Lipsa Panda

Inspirational

3  

Lipsa Panda

Inspirational

ମୋ ଜଗନ୍ନାଥ

ମୋ ଜଗନ୍ନାଥ

3 mins
7.8K


ଅଜା ଓ ଆଈଙ୍କ ପାଖରେ କଟିଛି ମୋ ପିଲାଦିନ I ଶ୍ରୀ ଅକ୍ଷର ବିବର୍ଜିତ ଆଈ ଥିଲା ମୋର ପ୍ରଚଣ୍ଡ ଈଶ୍ବର ବିଶ୍ଵାସୀ I ହେଲେ ତାରି ମୁହଁରୁ ପିଲାଦିନୁ ଶୁଣି ଆସିଛି ରାମାୟଣ, ମହାଭାରତ ତଥା ପୁରାଣର ବିଭିନ୍ନ କାହାଣୀ I ସେ ମୋତେ ଚିହ୍ନେଇ ଦେଇଥିଲା ଜଗନ୍ନାଥଙ୍କୁ "ଇଏ ହେଲେ ପରମ ପିତା I ସମସ୍ତ ସମ୍ପର୍କ ଏହି ଜଣଙ୍କ ଭିତରେ ଦେଖିବୁ I କେବେ ବି କେତେ ବଡ଼ ଅସୁବିଧା ପଡିଲେ ଡରିବୁନି I କେହି ତୋ ସହ ନ ଥିଲେ ବି ଜାଣିବୁ ଇଏ ତୋ ସହ ଅଛନ୍ତି I" ପିଲା ହୋଇ ସବୁବେଳେ ରହିଲି, ପିଲା ଦିନର ସେହି ବିଶ୍ବାସକୁ ପିଲାର 'ମା' ହେଲା ପରେ ବି ହୃଦୟ ରେ ସାଇତିଛି I ମହାପ୍ରଭୁଙ୍କୁ କେବେ ବି ଠାକୁର ବୋଲି ଭାବିନିI ସେ ମୋ ପାଇଁ ମୋ ଘରର ଜଣେ ଅଦୃଶ୍ୟ ସଦସ୍ୟ I ସବୁ କିଛି ଅଳି ଅର୍ଦ୍ଦଳି, ମାନ ଅଭିମାନ ତାଙ୍କ ପାଖେ।

କେବେ ସେମିତି କିଛି ନିର୍ଦ୍ଦିଷ୍ଟ ଜିନିଷ ମାଗେନି ପ୍ରାର୍ଥନାରେ I କାରଣ ସେ ତ ଅନ୍ତର୍ଯ୍ୟାମୀ I ନ ମାଗିଲେ ବି ଜାଣିପାରିବେ କଣ ଚାହେଁ ମୁଁ I ମନ ଜାଣି ଦେବେନି! ଯଦି କିଛି ନ ମିଳିଲା, ତାଙ୍କୁ ଲୀଳାମୟଙ୍କର ଅନ୍ୟ କିଛି ମହତ୍ କାରଣ ପାଇଁ ନ ଦେଇଥିବାର ଯୁକ୍ତି ଆଣି ନିଜ ମନକୁ ବୁଝାଏ I ତେବେ କିଛି ବଡ଼ ଅଘଟଣଟିଏ ଘଟିଲେ, ରୁଷି ଯାଏ ତାଙ୍କ ଉପରେ କିଛି ଦିନ ପାଇଁ I

ଗଲା ବର୍ଷ ସେମିତି କିଛି ଘଟିଗଲା I ଖରାପ ବେଳା ଲାଗି ରହିଲା ପ୍ରାୟ ଏକ ବର୍ଷ ଯାଏ I ଭାଙ୍ଗି ପଡ଼ିଲି ସମ୍ପୂର୍ଣ୍ଣ ରୂପେ I ନିଜ ଛୁଆ ଏତେ କଷ୍ଟ ପାଉଛି, ସବୁ ଦେଖି, ଶୁଣି, ଜାଣି, କେମିତି ଚୁପ୍ ହୋଇ ମୋ କଷ୍ଟ ଦେଖୁଛନ୍ତି ଭାବି ଭାରି ରାଗିଗଲି ମହାବାହୁଙ୍କ ଉପରେ I ଘରର କୋଣ ଅନୁକୋଣରେ ଲଗେଇ ଥିବା ତାଙ୍କର ସବୁ ଫଟୋ ଆଉ ମୂର୍ତ୍ତିକୁ ଏକାଠି କରି ଠାକୁର ଘରେ ରଖି ତାଲା ପକାଇ ଦେଲି I ପ୍ରାର୍ଥନା ବନ୍ଦ I ମନ୍ଦିର ଯିବା ବନ୍ଦ I ଅପଡ଼ ପୁରା Iତାଙ୍କୁ ହିଁ ଏ ଖରାପ ଧାରାକୁ ବନ୍ଦ କରିବାକୁ ହେବ I ଯେବେ ଯାଏଁ ବନ୍ଦ ନ କରିଛନ୍ତି, ମୁଁ ତାଙ୍କ ମୁହଁ ଚାହିଁବିନି I

ସେ ତ ଆରାମରେ ଥାନ୍ତି I ମୁଁ ଖାଲି ଯାହା ସନ୍ତୁଳି ହଉଥାଏ I 'ମା' ଉପରେ ରୁଷି ଖାଇବା ବନ୍ଦ କରି ପେଟ ପୋଡ଼ି ଯିବା ଅବସ୍ଥା I ପ୍ରତି ରାତିରେ କାନ୍ଦେ I ନିଜ ଅତି ପ୍ରିୟ ଲୋକ ଠୁ ଦୁରେଇ ରହିବାରେ ସେ ଯୋଉ କଷ୍ଟ, ଓଃ!

ପାଖା ପାଖି ମାସେ କଟିଗଲା ଏମିତି I ବୁଲିବାକୁ ଗଲୁ ଦିନେ ହାଇଦ୍ରାବାଦରୁ କରିମ୍ ନଗର I ଦିନସାରା ଅଲଗା ଜାଗା ସବୁ ବୁଲି ସନ୍ଧ୍ୟାରେ ଆସିଲୁ ଉଜ୍ଜଳା ପାର୍କକୁ I ପାର୍କରେ ଝିଅ ଖେଳାଖେଳି ସାରିବା ପରେ ଅନ୍ଧାର ମାଡ଼ି ଆସୁଥିବା ଦେଖି ତରତର ହେଲୁ ଫେରିବାକୁ I ଗେଟ୍ ରୁ ବାହାରିବାକୁ ଉଦ୍ୟତ ହେଉଛୁ, ଗୋଟେ ପରଦା ଟଣା ହେଇଥିବା ରୁମ୍ ଟିଏ ଦିଶିଲା ମୋତେ I ସେଇଟା କଣ ବୋଲି ଅନୁସନ୍ଧିତ୍ସୁ ମନ ନେଇ ପଛକୁ ଫେରିଲି ସେ ରୁମ୍ ଆଡ଼େ I ଅନ୍ଧାରରେ ସେ ଅରମା ପୂର୍ଣ୍ଣ ଜାଗା ଆଡ଼କୁ ଯାଅନି ବୋଲି ସ୍ଵାମୀ ମନା କରିବା ସତ୍ତ୍ୱେ ଟାଣି ହେଇ ଆସିଲି ସେ ଆଡ଼େ I ପରଦା ଟାଣି ଦେଲା ପରେ ଏ କଣ ଦେଖୁଚି ମୁଁ !!!

ଭାଇଭଉଣୀଙ୍କ ସହ ମହାବାହୁ ରତ୍ନ ସିଂହାସନରେ ବିଜେ I ଆଗରେ ଜଳୁଚି ଦୀପଟିଏ I ସନ୍ଧ୍ୟା ଧୂପର ମହ ମହ ବାସ୍ନାରେ ସେ ଛୋଟ କୋଠରୀଟି ସୁବାସିତ I ଓଡ଼ିଶାରୁ ପ୍ରାୟ ହଜାର କିଲୋମିଟର ଦୂରରେ ଏମିତି ଏକ ଅଜଣା ଅଶୁଣା ପାର୍କରେ ଏମିତି ପରିସ୍ଥିତିରେ ନିଜର ଅତି ପ୍ରିୟ ଲୋକଙ୍କୁ ସାମ୍ନା କରି ବିସ୍ମିତ, ଆଚମ୍ବିତ ମୁଁ I ତେବେ ଥରେ ସେ ଚକାଡୋଳା ସହ ଆଖି ମିଶିଗଲେ ଆଉ କି ନିୟନ୍ତ୍ରଣକୁ ଆସେ ମନ! ଆଉ କି ଫେରେଇ ହୁଏ ଆଖି ! ସ୍ଥାଣୁବତ୍ ବସି ରହିଥାଏ ସେଠି ଆଣ୍ଠୁ ମାଡ଼ି ସେ ଚକାଡୋଳା ଦୁଇଟିକୁ ଚାହିଁ I ସବୁ ମାନ ଅଭିମାନ, ଅଭିଯୋଗ ତରଳି ଧାର ଧାର ହୋଇ ଆଖି ବାଟେ ବୋହି ଯାଉଥାଏ I

ମତେ ଲାଗୁଥାଏ ଯେମିତି ମହାପ୍ରଭୁ ସେ ରଙ୍ଗ ଅଧରରେ ତୀର୍ଯ୍ୟକ୍ ହସି କହୁଛନ୍ତି ମତେ, "କୁଆଡେ ଯିବୁ? କେତେ ଲୁଚିବୁ ମୋ ଠୁ? କେମିତି ଦୁରେଇ ରହିବୁ? ଯୁଆଡ଼େ ଯିବୁ ମୋତେ ହିଁ ପାଇବୁ! କୋଉଠି ମୁଁ ନାହିଁ ଯେ? " ସେଇ ଭାବବିହ୍ୱଳ ଅବସ୍ଥାରେ ବେଶ୍ କିଛି ସମୟ ବିତିଗଲା I

ପ୍ରକୃତିସ୍ଥ ହେଲି ମୋ ଝିଅର ଡାକରେ I କାନ ମୋଡ଼ି ହେଲି। ଏପରି ଭୁଲର ପୁନରାବୃତ୍ତି ଆଉ ନ କରିବାର ପ୍ରତିଜ୍ଞା କରି ବାହାରିଲି ମୋ ଘରକୁ I

ଫେରିଲା ବାଟରେ ପ୍ରାର୍ଥନା କରୁଥାଏ ମନେ ମନେ, "ହେ ବିଶ୍ଵ ନିୟନ୍ତା , କିଛି ବି ହେଇଯାଉ, ତୁମ ଉପରେ ମୋ ମନରେ ଥିବା ଏହି ପ୍ରଚଣ୍ଡ ବିଶ୍ୱାସ ଆଉ ଭରସାକୁ ତୁଟିବାକୁ ଦିଅନି I ବିଜ୍ଞାନର ଉନ୍ନତି ହେତୁକ ଯେତେ ଯୁକ୍ତି ତର୍କ ଆସୁ ପଛେ ତୁମେ ମୋ ମନକୁ ସେ ସବୁ ତର୍କର ଉର୍ଦ୍ଧ୍ୱରେ ରଖିଥାଅ I କିଏ ମତେ କେତେ ଅନ୍ଧ ବିଶ୍ଵାସୀ କହୁ ପଛେ!"

ଏତିକି ତ ହିଁ ମୋ ବଞ୍ଚିବାର - ନା, ଆମ ସାଢ଼େ ଚାରି କୋଟି ଓଡିଆଙ୍କ ବଞ୍ଚିବାର ମୂଳ ଆଧାର...


Rate this content
Log in

Similar oriya story from Inspirational