Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sambit Srikumar

Tragedy Inspirational Others

4.7  

Sambit Srikumar

Tragedy Inspirational Others

ମୋହ

ମୋହ

6 mins
114



ମୋହ ହିଁ ଆମକୁ ଏଇ ଜାଗତିକ ବନ୍ଧନରେ ଆବଦ୍ଧ କରି ରଖିଛି। ମୋହର ଆକର୍ଷଣ ବେଶ୍ ମାୟାବୀ ଏବଂ ସମ୍ମୋହନୀ। ସାଧାରଣ ମଣିଷ ପାଇଁ ନିହାତି ଅସମ୍ଭବ ଏଡ଼ାଇ ଯିବା ଏହାର ଆମନ୍ତ୍ରଣ। ଯେବେ ଜଗତ ହିଁ ମିଥ୍ଯା, ମୋହ ବା ସତ୍ଯ ହେବ କେମିତି? ଏହା ନିର୍ବିବାଦୀୟ ସତ୍ଯ ଯେ ଦିନେ ନା ଦିନେ ଏଇ ସୁମଧୁର ମୋହ ଭଙ୍ଗ ହୁଏ। ଏହା ସୁଖକର ହୋଇପାରେ ଅବା ଅପ୍ରିତିକର ମଧ୍ୟ!

କିନ୍ତୁ ମୋ ମତରେ ଯେତେ ଶୀଘ୍ର ଏଇ ମୋହ ଭଙ୍ଗ ହେବ ତାହା ମଣିଷ ପାଇଁ ହିତକର। ଅନ୍ତିମ ପରିଣତିର ପୂର୍ବରୁ ବି ଯଦି ହୁଏ ତେବେ ବି କିଛି ଟା ସମ୍ଭାଳି ହୋଇଯିବ। କିଞ୍ଚିତ ବିଳମ୍ବ ହେଲେ ଫେରିବାର ସବୁ ରାସ୍ତା ବନ୍ଦ ହୋଇଯାଇଥାଏ। ଥରେ ରସାତଳଗାମୀ ହେଲା ପରେ ଉତ୍ଥାନ କେବଳ ସୁଦୂର ପରାହତ ସ୍ଵପ୍ନଟିଏ ହୋଇ ରହିଯାଏ। ଏମିତି ଅନେକ ଅଘଟଣ ଘଟିଛି ଯାହା ନବ ନବ ଉନ୍ମେଷଶାଳିନୀ ପ୍ରତିଭାର ଅକାଳ ବିୟୋଗର କାରଣ ହୋଇଛି।

ମୁଁ କାବ୍ୟା କ୍ରିଷ୍ଣନ! ମଦୁରାଇର ଏକ ରକ୍ଷଣଶୀଳ ତାମିଲ୍ ବ୍ରାହ୍ମଣ ପରିବାରରେ ମୋର ଜନ୍ମ। ପିଲାଟି ଦିନରୁ ମୋର ଗାନ୍ଧର୍ବ କଳାରେ ରୁଚି। କାଳକ୍ରମେ ଏଥିରେ ନିପୁଣତା ହାସଲ କଲି। ଆଖିରେ ମୋର ଅସୁମାରି ଚୁନା ଚୁନା ସ୍ବପ୍ନର ସମ୍ଭାର। ରୁପେଲି ପରଦାର ସଫଳ ଅଭିନେତ୍ରୀଟିଏ ହେବାର ଆକାଂକ୍ଷା। ରାଶି ରାଶି ସମ୍ମାନରେ ସମ୍ବର୍ଦ୍ଧିତ ହେବାର ସ୍ବର୍ଣ୍ଣିମ ଅଭିପ୍ସା।

କିନ୍ତୁ ପରିବାରର କେହି ଚାହୁଁନଥିଲେ ମୁଁ ନାଚଗୀତ ଏବଂ ଫିଲ୍ମ ଲାଇନ୍ ରେ ଯିବା ପାଇଁ। ବହୁତ ମାଡ଼ ଗାଳି ସହିଛି ନାଚ ଗୀତ ଛାଡ଼ିବା ପାଇଁ, ହେଲେ କିଛି ପ୍ରଭାବ ପଡ଼େନାହିଁ ମୋ ଉପରେ। ମୋ କଳାକୁ ନେଇ ମୁଁ ବିଭୋର। ରାଜ୍ଯ ସ୍ତରୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ବହୁବାର ପୁରସ୍କୃତ ହୋଇଥିଲି ମୁଁ। ଅନେକ ପ୍ରସଂଶା ସାଉଁଟିଥିଲି ଏଥିପାଇଁ। ମୋ ଏକାଗ୍ରତା ଆଗରେ ପରିବାରର ଜିଦ୍ ହାର୍ ମାନିଲା। ସେମାନେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଲେ ମୋର ପ୍ରତିଭାର ବିକାଶ ପାଇଁ।

ନିଜ ରୂପର ବର୍ଣ୍ଣନା ନିଜେ ମୁଁ କିପରି କରିପାରିବି? ସଂକ୍ଷେପରେ କହିଲେ କେହି ବି ମୋ ଠାରୁ ତାର ନଜର ହଟାଇ ପାରିବ ନାହିଁ ସହଜରେ। ନିଶ୍ଚୟ ଚାହିଁବ ବାରମ୍ବାର। ଆକର୍ଷଣୀୟ ଓ ମନମୁଗ୍ଧକର ସୌନ୍ଦର୍ଯ୍ୟର ଗନ୍ତାଘର! ଇଶ୍ବର ଦତ୍ତ ଗୌର ବର୍ଣ୍ଣ ସହ ସୁଗଠିତ ସୁନ୍ଦର ସ୍ବାସ୍ଥ୍ୟବତୀ ଶରୀର ମୋର ଶ୍ରେଷ୍ଠ ସମ୍ପଦ!

ରାଜ୍ୟ ସ୍ତରୀୟ ଶାସ୍ତ୍ରୀୟ ନୃତ୍ୟ ଉତ୍ସବରେ ପ୍ରାପ୍ତ ସଫଳତା ମୋ ପାଇଁ ଉନ୍ମୁକ୍ତ କଲା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାର ସ୍ଵର୍ଣିମ ପଥ। ନିଜର ଦୃଢ଼ ଆତ୍ମ ବିଶ୍ୱାସକୁ ପାଥେୟ କରି ମୁଁ ଅଗ୍ରସର ହେଲି ମୋ ଲକ୍ଷ୍ଯ ହାସଲର ଦିଗରେ। ମାତ୍ର ସତର ବର୍ଷ ବୟସରେ ମୋତେ ସୁଯୋଗ ମିଳିଲା ପ୍ରଥମ ତାମିଲ ଚଳଚ୍ଚିତ୍ରରେ କାମ କରିବାକୁ, ତାହା ପୁଣି ମୁଖ୍ୟ ନାୟିକା ଭାବେ, ହିରୋଇନ୍! ପ୍ରବୀଣ ନିର୍ଦ୍ଦେଶକ ମୁଥେୟାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣର ଗୁରୁଭାର ନ୍ଯସ୍ତ ହୋଇଥିଲା। ବିପକ୍ଷରେ ସୁପରଷ୍ଟାର୍ ସୁଜୟ କୁମାର। ମୋ ପାଦ ଆଉ ତଳେ ଲାଗୁନଥାଏ ଖୁସିରେ। ଆରମ୍ଭ ହେଲା ସୁଟିଂ। ମୋତେ ବହୁତ ଉତ୍ସାହିତ ଲାଗୁଥାଏ ବଡ଼ ବଡ଼ କଳାକାରଙ୍କ ସହ କାମ କରିବାକୁ। ବେଳେ ବେଳେ ବଡ଼ ଅଜବ ଲାଗୁଥିଲା ସେମାନଙ୍କ ବ୍ୟବହାର। କଥା କଥାକେ ମୋ ଦେହକୁ ସ୍ପର୍ଶ କରିବାକୁ ସଦା ସର୍ବଦା ତତ୍ପର ଥିଲେ ସେମାନେ ସେଟ୍ ରେ। କାହାକୁ କିଛି କହିବା ପାଇଁ ମୋର ସାହାସ ହେଉନଥିଲା।

ଦିନେ ମନରେ ସାହାସ ବାନ୍ଧି ମୁଁ ଏହି ବିଷୟରେ ନିର୍ଦ୍ଦେଶକ ମୁଥେୟାଙ୍କୁ କହିବାରୁ ପ୍ରତ୍ୟୁତ୍ତରରେ ସେ କହିଥିଲେ, "ଦୁନିଆଁରେ କିଛି ବି ମୋଫତରେ ମିଳେନାହିଁ। କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ ପ୍ରତି ବଦଳରେ। ଅନେକ ନାମକରା ହିରୋଇନ୍ ଥାଉ ଥାଉ ତୁମକୁ ନିଆଯାଇଛି ଏହି ପ୍ରୋଜେକ୍ଟରେ। ପୁଣି ସୁପରଷ୍ଟାର୍ ସୁଜୟ କୁମାରଙ୍କ ବିପକ୍ଷରେ! ଆମ ଫିଲ୍ମ ଲାଇନ୍ ରେ ଏମିତି ଉଣା ଅଧିକେ ହୁଏ। ଏହା ଏକ ସ୍ବାଭାବିକ କଥା। ସମସ୍ତ ନବାଗତଙ୍କୁ ଏମିତି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ। ଏଥିରେ ବିଚଳିତ ନହୋଇ ନିଜ କ୍ୟାରିୟର ଉପରେ ଫୋକସ୍ କର ଆଉ ଟିକେ କମ୍ପ୍ରମାଇଜ୍! ଦୁନିଆଁ ତୁମର ପାଦରେ ଲୋଟିବ ଦିନେ... "

ମୁଁ ନିଜକୁ ଏବେ ସହଜ ମନେ କରୁଥିଲି ନିର୍ଦ୍ଦେଶକଙ୍କ କଥା ଶୁଣି। ସ୍ବପ୍ନକୁ ସାକାର କରିବା ପାଇଁ ମୁଁ ଥିଲି ବଦ୍ଧପରିକର। ଏଣୁ ମୁଁ ବି କରିବା ପାଇଁ ରାଜି ହୋଇଗଲି ଏଇ କମ୍ପ୍ରମାଇଜ୍! ଦିଆନିଆର ଏହି ବ୍ଯାପରରେ ଯଦିଓ ମୁଁ ନବାଗତା ଥିଲି କିନ୍ତୁ ଅଭିନୟରେ ନିପୁଣା ଥିବାରୁ ସବୁକିଛି ସହିଗଲି। ଅନେକ ଅସଂଖ୍ଯ ରାତି ମୁଁ କାଟିଦେଇଛି ଉଜାଗରରେ କାନ୍ଦି କାନ୍ଦି ସଫଳତା ହାସଲ କରିବା ପାଇଁ। ଆଖିରୁ ଲୁହ ଓଠ ସିନା ପିଏ କିନ୍ତୁ କାହାକୁ କାନେ କାନେ ଖବର ନଥାଏ ମୋ ଯନ୍ତ୍ରଣା ଜର୍ଜରିତ ସଂଘର୍ଷର।

ହାରାହାରି ବ୍ୟବସାୟିକ ସଫଳତା ହାସଲ କଲା ପ୍ରଥମ ଫିଲ୍ମଟି। ଏହାପରେ ଆଉ ମୁଁ ପଛକୁ ଫେରି ଚାହିଁନି। ଅନେକ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତାବ ଆସୁଥାଏ। ମୋର ପ୍ରସିଦ୍ଧି ବ୍ଯାପୁ ଥାଏ ପ୍ରଦେଶରୁ ପ୍ରଦେଶ। ତାମିଲ୍ ବ୍ଯତିରେକ ତେଲୁଗୁ କନ୍ନଡ଼ ମାଲାୟାଲମ ଓଡ଼ିଆ ଭୋଜପୁରୀ ଭାଷାର ଅନେକ ପ୍ରାନ୍ତୀୟ ଚଳଚ୍ଚିତ୍ରରେ ମୋ ଅଭିନୟର ପରାକାଷ୍ଠା ପ୍ରଦର୍ଶନ କରିଥାଏ ମୁଁ। ଭରପୁର ଟାଲେଣ୍ଟ ଥାଇ ମଧ୍ୟ ସବୁଠି କରିବାକୁ ପଡ଼େ ଏଇ କମ୍ପ୍ରମାଇଜ୍! ଏଇଟା କାଳେ ଶୋ' ବିଜିନେସ୍ ର ଅଲିଖିତ ନିୟମ!

ସଫଳତା ହାସଲ କରିବାର ରାସ୍ତା ବଡ଼ ଦୁଷ୍କର। କେବେ ଅଙ୍କାବଙ୍କା ସର୍ପିଳ ତ କେବେ ପଙ୍କିଳ, କେବେ ପୁଣି କଙ୍କରିଳ। କଠିନ ପରିଶ୍ରମରେ ପ୍ରାପ୍ତ ହୋଇଥିବା ସଫଳତା ମଧ୍ୟ ଚିରସ୍ଥାୟୀ ନୁହେଁ। ସବୁକିଛି ଦୁନିଆଁରେ କ୍ଷଣସ୍ଥାୟୀ। ଗୋଟିଏ କ୍ଷେତ୍ରରେ ସାଫଲ୍ୟ ଅର୍ଜନ କରିଥିବା ବ୍ଯକ୍ତି ଅନ୍ୟ କ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ଭାବେ ଅପରିଚିତ। ରୁପେଲି ଜଗତର ମନମତାଣିଆ ମାୟାବୀ ଆଲୁଅର ଚାକଚକ୍ୟ ନେପଥ୍ୟରେ ଅମା ଅନ୍ଧକାର। ସେଠି ମଣିଷରୂପୀ ଜନ୍ତୁଜୁନ୍ତାଙ୍କ ଅବାଧ ଚଳପ୍ରଚଳ। ମାଂସ ଲୋଭୀ ଶୃଗାଳଙ୍କ ଗହଳ ଚହଳ। ମାଂସର ବିନିମୟରେ ହୁଏ ଏଠି ଅନେକ ସ୍ବପ୍ନ ସାକାର!

ବଲିଉଡ ପ୍ରତି ଥିଲା ମୋର ଅହେତୁକ ମୋହ ବାଲ୍ୟକାଳରୁ। ଏହି ମୋହ ହିଁ ମୋତେ ଚେନ୍ନାଇରୁ ଟାଣି ଆଣିଲା ମାୟାନଗରୀ ମୁମ୍ବାଇ। ବଲିଉଡରେ ରାଜୁତି ଚାଲେ କତିପୟ ପୁଞ୍ଜି ଐରାବତଙ୍କର। ସମଗ୍ର ଫିଲ୍ମ ନିର୍ମାଣ ଶିଳ୍ପ ଏମାନଙ୍କର କବ୍ଜାରେ। ଫିଲ୍ମ ନିର୍ମାଣର ମୂଳରୁ ବିତରଣ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠାରେ ଏମାନଙ୍କ ଆଧିପତ୍ୟ। ଏମାନଙ୍କ ଇଛା ବିରୁଦ୍ଧରେ ଏଠି ତିଷ୍ଠିବା କାଠିକର ପାଠ। ଏମାନଙ୍କର ନା ଥାଏ କଳାର ଆଦର ନା ଥାଏ କଳାକାରଙ୍କ ପ୍ରତି ସମ୍ମାନ।କଳାବଜାରୀରେ ଲିପ୍ତଥାନ୍ତି ଏମାନେ।

ଏଠି ସବୁକିଛି ଫିକ୍ସ୍! ପଇସା ପକାଇ ତମାସା ଦେଖ। ତୋଷାମଦୀ ପ୍ରୀୟାପ୍ରୀତି ଓ ପକ୍ଷପାତିତାର ଘୋଡ଼ା ଦୌଡ଼ରେ ପ୍ରତିଭାଶୂନ୍ଯ ଗଧଙ୍କୁ ବିଜେତା କରାନ୍ତି ଏମାନେ। ଖାସ୍ ଏଇ ପଇସା ରୋଜଗାର କରିବା ପାଇଁ ଏହି ସ୍ବାର୍ଥନ୍ବେଷୀ ଗୋଷ୍ଠୀ ପଡୋଶୀ ଶତ୍ରୁ ରାଷ୍ଟ୍ରର କଳାକାରଙ୍କୁ ମଧ୍ଯ କୋଳାଗ୍ରତ କରିନିଅନ୍ତି। କିନ୍ତୁ ନିଜ ଦେଶର ଛୋଟ ସହରର ପ୍ରତିଭାମାନଙ୍କୁ ନିଜର ପାଦରେ ଦଳିଚକଟି ନଷ୍ଟ କରିଦିଅନ୍ତି।

ମୁମ୍ବାଇର ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋର କେହି ପରିଚିତ ବ୍ଯକ୍ତି ନଥିଲେ। ସ୍ପଷ୍ଟ ଭାବେ କହିଲେ ଗଡ୍ ଫାଦର! ବିନା ଗଡ୍ ଫାଦରରେ ବଲିଉଡରେ ସଂଘର୍ଷ କରି କରି ଜୀବନର ଜୀବନିକା ପଡିଯାଏ କିନ୍ତୁ କିଛି ବି ହାସଲ ହୁଏ ନାହିଁ। ତଥାପି ମୁଁ ଧୈର୍ଯ୍ୟଧରି ଚେଷ୍ଟା ଜାରି ରଖିଥିଲି। ନିଜର ପ୍ରୋଫାଇଲ୍ ଧରି ଏ ଅଫିସରୁ ସେ ଅଫିସକୁ ଧାଉଁଥିଲି। ବହୁବାର ରିଜେକ୍ଟ ହେବା ପରେ କମ୍ପ୍ରମାଇଜ୍ ର ଅମୋଘ ଅସ୍ତ୍ର ହିଁ କାମରେ ଆସିଲା। ଫିଲ୍ମ ଇଣ୍ଡଷ୍ଟ୍ରିର ଜନୈକ ମଧ୍ୟ ବୟସ୍କ ନିର୍ଦ୍ଦେଶକ ମୁକୁଲ୍ ଶର୍ମାଙ୍କ ସହ ଲିଭ୍-ଇନ୍ ରିଲେସନସିପ୍ ରେ ରହିବାକୁ ବାଧ୍ୟ ହେଲି।

କମ୍ ବଜେଟ୍ ରେ ପ୍ରସ୍ତୁତ ହେଉଥିବା ହିନ୍ଦୀ ଚଳଚ୍ଚିତ୍ରରେ କାମ କରିବାକୁ ସୁଯୋଗ ମିଳିଲା କିନ୍ତୁ ବଲିଉଡର ପ୍ରଚଳିତ ମାନକ ଅନୁସାରେ ଲିଡ୍ ରୋଲ୍ ପାଇଁ ମୁଁ କାଳେ ଫିଟ୍ ନଥିଲି ନିଜର ହୃଷ୍ଟପୃଷ୍ଟ ଶାରୀରିକ ଗଠନ ପାଇଁ। କଙ୍କାଳସାର ରୂପସୀ ଙ୍କର ଏଠି ଚାହିଦା ପ୍ରଚୁର! ଗୋଟିଏ ଦୁଇଟି ମୁଭିରେ ସେକେଣ୍ଡ୍ ଲିଡରେ ଖୁଲମଖୁଲା ଅଙ୍ଗ ପ୍ରଦର୍ଶନ କରିବା ସତ୍ତ୍ୱେ ଆଉ କାମ ମିଳିଲା ନାହିଁ। କାରଣ ମୋ ଅଭିନୀତ ଫିଲ୍ମ ଗୁଡ଼ିକ ଭଲ ବିଜିନେସ୍ କରିପାରିନଥିଲା ବକ୍ସ୍ ଅଫିସରେ। ପ୍ରଯୋଜକ ଅନେକ ଅର୍ଥ ବିନିଯୋଗ କରିଥିଲେ ମଧ୍ୟ ସବୁ କିଛି ଡୁବିଯାଇଥିଲା ଫିଲ୍ମ ଫ୍ଲଫ୍ ହେବା ଯୋଗୁଁ। ଆମର ପାରିଶ୍ରମିକ ମଧ୍ଯ ଅନେକାଂଶରେ ମିଳି ନଥିଲା।

ଏମିତି କିଛି ଦିନ ବିତିଯାଇଥିଲେ ମଧ୍ୟ ମୁମ୍ବାଇ ମହାନଗରୀ ଓ ବଲିଉଡ ଠାରୁ ମୋର ମୋହ ତୁଟି ନଥିଲା। ଲିଭ୍-ଇନ୍ ପାର୍ଟନର୍ ମୁକୁଲ୍ ଙ୍କ ପ୍ରରୋଚନାରେ ମୁଁ ଆଇଟମ୍ ନମ୍ବର୍ କରିବାକୁ ବାଧ୍ୟ ହେଲି। ସେଇଟା ହିଁ ଥିଲା ମୋ ଜୀବନର ସବୁଠାରୁ ବଡ଼ ଭୁଲ୍। ଏଇଠୁ ହିଁ ମୋ ଜୀବନ ଭିନ୍ନ ମୋଡ ନେଇଥିଲା। ନୂଆ ନୂଆ ଆଇଟମ୍ ନମ୍ବରର ଗୋଟେ ଭଲ କ୍ରେଜ୍ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେସବୁ ଅପ୍ରାସଙ୍ଗିକ ହୋଇ ପଡିଲା ଫିଲ୍ମରେ। କିଛିଦିନ ପରେ ମୋତେ ସେସବୁ କାମରେ ଅଫର୍ ମିଳିବା ବି ବନ୍ଦ ହୋଇଗଲା। ଥରେ ଆଇଟମ୍ ନମ୍ବର୍ କରିବା ପରେ ମୋ ଦେହରେ ନାଚବାଲିର ଷ୍ଟାମ୍ପ ବାଜି ଯାଇଥିଲା। ସୂତରାଂ ପ୍ରାନ୍ତୀୟ ଭାଷାର ଚଳଚିତ୍ରର ଲିଡ୍ ରୋଲ୍ ପାଇଁ ମୁଁ ଅଲୋଡ଼ା ହୋଇପଡିଲି। ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ଆଉ ଚେନ୍ନାଇକୁ ଫେରି ପାରୁନଥିଲି। ମୁମ୍ବାଇର ମୋହ ଯେମିତି ମୋତେ ମାଡି ବସିଥିଲା ଗୋଟାପଣେ!

ନିଜକୁ ଓ ନିଜ ବିଫଳତାକୁ ସମ୍ଭାଳିବାକୁ ମୋର ହୁଏତଃ ଯଥେଷ୍ଟ ବୟସ ହୋଇନଥିଲା ଏବଂ ଅଭିଜ୍ଞତା ବି ନଥିଲା। ଆକ୍ତାମାକ୍ତା ହୋଇଯାଉଥାଏ ମୁଁ ମୁମ୍ବାଇର ଏହି ବିଷମୟ ପରିବେଶରେ। ନା ମୁଁ ଆଗକୁ ବଢି ପାରୁଥିଲି ନା ପଛକୁ ଫେରି ପାରୁଥିଲି, ତ୍ରିଶଙ୍କୁ ଅବସ୍ଥାରେ ଦହଗଞ୍ଜ ହେଉଥିଲି। ଅବର୍ଣ୍ଣନୀୟ ସେହି ମାନସିକ କଷ୍ଟ! ମୋ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଥିବା ପରି ଅନୁଭବ କରୁଥିଲି। କିନ୍ତୁ କାମ ପାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଥାଏ ମୁଁ। ପେଜ ଥ୍ରୀ ପାର୍ଟିକୁ ଯାଇ ପରିଚିତି ବଢାଇବା ସହ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥିଲି। ଏପରିକି ବିଜ୍ଞାପନରେ କାମ କରିବାକୁ ଲବି ମଧ୍ଯ କରୁଥିଲି ମୁଁ। କିନ୍ତୁ ମୋର ଦୁର୍ଭାଗ୍ୟକୁ କୌଣସି କାମ ମୋ ହାତକୁ ଆସୁନଥିଲା। ବରଂ ମୋର ଏଇ ସମୟରେ ମୁକୁଲ୍ ମୋ ସାଥ ଛାଡ଼ି ଆଉ ଗୋଟେ ରୂପସୀ ସହ ନୀଡ଼ ବାନ୍ଧିଲେ।

ସବୁଆଡୁ ନିରାଶ ହୋଇ ମୁଁ ଅବସାଦଗ୍ରସ୍ତ ହୋଇଗଲି। ଅବସାଦ ଲାଘବ କରିବା ପାଇଁ ନିଶା ହେଲା ସାହାରା। ଚଳଚଞ୍ଚଳ ଜୀବନଟା ମୋର ବିଶୃଙ୍ଖଳିତ ହୋଇପଡିଲା। ଖାଦ୍ୟପେୟର ହିସାବ ନଥାଏ। ଓଜନ ବୃଦ୍ଧି ପାଇବାରେ ଲାଗିଲା। ଦିନକୁ ଦିନ ମୋର ସୌନ୍ଦର୍ଯ୍ୟ ହ୍ରାସ ପାଇବାରେ ଲାଗିଥିଲା। ଆଜିକାଲି ମୁଁ ଆଉ ଆଇନାକୁ ସାମ୍ନା କରିପାରୁନଥିଲି। ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିଲି ମୁଁ ପରିଚାରିକାମାନଙ୍କୁ ଏବଂ ଆଗନ୍ତୁକମାନଙ୍କୁ। ଘରେ ଥିବା ଜିନିଷପତ୍ର ଫିଙ୍ଗା ଫୋପାଡ଼ା କରୁଥିଲି। ମୁଁ ଆଉ ହୋଶ୍ ରେ ନଥିଲି। କିନ୍ତୁ ବଲିଉଡରେ ଶ୍ରେଷ୍ଠ ଅଭିନେତ୍ରୀ ହେବାର ମହୁଆ ନିଶାରୁ ଆଦୌ ବିରତ ହୋଇ ନଥିଲି।

ମୋହ ଭଙ୍ଗ ହେଲା ବେଳକୁ ମୁଁ ଥିଲି ମେଣ୍ଟାଲ୍ ହସ୍ପିଟାଲର ବେଡ୍ ରେ। ଯଦିଓ ସବୁକିଛି ମୁଁ ବୁଝି ପାରୁଥିଲି କିନ୍ତୁ ଏ ଦୁନିଆ ପାଇଁ ମୁଁ ପାଗେଳୀ ହୋଇଯାଇଥିଲି ଡାକ୍ତରୀ ଦସ୍ତାବିଜରେ ମୁଷ୍ଟିମେୟ ନାମଜାଦା ସେଲେବ୍ରିଟିଙ୍କ ଭଦ୍ର ମୁଖା ଖୋଲି ଯିବାର ଭୟରେ...



Rate this content
Log in

More oriya story from Sambit Srikumar

Similar oriya story from Tragedy