puspanjali das

Inspirational


4.3  

puspanjali das

Inspirational


ମଉଳା ଫୁଲ-୨

ମଉଳା ଫୁଲ-୨

3 mins 64 3 mins 64


ସଞ୍ଜ ନଇଁ ଆସୁଥାଏ,ସପନି ତାର ରୋଗିଣା ଦେହଟାକୁ ଘୋଷାଡ଼ି ଘୋଷାଡି ତର ତର ହୋଇ ଚାଲିଥାଏ।କେମିତି ତାର ଗୋଲାପ ଫୁଲ ଦୁଇଟା ବିକ୍ରି କରି ସଅଳ ଘରକୁ ଫେରିବ ହେଲେ ଯାଇ ତା ରୋଗୀଣା ଵୁଢାଟା ତୁଣ୍ଡରେ ପାଣି ଟିକେ ଦେଇପାରିବ।ଛୋଟ ଅଧ ଛିଣ୍ଡା ଡାଲାଟିରେ ଯତନରେ କେତେବେଳୁ ପାଣି ଛିଞ୍ଚି ଛିଞ୍ଚି ସାଇତି ରଖିଛି ସେତକ ସକାଳ ପହରରୁ।ଦେହ ତାର ଟିକେ ଅବଶ ଲାଗିବାରୁ ସକାଳ ବେଳାଟା ଘରୁ ବାହାରି ପାରି ନଥିଲା।ଫୁଲ ଦୋକାନ ଗୁଡାକ ପାଖେଇ ଆସିଲାଣି ଦେଖି ଟିକେ ଆଶ୍ୱସ୍ତ ହେଲା।ଅଳ୍ପ ଦୂରରେ ସବୁଦିନ ପରି ତା' ପସରା ମେଲେଇ ଲଥ୍ କରି ବସିପଡ଼ିଲା ।ବସି ପଡୁ ପଡୁ କେତେବେଳେ ଯେ ତା ଆଖି ଲାଗିଯାଇଥିଲା ଜାଣି ପାରି ନଥିଲା।ହଠାତ ଗୋଟାଏ ସ୍କୁଟି ଶବ୍ଦରେ ଚମକି ଉଠିଥିଲା।ଦେଖିଲା ତା' ପାଖରେ ଦୁଇଟି ଝିଅ ଠିଆ ହୋଇ ତାକୁ କଣ କହୁଛନ୍ତି।ଧଡପଡ ହୋଇ ଉଠିପଡ଼ି ଦେଖିଲା ସଞ୍ଜ ଯାଇ ଅନ୍ଧାର ହୋଇ ଗଲାଣି,କେତେ ଘଡି ହେବ ଜାଣିପାରିନଥିଲା, ହେଲେ ତା'ର ସବୁକିଛି ବୁଦ୍ଧି ଖଟେଇ ଝିଅ ଦୁଇଟିଙ୍କୁ ତା'ଫୁଲ କେତେଟା କିଣିବାକୁ ନେହୁରା କରିବା ଆରମ୍ଭ କରିଦେଇଥିଲା।ହେଲେ ଯେତେବେଳେ ନିଜ ଫୁଲ ଡାଲାକୁ ଅନେଇଥିଲା, ସବୁ ଆଶା ଯେମିତି ତାର ପାଣି ଫାଟି ଯାଇଥିଲା।ପୁରାପୁରି ଝାଉଁଳି ପଡିଥିବା ଫୁଲ କେଇଟା ଯେମିତି ତାକୁ ଥଟ୍ଟା କରୁଥିଲେ,ସବୁ ଆଶା ଯେମିତି ତାର ସେଇ ଫୁଲ କେତେଟା ପରି ମଉଳି ଯାଉଥିଲା, ତଥାପି ନିଜ ମନକୁ ବୁଝେଇ ଶେଷ ଚେଷ୍ଟା କରିବାକୁ ପଛେଇ ନଥିଲା।ତା' ନିରୀହ ଚାହାଣୀରେ ସେ ଝିଅ ଦୁଇଟିଙ୍କୁ କେତେ କଣ କହିବାକୁ ଯେମିତି ଚେଷ୍ଟା କରୁଥିଲା।ଝିଅ ଦୁଇଟି କଣ ବୁଝିଲେ କେଜାଣି ତା' ପାଖକୁ ଟିକେ ଲାଗିଆସି ପଚାରିଲେ -ମାଉସୀ,ଆଜି ଖାଇଛୁ?ଏତକ ଶୁଣି କି ସପନିର ଯେମିତି ଚେତା ପଶି ଯାଇଥିଲା। ତା'ବୁଢ଼ା କଥା ମନେ ପଡିଯାଇଥିଲା-କହିଲା,ନାଇଁରେ ମା,ମୋ ଖାଇବା ନ ଖାଇବା ସାଙ୍ଗରେ କିଛି ନାହିଁ ତମେ କିଛି ଫୁଲ ନିଅ ମୁଁ ଘରକୁ ଯାଇ ମୋ ରୋଗୀଣା ଵୁଢା ଟା ପାଇଁ କଣ ଟିକେ ଫୁଟେଇଲେ ତୁଣ୍ଡରେ ସିଏ ଟିକେ ଦେବ।ସତେଯେମିତି ତା ଦୁଃଖଟା କାଳିଆ ପାଖରେ ପହଞ୍ଚି ଯାଇଥିଲା।ଦୁଇଟି ଯାକ ଝିଅ ସବୁଯାକ ଫୁଲ ତାର ଟୋକେଇରୁ କାଢିକି ଧରିକି କହିଲେ-ମାଉସୀ,କେତେ ଟଙ୍କା ନବ ସବୁଯାକ ଫୁଲ କୁ?ସପନି ନିଜ ଆଖି ,କାନ କୁ ବିଶ୍ୱାସ କରିପାରିଲା ନି ଧୀରେ କି କହିଲା-ତମ ଇଛା ଯାହା ହବ ଦିଅ ଝୁଅ।ଭଗବାନ ତମର ମଙ୍ଗଳ କରିବେ।ସପନି ର ଆଖିର କଥା ସବୁ ଯେମିତି ସେମାନେ ବୁଝି ପାରିଥିଲେ ତା ହାତରେ ଦେଢ଼ ଶହ ଟଙ୍କା ଗୁଞ୍ଜି ଦେଇ ସବୁତକ ଫୁଲ ନେଇ ଚାଲି ଯାଇଥିଲେ।

ସପନି ହଠାତ କିଛି ବୁଝି ପାରୁ ନଥିଲାସପନ ଦେଖୁନି ତ? ସବୁଦିନ ତ କୋଡିଏ ତିରିଶ ଟଙ୍କାର ବିକି କି ଯାହା ଟିକେ କିଣିକି ନେଇଯାଏ।ହଠାତ୍ ଏତେ ଗୁଡ଼ାଏ ଟଙ୍କା ଆଉ ଏତେ କମ୍ ଝାଉଁଳା ଫୁଲକୁ ଏମିତି ବିକିରି ହୋଇଯିବା ତା' ଛୋଟ ମୁଣ୍ଡରେ ଯେମିତି ପସୁ ନଥିଲା।କିଏ ସେ ଦୁଇଜଣ? କାଳିଆ ର ବଡ ମାୟା ସତେ କ'ଣ ମାଣିକ ଗଉଡୁଣୀ ର ଦହି ଖାଇଲା ଭଳି ଦୁଇ ଭାଇ ଏମିତି ବେଶରେ ଆସି ତାକୁ ସାହା ହୋଇଗଲେ? ହେଲେ ସିଏ ତ ତାଙ୍କ ପାଇଁ ଆଉ ଏତେ ଦୁରକୁ ଯାଇପାରୁନି! ପାଖରେ ସିରିଡି ସାଇ ବାବାଙ୍କ ମନ୍ଦିର ହେଲା ଦିନରୁ ତା' ଗୋଲାପ ଫୁଲର ଚାହିଦା ଟିକେ ବଢି ଯାଇଥିଲା।ସେଥିପାଇଁ ସବୁଦିନ ସେ ଯେତେ କଷ୍ଟ ହଉ ପଛେ ଏଇ ପାଖକୁ ଆସି ବସିଯାଉଥିଲା ତା' ପସରା ମେଲେଇ।ଯେତେ ଫୁଲ ଦୋକାନ ଥିଲେ ବି ତା' ଗୋଲାପ ଫୁଲ ଦୁଇଟା ବି ବିକିରି ହେଇ ଯାଉଥିଲା । ବେଳେ ବେଳେ ତା' କହିବା ମୁତାବକ ପଇସା ନ ଦେଇ ତା ସଙ୍ଗରେ ମୂଲ ଚାଲ କରି ମଧ୍ୟ ତାକୁ ଦୁଇ ପଇସା ମିଳିଯାଉଥିଲା।ତାର କିନ୍ତୁ ମନଟା ସବୁବେଳେ ସେଇ କାଳିଆର ମନ୍ଦିର ପାଖରେ ରହିଯାଉଥିଲା।ସାଇ ବାବା ଙ୍କ ପାଖକୁ ନିତି ଫୁଲ ଦୁଇଟା ପଠାଉଥିଲା ହେଲେ କେତେ ବେଳେ ହେଲେ ସେ ମନ୍ଦିର ଭିତରକୁ ଯିବାକୁ ତା'ର ତର ନଥିଲା।ସବୁବେଳେ ସେଇ ଚକା ଆଖିଆ କାଳିଆ ପାଖରେ ମନଟା କେମିତି ରହିଯାଉଥିଲା।

ସବୁତକ ପଇସା ଧରିକି ସପନି ଧୀରେ ଧୀରେ ରାମିଆ ଦୋକାନ ଆଡକୁ ଚାଲିଲା।ଆଜି ମନ ପୁରେଇ ସଉଦା କିଣିବ ସାଙ୍ଗରେ ପରିବା ଦୁଇଟା ମଧ୍ୟ ଭଲ କରି କିଣି ପାରିବ,ଭାବି ଭାବି ଖୁସି ବି ହୋଇଯାଉଥିଲା।ଏତେ ଦିନ ପରେ ବୁଢ଼ାଟାର ରୋଗୀଣା ପାଟିରେ ଆଜି ଟିକେ ସୁଆଦିଆ ତିଅଣ ଦେଇପାରିବ। ସିଏ ବି ଯେତେ କଷ୍ଟ ହେଲେ ବି ମନ ଭରି ପେଟ ପୁରାଇ ଖାଇ ପାରିବ।ହେଲେ ମନର କୋଣରୁ କେତେ ଗୁଡ଼ାଏ ପ୍ରଶ୍ନ ଯେମିତି ତାକୁ ସାଲୁବାଲୁ କରି ବ୍ୟତିବ୍ୟସ୍ତ କରିପକାଉଥିଲା-ସତେ କ'ଣ ତା କାଳିଆ ବଳିଆ ଏମିତି ବେଶରେ ଆସିଥିଲେ, ଆଜି ଯାକେ ତ କେବେ ଦେଖା ଦେଇନଥିଲେ?ନା ସାଇ ବାବାଙ୍କ ମହିମାର ଚମତ୍କାର ଥିଲା! ସିଏ ସାଇ ବାବାଙ୍କୁ ମୁହଁରେ କିଛି ନ କହିଲେ ବି ବିଶ୍ୱାସ କରୁ ନଥିଲା ବୋଲି,ତା' ବିଶ୍ୱାସକୁ ଆଣିବା ପାଇଁ ଏମିତି ସାଇବାବା ପଠେଇଥିଲେ ସେ ଝିଅ ଦୁଇଟିଙ୍କୁ?ଅନେକ ଅସମହିତ ପ୍ରଶ୍ନ ଭିତରେ ସପନି ଛନ୍ଦି ହୋଇ ଯାଉ ଯାଉ ଟିକେ ଅଟକି ଯାଇ ହାତ ଯୋଡି ଉପରକୁ ମୁଣ୍ଡିଆଟେ ମାରି ପକାଇଥିଲା, ସେଇଟା ତାର ସାଇ ବାବାଙ୍କ ପ୍ରତି ଭକ୍ତି କି କାଳିଆ ପ୍ରତି ଅଗାଢ଼ ଶ୍ରଦ୍ଧା ସିଏ ନିଜେ ବି ଜାଣିପାରିନଥିଲା।


Rate this content
Log in

More oriya story from puspanjali das

Similar oriya story from Inspirational