ମନୋବଳ
ମନୋବଳ


କିଛି ସମୟ ପ୍ରମିଳା ବାସନ୍ତୀ ଙ୍କ ମୁହଁକୁ ଚାହିଁ ରହିଲେ, ଭାବିଲେ ବାସନ୍ତୀ ଯେତିକି ସମାଜ ପାଇଁ,ବସ୍ତିରେ ପାଠପଢିବା ବୟସର ଛୋଟ ପିଲାଙ୍କ ପାଇଁ,ନିଶା ଖାଇ ଘରେ ଅଶାନ୍ତି କରୁଥିବା ମାନଙ୍କ ପାଇଁ ଭାବୁଛନ୍ତି, ଯଦି ଅନ୍ୟମାନେ ସେଇଥିରୁ କିଛି ଭାଗ କରନ୍ତେ,ନିଶ୍ଚୟ ସମାଜର ଅନେକ ପରିବର୍ତ୍ତନ ହୋଇପାରନ୍ତା । ନିଜ ଘରକାମ ସରିଲେ କଣ ଦିଟା ଖାଇଦେଇ ସେ ଯାଇ ସେଇମାନଙ୍କ ଅଭାବ ଅସୁବିଧା କଥା ବୁଝିଥାନ୍ତି, ସ୍ୱାମୀ ମଧ୍ୟ ତାଙ୍କୁ କେବେ ବାଧା ଦିଅନ୍ତି ନାହିଁ। ଅଭାବୀମାନଙ୍କୁ ସାହାଯ୍ୟ କଲେ ଈଶ୍ୱରଙ୍କ କଲ୍ୟାଣ ମିଳିବ। ସ୍ୱାମୀ ଜଣେ ସରକାରୀ ଚାକିରିଆ । ଦଶଟା ବେଳକୁ ରୋଷେଇ ସାରି ତାଙ୍କୁ ଗଣ୍ଡେ ଖାଇବାକୁ ଦେଇ,ନିଜେ ଦିଟା ଖାଇଦେଇ, ନିତିଦିନ ସେଇ ସମାଜ ସଂସ୍କାର କାମରେ ଲାଗିଥାନ୍ତି । ଗୋଟିଏ ଛୋଟିଆ ଘରଭଡ଼ା ନେଇ ବସ୍ତିର ପିଲାମାନଙ୍କୁ ପଢାଇଥାନ୍ତି । ସଏଇଏଇଆ ବୁଦିନ ସେମାନଙ୍କୁ ଖାଇବାକୁ ଦେଇପାରନ୍ତି ନାହିଁ। କିନ୍ତୁ ସାମାଜିକ ଉତ୍ସବ ଦିନ ମାନଙ୍କରେ କିଛି ଖାଇବାକୁ ଦେବାର ବନ୍ଦୋବସ୍ତ କରିଥାନ୍ତି । ସେ ପିଲାମାନେ ବାସନ୍ତୀ ଙ୍କୁ ଏପରି ସ୍ନେହ କରନ୍ତି ଯେ, ସେ ନିଜର ପିଲା ନାହାଁନ୍ତି ବୋଲି । ସେଇ ପିଲାମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ତାଙ୍କ ବାପା ମା ମଧ୍ୟ ଖୁବ୍ ସ୍ନେହ ଓ ସମ୍ମାନ କରନ୍ତି । ତାଙ୍କ ବାପା ମା ଙ୍କୁ ବାସନ୍ତୀ କୁହନ୍ତି ତୁମେମାନେ ଶ୍ରମିକ ହୋଇ ଥିବାରୁ, ପିଲାମାନଙ୍କ ପ୍ରତି ସମୟ ଦେଇପାରୁନ,ଯେଉଁଥିପାଇଁ ସେମାନଙ୍କ ଶିକ୍ଷା ର ଅଗ୍ରଗତି ହୋଇ ପାରୁନି । ତୁମେମାନେ ବୁଝିବା ଉଚିତ୍ ଯେ ଶିକ୍ଷା ଗୋଟିଏ ମାତ୍ର ବାଟ ଯିଏ ତୁମ ପିଲାମାନଙ୍କୁ ଆଗକୁ ବଢିବାକୁ ସାହାରା ଦେବ। ମଣିଷ କୁ ବୁଦ୍ଧି,ବିଚାରଶକ୍ତି, ସର୍ବୋପରି ସଚେତନ କରିପାରିବ। ତୁମ ପିଲାଟି ମାନେ ମଣିଷ ପରି ମଣିଷ ହୋଇପାରିଲେ ତୁମମାନଙ
୍କ ଅସୁବିଧା ଓ କଷ୍ଟ ନିଶ୍ଚୟ ଦୂର ହୋଇପାରିବ । ଅବୁଝାମଣା ବିଚାର ଓ ନିଶା ଖାଇବା କାରଣରୁ ଘରେ ନିଜ ନିଜ ଭିତରେ ଝଗଡ଼ା କରୁଥିବାର କାରଣ ହେଉଛି ,ଅଜ୍ଞାନତା, ଶିକ୍ଷା, ସଂସ୍କାରର ଅଭାବ । ମୁଁ ଚେଷ୍ଟା କରୁଛି ତୁମ ସ୍ୱାମୀ ମାନେ କିପରି ନିଶା ଖାଇବା ଛାଡି ଦେବେ,ପିଲାମାନେ ଭଲ ଶିକ୍ଷା ସଂସ୍କାର ପାଇବେ। ଏଇଆ ମୋର ଲକ୍ଷ । ବାସନ୍ତୀ ଙ୍କ ପାଖରେ ପଢି,କେତେଟା ପିଲା ମାଟ୍ରିକ ପାସ୍ କରି କଲେଜ ରେ ନାମ ଲେଖାଇଛନ୍ତି । ଆଉ କେତୋଟି ପିଲା ଖେଳରେ ତାଲିମ ନେଇ ଛାତ୍ରାବାସରେ ରହି ପଢା ସହିତ ଖେଳ ଅଭ୍ୟାସ କରୁଛନ୍ତି । ବସ୍ତିର ସବୁ ଲୋକମାନେ ବାସନ୍ତୀ ଙ୍କୁ ପ୍ରଂଶସା ରେ ପୋତି ପକାଉଥାନ୍ତି। ବାସନ୍ତୀ କହିଲେ ତୁମେ ମାନେ ସପ୍ତାହ କୁ ଦୁଇଟି ଦିନ ଏଇଠି କୁ ଆସ ଏବଂ ମୋତେ ଯଦି ତୁମେମାନେ ସ୍ନେହ ଓ ସମ୍ମାନ କରୁଥାଅ ମୋ କଥା ନିଶ୍ଚୟ ରଖିବ। ସପ୍ତାହ କୁ ଦୁଇଦିନ ସେଠାକାର ପୁରୁଷ ଓ ସ୍ତ୍ରୀ ଲୋକଙ୍କୁ ଏକାଠି କରି ,ନିଶାର କୁପ୍ରଭାବ ଓ ତାର ଭୟାବହତା ଏବଂ ଶେଷରେ ଦୂରାରୋଗ୍ୟ ବ୍ୟାଧିରେ କିପରି ମୃତ୍ୟୁ ମୁଖରେ ପଡନ୍ତି, ସେହି ବିଷୟରେ ସେମାନଙ୍କୁ ବୁଝାଇଥାନ୍ତି । କିଛିଦିନ ଏପରି ହେବା ପରେ କେତେଜଣ ନିଶା ଖାଇବା ଛାଡିଲେ ଓ ଆଉ କେତେଜଣ ଚେଷ୍ଟାରତ ରହିଛନ୍ତି ଜାଣି ବାସନ୍ତୀ ବହୁତ ଖୁସି ହେଉଥାନ୍ତି ଏବଂ ସେହିଧାରା ବଜାୟ ରଖିଥାନ୍ତି । ତାଙ୍କ ସ୍ତ୍ରୀ ମାନେ ବାସନ୍ତୀ ଙ୍କ ପାଖରେ କୃତଜ୍ଞତା ଜଣାଇ ଧନ୍ୟବାଦ ଦେଉଥିଲେ । ପ୍ରମିଳା ଭାବୁଥିଲେ ମଣିଷ ତାର ଉଦ୍ୟମ ରେ ସଫଳ ହେବାପାଇଁ ଅର୍ଥ ବଳ,କ୍ଷମତାବଳ,ଶରୀର ବଳ,ବାହୁବଳ,ସବୁକୁ ପ୍ରୟୋଗ କରିଥାନ୍ତି । କିନ୍ତୁ ଏ କ୍ଷେତ୍ରରେ ବାସନ୍ତୀ ଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ବଳ ମନୋବଳ ମୂଖ୍ୟ ଭୂମିକା ନେଇଛି । ମଣିଷ ଜୀବନ କୁ ମନୋବଳ ର ପୁଷ୍ପରେ ନିରାଜନା କରିଲେ ସବୁ ସମ୍ଭବ ହୋଇପାରେ ।