ମୋ ପାଳି କେତେବେଳେ
ମୋ ପାଳି କେତେବେଳେ
ବଡ଼ କଷ୍ଟ ଲାଗୁଛି । ଜୀବନ ଏବେ ଯନ୍ତ୍ରଣା ଜର୍ଜରିତ । ସମୟର ପ୍ରତିକ୍ଷଣେ ଖାଲି ପ୍ରତିଧ୍ଵନିତ ହୁଏ ମୃତ୍ୟୁର ସତର୍କ ଘଣ୍ଟି । ଶୁଣି ଶୁଣି କାନ ଅତଡା ପଡିଗଲାଣି । ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ତାଣ୍ଡବଲୀଳା ସହ ଦୂରଦର୍ଶନ, ପତ୍ର ପତ୍ରିକା, ସୋସିଆଲ ମିଡ଼ିଆ, ଫେସବୁକ ଉପରେ ନଜର ପଡିବା ମାତ୍ରେ ଦେଖିବାକୁ ମିଳୁଛି କେହି ନା କେହି ,ବନ୍ଧୁ ଆତ୍ମୀୟ ସ୍ଵଜନ ନିହତର ଖବର, ଫଟୋଚିତ୍ର ।
ଭାବିଲା ବେଳକୁ ଆଖି ଲୁହରେ ଭର୍ତ୍ତି ହୋଇ ଯାଉଛି । ଶାନ୍ତିରେ ନିଃଶ୍ଵାସଟିଏ ବି ନେଇ ହେଉନାହିଁ । ଲାଗୁଛି ସତେ ଯେମିତି ଦ୍ଵାର ଦେଶରେ କରୋନାର ମୃଦୁ କରାଘାତ ।
ଯେମିତି ସ୍ଵାଗତ କରିବାକୁ ଇଶାରା କରୁଛି । ଘରେ ବାହାରେ ବାମ ଡାହାଣ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ମନ୍ଦିର, ମସଜିଦ, ହାଟ, ବଜାର ସବୁଆଡେ ଦେଖାଯାଉଛି ଗୋଟିଏ କରାଳ ରୂପ । ଭୟମିଶ୍ରିତ ମନ ଖାଲି ଛଟପଟ ହେଉଛି ଅଜଣା ଆଶଙ୍କାରେ ।
ବଞ୍ଚିବା ପାଇଁ ଖାଦ୍ୟ ତ ନିହାତି ଆବଶ୍ୟକ । ଅନିଚ୍ଛା ସତ୍ତ୍ୱେ ବି ବଞ୍ଚିବାର ଲୋଭରେ ଖାଇବାକୁ ହେଉଛି ।
ଖାଲି ମନକୁ ମନ ପ୍ରଶ୍ନ ଉଠେ ମୋ ପାଳି କେତେବେଳେ ।
ଏମିତି ଅଭାବନୀୟ ପରିସ୍ଥିତିରେ କଲମ ଉଠୁନାହିଁ, ଲେଖିବି ବା କଣ । କେଉଁ ଶବ୍ଦ ଆସିବ କଲମ ମୁନକୁ । କାହାକୁ ଚିତ୍ରଣ କରିବି ବିଭିନ୍ନ ଶବ୍ଦରେ । ପ୍ରକୃତି ପରିବେଶ,ଆତ୍ମୀୟ ସ୍ଵଜନ, ବନ୍ଧୁ ପରିଜନ, ନଦୀ ସମୁଦ୍ର, ଜନ୍ମମାଟି, ଗାଆଁ ପରିବେଶ, ଗୁରୁ, ଛାତ୍ର ସମସ୍ତେ ତ ଭୟଭୀତ, ଆତଙ୍କିତ । ସାରା ବିଶ୍ଵ ଆଜି ସ୍ତବ୍ଧ ହୋଇଯାଇଛି ।
କଲମ ଉଠିଥିଲା ଯାହାଙ୍କ ପାଇଁ, ଆଶୀର୍ବାଦ ଦେଇଥିଲେ ଯେଉଁମାନେ, ପ୍ରେରଣା ଯୋଗାଉଥିଲେ ଯିଏ, ଉତ୍ସାହିତ ହେଉଥିଲି ଯେଉଁ ମାନଙ୍କ ପାଇଁ ,ଗୋଟି ଗୋଟି ହୋଇ ସବୁ ଚାଲି ଯାଉଛନ୍ତି ମୋ ଠାରୁ ଦୂରରୁ ଦୂରକୁ, ବହୁତ ଦୂରକୁ ।
କାନ୍ଦିବି ନା ହସିବି । ବସିବି ନା ଅଭିମାନ କରିବି ।
ନାଟକଟିଏ ଲେଖି ସାରିବା ବେଳକୁ ଦଶଥର ପଚାରି ବସୁଥିବା ଅତି ଆପଣାର ପିତୃତୁଲ୍ୟ ମଣିଷ ଜଣେ, ଚାଲିଗଲେ । କିଏ ଆଉ ପଚାରିବେ ଯେ ନାଟକର ଶୀର୍ଷକ କଣ ଦେଇଛୁ ବୋଲି । ନାଟକଟି ମୂଳରୁ ଶେଷ ଯାଏ ଶୁଣି ତୃଟି ସଂଶୋଧନ ଆଉ କିଏ ବା କରିବେ ।
ମନେ ପଡେ ମୋର ପ୍ରଥମ ନାଟକ" ମମତାର ଆର୍ତ୍ତନାଦ "ଲେଖିବାର ସମୟରେ । ନାଟକଟି ସମ୍ପୁର୍ଣ୍ଣ ଶୁଣି ସାରି ଟାଇଟଲ ଗୀତ ବି ମୁଁ ସ୍ଵର ଦେଇ ଗାଇଥିଲି । କାନ୍ଦି ପକେଇ କହିଲେ, ଆରେ ଏତେ ଜୀବନ୍ତ କେମିତି ଲେଖି ପାରୁଛୁ । ସେହିଭଳି ନିର୍ଦ୍ଦେଶନା ଦେଲେ, ଖୁବ୍ ହୃଦୟସ୍ପର୍ଶୀ ହୋଇ ପାରିବ । ସତକୁ ସତ ନାଟକଟି ଯେତେବେଳେ ବାଲେଶ୍ୱରର କଳାକାର ମଞ୍ଚରେ ,ଗାନ୍ଧୀ ସ୍ମୃତି ଭବନରେ ମଞ୍ଚସ୍ଥ ହୋଇଥିଲା, ଉପସ୍ଥିତ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ । ହେଲେ ଆଜି ନାଟକ ଲେଖା ହୋଇ ସେମିତି ଅଛି, ନା ଶୁଣିବାକୁ ସେ ଅଛନ୍ତି ନା ତୃଟି ସଂଶୋଧନ ହେଉଛି । ସେଥିପାଇଁ ବୋଧହୁଏ ଏଗାରଟି ନାଟକ ପରେ କଲମ ଅଟକି ଯାଇଛି । ଆଉ ନାଟକ ଲେଖିବାକୁ ବି ଆଗ୍ରହ ନାହିଁ ।
ସେମିତି ବି ଏବେ । କବିତା ଗଳ୍ପ ପଢି ବି ଅନେକ ବନ୍ଧୁ ଆତ୍ମୀୟ ସ୍ଵଜନ ଚମତ୍କାର ଉପଦେଶ ପ୍ରେରଣା ଉତ୍ସାହ ଦିଅନ୍ତି । ମନେ ପଡେ କିଛି ଦିନ ତଳେ ଜାନୁଆରୀ ୨୬ ତାରିଖ ଦିନ ପ୍ରଶାସନ ତରଫରୁ କବିତା ଆସରର ଆୟୋଜନ କରାଯାଇଥିଲା । ପ୍ରାୟ ବହୁତ କବି ବନ୍ଧୁ ଆସିଥିଲେ । ଆସର ସରିଲା ।
ସମସ୍ତେ ବାହାରିଲୁ ଆସିବା ପାଇଁ, ଏହି ସମୟରେ ଜଣେ ବନ୍ଧୁ ଆସି ପହଞ୍ଚିଲେ । ଯାହାଙ୍କୁ ମୁଁ ବଡ଼ଭାଇ ଭଳି ମାନେ । ସେ ବି ବହୁତ ଭଲ ପାଆନ୍ତି । ହଠାତ କହିଲେ, ଓହୋଃ ଆଜି ବଡ଼ ଦୁର୍ଭାଗ୍ୟ ମୋର, କାହାରି କବିତା ଶୁଣି ପାରିଲି ନାହିଁ, କି କେତେ କଷ୍ଟ କରି ମୁଁ ଏ କବିତାଟି ଲେଖିଥିଲି ଶୁଣାଇ ପାରିଲି ନାହିଁ କାହାକୁ । ଆମେ ସେଠାରେ ଆଉ ଚାରି ପାଞ୍ଚଜଣ ଥିଲୁ ।
ଅନୁରୋଧ କଲୁ ତାଙ୍କ କବିତା ଶୁଣିବା ପାଇଁ । ସେ ବି ବଡ଼ ଆଗ୍ରହରେ ପଢିଲେ । ପଢିସାରି ମୋତେ କହିଲେ, ବଡ଼ ଆଶା କରିଥିଲି ତୋ ମୁହଁରୁ ଆଜି କାଳିଆ ଠାକୁର କବିତାଟିଏ ଶୁଣିବା ପାଇଁ । ହେଲେ ସେ ସୌଭାଗ୍ୟ ବି ପାଇଲି ନାହିଁ । ହେଲେ ମନେ ରଖ ,ୟା ପରେ ଯେତେବେଳେ ଆସର ଯେଉଁଠି ବି ହେବ ମୋତେ ଫୋନ କରିବୁ ,ମୁଁ ସେ ଆସରରେ ତୋ କବିତା ଶୁଣିବି ତୋ କଣ୍ଠରୁ ।
ବୋଧହୁଏ ତା ପରେ ଆଉ ଯେତେ ଆସର ହୋଇଛି, ବଡ଼ଭାଇଙ୍କ ସହ ଆସରରେ ଏକତ୍ର ହୋଇ ପାରି ନାହିଁ । ଗତ ମାର୍ଚ୍ଚ ମାସରୁ ତ ଏମିତି ମହାମାରୀ ପାଇଁ ସବୁ ବନ୍ଦ । କିଛି ଦିନ ହେବ ମୋତେ ଉତ୍ସାହିତ କରୁଥିବା, ପ୍ରେରଣା ଯୋଗାଉ ଥିବା ବଡ଼ଭାଇ ଆଜି କରୋନାର କରାଳ ସ୍ରୋତରେ ଆମକୁ ଛାଡି ଚାଲିଗଲେ ।
କିଏ ଜାଣେ କେତେବେଳେ କାହା ପାଖକୁ ଏଭଳି ନିମନ୍ତ୍ରଣ ଆସିବ ଆଉ ମୋ ପାଳି କେତେବେଳେ ପଡିବ ।
ହେ ପ୍ରଭୁ ତୁମ ଅମୃତ ସ୍ପର୍ଶରେ ଏ ଜଗତରୁ ଏ ଆତଙ୍କିତ ସମୟକୁ ଦୂରୀଭୂତ କରି ଶାନ୍ତ ବାତାବରଣ ଖେଳେଇ ଦିଅ । ଆଜିର ଏ ପରିସ୍ଥିତିରେ ତୁମ ଛଡ଼ା ଆନ ଗତି ନାହିଁ ପ୍ରଭୁ । କେତେ କେତେ ବିପଦକୁ ଏ ଜଗତରୁ ଦୂର କରିଛ । ମହାମହା ରାକ୍ଷସକୁ ନିଧନ କରି ଧରଣୀକୁ ଶାନ୍ତ କରିଛ । ଆଜି ପ୍ରଭୁ ନିରବ କାହିଁକି । ଆତୁରେ ଡାକୁଛୁ ପ୍ରଭୁ । ଏ ବିପଦରୁ ଉଦ୍ଧାର କର ।
