STORYMIRROR

Sachidananda Kar

Abstract

2  

Sachidananda Kar

Abstract

ମୁଁ ଏମିତି ମଣିଷଟିଏ

ମୁଁ ଏମିତି ମଣିଷଟିଏ

2 mins
168

        ମୁଁ ଏମିତି ମଣିଷଟିଏ,ସବୁବେଳେ।


        ଗୋଟିଏ ମୁହୂର୍ତ୍ତରେ ଲାଗେ ମୋ ପାଖରେ ସବୁ କିଛି ଅଛି। ମୁଁ ଗୋଟେ ରାଜା। ଯାହା ଦେଖେ ସେସବୁର ଅଧିଶ୍ବର।ପର ମୁହୂର୍ତ୍ତରେ ଲାଗେ କି ମୋ ପାଖରେ କିଛି ବି ନାହିଁ।ମାଟି ନାହିଁ, ପାଣି ନାହିଁ, ପବନ କି ଆକାଶ ନାହିଁ।ସବୁ ଆଡୁ ଯେମିତି ନାହିଁ ନାହିଁର ଗୋଟେ କରୁଣ ଆର୍ତ୍ତି ଶୁଭୁଥାଏ ମୋତେ।ଶୂନ୍ୟତାକୁ ଭେଟୁଥାଏ ମୁଁ।


        ବେଳେବେଳେ ଖୁବ୍ ପ୍ରଗଳଭ ହୋଇଯାଏ ମୁଁ। ସମୁଦ୍ରର ଖୁବ୍ ଉଚ୍ଚା ଉଚ୍ଚା ଲହରୀ ସାଙ୍ଗରେ ମୋର ଖେଳିବାକୁ ମନ ହୁଏ। ଝାଉଁ ବଣ ଭିତରେ ଗୋଟେ ସୁନ୍ଦରୀ ତରୁଣୀକୁ ସାଙ୍ଗରେ ଧରି ବସିବାକୁ ଇଚ୍ଛା କରେ। ଗପସପର ସମୟ କାଟିବାକୁ ଭାବେ।


        କେବେ କେବେ ମନେ ପଡିଯାଏ ପିଲାଦିନ। ସେଦିନକୁ ଫେରିବାକୁ ଭାରି ଇଚ୍ଛା ହୁଏ।ମନରେ ବ୍ୟାକୁଳତା ବଢେ।ଧୂଳିଘର,ମିଛିମିଛିକା ବାହାଘର, ଟିଣିବାଜା,ରାଗରୁଷା,କଣ୍ଢେଇ ଖେଳ - ଏ ସବୁରେ ହଜିଯିବାକୁ ମନ ଚାହେଁ।


        ମନେପଡେ ଗାଆଁ ହାଟ,ସାଙ୍ଗ ମେଳରେ ଡାଳମାଙ୍କୁଡି ଖେଳ,କାଦୁଅ ସରସର ରାସ୍ତା, ମେଘ ଅନ୍ଧାର,ଝଡର ଶ୍ରାବଣ। ଖୁବ୍ ମନେପଡେ। ଆଖିରେ ଲୁହ ଆସିଯାଏ ସେତେବେଳେ।


        ଏଠି ତ ଜୀବନରେ ସବୁବେଳେ ଲଘୁଚାପ, ସବୁବେଳେ ଝଡବତାସ। ଜୀବନ ନଈର ସୁଅରେ ଭଉଁରୀର ଖେଳ। ଯେଉଁଆଡେ ଚାହିଁଲେ ସେଇଆଡେ ଭରପୁର ଦୁଃଖର ଲହରୀ।


        ଦୁଃଖ ତ ଏଠି ଖଜୁରୀ ଗଛ,'ଥର୍' ର କଣ୍ଟା ବଣ ଓ ନାଗଗୁମ୍ଫାର ଅନ୍ଧକାର।ଭୟରେ ଥରିବାକୁ ହୁଏ ହୃଦୟ ଭିତରେ। କାହାକୁ ସେସବୁ କିଛି କହି ହୁଏନି। ଏଠି କିଏ କାହା କଥା ଶୁଣେ ଯେ ! ତେଣୁ କାହାକୁ ବାଣ୍ଟି ହୁଏନା ଦୁଃଖ। ମନକଥା ମନରେ ମାରିବାକୁ ପଡେ। ନିଜକୁ ବୁଝାଇ, ଆଶ୍ବାସନା ଦେଇ ରହିବାକୁ ହୁଏ।


       ସୁଖର କଥା କ'ଣ କହିବି। ଏଠି ତ ପବନରେ ବିଷ,ପାଣିରେ ବି ବିଷ। ମଣିଷର ରକ୍ତରେ ସଞ୍ଚରି ଯାଇଛି ଅବିଶ୍ୱାସର ସରୀସୃପ। ପ୍ରତି ମୁହୂର୍ତ୍ତରେ କେଉଁଠି ନା କେଉଁଠି ଚାଲିଛି ଷଡଯନ୍ତ୍ର। ଆଗକୁ ପାଦ ପକାଇଲେ ଡରାଉଛି ମଶାଣିର ଭୂତ।


       ଜୀବନର ପ୍ରତିଟି ରଙ୍ଗକୁ ଅନୁଭବ କରି ସାରିଛି ମୁଁ। ସବୁ ଅନୁଭବକୁ ମଥା ପାତି ସ୍ବୀକାର କରିଛି। ବଞ୍ଚୁଛି କଳ୍ପନାକୁ ପଛ କରି। ଜୀବନ ଜୀଇଁବାର ଆଶା ବଞ୍ଚାଇ ରଖିଛି ମୋତେ।


        କିଏ ପଢୁ ବା ନ ପଢୁ କିଛି ଲେଖିଯାଉଛି। କିଏ ଶୁଣୁ ବା ନ ଶୁଣୁ କିଛି କହିଯାଉଛି। କିଏ କାମରେ ଲଗାଉ ବା ନ ଲଗାଉ କିଛି ସାଇତି ଯାଉଛି।ଜୀବନ ଦର୍ଶନ ଓ ଜୀବନ ଅର୍ଜନ ସବୁକୁ ଆଉ କରନ୍ତି କ'ଣ ଯେ !


        ମୋର ସବୁ ବିଶ୍ୱାସ, ଅବିଶ୍ୱାସ ନିର୍ଦ୍ଧାରିତ ହୋଇ ସାରିଛି।ମୋତେ ଆଉ କିଛି ଖୋଜିବାକୁ ପଡୁନାହିଁ।କେବଳ ଶେଷ ମୂହୁର୍ତ୍ତର ଶେଷ ଯବନିକାକୁ ଚରମ ଉତ୍କଣ୍ଠାର ସହ ଚାହିଁ ରହିଛି ମୁଁ। ମୋ ନାଟକ, ମୋ ଅଭିନୟ ମୁଁ ନିଜେ ସାରି ଦେବାକୁ ଚାହୁଁଛି।


        ଏଇ ତ


        ଏତେ କଥା କହିଲି ନା

        

        ତଥାପି ମୋତେ ଖୁବ୍ ସୁନ୍ଦର ଦିଶେ ଏ ଜୀବନ। ସବୁ ସମୟରେ ଅତି ଆପଣାର ବନ୍ଧୁଟିଏ ହୋଇ ଆସି ମୋର ପିଠି ଥାପୁଡେଇ ଦିଏ ସେ। ବଞ୍ଚିବାକୁ ଦିଏ ସାହସ। ବଞ୍ଚିଛି ବୋଲି ଦିଏ ବାହାବା।


        ମୁଁ ଏମିତି ମଣିଷଟିଏ, ସବୁବେଳେ।


        ମୋତେ ଭଲ ଲାଗେ ଏ ଜୀବନ। ଏହାକୁ ମନଭରି ଉପଭୋଗ କରେ ମୁଁ। ମୋ ନିଜ ଇଚ୍ଛାରେ ବଞ୍ଚେ - ଗୋଟେ ବାଦଶାହା ପରି। ଅବସୋସ ରଖେନି। କିଛି ମୋର ନାହିଁ ବୋଲି ଭାବେନି।


       ମୁଁ ଏମିତି ମଣିଷଟିଏ, ସବୁବେଳେ।


       ମଣିଷ ଜନମ ଆଉ ଜୀବନ କ'ଣ କି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract