Prabhas Kumar mohapatra

Inspirational

3  

Prabhas Kumar mohapatra

Inspirational

ମୋହନଙ୍କ ଉତ୍କଳପ୍ରୀତି

ମୋହନଙ୍କ ଉତ୍କଳପ୍ରୀତି

9 mins
266


  ସେଦିନ ଥାଏ ୧୯୨୧ ମସିହାର କଥା, ଅହିଂସାର ପୂଜାରୀ ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀ ପ୍ରଥମ କରି ପାଦ ଥାପିଥିଲେ ଉତ୍କଳ ମାଟିରେ। ସେ ଉତ୍କଳକୁ ଦେଖି ହୋଇଥିଲେ ମର୍ମାହତ କାରଣ ଉତ୍କଳ ଥିଲା ଭାରି ଗରିବ । ଉତ୍କଳର ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କାହା ପାଖରେ ଖାଇବାକୁ ଖାଦ୍ୟ ନାହିଁ ତ ପିନ୍ଧିବାକୁ ପୋଷାକ ନାହିଁ । କାହା ମୁହଁ ଶୁଖି କଳା କାଠ ପଡିଗଲାଣି ତ, ଅସ୍ଥି କଙ୍କାଳ କାହାର ଗଣି ହେଲାଣି। ସେଥିପାଇଁ ବାପୁ ଉତ୍କଳର ସେବାକୁ ଦରିଦ୍ର ନାରାୟଣଙ୍କ ସେବା ବୋଲି ବିଚାର ମନସ୍ଥ କରିଥିଲେ। ସ୍ଵରାଜ୍ୟ ହେଲେ ଗରିବର ଦୁଃଖ ଯିବ ସେଥିପାଇଁ ସେ ସଂଗ୍ରାମ ଆରମ୍ଭ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାସ ଓ ଗାନ୍ଧୀଙ୍କ ମଧ୍ୟରେ ଖୁବ୍ ନିବିଡ଼ ସମ୍ପର୍କ ଥିଲା । କାରଣ ଉଭୟଙ୍କ ଚିନ୍ତା, ଚେତନା ଥିଲା ଏକ, ସମାଜର ବିକାଶ, ମାନବର କଲ୍ୟାଣ । ଯେବେ ଉତ୍କଳରେ ଦୁର୍ଭିକ୍ଷ, ମରୁଡି, ବନ୍ୟା ହେଉଥିଲା ଗାନ୍ଧୀ ଭାରତର ଧନୀ ଲୋକଙ୍କ ଠାରୁ ଧନ ସଂଗ୍ରହ କରି ଓଡ଼ିଶାକୁ ପଠାଉ ଥିଲେ । ସେ କାଠ ଯୋଡ଼ି ସଭାରେ ବିଦେଶୀ ବସ୍ତ୍ର, ବିଦେଶୀ ଶିକ୍ଷା ଓ ବିଦେଶୀ ଚାକିରି ବର୍ଜନ କରିବାକୁ କହିଥିଲେ । ସେଥି ପାଇଁ ତାଙ୍କୁ ଜଣେ ପ୍ରଶ୍ନ କରିଥିଲେ ମହାତ୍ମା " ଇଂରେଜୀ ପାଠ ତ ମନ୍ଦ, ଆମେ ବୁଝୁଛୁ; ମାତ୍ର ସେହି ଇଂରାଜୀ ପାଠ ପଢି ରାମ ମୋହନ ରାୟ, ତିଳକ ପରି ନେତା ବାହାରିଛନ୍ତି । ଆପଣ ନିଜେ ତ ସେହି ପାଠ ପଢ଼ି ଏମିତି ହୋଇଛନ୍ତି । ତେବେ ଇଂରାଜୀ ପାଠ ଆମର ଆଖି ଫିଟାଇ ଦେଇଛି ବୋଲି କାହିଁକି ନ କହିବା " ? ଉତ୍ତରରେ ଗାନ୍ଧୀ କହିଲେ ମୁଁ ତ ନଗଣ୍ୟ ମୋ କଥା ଛାଡ଼ି ଦିଅ । ତିଳକ, ରାମମୋହନ ଇଂରାଜୀ ଛୁଇଁ ନଥିଲେ ଆହୁରି ବଡ ମଣିଷ ହୋଇ ଥାନ୍ତେ ।.... ଚୈତନ୍ୟ, କବୀର, ଶଙ୍କରଙ୍କ ତୁଳନାରେ ସେମାନେ ବାମନ ଥିଲେ। କାରଣ ଜନ ସାଧାରଣଙ୍କ ଉପରେ ତାଙ୍କର ସେମିତି ପ୍ରଭାବ ନଥିଲା । ଶଙ୍କର, ନାନକ, ଚୈତନ୍ୟ ଏପରି ଅନେକ ଭାରତୀୟ ମହା ମହା ମନିଷୀମାନେ ଯାହା କରି ଯାଇଛନ୍ତି । ତାହା ଇଂରାଜୀ ପଢୁଆମାନେ କଣ କରି ପାରିଛନ୍ତି । ଜାତିକୁ ପୁଣି ଜୀଆଁଇବାକୁ ହେବ ତ, ଇଂରାଜୀ ଶିକ୍ଷା ଦ୍ଵାରା ନୁହଁ ।" ଗାନ୍ଧୀ ସର୍ବଦା ସ୍ୱଦେଶ ପ୍ରୀତି, ସ୍ୱଦେଶୀ ଶିକ୍ଷା, ସ୍ୱଦେଶୀ ଦ୍ରବ୍ୟକୁ ବେଶୀ ଗୁରୁତ୍ବ ଦେଉଥିଲେ । ତେଣୁ ସେ "କୁଟି ଖାଅ କାଟି ପିନ୍ଧ " ନୀତିକୁ ନିଜେ ପାଳନ କରିବା ସହିତ ଅନ୍ୟକୁ ପାଳନ କରିବାକୁ କହୁଥିଲେ।   ୧୯୨୦ ମସିହାର କଥା ପୁରୀ ଜିଲ୍ଲା ଦୁର୍ଭିକ୍ଷ ଦ୍ଵାରା ଅତ୍ୟନ୍ତ ଖରାପ ହୋଇ ପଡ଼ିଥାଏ । ଗାନ୍ଧୀଙ୍କୁ ଥରୁଟେ ଉତ୍କଳର ଅବସ୍ଥା ଦେଖି ଯିବାକୁ ବାରମ୍ବାର ଅନୁରୋଧ ହେଉଥାଏ । ମାତ୍ର ଗାନ୍ଧୀ ନ ଆସି ପାରିବାରୁ ସେ ଠକ୍କର ବାପାଙ୍କୁ ପଠାଇ ଥିଲେ । ଠକ୍କର ବାପା ଓଡ଼ିଶାର ଗାଆଁ ଗଣ୍ଡାର ହାଲ ଦେଖି ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଗାନ୍ଧୀ ତାହାକୁ ଗୁଜରାଟୀ 'ନବଜୀବନ' କାଗଜରେ ଛାପି ଦେଉଥିଲେ । ଆଉ ଗୁଜରାଟୀମାନଙ୍କ ଠାରୁ ଯାହା ଅର୍ଥ ଆଦାୟ ହେଉଥିଲା ତାକୁ ଓଡ଼ିଶାର ଦୁର୍ଭିକ୍ଷ ଅଞ୍ଚଳକୁ ପଠାଉ ଥିଲେ । ସେ ସମୟରେ ପ୍ରାୟ ପଚାଶ ହଜାର ଟଙ୍କା ଆଦାୟ କରି ଠକ୍କର ବାପାଙ୍କ ନିକଟକୁ ପଠାଇ ଥିଲେ ଗାନ୍ଧୀ । ବିଦେଶୀବସ୍ତ୍ର ବର୍ଜ୍ଜନକୁ ସହଜ କରିବା ପାଇଁ ଗାନ୍ଧୀ ଖଦୀ ଲୁଗାର ଉତ୍ପାଦନ ପ୍ରଚାର ପ୍ରସାର ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। ସେ କହିଥିଲେ-" ଓଡ଼ିଶାବାସୀଙ୍କୁ ଦାନ ଗଣ୍ଡାକ ଜୁଟେଇ ଦେବା ହିଁ ଓଡ଼ିଶା ପକ୍ଷରେ ସ୍ଵରାଜ୍ୟ' । ଅନେକ ଓଡ଼ିଆ ବିଦେଶରେ ରହି କାମ କରନ୍ତି । ତାଙ୍କୁ ଖଦୀ କାମରେ ଲଗାଇ ପାରିଲେ ତାଙ୍କର ଦୁଃଖ ଘୁଞ୍ଚିବ । ଏହା ଦ୍ବାରା ଉତ୍କଳରେ ଖଦୀ କାମ ବୃଦ୍ଧି ପାଇବ ଯତ୍ ଦ୍ଵାରା ଦିନେ ଉତ୍କଳ ଭାରତର ଖଦୀ ଭଣ୍ଡାର ହୋଇ ପାରିବ "। ଗାନ୍ଧୀ 'ସ୍ଵାଧୀନତା ' ଠାରୁ ଓଡ଼ିଆଙ୍କ 'ଆର୍ଥିକ ଦିଗ' ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ଉତ୍କଳର ଆର୍ଥିକ ବିକାଶ ପାଇଁ ସେ ପାଦରେ ଚାଲି ଚାଲି କପାଚାଷ, ସୂତାକଟା ଓ ହାତବୁଣା ଖଦୀ ବସ୍ତ୍ର କାମରେ ଲାଗିଥିଲେ । ସ୍ୱର୍ଗତ ମଧୁସୂଦନ ଦାସଙ୍କ ସହ ଗାନ୍ଧୀଙ୍କ ଘନିଷ୍ଠ ସମ୍ପର୍କ ଥିଲା, ଉଭୟେ ଶ୍ରମର ମର୍ଯ୍ୟାଦା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିଲେ । ଉଭୟେ ଅରଟକୁ ପ୍ରାଧାନ୍ୟ ଦେଉଥିଲେ । ସେ କହୁଥିଲେ-" ଶରୀର ଶ୍ରମରୁ ବୃଦ୍ଧିକୁ ଅଲଗା କରିଦେବା ଫଳରେ ଆମେ ସବୁଠୁ ଅଳ୍ପାୟୁଷ, ସବୁଠାରୁ ସଙ୍ଗତି ହୀନ ଓ ସବୁଠାରୁ ଶୋଷିତ ଜାତି ହୋଇ ଯାଇଛୁ "। ୧୯୨୭ ମସିହାର କଥା ଗାନ୍ଧୀ ଉତ୍କଳୀୟଙ୍କ ସ୍ଵାଭିମାନୀ ଭଦ୍ରତାକୁ ନେଇ ମାନ୍ଦ୍ରାଜ୍ର ଏକ ଯୁବକ ସଂଘରେ ବକୃତା ଦେଇ କହିଥିଲେ -ଏଠାକାର ଭଉଣୀମାନେ କହିବେ' ଖଦୀ ମୋଟା, ଖଦୀ ବଗଡା, ଖଦୀ ଓଜନ, ଭାରୀ; ରେଶମ ମୁଲାୟମ, ହାଲକା; ନଅ ଗଜ ହାଲ୍କା ରେଶମ ଶାଢ଼ୀ ପିନ୍ଧି ହେବ- ମାତ୍ର ନଅ ଗଜ ଖଦଡ଼ ଶାଢ଼ୀ ପିନ୍ଧି ହେବ ନାହିଁ, କିନ୍ତୁ ଓଡ଼ିଶାର ଗରିବ ଭଉଣୀମାନଙ୍କର ତ ମୂଳରୁ ଶାଢ଼ୀ ନାହିଁ : ସେମାନେ ତ ଛିଣ୍ଡା କନା ପିନ୍ଧି ଚଳୁଛନ୍ତି । ତଥାପି ତାଙ୍କର ଭଦ୍ରତାବୋଧ ପୂରାପୂରି ଲୋପ ପାଇ ନାହିଁ, କିନ୍ତୁ ଆମେ ସେତକ ହରେଇ ବସିଛୁ, ଏଥିରେ ସନ୍ଦେହ ନାହିଁ । ଏତେ ଲୁଗା ଥାଉ ଥାଉ ଆମେ ଲଙ୍ଗଳା ଏବଂ ସେମାନେ ଲଙ୍ଗଳା ହେଲେ ମଧ୍ୟ ତାଙ୍କ ଇଜ୍ଜତକୁ ଘୋଡାଇ ରଖିଛନ୍ତି । ଏଥିପାଇଁ ତ ମୁଁ ଚାରିଆଡ଼େ ଏଠି ସେଠିକୁ ବୁଲୁଛି ।' ଦିନକର ଘଟଣା ମଧୁବାବୁଙ୍କ "ଉତ୍କଳ ଟ୍ୟାନେରୀ" ଦେଖିବାକୁ ମହାତ୍ମା ଗାନ୍ଧୀ ସତ୍ୟଭାମାପୁର ଆସିଥିଲେ । ଆଉ ଉତ୍କଳ ଟ୍ୟାନେରୀ ଜୋତା କାରଖାନା ଦେଖି ଖୁସି ମଧ୍ୟ ହୋଇଥିଲେ । ତତ୍ ସହିତ ଗ୍ରାମେ ଗ୍ରାମେ ଚର୍ମାଳୟ ସହିତ ଗୋ ସମ୍ପଦର କିପରି ବିକାଶ ହୋଇ ପାରିବ ସେଥିପ୍ରତି ମଧୁବାବୁଙ୍କ ସହିତ ଆଲୋଚନା କରିଥିଲେ ।

 ୧୯୨୧ ମସିହାରେ ପ୍ରଥମେ ଉତ୍କଳ ଗସ୍ତ ସମୟର ପ୍ରାଦେଶିକ କଂଗ୍ରେସ କମିଟି ଗଠନ ହୋଇଥିଲା । ତାର ପରବର୍ତ୍ତୀ ପର୍ଯ୍ୟାୟରେ ଗାନ୍ଧୀ କୁରୁତା ଟୋପି ପିନ୍ଧା ଛାଡ଼ି, ଛୋଟ ଖଦୀ ଓ ଚାଦର ପିନ୍ଧିବା ଆରମ୍ଭ କରିଦେଇଥିଲେ । ମନରେ ପ୍ରଶ୍ନ ଆସେ କିଏ କହିବ ତାଙ୍କର ଏ କଠୋର ବ୍ରତ ନେବା ପଛରେ ଉତ୍କଳର ଲଙ୍ଗଳା ଚିତ୍ର ତାଙ୍କ ମନେ ନଚୁଥିଲା ବୋଲି ?ଗାନ୍ଧୀ କଟକରେ ଦୁଇଦିନ ରହି ବିଭିନ୍ନ କୁଷ୍ଠାଶ୍ରମ ବୁଲିବା ସହିତ ଆପଣା ଆଶ୍ରମରେ କୁଷ୍ଠ ରୋଗୀଙ୍କୁ ରଖି ଘାକୁ ନିଜ ହାତରେ ସଫା କରୁଥିଲେ । ତାଙ୍କରି ପ୍ରେରଣାରେ ଓ ସ୍ୱର୍ଗତ ଯମୁନା ଲାଲଙ୍କ ଉଦ୍ୟମରେ "ମହା ରୋଗୀ ସେବା ମଣ୍ଡଳ" ନାମରେ ଏକ ସଂଘ ଗଢା ହୋଇଛି । ବିଭିନ୍ନ କୁଷ୍ଠା ଶ୍ରମ ଖୋଲିବା ସହ କୁଷ୍ଠରୋଗୀ ଚିକିତ୍ସା ଶିକ୍ଷା ଦିଆ ଯାଉଅଛି । ଏକ ବିଶେଷ ଦିନରେ ଘଟଣା ଗାନ୍ଧୀ ପୁରୀ ଜିଲ୍ଲାର ବୋଲଗଡ଼ ଠାରେ ବସି ନିଜ କାମ କରୁଥାନ୍ତି । ହଠାତ୍ ଜଣେ ହରିଜନ, ଗାନ୍ଧୀ ଆସିଛନ୍ତି ଶୁଣି ଖଣ୍ଡେ ଦୂରରୁ ଗାନ୍ଧୀଙ୍କୁ ଦଣ୍ଡବତ କଲା । ଏହା ଦେଖି ଗାନ୍ଧୀ ପାଖରେ ବସେଇ ପଚାରିଲେ କାହିଁକି ଦଣ୍ଡବତ କଲ । ଆଉ ତାଙ୍କୁ ସ୍ଵରାଜ୍ୟ ପାଇଁ କିଛି ଚାନ୍ଦା ମାଗିଲେ । ସେ ତ ଗରିବ ହରିଜନ ଟିଏ ଚିଣ୍ଡା କନା ଖଣ୍ଡେ ଗୁଡେ଼ଇ ହୋଇଥାଏ । ଆଉ ତାର କାଠ ତକ ସବୁ ତ ବିକ୍ରି ହୋଇ ନଥାଏ । ଅଣ୍ଟାରେ ଅଧଲା ପଇସା ଟେ ଥିଲା କି ନାହିଁ, ସନ୍ଦେହ । ତଥାପି ଅଣ୍ଟାରେ ହାତ ମାରିବାରୁ । ଗାନ୍ଧୀ ହସି ହସି କହିଲେ ଟଙ୍କା ନାହିଁ ତ, ମୁଁ ତୁମକୁ ତିନୋଟି ବର ମାଗିବି ଦେବ ? ସେ ହଁ କହିବାରୁ ପ୍ରଥମ ବରରେ ଗାନ୍ଧୀ କହିଲେ 'ତମେ ମଣିଷ ମଣିଷକୁ ଏମିତି ଦଣ୍ଡବତ କରିବାର ନୁହଁ; ଏଭଳି ଦଣ୍ଡବତ କେବଳ ଭଗବାନଙ୍କୁ କରିବାର କଥା । ଦ୍ୱିତୀୟ ବରରେ ଗାନ୍ଧୀ କହିଲେ ତୁମେ ଗୋରୁ ମାଂସ ଖାଇବା ଛାଡ଼ିଦିଅ, ଆଉ ତୃତୀୟରେ ତୁମେ ନିଶାଖିଆ ଛାଡ଼ି ଦିଅ ବୋଲି ତିନୋଟି ବର ଗାନ୍ଧୀ ହରିଜନ ବୁଢ଼ା ଠାରୁ ମାଗିଲେ। ବୁଢ଼ା ତିନୋଟି କଥାରେ ହଁ, ହଁ, ହଁ, ମାରି ଉଠିଗଲା । ଏଥିରୁ ଜଣା ପଡ଼ିଯାଏ ଗାନ୍ଧୀଙ୍କ ଚିନ୍ତା ଧାରା କିପରି ଥିଲା । ଦିନକର ଘଟଣା ଗାନ୍ଧୀ ସମ୍ବଲପୁର ଶୋଭାରେ ସ୍ତ୍ରୀ ଲୋକମାନେ ନିଜେ ବୁଣି ଲୁଗା ପିନ୍ଧିବାର ଦେଖି ବହୁତ ଖୁସି ହୋଇଥିଲେ । ଆଉ ଏକ ବାକ୍ୟ କହିଥିଲେ- "ହନୁମାନଙ୍କର ହୃଦୟ ଚିରି ଦେଖିଲା ବେଳକୁ ରାମ ନାମ ଲେଖା ଥିବାର ଦେଖାଗଲା, ସେମିତି ମୋର ହୃଦୟ ଚିରି ଦେଖିଲେ 'ଦରିଦ୍ର ନାରାୟଣ' ଲେଖା ଥିବାର ଦେଖିବ ।" ଯାହା ମନେ ରଖିବା ଉଚିତ୍ ଯେ ମହାତ୍ମା ଉତ୍କଳକୁ କେତେ ଭଲ ପାଉଥିଲେ ।    ୧୯୨୯ ଫେବୃୟାରୀ ମାସର କଥା ଗାନ୍ଧୀ ସିନ୍ଧୀ ଛାତ୍ରମାନଙ୍କୁ ବକ୍ତୃତା ଦେଉ ଦେଉ ତାଙ୍କର ବିଦେଶୀ ଝିଲମିଲ ପୋଷାକକୁ ଦେଖି କହିଥିଲେ । ତୁମେ ଅର୍ଥ ଶାସ୍ତ୍ର ପଢ଼ୁଛ ମାତ୍ର ତମର ଜାଣି ରଖିବା ଉଚିତ୍ ଯେ ଭାରତର ଖଜଣାଖାନାରୁ ତୁମପାଇଁ ଯେତିକି ଖର୍ଚ୍ଚ ହେଉଛି ତାର କାଣିଚାଏ ବି ତୁମେ ତାର ପ୍ରତିବଦଳରେ ଦେଉ ନାହଁ । କେବେ ବିଚାରିଛ ଏହା କେଉଁଠୁ ଆସୁଛି ? ଏହା ଗରିବଙ୍କ ଅଣ୍ଟାରୁ, ଓଡ଼ିଶାର ନର କଙ୍କାଳ ଗଣ୍ଠିରୁ ଆସୁଛି । କାହା ଆଖିରେ ଜ୍ୟୋତି ନାହିଁ ତ କାହାର ପେଟରେ ଖାଦ୍ୟ ଅଭାବରୁ ନିଆଁ ଜଳୁଛି । ଯେକି ମୁଠାଏ ବାସିଭାତ ଓ ଚୁମୁଟେ ମାଟି ଲୁଣରେ ନିଜ ଭୋକ ମେଣ୍ଟାନ୍ତି । ପୁଣି ସେ ଚୁମୁଟେ ଲୁଣକୁ ବି କେତେବେଳେ ବଡ଼ ଲୋକ ଓ ମାରୱାଡୀ ମହାଜନମାନେ ତାଛଲ୍ୟର ସହିତ ଦାନ କରୁଛନ୍ତି । ଏମାନଙ୍କ ପାଇଁ କଣ କରୁଛ? ତମେ ହାତ କଟା ଖଦୀ ପିନ୍ଧୁ ନାହଁ କି, କି ତୁମ ଗରିବ ଭଉଣୀଙ୍କୁ ଦି ପଇସା ଦେଉ ନାହଁ : ଅଥଚ ବିଦେଶୀ ଜିନିଷ କିଣି କୋଟି କୋଟି ଟଙ୍କା ବିଦେଶକୁ ଦାନ କରୁଛ । ଯାହା ଫଳରେ ସୁନାର ଓଡ଼ିଶା ଚୁନା ହେଇ ଯାଉଛି । ଏଥିରୁ ସ୍ପଷ୍ଟ ଜଣା ପଡେ ଗାନ୍ଧୀ ଓଡ଼ିଶାର ଗରିବୀଙ୍କୁ କେତେ ନିକଟରୁ ଦେଖୁଥିଲେ ।

୧୯୩୦ରେ ଲୁଣ ମରା ସତ୍ୟାଗ୍ରହ ଫଳରେ ଦେଶରେ ଅଦ୍ଭୁତ ଚହଳ ପଡ଼ିଥିଲା। ଆଉ ଉତ୍କଳର କର୍ମୀମାନେ ମଧ୍ୟ ଏଥିରେ ଉତ୍ସାହର ସହିତ ଗାନ୍ଧୀଙ୍କ ସହ ମିଶି ଲବଣ ଆଇନ ଭଙ୍ଗ କରିଥିଲେ । ୧୯୩୨ରେ ଗାନ୍ଧୀ ହରିଜନ ପାଇଁ ଆମରଣ ଉପବାସ କରିଥିଲେ। କାରଣ ଇଂରଜ ଶାସନରେ ହରିଜନ ଓ ଇତରଜନ ଭେଦଟାକୁ "ଭୋଟ" ବ୍ୟାପାରରେ ବି ପୁରେଇବାକୁ ବସିଥିଲେ । କିନ୍ତୁ ଗାନ୍ଧୀ ବିଲାତ୍ ସରକାରଙ୍କୁ ଚେତେଇ ଦେଇଥିଲେ କି ଏଭଳି କାର୍ଯ୍ୟ କଲେ ଗାନ୍ଧୀ ଜୀବନ ପଣ କରି ବିରୋଧ କରିବେ । ତତ୍ ସହିତ ଗାନ୍ଧୀ ଓଡ଼ିଶାର ଅସ୍ପୃଶ୍ୟ ଓ ହରିଜନଙ୍କୁ ଦେଖି ଖବର କାଗଜରେରେ ଲେଖିଥିଲେ କି, ମୋତେ ଲୋକ ହସିବେ ନାହିଁ ତ ମୁଁ ଗୋଟେ ଦାବି କରିବି । ଏ ଦାବି ମୁଁ ସବୁଦିନେ କରି ଆସିଛି । ମୁଁ ଜନ୍ମରୁ ସିନା ସ୍ପୃଶ୍ୟ କିନ୍ତୁ ମୁଁ ସ୍ୱେଚ୍ଛାରେ ଅସ୍ପୃଶ୍ୟ ହେବାକୁ ବାଛି ନେଇଛି, ମୁଁ ସବୁବେଳେ ଅସ୍ପୃଶ୍ୟ ହୋଇ ଜୀବନ ଯାପନ କରିବାକୁ ଚେଷ୍ଟା କରୁଛି । ଆଉ ସବୁଠୁ ତଳ ସ୍ତର ଶ୍ରେଣୀ ଭଳି ହେବାକୁ ଚେଷ୍ଟା କରୁଛି । ଯାହାଙ୍କ ପାଖକୁ ଗଲେ ଦୋଷ, ଯାହାଙ୍କ ଦୁଷ୍ଟି ପଡ଼ିଲେ ଦୋଷ, ମୁଁ ତାଙ୍କରି ସାଙ୍ଗରେ ଏକ ହେବାକୁ ବସିଛି । ଏଥିରୁ ସ୍ପଷ୍ଟ ଅନୁମେୟ କରିହୁଏ ଯେ ଗାନ୍ଧୀ ଉତ୍କଳରୁ ଅସ୍ପୃଶ୍ୟତା ଓ ଜାତି ଭେଦକୁ ହଟାଇବାକୁ କେତେ ଯତ୍ନଶୀଳ ନଥିଲେ । ସେଥିପାଇଁ ସେ ପୁରୀ ଜଗନ୍ନାଥ ଧାମରୁ ୧୯୩୪ ମେ ୯ ତାରିଖ ପଦଯାତ୍ରା ହରେକୃଷ୍ଣ ପୁର, ଚନ୍ଦନ ପୁର, ସାକ୍ଷୀଗୋପାଳ, କାଦୁଆ, ବୀର ପୁରୁଷୋତ୍ତମ ପୁର, ଦାଣ୍ଡ ମୁକୁନ୍ଦପୁର, ପିପିଲି, ଶିଉଳାଚକ, ବାଳକାଟି, ସତ୍ୟଭାମା ପୁ୍ର, ବାଲିଅନ୍ତା,ତେଲେଙ୍ଗା ପେଣ୍ଠ,କାଜି ପାଟଣା, କଟକ ଅଭିମୁଖେ ଆରମ୍ଭ ହୋଇଥିଲା ।

 ଏକ ଦିବସର ଘଟଣା ସତ୍ୟଭାମାପୁରର ଏକ ଆମ୍ବ ଗଛ ମୂଳରେ ଗାନ୍ଧୀ ଲେଖାଲେଖିରେ ବ୍ୟସ୍ତ ଥାନ୍ତି। ବୈଶାଖ, ଜ୍ୟେଷ୍ଠ ମାସର ଖରା, ଆମ୍ବ ଗଛ ଆମ୍ବ ଡାଆଣୀ ପୋକରେ ଭର୍ତି । ଗାନ୍ଧୀ ଲେଖିଲା ବେଳକୁ କୁଆଡୁ ମେଞ୍ଚାଏ ପୋକ ଆସି ଗାନ୍ଧୀଙ୍କ ଦେହରେ ବେଢ଼ି ଯାନ୍ତି । ସେଥିପାଇଁ ମୀରା ବେନ୍ ବିଞ୍ଚନା ହଲାଉ ଥାନ୍ତି । କିଛି ଲାଭ ହେଉ ନଥାଏ । ଯେତେ ବିଞ୍ଚିଲେ ବି ସେ ପୁଣି ଆସି ବେଢ଼ି ଯାନ୍ତି ।ଏହା ଦେଖି ମୀରା ବେନ୍ ଗାନ୍ଧୀଙ୍କୁ କହିଲେ "ପୋକ ଗୁଡାକ କୁଆଡେ ଗରମରେ ଛାଇକୁ ଚାଲି ଆସୁଛନ୍ତି " ଗାନ୍ଧୀ ତାଙ୍କୁ ଏନେଇ କହିଲେ " ହଁ ମୁଁ ତାଙ୍କୁ କାହିଁକି, ଗାଳି ଦେବି ? ଭଗବାନ୍ ମୋତେ ତାଙ୍କ ଭଳି କରିଥିଲେ ମୁଁ ଠିକ୍ ସେୟା କରୁଥାନ୍ତି । ଏଥିରୁ ସ୍ପଷ୍ଟ ବାରିହୋଇ ପଡେ ଗାନ୍ଧୀ କେବଳ ଉତ୍କଳ ମଣିଷକୁ ଭଲ ପାଉନଥିଲେ ବରଂ କୀଟ, ପତଙ୍ଗ, ପଶୁ,ପକ୍ଷୀ ସମସ୍ତଙ୍କୁ ଭଲ ପାଉଥିଲେ ।

  ସେଦିନ ତେଲେଙ୍ଗାପେଣ୍ଠ ରାତ୍ରି ରହଣୀ ସମୟରେ ଗାନ୍ଧୀ ଓ କର୍ମୀ ମଧ୍ୟରେ "କଂଗ୍ରେସ କର୍ମୀଙ୍କ ପିଲାଙ୍କ ଶିକ୍ଷା " ସମ୍ବନ୍ଧରେ ଏପରି ଆଲୋଚନା ହୋଇଥିଲା । ଗାନ୍ଧୀ ପରାମର୍ଶ ଦେଇଥିଲେ ପ୍ରଚଳିତ ସରକାରୀ ଶିକ୍ଷା ଦେଇ ଲାଭ ନାହିଁ । ବାପା ମାଙ୍କ ଠାରୁ ସବୁଠାରୁ ଭଲ ଶିକ୍ଷା ମିଳେ । ଯେଉଁ ବାପା ମାଆ ପିଲାଙ୍କୁ ଶିକ୍ଷା ଦେବା ଦାୟିତ୍ବ ନେଇ ପାରିବେ ନାହିଁ, ସେମାନଙ୍କ ପାଇଁ ପ୍ରତି ପ୍ରଦେଶରେ କିଛି ବ୍ୟବସ୍ଥା ହେବା ଦରକାର । ସେଠାରେ ଅନ୍ୟ ଏକ ସହକର୍ମୀଙ୍କ ପାଖରେ କଂଗ୍ରେସ କର୍ମୀଙ୍କ ପିଲାଙ୍କୁ ଭଲ ଶିକ୍ଷା ଦେବାର ବ୍ୟବସ୍ଥା କଲେ ଠିକ୍ ହେବ ।" ଶେଷରେ ଗାନ୍ଧୀ ଜୋର ଦେଇ କହିଲେ " ଯେ ଦେଶର ସେବକ ହେବ, ସେ ଯାହାଙ୍କର ସେବା କରୁଛି, ସେହି ଗରିବ ଦେଶବାସୀଙ୍କ ଠାରୁ ବେଶୀ ସୁବିଧା ପାଇବା ଆଶା କରିବ ନାହିଁ । ଯେଉଁ ଶିକ୍ଷା ଗରିବ ଲୋକ ତାଙ୍କ ପିଲାଙ୍କୁ ଦେଇ ପାରୁ ନାହାଁନ୍ତି, ସେଭଳି ଶିକ୍ଷା ତାଙ୍କ ସେବକର ଆପଣା ପିଲାଙ୍କୁ ଦେବାର କି ଅଧିକାର ଅଛି?"     ଉତ୍କଳର ରମାଦେବୀ, ଆଚାର୍ଯ୍ୟ ହରିହର, ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ଏହି ଯାତ୍ରାରେ ନିଜକୁ ସମ୍ପୂର୍ଣ ଭାବରେ ସାମିଲ କରିଥିଲେ । ତାଙ୍କର ଲକ୍ଷ୍ୟ ଥିଲା କିପରି ଉତ୍କଳରୁ ଅସ୍ପୃଶ୍ୟତା ଓ ଅଭାବ ଦୂର ହେବ ।ସେଥି ପାଇଁ ସେମାନେ କାର୍ଯ୍ୟ କରି ଆସୁଥିଲେ ।ଗାନ୍ଧୀ କହୁଥିଲେ " ଭଗବାନ ମନ୍ଦିରରେ ନାହାନ୍ତି କି ମସଜିଦରେ ନାହାନ୍ତି, ବାହାରେ ନାହାନ୍ତି କି ଭିତରେ ନାହାନ୍ତି। ଯଦି ସେ କେଉଁଠି ଥାଆନ୍ତି ତେବେ ତାହା ହେଉଛି ଦୀନ ଓ ଦରିଦ୍ରର କ୍ଷୁଧା ଓ ତୃଷାରେ ।"ତେଣୁ ସେ ଦରିଦ୍ରଙ୍କ ସେବବୁ ନାରାୟଣଙ୍କ ସେବା ବୋଲି ଭାବୁଥିଲେ । ଆଉ ସର୍ବଦା ତତ୍ପର ଥିଲେ ।

ଗାନ୍ଧୀ ଦେଶ ସେବକ ମାନଙ୍କୁ ସର୍ବଦା ନିଜର ଦୈନିକ ହିସାବ ରଖିବାକୁ କହୁଥିଲେ । ଏବଂ ନିଜେ ମଧ୍ୟ ନିଜର ଖର୍ଚ୍ଚର ସବିଶେଷ ହିସାବ ରଖୁଥିଲେ ।ଯାହା ଦ୍ଵାରା କି ତାଙ୍କର ଖର୍ଚ୍ଚ ବିଷୟରେ ଜାଣିହେବ, ଯେ କି ସେମାନେ ସେବକ ଭଳି ଖର୍ଚ୍ଚ କରୁଛନ୍ତି କି ନାହିଁ ।  ଡେଲାଙ୍ଗ ସମ୍ମିଳନୀର ଗୋଳମାଳରେ ଗାନ୍ଧୀ ତାଙ୍କ ବାଡି ଟିକୁ କୁଆଡେ ହଜେଇ ଦେଇଥିଲେ । ଏହା ଦେଖି ଆଚାର୍ଯ୍ୟ ହରିହର ଗୋଟେ ସୁନ୍ଦର ବାଡି ନିର୍ମାଣ କରି ଆଣି ଦେଇଥିଲେ । ଗାନ୍ଧୀ ଜେଲରୁ ବାହାରିବା ପରେ ବହୁ ଗ୍ରାମରେ ତାଙ୍କର ଆଚାର୍ଯ୍ୟ ହରିହରଙ୍କ ସହ ଦେଖା ହେବାରୁ ଗାନ୍ଧୀ କହିଥିଲେ ଆଚାର୍ଯ୍ୟ ତୁମେ ଦେଇଥିବା ସେ ବାଡ଼ିକୁ ମୁଁ କେଉଁଠି ହଜେଇ ଦେଇଛି । ଏବଂ ହରିହର ମଧ୍ୟ ଆଉ ଗୋଟେ ବାଡିକୁ ରାମ୍ପୀ ରୁମ୍ପି ଆଣି ଦେଇଥିଲେ ଏବଂ ଗାନ୍ଧୀ କହିଥିଲେ, ଯେ ଏ ବାଡ଼ିରେ ହରିହର ତୁମର ସେ ପ୍ରେମ, ଭଲ ପାଇବା ନାହିଁ, ଯାହା ସେ ବାଡି ଟିରେ ଭୋରି ରହିଥିଲା। ଗାନ୍ଧୀ ନିଜ ଜିନିଷ ପତ୍ରକୁ ବହୁତ୍ ଯତ୍ନରେ ସଜାଡି ରଖୁଥିଲେ ।     ୧୯୩୬ ମସିହାର କଥା ଚରଖା ସଂଘର କଡ଼ା ନିଷ୍ପତି ହେଲା ଯେ ଯେଉଁ ପ୍ରଦେଶର ଶାଖା କ୍ଷତି କରିବ ଓ ଆତ୍ମ ନିର୍ଭରଶୀଳ ନ ହେବ, ସେ ସବୁକୁ ବନ୍ଦ କରିଦିଆଯିବ । ଏବଂ ଗୋଟିଏ ଦୁଇଟି ଶାଖା ମଧ୍ୟ ବନ୍ଦ କରି ଦିଆଗଲା, ମାତ୍ର ଉତ୍କଳ ବେଳକୁ ଗାନ୍ଧୀଙ୍କ ପରାମର୍ଶ କ୍ରମେ ନିୟମରେ କୋହଳ କରିଦିଆ ଗଲା । ଆଉ ହରିଜନ ସେବକ ସଂଘ ସମ୍ବନ୍ଧରେ ମଧ୍ୟ ଉତ୍କଳକୁ ତାର ପ୍ରାପ୍ୟ ଠୁ କେନ୍ଦ୍ର ପାଣ୍ଠିରୁ ଅଧିକ ସାହାଯ୍ୟ ମିଳିଛି ।    ବାସ୍ତବରେ ଉତ୍କଳ ପ୍ରତି ଗାନ୍ଧୀଙ୍କ ଭୂମିକା ଥିଲା ଅତୁଳନୀୟ ଯେବେ ଉତ୍କଳରେ ବନ୍ୟା, ମରୁଡି,ପ୍ରାକୃତିକ ବିପର୍ଯ୍ୟୟ ଆସେ, ଅସ୍ପୃଶ୍ୟତା, ଜାତି ଭେଦ, ଗରିବୀ କଥା ଉଠେ ମନେ ପଡ଼ିଯାଏ ଗାନ୍ଧୀଙ୍କ କଥା ମନେ ପଡ଼ିଯାଏ । ଧନିଲୋକଙ୍କ ପାଖରେ ହାତ ପାତି ଉତ୍କଳକୁ ଦାନ କରିଥିବା ଅର୍ଥ କଥା । ମନେ ପଡ଼ି ଯାଏ ଅସ୍ପୃଶ୍ୟତା, ଜାତିଭେଦକୁ ଦୂର କରିବା ପାଇଁ ଅନଶନ କଥା । ମନେ ପଡ଼ି ଯାଏ ନିଜ ହାତେ କୁଷ୍ଠ ରୋଗୀଙ୍କୁ ସଫା କରିଦେବା କଥା । ଯାହାକୁ କି ଉତ୍କଳ ତଥା ଆଜିର ଓଡ଼ିଶା କେବେ ଭୁଲି ପାରିବ ନାହିଁ ।   "ଗାନ୍ଧୀ ଏକ ବ୍ୟକ୍ତି ନୁହଁ ଏକ ବିଚାର ଧାରା, ସତ୍ୟ, ଅହିଂସା, ନ୍ୟାୟର ପୂଜାରୀ । ଚିରସ୍ମରଣୀୟ, ପୂଜନୀୟ, ବନ୍ଦନୀୟ, ଅଗ୍ରଗଣ୍ୟ ପ୍ରାତସ୍ମାରଣୀୟ ହୋଇ ଚିରଦିନ ମନେ ରହିବେ ମୋହନ ଦାସ୍ କରମ୍ ଚାନ୍ଦ ଗାନ୍ଧୀ ।"   



Rate this content
Log in

Similar oriya story from Inspirational