ମୋ ବାପା ଓ ମୁଁ
ମୋ ବାପା ଓ ମୁଁ


ଆକାଶ ଠୁ ଉଚ୍ଚ , ନଦୀ ଠୁ ଗଭୀର , ଲୁହା ଠାରୁ ଶକ୍ତ , ଶାନ୍ତ ସାଗର ଠାରୁ ଗମ୍ଭୀର କେବେ ମା'ପରି ଯତ୍ନଶୀଳ ତ କେବେ କେବେ ଅଗ୍ନିସମ ରାଗ ବି ଦେଖାନ୍ତି । ଯାହା ଆମକୁ ଅବାଟରେ ଯିବାକୁ କେବେ ଦେଇନାହିଁ । ଶ୍ରୀଫଳର କଠୋର ଆବରଣ ସମ ମନ ଭିତରେ କୋମଳ ହୃଦୟର ବିଦ୍ଯମାନ କରାଇପାରୁଥିବା ବ୍ଯକ୍ତିତ୍ୱଟି ଏ ସେ । ପିଲା କଷ୍ଟ ପାଇଲେ ସାମନାରେ ଗମ୍ଭୀର ଥିଲେ ବି ଅନ୍ତର ତାଙ୍କର କାନ୍ଦେ । ଯାହା ଆମେ କେବେ ଦେଖି ପାରୁନା ! ଘର ର ମେରୁଦଣ୍ଡ ସାଜି ପରିବାର ର ସଦସ୍ଯ ଙ୍କୁ ସଳଖି ଠିଆ ହେବା ର ସୂତ୍ର ଦେଇପାରୁଥିବା ଜଣେ ପାରଦର୍ଶି କାରିଗର ସେ ! ଯାହାଙ୍କ ଛତ୍ରଛାୟା ତଳେ ଆମେ ସର୍ବଦା ନିଜକୁ ନିରାପଦ ମଣୁ । ପିଲା ଯେତେ ଭୁଲ କଲେ ବି ତାକୁ ସହ୍ଯ କରି ତା ଉପରେ ଆଶିଷ ବର୍ଷାନ୍ତି ।ଭୁଲ୍ ଠିକ୍ ର କଥା ବୁଝାନ୍ତି । ଆଜି ସମାଜରେ ଯାହା ଦେଖା ଯାଉଛି ସମୟର ଅପରାହ୍ନରେ ଯେବେ ବାପା ମା' ପହଞୁଛନ୍ତି ତାଙ୍କୁ ପିଲାମାନେ ବୋଝ ଭାବୁଛନ୍ତି ନାନା ପ୍ରକାରର ଦୁଃଖ ଯନ୍ତ୍ରଣା ଦେଉଛନ୍ତି । ଆରେ ସେଇ ମଣିଷ ଟେ ହିଁ ତ ଘରର ସମସ୍ତଙ୍କ କଥା ବୁଝୁ ବୁଝୁ ନିଜ କଥା ଭୁଲିଯାଇଥିଲେ।ଦିନେ ।ଆଉ ଆଜି ସେ ହିଁ ବୋଝ ହେଇଯାଉଛି ? ଦୁଃଖ ଲାଗେ ।
' ମୋ ବାପା 'ଙ୍କ ଜୀବନ ଶୈଳୀ ,କର୍ତ୍ତବ୍ଯ ମୋତେ ସର୍ବଦା ଅନୁଭବ କରାଏ ସେ ମୋ ପାଇଁ ଏକ ଜୀବନ୍ତ ଓ ମୂର୍ତ୍ତିମନ୍ତ ଆଦର୍ଶ ଅଟନ୍ତି । ଅନେକ ସମୟରେ ତଥା ଖୁସିରେ ଅବା ଦୁଃଖରେ ତାଙ୍କର ଅନେକ କଥା ମନେ ପକାଏ ଯାହା ମୋତେ ଆଗକୁ ଯିବାର ସାହସ ଦିଏ ଓ ବାଟ ବତାଏ ।
ଆଜି ବାପାଙ୍କ କଥା ଲେଖୁ ଲେଖୁ ଅନେକ ଖଟା ମିଠା ସ୍ମୃତି ଆଖି ଆଗରେ ନାଚି ଯାଉଚି । ଛୋଟ ଏକ ସରକାରୀ କର୍ମଚାରୀ ହୋଇ ୧୦୦/ ୨୦୦ ଟଙ୍କା ରେ କି ଘର ଚଳେ ! ତା ଉପରେ ଛୁଆ ପିଲା ମିଶି ୧୦ /୧୨ ଜଣ ସଦସ୍ଯଙ୍କର ଭାର । ଯେହେତୁ ଘରର ବଡ ପୁଅ ପଛଘୁଞା ବା ଦେବେ କେମିତି । ମା', ବାପାଙ୍କ ପାଦରେ ପାଦ ମିଳାଇ ତେଲ ଲୁଣର ସଂସାରକୁ ଆଗେଇ ନିଅନ୍ତି ସିନା ଦୁହେଁ ହେଲେ ଅସମ୍ଭବକୁ ସମ୍ଭବ କରାଇଲା ଭଳି କଥା ଇଏ । ତା ଉପରେ ଅନୁଷ୍ଠାନ ,କୁଣିଆଙ୍କ କଥା ।
ଏତେ ସବୁ ପରେ ସେ ବି ଜଣେ ମଣିଷ । ପ୍ରଥମ ଝିଅ ପରେ ପୁଅଟିଏ ଚାହିଁ ଚାହିଁ ଆମେ ପାଞ ଭଉଣୀ । ପୁଅଟେ ପ୍ରତି ଦୁର୍ବଳତା ତାଙ୍କୁ ଦୁଃଖଦେଇଥିଲେ ବି କେବେ ଝିଅ ମାନଙ୍କ କଥା ଭୁଲି ନ ଥିଲେ। ସମାଜରେ ସମ୍ମାନର ସହ ମୁଣ୍ଡ ଟେକି ଚାଲିବାର ଶିକ୍ଷା ଓ ସଂସ୍କାର ସେ ଆମକୁ ଦେଇଛନ୍ତି । ଆପଦ ବିପଦକୁ ସାହସର ସହ ସାମ୍ନା କରିବାର କଥା ବୁଝାଇଛନ୍ତି।
ବାପାଙ୍କୁ ନେଇ ଯେତେ କହିଲେବି ଊଣା ହେଇଯିବ । ଦ୍ବିତୀୟ ରେ ଝିଅ ହୋଇଥିଲି ବୋଲି ଘରେ କେହି ମୋତେ କୋଳ କୁ ନେଉ ନ ଥିଲେ କି କେହି ଛୁଉଁ ନ ଥିଲେ । ମୋ ପାଇଁ ମା କୋଳ ହିଁ ଥିଲା ଆଉ ବାସ୍ ଏତିକି ଜାଣେ ଯାହଙ୍କର ସ୍ନେହ ମମତା ପାଇ ଛୋଟରୁ ବଡ ହୋଇଛି ସେ ମୋର ବାପା ।ତାଙ୍କ ପାଦରେ ମୋ କୁନି ପାଦ ପକାଇ ଗୋଟି ଗୋଟି ପାଦ ଆଗକୁ ବଢାଇବା ଶିଖିଛି । ନିଦ ନ ଆସିଲେ କେତେ କେତେ ଗପ ଶୁଣିଛି । ତାଙ୍କ ଦୁଇ ଗୋଡରେ ଦୋଳି ଝୁଲିବାର ଆନନ୍ଦ ମୁଁ ପାଇଛି । କୁଆଡୁ ଆସିଲେ ତାଙ୍କ ବେକରେ ଓହଳି ପଡିବାର ଖୁସି ଏବେ ବି ମନରେ ସତେଜ ହୋଇ ରହିଛି ହଁ ତା ଭିତରେ ବେକରୁ ହାତ ଚାଲି ଆସୁଥିଲା ବାପାଙ୍କ ପକେଟକୁ ଆଉ ପକେଟରେ ରହୁଥିଲା ଚକ୍ଲେଟ୍ । ସ୍କୁଲ ଯିବା ସମୟ ହେଲେ ତେଲ ଲଗାଇ ସ୍ନାନ କରାଇ, ସାଂଗରେ ଖୁଆଇ, ଜାମା ପରିଦେଇ ଆଖିରେ କଜଳ ଲଗାଇ,ମଥାକୁ ନିଜ ହାତରେ ସଜାଇ ଦେଇ ସ୍କୁଲରେ ଛାଡି ସେ ଅଫିସ ଯିବାର ଦୃଶ୍ଯ ଏବେ ବି ଆଖିଆଗରେ ନାଚିଗଲେ ମନ ବି ନାଚିଯାଏ । ଭୁଲ୍ କିଛି କରିଥିଲେ ଜୀବନ ଡର ବି ଥାଏ ବାପାଙ୍କୁ ତଥାପି ଏ ପରା ବାପା ଝିଅ ସଂପର୍କ । ଯେତେ କାମ ଥାଉ ସକାଳ ଦୁଇ ଘଣ୍ଟା ସଞ୍ଜରେ ଦୁଇ ଘଣ୍ଟା ପାଖରେ ବସି ପାଠ ପଢାଉଥିଲେ ମନେ ପଡେନି କାଇଁ ପିଲା ବେଳେ କୋଉ ଦିନ ପାଖରେ ବସି ପଢାଇ ନାହାନ୍ତି ବାପା । ତାଙ୍କ ପଢାଇବା ଶୈଳୀ,ପରିଷ୍କାର ପରିଚ୍ଛନ୍ନତାର ଶିକ୍ଷା ,ବିନମ୍ରତା ଓ ଶୃଂଖଳା ଜ୍ଞାନ ଅନେକ ସମୟରେ ଆଜି ମୋ ଶିକ୍ଷକତା ଜୀବନରେ ଶ୍ରେଣୀ କକ୍ଷରେ ମନେ ପକାଇ ଦିଏ ଓ ଏହାକୁ ମୁଁ ଏକ ଅପୂ୍ର୍ବ ଆନନ୍ଦରେ ଉପଯୋଗ କରି ବାପାଙ୍କ ଉପସ୍ଥିତିକୁ ଅନୁଭବ କରେ ।
ଏତେ କଥା କହୁ କହୁ ଆଉ ଗୋଟେ କଥା ଝାପ୍ସା ମନେପଡେ ବହୁ ଛୋଟବେଳେ ଆକାଶରେ କଳାମେଘ ଯେବେ ଘୋଟି ଆସେ କାହିଁକି କେଜାଣେ ବହୁତ ଡରୁଥିଲି ଆଉ ଛଳଛଳ ଆଖିରେ ଚାଦର ,କମ୍ୱଳ ଘୋଷାରି ଘୋଷାରି ଛୋଟ ବେଳର ଖନେଇ ଖନେଇ ପାଟିରେ ବାପାଙ୍କୁ ଡାକ ଛାଡୁଥାଏ "ବାପା ଆଚ ବାପା ଆଚ ବଲଚା ଆଚୁଚି ମୋତେ ଦଲ ଲାଗୁଚି । " ବାପା ବି ଜାଣିଥିଲେ ମୋତେ ବରଷା,ବିଜୁଳିକୁ ବହୁତ ଡର ତେଣୁ ସେ ଦଉଡି ଆସି କମ୍ୱଳ ଘୋଡାଇ ଜାବୁଡି ରଖନ୍ତି । ସତରେ ତାଙ୍କ ଛାତିରେ ଲୋଟି ପଡିଲେ ସବୁ ଡର କୁଆଡେ ଚାଲିଯାଉଥିଲା । ମନେ ପଡେ ଜୋର ବର୍ଷା ଉଠେଇଲେ ଅଫିସ ରୁ ବି ପଳେଇ ଆସୁଥିଲେ ବାପା ମୋହରି ପାଇଁ। ଏଇ ହିଁ ତ ଆମ 'ବାପା' ଯିଏ ଆମ ସବୁ ଭଉଣୀଙ୍କୁ ଏମିତି ହିଁ ବଢେଇଛନ୍ତି ।
ଆଜି ସେ ୬୫ ବର୍ଷ ବୟସର । ଦେହ ଖରାପ ହେଲେ ବି ସବୁ କାମ ନିଜେ କରନ୍ତି ।କାମ ତାଙ୍କର ଜୀବନ ଯେମିତି ।ପରିଷ୍କାର ପରିଚ୍ଛନ୍ନତା ପ୍ରତି ଭାରି ସଜାଗ । ମା' କହୁଥାଏ ମୁଁ ସବୁ କାମ ତ ବାପାଙ୍କ ପାଖରୁ ଶିଖିଚି । ବାପାଙ୍କ ପାଇଁ ଆମେ ଗର୍ବିତ ।ସମସ୍ତଙ୍କୁ ତାଙ୍କ ଭଳି ବାପା ମିଳନ୍ତୁ । WE LOVE YOU BAPA .