକଟି ଜୟ ପାଖରେ ଅଛି।


