ମୋର ଯଦି କିଛି ହୋଇଯାଏ
ମୋର ଯଦି କିଛି ହୋଇଯାଏ


ସହର ଚଳଚଞ୍ଚଳ ହୋଇଉଠିଛି । କିଛି ଦିନର ଲଗାଣ ବର୍ଷା ପରେ ସେ ସନ୍ତସନ୍ତିଆ ବର୍ଷା ପାଗଟା ବିରକ୍ତିକର ଥିଲା,ଚାଲି ଯାଇଛି। ସବୁକଥାକୁ ସହିବାର ସୀମା ଥାଏ।ମଣିଷର ମାନସିକ ଆଉ ଶାରୀରିକ ସକ୍ଷମତା ଭିତରେ କଥା ବଳେଇ ଗଲେ କଥା ସରିଲା। କଥା ସୀମା ପାରହେଲେ ମସ୍ତିଷ୍କ ସହେସିନା ,ସେ ଅସହ୍ୟ ଚାପରେ ଅସନ୍ତୁଷ୍ଟ ପ୍ରକଟ କରେ। ଚିଡିଚିଡି ହୁଏ, ମାନସିକ ଅବସାଦ ବଢିଯାଏ।ସେ ପାଗ ହେଉ କି ପରିବେଶ ବା କାମ ।
ବର୍ଷା ଛାଡି ଯିବାରୁ, ଶୁଖିଲା ଶୁଖିଲା ଘରଦ୍ବାର, ରାସ୍ତାଘାଟ, ଲୁଗାପଟା ମନକୁ ହାଲକା କରୁଛି। ତା'ସହିତ ହେମନ୍ତର ଆଗମନ, କାର୍ତ୍ତିକ ଆଉ ମାର୍ଗଶୀରକୁ ନେଇ।ଚଉରା ମୂଳ ଲିପାପୋଛା ହୋଇ ସଜ ହେଲାଣି। ମୁରୁଜ ପଡିବ, ଆକାଶଦୀପ ଟଂଗାହେବ ।
କ'ଣ ପାଏ ନାରୀଜାତି ? ସେ ହୁଏତ ନିଜର ବାଂଛିତ ମାନସିକ କେବେ ପାଏନି ଏତେ ବିଶ୍ୱାସ ଆଉ ନିଷ୍ଠାପର ଭାବେ ବାରବ୍ରତ ତେର ଓପାସ କରିଲେବି।ସେ ନିଜେ ବୋଧେ ଅସ୍ପଷ୍ଟ ତା କଷ୍ଟକୁ ନେଇ ତା ବ୍ରତକୁ ନେଇ। ତଥାପି ଏ ନିଷ୍ଠା ମୂଳେ ନିଜ ବିଶ୍ବାସର ମଂଜିଟି ପୋତିଥାଏ ନିଜ ଇପ୍ସିତ ଆକାଂକ୍ଷାକୁ ଚରିତାର୍ଥ କରିବାକୁ । ହ... ଏ ସବେ କରୁଛନ୍ତି ,ମୁଁ କେମିତି କରିବିନି କହି, ଭାବିଭାବି । ତାକୁ କେହି ମାନସିକ ସ୍ତରରେ ତିଆରନ୍ତିନି, ତୁବି ଏକଲା ତୋ ନିଜ ନିଷ୍ପତ୍ତିରେ ବଂଚି ପାରିବୁ। କରିକି ଦେଖ।
ଏମିତି କେତେ ଦିନ?
ସବୁଠୁ ବଡ ଇପ୍ସିତ ଆକାଂକ୍ଷା ନାରୀଜାତିର, ସର୍ବୋପରି ଓଡିଆ ରମଣୀର ମୁଁ ଅହିସୁଲକ୍ଷଣୀ ହୋଇ ମରିବି।
ଶୀଲା ଦୌଡି ଦୌଡି ଆସିଲା ବାପା ଦେଖ ଏଥିରେ ବୋଉ କେତେ କଥା ଲେଖିଛି। ଠାକୁରଙ୍କ ପାଖେ ବସି ବୋଉ ଏଗୁଡିକ ଲେଖିଲାବେଳକୁ ଖାଲି କାନ୍ଦୁଥିଲା। ମୁଁ ବି ବୋଉକୁ ଲୁଚି ଲୁଚି ଦେଖି କାନ୍ଦୁଥିଲି ।ବୋଉ କେଉଁ କାମରେ ବ୍ୟସ୍ତ ଅଛି। ମୁଁ ଠାକୁର ଘରୁ ସେ ଡାଏରି ନେଇ ଆସିଛି। ଜୀବନ ବାବୁ ଶୋଇ ରହିଥିଲେ, କିଛି ସ୍ବାସ୍ଥ୍ୟ ସମସ୍ୟାକୁ ନେଇ, ଉଠି ପଢିଲେ। ବାପା କ'ଣ ଲେଖା ହୋଇଛି ଏଥିରେ? ଜୀବନ ବାବୁ ଡାଏରି ଟି ପଢିଲେ।
ହେ ଈଶ୍ୱର !
ସ୍ତ୍ରୀ ଲୋକଙ୍କ ଜୀବନ କ'ଣ ଏତେ ଅଲୋଡା ?ପ୍ରାୟ ପୁରୁଷଙ୍କୁ ଆଗ ଉଠାଇ ନିଅ କାହିଁକି ତୁମପାଖକୁ? ବାପଘରେ ବୋଉ, ଦେଠେଇ, ମାଉସୀ, ମାଇଁକୁ ଦେଖିଲି ଯାହା ଶାଶୁଘରେ ଶାଶୁ, ଖୁଡିଶାଶୁ, ବଡଶାଶୁ,ସାହି ପଡିଶାରେ ଦେଖୁଛିଶସେୟା। ସେହି ବୈଧବ୍ୟ ବେଶ ମୋତେ ଟିକି ଟିକି କରି ଭିତରୁ ଅସହାୟ କରୁଛି।
କମ ବୟସର ବିଧବାଟି ଶରୀର ଆଉ ମନର ତାତି ମାରିବାକୁ ଯାଇ କି ନରଖର ନ ହେଉଛି। କି ପାପ ସେ କରିଥିଲା ?ଖାଇବାଠୁ ପିନ୍ଧିବା,କଥାହେବାଠୁ ଶୋଇବା ପର୍ଯ୍ୟନ୍ତ ସବୁଠି କଡା ନିୟମ ତା'ପାଇଁ।
ଆମିଷ ଛାଡିବ, ବାର ବାର ଚବିଶି ନିର୍ଜଳା ଏକାଦଶୀ କରିବ, ଧଳାଶାଢୀ ପିନ୍ଧିବ,ଚଟେଇରେ ଶୋଇବ କି ମାଘ କି ପୁଷ ହାଡଭଂଗା ଜାଡରେ।ହବିଷ କରିବ। ଆକାଶଦୀପ ଜାଳିବ। ତା'ସଂଗେ ସଂସାର ଡଂଗା ବାହିବ।ବକତେ ଆହାରରେ ତା' ବାକିତକ ଜୀବନ ଗଡୁଥାଏ, ଶୀଘ୍ର ଆସୁନଥିବାମୃତ୍ୟୁର ଅପେକ୍ଷାରେ। ତା'ସହିତ ଅନେକ ଟାହି ଟାପରା। କୁଲକ୍ଷଣୀ, ଅମୁଂଗୁଳିଆଣୀ, ମୁହଁ ଦେଖିଲେ ଅଶୁଭ ଇତ୍ୟାଦି।
ସମାଜର ଠିକାଦାର ଯିଏ ସେହି ନିୟମ ଗୁଡିକ ଲାଗୁ କରିଛନ୍ତି, ଏକ ଶୃଖଂଳିତ ସମାଜ ଆଶାରେ ସେ ବିଧବା ପାଇଁ, ସେମାନଙ୍କ ଭିତରୁ ଅନେକ ସେହି କଅଁଳ ବିଧବାର ପ୍ରଣୟ ପାର୍ଥୀ, ରାତ୍ରିର ଅନ୍ଧକାରରେ।
ତେଣୁ ହେ ପ୍ରଭୁ!! ମୋ ସ୍ବାମୀଙ୍କ ଦେହ ଭଲ କରିଦିଅ ନଚେତ୍ ମୋତେ ଆଗ ନେଇଯାଅ। ଏତିକି ମାଗୁଣି।
ଜୀବନ ବାବୁଙ୍କ ଆଖି କୋଣରେ ଲୁହ। ବିଷର୍ଣ ଦେଖାଗଲେ।ଝିଅ ଶୀଲା ମାତ୍ର ଏଗାର ବର୍ଷର। ତାକୁ ଆଉଁଷି ଦେଇ କହିଲେ ବୋଉକୁ ମୁଁ ବୁଝାଇଦେବି। ଏଥିରେ କିଛି ଖରାପ ଲେଖିନାହିଁ ବୋଉ। ତୁ କିପରି ତୋ ଯୁଦ୍ଧ ଲଢିପାରିବୁ ,ଆଗକୁ ବଢିବୁ ଏକା ଥାଆକି ,ଆମେ ସବୁ ଥାଉ ତୋ ସହ,ଏହା ଲେଖା ହୋଇଛି। ସେ ବିଷୟରେ ବୋଉ ଠାକୁରଙ୍କ ପାଖରେ ତୋ ପାଇଁ ଶକ୍ତି ମାଗୁଥିଲା । ଆଉକିଛି ନୁହେଁ । ଚାଲଯିବା। ଜୀବନ ବାବୁ କହିଲେ।
ଏହି ସମୟରେ ଜୀବନବାବୁଙ୍କ ମା ଡାକିଲେ ସଂଜୁ ଜଲଦି ଯୋଗାଡ କରେ, ମୋ ଆକାଶଦୀପ ଚଉରାମୂଳେ ଟାଂଗିବାର ବେଳ ହେଲା । ଜୀବନ ବାବୁ ବୋଉପାଖକୁ ଯାଇ କହିଲେ ବୋଉଲୋ ତୋର ଯଦି ଖୁସି ଏହି ହବିଷ ଇତ୍ୟାଦି କରିବାରେ ବା ଅଭ୍ୟାସରେ ପଡିଗଲାଣି ବୋଲି କରୁଛୁ କରେ।ନହେଲେ ଦେହକୁ କଷ୍ଟଦେଇ ଜମା କରେନା । ଆଉ, ଆଜି ମୋତେ କଥା ଦେ , ଶପଥ କରେ ମୋର ତ କିଛି ହେବନି । ଯଦି ମୋର କିଛି ହୋଇଯାଏ ସଂଜୁ ଯେପରି ଖୁସିରହିବ ତାକୁ ସେପରି ରଖିବୁ। ଅନ୍ଧବିଶ୍ବାସର ସହ ଗୁଳାପଡିଥିବା ରାସ୍ତାରେ ସମସ୍ତେ ଯାଉଛନ୍ତି ବୋଲି ଚାଲିବୁନି କି ସଂଜୁକୁ ବୈଧବ୍ୟ ଯନ୍ତ୍ରଣା ଦେବୁନି । ପ୍ରଥମେ ଏପରି ଏକ
ଭୟାତୁର ଅବସ୍ଥାରୁ ଯେପରି ସେ ମୁକୁଳିବ ସେ ବ୍ୟବସ୍ଥା ମୁଁ କରିବି । ଆର୍ଥିକ ଆଉ ସାମାଜିକ ସ୍ଥିତି ମଞ୍ଜୁର ଦୃଢ଼ ହେବା ନିହାତି ଦରକାର।
ଆଜିଠୁ ତୁବି ଖୁସିରେ ରହ । ସ୍ତ୍ରୀବିନା ପୁରୁଷ ଯେପରି ସାଧାରଣ ଜୀବନଯାପନ କରେ, ସ୍ତ୍ରୀ ବି ସେପରି ନିହାତି ଜୀବନଯାପନ କରିବା ଉଚିତ୍। ମୋ ଶିଲାକୁ ଏକେଲା ସଂଗ୍ରାମ କିପରି କରିବାକୁ ହୁଏ ଆଜିଠୁ ଶିଖେଇବା। ଠିକ ନା ବୋଉ। ବୋଉ ମୁଣ୍ଡ ଆଉଁସି ଦେଇ କହୁଥିଲେ ସମ୍ପୂର୍ଣ୍ଣ ଠିକ ଲୋ ବାପା ।