ମଫୁ
ମଫୁ
ପିଲା ଥିଲି । କଟକରେ ଡାଡି ଚାକିରି କରୁଥିଲେ । ସେତେବେଳେ କଟକ ମାନେ ବଡ ଅପହଞ୍ଚ । ଧବଳ ଟଗର,କଟକ ନଗର ।ମମ୍ମି,ଡାଡିଙ୍କ ସହ ଗାଁ କୁ ଗଲେ ସେଠି ପିଲାଏ ଅନ୍ୟ ଗ୍ରହ ଜୀବ ପରି ବ୍ୟବହାର କରନ୍ତି । ପନ୍ଦର ଦିନ ରହଣି ଭିତରେ ମମ୍ମିକୁ " ବୋଉ" ଆଉ ଡାଡିଙ୍କୁ " ବାପା ଡାକିବାକୁ ଦଶହଜାର ଆଦେଶ,ପରବାନା,ଖେସା ହସ ଛୁଞ୍ଚି ଛୁଟି ସାରିଥାନ୍ତି ପ୍ରତିଥର । ଶିଶୁମନ ନେଉ ଇଛ୍ଛା କରୁନଥିଲି ଆଉ ଥରେ ଆସିବାକୁ। ତଥାପି ଆସିବାକୁ ତ ହୁଏ ହିଁ ଜନ୍ମ ମାଟିର ଦାୟରେ ।
ଜଣେ ଜେଜେ ତ ମତେ " ହଇରେ ଦାଢ଼ି ପୁଅ " ଏମିତି ବି ଡାକନ୍ତି । ତମାମ୍ ଜୀବନ ଏଇ ହରଡଘଣା ଦେଇ ଏ ଯାବତ୍ ମଧ୍ୟ ମୋ ନାଁ ଦାଢିପୁଅ ଭାଇ ହେଇ ରହିଛି ତାଙ୍କ ବଂଶଜ କେତେକଙ୍କ ପାଇଁ ଯଦିଓ ବୁଢା ଆଉ ନାହାନ୍ତି । ପରଲୋକେ ବାସ କଲେଣି ।
ମୁଁ ବଡ ହେଲି। ମୋ ପିଲା ଦୁଇଟିଙ୍କୁ ମୁଁ " ବାପା,ବୋଉ" ହି ଡାକିବା ଶିଖେଇଲି ।ମୋ ସ୍ତ୍ରୀ'ବି ମୋ ନିଷ୍ପତ୍ତିରେ ଖୁସି ଖୁସି ରାଜି ହେଲେ। ଏବେ ମୁଁ ଭାବୁଥିଲି, ଏଥର ଗାଁ କୁ ଗଲେ ଆଉ କେହି ମୋ ପିଲାଙ୍କୁ ଏମିତି ଚିଡେଇବେନି । ଏଥର ସେମାନେ ଆଉ ହିନିମାନ୍ୟତା ଭୋଗିବେନି ଓ ଏକା ଏକା ଖେଳି ଗାଁ ଅନୁଭବ ପାଇବାରୁ ବଞ୍ଚିତ ନୋହିବେ ।
ହେଲେ ପହଞ୍ଚିବାର ଘଣ୍ଟେ ଯାଇନି....
ପିଲେ କାନ୍ଦି କାନ୍ଦି ଦୌଡ଼ି ଆସି କୁଣ୍ଢେଇ ପକେଇ କହିଲେ," ଆମେ ଆଉ ଏଠିକି ଆସିବାନି ବାପା । ସମସ୍ତେ ଆମକୁ " ଓଡ ଆଉ ନାଲିଚୁଡା " ଡାକୁଛନ୍ତି।