Sachidananda Kar

Abstract

3  

Sachidananda Kar

Abstract

ମରିଯିବା ବେଳ

ମରିଯିବା ବେଳ

2 mins
156


      ସେମାନେ ଦିନେ ମରିଯିବେ ଜାଣି ନ ଥିଲେ ।

     ଏଇ ମରିଯିବା କଥାଟାକୁ ସମସ୍ତେ ଜାଣି ନ ଥାନ୍ତି।ସେମାନଙ୍କ ହାବଭାବରୁ ମୋତେ ତାହା ଲାଗୁଥିଲା।ଏହା ଚେତନାଟିଏ ହୋଇଥିବାରୁ ଆଦୌ ଆଶ୍ଚର୍ଯ୍ୟ ହେଉ ନ ଥିଲି। 

      ଦମ୍ଭ, ଗର୍ବ,ଅହଙ୍କାରରେ ଫାଟୁଥିଲେ ସେମାନେ।ନିଜକୁ ଖୁବ୍ ବଡ ମନେକରି ଧରାକୁ ସରା ଜ୍ଞାନ କରୁଥିଲେ।ମୋତେ ତ ସେମାନେ ଗୋଡି ମାଟି ଠାରୁ ଆହୁରି ହୀନ ବିବେଚନା କରୁଥିଲେ। 

      ମୋ ଗୋଟେ ବାଟରେ ଚାଲିଥିଲି ମୁଁ,ଯେଉଁ ବାଟ ମୋତେ ମୋର ଈଶ୍ୱର ଦେଖାଇଥିଲେ।କିଛି କାମରେ ଲାଗିଥିଲି ମୁଁ, ଯେଉଁ କାମ ମୋତେ ମୋର ଈଶ୍ୱର କରିବାକୁ କହିଥିଲେ।ମୋର ବୃତ୍ତି ଥିଲା, ରୁଚି ଥିଲା, ନିଶା ଥିଲା।ଥିଲା ମଧ୍ୟ ସ୍ବପ୍ନ।ଏସବୁକୁ ସାଙ୍ଗରେ ଧରି ମୁଁ ମୋର ଯାତ୍ରାପଥରେ ଏକାକୀ ଚାଲିଥିଲି। 

       ମୋତେ ମୋ ନିଜକୁ ସନ୍ତୁଷ୍ଟ କରିବାକୁ ଥିଲା।ମୋତେ ସନ୍ତୁଷ୍ଟ କରିବାକୁ ଥିଲା ମୋର ଈଶ୍ବରଙ୍କୁ।ମୋର ପରିବାରକୁ ସନ୍ତୁଷ୍ଟ ରଖିବାକୁ ଚାହୁଁଥିଲି ମୁଁ।ମୋ ଆଖି ଆଗରେ ଥିଲା ମୋର ସମାଜ, ଯେଉଁଠି ବଢିଥିଲି ମୁଁ।ତା'ର ଇଜ୍ଜତ ମୋ ପାଇଁ ବଡ ଥିଲା।ସେଥିପାଇଁ କିଛି କରିବାକୁ ମନରେ ଇଚ୍ଛା ଓ ଆଗ୍ରହ ଥିଲା।ତେଣୁ ମୁଁ ମୋ ଧନ୍ଦାରେ ବ୍ୟସ୍ତ ରହୁଥିଲି। 

         ସେମାନଙ୍କ ଉପରେ ମୋର ନଜର ନ ଥିଲା।ମୋ ଉପରେ କିନ୍ତୁ ଖୁବ୍ ନଜର ରଖିଥିଲେ ସେମାନେ।ମୁଁ କ'ଣ କରୁଛି, କେଉଁଠିକି ଯାଉଛି, କେଉଁଠୁ କ'ଣ ପାଉଛି - ସବୁର ଟିକିନିଖି ଖବର ରଖୁଥିଲେ ସେମାନେ।ଓ ଏସବୁକୁ ନେଇ ନାନାଦି କଳ୍ପନାଜଳ୍ପନାରେ ମଧ୍ୟ ବୁଡି ରହୁଥିଲେ। 

         ମୋ ଛୋଟ ଦୁନିଆରେ ମୁଁ ଥିଲି।ଆଖି ବୁଜିଲେ ବି ମୋତେ ଦିଶି ଯାଉଥିଲା ମୋ ଦୁନିଆ।ତା' ଭିତରେ ସବୁଜ ବନାନୀ, ପାହାଡ଼ ପର୍ବତ, ସାତ ସମୁଦ୍ର - ସବୁ ଦେଖି ପାରୁଥିଲି ମୁଁ।ଏଇସବୁ ଭିତରେ ବନ୍ଧା ଥିଲା ମୋ ଜୀବନ।ହେଲେ ସେମାନଙ୍କ ଆଖିରେ ଥିଲି କେବଳ ମୁଁ ଓ ଥିଲା ମୋ ଦୁନିଆର ସ୍ପଷ୍ଟ ଚିତ୍ର। 

         ପିଲାଟିଦିନରୁ ନିଜ ସହିତ ନିଜେ ଚାଲିବା ଶିଖିଥିଲି।ତେଣୁ ଏକ ବିରାମହୀନ ଗତିରେ ନିଜ ସହିତ ନିଜେ ଚାଲିବାରେ ଲାଗିଥିଲି।ମୋତେ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଥିଲା। 

        ଏମିତି ଚାଲି ଚାଲି ଦିନେ ଦେଖିଲାବେଳକୁ ଆସି ପହଞ୍ଚିଗଲି ସେମାନଙ୍କ ଘର ସାମ୍ନାରେ।ସାଧନାର ମାର୍ଗ ମଣିଷକୁ ସବୁବେଳେ ଆଗକୁ ଆଗକୁ ନିଏ।ମୋ ସାଧନା ମୋତେ ନେଇ ଆସିଥିଲା ସେପର୍ଯ୍ୟନ୍ତ। 

         ମୋତେ ଘର ସାମ୍ନାରେ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ ସେମାନେ।ହଠାତ୍ ନିଜ ଭିତରେ ନିଜେ ଜଳିବାକୁ ଲାଗିଲେ।ଧୀରେଧୀରେ ତୀବ୍ର ହେବାକୁ ଲାଗିଲା ସେମାନଙ୍କର ଜ୍ଵଳନ - ଯାହା ନ ଦେଖିପାରିଲେ ବି ବୁଝି ପାରୁଥିଲି ମୁଁ। 

        ମୋ ବାଟରେ ଚାଲିଥିଲି ମୁଁ ନିରବଚ୍ଛିନ୍ନ ଭାବରେ।ଚାଲି ଚାଲି ସେମାନଙ୍କ ଘର ଅତିକ୍ରମ କରିବାକୁ ବସିଲି।ସବୁ କିଏ ନେଇଗଲା ଭଳି ହଠାତ୍ ସେମାନଙ୍କର କ୍ରୋଧ ଚରମ ସୀମାରେ ପହଞ୍ଚିଗଲା।ପ୍ରଶ୍ନ ପରେ ପ୍ରଶ୍ନ, ମିଛ ଆରୋପ,ଅଧାପିଆ ଚା' କପ୍, ପୃଥିବୀଯାକର ସବୁ ଉଚ୍ଚ ପାହାଡ଼,ସାତ ସମୁଦ୍ର,ତେର ନଈ,ଖରାରେ ଶୁଖୁଥିବା ଲୁଗା - ଯାହା ଯେଉଁଠି ସେମାନଙ୍କର ହାତପାଆନ୍ତାରେ ଥିଲା,ସେସବୁକୁ ସେମାନେ ମୋ ଉପରକୁ ଫିଙ୍ଗିବାରେ ଲାଗିଲେ। 

         ସୌଭାଗ୍ୟର କଥା ଏହି ଯେ ସେସବୁ କିଛି ଗୋଟିଏ ହେଲେ ମୋ ଦେହରେ ବାଜୁ ନ ଥିଲା।ଖୁବ୍ ପାଖରୁ ମୁଁ କେବଳ ଦେଖୁଥିଲି ସେମାନଙ୍କର ଫୋପଡାଫିଙ୍ଗାର ଦୃଶ୍ୟ ଓ ଶୁଣି ପାରୁଥିଲି ସେସବୁର ଶଦ୍ଦ।ନିର୍ବିକାର ଭାବରେ ମୁଁ ଆଗକୁ ଆଗକୁ ଆଗେଇବାରେ ଲାଗିଥିଲି। 

        ସେମାନଙ୍କ ଘର ସାମ୍ନାକୁ ଧୀରେ ଅତିକ୍ରମ କରିଗଲି ମୁଁ।ବୁଲି ଚାହିଁଲି।ଦେଖିଲି ସେମାନଙ୍କ ପ୍ରଶ୍ନ, ମିଛ ଆରୋପ,ଅଧାପିଆ ଚା' କପ୍, ପୃଥିବୀ ଯାକର ଉଚ୍ଚ ପାହାଡ଼,ସାତ ସମୁଦ୍ର, ତେର ନଈ, ଖରାରେ ଶୁଖୁଥିବା ଲୁଗା - ସବୁକୁ ଧରି ପଡି ରହିଛନ୍ତି ସେମାନେ ନିଜ ନିଜ ଜାଗାରେ। 

         ଆଉ କିଛି ବାଟ ଆଗକୁ ଯାଇଛି କି ନାହିଁ କିଛି ଗୋଟେ ଭାବି ସେମାନଙ୍କୁ ଦେଖିବାକୁ ଫେରିଆସିଲି।ସେମାନଙ୍କ ପାଖରେ ଆସି ପହଞ୍ଚିଲି।ଦେଖିଲାବେଳକୁ ମରିବାର ବେଳ ସେମାନଙ୍କ ଖଟ ପାଖରେ ଠିଆ ହୋଇଛି।

        ଆହାଃ ! ଏତିକି କଥା ଆଗରୁ ହେଲେ ଜାଣି ପାରିଥାନ୍ତେ ସେମାନେ ! ନିଃଶଦ୍ଦରେ ମୋ ପାଟିରୁ ବାହାରିଗଲା।


Rate this content
Log in

Similar oriya story from Abstract