STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ମୁଁ ଜଣେ କୃପଣ

ମୁଁ ଜଣେ କୃପଣ

4 mins
165


କୃପଣ ଶବ୍ଦଟି ଅନ୍ୟକୁ କହିବାକୁ ଭଲଲାଗେ, କିନ୍ତୁ ନିଜକୁ କେହି କୃପଣ ବୋଲି କହିଲେ-ଭାରି ଖରାପ ଲାଗେ | ଏକଥାଟି ସତ୍ୟ ଯେ, କୃପଣଲୋକଙ୍କୁ ଯେତେ ଯାହା ବୁଝେଇଲେ ବା ଯେତେ ଅର୍ଥ ବା ଦରକାରୀ ଜିନିଷ ଦେଲେ ବି ସେ କେବେ ତାଙ୍କର ଗୁଣକୁ ବଦଳାଇ ଦେଇପାରନ୍ତି ନାହିଁ | କୃପଣ ଶବ୍ଦଟି ଅବଶ୍ୟ ଘୃଣା ବାଚକ | କିନ୍ତୁ ବହୁତ ଡେରିରେ କୃପଣଲୋକଙ୍କୁ ସମସ୍ତେ ପ୍ରଶଂସା କରିବାକୁ ବାଧ୍ୟ ହୋଇଥା’ନ୍ତି | ଯେଉଁମାନେ ହାତଖୋଲି ଖର୍ଚ୍ଚ କରନ୍ତି, ସେମାନେ କୃପଣ ମଣିଷର ମହତ ପଣିଆକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ | ଏକଥାଟିକୁ ମୁଁ ପିଲାଟିବେଳୁ ଦେଖି ଆସୁଛି | କୃପଣ ଲୋକଟି ଯଦି ସ୍ଵାର୍ଥପର ହେଇଯାଏ, ତେବେ ସେ ସବୁଦିନ ପାଇଁ ସମାଜ ଦୃଷ୍ଟିରେ ଘୃଣ୍ୟବ୍ୟକ୍ତି ହୋଇ ରହିଯା’ନ୍ତି | ଏକଥାଟି ମଧ୍ୟ ସତ୍ୟ |

କୃପଣର ଆକ୍ଷରିକ ଅର୍ଥ ହେଉଛି, ମିତବ୍ୟୟୀ | ସେ ଅଧିକ ରୋଜଗାର କରିବାକୁ ଆଗ୍ରହୀ ଥିବେ, କିନ୍ତୁ ଅଳ୍ପଖର୍ଚ୍ଚ କରୁଥିବେ | ଅର୍ଥାତ ଖର୍ଚ୍ଚ କରିବାକୁ କୁଣ୍ଠିତ ହେଉଥିବା ଲୋକଙ୍କୁ ଆମେ କୃପଣ କହିଥାଉ | ଦେଖାଯାଏ, ଅନେକ କୃପଣଲୋକ ନିଜପାଇଁ କିଛି କରନ୍ତି ନାହିଁ ସତ, କିନ୍ତୁ ଅନ୍ୟମାନଙ୍କ ପାଇଁ ଅକାତର ଭାବେ ଖର୍ଚ୍ଚ କରିଦିଅନ୍ତି | ତଥାପି ସେଭଳି ଲୋକଙ୍କୁ ଅନ୍ୟମାନେ ନ୍ୟୁନ ଦୃଷ୍ଟିରେ ଦେଖୁଥା’ନ୍ତି | ବିଶେଷ କରି ନିଜ ଘରଲୋକ, ଅର୍ଦ୍ଧାଙ୍ଗୀନୀ ଓ ନିର୍ଭରଶୀଳ ଲୋକେ ସେଭଳି କୃପଣ ଲୋକଙ୍କୁ ମୋତେ ଭଲ ପାଆନ୍ତି ନାହିଁ |

ଆଜିକାଲି ପୁରାଣ ଶାସ୍ତ୍ରର ନୀତିଶିକ୍ଷା କେବଳ ସଭା ସମିତିର ଆଲୋଚନା ଓ ଶିକ୍ଷାଦାନରେ ସୀମିତ ରହିଯାଉଛି | ତାକୁ ନିଷ୍ଠାର ସହିତ ନିଜ ଜୀବନରେ ପ୍ରୟୋଗ କରି ସେଥିରୁ ଉପଯୁକ୍ତ ଫଳଲାଭ କରିବାକୁ ଆମର ଧୈର୍ଯ୍ୟ ବା ସାହସ ନାହିଁ | ତେଣୁ ଆମେ ଉପରଠାଉରିଆ ଭାବେ କାମଚଳା ଜୀବନ ଯାପନ କରିଥାଉଁ | ଆଖ୍ୟାୟିକା ରହିଛି, କୁବେର ହେଉଛନ୍ତି-ଅମାପ ଧନ ରତ୍ନ ସଂପତ୍ତିର ମାଲିକ | କିନ୍ତୁ ସେ ହେଉଛନ୍ତି-ଚରମ କୃପଣ | ଥରେ ମହାଭାରତର ଭୀମ ନିଜ ରାଜ୍ୟର ଦୁର୍ଭିକ୍ଷ ପୀଡ଼ିତ ପ୍ରଜାଙ୍କୁ ବଞ୍ଚାଇବାକୁ କୁବେର ପୁରୀକୁ ଯାଇଥିଲେ, ତାଙ୍କଠାରୁ କିଛି ଧାନ ବା ଖାଦ୍ୟ-ଶସ୍ୟ ଦାନ, ଧାର ବା କରଜରେ ଆଣିବାକୁ | କିନ୍ତୁ ସେ କୁବେରପୁରୀରେ ପହଞ୍ଚି ଦେଖିଲେ- ନିଜେ ରାଜା କୁବେର ନଇଁପଡ଼ି ଦାଣ୍ଡରେ ପଡ଼ିଥିବା କେତୋଟି ଧାନକୁ ଖୁଣ୍ଟୁଛନ୍ତି | ତାଙ୍କର ଏହିକାମକୁ ଦେଖି ଭୀମ ମନେମନେ ଭାବିଥିଲେ-“ଧନର ମାଲିକ କୁବେର ଜଣେ କୃପଣରାଜା | ଯିଏ ତଳେ ପଡ଼ିଥିବା କେତେଟା ଧାନକୁ ଖୁଣ୍ଟୁଛନ୍ତି, ସେ ଆମକୁ କ’ଣ ବା ଦେଇପାରିବେ ? ତେଣୁ ଏଭଳି କୃପଣ ରାଜାଙ୍କଠାରୁ କିଛି ଦାନ ବା ଦୟା ଆଶା କରିବା ବୃଥା | ବରଂ ଏଠାରୁ ଫେରିଯିବା ଉଚିତ ହେବ |”

 ତଥାପି କେବଳ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କ ପାଖକୁ ଆସିବାର କାରଣ ଜଣାଇଲେ | ରାଜା କୁବେରଙ୍କ ସହ କଥାବାର୍ତ୍ତା ବେଳେ ଭୀମ ଜଣାଇଲେ ଯେ-“ମୁଁ ଆପଣଙ୍କଠାରୁ ପ୍ରଚୁର ଧାନ ଧାର ବା କରଜରେ ନେବାକୁ ଅନେକ ଗୁଡ଼ିଏ ଶଗଡ଼ ଧରି ଆସୁଥିଲି, କିନ୍ତୁ ସେଥିରୁ କେତୋଟି ଶଗଡ଼ କାଦୁଆ ରାସ୍ତାରେ ଫସି ରହିଯାଇଛି | ନିଜ ଜାଗାକୁ ଫେରିବା ପାଇଁ ମୋ ପାଖରେ କିଛି ଉପାୟ ନାହିଁ | ମୋତେ ଏ ଦିଗରେ ଟିକେ ସାହାଜ୍ଯ କରି ପାରିବେ କି ?”

ଭୀମଙ୍କର କଥା ଶୁଣି ରାଜା କୁବେର ରାଜ କର୍ମଚାରୀମାନଙ୍କୁ ଆଦେଶ ଦେଲେ-ସେ ଶଗଡ଼କୁ ସୁବିଧାରେ ଆଣିବା ପାଇଁ ରାସ୍ତାରେ ଲକ୍ଷଲକ୍ଷ ଭାର ଧାନ ଢାଳିଦିଅ | ତା’ ଉପରେ ଯେମିତି ସହଜରେ ଶଗଡ଼ ଆସି ପାରିବ, ତା’ର ବ୍ୟବସ୍ଥା କରିଦିଅ |”

ରାଜା କୁବେରଙ୍କ କଥାଶୁଣି ଭୀମ ଆଶ୍ଚର୍ଯ୍ୟ ହେଇଗଲେ | ନିଜର ମନର ଆଶଙ୍କା କଥାକୁ ଖୋଲି ସେ କହି ପକାଇଲେ | ରାଜା କୁବେର ବୁଝାଇ କହିଲେ-“ସାଧାରଣ ଲୋକ ଏମିତି ଭାବିବା ତ ସ୍ଵାଭାବିକ କଥା | କିନ୍ତୁ ମନେ ରଖିବା କଥା ଯେ, ଯୋଗ୍ୟପାତ୍ରରେ ଯଥେଷ୍ଟ ଦାନ ଦେବା ଉଚିତ | କିନ୍ତୁ ଅକାରଣରେ ଗୋଟିଏ ଦାନା ବି ନଷ୍ଟ କରିବା ପାପ ସଙ୍ଗେ ସମାନ |”

 ଏହି ପଦକ କଥାରୁ ଭୀମ ସବୁକଥା ବୁଝିଗଲେ | ସେ ନିଜର ମଥାକୁ ନତକରି ରାଜା କୁବେରଙ୍କ ମହାନତାକୁ ପ୍ରଶଂସା କରିବାକୁ ବାଧ୍ୟହେଲେ | ନିଜର ଭୁଲକୁ ସ୍ଵୀକାର କଲେ |

ଏହି କାହାଣୀଟି ମୋ ଜୀବନରେ ଗଭୀର ଭାବେ ରେଖାପାତ କରି ଆଜିଯାଏ ରହି ଆସିଛି | ତେଣୁ ମୁଁ ଅଯଥାରେ ଗୋଟାଏ ବି ଟଙ୍କା ଖର୍ଚ୍ଚ କରିବାକୁ ସର୍ବଦା କୁଣ୍ଠିତ ହୋଇଥାଏ | ନିଜପାଇଁ ଯେତେ କମଖର୍ଚ୍ଚ ହୁଏ, ସେଥିରୁ ମୁଁ ସେତିକି ଅଧିକ ଆନନ୍ଦ ପାଇଥାଏ | ତେଣୁ ଅନ୍ୟମାନଙ୍କ ଦୃଷ୍ଟିରେ ମୁଁ ମଧ୍ୟ ଜଣେ କୃପଣ ହେଇପାରେ କିନ୍ତୁ ସ୍ଵାର୍ଥପର ନୁହେଁ | ଉପଯୁକ୍ତ ପାତ୍ର, ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଁ ଅକାତର ଭାବେ ଖର୍ଚ୍ଚକରେ | ଗରିବଲୋକ ବା ଭିକାରିଙ୍କୁ ଦାନ କରିବାକୁ ସାଧାରଣ ଲୋକେ ପରାମର୍ଶ ଦେଇଥା’ନ୍ତି | କିନ୍ତୁ ମୁଁ କେବେ କୌଣସି ଗରିବ ନାମଧାରୀ ଠକ ବା ଭିକାରିଙ୍କୁ କିଛି ଦାନ କରେ ନାହିଁ | ଏହାର କାରଣ ହେଉଛି- ଠକ ବା ଭିକାରିମାନଙ୍କୁ ଉତ୍ସାହିତ କରି, ତାଙ୍କ ଭବିଷ୍ୟତକୁ ନଷ୍ଟ କରିବା ଉଚିତ ନୁହେଁ ବୋଲି ମୁଁ ମନେକରେ | ଆଜିକାଲି କୌଣସି କାମ କରିଦେବାକୁ ଲୋକ ମିଳୁ ନାହାନ୍ତି | ମଜୁରି କରିବାକୁ ଆସୁଥିବା ଲୋକେ ଦୁଇ ତିନି ଘଣ୍ଟା କାମ କରୁଛନ୍ତି କି ନାହିଁ, ଦିନକୁ ପାଞ୍ଚଶହ ଟଙ୍କା ନେଉଛନ୍ତି | ସଫେଇ କାମ, ବିଲ-ବାଡ଼ି କାମ କରିବାକୁ, ଘରୋଇ କାମରେ ସହାୟକ ହେବାକୁ ଲୋକ ସହଜରେ ମିଳୁ ନାହାନ୍ତି | ଯେଉଁମାନେ ଏହାକୁ ଆଦରି ନେଉଛନ୍ତି, ସେମାନଙ୍କର ଜୀବନ ଶୈଳୀ ଦ୍ରୁତଗତିରେ ବଦଳୁଛି | ଯେଉଁମାନେ ମାଗଣାରେ ବା ଠକି ଖାଇବାରେ ବ୍ୟସ୍ତ, ତାଙ୍କର ଗତି ମତି ସବୁ ନିମ୍ନଗାମୀ ହେଇଚାଲିଛି | କେବଳ ପରଲୋକର ଦୟା, ଅନୁଗ୍ରହ ବଞ୍ଚୁଥିବା ଲୋକଙ୍କର ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗୁଛି | ଅଧିକାଂଶ ଭିକାରି ନିଶାଖୋର ଆଉ ଠକ | ସେମାନେ ସୁବିଧା ସୁଯୋଗ ପାଇଲେ, ଚୋରି ତ କରନ୍ତି, ମଣିଷର ଜୀବନ ମଧ୍ୟ ନେଇ ଯାଇପାରନ୍ତି | ସେହିଭଳି ଲୋକଙ୍କୁ ଉତ୍ସାହିତ କରି ଅନେକ ଲୋକ ନିଜକୁ ଜଣେ ଦାନୀ, ଦୟାଳୁ ପୁରୁଷ ଭାବରେ ପ୍ରମାଣିତ କରିବା ଉଦ୍ଦେଶ୍ୟରେ ଖୋଲା ହାତରେ ଅପାତ୍ରରେ ଅର୍ଥ ଶ୍ରାଦ୍ଧ କରନ୍ତି | ଏ’ ଦିଗରେ ଆପଣ କାହାରିକୁ କିଛି ପରାମର୍ଶ ଦେଲେ, କେହି ବୁଝିବେ ନାହିଁ | ବରଂ ଆପଣ ତାଙ୍କ ପାଖରେ ଜଣେ କୃପଣଲୋକ ହିସାବରେ ପରିଚିତ ହେବେ | କଥାରେ ଅଛି- ଆଲୋ ସଖୀ, ଆପଣା ମହତ ଆପେ ରଖି |

ମୁଁ କାହାରିକୁ କିଛିଦାନ କରେନାହିଁ କହି ନିଜକୁ ମହାନଲୋକ ବୋଲି ପ୍ରମାଣିତ କରିବାକୁ ଚାହେଁ ନାହିଁ | ବରଂ କେଉଁ ଉପାୟରେ କାହାପାଇଁ ଅର୍ଥ ବ୍ୟୟ କରିବା ଉଚିତ ତାକୁ ମୁଁ ନିଜେ ବୁଝି ସାରିଛି | ମୁଁ ଜାଣେ ଉଚିତ ସ୍ଥାନ, କାଳ, ପାତ୍ରରେ ଦାନ କରିବାର ବହୁତ ବାଟ ରହିଛି | ବରଂ କେବଳ ନଗଦ ଟଙ୍କା ବା ଖାଦ୍ୟ ବିତରଣ ଫଳରେ ଆମେ ଗୁଡ଼ାଏ ମଣିଷଙ୍କୁ ସହଜରେ ଅମଣିଷ କରିଦେବାର ଭୟ ରହିଛି | ଦାନ ଭିତରେ ଅନ୍ନଦାନ, ଜ୍ଞାନଦାନ, ଶିକ୍ଷାଦାନ, ପରାମର୍ଶ ଦାନ, ସହାୟତା ଦାନ, ବୁଦ୍ଧିଦାନ, ପୁସ୍ତକ ଦାନ, ବସ୍ତ୍ର ଦାନ, ପୁଣ୍ୟଦାନ, ଆୟୁଷ ଦାନ, ଅର୍ଥଦାନ, ଜମିଦାନ, ଆଶ୍ରୟ ଦାନ ପ୍ରଭୃତି ରହିଛି | ଏହିସବୁ ଦାନ ଭିତରୁ ଯେ କୌଣସି ପ୍ରକାର ଦାନ ଆମେ କରି ପାରିବା | କିନ୍ତୁ ଦେଖିବାକୁ ପଡ଼ିବ ଯେ, ମୋର ଦାନଟି ଉପଯୁକ୍ତ ପାତ୍ରରେ ପଡ଼ିଛି କି ନାହିଁ ?

ମୁଁ କୃପଣ ହୋଇ ଅର୍ଥ ସଞ୍ଚୟ କରେ ସତ, ନିଜପାଇଁ ଖୋଲା ମନରେ କେବେ ବି ଖର୍ଚ୍ଚ କରେନାହିଁ | କିନ୍ତୁ ଜ୍ଞାନଦାନ, ପୁସ୍ତକଦାନକୁ ଗୁରୁତ୍ଵ ଦେଉଥିବାରୁ, ବିଭିନ୍ନ ପୁସ୍ତକ ରଚନା କରି ପୁଣି ପ୍ରଚୁର ଅର୍ଥ ବିନିଯୋଗ କରି ପୁସ୍ତକ ପ୍ରକାଶ କରେ, ଉପଯୁକ୍ତ ପାତ୍ରରେ ତାକୁ ଦାନକରେ | ଏହାଦ୍ୱାରା ମୁଁ ଆନନ୍ଦ ସହିତ ଆତ୍ମତୃପ୍ତି ଲାଭକରି ପାରୁଛି | ନାମକୁ ମାତ୍ର ବ୍ୟାବସାୟିକ ସୂତ୍ରରେ ପୁସ୍ତକ ସିନା ପ୍ରକାଶ କରେ, କିନ୍ତୁ ମୋର ବିଚାର ଆଉ ଉଦ୍ଦେଶ୍ୟ ଭିନ୍ନ ଥିବା କଥାଟିକୁ ମୁଁ ଜାଣେ | ଅବଶ୍ୟ ଅନ୍ୟମାନେ ସେକଥାକୁ ସହଜରେ ବୁଝି ପାରିବେ ନାହିଁ | ଆନନ୍ଦ ପ୍ରାପ୍ତି ହିଁ ମୋର ଲକ୍ଷ୍ୟ | ତାହା ଏହି ମାଧ୍ୟମରେ ପୂରଣ ହୋଇ ପାରୁଛି |


Rate this content
Log in

Similar oriya story from Inspirational