ମୋ ଜୀବନ ମୋ ସ୍ବପ୍ନ
ମୋ ଜୀବନ ମୋ ସ୍ବପ୍ନ
ନିପଟ ମଫସଲ ଗାଆଁ ରେ ବସବାସ କରେ ଶ୍ରୀକାନ୍ତ।ଆଧୁନିକ ଯୁଗରେ ଜୀବନ ଶୈଳୀ ଏତେ ଉନ୍ନତ ହୋଇଗଲାଣି, ମଣିଷ ବଞ୍ଚିବା ପାଇଁ ଜୀବନ ରେ ଆଗ ଭଳି ଆଉ ଏତେ ପରିଶ୍ରମ କରିବାକୁ ଭଲ ପାଉନାହିଁ। ହେଲେ ଏ ସବୁ ଧନବାନ୍ ପାଇଁ ସହଜ। ନିଧନ ପାଇଁ......?
କେବଳ ତା ପରିଶ୍ରମ ଓ ଅଧ୍ୟବସାୟ ହିଁ ଏକ ମାତ୍ର ସାହା। ଶ୍ରୀକାନ୍ତ ଗରିବ ଘର ର ପୁଅଟିଏ। ସାଥିରେ ମା' ଛଡ଼ା ଆଉ କିଏ ନାହାନ୍ତି। ମେଟ୍ରିକ୍ ରେ ଖୁବ୍ ପରିଶ୍ରମ କରିବା ସତ୍ତ୍ୱେ ସେ ଫେଲ ହୋଇଗଲା। ବିଲବାଡି ଯେତିକି ଅଛି ସେଥିରୁ ପନି ପରିବା ଆଦାୟ ଓ ଖାଇବା ଯୋଗାଡ ହୋଇଯାଏ। ତା ପରେ ବି ସେ ସନ୍ଧ୍ୟା ବେଳେ ଚାଟ ବିକ୍ରି କରେ। ଠେଲା ଗାଡ଼ି ରେ ସବୁ ଯାବତୀୟ ସରଞ୍ଜାମ ନେଇ ଗାଆଁ ଛକ ରେ ବ୍ୟବସାୟ କରି ଦି ପଇସା ରୋଜଗାର କରେ ଏବଂ ସେଥିରେ ସେ ବେଶ୍ ଖୁସିରେ ମା' ସହ ଚଳି ଯାଏ। ପରୀକ୍ଷା ରେ ବିଫଳ ହେଲେ ବି ସେ ଲୋକଙ୍କ କଟାକ୍ଷକୁ ଭ୍ରୁକ୍ଷେପ ନ କରି ପୁଣି ଅଣ୍ଟା ଭିଡ଼ିଛି ଆଉ ଥରେ ପରୀକ୍ଷା ଦେବ। ସମୟ କ୍ରମେ ସେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଗଲା। ମା' କୁ ନେଇ ଆଗକୁ ଆହୁରି ପଢ଼ିବା ପାଇଁ ବଡ଼ ସହରକୁ ଗଲା। ସେଠି ଚିରାଚରିତ ବ୍ୟବସାୟ ଆରମ୍ଭ କରିବା ସହ ସହର ର ତଳିଆ ବସ୍ତି ରେ ମୁଣ୍ଡ ଗୁଞ୍ଜିବା ବ୍ୟବସ୍ଥା କରି ଗୁଜୁରାଣ ମେଣ୍ଟାଇବା ସହ ପଢ଼ା ପ୍ରତି ବି ଅବହେଳା କରି ନ ଥିଲା।
କାଳ କ୍ରମେ ଶ୍ରୀକାନ୍ତ ର ଅନବରତ ଉଦଯୋଗ, କିଛି ବର୍ଷ ପରେ ସଫଳ ରେଷ୍ଟୁରାଣ୍ଟ ର ମାଲିକ ଭାବେ ଉଭା କରିଦେଇଥିଲା ସେହି ସହର ର ମୁଖ୍ୟ ପେଣ୍ଠ ସ୍ଥଳୀ ରେ। ଯେଉଁଠି ସେ ରେଷ୍ଟୁରାଣ୍ଟ ର ମାଲିକ ହେଲେ ବି ଚାଟ ବ୍ୟବସାୟ ସନ୍ଧ୍ୟା ହେଲେ ସେହି ଠେଲା କୁ ନବୀକରଣ କରି ସେ ନିଜେ ଗ୍ରାହକଙ୍କୁ ସେବା ଯୋଗାଉ ଥିଲା। ଶ୍ରୀକାନ୍ତ ଏମିତି ଦିନେ ସନ୍ଧ୍ୟା ରେ ଚାଟ ବିକ୍ରି କରୁଥାଏ, ସେଦିନ ମ୍ରୀୟମାଣ ହୋଇ ଜଣେ ବ୍ୟକ୍ତି ଚାଟ ଦୋକାନ ସାମ୍ନାରେ ଚାଟ ବରାତ୍ କଲେ। ଶ୍ରୀକାନ୍ତ ଚାଟ ବଢ଼ାଇଦେଲା ଶ୍ରଦ୍ଧା ସହ। ବ୍ୟକ୍ତି ଜଣକ ଶ୍ରୀକାନ୍ତ କୁ ଚିହ୍ନି ତା ବିଷୟରେ ଜାଣି ଗଲେ । ପଚାରିଲେ ଆପଣ ଜଣେ ରେଶୁରାଣ୍ଟ ର ମାଲିକ ତଥାପି ଏଇଠି ଆପଣ ନିଜେ ଏଇ ଛୋଟିଆ ଚାଟ୍ ଦୋକାନ ରେ ଚାକର ଭଳି କାମ କରୁଛନ୍ତି ? ଦେଖନ୍ତୁ ମୁଁ ବି ଗୋଟେ କମ୍ପାନୀର ବରିଷ୍ଟ ମେନେଜର।ମୋ ନିର୍ଦ୍ଦେଶ ରେ ପ୍ରାୟ ପଚାଶ ହେବ ବ୍ୟକ୍ତି କାମ କରନ୍ତି। ତେବେ ଏଭଳି ଦୟନୀୟ କାମ ସବୁ ବ୍ୟବସ୍ଥା ଥାଇ ଆପଣ ନିଜେ କାହିଁକି କରନ୍ତି ?
ଶ୍ରୀକାନ୍ତ ଚୁପ୍ ନ ରହି ସେ କହିବା ଲାଗିଲା, ଆଜ୍ଞା ଭଲ ପ୍ରଶ୍ନ ପଚାରିଲେ। ତେବେ ଶୁଣନ୍ତୁ; ମୁଁ ଯେବେ ଏଇ ଛୋଟିଆ ଠେଲା ରୁ ଗୁଜୁରାଣ ସହ ଜୀବନ ଜୀବିକା ପାଇଛି, ସେଦିନୁଁ ମୋ ଜୀବନ ଆଉ ସ୍ବପ୍ନ ସବୁ ଏହାରି ପଛରେ ସମର୍ପଣ କରିଦେଇଛି। କାରଣ ଏହି ପେଶା ହିଁ ମୋତେ ଓ ମୋ ପରିବାରକୁ ବଞ୍ଚିବା ଖୋରାକ ଯୋଗାଇଛି। ଯେବେ ମୁଁ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ପାରିଲି ନାହିଁ ସେଦିନ ଇଏ ହିଁ ମୋର ମନୋବଳ ଦୃଢ଼ କରାଇ ଦେଇଛି। ବିଭିନ୍ନ ପ୍ରକାର ଗ୍ରାହକ ମୋ ଠେଲା ପାଖକୁ ଆସନ୍ତି। ସେମାନଙ୍କ ଅନ୍ତରଙ୍ଗ କଥା, ଅଭିବ୍ୟକ୍ତି, ଦୁଃଖସୁଖ କହିଯାନ୍ତି ଏବଂ ସେମାନଙ୍କ ଭିତରେ ମୁଁ ମୋର ସ୍ବପ୍ନ ସାକାର ହେବା ମାର୍ଗ ପାଇଛି ଓ ଆଗକୁ ସଫଳ ମାର୍ଗ ପ୍ରେରଣା ପାଉଛି। ଏହି ଠେଲା ସହ ଗ୍ରାହକ ଓ ଜୀବନର ସ୍ବପ୍ନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତା ବ୍ୟତୀତ ମୁଁ ଫେଲ୍ ହୋଇ ଯେତିକି ଶିକ୍ଷିତ ହେଲି, ମୋ ସମୟ ର ପାସ କରିଥିବା ସାଙ୍ଗ ସାଥୀ ମାନେ କିରାଣୀ ବା ସୂପର୍ଭାଇଜର ପଦରୁ ଚାକିରୀ ଜୀବନ ଆରମ୍ଭ କରି ବର୍ତ୍ତମାନ ଉଚ୍ଚ ପଦ, ମାନେ ବରିଷ୍ଠ ମେନେଜର୍ ତ କିଏ ଚିପ୍ଫ୍ ଏକ୍ସିକ୍ୟୁଟ ଅଫିସର ଅଥବା କିଏ ଅବସର ନେଇ ପେନସନ ଭୋଗୀ ଜୀବନ ବିତାଉଛି । ସର୍ବୋଚ୍ଚ ରୋଜଗାର ଲକ୍ଷେ ବା ଦେଢ଼ ଲକ୍ଷ୍ୟ ମାସିକ ରୋଜଗାର ରେ ସୀମିତ ହୋଇ। ଭବିଷ୍ୟତରେ ସେମାନଙ୍କ ଆଗାମୀ ଛୁଆ ପିଲା ମାନେ ସେଇ ପ୍ରାଥମିକ ଅବସ୍ଥା ଦେଇ ଗତି କରି ପ୍ରାରମ୍ଭ ରୁ ସେମିତି ଖୁବ୍ ପଢ଼ିବେ ଓ ସେମାନଙ୍କ ବାପା /ମା'ଙ୍କ ଭଳି ସେହି ପଦ ପଦବୀ ଅଳଙ୍କୃତ କରିବେ, ଅବସର ବେଳକୁ ନିଶ୍ଚଳ ଶରୀର ନେଇ ପେନସନ ଭତ୍ତା ରେ ଜୀବନ ବଞ୍ଚାଇବେ। କିନ୍ତୁ ମୁଁ ଏ ଯେଉଁ ସାମ୍ରାଜ୍ୟ ଓ ମଣିଷ, ମଣିଷକୁ ସ୍ନେହ, ଭଲ ପାଇବା ବାଣ୍ଟି ମୋ ନିଜ କାମ ନିଜେ କରିବା ସୌଖ୍ୟ, ଜୀବନ ଜଞ୍ଜାଳ ପଡ଼ି ଉଠି ଆଜି ଏ ସିଡି ରେ ପହଞ୍ଚିଛି, ମୋର ଆଗାମୀ ଦାୟାଦ ଏହି ସାମ୍ରାଜ୍ୟ ପରଠାରୁ ଆଗକୁ ଉନ୍ନତ କରିବା ପ୍ରଚେଷ୍ଟା ବହନ କରିବ। ସେ ପୁନର୍ବାର ଠେଲା ଗାଡ଼ିରେ ଚାଟ ବିକ୍ରି କରିବା ଅଭିଳାଷ ନେଇ ତା ଜୀବନ ଯାତ୍ରା ଆରମ୍ଭ କରିବ ନାହିଁ। ଏବଂ ମୋର ବର୍ତ୍ତମାନ ରୋଜଗାର ଯାହା ତାହା ଏବେତ ପେନସନ ଭୋଗୀ ଙ୍କ ସହ ଜଡ଼ିତ ସୀମିତ ନୁହେଁ ବା ସେହି ସାଥୀଙ୍କ ଭଳି ଅପାରଗ ମୁଁ ନୁହେଁ। ମୁଁ ଚଳ ଚଞ୍ଚଳ ଏହି ଠେଲା ସହ ଓ କାମ କରୁଥିବା କର୍ମଚାରୀ ଯେଉଁ ମାନେ ମୋର ପରିବାର ଅଂଶ ବିଶେଷ ସେମାନଙ୍କ ସହ।
ତେଣୁ ମୁଁ ମୋର ଜୀବନ ମୋର ସ୍ବପ୍ନ ଆଗାମୀ ପିଢ଼ି ପାଇଁ ପଙ୍ଗୁ ଅଥର୍ବ କରି ସୀମିତ କରିବା ଚାହେନା। ଚାହେଁନା ସେମାନେ ଗର୍ବି ହୁଅନ୍ତୁ, ଧନ ର ମର୍ଯ୍ୟାଦା ଓ ପରିଶ୍ରମ କଣ ଏହି ଠେଲା ଚାଟ୍ ଦୋକାନ ସେବା ରେ ମୁଁ ନିୟୋଜିତ; ସେଥିରୁ ଶିଖନ୍ତୁ ଓ ଏହି ରେଷ୍ଟୁରାଣ୍ଟ ଆଗକୁ ବଢ଼ଇବା ଲକ୍ଷ ରେ ଅଭିଯାନ ମାର୍ଗରେ ବ୍ରତୀ ହୁଅନ୍ତୁ। ତେଣୁ ମୁଁ ଏଠି ସେବା ଯୋଗାଉଛି ବୋଲି ନମ୍ରତା ର ସହ ଶ୍ରୀକାନ୍ତ ସେହି ଦୁଃଖୀ ବ୍ୟକ୍ତିଙ୍କୁ କହିଲା। ବ୍ୟକ୍ତି ଜଣକ ଚାଟ ଖାଇବା ସମାପ୍ତ ହୋଇଥିଲା, ସେ ଶ୍ରୀକାନ୍ତକୁ ଚାଳିଶି ଟଙ୍କା ବଢାଇ ଉତ୍ତର କିଛି ନ ଦେଇ ପ୍ରତ୍ୟାବର୍ତ୍ତନ କରୁଥିଲେ।
ଶ୍ରୀକାନ୍ତ ଆଉ ଜଣେ ଗ୍ରାହକଙ୍କ ଅନୁରୋଧ କ୍ରମେ ନୂତନ ଚାଟ ଯୋଗାଡ କରୁଥିଲା।