Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sachidananda Kar

Romance Others

3.5  

Sachidananda Kar

Romance Others

ମ୍ୟାମ୍ କାହା ପ୍ରେମରେ

ମ୍ୟାମ୍ କାହା ପ୍ରେମରେ

2 mins
3.3K



         ମ୍ୟାମ୍ ଭେରି ରୋମାଣ୍ଟିକ।


         ସବୁ ସମ୍ଭ୍ରାନ୍ତ ପତ୍ରିକାରେ ଏବେ ଆସୁଛନ୍ତି ସେ।


         ଗପ,କବିତା - ସବୁ ରୋମାଣ୍ଟିକ।


         ପ୍ରେମରେ ନ ଥିଲେ ସତରେ କେହି ଜଣେ କ'ଣ ଏତେ ରୋମାଣ୍ଟିକ ଲେଖା ଲେଖିପାରେ !


         ମ୍ୟାମ୍ ଙ୍କୁ ନେଇ ସୁନାରଙ୍ଗର ଏଇ କଥା ସବୁ ଏବେ ଖେଳେଇ ହୋଇ ଯାଉଛି ସାରା ଅଫିସରେ।ମଗୁଶୀରର ପବନ ଧାନ କ୍ଷେତକୁ ଖୁସି ଆଣି ଦେଲା ଭଳି ସମସ୍ତଙ୍କ ମନରେ ତାହା ଖୁସି ଖେଳାଇ ଦେଉଛି।ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏକାଠି ହୋଇଗଲେ ଏହାକୁ ନେଇ ଆରମ୍ଭ କରି ଦେଉଛନ୍ତି ଚର୍ଚ୍ଚା - ମହା ଆନନ୍ଦରେ।ଖୁବ୍ ଉଚ୍ଛୁଳା ଆନନ୍ଦରେ ପୂରି ଉଠୁଛି ପେଟ ସଭିଙ୍କର।


        ଅଳ୍ପ ଦିନ ତଳେ ଏ ଅଫିସକୁ ଆସିଛନ୍ତି ସେ। ଉଚ୍ଚପଦସ୍ଥ ଅଫିସର ଭାବେ ଯୋଗ ଦେଇଛନ୍ତି। ପତଳା ସ୍ବାସ୍ଥ୍ୟ।ଉଚ୍ଚତା ପାଞ୍ଚ ଫୁଟ ଚାରି ଇଞ୍ଚ।ଗୋରା ରଙ୍ଗ।ଚମକ ଥିବା ଭଳି ଚାହାଣି ଓ ଆକର୍ଷଣୀୟ ବ୍ୟକ୍ତିତ୍ବ।ତାଙ୍କୁ ଦେଖି ଦେଲେ ଯେ କେହି ପୁରୁଷର ମନରେ ରଙ୍ଗ ଭରିଯିବ।ଆଖି ପଲକରୁ ଦୂରେଇ ଦେବାକୁ ଇଚ୍ଛା ହେବନି।ଡ୍ରେସରେ ଯେମିତି ଶାଢୀରେ ବି ସେମିତି ସୁନ୍ଦର ଲାଗନ୍ତି ସେ।


         ସୁନ୍ଦରୀ ମ୍ୟାମ୍ ଜଣେ ଆସିଛନ୍ତି। ପ୍ରଥମେ ପ୍ରଥମେ ସୌନ୍ଦର୍ଯ୍ୟକୁ ନେଇ ଭାରି ଚର୍ଚ୍ଚାରେ ଥିଲେ ସେ।  ଏଠି ସୁନ୍ଦରୀମାନେ ସବୁବେଳେ ସେମାନଙ୍କର ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିବା ବଡ କଥା କ'ଣ ! ହେଲେ ଏବେ ଆଉ ସେପରି ଚର୍ଚ୍ଚା ଆଦୌ ହେଉ ନ ଥିଲା।ତାଙ୍କ ରୋମାଣ୍ଟିକ ଗପ ଓ କବିତା ଅଫିସରେ ବଦଳେଇ ଦେଇଥିଲା ତାଙ୍କ ପରିଚୟ।


         ରୋମାଣ୍ଟିକ ମଣିଷ ଜଣେ ଏକା ଏପରି ରୋମାଣ୍ଟିକ ଗପ,କବିତା ଲେଖିପାରେ।ରୋମାଣ୍ଟିକ ହେବାକୁ ହେଲେ ପ୍ରେମରେ ବୁଡି ରହିବାକୁ ହୁଏ ସବୁବେଳେ।ଅତଏବ ସେ ପ୍ରେମରେ ଅଛନ୍ତି।କେଉଁ ଜଣେ ପୁରୁଷର ପ୍ରେମରେ ପଡିଛନ୍ତି।ପ୍ରେମରେ ଥିବାରୁ ଲେଖୁଛନ୍ତି ପ୍ରେମ ଗଳ୍ପ, ପ୍ରେମ କବିତା।


        ଏବେ ଏହିପରି ଗୋଟିଏ ଧାରଣା ଅଫିସରେ ସମସ୍ତଙ୍କ ମନରେ ଆସି ଯାଇଥିଲା।ଆଃ ! କି ରୋମାଣ୍ଟିକ ସତରେ ସେସବୁ ! ମ୍ୟାମ୍ ଭେରି ରୋମାଣ୍ଟିକ। - ସମସ୍ତେ କୁହାକୁହି ହେଉଥିଲେ।


         ପ୍ରେମ : ସଂସାରର ସବୁଠୁ ବେଶୀ ଚର୍ଚ୍ଚିତ ବିଷୟ।


         କେବଳ ଚର୍ଚ୍ଚା ନୁହେଁ, ମ୍ୟାମ୍ ଙ୍କୁ ନେଇ କିଛି ଲୋକ ପ୍ରଶ୍ନ ତିଆରି କରୁଥିଲେ।ଉତ୍ତର ତିଆରି କରୁଥିଲେ ଆଉ କିଛି।ସବୁ ଆପେଆପେ ହେଉଥିଲା।


        ପ୍ରଶ୍ନ : ମ୍ୟାମ୍ କାହା ପ୍ରେମରେ ------?


         ମ୍ୟାମ୍ ଙ୍କୁ ନେଇ ଏବେ ଇଏ ହେଉଛି ସବୁଠୁ ଦାମୀକା ପ୍ରଶ୍ନ।


        ଏଇ ଦାମୀକା ପ୍ରଶ୍ନକୁ ନେଇ ସେମାନେ ଯେତେବେଳେ ଆଲୋଚନା କରୁଥିଲେ, ସେତେବେଳେ ସେମାନେ ଖୁବ୍ ତଳକୁ ଖସି ଯାଉଥିଲେ।ମ୍ୟାମ୍ ଶଦ୍ଦ ତ ଆଦୌ ପ୍ରୟୋଗ ହେଉ ନ ଥିଲା ସେତେବେଳେ।ଯାବତୀୟ ନୀଚ , ଅଶ୍ଳୀଳ, ଅପଶଦ୍ଦର ପ୍ରୟୋଗ ହେଉଥିଲା।ସତେ ଯେମିତି ମ୍ୟାମ୍ ଚରିତ୍ରହୀନା।


         ଖୁସି ପାଇଁ ତ ପୁଣି କେହି କେହି ବେନାମୀ ଚିଠି ତାଙ୍କ ନାଆଁରେ ବାଣ୍ଟି ପକାଉଥିଲେ।


         ଭାଣ୍ଡୁଆ ଦଳ.....!


         ହାତୀ ଚଲେ ବାଜାର୍......,କୁତା ଭୁକେ ହଜାର୍ ।


         ଫୁଃ ! କିଏ ଶୁଣେ ମ ଏସବୁ ! - ଏତିକିରେ ମ୍ୟାମ୍ ଙ୍କର ସବୁତକ ଉତ୍ତେଜନା ଉତୁରି ଯାଉଥିଲା।ଯିଏ ଈର୍ଷାରେ ଜଳୁଛି ଜଳୁଥାଉ , ଯିଏ କୁତ୍ସାରଟନା କରୁଛି କରୁଥାଉ - ମନେମନେ କହି ପକାଉଥିଲେ ସେ।


          ପ୍ରେମ କେତେ ପଥ ଅତିକ୍ରମ କରେ,କେଉଁଠି ଆଶ୍ରୟ ନିଏ,ଯିଏ ପ୍ରେମ କରୁଥାଏ ସେ ହିଁ ତା'ର ହିସାବ ରଖୁଥାଏ।ଅନ୍ୟମାନେ କେବଳ ନିଜ ନିଜ ଶକ୍ତିର ଅପଚୟ କରିବା ଛଡା ଆଉ କିଛି ବି କେବେ କରନ୍ତିନି।


          ମ୍ୟାମ୍ ଗୋଟେ ସତସତିକା ପ୍ରେମମୟ ଦୁନିଆରେ ଥିଲେ।ଗପ ଓ କବିତାର ପ୍ରେମରେ।......ସତରେ।


         ଏବେ ତାଙ୍କୁ ଈର୍ଷା କରୁଥିବା ଓ ତାଙ୍କ ନାଆଁରେ କୁତ୍ସାରଟନା କରୁଥିବା ଲୋକଙ୍କୁ ନେଇ ସେ ଲେଖୁଥିଲେ ଗପ ଓ କବିତା ଯାହା ଆଗ ଅପେକ୍ଷା ଖୁବ୍ ବେଶୀ ରୋମାଣ୍ଟିକ ହେଉଥିଲା।


         ମ୍ୟାମ୍ କାହା ପ୍ରେମରେ ...? ଏଯାଏଁ ବି ଏହା ପ୍ରଶ୍ନ ହୋଇ ରହିଥିଲା ସାରା ଅଫିସରେ,ଯାହାର ସଠିକ୍ ଉତ୍ତର କେହି ଜଣେ ବି ଦେଇ ପାରି ନ ଥିଲେ।


          ପ୍ରଶ୍ନ : ମ୍ୟାମ୍ କାହା ପ୍ରେମରେ........?


Rate this content
Log in

More oriya story from Sachidananda Kar

Similar oriya story from Romance