ମୋ ଜାଗାରେ ସେ
ମୋ ଜାଗାରେ ସେ
ଗାଡ଼ିରେ ତ ଡଙ୍ଗା ବୁହାଯାଇ ନଦୀ ପାଖକୁ ଯାଇଥାଏ, କିନ୍ତୁ ଦରକାର ପଡ଼ିଲେ, ନଦୀ ପାର ହେବାପାଇଁ ସେହିଗାଡ଼ିକୁ ପୁଣି ଡଙ୍ଗାରେ ବସିବାକୁ ପଡ଼େ | ସମୟ ବଦଳିଗଲେ, ଅର୍ଥମନ୍ତ୍ରୀଙ୍କ ଅଧିନରେ ଥିବା ଅର୍ଥ ସଚିବ ଦିନେ ପୁଣି ପ୍ରଧାନମନ୍ତ୍ରୀ ହେଇ ଅର୍ଥମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ପାରନ୍ତି | ପିଲାଦିନେ ଚାହା ବିକ୍ରିକରି ପେଟ ପୋଷୁଥିବା ମଣିଷଟିଏ ନିଜ ଯୋଗ୍ୟତା ବଳରେ ଭାରତ ଭଳି ବିଶାଳ ଦେଶର ପ୍ରଧାନମନ୍ତ୍ରୀ ବି ହୋଇପାରନ୍ତି | ବାପା ପୁଲିସ ବିଭାଗର ଚାକରି କରୁଥିବା ସମୟ ଭିତରେ ତାଙ୍କ ଝିଅ ତାଙ୍କର ଅଧିକାରୀ ଭାବରେ ଉଚ୍ଚ ପଦବୀରେ ଆସୀନ ହୋଇପାରନ୍ତି | ଶିଷ୍ୟମାନେ ଗୁରୁଙ୍କଠାରୁ ଅଧିକ ଜ୍ଞାନୀହେଇ ସାରା ଦୁନିଆକୁ ଆଲୋକ ଦେଖାଇ ପାରନ୍ତି | ଅତି ଗରିବ ଘରେ ଜନ୍ମହୋଇ କେତେଜଣ ଅତିଧନୀ ବି ହୋଇ ପାରିଛନ୍ତି | ଏଭଳି ଅନେକ ଉଦାହରଣ ରହିଛି | ଆଗକୁ ବି ଏମିତି ହେଇଚାଲିଥିବ | ଏହା କେବଳ ସମୟର ପ୍ରଭାବ ନୁହେଁ, ବରଂ ନିଜର ନିଷ୍ଠା, ଯୋଗ୍ୟତା ଏବଂ ପରିଶ୍ରମର ଫଳ ବୋଲି କୁହାଯିବ |
ଏହି ପ୍ରକ୍ରିୟାରେ କାହାର ମାନହାନୀ ହୁଏନାହିଁ | ବରଂ ସମସ୍ତେ ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରି ନିଅନ୍ତି | ଏହା ଗୁରୁମାନଙ୍କ ପାଇଁ, ବାପାମାନଙ୍କ ପାଇଁ ଗର୍ବ ଗୌରବର ବାର୍ତ୍ତା ବହନ କରେ |
1977 ମସିହାରେ ମୁଁ କୋରାପୁଟ ଜିଲ୍ଲାର ବାଲିମେଳାରେ ଥାଏ | ଥରେ ଆକାଶବାଣୀ ଜୟପୁର କେନ୍ଦ୍ରକୁ ସୂର୍ଯ୍ୟମହଲ ପ୍ରାସାଦରେ ଦେଖିବାର ସୁଯୋଗ ପାଇଥିଲି | ରେଡ଼ିଓରେ କେମିତି କାର୍ଯ୍ୟକ୍ରମ ପ୍ରଚାରିତ ହୁଏ, ଜାଣିବାକୁ ଭାରି ଆଗ୍ରହ ଥାଏ | କିନ୍ତୁ ସେ ସୁଯୋଗ ମିଳି ନ ଥିଲା |
1978 ମସିହାରେ ଜୟପୁରରେ ସରକାରୀ ଚାକିରି ପାଇଲି | ଜୟପୁରରର ବିଭିନ୍ନ ସ୍ଥାନ ବୁଲାବୁଲି କରି ଦେଖିବାକୁ ସମୟ ମିଳିଲା, ସେତେବେଳକୁ ଜୟପୁର ଜଗନ୍ନାଥ ସାଗର କୂଳରେ ନୂଆ ଆକାଶବାଣୀ କେନ୍ଦ୍ର ଗଢି ଉଠିଥିଲା | ପ୍ରଥମେ ପ୍ରଥମେ ଦୂରରୁ ଆକାଶବାଣୀ କେନ୍ଦ୍ର ଦେଖିଲି | ବୁଝାବୁଝି କରି କିଛି ଜାଣିଲି | ସେତେବେଳକୁ ମୁଁ ସରକାରୀ ଚାକରି କରିବା ସହିତ ସରକାରଙ୍କଠାରୁ ସ୍ଵତନ୍ତ୍ର ଅନୁମତି ପାଇ ପ୍ରଥମେ ‘ଆମେଶିଶୁ’ ଓ ପରେ ‘ଶିଶୁରାଇଜ’ ନାମରେ ଶିଶୁପତ୍ରିକା ବି ପ୍ରକାଶ କରୁଥିଲି | ମୋର କେତେଖଣ୍ଡ ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା | ବିଭିନ୍ନ ସାହିତ୍ୟ ସଭାରେ ଭାଗ ନେଉଥିଲି | ଜଣେ ସଂପାଦକ ଓ ଲେଖକ ଭାବରେ ମୁଁ ବେଶ ପରିଚିତ ହେବାପରେ ମୋତେ ଆକାଶବାଣୀର କର୍ମକର୍ତ୍ତାମାନେ ଚିହ୍ନି ଯାଇଥିଲେ |
ହଠାତ ମୋ ପାଖକୁ ଆକାଶବାଣୀରୁ ଚିଠି ଖଣ୍ଡିଏ ଆସିଲା | ସେଥିରେ ମୋତେ ‘ମଶା ଓ ହାତୀ’ ଓ ‘ଫୁଲରେ ସୁଗନ୍ଧ ଫଳରେ ମଧୁ’ ଶୀର୍ଷକ ଦୁଇଟି ଶିଶୁକବିତା ଆକାଶବାଣୀରେ ପ୍ରସାରଣ ପାଇଁ ପାଠ କରିବାକୁ ନିର୍ଦ୍ଦେଶ ଥିଲା | ଚିଠି ଖଣ୍ଡିକ ପଢି ମୁଁ ଯେତିକି ପୁଲକିତ ହେଇଥିଲି, ତା’ଠାରୁ ଅଧିକ ଚିନ୍ତିତ ହୋଇଗଲି | ଅବଶ୍ୟ ମୁଁ ନିଜ ଶିଶୁପତ୍ରିକା ପାଇଁ କିଛି କିଛି ଲେଖା ଲେଖା କରିଥିଲି, କିନ୍ତୁ ଏହି ଦୁଇଟି ବିଷୟ ମୋ ପାଇଁ ସଂପୂର୍ଣ୍ଣ ନୂଆ ଏବଂ କଷ୍ଟସାଧ୍ୟ ଥିଲା | ମଶା ଆଉ ହାତୀର କୌଣସି ପ୍ରକାର ମେଳ ନାହିଁ | ପୁଣି ଫୁଲରେ ସୁଗନ୍ଧ ଓ ଫଳରେ ମଧୁରେ କେଉଁ ବିଷୟ ଲେଖିବା ଦରକାର ? ଚିନ୍ତାରେ ପଡ଼ିଗଲି | କଣ୍ଟ୍ରାକ୍ଟ ଫର୍ମରେ ଦସ୍ତଖତ କରି ଆକାଶବାଣୀ କେନ୍ଦ୍ରରେ ଦାଖଲ କରିବାକୁ ଯାଇ ଦାୟିତ୍ଵରେ ଥିବା ଅଧିକାରୀ ପ୍ରଯୋଜକ ଶ୍ରୀ ମୁରଲୀଧର ସାହୁଙ୍କୁ ଦେଖାକରି ପଚାରିଲି-“ଏହି ଦୁଇଟି କବିତା କେଉଁ ବିଷୟ ଉପରେ ଆଧାର କରି କେତେବଡ଼ କବିତା ଲେଖିବି ?”
ସେ ମୋତେ ସିଧା କହିଦେଲେ-“ନିଜ ବୁଦ୍ଧିରେ ଚିନ୍ତାକରି ଲେଖନ୍ତୁ | ଟିକେ ଦୀର୍ଘ କବିତା ହେଲେ ଭଲହେବ |” ତାଙ୍କ କଥାଶୁଣି ମୁଁ ଅଧିକ ହତାଶ ହେଇପଡ଼ିଲି | ଉପଯୁକ୍ତ ସହଯୋଗ ପାଇ ପାରିଲି ନାହିଁ |
ଏଭଳି ସୁଯୋଗ ମୋତେ ପ୍ରଥମ ଥର ପାଇଁ ମିଳିଥିବାରୁ ମୁଁ ତାକୁ ହାତଛଡ଼ା କରିବାକୁ ଚାହୁଁ ନ ଥିଲି | ତେଣୁ ମୋର ଈଷ୍ଟ ଆଖଣ୍ଡଳମଣିଙ୍କ ସହାୟତା ଲୋଡ଼ିଲି | ମାଆ ସରସ୍ଵତୀଙ୍କୁ ସ୍ମରଣ କରି ଘରେ ତାଙ୍କ ନାମରେ ଗୋଟାଏ ନଡ଼ିଆ ବସେଇ ଲେଖା ଆରମ୍ଭ କଲି | ହାତୀର ଶୁଣ୍ଢ ଓ ମଶାର ଶୁଣ୍ଢ ମଣିଷ ପାଇଁ କିଭଳି କାମ କରୁଛି, ଦୁହିଙ୍କର ଶୁଣ୍ଢକୁ ନେଇ ଚିନ୍ତା କରୁକରୁ ମନ ଭିତରେ ନୂଆ ଗପଟିଏ ଲେଖି ହୋଇଗଲା | ତାକୁ କବିତାରେ ଲେଖୁଲେଖୁ ସୁନ୍ଦର କବିତା ଦୁଇ ପୃଷ୍ଠାରେ ହେଇଗଲା | ପ୍ରକୃତିର ଦାନ ଫୁଲ ଓ ଫଳକୁ ନେଇ ଅନ୍ୟ କବିତା ବି ଲେଖିଦେଇ ନିର୍ଦ୍ଦିଷ୍ଟ ଦିନରେ ଆକାଶବାଣୀରେ ପହଞ୍ଚିଲି | ସେତେବେଳକୁ ଆକାଶବାଣୀର ଚାହିଦା ବହୁତ ବେଶି ଥିଲା | ପ୍ରାୟ ଲୋକ ଆକାଶବାଣୀର କାର୍ଯ୍ୟକ୍ରମକୁ ନିୟମିତ ଶୁଣୁଥିଲେ | ଅନେକ ଲୋକ ତାକୁ ଭଲଭାବରେ ଶୁଣି ନିଜର ମତାମତ ବି ଦେଉଥିଲେ | ଏକଥା ପ୍ରତି ମୁଁ ପୂର୍ବରୁ ଯଥେଷ୍ଟ ସଚେତନ ଥିଲି | ଆକାଶବାଣୀର ସମୟ, ଆକାଶବାଣୀର କାର୍ଯ୍ୟକ୍ରମ, କର୍ମଚାରୀମାନଙ୍କ ବ୍ୟବହାର, ଶ୍ରୋତା ମାନଙ୍କର ସମ୍ପୃକ୍ତି ପ୍ରତି ମୋର ଯଥେଷ୍ଟ ଆଦର ଥିବାରୁ ମୁଁ ଭୀଷଣ ଭାବେ ଭୟଭିତ ହୋଇ ଯାଇଥିଲି | ଯୋଗକୁ ସେଦିନ ମୋତେ ଥଣ୍ଡା ଧରି ଦେଇଥାଏ | ଗଳା ସଂକ୍ରମଣ କାରଣରୁ ମୋ କଣ୍ଠରୁ ଭଲଭାବରେ କଥା ବାହାରୁ ନ ଥାଏ | ମୁଁ ପ୍ରଥମ ଥର ଏଭଳି ସୁଯୋଗ ପାଇଥିବାରୁ ରେକର୍ଡିଙ୍ଗ ତାରିଖ ଘୁଞ୍ଚାଇବା ପାଇଁ ଅନୁରୋଧ କରିବାକୁ ମୋର ସାହସ ନ ଥିଲା |
ଯଥା ସମୟରେ କାର୍ଯ୍ୟକ୍ରମ ଏଡ଼ିଟର ଦାୟିତ୍ଵରେ ଥିବା କୁମାରୀ ସୁନୀତି ଦେବୀ ମୋର ଲେଖାକୁ ଦେଖି ତାଙ୍କର କିଛି ମନ୍ତବ୍ୟ ଦେଇ ରେକର୍ଡିଙ୍ଗ ପାଇଁ ଷ୍ଟୁଡ଼ିଓ ଭିତରକୁ ଡାକିନେଲେ | ମୋର କଣ୍ଠ ବସି ଯାଇଥିବାରୁ ସେଦିନ ରେକର୍ଡିଙ୍ଗ ଏତେ ଭଲ ହେଇପାରିଲା ନାହିଁ | ମାଡାମ ବି ଟିକେ ଅସନ୍ତୁଷ୍ଟ ହେଲେ | ଭବିଷ୍ୟତରେ ଭଲଭାବେ କବିତା ଲେଖି ସୁସ୍ଥ ଥିବା ବେଳେ ରେକର୍ଡିଙ୍ଗ ପାଇଁ ଆସିବାକୁ ଉପଦେଶ ଦେଲେ | ସେହିଦିନ ଆକାଶବାଣୀର କର୍ମଚାରୀଙ୍କ କ୍ଷମତା ଓ ଜ୍ଞାନ ବିଷୟରେ ମୁଁ ଅଧିକ ଅନୁଭବ କରିଥିଲି |
ଏମିତି ପୁଣି ଦିନେ ସମୟ ଆସିଲା-1986 ମସିହାରେ ମୋ ସହିତ ସୁନୀତି ଦେବୀ ସର୍ବ ଭାରତୀୟ ଲୋକସେବା ସଂଘ ପରୀକ୍ଷା ଦେଲେ | ଯୋଗକୁ ମୁଁ 1989 ମସିହାରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଉଚ୍ଚ ପଦବୀରେ ଆସୀନ ହେଲି | ଶ୍ରୀମତୀ ସୁନୀତି ଦେବୀ ବଦଳି ହୋଇ ସେହି କେନ୍ଦ୍ରରେ ଥିଲେ | ଅବଶ୍ୟ କିଛିଦିନ ପରେ ସେ ଦୂରଦର୍ଶନ କେନ୍ଦ୍ରକୁ ବଦଳି ହେଇଗଲେ | ସମୟ ତ ଗଡ଼ି ଚାଲିଥିଲା | 2014 ମସିହା ବେଳକୁ ମୁଁ ଆକାଶବାଣୀ ଜଯପୁର କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥାଏ | ଦିନେ ଅବସର ନେଇଥିବା ସୁନୀତି ଦେବୀ ତାଙ୍କ ପତି ଅଜିତ ଦାସଙ୍କ ସହିତ ମୋ ପାଖରେ ପହଞ୍ଚିଲେ | ତାଙ୍କର କିଛି ପୁରୁଣା କାଗଜ ପତ୍ର ଦରକାର ଥାଏ | ମୁଁ ତାଙ୍କୁ ଯଥେଷ୍ଟ ସମ୍ମାନ ସହିତ ତାଙ୍କର ଆବଶ୍ୟକ ସମସ୍ତ କାର୍ଯ୍ୟ ସହଜରେ ଓ ତୁରନ୍ତ କରିଦେଲି | ସେଦିନ ଆମ ଦୁହିଙ୍କୁ ଲାଗୁଥିଲା-ସମୟ କେତେ ଶୀଘ୍ର ସବୁକିଛି ବଦଳେଇ ଦିଏ | ସେ ବସିଥିବା ଜାଗାରେ ମୁଁ, ଆଜି ମୁଁ ବସୁଥିବା ଜାଗାରେ ସେ | ପ୍ରଥମ ଦିନର ଅନୁଭୂତି କଥା ମୁଁ ତାଙ୍କୁ ମନେ ପକାଇଦେଲି | ସେ ହସି ହସି ଗଡ଼ିଗଲେ |
