ପଞ୍ଚକ
ପଞ୍ଚକ


କାର୍ତ୍ତିକର ଆଗମନେ ଗାଁ ରୁ ସହରରେ ଗୁଞରଣେ ସୃଷ୍ଟି ହୁଏ । ପୁଣ୍ଯ ମାସ ଆସିଗଲା । କିଛି ଦାନ ପୁଣ୍ଯ ଓ ଗଂଗା ସ୍ନାନ କଲେ ଶତ ଶତ ଜନ୍ମର ପାପ ନଷ୍ଟ ହେବ । ପୁଣ୍ଯ ଅର୍ଜନ ହେବ ।
ଠିକ୍ ସେଦିନ ବି ଏଇ କାର୍ତ୍ତିକ ର ପୂର୍ଣ୍ଣିମା ଥାଏ । ଆଠ ଦଶ ଜଣ ମହିଳା ମିଶି ପାଳୁଥାନ୍ତି ଏ ବ୍ରତ । ସେମାନଙ୍କର ପୂଜା ପାଠ କିଛି ଦୂରରେ ଥାଇ ମୁଁ ଦେଖୁଥାଏ । ପୁରାଣର କଥାନୁସାରେ ଏହି ଶୁକ୍ଳ ପଖ୍ୟ କାର୍ତ୍ତିକ ମାସ ପୂର୍ଣ୍ଣିମା ତିଥିରେ ଦେବ ଦେବ ମହାଦେବ ତାରକାସୁରର ତିନି ପୁତ୍ରକୁ ହତ୍ଯା କରି ସେମାନଙ୍କର ତିନି ପୁର (ନଗର) କୁ ନଷ୍ଟ କରି ଦେଇଥିଲେ ଓ ତ୍ରିପୁରାରୀ ନାମ ବୋଲାଇଲେ ।ସେଥିପାଇଁ ଏହାକୁ ତ୍ରିପୁରାରୀ ପୂ୍ର୍ଣ୍ଣିମା ବି କୁହାଯାଏ । ସ୍ୱର୍ଗ,ମର୍ତ୍ତ୍ଯ ଓ ପାତାଳକୁ ଦାନବ କବଳରୁ ମୁକ୍ତ କଲେ ପ୍ରଭୁ ! ଖୁସିରେ ଦେବ ଲୋକରେ ଦୀପ ଜାଳି ଉଲ୍ଲାସ ମାନିଲେ ଦେବତା । ସେଥିପାଇଁ ଏହାକୁ ଦେବଦୀପାବଳୀ ପୂର୍ଣ୍ଣିମା ବି କୁହାଯାଏ । ଆହାଃ ! ସତରେ କେଡେ ପବିତ୍ର ମାସଟି ଏ । କାର୍ତ୍ତିକ କଥାମୃତ ଶୁଣୁ ଶୁଣୁ ମନ ବି ପବିତ୍ର ହେଇଗଲା ସତେଯେମିତି । ଆହୁରି ବି କୁହାଯାଏ ଏହି ଦିନ ଭଗବାନ ବିଷ୍ଣୁ ମତ୍ସ୍ୟାବତାର ନେଇଥିଲେ ।
ହଠାତ୍ ଏଇ ସମୟରେ ଆଖି ପଡେ ଆଗରୁ ଆସୁଥିବା ଏକ ସାତ ଆଠ ବର୍ଷ ର ଝିଅ ଟେ ଉପରେ ନୁଖୁରା କେଶ, ମାନସିକ ଅନଗ୍ରସର, ଛିଡା ମଇଳା ପୋଷାକ ଓ ଦୁଇ ଖଣ୍ଡ କଂକାଳ ବିଶିଷ୍ଟ । ସେ ଆସି ବ୍ରତ ମାନୁଥିବା ଜଣେ ମହିଳାକୁ ଖାଇବାକୁ ମାଗୁଛି । ହଠାତ୍ ଏ କ'ଣ ହେଲା ? ସ୍ତ୍ରୀ ଲୋକଙ୍କ ଭିତରୁ କେହି ଜଣେ ପାଟି କରି କହେ ଏ...ପୂଜାସଜ ତକ ସେ ଝିଅ ଛୁଇଁବ ଛୁଇଁବ ! ପୂଜା ସରୁ ତାକୁ ଦିଆଯିବ ଆହୁରି ଘଣ୍ଟାଟେ ଲାଗିବ । ଏ ସବୁ କଥାକୁ ସେ ଝିଅ ବା କାହୁଁ ବୁଝିବ ତାକୁ ତ ପେଟ ଜାଳା ଲାଗିଛି । ବିକଳରେ କହୁଥାଏ ମା' ଖାନେ କୋ କୁଛ ଦୋ ନା, ବହତ୍ ଭୁକ୍ ଲାଗି ହେ ।ହେଲେ କାହାରି କିଛି ଯାଏନି କି ଆସେନି ସେଠି । ଝିଅ ଟି ଜଳଜଳ କରି ଚାହିଁଥାଏ ପୂଜା ଡଲାକୁ । ଆଖିରୁ ଲୁହ ଝରିଯାଉ ଥାଏ ।
ତାକୁ ଦେଖି ମନରେ ପ୍ରଶ୍ନ ଉଙ୍କି ମାରୁଥାଏ ସତରେ କ'ଣ ଆମେ ମଣିଷ ? ଏଇ କ'ଣ ଆମ ପୁଣ୍ଯ ? ଏଇ କ'ଣ ଆମ ପବିତ୍ରତା ? ଏଇ କ'ଣ ଆମ ମାନବିକତା ? ଛିଃ...କେତେ ଅମଣିଷ ଆମେ । ଏ ଦାନ, ପୁଣ୍ଯର ମହାନତା କ'ଣ ? ପ୍ରକୃତ ଦୁଃଖିକୁ ଛି କରୁଛୁ ।ସାମନାରେ ଛିଡା ହୋଇଥିବା ଭୋକିଲା ଝିଅ ଟିକୁ ଖାଇବା ଦେଇପାରୁନୁ କ'ଣ ନା ମୂର୍ତ୍ତିରେ ଭୋଗ ଲଗାଉଛେ ନାନା ପ୍ରକାରର । ଭଗବାନ କ'ଣ ଓହ୍ଲାଇ ଆସି ଖାଇବେ ? ପୂଜା ସାରି କିଛି ଦାନ କରିଦେଲେ କ'ଣ ପୁଣ୍ଯ ପ୍ରାପ୍ତି ହୋଇଯିବ ?
ଆଉ ସହ୍ଯ ହେଲାନି । ସେଠାରୁ ଡାକି ନେଇ ତାକୁ ମୋ ରୁମ୍ ରୁ କିଛି ରୁଟି ତରକାରୀ ଆଣି ଦେଲି ।ଆହାଃ... କି ଆନନ୍ଦ ଖାଇଗଲା ଆଖି ପଲକରେ ।କିଛି ବଳେଇ କି ବି ରଖିଲା ପଚାରିଲାରୁ କହିଲା ଦିଦି ମେରୀ ଓର୍ ଦୋ ଭାଇ ବେହେନ ହେ ଓ ଭି ନେହି ଖାଏ ହେଁ ଏ ଉନ୍ ଲୋଗୋଁ କେ ଲିୟେ ଲେ ଜାଉଁଙ୍ଗୀ ! ସତରେ ତାକୁ ଦେଖି କେଜାଣେ କୋଉଠି ମୁଁ ହଜି ଯାଇଥିଲି ।ତାକୁ ଆଉ କିଛି ଖାଇବା ଦେଲାରୁ କେତେ ଖୁସିରେ ଗଲା ।
ପ୍ରକୃତରେ ସେଦିନ ମୋତେ ଯୋଉ ଆନନ୍ଦ ମିଳିଥିଲା, ଯୋଉ ସାତ ରଙ୍ଗର ରଙ୍ଗରେ ମନ ଭିତରେ ରଙ୍ଗୋଲୀ ଆଙ୍କି ହୋଇଯାଇଥିଲା ସେ ଅଭୁଲନୀୟ । ପ୍ରକୃତ ପୁଣ୍ଯ କ'ଣ ତା ମୁଁ ବୁଝିଥିଲି । ଭଗବାନ ତ ସେତେବେଳେ ଖୁସିହୁଅନ୍ତି ଯେବେ ଦୁଃଖିଟିଏ ହସେ । ଆଉ ଆମେ....