MANAS KUMAR KAR

Drama Fantasy Inspirational

4  

MANAS KUMAR KAR

Drama Fantasy Inspirational

ମନ୍ତ୍ର

ମନ୍ତ୍ର

6 mins
318



  ମଧୁପୁର ଗ୍ରାମରେ ବିନୟ ନାମକ ଜଣେ ଯୁବକ ଥାଏ। ବୟସରେ ସେ ଯୁବକ ହେଲେ କ'ଣ ହେବ ଦେଖିବାକୁ ସେ ଠିକ ବୁଢ଼ା ଭଳି, ହାତଗୋଡ଼ ସରୁ, ବେକ ପାଖରୁ ନଇଁ ପଡ଼ିଛି। ରୋଗୀଣାଟିଏ ପରି ସେ ଲାଗେ। ଅଳ୍ପ ଛୋଟେଇ ଛୋଟେଇ ସେ ଚାଲେ, ତାକୁ ଦେଖିଲେ ମନେହେବ ଖାଇବାକୁ ନ ପାଇ ସେ ଏଡ଼େ କଷ୍ଟରେ ଅଛି। ଦୁନିଆରେ ତା'ର ନିଜର ବୋଲି ଆଉ କେହି ବି ନାହିଁ। ଲୋକେ ତା'ଠାରୁ ଦୂରେଇ ରହନ୍ତି। ଜନ୍ମ ହେଉ ହେଉ ତା'ର ମା' ମଲା। ସାତବର୍ଷର ସେ ହୋଇଥିଲା ବାପା ମଲା। ମାମୁ ଦୟା ଦେଖାଇ କେବେ କେମିତି ତାକୁ ଥରେ ଖାଇବାକୁ ଦିଅନ୍ତି। ଜମିବାଡ଼ି ବୋଲି ଯାହା ପୈତୃକ ସମ୍ପତ୍ତି ତା'ର ଥିଲା ସେସବୁ ମାମୁ ତାଙ୍କ ନାମରେ କରିନେଲେ ଭାବିଲେ ଖାଇବାକୁ ନପାଇ ରୋଗଣା ହୋଇ ମରିଗଲେ ତ ତାଙ୍କ ରାସ୍ତାର କଣ୍ଟାଯିବ। ଗ୍ରାମର ବଡ଼ ଭଦ୍ରଲୋକମାନେ ମଧ୍ୟ କେହି ଏ ବିଷୟରେ କିଛି ବି ନ୍ୟାୟ ଦେଲେ ନାହିଁ। ଏଣୁ ବିନୟ ବଡ଼ କଷ୍ଟରେ ପ୍ରାୟ ଭିକ ମାଗି ଚଳୁଥାଏ।


କେହି କେହି ଦୟାକରି ବଳକା ରୁଟିଖଣ୍ଡେ ବା ତରକାରୀ ଟିକିଏ ତାକୁ ଦିଅନ୍ତି। ଗାଁ ଭିତରେ ପାର୍ବତୀଦେବୀ ବୋଲି ଜଣେ ବୁଢ଼ୀ ଥା'ନ୍ତି, ସେ ତା' ଉପରେ ସଦା ସର୍ବଦା ଦୟା ରଖିଥା'ନ୍ତି। ଦିନେ ବିନୟର ଅବସ୍ଥା ଦେଖି ପାର୍ବତୀଙ୍କର ମନରେ ଖୁବ ଦୟା ଆସିଲା। ସେ ତାକୁ କହିଲେ, "ପୁଅ, ତୋ ବାପାର ଜମିଜମାଗୁଡ଼ା ତ ତୋର ମାମୁ ମାଗଣା ଖାଉଛି। ତୁ ତାକୁ ଯାଇ କହ ଅଧେ ସେ ନେଉ ଆଉ ଅଧେ ତତେ ସେ ଦେଉ। ତୁ ଅନ୍ତତଃ ଭୋକରେ ରହନ୍ତୁ ନାହିଁ।" ଏବେ ବିନୟ ବଡ଼ ହୋଇଗଲାଣି ଜାଣିଲାଣି ତା' ବାପାର ସମ୍ପତ୍ତି ମାମୁ ଅନ୍ୟାୟରେ ଖାଉଛି।


ବିନୟ ମାମୁ ପାଖକୁ ଯାଇ କହିଲା, "ମାମୁ, ଏଡ଼େ ବଡ଼ ଦୁନିଆରେ ମୋର ନିଜର ବୋଲି ତୁମଛଡା ଆଉ କିଏ ଅଛି। ଗାଁର ସମସ୍ତେ କହୁଛନ୍ତି ମୋ ବାପା ମଲାବେଳେ ତୁମକୁ ମୋ ଦାୟିତ୍ଵ ଦେଇ ଯାଇଥିଲେ। ମୋ ବାପାଙ୍କର କିଛି ଜମି ମଧ୍ୟ ଥିବାର ମୁଁ ଶୁଣିଛି। ମୋତେ ସେଥିରୁ ଅଧେ ଦେଲେ ହୁଅନ୍ତା ନାହିଁ। ମୁଁ ଅନ୍ତତଃ ଭୋକ ଉପାସରେ ସମୟ କଟାନ୍ତି ନାହିଁ।


ଏହା ଶୁଣି ମାମୁ ରାଗରେ ଲାଲ ହୋଇଯାଇ ଭଣଜାକୁ ଧମକ ଦେଇ କହିଲେ, "ଆଉ ଥରେ ଏମିତି କଥା କହିବୁ ତ ଦେଖିବୁ। କ'ଣ ଭାବିଛୁ? ମୁଁ ତୋ ବାପର ଜମିଜମା ନେଇ ତୋତେ ପଇସା ଦେଇନି। ଏସବୁ କଥା ତୁ କାହା ସାହସରେ କହୁଛୁ କାହା ଶିଖାଣିଆରେ ପଡ଼ିଛୁ? ଛୋଟ ବେଳରୁ ମୋରି ପାଖରେ ମଣିଷ ହୋଇ ଆଜି ଏଡେ ସାହସ?"


ବିନୟ ନାଚାର ହୋଇ ସେଠାରୁ ଯାଇ ଗ୍ରାମ ସରପଞ୍ଚଙ୍କ ପାଖରେ ଅଭିଯୋଗ କରି କହିଲା, "ସରପଞ୍ଚ ମହାଶୟ, ଆପଣ ତ ଏ ଗାଁର ଲୋକ ନିଶ୍ଚୟ ଜାଣିଥିବେ ଯେ ମୋ ବାପାଙ୍କର କିଛି ଜମି ମୋ ମାମୁଙ୍କ ପାଖରେ ଅଛି। ଆପଣ ନ୍ୟାୟବନ୍ତ ବ୍ୟକ୍ତି। ଯଦି ଥରେ ମାମୁଙ୍କୁ ଡାକି କହନ୍ତେ ଓ ସେ ରାଜି ହୋଇ ସେଥିରୁ ଅଧେ ଜମି ଦିଅନ୍ତେ ତେବେ ମୁଁ ଉପାସରେ ରହନ୍ତି ନାହିଁ। ଏତିକି ଦୟା କରନ୍ତୁ। ଆପଣଙ୍କ ପାଖକୁ ମୁଁ ବଡ଼ ଆଶା ନେଇ ଆସିଛି।"


ସରପଞ୍ଚ ମାମୁକୁ ଡକାଇଲେ। ମାମୁ ଅଳ୍ପ କିଛି ଲାଞ୍ଚ ସରପଞ୍ଚକୁ ଧରାଇ ଦେଲେ ଓ କହିଲେ, "ମହାଶୟ, ଏତେଦିନ ହେବ ଯୁଆଡ଼େ ଯାହା ବୁଲି ବୁଲି ମାଗି ଖାଇଲେ ମଧ୍ୟ ସେ ଆମ ଘରକୁ ଆସି ଖିଆପିଆ କରେ। ତା'ର ଭଲମନ୍ଦ ପୁଣି ମୁଁ ହିଁ ତ ଦେଖାଶୁଣା କରେ? ଏଇଟା ରୋଗୀଣାଟା ଆଜ୍ଞା, ଏଠିସେଠି ଖାଇ କ୍ରମେ ଆହୁରି ଦୁର୍ବଳ ହୋଇ କେବେ କେଉଁଠି ପଡ଼ି ମରିଯିବ। ଜମି ନେଇ ଇଏ କ'ଣ କରିବ? ବଞ୍ଚିଥିବା ଦିନତକ ଏମିତି କଟିଯିବ।"


ସରପଞ୍ଚ ଲାଞ୍ଚ ଖାଇସାରିବା ପରେ ବିନୟକୁ ଭିତରକୁ ଡାକିନେଇ କହିଲେ, "ତୁ କେଉଁ ଜମିବାଡ଼ି କଥା କହୁଛୁ? ମୁଁ ତ ଦେଖିଲି ସେସବୁ ତୋ ମାମୁ ନାମରେ ଅଛି। ଆଉ କେବେ ଏସବୁ କଥା କହିବୁ ତ ମୁଁ ତୋତେ ସିଧା ଏ ଗାଁରୁ ବାହାର କରିଦେବି।"


ସେହି ଗ୍ରାମରେ କନକ ଦାସ ନାମରେ ଜଣେ ଧନୀ ବ୍ୟକ୍ତି ଥା'ନ୍ତି। ତାଙ୍କର ବାସନ୍ତୀ ନାମରେ ଝିଅଟିଏ ଥାଏ। ବାସନ୍ତୀର ବିନୟ ପ୍ରତି ଭାରି ଦୟା ହେଲା। ସେ ତ ତା' ବିଷୟରେ ସବୁ ଜାଣିଥାଏ। ବିନୟର ଭୋକରେ ଏଠି ସେଠି ଘୂରି ବୁଲିବା ଏସବୁ ତାକୁ ମୋଟେ ଭଲ ଲାଗୁ ନଥାଏ। ସେ ତାକୁ ଲୁଚାଇ ଲୁଚାଇ କିଛି ଖାଦ୍ୟ ସବୁଦିନେ ଦେଇଯାଏ। ଦିନେ ସେ ବିନୟକୁ କହିଲା, "ତୁମର କଷ୍ଟ ଦେଖି ମୁଁ ଆଉ ସହି ପାରୁନି। ତୁମପରି ଭଲ ମଣିଷକୁ ଏପରି ଦଣ୍ଡ କାହିଁକି? କେତେଦିନ ମୁଁ ଆଉ ଏପରି ଲୁଚି ଲୁଚି ଆସିବି? ତୁମର କୌଣସି ଆପତ୍ତି ନଥିଲେ ମୋର ତୁମ ସହିତ ବିବାହ ପ୍ରସ୍ତାବ ବାପାଙ୍କୁ କହିଲେ ହୁଅନ୍ତା। ବିବାହ ପରେ ତୁମକୁ ମୁଁ ପାଖରେ ରଖି ସେବା କରନ୍ତି।"


ବାସନ୍ତୀର କଥା ଶୁଣି ବିନୟ ଖୁବ ଖୁସି ହୋଇଗଲା ଓ ଶୀଘ୍ର ଯାଇ କନକ ଦାସ ପାଖରେ ପ୍ରସ୍ତାବ ଦେଲା। କନକ ଦାସଙ୍କପାଇଁ ଏହା କଳ୍ପନାତୀତ ଥିଲା। ଏକଥା ଶୁଣିବା ମାତ୍ରେ ସେ ରାଗରେ ଜଳିଗଲା ଓ ବିନୟକୁ ଖୁବ ପିଟିଲା। ବିନୟର ମନ ବଡ଼ ଦୁଃଖ ହେଲା ଓ ସେ ବହୁତ କଷ୍ଟ ପାଇ ଭାବିଲା, "ଏ ଜୀବନରେ ଆଉ ମୋର କ'ଣ ବା ଅଛି, ମରିଗଲେ ଭଲ।" ଏଇକଥା ଭାବି ସେ ଗ୍ରାମ ଛାଡ଼ି ଜଙ୍ଗଲକୁ ଗଲା। ମନରେ ଭାବୁଥାଏ ଯେ ଜଙ୍ଗଲରେ କୌଣସି ଜନ୍ତୁ ତାକୁ ଖାଇଗଲେ ସେ ଏ ଯନ୍ତ୍ରଣାକ୍ଳିଷ୍ଟ ଜୀବନରୁ ତ୍ରାହି ପାଇବ। ଏମିତି ଯାଉ ଯାଉ ଘୋର ଜଙ୍ଗଲ ଭିତରେ ସେ ଦେଖିଲା ଜଣେ ସାଧୁ ତପସ୍ୟା କରୁଛନ୍ତି।


ବିନୟ ସେଠାରେ ଯାଇ ପହଞ୍ଚିଲା ଓ ନୀରବରେ ସାଧୁଙ୍କ ପାଖରେ ଯାଇ ଠିଆ ହେଲା। ସାଧୁଙ୍କ ତପସ୍ୟା ଭାଙ୍ଗିବାରୁ ତାଙ୍କ ପାଦତଳେ ପଡ଼ି ବିନୟରେ ପ୍ରଣାମ କଲା ଓ କହିଲା, "ସାଧୁ ମହାରାଜ, ମୁଁ ବଡ଼ ଦୁଃଖୀଟିଏ। ଆଜନ୍ମ ଦୁଃଖୀ କହିଲେ ବି ହେବ; ମା'ବାପା ମରିଯିବାରୁ ମାମୁ ମୋ ବାପାଙ୍କର ସବୁ ସମ୍ପତ୍ତି ରଖିଲା ଓ ମୋତେ ବି ସେ ରଖିଲା। ଖାଇବାକୁ ଦିଏନାହିଁ, ସେ ମୋତେ ପିଟେ। ତା'ର ଉଦ୍ଦେଶ୍ୟ ହେଉଛି ଏମିତି ଏମିତି ହୋଇ ମୁଁ ମରିଗଲେ ସେ ମୋର ସମସ୍ତ ଜମିବାଡ଼ି ପାଇବ। ମୋର ଚେହେରା ଓ ଅସୁସ୍ଥତା ଦେଖି ଆପଣ ମୋକଥା ଠିକ ବୁଝିପାରୁଥିବେ। ମୁଁ ଆଉ ଅଧିକ କ'ଣ ବା କହିବି? ଗାଁର ଦୟାଳୁ ଝିଅଟିଏ ବାସନ୍ତୀ। ତା'ରି ଦୟା ଯୋଗୁଁ ତା' ବାପା ମୋତେ ପିଟି ପିଟି ବେଦମ କରିଦେଲା। ଏହି ଅବସ୍ଥାରେ ପଡ଼ି ମୁଁ ଜଙ୍ଗଲକୁ ଚାଲି ଆସିଲି ଯଦି କେହି ହିଂସ୍ରଜନ୍ତୁ ମୋତେ ଖାଇଦିଏ ତ ଭଲ। ବୁଲୁ ବୁଲୁ ଆପଣଙ୍କୁ ଦେଖି ଏଠାକୁ ମୁଁ ଆସିଲି। ଆପଣ ମୋତେ ଶରଣ ଦିଅନ୍ତୁ; ମୁଁ ଆପଣଙ୍କର ସେବା କରି ଏଇଠି ରହିବି।"


ଦୟାଳୁ ସାଧୁ କହିଲେ, "ବତ୍ସ, ପିଲାଟିଦିନରୁ ତୁ ତ ବହୁତ କଷ୍ଟ ସହିଛୁ ଆଉ ତୋତେ କଷ୍ଟ ଭୋଗିବାକୁ ପଡ଼ିବ ନାହିଁ। ତୁ ଏହି ଘୋର ଜଙ୍ଗଲରେ ମୋ ପାଖରେ ରହିବାକୁ ଚାହୁଁଛୁ; ସେକଥା ଅସମ୍ଭବ। ଏବେ ତୋର କଷ୍ଟ ହରଣ କରିବାକୁ ମୁଁ ତୋତେ କିଛି ମନ୍ତ୍ରର ସାହାଯ୍ୟ ଦେବି ତଦ୍ଦ୍ୱାରା ତୁ ବହୁତ କିଛି କରି ପାରିବୁ। ଏବେ ମୋ ପାଖରେ କେବଳ ଦୁଇଟି ମନ୍ତ୍ର ଅଛି। ଗୋଟିଏ ତୁ ଉଚ୍ଚାରଣ କଲେ ତୋତେ ଦେଖି ସମସ୍ତେ ଡରିବେ ଆଉ ଦ୍ୱିତୀୟଟି ତୁ ଉଚ୍ଚାରଣ କଲେ ସମସ୍ତେ ତୋତେ ଭଲ ପାଇବେ; ଏବେ ତୁ କହ ତୁ କେଉଁଟି ଚାହୁଁ?"


ତହୁଁ ବିନୟ କହିଲା, "ପ୍ରଭୁ ମୋତେ ପ୍ରଥମଟି ଦିଅନ୍ତୁ।" ସାଧୁ ତାକୁ "ତଥାସ୍ତୁ" କହିଲେ।


ବିନୟ ସେଇଠାରୁ ସିଧା ଯାଇ ମାମୁଙ୍କ ପାଖରେ ପହଞ୍ଚିଲା ଓ ମନ୍ତ୍ରଟି ମନେ ମନେ ବୋଲିଦେଲା। ଏବେ ଦେଖ ମଜା। ମାମୁ ତାକୁ ଗାଳିଦେବାକୁ ଯାଉଥିଲେ ହଠାତ ସେ ଦେଖିଲେ ଏକ ବିରାଟକାୟ ଜନ୍ତୁ ତାଙ୍କୁ ମୁଖବ୍ୟାଦାନ କରି ଖାଇବାକୁ ଗୋଡ଼ାଉଛି। ଏସବୁ ଦେଖି ସେ ସେଠୁ ଚିତ୍କାର କରି ଦୌଡ଼ି ପଳାଇଲେ। ଦ୍ୱିତୀୟ ହେଉଛି ସରପଞ୍ଚ। ସେ ତାଙ୍କୁ ଦେଖା କରିବାକୁ ଗଲା। ସରପଞ୍ଚ ଦେଖିଲା ଗୋଟାଏ ବାଘ ବିନୟଠାରୁ ବାହାରି ଆସିଲା – ଏଣୁ ସେ ମଧ୍ୟ ଚିତ୍କାର କରି ଚମ୍ପଟ ଦେଲା। ଶେଷରେ କନକ ଦାସ ଦେଖିଲା ବିନୟ ହଠାତ ଏକ ବିରାଟ ବିଷଧର ସର୍ପ ହୋଇ ତାକୁ ଦଂଶିବାକୁ ଆସୁଛି। ସେ ମଧ୍ୟ ରଡ଼ି ଚିତ୍କାର କରି ସେଠୁ ଅନ୍ୟତ୍ର ପଳାଇଲା। ତା'ପରେ ସମସ୍ତେ ମିଶି ତା' ପାଖକୁ ଆସିଲେ ଯେତେବେଳେ ସେ ଭଲ ରୂପରେ ଥାଏ। ସେମାନେ ତା' ପାଖକୁ ଆସି କ୍ଷମା ମାଗିଲେ ଓ ମାମୁ ତା'ର ଟଙ୍କା ଜମି ସବୁ ଫେରାଇ ଦେଲେ। କିନ୍ତୁ କନକ ଦାସ ସେଠାକୁ ଆସି ନଥିଲା କାରଣ ତା'ର ବାକ୍-ଶକ୍ତି ଭୟରେ ନଷ୍ଟ ହୋଇ ଯାଇଥିଲା।


ଇତିମଧ୍ୟରେ ଗୋଟିଏ ବଗିଚାରେ ପିଲାଗୁଡିଏ ଖେଳୁଥିଲେ; ସେଠିକି ବିନୟ ଗଲା। ଦେଖିଲା ଛୁଆଟିଏ ପିଜୁଳି ଗଛରୁ ପଡ଼ି ଯାଉଛି। ସେ ଯାଇ ତାକୁ ଧରିପକାଇ ରକ୍ଷା କଲା। କିନ୍ତୁ ସେ ପିଲାଟି ଖାଲି କାନ୍ଦି କାନ୍ଦି କହୁଥାଏ, "ମୋତେ ଛାଡ଼ିଦିଅ, ତୁମେ ବାଘ ହୋଇ ମୋତେ ଖାଇ ପକାଇବ।" ଏ କଥାରେ ବିନୟ ବଡ଼ ଦୁଃଖିତ ଓ ବିବ୍ରତ ବୋଧ କଲା। ଜାଣିଲା, ସାରା ଗାଁରେ ଏହିକଥା ପ୍ରଚାର ହୋଇଯାଇଛି ଯେ ସେ କିଛି ଗୋଟାଏ ଜନ୍ତୁର ରୂପ ନେଇ ଯାହାକୁ ଇଚ୍ଛା ତାକୁ ଖାଇଯିବ। ଏପରି ଅବସ୍ଥା ହେଲା ଯେ ଯିଏ ତାକୁ ଦେଖିଲା ଭୟରେ ତା'ଠାରୁ ଦୂରେଇ ଗଲା। ସେ ଆଉ ସେହି ମନ୍ତ୍ରଟି ରଖିବାକୁ ଚାହିଁଲା ନାହିଁ। ଏଣୁ ସେ ପୁଣି ସାଧୁଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା କହିଲା। ସାଧୁ ତାକୁ ଆର ମନ୍ତ୍ରଟି ଦେଲେ ଓ ପ୍ରଥମ ମନ୍ତ୍ରଟି ଅକାମୀ କରିଦେଲେ। ଏବେ ବିନୟ ଖୁବ ଖୁସି ହୋଇ ସେଠାରୁ ଫେରିଲା। ଗ୍ରାମକୁ ଆସି ଶୁଣିଲା ବାସନ୍ତୀ ତାକୁ ଖୁବ୍ ଖୋଜୁଛି। ସୁତରାଂ ସେ ବାସନ୍ତୀର ଘରକୁ ଗଲା। ଘର ଭିତରୁ ବାସନ୍ତୀ ବାହାରି ଆସି କହିଲା, "ତୁମ ଗୋଡ ଧରୁଛି ମୋ ବାପାକୁ ଭଲ କରିଦିଅ। ସେ ତ କଥାବି କହିପାରୁ ନାହାନ୍ତି।"


ବିନୟ ଅଳ୍ପ ହସି କହିଲା, "ଏବେ ତୁମ ବାପାଙ୍କ ପାଖକୁ ଚାଲ। ସେ ମୋତେ ଦେଖି ନିଶ୍ଚୟ ଭଲ ହୋଇଯିବେ।"


ବାସନ୍ତୀ କହିଲା, "ନାଁ ନାଁ, ତାଙ୍କ ଅବସ୍ଥା ଆହୁରି ଖରାପ ହୋଇପାରେ ତୁମକୁ ଦେଖି ତ ଭୟରେ ଚିତ୍କାର କରୁ କରୁ ସେ ତାଙ୍କର ବାକ୍-ଶକ୍ତି ହରାଇଲେ। ଏବେ ତୁମକୁ ଦେଖିବା ମାତ୍ରେ ସେ ହୁଏତ ଭୟରେ ମୂର୍ଚ୍ଛା ହୋଇଯିବେ ଓ ମରିଯିବେ। ମୁଁ ତୁମପାଇଁ ମୋ ବାପାଙ୍କୁ ହରାଇବି। ଭାବି ଦେଖ, ତେଣିକି ମୋ ଦୁଃଖର ଆଉ କୌଣସି ସୀମା ରହିବ ନାହିଁ।" ତୁମେ ଏଇଠୁ ମନ୍ତ୍ର କର।


"ବାସନ୍ତୀ କିଛି ଭୟ କରନାହିଁ। ତୁମେ କେବଳ ଦେଖ।" ବିନୟ ଏହା କହି ଭିତରକୁ ଗଲା ଓ ମନ୍ତ୍ରଟି ମନେ ମନେ କହିଲା। ସେହି ମନ୍ତ୍ରର ପ୍ରଭାବ ଯୋଗୁଁ କନକ ଦାସ ବିନୟକୁ ଦେଖିବା ମାତ୍ରେ ଅତି ଆନନ୍ଦରେ ତାକୁ ଆଲିଙ୍ଗନ କଲେ। ବିନୟ ବାସନ୍ତୀ ଆଡ଼କୁ ଚାହିଁ କିଛି ଇସାରା କରି କହିଲା, "ଦେଖିଲ ତ?" କନକ ଦାସ କହିଲେ, "ବାବା ବିନୟ, ମୋର କେମିତି ମଥା ଖରାପ ହୋଇଯାଇଥିଲା ମୁଁ ତାହା ଜାଣେନାହିଁ। ତୁମକୁ ସେଦିନ ଏପରି ଅଜବ ଭାବରେ ମୁଁ କିପରି ଦେଖିଲି। ଏହା ତ ସାଧାରଣ ଭାବରେ ଆଦୌ ସମ୍ଭବ ନୁହେଁ। ଭୟରେ ମୋର ଆଉ ବାକ୍ ସ୍ଫୁରଣ ହେଲା ନାହିଁ। ଏବେ ଉପଲବ୍ଧି କରୁଛି ତୁମକୁ ଜ୍ୱାଇଁ ଭାବରେ ପାଇ ମୁଁ ପ୍ରକୃତରେ ଧନ୍ୟ ହେବି।"

ଏସବୁକଥା ଶୁଣି ବିନୟ କେବଳ ଅଳ୍ପ ହସିଲା।




Rate this content
Log in

Similar oriya story from Drama