ନାରୀତ୍ୱର ସଂଜ୍ଞା
ନାରୀତ୍ୱର ସଂଜ୍ଞା


"କିନ୍ତୁ ପାଇଁ ତୁମେ ମିଛ କହିଲ? କଣ ପାଇଁ ମୁଁ ଅନାଥାଳୟରେ ବଢିଥିବା ଅନାଥଟେ ବୋଲି ତୁମ ପରିବାରକୁ କହିଲ? "ଉଭୟ କ୍ରୋଧ ଓ କୋହ ଭରା କଣ୍ଠ ରେ ଅନିତା ପ୍ରଶ୍ନ କରୁଥିଲା ତା ପ୍ରେମିକ ଉଦୟକୁ। ଅନିତା ଆଖିକୁ ସାମ୍ନା କରିନପାରି ଉଦୟ ବିପରୀତ ଦିଗକୁ ମଥାନତ କରି ଛିଡା ହେଇଥାଏ, ବାରମ୍ବାର ପ୍ରଶ୍ନ ପରେ ଶେଷରେ ଉଦୟ କହିଲା, "ସବୁକିଛି ଠିକ ଥିଲା, ଆମ ଘରେ କୌଣସି ଆପତ୍ତି ନାହିଁ, କିନ୍ତୁ ତୁମ ମାଆ! ତୁମ ମାଆଙ୍କ ସମ୍ପର୍କ ଆମ ଘରେ ଗ୍ରହଣୀୟ ନୁହେଁ।
"ମୋ ମାଆ!, ହୁଁ, ସମୟ ବଦଳିଲାଣି ଉଦୟ, ତୁମ ଘରେ ଆଜି ଯାଏ ମଣିଷ ଜାଣିପାରିଲେନି, ମୁଁ ଜାଣେ ଜଣେ ସହଜରେ ଗ୍ରହଣ କରିବା ସମ୍ଭବ ନୁହେଁ.. କିନ୍ତୁ ମଣିଷକୁ ମଣିଷ ବୋଲି ଗ୍ରହଣ କରିବା ଉଚିତ। "
"ମୁଁ ଜାଣେ ଅନିତା, ହେଲେ.. !" ଥର ଥର କଣ୍ଠ ରେ ଉଦୟ କହୁଥିଲା.. ସତେ ଅବା ସେ ଜୀବନର ଏଇ ଦୋଛକି ରେ ଫସି ଯାଇଥିଲା.. କିନ୍ତୁ ଭୁଲ କାହାର !
କଥା ନସରୁଣୁ ଅନିତା ପୁଣି କହିଲା,"ମୋତେ କ୍ଷମା ଦେବ, ତୁମ କୁ ମୁଁ ଭଲପାଏ ଏହା ସତ.. କିନ୍ତୁ ମୋ ମାଆ ମୋ ଜୀବନ.. ସେ ନାରୀ ନହେଇ ବି ମୋ ପାଇଁ ନାରୀ ନୁହେଁ ସ୍ୱୟଂ ନାରାୟଣୀ।" ସେଦିନ ମେଳାରେ ଯେତେବେଳେ ମୋ ନିଜ ବାପା ମାଆ ଅଲୋଡ଼ା ଝିଅଟେ ଭାବି ଛାଡ଼ିଯାଇଥିଲେ, ସେତେବେଳେ ସେଇ ତୃତୀୟଲିଙ୍ଗୀ ବ୍ୟକ୍ତିଟି ମମତା ର ଗଙ୍ଗା ବୁହାଇ ମୋତେ କୋଳେଇ ନେଇଥିଲେ। ତୁମ ପରିବାର ଆଖିରେ ସେ ନାରୀ ନହେଇପାରେ କିନ୍ତୁ ମୋ ପାଇଁ ସେ ନାରୀତ୍ୱର ପ୍ରକୃତ ପରିଚୟ.. ସେ ନିଜେ ନଖାଇ ମୋ ପେଟକୁ ଦାନା ଦେଇଛି.. ସେ ପରିବେଶ ରେ ବି ସମସ୍ତଙ୍କ ଦୃଷ୍ଟିରୁ ମୋତେ ବଞ୍ଚେଇ ପାଠ ପଢ଼େଇଛି.. "ୟା ପରେ ବି ଏକ ମିଛ ର ସାହାରା ନେଇ ମୁଁ ତୁମ ହାତ ଧରିପାରିବିନି, ମୋତେ କ୍ଷମା କରିଦିଅ.. ମୁଁ ଜାଣେ ମୋ ମାଆ ଜାଣିଲେ ସେ ତୁମ କଥା ରେ ଅଚିରେ ରାଜି ହେବ, କିନ୍ତୁ ମୁଁ ପାରିବିନି.. ମୋତେ କ୍ଷମା କରିଦିଅ.. "ଏହା କହି ଅନିତା ସେ ସ୍ଥାନ ଛାଡି ଚାଲିଗଲା । ସ୍ତମ୍ଭ ଟେ ପରି ଛିଡା ହେଇ ଉଦୟ ଖାଲି ଭାବୁଥାଏ..ଭାବୁଥାଏ କିଏ ଠିକ କିଏ ଭୁଲ!ଅସହାୟ ପୁରୁଷ ଟେ ପାଖେ ନାରୀତ୍ୱ ର ସଂଜ୍ଞା ଭାବିବା ଛଡା ଆଉ କିଛି ବାଟ ନଥାଏ ।