ନାସ୍ତିକ
ନାସ୍ତିକ
ମା ଦିନେ ପୁଅ ଆଦିତ୍ୟକୁ କହିଲା , ପ୍ରତିଦିନ ଗାଧୋଇସାରି ଟିକେ ଠାକୁରଙ୍କୁ ମୁଣ୍ଡିଆ ମାରୁନୁ ? ପୁଅ ଉତ୍ତର ଦେଲା , ଫଟୋରେ ଭଗବାନ ଅଛନ୍ତି ବୋଲି ମୋର ବିଶ୍ୱାସ ନାହିଁ । ପିଲାଟା ମୁହଁରୁ ଏପରି କଥା ଶୁଣି ମା ଟିକେ ଶଙ୍କିତ ହୋଇପଡିଲା ।
ଏଇ ଘଟଣାର କିଛିଦିନ ପରେ ହାତରେ ଗୋଟିଏ ଛୋଟ ବିଲେଇ ପିଲା ଧରି ମା କୁ ଡାକ ଛାଡିଲା ପୁଅ । ଜୋର ପାଟିରେ କହୁଥିଲା , ମାମା ଜଲଦି ଫାଷ୍ଟ ଏଡ଼ ବକ୍ସ ଟା ଆଣିଲୁ ।
ପୁଅ ହାତରେ ବିଲେଇ ଛୁଆଟିକୁ ଦେଖି ମା ପାଟିକରି କହିଲା , ଏସବୁ କଣ ହେଉଛି ? ରାସ୍ତାରୁ ଜୀବଜନ୍ତୁ ଉଠେଇଆଣି ଘରେ ପୁରାଉଛୁ ? ଏଠି ତା କଥା କିଏ ବୁଝିଵ ?
ମା ମୁହଁକୁ ଚାହିଁ ପୁଅ କହିଲା , ଜୀବଟିଏ ପ୍ରତି ଯଦି ଦୟା ନାହିଁ, ଠାକୂରଘରେ ବସି ଭଗବାନଙ୍କ ନାଁରେ ଅଯଥାରେ କାହିଁକି ଘଣ୍ଟି ବାଡ଼ଉଛୁ ? ନିଜ ଗାଡ଼ିରେ ବିଲେଇଟିକୁ ପିଟିଦେଇ ଆଗକୁ ପଳେଇଥିବା ଲୋକ ଆଉ ତୋ ଭିତରେ ଫରକ କଣ ଅଛି ?
କିଛି ଉତ୍ତର ନ ଦେଇ ଫାଷ୍ଟ ଏଡ଼ ବକ୍ସ ଟିକୁ ଆଣି ପୁଅ ପାଖରେ ଥୋଇଦେଇଥିଲା ମା ! ଟିକେ ଦୂରରେ ବସି ଦେଖୁଥିଲା ପୁଅର ସେବା ଆଉ ଯତ୍ନ ପାଇ କ୍ଷତାକ୍ତ ବିଲେଇ ଛୁଆଟି କେମିତି ଉଁ ଉଁ ହୋଇ ତା କୋଳରେ ଶୋଇଯାଉଛି ଯେମିତି କେତେ ଯୁଗରୁ ସେ ତାକୁ ଚିନ୍ହିଛି ଜାଣିଛି ।
ମା ମନରୁ ପୁଅଟା ନାସ୍ତିକଟିଏର ଡର ଉଭେଇ ଯାଉଥିଲା ।