ମୋ ବାପା,ମୋ ହୀରୋ
ମୋ ବାପା,ମୋ ହୀରୋ
ନ'ମାସ ଗର୍ଭରେ ଧରି,ଛାତିର ଅମୃତ ପିଆଇ ସନ୍ତାନକୁ ଭୃଣରୁ ଧରାପୃଷ୍ଠରେ ମଣିଷ ପରି ମଣିଷ କଲାପରେ ମଧ୍ୟ ମା'ର କାମ ସରେନା। ସେଥିପାଇଁ ମା' ପାଖରେ ପିଲାଙ୍କର ଅଳିଅର୍ଦ୍ଦଳୀ ବେଶି ଥାଏ।ବାପାଙ୍କୁ କୁଆଡେ ସମସ୍ତଙ୍କର ପ୍ରାଣେଭୟ। ବାପାଙ୍କ ଗୋଟିଏ ଡାକରାରେ କୁଆଡେ କିଏ କିଏ ଠିଆରେ ଏକ କରିଦିଅନ୍ତି।
ମୁଁ ବୋଧହୁଏ ଦୁନିଆରେ ସବୁଠାରୁ ଅଲଗା ଏକ ପ୍ରାଣୀ।ଭଗବାନ ବୋଧହୁଏ ସୃଷ୍ଟି କରିବା ସମୟରେ ମୋଭଳି ଏକ ନମୁନାକୁ ଧରାପୃଷ୍ଠକୁ ଛାଡିଥିଲେ ଯେ କି ବାପାଙ୍କୁ ନିଜର ମା'ପରି ମନେକରେ।ଏଥିପାଇଁ ବୋଉ ବେଳେ ବେଳେ ଭାରି ଅଭିମାନ କରେ।କିନ୍ତୁ ହଲପ କରି କହୁଛି ମୁଁ ବାପାଙ୍କୁ ହୃଦୟର ଗଭୀରତମ କୋଣରୁ ଭଲପାଏ।
ମୋ ପାଇଁ ମୋ ବାପା ସ୍ନେହମୟୀ ମା'ପରି।ମୁଁ କେବେ ତାଙ୍କୁ ଡରେନି।ବୋଉକୁ ମୋର ପ୍ରାଣେ ଭୟ କିନ୍ତୁ ବାପାଙ୍କ ପାଖରେ ମୁଁ ନିଜକୁ ଖୋଲି ପ୍ରକାଶ କରିପାରେ।
ବାପା ମୋର ମନ କଥା ବୁଝି ପାରନ୍ତି,ସେ ହିଁ ମତେ ଅଭୟ ପ୍ରଦାନ କରିପାରନ୍ତି।ତାଙ୍କର ଉଦାରବାଦୀ ନୀତି,ପରୋପକାରୀ ଗୁଣ ଯୋଗୁଁ ସେ ସମସ୍ତଙ୍କର ପ୍ରିୟ।ଅବଶ୍ୟ ଅନେକେ ତାଙ୍କର ସରଳତାର ଫାଇଦା ଉଠାନ୍ତି।ଏଇଟା ସେ ବୁଝି ପାରନ୍ତି କି ନା ମୁଁ ଜାଣିନି କିନ୍ତୁ ସେ ତାଙ୍କର ଅଭ୍ୟାସ ଅଦ୍ୟାବଧି ବଦଳାଇ ନାହାଁନ୍ତି।
ପିଲାଦିନେ କେବେ କେବେ ପାଖରେ ବସାଇ ଅଙ୍କ ବୁଝାଇବା ସମୟରେ ମୋର ଗୁମାନିଆ ଗୁଣ ଯୋଗୁଁ ଗୁମ ହୋଇ ବସି ଉତ୍ତର ନଦେବାରୁ ବାପା କେବେ କେବେ ଚାପୁଡାଟେ ପକେଇ ଦିଅନ୍ତି ପୁଣି ପରେ ମତେ ସାଇକେଲରେ ବସେଇ ବାଟମଙ୍ଗଳାଙ୍କ ପାଖରେ ଥିବା ମିଠା ଦୋକାନକୁ ନେଇ ଛେନାପୋଡ କିଣେଇକି ଖୁଆନ୍ତି।
ପୁରୀରେ ମୋର ଲାଳନ ପାଳନ ହୋଇଛି।ଜଗନ୍ନାଥ ମନ୍ଦିର ଯିବା,ମହୋଦଧି କୂଳେ ବସି ଝାଲମୁଢି ଖାଇବା,ଜାଗର ସମୟରେ ଲୋକନାଥ ମନ୍ଦିର ଯିବା,ଜାଗର ପଡିଆରେ ଦୀପ ଜଳାଇବା,ଖଣ୍ଡଗଡ(ଚିନିରେ ବନାଯାଇଥିବା ରଙ୍ଗ ବିରଙ୍ଗୀ ହାତୀ,ଘୋଡା,ଚଢେଇ),ଝୁମଝୁମା ବାଲା ବେଲୁନ ନହେଲେ ତାଳପତ୍ରରେ ବନାଯାଇଥିବା ଚଟପଟି କଣ୍ଢେଇ ସବୁ ବାପା ମନକୁ ମନ କିଣି ଦେଇଛନ୍ତି।
ପୁରୀରେ ଲକ୍ଷ୍ମୀ,ଜନତା ଓ ଶ୍ରୀକୃଷ୍ଣ ନାମରେ ତିନୋଟି ଫିଲ୍ମ ହଲ ଥାଏ।ମୁଁ ଜାଣିବାରେ ଯେତେସବୁ ଓଡ଼ିଆ ଫିଲ୍ମ ଆସେ ବାପା ବୋଉ ଓ ଆମ ଚାରି ଭାଇ ଭଉଣୀଙ୍କୁ ରିକ୍ସା କରି ନେଇ ଫିଲ୍ମ ଦେଖାନ୍ତି,ଇଣ୍ଟରଭାଲରେ ବାଦାମଭଜା ଓ ପାପଡ ଭଜା କିଣି ଖାଇବାକୁ ଦିଅନ୍ତି ଓ ଫିଲ୍ମ ସରିଗଲା ପରେ ଫିଲ୍ମର ଗୀତବହି କିଣିଦିଅନ୍ତି।
ମନ ଦେଇ ପାଠ ପଢିବାର ଗୁରୁମନ୍ତ୍ର ସବୁବେଳେ ମୋ ବାପା ଦେଉଥିଲେ।ସ୍ନାତକ ପର୍ଯ୍ୟନ୍ତ ଲଣ୍ଠନ ଆଲୁଅରେ ପାଠ ପଢୁଥିବା ସମୟରେ ସେ ସେମିତି ଜଗିବସିଥା'ନ୍ତି ପାଖରେ।ତାଙ୍କର ଗୋଟିଏ କଥା"ମନଦେଇ ପାଠ ପଢି ନିଜ ଗୋଡରେ ନିଜେ ଠିଆ ହୋଇଯା'।କାହାପାଖରେ କେବେ ହାତ ପତାଇବାକୁ ପଡିବନି।"ମନଦେଇ ପଢି ପରୀକ୍ଷାରେ ଭଲ କରିବାର ଇନ୍ଧନ ଯୋଗାଉଥିଲା।ମୁଁ ଅବଶ୍ୟ ତାଙ୍କୁ କେବେବି ନିରାଶ କରିନି।ଫାଷ୍ଟ କ୍ଲାଶ ପାଇ ପାଇ ଉତ୍ତୀର୍ଣ୍ଣ ହୋଇଛି।
ଶର୍ଦ୍ଦି ବା ଥଣ୍ଡା ହୋଇଥିଲେ ନିଜେ ରାତିରେ ରସୁଣ ଛେଚି,ସୋରିଷ ତେଲରେ ମିଶାଇ ଫୁଟାଇ ପାଦ ତଳିପାରେ ଘଷିଦେଇ ନିଜର ମମତ୍ବ ଜାହିର କରୁଥିଲେ।
ଭଲକରି ନିଜକୁ ପ୍ରତିଷ୍ଠା ନକରି ବିବାହ କରିବାକୁ ସେ କେବେ ବି ସମର୍ଥନ କରୁ ନଥିଲେ।ସେଥିପାଇଁ ବୋଉ ସହିତ ତାଙ୍କର ଝଗଡା ହେଉଥିଲା।ସେ କହୁଥିଲେ ବିବାହ ସହିତ ଗୁରୁଦାୟିତ୍ୱ ଯୋଡି ହୋଇ ଥାଏ।ତେଣୁ ଗୁରୁଦାୟିତ୍ୱ ବହନ କରିବା ପୂର୍ବରୁ ଯେତେ ପଢିବା କଥା ବା ନିଜକୁ ସ୍ବୟଂ ସମ୍ପୂର୍ଣ୍ଣ କରିନେବାଟାକୁ ସେ ଉଚିତ ବୋଲି ମନେ କରୁଥିଲେ।ବୋଉ କହୁଥିଲା...କେମିତିକା ବାପ ୟେ କେଜାଣି,ଝିଅଟିକୁ ଶାଶୁଘରକୁ ପଠାଇବାର ନାଁ ଧରୁନାହାଁନ୍ତି।ବୋଉ କୋଉଠୁ ବୁଝିଥାନ୍ତା ତାଙ୍କର ଦୂରଦୃଷ୍ଟି।
ଏବେ ମୁଁ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଛି।ଜୀବନର ସାର୍ଥକତା କେବଳ ବାପାଙ୍କ ଯୋଗୁଁ ସମ୍ଭବ ହୋଇପାରିଛି।ସମାଜରେ ମୁଣ୍ଡଟେକି ମୁଁ ଚାଲିପାରୁଛି ନିଜର ଏକ ସ୍ବତନ୍ତ୍ର ପରିଚୟ ନେଇ।ଆଜିମଧ୍ୟ ସତୁରୀ ବର୍ଷ ବୟସରେ ସାଇକେଲରେ ଆସି ମୋ ଘରେ ଦେଖାକରି ଆବଶ୍ୟକ ହେଉଥିବା ସମସ୍ତ ଜିନିଷ ଯୋଗାଇ ଦେଉଛନ୍ତି।ମୋ ପିଲାଦିନର ପସନ୍ଦଯୋଗ୍ୟ ସମସ୍ତ ଜିନିଷ ନିଜର ବ୍ୟାଗରେ ଭରି ମୋ ପାଖରେ ଆଜାଡି ଦେଇ ଯାଉଛନ୍ତି ଆଜିମଧ୍ୟ ନକହିବା ସତ୍ତ୍ଵେବି।ଦୁନିଆରେ ମତେ ମଣିଷ ପରି ମଣିଷଟିଏ କରି ଗଢି ତୋଳିବାର ସମସ୍ତ ଶ୍ରେୟ ମୋ ବାପାଙ୍କର।ସେ ହିଁ ମୋର ହୀରୋ,ସେ ହିଁ ମୋ ଭଗବାନ।ନିଜ ଗୋଡରେ ନିଜେ ଠିଆ ହେବାପରେ ବୁଝିପାରୁଛି ମୋ ବାପାଙ୍କର ପ୍ରଛନ୍ନ ଦୂରଦୃଷ୍ଟି ଯାହା ଜୀବନ ଥିବାଯାଏ ମୋର ରକ୍ଷାକବଚ ଭଳି କାର୍ଯ୍ୟ କରିବ।ଭଗବାନ ମୋ ବାପାଙ୍କୁ ସବୁ ବିପଦରୁ ରକ୍ଷା କରନ୍ତୁ,ତାଙ୍କ ପରି ପିତା ମୁଁ ପ୍ରତି ଜନ୍ମରେ ପାଉଥାଏ ଏହାହିଁ ମୋର ସର୍ବଶକ୍ତିମାନଙ୍କ ଚରଣରେ ନିବେଦନ।