KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ମୋ ଇଜ୍ଜତ, ଏଇ ସାର୍ଟ-ପ୍ୟାଣ୍ଟ

ମୋ ଇଜ୍ଜତ, ଏଇ ସାର୍ଟ-ପ୍ୟାଣ୍ଟ

4 mins
166



ପ୍ରତ୍ୟେକ ମଣିଷ ପାଖକୁ ଏମିତି କେତେକ ଅନୁଭୂତି ଆସେ, ତାକୁ ନିରୋଳାରେ ବସି ଭାବିଲେ-ଯେତିକି ହସ ଲାଗେ, ସେତିକି ଚିନ୍ତା କରିବାକୁ ବାଧ୍ୟକରେ | ସେହି ଅନୁଭୂତିକୁ ଶୁଣିବା ଲୋକ କେହିକେହି ହସି ହାଲୁକାରେ ଉଡ଼େଇ ଦିଅନ୍ତି ତ ପୁଣି ଆଉ କେହିକେହି କଥାଟାକୁ ଅତି ଗୁରୁତ୍ଵଦେଇ ସେହିକଥାର ଖିଅ ବାହାରକରି ନିଜ ଅନୁଭୂତିକୁ ମିଶାଇ ନୂଆ କଥାଟିକୁ ଯୋଡ଼ି ଦିଅନ୍ତି | ଲେଖକମାନେ ଏ’ ଦୁନିଆରୁ ବାହାର ମଣିଷ ଭଳି ଲାଗନ୍ତି | କେଉଁ ଦିନର କଥାକୁ ନିଜ ସ୍ମୃତିରେ ବାନ୍ଧି ରଖିଥା’ନ୍ତି | ଟିକେ ସୁଯୋଗ ପାଇଲେ, ସେ ଅନୁଭୂତିର କଥାକୁ ଏମିତି ବନେଇ ଚୁନେଇ ଲେଖି ଦିଅନ୍ତି ଯେ, ପାଠକ ପାଠିକାମାନେ ତାଙ୍କ ଜୀବନରେ ଘଟି ଯାଇଥିବା ଅନେକ ପୁରୁଣା ଘଟଣାକୁ ମନେ ପକେଇ କିଛି ସମୟ ଗୁମମାରି ରହିଯାଆନ୍ତି | ଯେହେତୁ ସେମାନଙ୍କର ମନକଥାକୁ ସେ ନିଜେ କାହା ଆଗରେ ଜୀବନ୍ତ ଭାବେ ବର୍ଣ୍ଣନା କରି କହିପାରନ୍ତି ନାହିଁ, କିମ୍ବା ଲେଖକଙ୍କ ଭଳି କଥାକୁ ସଜେଇ ଲେଖି ପାରନ୍ତି ନାହିଁ | ତେଣୁ ସେମାନଙ୍କର ମନର କଥା ମନରେ ରହିଯାଏ | କିଛିଦିନ ପରେ ସେହି ମଜାଦାର ଅନୁଭୂତି ଉପରେ ମଇଳା ଜମିଯାଏ | ତାଙ୍କର ସେହି ସୁନ୍ଦର ଅନୁଭୂତି ସବୁଦିନ ପାଇଁ ହଜିଯାଏ |

ମୁଁ ଜଣେ ଲେଖକ ହେଇଥିବାରୁ ନିଜର ଅନେକ ଅନୁଭୂତିକୁ ମନେରଖି ମୋ ପ୍ରିୟ ପାଠକ ପାଠିକାମାନଙ୍କ ନିକଟରେ ପରିବେଷଣ କରି ପାରୁଛି | ତେଣୁ ନିଜକୁ ଭାଗ୍ୟବାନ ମନେ କରୁଛି | କଥାଟି ଏମିତି, ମୁଁ ସଂଘ ଲୋକସେବା, ସର୍ବଭାରତୀୟ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ 1989 ଜାନୁୟାରୀ ଛଅ ତାରିଖରେ ଆକାଶବାଣୀ ସମ୍ବଲପୁରରେ କାର୍ଯ୍ୟକ୍ରମ ନିଷ୍ପାଦକ ପଦରେ ଯୋଗଦାନ କରିଥିଲି | ଏହା ପୂର୍ବରୁ ମୁଁ 1988 ମସିହାରେ ଥରେ ମାତ୍ର ସମ୍ବଲପୁର ଯାଇଥିଲି | ‘ସମ୍ବଲପୁର ଶିଶୁସାହିତ୍ୟ ସମିତି’ ତରଫରୁ ମୋତେ ସମ୍ମାନିତ କରାଯାଇଥିଲା | ସମ୍ବଲପୁରର ବିଖ୍ୟାତ ରାଜନେତା ତଥା କବି-ଲେଖକ ଶ୍ରଦ୍ଧାକର ସୁପକାର ଏବଂ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ଉଦଗାତା ମୋତେ ସମ୍ମାନିତ କରିଥିଲେ | ନିଯୁକ୍ତି ପତ୍ର ପାଇ ଦ୍ଵିତୀୟ ଥର ପାଇଁ ସମ୍ବଲପୁରରେ ପହଞ୍ଚିଲି | ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଅଧିକାଂଶ ଅଫିସର ଓ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ହେଇଥିବାରୁ ମୋତେ ସେମାନେ ସହଜରେ ଆଦରି ନେଇପାରିଲେ ନାହିଁ | ତା’ର କାରଣ ସେମାନଙ୍କର ଧାରଣା ଯେ ଥାଏ, କଟକ ଅଞ୍ଚଳରୁ ଆସିଥିବା ଲୋକେ ସବୁ ଖରାପ | ତେଣୁ ଅଧିକାଂଶ ସହକର୍ମୀ ମୋତେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ | ସୁବିଧା ସୁଯୋଗ ଦେଖି ମୋର ପ୍ରତ୍ୟେକ କାମକୁ ସମାଲୋଚନା କରୁଥିଲେ | ସକଳ ପ୍ରକାର ଅସହଯୋଗ ଥିବା ସତ୍ଵେ ମୁଁ ଅତ୍ୟନ୍ତ ସାବଧାନତା ସହିତ ଅଧିକ ପରିଶ୍ରମ କରି ମୋ କାମଗୁଡ଼ିକୁ ନିର୍ଭୁଲ ଏବଂ ନିରାପଦ ଭାବରେ ନିର୍ବାହ କରୁଥିଲି | ନିଜ ଅଫିସରୁ ସହଯୋଗ ପାଉ ନଥିବାରୁ ମୁଁ ସମ୍ବଲପୁର ଅଞ୍ଚଳରେ ରହୁଥିବା ବିଶିଷ୍ଟ ଲୋକମାନଙ୍କ ସହିତ ଜାଣିଜାଣି ଘନିଷ୍ଠ ଭାବେ ମିଶିଲି | ସେମାନଙ୍କୁ ନେଇ ବିଭିନ୍ନ ନୂଆନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ଲାଗି ପଡ଼ିଲି | ଧୀରେଧୀରେ ମୁଁ ସମ୍ବଲପୁରବାସୀଙ୍କ ନିକଟରେ ପରିଚିତ ହୋଇଗଲି | ମୋର ଭଲ ବ୍ୟବହାର ଏବଂ କାର୍ଯ୍ୟ କରିବା ପ୍ରଣାଳୀକୁ ସେମାନେ ପ୍ରଶଂସା କରିଚାଲିଲେ | ଜନସାଧାରଣଙ୍କର ସହଯୋଗ ଥିବାରୁ ମୁଁ ସମ୍ବଲପୁର ଆକାଶବାଣୀରେ ଅନେକ ନୂଆନୂଆ କାର୍ଯ୍ୟକ୍ରମ ପ୍ରଯୋଜନା କରି ପାରିଥିଲି | ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ଯାଇ ବିଭିନ୍ନ ଲୋକଙ୍କ ସୁଖ-ଦୁଃଖରେ ମୁଁ ନିଜକୁ ମିଶାଇ ଦେଇ ପାରିଥିଲି | ଫଳରେ କିଛିଦିନ ପରେ ପ୍ରାୟ ସମସ୍ତେ ମୋତେ ଭଲ ପାଇବାକୁ ଲାଗିଲେ | ମୋର କଟକିଆ ଦୋଷ ତାଙ୍କ ଆଖିରୁ ଛାଡ଼ିଗଲା | ପ୍ରାୟ ସମସ୍ତେ ମୋତେ ସମ୍ବଲପୁରର ଜଣେ ହିତୈଷୀ ଭାବରେ ଗ୍ରହଣ କରିନେଲେ | ସମ୍ବଲପୁରରେ ଥିବା ସ୍ଵାଧୀନତା ସଂଗ୍ରାମୀ, ଦେଶପ୍ରେମୀ, ଭାଷାପ୍ରେମୀ, ସାହିତ୍ୟିକ, କଳାକାର, ସଂଗଠକ, ସଂସ୍କୃତି ପ୍ରେମୀ ଓ ସାମାଜିକ କର୍ମୀମାନଙ୍କର ଜୀବନୀକୁ ନେଇ ସମ୍ବଲପୁର ପ୍ରତିଭା ନାମରେ ପୁସ୍ତକଟିଏ ରଚନା କରିଦେଲି | ସମ୍ବଲପୁର ଅଞ୍ଚଳରେ ଯେଉଁମାନେ ରାଜ୍ୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି, ସେମାନଙ୍କୁ ମୁଁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ନିୟମିତ ‘ଉତ୍କଳ ପ୍ରସଙ୍ଗ’ ପତ୍ରିକାରେ ପ୍ରକାଶ କରି ନିଜେ ତ ଆତ୍ମ ସନ୍ତୋଷ ଲାଭ କରିଥିଲି | ଅନ୍ୟମାନଙ୍କ ଦୃଷ୍ଟିରେ ମୁଁ ଜଣେ ସମ୍ବଲପୁର ପ୍ରେମୀ ଭାବରେ ପରିଚିତ ହୋଇଗଲି | ଇଏ ତ ଗଲା ଗୋଟାଏ ଦିଗର କଥା |

ମୋର ଭଦ୍ର ଓ ନମ୍ର ବ୍ୟବହାର ପାଇଁ ଅନେକ କ୍ଷେତ୍ରରେ ହଇରାଣ ହେବାର ବି ନଜିର ରହିଛି | ଅଭାବ ଅସୁବିଧାରେ ପଡ଼ିଥିବା ଚିହ୍ନା ପରିଚିତ ସାଙ୍ଗ-ସାଥିମାନେ ମୋତେ ଧାର ଉଧାର ମାଗି ଥାଆନ୍ତି | ଯେଉଁମାନେ ଆଜିଯାଏ, କିଛିଟଙ୍କା ଧାର ମାଗିନେଇ ତାଙ୍କର ଅସୁବିଧା ଦୂର କରିଛନ୍ତି, ମୁଁ କାହାରିଠାରୁ ସେ ଟଙ୍କାକୁ ଆଉ କେବେ ଫେରସ୍ତ ପାଇ ପାରିନାହିଁ | ଓଲଟା ଧାର ନେଇଥିବା ଲୋକଙ୍କୁ ଦେଖିଲେ, ମୋତେ ହିଁ ଲାଜମାଡ଼େ | ଏଥିରୁ କିନ୍ତୁ ଗୋଟିଏ ସୁବିଧା ହୁଏ ଯେ, ସେମାନେ ଆଉଥରେ ମୋତେ ଧାର ମାଗି ପାରନ୍ତି ନାହିଁ |

ସମ୍ବଲପୁରରେ ଯୋଗଦାନ କରିବାର ଦ୍ଵିତୀୟ ମାସରେ ମୋର ବଙ୍ଗାଳି ପିଅନ ଜଣକ ଅତ୍ୟନ୍ତ ଅନୁନୟ ବିନୟ ହୋଇ ମୋତେ 300 ଟଙ୍କା ଧାର ମାଗିଲା | ଧାର ନେଇ କ’ଣ କରିବ ? ପଚାରିବାରୁ ସେ ମୋତେ ଉତ୍ତର ଦେଲା-“ସାର ! ମୋର ଭଲ ସାର୍ଟ-ପ୍ୟାଣ୍ଟ ହଳେ କିଣିବାର ଅଛି |”

 ସେତେବେଳେ ଟଙ୍କାର ମୂଲ୍ୟ ବହୁତ | ତିନିଶହ ଟଙ୍କା ବର୍ତ୍ତମାନ 3000 ଟଙ୍କା ସଙ୍ଗେ ସମାନ ଥିଲା | ଭଲ ସାର୍ଟ ଖଣ୍ଡେ ଶହେ ଟଙ୍କାରେ ମିଳିଯାଉଥିଲା | ଭଲ ପ୍ୟାଣ୍ଟ ଶହେ ପଚାଶ ଟଙ୍କାରେ ସିଲେଇ କରି ହେଉଥିଲା | ମୁଁ ଟିକେ କୁଣ୍ଠିତ ହୋଇ ତାକୁ ପଚାରିଲି-“ସାର୍ଟ ପ୍ୟାଣ୍ଟ ହଳେ ତ ଦୁଇଶହ ଟଙ୍କାରେ ମିଳିଯିବ | ମୁଁ ଏବେ ଯେଉଁ ସାର୍ଟ ପ୍ୟାଣ୍ଟ ପିନ୍ଧିଛି, ତାକୁ ତ ମୁଁ ଦୁଇଶହ ଟଙ୍କାରେ କିଣିଛି | ଏଇମିତି ହଳେ କିଣିଦିଅ | ଅଧିକ ଟଙ୍କା ଅଯଥାରେ ଧାର କରିବ କାହିଁକି ?”

ମୋ କଥା ଶୁଣି ସେ ଖୁବ ନମ୍ର ଭାବରେ ମୋତେ କହିଲା-“ସାର ! ଆପଣ ହେଲେ ସାହେବ ଲୋକ | ଯେମିତି ଇଚ୍ଛା ସାର୍ଟ-ପ୍ୟାଣ୍ଟ ପିନ୍ଧିଦେଲେ ଚଳିଯିବ | ଶସ୍ତା ହେଲେ ବି କେହି ତାକୁ ଦେଖିବେ ନାହିଁ | ଯିଏ ଦେଖିବ, ସେ ଆଗ ଆପଣଙ୍କୁ ନମସ୍କାର କରି ଚାଲିଯିବ | କିନ୍ତୁ ଆମ କଥା ଟିକେ ଭାବନ୍ତୁ | ଆମେ ହେଲୁ ଛୋଟ କର୍ମଚାରୀ | ରାତି ପାହିବାଠାରୁ ରାତି ପର୍ଯ୍ୟନ୍ତ ଖାଲି ସମସ୍ତଙ୍କୁ ନମସ୍କାର କରିଚାଲିଛୁ | କେବଳ ବଜାରକୁ ଗଲେ, ଅଚିହ୍ଣା ଛୋଟ ଦୋକାନୀମାନେ ଆମକୁ ସରକାରୀ ଚାକିରିଆ ବୋଲି ଟିକେ ସମ୍ମାନ ଦିଅନ୍ତି, ଆମର ପୋଷାକ ପତ୍ର ଯଦି ଟିକେ ଦାମୀ ଦେଖିଲେ, କେହି କେବେ ଥରେ ଅଧେ ନମସ୍କାର ବି କରି ଦିଅନ୍ତି | ମୋର ଶସ୍ତା ପୋଷାକକୁ ଦେଖି ସେମାନେ କ’ଣ ଭାବିବେ ? ବାହାରେ ଆଉ କ’ଣ ମୋର ଇଜ୍ଜତ ରହିବ ? ଆମର ତ ପାଠ-ଶାଠ ନାହିଁ, ସାହେବଙ୍କ ଭଳି କଥା କହିବାର ଚାତୁରୀ ବି ଜଣାନାହିଁ | ତେଣୁ ଆମର ଏଇ ଦାମୀ ପୋଷାକ ପତ୍ର ହିଁ ଆମର ଇଜ୍ଜତ ବଢାଇ ପାରୁଛି | | ଆପଣ ଦୟାକରି ତିନିଶହ ଟଙ୍କା ଦିଅନ୍ତୁ, ଦୁଇ ତିନି ମାସରେ ଅଳ୍ପଅଳ୍ପ କରି ଶୁଝିଦେବି |”

ମୋ ପିଅନର କଠୋର ସତ୍ୟକଥା ମୋତେ ଆଉକିଛି କହିବାକୁ ଦେଲାନାହିଁ | ତା’ କଥାର ମର୍ମକୁ ମୁଁ ଭଲଭାବେ ବୁଝିଗଲି | ତାକୁ ତିନିଶହ ଟଙ୍କା ଦେଇ କହିଦେଲି- “ଏହି ଟଙ୍କା ନିଆ, ଭଲ ସାର୍ଟ-ପ୍ୟାଣ୍ଟ ହଳେ କିଣି ପିନ୍ଧ, କିନ୍ତୁ ମୋତେ ଆଉ ସେ ଟଙ୍କା ତମକୁ ଫେରାଇବାକୁ ପଡ଼ିବ ନାହିଁ |”

ସେଦିନ ପିଅନଟି ବହୁତ ଖୁସି ହେଇଯାଇଥିଲା ସତ, ଆଉ କେବେ ବି ମୋତେ ଧାର ଟଙ୍କା ମାଗିଲା ନାହିଁ |



Rate this content
Log in

Similar oriya story from Inspirational