Satyabati Swain

Inspirational

3.5  

Satyabati Swain

Inspirational

ମଫସଲି ଝିଅ

ମଫସଲି ଝିଅ

3 mins
207


ସବୁଠାରେ ମୋତେ ଶୁଣିବାକୁ ପଡେ ମଫସଲି।

କିଏ କୁହେ ମଫୁ ତ କିଏ କୁହେ ନାଲି ଚୁଡା, ଢୋଲ।ଏହାର ଚାଲି ଚଳଣ ସମ୍ପୂର୍ଣ୍ଣ ଗାଉଁଲି। ସୁଦୁ ମଫସଲିଟା।


ହଁ ତ  ନିପଟ ମଫସଲରେ ମୋ ଗାଁ। ମୋ ଗାଁ କୁ ରାସ୍ତା ନାହିଁ ,ବିଜୁଳି ନାହିଁ କି ନଈ ରେ ପୋଲ ନାହିଁ ଆମ ପାଇଁ। ରାତି ହେଲେ ଆମେ ଅନ୍ଧାରରେ ରହୁ।ମେହେନତି ଖଟି ଖିଆ ମଣିଷ ମୋ ଗାଁ ର ଲୋକେ।ଅଧିକାଂଶ ଚାଷୀ। 


କିନ୍ତୁ ସେଇ ଅନ୍ଧାରୀ ଗାଁ ରୁ ଦେଶକୁ ଆଲୁଅ ଦେବା ପାଇଁ ଚାରି ଜଣ ବଡ଼ ଅଫିସର ,ଜଣେ କଲେକ୍ଟର ଓ କେତେ ଜଣ ସୈନିକ ହୋଇ ପାରିଛନ୍ତି । ଆଉ ମୁଁ ସେଇ ନିପଟ ସଭ୍ୟତା ଆଲୁଅର ବହୁଦୂରେ ଥିବା ସୁଖ ପୁର ଗାଁ ର ଝିଅ ସୁକନ୍ୟା। ଜିଲ୍ଲା ଟପର ହୋଇ ଓଡ଼ିଶାର ବଡ଼ କଲେଜରେ ନାମ ଲେଖାଇ ପାରିଛି।ତୁମ ସହ ସମାସ୍କନ୍ଧ ହୋଇ ପାଠ ପଢୁଛି। ନା ଅଛି ଆମର ଘର, ଦ୍ୱାର ,ଖାଇବା, ପିଇବା ନା ଗାଡି ମଟର ।କିନ୍ତୁ ଏତେ ପ୍ରତି ବନ୍ଧକ ସତ୍ତ୍ୱେ ତୁମେ କଣ ମୋ ଠାରୁ ଅଧିକ ବ୍ରେନି ? 


ହଁ ମୁଁ ମଫସଲି। ମଫସଲି ମଳି ମୁଣ୍ଡିଆ ଲୋକଙ୍କର ମୁଁ ଝିଅଟିଏ । ଏହା ମୋର ଗର୍ବ ଓ ଗୌରବର କଥା। ତୁମେ ଜାଣିଛ ପିଲାଦିନୁ ମୁଁ ଚର୍ଚ୍ଚିତ।ନିହାତି ପିଲାଦିନ।ନଅ କି ଦଶ ବର୍ଷର ନହକା ବେତ ପରି ଛୁଆଟିଏ ଦଶହରା ବିଷୟରେ ରଚନା ଲେଖିଥିଲା ଅଠର ଫାଳ। ଦଶହରା ଛୁଟି ପୂର୍ବରୁ ଏଇ ରଚନାଟି ଲେଖି ଆଣିବାକୁ ଦେଇଥିଲେ ସ୍ୱର୍ଗତ ଚିର ପ୍ରାତଃ ସ୍ମରଣୀୟ ଗୁରୁ ଶ୍ରୀ ଜି ସି ମହାପାତ୍ର। ବିଦ୍ୟୁତ ବେଗରେ ଖେଳିଗଲା ଏଇ ଖବର ବକଟେ ଛୁଆ ରଚନା ଲେଖିଛି ଅଠର ଫାଳ!!ଲାଗୁଛି ସୁନ୍ଦର ଗପଟିଏ।ପଢିବା ଆରମ୍ଭ କଲେ ଶେଷ ଯାଏ ଯିବାକୁ ବାଧ୍ୟ ହେବ ଯେ କେହି।ଖାତାଟି ଏ ସ୍କୁଲରୁ ସେ ସ୍କୁଲ ଘୁରି ବୁଲିଲା।ସବୁ ପିଲାଙ୍କୁ ସାର୍ ମାନେ ଦେଖାଇ କହିଲେ 'ଦେଖ କଣ ଲେଖିଛି ବକଟେ ଛୁଆ।ଯେଉଁ ବୟସରେ ସାତ ଧାଡି ଠିକ୍ ଭାବେ ତା ବୟସର ଛୁଆ ଲେଖିବା ଅସମ୍ଭବ। ବୋଧେ କେହି ଡାକିଛି ତା ଘରେ ସେ ଲେଖିଛି।ହାଇ ସ୍କୁଲ ଯାଏ ଏ କଥା ଗଲା।

    


ହାଇ ସ୍କୁଲ ସାର୍ ତାକୁ ପରୀକ୍ଷା କରିବା ପାଇଁ ଡକାଇଲେ।ପଞ୍ଚମରୁ ଏକାଦଶ ଯାଏ ସବୁ ଛୁଆଙ୍କୁ' 'ମୋ ଗାଁରେ ବର୍ଷା ଋତୁ' ରଚନା ଲେଖିବାକୁ ଦିଆ ଗଲା।ଦୁଇ ଶହରୁ ଉର୍ଦ୍ଧ ପିଲାଙ୍କ ମଧ୍ୟରେ ସେଇ ବତାସ ବାଡ଼ିଆ ହଲୁଥିବା ଛୁଆଟି ଲେଖା ପ୍ରଥମ ହେଲା।ସେଇ ପିଲା ବୟସରେ ସେ ଲେଖିଥିଲା ।

   


"ବର୍ଷା ଆକାଶରୁ ଝରେ।ଯେମିତି ମୋ ମୋ ଦାଦା ଖୁଡିଙ୍କୁ ମାରିଲା ବେଳେ ଖୁଡି ଆଖିରୁ ବୁହେ ଲୁହ। ଆକାଶ କାନ୍ଦେ କି କଣ ମୋ ଖୁଡି ପରି।ବର୍ଷା ଝରିଲେ ପଖିଆ ଛତା, ହଳ ଲଙ୍ଗଳ,ପାଞ୍ଚଣ ଖୋଜନ୍ତି ଦାଦା ଓ ରାମ କାକା ଆମ ଘରେ ଯେ କାମ କରନ୍ତି।ବଳଦଙ୍କୁ ଫୁରସତ ନଥାଏ।ବୋଉ କୋଲଥ ବାଟେ ବା ସିଝାଏ ତାଙ୍କ ପାଇଁ।ଗଛ ମାନେ ଶାଗୁଆ ପତରର ଚାଦର ଘୋଡେଇ ହୋଇ ପଡନ୍ତି।ଯୁଆଡକୁ ଚାହିଁଲେ ଚିଲିକା ମୟ ଦିଶେ। ସବୁଆଡେ ପଚ ପଚ କାଦୁଅ।ଇନ୍ଦ୍ରଧନୁ ଆକାଶ ମୁହଁର ହସ ବଢିଆ ଲାଗେ।ମୋତେ ଭାରି ଡର ଲାଗେ ଘଡ଼ ଘଡିକୁ।ଝାଡା ଯିବାକୁ ଜମା ଇଛା ହୁଏନି କାଦୁଅ ଚକଟି ଦଣ୍ଡାକୁ ଯିବାକୁ।ବୋଉ ଫେଶି ଚାଉଳ ଭାଜିଦିଏ।ଗରମ ଗରମ ମକା ପୋଡା,କଖାରୁ ମଞ୍ଜି ଭଜା ଖାଇବା ମଜା ଭାରି ଭଲ ଲାଗେ। ଦାଣ୍ଡ ପିଣ୍ଡାରେ ବସି ଖଇ କୁଲାରେ ଘଷି ମୁଣ୍ଡି ଖଇ ଖାଇବା କଥା ବଢିଆ ଲାଗେ। ଓଲିରୁ ନିଗିଡା ପାଣିକୁ ହାତରେ ମୁଠେଇ ଧରିବାରେ କେତେ ମଜା ! ଦୁଆର ପାଣି ନଳା ମୁହଁରେ ଯାଇ ସୁଅ କରେ।ମୋ ଭାଇ ଓ ମୁଁ କାଗଜ ଡଙ୍ଗା କରି ଭସେଇ ଦେଉ।ଆମ ଗାଁରେ ସବୁ ଛୁଆ ଏମିତି କରନ୍ତି।ମୁଁ ତ ହାତ ମେଲି ଚକା ଚକା ଭଉଁରୀ ଖେଳେ। ଵୋଉ ଗାଳି କରେ ଜର ହେବ ବୋଲି।ନାଳ ଆଡକୁ ଆନାଇଁଲେ ସମସ୍ତଙ୍କ ବିଲରେ ତିନିଟା ମୁଣ୍ଡ ଦିଶେ; ପରିଆ ଦାଦା ଆମ ବଳଦଙ୍କ ସହ ତିନି ମୁଣ୍ଡିଆ ଦୃଶ୍ୟରେ ଥାଆନ୍ତି। ଦଧିବାମନ ଠାକୁର ଦାଣ୍ଡ କଦମ୍ବ ଗଛ ତଳେ ଅଜାଡି ହୋଇ ପଡେ କଦମ୍ବ ଫୁଲ। ସବୁରି ଚାଳ ଉପରେ ଧୂଆଁ ଉଠି ଉପରକୁ ଯାଉଥାଏ ମୋ ଅଜାର ପିକା ଧୂଆଁ ପରି।ବର୍ଷା ଋତୁରେ ଗାଁ ପାଣି,କାଦୁଅରେ ହୋଲି ଖେଳେ। । ଗାଁର କେଉଁ ଲୋକ ଘଡଘଡ଼ିକୁ ଡରନ୍ତି ନାହିଁ ମୋ ପରି।ବଡ଼ ଲୋକ ମାନେ ସବୁବେଳେ ଵିଲରେ କାଦୁଅ ପଙ୍କରେ ସମସ୍ତେ ବଳଦ ସହ ଗାଧୋଇ ଥାଆନ୍ତି। 



ଲଗାତର ବର୍ଷା ହେଲେ ଗାଈ,ଛେଳି ବାହାରକୁ ଯାଇ ପାରନ୍ତି ନାହିଁ ଚରିବାକୁ।ଖାଲି ରଡି ଛାଡ଼ନ୍ତି।ବଗୁଲା ପତର ଛେଳି ପାଇଁ ଓ ଚାକୁଣ୍ଡା ପତ୍ର ଗାଈ ଗୋରୁଙ୍କ ଆଣି ଖାଇବାକୁ ଦିଆ ଯାଏ।ରାତି ହେଲେ ଭାରି ଡର ଲାଗେ।ବେଙ୍ଗ ଗୁଡା ଜୋରେ ରଡି ଛାଡ଼ନ୍ତି।ବାଡିରେ ଭାଡିରେ ଓହଳି ପଡନ୍ତି ଛଚିନ୍ଦ୍ରା,ଜହ୍ନି,କାକୁଡି।ଆମେ ଜହ୍ନି ଫୁଲ ଠୋ ଠା କାକୁଡି ଫୁଲ ଠୋ ଠା କହି ଖେଳୁ। ଖଡା,କଖାରୁ ଡଙ୍କ ରାଇ କରେ ବୋଉ।ମୁଗ ଡାଳି ରସୁଣ ଛୁଙ୍କ ବାସ୍ନା ଓ ଗରମ ଭାତ ପେଟେ ଖାଇଦେଇ ରାମ କାକା ହେକୁଡି ମାରେ।ମୋତେ ବର୍ଷା ଋତୁ ବହୁତ ଭଲ ଲାଗେ।ଆମ ଗାଁ ବି ବର୍ଷାକୁ ଭଲ ପାଏ।"



ଯେଉଁମାନେ ମୋତେ ମଫସଲି କହୁଛ ପାରିବ ଏମିତି ଲେଖି ! ମୁଁ ଏଇ ଚାହିଁଲେ ତୁମ ପରି ସହରୀ ଛଟକ ଦେଖାଇବାକୁ ମୋତେ ଘଡ଼ିଏ ଲାଗିବ ନାହିଁ।କିନ୍ତୁ ତୁମେ ବର୍ଷ ବର୍ଷ ଲାଗିଲେ ବି ମୋ ପରି ହୋଇ ପାରିବ କି ?


ମୋତେ ଥଟ୍ଟା କରୁଥିବା ପିଲାମାନଙ୍କର ମୁହଁ ଭାବ ବଦଳି ଗଲା। ମଫସଲି ହେଲି ବୋଲି ମୋର କଣ ଜୀବନ ନାହିଁ ? ମୋତେ ସବୁଥିରେ ଟପିକି ଦେଖାଅ ତ ମାନିବି ତୁମ ସହରକୁ । ମୋ ଗାଁ ମୋତେ ଭଲ। ମୋ ମଫସଲରେ ଯେତେ ଗଛ ସେତେ ଫୁଲ।ଆଉ ତୁମର ସହରରେ ଖାଲି ଭର୍ତ୍ତୀ କଂକ୍ରିଟ ଜଙ୍ଗଲ।



ଗାଁ ସହ ମୋର ନିବିଡ ବନ୍ଧନ।ସେ ମୋ ମାଟି ମାଆ। ତା ପାଇଁ ତ ମୁଁ ଆଜ ରେଭେନ୍ସା କଲେଜ ଛାତ୍ରୀ ।





Rate this content
Log in

Similar oriya story from Inspirational