mukti - ମୁକ୍ତି
mukti - ମୁକ୍ତି
ଭୋଳାଠୁ କେମିତି ନିସ୍ତାର ପାଇବି ଭାବି ଭାବି ଶୋଇ ପଡିଲେ ଶ୍ରୀହରି ବାବୁ |ସକାଳୁ ସକାଳୁ ଜମି ଆଡ଼େ ଯିବା ଆଗରୁ ଭୋଳାକୁ କହିଲେ- ମୁଁ ଆସିଲାବେଳକୁ ଲୁଚି କରିଥିବୁ |ବିଚରା ଭୋଳା, କ’ଣ କରିବ ? ବାବୁ ତ କହି ଯାଇଛନ୍ତି |ଫୋନର ଘଣ୍ଟିଟା ବି ବାଜୁଚି | କିଛି କାମ ସକାଳର ଆରମ୍ଭ ହେଇନି | ବାବୁଙ୍କ କଥା ନ ମାନିଲେ ସାଆନ୍ତାଣି ଶୁଣିଲେ ମନ ଦୁଃଖ କରିବେ | ବାବୁଙ୍କ ଦେଖାରେଖା କରିବାକୁ, ଜଗିବାକୁ ବାରମ୍ବାର ତାଗିଦ କରି ଯାଇଛନ୍ତି | ହଉ, କହି ଟେବୁଲ ତଳେ ଲୁଚି ବସିଲା | କାମ ଦାମ ସାରି ଭୋକରେ ଆଉଟୁ ପାଉଟୁ ହେଇ ଡାକଛାଡିଲେ- ଭୋଳା, ଭୋଳା, ଜଲଦି ଜଲଦି ଖାଇବାକୁ ବାଢେ | ଭୋଳା ବିଚାରା ଚୁପ ଚାପ ବସିଥାଏ |ଉଁ କି ଚୁଁ କିଛି କରୁନଥାଏ | ବାରମ୍ବାର ଡାକି ଡାକି ହାଲିଆ ହେଇ ଗଲେଣି ଶ୍ରୀହରି ବାବୁ, କିନ୍ତୁ କିଛି ବୁଝିପାରୁନାହାନ୍ତି | ଭୋଳା ଗଲା କୁଆଡେ ? ଭୋକରେ ରାଗି ଯାଇ ଚେୟାର ଟିକୁ ଏମିତି ଗୋଇଠା ମାରିଲେ ଯେ ଭୋଳା ଦେହରେ ଜୋରରେ ବାଜିଲା |ପାଟି ତ ଖୋଲୁନଥାଏ, କିନ୍ତୁ ମୁହଁରୁ , ଆହା! କରି ଶବ୍ଦ ବିକଳରେ ବାହାରିପଡିଲା | ଶ୍ରୀହରି ବାବୁ ଆଶ୍ଚର୍ଯ୍ୟ ହେଇଗଲେ | ରାଗରେ ଚୁର ଚୁର ହେଇ କହିଲେ- ଏତେ ଡାକୁଚି, ଉତ୍ତର ଦଉନୁ? ଏମିତି କହି କାନ ଧରି ଟାଣି କହିଲେ - ବହୁତ ଭୋକ ଲାଗୁଚି, ଜଲଦି ଖାଇବାକୁ ବାଢେ |ପରେ ତୋ ଖବର ନେବି |ଭୋଳା ଧିରେ ଧିରେ କହିଲା- ଆଜ୍ଞା! ଆପଣତ କହିଥିଲେ, ଲୁଚି କରିଥିବୁ । ମୁଁ ସେତେବେଲୁ ଏଇଠି ଲୁଚିଛି, ଖାଇବାକୁ କ’ଣ ଦେବି? ଶ୍ରୀହରି ବାବୁ ରାଗରେ ନିଆଁବାଣ ହେଇଗଲେ | ଏହାର ତ କିଛି ନା କିଛି ବ୍ୟବସ୍ଥା କରିବାକୁ ହେବ |ପାଣି ମୁଣ୍ଡ ଉପରକୁ ଉଠିଲାଣି |ଠିକ୍ ଅଛି |ଭୋଳା ଲାଗି ଘରେ କିଛି ବି ମଉଜ, ମସ୍ତି କରି ହେଉନି |କାଲି ତାକୁ ତୀର୍ଥରେ ପଠେଇ ଦଉଚି | ସବୁବେଳେ କହୁଚି- ତୀର୍ଥକୁ ଯିବି, ତୀର୍ଥକୁ ଯିବି |ଦୁଇ ମାସ ପାଇଁ ତ ମଣିଷ ନିଜ ହିସାବର ରହିବ | ପତ୍ନୀଙ୍କର ରୋକ ଠୋକ ନାହିଁ | ଏମିତି ସୁଯୋଗ ଆଉ କେବେ ବି ମିଳିବନି | ଭୋଳାର ନଜରବନ୍ଦୀରୁ ବି ମୁକ୍ତି ମିଳିବ | ତା’ପରଦିନ ସକାଳୁ ଭୋଳାକୁ ଡାକିଲେ- ଭୋଳା, ତୁ ପରା କହୁଥିଲୁ ତୀର୍ଥକୁ ଯିବୁ ବୋଲି | ତୋ ପାଇଁ ଟିକେଟ କାଟି ଦେଇଚି | ଦୁଇ ମାସ ପରେ ତତେ ମୋକ୍ଷ ମିଳିଯିବ |କାଲି ସନ୍ଧ୍ୟାରେ ଯିବାକୁ ଜିନିଷପତ୍ର ସଜାଡି ରଖିବୁ | ଭୋଳା ଖୁସିରେ ଗଦ ଗଦ ହେଇଗଲା | ତାକୁ ଏଥର ମୋକ୍ଷ ମିଳିଯିବ | ଆଜ୍ଞା- ଭଗବାନ ଆପଣଙ୍କର ମଙ୍ଗଳ କରିବେ | ଆପଣ ବି ମୋକ୍ଷ ପାଇଁ ଟିକେଟ କାଟିଦିଅନ୍ତୁ |ଶ୍ରୀହରି ବାବୁ ଭୋଳାର ଭୋଳାପଣ ଦେଖି ମନେ ମନେ ହସୁଥାଆନ୍ତି |ମନେ ମନେ କହୁଥାଆନ୍ତି- ଗୁଣ ଗାଉଥିବ ପୁଅ | ହଉ, ମତେ ତ କିଛିଦିନ ପାଇଁ ରକ୍ଷାମିଳିଗଲା | ଶାନ୍ତିରେ ଟିକିଏ ନିଃଶ୍ଵାସ ମାରିଲେ ଶ୍ରୀହରି ବାବୁ |ସାଙ୍ଗେ ସାଙ୍ଗେ ସବୁ ସାଙ୍ଗମାନଙ୍କୁ ଫୋନ କରି ମଦିରା, ମାଂସ ଆଦିର ଆୟୋଜନ ପାଇଁ ବ୍ୟବସ୍ଥା କରିନେଲେ |ପିଞ୍ଜରା ମୁକ୍ତପକ୍ଷୀ ପରି ଅନୁଭବ ଯେମିତି କରୁଥିଲେ ଶ୍ରୀହରିବାବୁ|
ଭୋଳା ଠିକ ସମୟରେ ଘରୁ ବିଦାୟ ନେଇ ଗଲା |ଶ୍ରୀହରିବାବୁଙ୍କର ଖୁସିର ଠିକଣା ନାହିଁ| ଠିକ୍ ସନ୍ଧ୍ୟାବେଳେ ବନ୍ଧୁମାନେ ମଧ୍ୟ ଘରେ ପହଞ୍ଚିଗଲେ | ସନ୍ଧ୍ୟାର ଗୀତ ନାଚର ଆସର ଆରମ୍ଭ ହୋଇଚି କି ନାହିଁ, ଏତିକିବେଳେ ଭୋଳା ଆସି ହାଜର ହେଇଗଲା |ଶ୍ରୀହରି ବାବୁଙ୍କ ମୁହଁଟା ଯେମିତି ସାରୁ ଖାଇଲା ଭଳି ହେଇଗଲା | ମଦିରା ଗ୍ଲାସ୍ ଟିକୁ ଟେବୁଲ୍ ଉପରେ ରଖି ଚିତ୍କାର କରି କହି ଉଠିଲେ- କିରେ, ତୋତେ କ’ଣ ମୋକ୍ଷ ମିଲିଗଲା | ସବୁବେଳେ ତ ମୁକ୍ତି ପାଇଁ ତୀର୍ଥ କରିଯିବୁ ବୋଲି ଜିଦ କରୁଥିଲୁ, ଆଜି କ'ଣ ହେଲା ? ଭୋଳା କହିଲା- ଆଜ୍ଞା ! ଘରୁ ବାହାରୁ ବାହାରୁ ମୋର ଗୁରୁଦେବଙ୍କ କଥା ମନେପଡିଲା|ଗୁରୁଦେବ ସବୁବେଳେ କୁହନ୍ତି- ପିତାମାତାଙ୍କ ଚରଣ ହିଁ ସବୁଠୁ ବଡତୀର୍ଥ | ତେଣୁ ତାଙ୍କର ପରିକ୍ରମା କରି ଆସିଲି |ଚତୁର୍ଧାମର ଫଳ ତ ତାଙ୍କରି ଚରଣ କମଳରେ |ଭୋଳାର ଭୋଳାପଣ ଦେଖି ଶ୍ରୀହରି ବାବୁଙ୍କ ଜ୍ଞାନଚକ୍ଷୁ ଖୋଲିଗଲା ସିଏ ବୁଝିପାରିଲେ |
