ମୋ ଗାଁ ଆକାଶ
ମୋ ଗାଁ ଆକାଶ
ମୋ ଗାଁ ଆକାଶ ଭାରି ନିର୍ମଳ. ସତେ ପଦ୍ମ ପୋଖରୀ ଜଳ. ଦିଲ୍ଲୀରେ ପକ୍ଷୀ ମାନେ ଶୁଆମାନଙ୍କୁ ଦେଖି ଫେରିବା ପରେ ଏଣିକି ଛାତ ଉପରେ ଶ୍ରୁତି ନିରୀକ୍ଷଣ କରୁଥିଲେ ଶୁଆଙ୍କୁ. କାହିଁକି ନଥିବେ ମୋ ଗାଁରେ ଶୁଆ? ଦିଲ୍ଲୀ ଭଳି ହୁଏତ ନଥିବେ କିନ୍ତୁ ଥିବେ ନିଶ୍ଚୟର ବିଶ୍ୱାସରେ ଦିନେ ଶୁଆ ଦେଖିଲେ ଶ୍ରୁତି. ହଳଦିବସନ୍ତ,ବଣି,ପାରା କପୋତ, କଜ୍ଜଳପାତି ପରି ଶୁଆଙ୍କ ଉଡାଣରେ,ସ୍ୱରରେ, ଗଛରେ ବସିବାର ଶୈଳୀରେ ସ୍ୱତନ୍ତ୍ରତା ଥିଲା. ସେସବୁ ଅନୁକରଣ କରି ଶୁଆ ଦେଖିବାକୁ ଚାରିଟା ପରେ ନିଶ୍ଚୟ ଛାତକୁ ଆସନ୍ତି ଶ୍ରୁତି. ଠାଵ କରି କେବେ ପାଇଯାଆନ୍ତି ତ କେବେ ନପାଇ ମନଦୁଃଖରେ ତଳକୁ ଫେରି ସଞ୍ଜଦୀପବସା ଓ ଘରକାମରେ ଲାଗିଯାଆନ୍ତି.।
ଏମିତି ଏମିତି ଜୁନ ଯାଇ ଜୁଲାଇ ଆସିଲା. ଟୋପି ଟୋପି ବର୍ଷା ବାରି ଭିତରେ, ଆଗରେ ଥିବା ତିନିଗୋଟି ଝାଉଁ ଗଛରେ ଶୁଆମାନେ ବାଦୁଡ଼ି ପରି ନାଓହଳିଲେ ମଧ୍ୟ ସେହିପରି ରହିଥିବାର ଶ୍ରୁତି ଦେଖିବାକୁ ପାଇଲେ. ପୁଅକୁ କହିଲେ ଝିଅକୁ କହିଲେ. ସେମାନେ ଛୁଟିରେ ଘରକୁ ଆସିଲେ ଦେଖେଇ ବି ଦେଲେ. କି ଆନନ୍ଦ ଆମ ଗାଁରେ ଶୁଆ ଅଛନ୍ତି. ବର୍ଷା ଦିନେ ଯେମିତି ଦେଖି ହୁଏ ଅନ୍ୟ ଦିନ ମାନଙ୍କରେ ନିରୀକ୍ଷଣ କରିବାକୁ ହୁଏ. ସହଜେ ଏବେ ଆଖି ବିନ୍ଧୁଛି ଶ୍ରୁତିଙ୍କର. ସ୍ୱାମୀ, ପୁଅ ଝିଅ ସମସ୍ତଙ୍କର ସେହି ଗୋଟିଏ କଥା ମୋବାଇଲ ଦେଖେନା, ସେଥିରେ ଲେଖାଲେଖି କରନା ଇତ୍ୟାଦି. ଡାକ୍ତର ପଚାରିଲେ ଆଖି ଖରାପ ହେବାର କାରଣ କଣ ହୋଇପାରେ ବୋଲି ଭାବୁଛନ୍ତି ଶ୍ରୁତି ମ୍ୟାଡାମ? ଶ୍ରୁତି କହିଲେ ହୁଏତ ମୋବାଇଲରେ ଲେଖାଲେଖି କରିବା ବା ପକ୍ଷୀ ଦେଖିବାକୁ ଯାଇ ତାଙ୍କୁ ନିରୀକ୍ଷଣ କରିବା. ବିଶେଷ କରି ଶୁଆ ଓ ଗଛର ରଙ୍ଗ ଏକାପରି ତ ଅଳ୍ପ ପାର୍ଥକ୍ୟ ଥିବା ଦୁହିଁଙ୍କ ରଙ୍ଗକୁ ଅଲଗା କରି ଶୁଆ ଦେଖିବା ହୁଏତ ଆଖି ଉପରେ ପ୍ରଭାବ ପକାଇଥାଇପାରେ. ଡାକ୍ତର ଔଷଧ, ଚଷମା ଇତ୍ୟାଦି ପାଇଁ ପରାମର୍ଶ ଦେଲା ପରେ ଗାଁରେ ସେଦିନ ନିଜ ବାଡ଼ିପଟ ଆମ୍ବ ଗଛରେ ଶୁଆ ବସିଥିବା ଆବିଷ୍କାର କରି ଚମତ୍କୃତ ହେଲେ ଶ୍ରୁତି. ମୋବାଇଲ ଛଡ଼ାଇ ନେଇଥିଲେ ସ୍ୱାମୀ. ଏବେ ଆମ୍ବଗଛ ହଣାହେବାର ପ୍ରସ୍ତାବରେ ଶ୍ରୁତିଙ୍କ ଦେହ ସାଙ୍ଘାତିକ ତ ସ୍ୱାମୀ କୁହନ୍ତି ମାଆର ଦେହ ଠିକ ଅଛି ମ ତାର ମନଜର ହେଇଛି. ପୁଅ ଝିଅ କହନ୍ତି ନା ତୁମେ ଆମ୍ବ ଗଛ କାଟନି. ଶ୍ରୁତିଙ୍କର ବି ଏକାଜିଦ ଆମ୍ବଗଛ କାଟନି.ଏମିତି ଏମିତିରେ ଆମ୍ଭଗଛକୁ କାଟିବାକୁ ଆସି ଲୋକ ଫେରିଯାଉଥିଲେ କିନ୍ତୁ ଶ୍ରୁତିଙ୍କ ଆଖି ସାଙ୍ଗକୁ ମୁଣ୍ଡବିନ୍ଧା, ବାନ୍ତି ଓ ହାତଗୋଡ଼ ଦରଜ ଯୋଗୁଁ ପୁଣି ହସ୍ପିଟାଲ ଯିବାକୁ ପଡିଲା. ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ଶ୍ରୁତିଙ୍କ ବ୍ରେନ ଷ୍ଟ୍ରୋକ ଲକ୍ଷଣ ଏସବୁ.
ସେଦିନ ରାତିରେ ଆମ୍ଭ ଗଛରେ ହୁଳୁହୁଳା ଚଢେଇଟା ବୋବେଇଲା. ଦିନେ ନୁହେଁ କି ଦି ଦିନ ନୁହଁ ପ୍ରାୟେ ବୋବାଉଥିଲା. ଏସବୁକୁ ଅନ୍ଧବିଶ୍ୱାସ ତଥା ରାତ୍ରୀଚର ପଶୁ ପକ୍ଷୀ ଆଉ ତାଙ୍କ ବୋବାଳି କାରିବେନି ନା କଣ?କହୁଥିବା ସ୍ୱାମୀ ଅଡ଼ିବସିଲେ ଗଛ ଯେମିତି ହେଲେ ହାଣିବି. ସେହି ଦିନ ରାତିରେ ମୁଣ୍ଡ ବିନ୍ଧା ଜୋର ହୋଇ ଅଚେତ ହୋଇଗଲେ ଶ୍ରୁତି.ସ୍ୱାମୀଙ୍କୁ ଡାକି ବି ପାରିନଥିଲେ.ସକାଳୁ ଆମ୍ବଗଛ କଟାଳିଙ୍କୁ ଡାକିବାକୁ ଯାଉଛି କହିଲା ବେଳକୁ ଶ୍ରୁତି ଶୁଣୁନଥିଲେ. ଦେହଟା କୋଲାପ୍ସ କରିଯାଇଥିଲା ଶ୍ରୁତିଙ୍କର. ଭୋ ଭୋ କରି ଉଠିଲେ ସ୍ୱାମୀ.ଶ୍ରୁତିଙ୍କ କାମ ସବୁ ସରିଗଲା.ଗଛଟା କିନ୍ତୁ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଥିଲା . ଏଣିକି ସ୍ୱାମୀ ତା ଭିତରେ ଶୁଆ ଠାଵ କରିବାରେ ଲାଗିପଡିବା ଦେଖି ପୁଅ ଝିଅ କାନ୍ଦି ଉଠିଥିଲେ.।