ମଣିଷ ଗଣୁଛି
ମଣିଷ ଗଣୁଛି


ତାଳଚେର-ପୁରୀ ପ୍ୟାସେଞ୍ଜର ଟ୍ରେନରେ ଭୁବନେଶ୍ବରରୁ ତାଳଚେର ଥର୍ମାଲ ଆସୁ ଆସୁ କେତେବେଳେ ଆଖି ଲାଗିଯାଇଛି ଜାଣି ପାରିନି । ନିଦ ଭାଙ୍ଗିବା ବେଳକୁ ଟ୍ରେନ କେତେବେଳୁ ତା'ର ଅନ୍ତିମ ଷ୍ଟେସନ ତାଳଚେରରେ ଏକା ଏକା ଶୁନଶାନ ଛିଡା ହୋଇଛି ବାରିପାରିନି । କେହି କୁଆଡେ ନାହିଁ ? ସବୁ ପ୍ୟାସେଞ୍ଜର କୁଆଡେ ଉଭାନ ହୋଇଗଲେ କି ? କୁଆଡେ ଉଡିଗଲେ କି ?
ଆଖିକୁ ଦୁଇ ଚାରି ଥର ବାଁ ପାପୁଲିରେ ପୋଛି ବିଶି ଅଙ୍ଗୁଳିକୁ ଥରେ ଦୁଇଥର ଆଖି କୋଣରେ ପଶେଇ ପୋଛି ସାରିଲା ପରେ ସବୁ ସଫା ସଫା ଜଣା ପଡିଲା । ବହୁତ ଆଗରୁ ଟ୍ରେନ ତାର ଅନ୍ତିମ ଷ୍ଟେସନ ତାଳଚେରରେ ପହଞ୍ଚିସାରିଥିଲା ଓ ସେଥିପାଇଁ ସାହଯାତ୍ରୀଗଣ ଘରବାହୁଡା ହେଲେଣି । ମୁଁ ଟିକିଏ ଅଧିକା ଥକ୍କା ହୋଇଥିବାରୁ ଜାଣିପାରିନି ।
ଧୀରେ ଧୀରେ ଉପର ବର୍ଥରୁ ତଳକୁ ଉଲ୍ଲେହି ଡଗ ଡଗ ହୋଇ ଚାଲିଲି । ଦେଖିଲି ଜଣେ ଦିବ୍ୟାଙ୍ଗ ଭିକାରି ଟିଏ ଚିରାଫଟା ମୁଣୀରୁ ରେଜା ପଇସା ବାହାର କରି ବଡ ସରାଗରେ ଗଣୁଛି ଶେଷ ଭାଗରେ । ବଡ ଯତ୍ନରେ ଏକ ଟଙ୍କାକୁ ଗୋଟିଏ ଥାକ , ଦୁଇ ଟଙ୍କାକୁ ଅନ୍ୟ ଏକ ଥାକ ଓ ପାଞ୍ଚଟଙ୍କିଆର ଆଉ ଗୋଟେ ଥାକ କରୁଛି । ଶେଷରେ ସବୁକୁ ଗଣିକରି ବାଁ ପାଖ ଛାତି ପକେଟରେ ଥିବା ମଇଳା ଟିପା ଖାତାରେ ତାରିଖ ଦେଇ ଟିପି ରଖୁଛି ।
ମୁଁ ଏଭଳି ଏକ ନୂତନ ନବୀନ ଦୃଶ୍ୟକୁ ଦେଖି ତନ୍ଦ୍ରାବିଧୌତ ବେଳାରେ ନିଜକୁ ଆଉ ବେଶୀ ସମୟ ମୋନବ୍ରତଧାରୀ ରଖିପାରିଲି ନାହିଁ ।
ଭାଇ ! କ'ଣ କରୁଛ ? ପଚାରିଦେଲି ।
"ମଣିଷ ଗଣୁଛି "- ତଳକୁ ମୁଁହ କରି ବେଶ ନିରିମାଖି ସରଳ ସାବଲୀଳ ଭାବରେ ଦିବ୍ୟାଙ୍ଗ ଭିକାରୀଟି କହିପକେଇଲା ।
" ବୁଝି ହେଲାନି ଭାଇ ! ତୁମେ ତ କଞ୍ଚା ପଇସା ଗଣୁଛ, କିନ୍ତୁ କହୁଛ ମଣିଷ ଗଣୁଛି ?" – ସନ୍ଧାନୀ ଜାସୁସ ଭଳି ପଚାରିଦେଲି ।
ଏଥର ବକଟେ ଲାଗୁଥିବା ପିଲାଟି ବଗ ଭଳିଆ ଈଷତ୍ ଲଂବା ବେକକୁ ଉଠେଇଲା ଏବଂ ସ୍ମିତ ହାସ୍ୟରେ ତାର ଈଷତ ପାଉଁଶିଆ ମୁଖମଣ୍ଡଳଟା ଯେମିତି ଦୀପାବଳିର ଆଲୋକମାଳା ପରି ଝଲସି ଉଠିଲା ।
ବାପା ମା' ଜାଣି ନ ଥିବା ଅନାଥ,ଘର ନଥିବା ଦୁଇ ଗୋଡ ହରା ଚକ ଲଗା କାଠ ପଟା ଉପରେ ଜଣେ ୧୮ -୨୦ ବର୍ଷର ଦିବ୍ୟାଙ୍ଗ ପିଲାଟିଏ । ଟ୍ରେନ ତା'ର ଜନକ – ଜନନୀ , ତା'ର ଘର ତାର ଜୀବନ ଆଉ ଦୁନିଆ ।
ଛୋଟ ଥିବାବେଳେ ସେ ହାତ ପତେଇ ପଇସା ମାଗୁଥିଲା । ଧୀରେ ଧୀରେ ସେ ପଇସା ମାଗିବା ବନ୍ଦ କରିଦେଲା ।ଝାଡୁ ଧରି କମ୍ପାର୍ଟମ୍ୟାଣ୍ଟର ଅଳିଆ ସଫା କରେ ଆଉ କେବେ ପଇସା ମାଗେନା । ଯିଏ ଯାହା ଖୁସିରେ ଦୟାପରବଶ ହୋଇ ଦିଏ , ଖୁସି ଖୁସି ନେଇଯାଏ । ଯାତ୍ରା ଶେଷରେ ସେ ପଇସା ଗଣୁଥାଏ ଓ ସେହି ମାନବିକତାର ଗୁଣରେ ଗୁଣୀ ମଣିଷମାନଙ୍କୁ ଟିପି-ଲେଖି ରଖୁଥାଏ ।
ଆମର ଜନ୍ମ ମଣିଷ ଓ ମୃତ୍ୟୁ ମଧ୍ୟ ମଣିଷ । କୃଷକ , ସୈନିକ , ଡାକ୍ତର , ଇଞ୍ଜିନିୟର , ମାଷ୍ଟର ଇତ୍ୟାଦି କେହି ମା' ପେଟରୁ ଜନ୍ମ ହେଇ ହୋଇନଥାଏ । ମରିବା ସମୟରେ , ଜୁଇରେ ଶୋଇବା ସମୟରେ ବି ସେ କଥା କେହି ପଚାରେନା ? ତେଣୁ ଆମର ଆରମ୍ଭ ଓ ଶେଷ , ଆମର ପ୍ରଥମ ଓ ଅନ୍ତିମ ସେହି ମଣିଷ । ତେଣୁ ସେହି ମଣିଷ ମାନଙ୍କୁ ଗଣୁଥିଲି ।
ଉତ୍ତର ଶୁଣି ଅବାକ ହେବା ବଦଳରେ ମୁଁ ଭାବୁଥିଲି ମୁଁ ନିଜେ କ'ଣ ସେହି ଗଣାର ମଣିଷ ? ପାଦ ଆପେ ଆପେ ଖୋଜୁଥିଲା ଗନ୍ତ୍ୟବ ପଥ ।