Dr Subas Chandra Rout

Inspirational

3  

Dr Subas Chandra Rout

Inspirational

ମନିର ସ୍ନେହ

ମନିର ସ୍ନେହ

6 mins
612


ମୋ ଘରେ ଆମେ ତିନି ଜଣ ସଦସ୍ୟ ଥିଲୁ; ମୁଁ, ମୋର ଧର୍ମପତ୍ନୀ ଓ ଏକ ବର୍ଷ ବୟସର ପୁଅ । ଦିନେ ଆଉ ଜଣକୁ ମୁଁ ନୂତନ ସଭ୍ୟ କରିବାକୁ ବଜାଜ ସ୍କୁଟରର ହ୍ୟାଣ୍ଡଲ ପାଖ ଡୋଲିରେ ବସେଇ ଡ୍ରାଇଭକରି ପ୍ରଥମ ଥର ପାଇଁ ଘରକୁ ନେଉଥାଏ । ମୋ ପତ୍ନୀଙ୍କ ବିଶେଷ ଅନୁରୋଧରେ ସେହି ନୂତନ ଆଗନ୍ତୁକକୁ ମୁଁ ସ୍ଵାଗତ କରି ତାର ମାଆ ଓ ତିନି ଭାଇ ଭଉଣୀଙ୍କଠାରୁ ବିଚ୍ଛେଦ କରି ନେଉଥିଲି । ସେହି ଆଗନ୍ତୁକର ବୟସ ୧୦ ଦିନ ମାତ୍ର ହୋଇଥିଲା । ଆଖି ଖୋଲା ଥିଲା । ଜୁଳୁ ଜୁଳୁ କରି ମୋତେ ଅନଉଥିଲା । ସେହି ନିରୀହ, ନିଷ୍ପାପ ଚାହାଣିର କିମିଆରେ ଯେ କୌଣସି ମଣିଷ ପ୍ରେମାସ୍ପଦ ଓ ମୋହଗ୍ରସ୍ତ ହୋଇଯିବ । ତା ଦେହର ରଙ୍ଗ କଳା ଓ ଧଳାର ମିଶ୍ରଣ ଥିଲା । ଗୋଟିଏ ଆଖି ଓ ସନ୍ନିହିତ ସ୍ଥାନ କଳା ଦେଖାଯାଉଥିଲା ଓ ମୁଣ୍ଡର ଅନ୍ୟ ସ୍ଥାନ ଧଳା ଦେଖାଯାଉଥିଲା । ଦେହର କିଛି ଅଂଶ କଳା ଓ କିଛି ଅଂଶ ଧଳା ଥିଲା ।   


     ଘରେ ପହଞ୍ଚିବା ମାତ୍ରେ ଘରଣୀ ତାକୁ ଦେଖିବାକୁ ଦୌଡ଼ି ଆସିଲେ । ପଚାରିଲେ, “କଅଣ ଆଣିଛ ?” କହିଲି, “କେବଳ ଗୋଟିଏ ମାଈ କୁକୁର ଥିଲା । ଆଉ ତାର ଭାଇ ଭଉଣୀମାନଙ୍କୁ ଅନ୍ୟଲୋକମାନେ ନେବାକୁ ବଇନା ଦେଇସାରିଥିଲେ ।” ପତ୍ନୀ ତାକୁ ଟେକିନେଇ ଛାତିରେ ଜାକି ଧରିଲେ । କହିଲେ, “କି ସୁନ୍ଦର ହେଇଛି !” ତାକୁ ଆଉଁସି ପକେଇଲେ । ଦୁହେଁ ଦୁହିଙ୍କୁ ଅନେଇ ଚିହ୍ନା ପରିଚୟ ହେଉଥିଲେ । ମୋର ପତ୍ନୀ ଅତ୍ୟଧିକ କୁକୁର ପ୍ରେମୀ ଥିଲେ, କିନ୍ତୁ ମୁଁ ସେଭଳି ନଥିଲି । ବିବାହ ପୂର୍ବରୁ ତାଙ୍କ ଘରେ ମାଈ ଅଣ୍ଡିରା ମିଶେଇ ଚାରୋଟି କୁକୁର ଥିଲେ । ସୁତରାଂ ସେ ବିବାହ କରି ମୋ ଗୃହରେ ପ୍ରବେଶ କରିବା ପରେ ଯେ କୌଣସି ଗୋଟିଏ ମାଈ ବା ଅଣ୍ଡିରା କୁକୁର ଆଣିବାକୁ ବରାଦ କଲେ । ପତ୍ନୀର ପ୍ରଥମ ଦାବୀକୁ ଅସ୍ଵୀକାର କରିବାର ଧୃଷ୍ଟତା ମୋର ନଥିଲା ।


           ସଙ୍ଗେ ସଙ୍ଗେ ତା’ର ‘ମନି’ ନାମକରଣ କରାଗଲା । ମନି, ମନି କହିବାରୁ ସେ ଆମ ଆଡ଼କୁ ଅନେଇଲା, ଯେମିତି ମଣିଷ ଛୁଆକୁ ପ୍ରଥମେ ନାଁ ଧରି ଡାକିଲେ ଅନାଏ । ତା ପାଇଁ ଗୋଟିଏ କ୍ଷୀର ବୋତଲ ଯୋଗାଡ଼ ହୋଇଥାଏ । କ୍ଷୀର ଭର୍ତ୍ତି ବୋତଲଟି ପାଟିରେ ପୁରେଇଲା ମାତ୍ରେ ଚଁ ଚଁ ଶବ୍ଦ କରି ସେ ପିଇବାକୁ ଲାଗିଲା । ପତ୍ନୀ ସହିତ ମୋତେ ବି ବହୁତ ଭଲ ଲାଗିଲା । ମୋ ଟିକି ପୁଅଟି ବି ତାକୁ ଆଉଁସିବାକୁ ଲାଗିଲା । ଘରେ ସମସ୍ତଙ୍କର ଗୋଟିଏ ନୂତନ ବାତ୍ସଲ୍ୟ ମମତାର ଉଦ୍ରେକ ହେଲା ।  

  

         ମୁଁ କିନ୍ତୁ ଏହା ପୂର୍ବରୁ କେବେ ବି କୁକୁର ପ୍ରେମୀ ନଥିଲି । ତାଙ୍କୁ ଘରେ ରଖିଲେ ତାଙ୍କ ରୁମ ଘର ସାରା ପଡ଼େ । ମଳ ମୂତ୍ର ତ୍ୟାଗର କୌଣସି ସ୍ଥାନ କାଳ ନଥାଏ । ଖାଇ ସାରିଲା ମାତ୍ରେ ସେମାନଙ୍କୁ ଘର ବାହାରକୁ ନେଇ ମଳ ତ୍ୟାଗ ନ କରେଇଲେ ଘରେ ନିଶ୍ଚୟ ତ୍ୟାଗ କରନ୍ତି । ନୂଆ ଗାଡ଼ି ଦେଖିଲେ ଗୋଟିଏ ପଛ ଗୋଡ଼ ଟେକି ଗାଡ଼ି ଉପରେ ମୂତ୍ର ତ୍ୟାଗ କରିବା ନିଶ୍ଚିତ । ତା ଛଡ଼ା ରାତି ଅଧରେ ଭୁକିଲେ ଘରର ତଥା ପଡ଼ୋଶୀଙ୍କର ନିଦ ଖରାପ କରିବା ସହ ସେମାନଙ୍କ ଭଦ୍ର କଟୁବାଣୀ ଶୁଣିବା ସମ୍ଭାବନା ଅଧିକ ଥାଏ । ଏ ସବୁ ବ୍ୟତୀତ ଜଳାତଙ୍କ ରୋଗ ଭୟ ସର୍ବଦା ରହେ । ସେମାନଙ୍କର ରୋଗ ହେଲେ ଚିକିତ୍ସା ପାଇଁ ଓ ଜଳାତଙ୍କ ଟିକା ଦେବା ପାଇଁ ଭେଟେରୀନାରି ଡାକ୍ତରଙ୍କ ପାଖକୁ ଯିବାକୁ ହୁଏ । ଏହି ସବୁ କାରଣରୁ ମୁଁ କୁକୁର ରଖିବାକୁ ନାପସନ୍ଦ କରେ ।

  

         ଏ ପର୍ଯ୍ୟନ୍ତ ମୋ ଚକ୍ଷୁରେ କେବଳ ସେମାନଙ୍କର ଖରାପ ଦିଗଟି ଦେଖାଯାଇଥିଲା, କିନ୍ତୁ ପୃଥିବୀର କୋଟି କୋଟି ଲୋକ ତାଙ୍କୁ ରଖିବାର କାରଣ ବିଷୟରେ କେବେ ଭାବି ନଥିଲି । ଏହିଭଳି ଗୋଟିଏ ଜୀବର ଭଲ ଦିଗପ୍ରତି ମୁଁ କେବେ ଧ୍ୟାନ ଦେଇନଥିଲି । ଆଶ୍ଚର୍ଯ୍ୟର କଥା, ମନି ଘରକୁ ଆସିବା ପରେ ମୋର ସେ ଦୃଷ୍ଟିକୋଣ ଧୀରେ ଧୀରେ ସଂପୂର୍ଣ୍ଣ ବଦଳି ଗଲା ଓ ଏକ ନୂତନ ସ୍ନେହାତୁର ଦୃଷ୍ଟିରେ ସେମାନଙ୍କୁ ଦେଖିବାକୁ ଲାଗିଲି ।  

            

           ମନିକୁ ଆଣିବା ପରେ ଆଶ୍ଚର୍ଯ୍ୟ ଜନକ ଭାବରେ ମୋର ହୃଦୟର ପରିବର୍ତ୍ତନ ହୋଇଗଲା ଯାହା କେବେ ସମ୍ଭବ ହୋଇପାରେ ବୋଲି ମୁଁ ଭାବି ନଥିଲି । ମୁଁ ଅଫିସକୁ ଯିବା ସମୟରେ ସେ ଦୁଃଖପୂର୍ଣ୍ଣ ନୟନରେ ତା’ର ଦୃଷ୍ଟି ବାହାରକୁ ଯିବା ପର୍ଯ୍ୟନ୍ତ ମୋତେ ଅନେଇ ରହେ । ଅଫିସରୁ ଫେରି ଘରେ ପାଦ ଦେବା ସଙ୍ଗେ ସଙ୍ଗେ ସେ ଦୌଡ଼ି ଆସି ଲାଙ୍ଗୁଡ଼ ହଲାଏ ଓ ମୋ ପାଦ ଚାଟିବାକୁ ଲାଗେ । ମୋ ଚାରି ପାଖରେ ଘିରି ଘିରି ହୋଇ ବୁଲେ । ମୁଁ ଖାଇ ବସିଲେ ସେ ପାଖକୁ ଆସି ମୋ ଖାଦ୍ୟରୁ ଭାଗ ପକାଏ ଯଦିଓ ସେ ଆଗରୁ ଖାଇସାରିଥାଏ । 


           ଛୁଟି ଦିନମାନଙ୍କରେ ମୁଁ ଘରେ ରହେ । ଘର ବାରଣ୍ଡାରୁ ପାଞ୍ଚଟି ପାହାଚ ତଳକୁ ଯାଇଥାଏ । ବାରଣ୍ଡା ଉପରେ ବସି ତା ତଳେ ଥିବା ଦ୍ଵିତୀୟ ପାହାଚ ଉପରେ ପାଦ ରଖି ମୁଁ ବସେ । ଏହି ସମୟରେ ମନି ଆସି ମୋ କୋଳରେ ବସି ଗୋଟିଏ ଆଣ୍ଠୁ ଉପରେ ତାର ମୁଣ୍ଡ ରଖେ ଓ ଆଖି ବନ୍ଦ କରି ବିଶ୍ରାମ ନିଏ, ସତେ ଯେମିତି ମୋ ଛୁଆ ! ସେ କୋଳରେ ବସିଲେ ମୋ ଟିକି ପୁଅ ଆଖିରେ ଏକ ଅଜବ ଶତ୍ରୁତାପୂର୍ଣ୍ଣ ଦୃଷ୍ଟିଭଙ୍ଗି ଉଦ୍ରେକ ହୁଏ । ବୋଧହୁଏ ଭାବେ, ମୋ ବାପାଙ୍କ କୋଳରେ ବସିବାକୁ ଇଏ କିଏ ! ତା’ପରେ ସେ ଆସି ମନିକୁ ଠେଲିବାକୁ ଲାଗେ । ସେ ଠେଲା ପାଇବା କ୍ଷଣି ମନି ଆଖି ଖୋଲି ତାକୁ ଅନାଏ ଓ ମୋତେ ଲାଗେ ଯେମିତି କହୁଛି, “ଭାଇ କାହିଁକି ଗୋଳମାଳ କରୁଛ । ମୋତେ ଟିକିଏ ଗେହ୍ଲା ହେବାକୁ ଦିଅ ।" ମୋ ପୁଅ କିନ୍ତୁ ଛାଡ଼େନି । ତାକୁ ଥରକୁ ଥର ତାକୁ ପେଲିବାକୁ ଲାଗେ । ଅବଶେଷରେ ମନି ସେଠାରୁ ଉଠିଯାଇ ଦ୍ଵିତୀୟ ପାହାଚ ଉପରେ ଥିବା ମୋ ପାଦ ଉପରେ ତାର ମୁଣ୍ଡ ରଖି ଶୋଇଯାଏ । କୋଳର ରିକ୍ତ ସ୍ଥାନରେ ମୋ ପୁଅ ଆସି ବସିଯାଏ ଓ ବିଜୟ ଗର୍ବରେ ତା ମୁଖମଣ୍ଡଳ ଉଜ୍ଜ୍ଵଳ ଦେଖାଯାଏ, ଯେମିତି ଗୋଟିଏ ଗଡ଼ ଜୟ କରିଛି । କଥା ନ କହି ପାରୁଥିଲେ କଅଣ ହେଲା, ଭାବ ଭଙ୍ଗୀରେ ବହୁତ କଥା କହିପକାଏ ।

 

          ସେ ଦୁଇଜଣଙ୍କ ଭାବ ଭଙ୍ଗି ଦେଖି ଆମେ ପତି ପତ୍ନୀ ଦୁହେଁ ବହୁତ ଆହ୍ଲାଦିତ ହେଉ । ଆମକୁ ଲାଗେ ଯେମିତି ଆମର ଗୋଟିଏ ନୁହେଁ, ଦୁଇଟି ଛୁଆ । ଏମିତି ଆମ ସଂସାର ସୁଖେଦୁଃଖେ ଚାଲିଥାଏ । ଦିନକର କଥା, ସେ ପ୍ରବଳ ଭାବରେ ଭୁକିବାକୁ ଲାଗିଲା । ଯେତେ ‘ଚୁପ ରହ’ କହିଲେ ମଧ୍ୟ ଆଦୌ ଚୁପ ହେଲାନି । ଥରକୁ ଥର ସେ ଆମ ଭଣ୍ଡାର ଘରକୁ ଯାଉଥାଏ ଓ ସେଠାରୁ ଆସି ମୋ ପ୍ୟାଣ୍ଟକୁ ପାଟିରେ ଧରି ଟାଣୁଥାଏ । ଅବଶେଷରେ ଆମେ ଯାଇ ଭଣ୍ଡାର ଘରକୁ ତନ୍ନ ତନ୍ନ କରି ଦେଖିଲୁ । ସେଠାରେ ଥିବା ଗୋଟିଏ ଚକି ଚାରିପାଖରେ ଗୋଟିଏ ହଳଦିଆ ନାଗ ସାପ ଗୁଡ଼େଇ ହୋଇ ଶୋଇଥିବାର ଦେଖିଲୁ । ଭୟରେ ଆମ ଦେହ ଥରି ଉଠିଲା । ସ୍ନେକ ହେଲ୍ପ ଲାଇନର କର୍ମକର୍ତ୍ତାଙ୍କୁ ଡାକିବାରୁ ସେମାନେ ଆସି ନାଗରାଜଙ୍କୁ ଧରିନେଲେ । ଏ ଘଟଣା ପରଠାରୁ ସେ ଆମ ଘରେ ଏକ ପ୍ରାଣୀ ଭାବରେ ନ ରହି ଧୀରେ ଧୀରେ ଏକ ଅନ୍ତରଙ୍ଗ ଓ ସ୍ନେହାସ୍ପଦ ସଦସ୍ୟ ହୋଇଗଲା । ତାହା ଯୋଗୁ ଆମେ ସମ୍ଭାବ୍ୟ ମୃତ୍ୟୁରୁ ରକ୍ଷା ପାଇଲୁ ।


           ପ୍ରାୟ ଦୁଇ ବର୍ଷ ରହିବା ପରେ ହଠାତ ଦିନେ ସେ କିଛି ଖାଇଲାନି । ମୁଁ ପଶୁ ଡାକ୍ତରଙ୍କୁ ଡାକିଆଣି ଦେଖେଇଲି । ଅନେକ ଔଷଧ ସେ ଲେଖିଦେଲେ । କିନ୍ତୁ ତାହାର ଅବସ୍ଥାରେ କୌଣସି ଉନ୍ନତି ହେଲାନି । ଆଉ ଦୁଇ ଦିନ ଅତିକ୍ରାନ୍ତ ହୋଇଗଲା । ତା’ପର ଦିନ ମୁଁ ଅଫିସରୁ ଫେରିବା ସଙ୍ଗେ ସଙ୍ଗେ ତାର ଅବସ୍ଥା ଅତି ଖରାପ ଥିବା କଥା ପତ୍ନୀ ମୋତେ ଜଣେଇଲେ । ପଶୁ ଡାକ୍ତର ଡକା ହୋଇ ଆସିଲେ ଓ ଆମେ ଦେଖୁ ଦେଖୁ ତା’ର ଆଖି ବୁଜିହୋଇଗଲା । ଡାକ୍ତର ତା’ର ମୃତ୍ୟୁ ହୋଇଥିବା କଥା ନିଶ୍ଚିତ କରି କହିଲେ । ତା’ପରେ ମୋର ଏକ ଅବର୍ଣ୍ଣନୀୟ ଅନୁଭୂତି ପ୍ରାପ୍ତ ହୋଇଥିଲା ।


           ତାର ମୃତ ଶରୀର ଦେଖିବା ପରେ ମୁଁ ବାକ୍‌ଶକ୍ତି ବିହୀନ ଓ ପଲକଶୂନ୍ୟ ହୋଇ ଠିଆହୋଇ ରହିଲି, ଯେମିତି ମୋ ଦେହ ହଠାତ୍ ଓଜନ ଶୂନ୍ୟ ହୋଇ ହାଲୁକା ହୋଇଯାଇଛି । ନିର୍ନିମେଷ ନୟନରେ ସେ ଚଳତ୍‌ଶକ୍ତିହୀନ ପ୍ରାଣୀକୁ ମୁଁ ଅନେଇ ରହିଥାଏ । ମୋତେ ଅନୁଭବ ହେଲା, ଯେମିତି ମୋର ଛାତି ଭିତରେ ହୃତପିଣ୍ଡକୁ କିଏ ଚିପି ଦେଉଛି । ମୋ ହୃତପିଣ୍ଡ ପ୍ରତିଟି ସ୍ପନ୍ଦନରେ ବାମ ଛାତିର ମଧ୍ୟ ଭାଗରୁ ଆସି ଜୋରରେ ସାମନା ଛାତିର ପଞ୍ଜରାରେ ବାଡ଼େଇ ହୋଇଯାଉଥିଲା । ଛାତିକୁ ଧରି ମୁଁ ଅବଶ ଭାବରେ ବସିପଡ଼ିଲି । ଦୁଇ ଚକ୍ଷୁରୁ ଅଶ୍ରୁ ଅବିରତ ଭାବରେ ବୋହି ଚାଲିଥିଲା । 

           ମୁଁ ଭାବୁଥାଏ, ଏ କଅଣ ! ଗୋଟିଏ ପୋଷା କୁତ୍ତୀ ମରିଗଲାରୁ ମୁଁ କାନ୍ଦୁଛି କାହିଁକି ! ବୋଧହୁଏ ତାର ଅଦମ୍ୟ, ଅକାତର ଓ ପ୍ରାଣସ୍ପର୍ଶୀ ସ୍ନେହ ଯୋଗୁ ଏହି ପରିଣତି ହୋଇଥିଲା । ତା’ର ଅନନ୍ୟ ପ୍ରେମ ମୋ ମନ ମଧ୍ୟରେ ହୁଏତ ବସା ବାନ୍ଧି ରହିଯାଇଥିଲା ବା ହୃତପିଣ୍ଡର ଗୋଟିଏ କୋଠରୀକୁ ମୋ ଅଜାଣତରେ ଦଖଲ କରି ରହିଥିଲା । ଭାବିଲି, ଏହି କାରଣରୁ ବୋଧହୁଏ ନିଜ ପ୍ରିୟଜନଙ୍କ ମୃତ୍ୟୁ ହେଲେ ହୃତପିଣ୍ଡ ବନ୍ଦ (ହାର୍ଟ ଆଟାକ) ହୋଇଯାଏ । ଏହା ମୋ ପ୍ରତି ତାର ଅପୂର୍ବ ଓ ଦୁର୍ବାର ସ୍ନେହ ପ୍ରଦର୍ଶନର ଫଳ ଥିଲା । ହଠାତ୍ ମୋର ଗୋଟିଏ ପୁରୁଣା କଥା ମନେ ପଡ଼ିଗଲା ।


           ମୁଁ ନୂଆ ନୂଆ କଲେଜରେ ପଢ଼ିଲା ବେଳେ ଏକ ସୁବିଖ୍ୟାତ ଇଂରାଜୀ ପତ୍ରିକାରେ ଗୋଟିଏ ଗୃହପାଳିତ କୁକୁର ବିଷୟ ପଢ଼ିଥିଲି । ତାର ମୁନିବ ବିଶଦ ଭାବରେ ତା'ର ବର୍ଣ୍ଣନା କରିଥିଲେ । ତାର ମୃତ୍ୟୁ ହେବା ପରେ ସେ ବିକଳ ହୋଇ କିପରି କ୍ରନ୍ଦନ କରିଥିଲେ, ସେ କଥା ଲେଖିଥିଲେ । ସେଇ କାହାଣୀଟି ପଢ଼ିସାରି ମୋତେ ବିଚିତ୍ର ଲାଗିଥିଲା । ମୁଁ ଭାବିଲି, ଗୋଟେ ଛାର୍ କୁକୁର ମରିଗଲେ ମୁନିବ କାନ୍ଦୁଛି କାହିଁକି ? ପରିବାରଠାରୁ ଦୂର ବିଦେଶରେ ଥିବା ମଣିଷ ନିଜର ବାପା ମାଆ ମରିଗଲେ ବି ନ କାନ୍ଦିବାର ନଜିର ଅଛି । ସେ ଲୋକର ହୃଦୟ ବୋଧହୁଏ ଅତି କୋମଳ । ସଂସାରରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି । କାହାର ହୃଦୟ ଅତି କଠୋର ତ ଆଉ କାହାର ଅତି ନରମ । ପାଞ୍ଚ ଅଙ୍ଗୁଳି ତ ସମାନ ନୁହେଁ । ସନ୍ତାନ ସନ୍ତତି ପ୍ରତି କେବଳ ମାଆର ହୃଦୟ ଅତି ସଂବେଦନଶୀଳ ଥାଏ । ଜନ୍ମ ହେବା ସଙ୍ଗେ ସଙ୍ଗେ ମୃତ୍ୟୁ ବରଣ କରିଥିବା ପିଲାକୁ ମନେ ପକେଇ ଅନେକ ବର୍ଷ ପର୍ଯ୍ୟନ୍ତ ମାଆମାନେ କାନ୍ଦିବାର ଦେଖାଯାଏ । କିନ୍ତୁ ଅବିବେକୀ କ୍ରୂର ବଡ଼ ଭାଇ ନିଜ ସାନ ଭାଇର ଖାଦ୍ୟ ଛଡ଼େଇ ଖାଇଯିବାର ବି ଦେଖାଯାଏ । ସେ ବ୍ୟକ୍ତିଙ୍କର କାନ୍ଦିବାର କାରଣ ଏବେ ମୁଁ ଅନୁଭବ କରୁଛି । ମୁଁ ବଡ଼ ପାଟିରେ କାନ୍ଦି ନଥିଲି କିନ୍ତୁ ମୋର ମାନସିକ ଯନ୍ତ୍ରଣା ଅପର୍ଯ୍ୟାପ୍ତ ଅଶ୍ରୁ ଭାବରେ ଚକ୍ଷୁରୁ ନିର୍ଗତ ହୋଇଥିଲା ।     


କୁକୁର ଗୋଟିଏ ପ୍ରାଣୀ, କିନ୍ତୁ ଅତୀବ ସ୍ନେହର ଖଣି ଓ ମମତାର ଗୋଟିଏ ଜୀବନ୍ତ ପ୍ରତିମୂର୍ତ୍ତି । ତା'ଠାରୁ ନିମକସଚ୍ଚା, ଅଯାଚିତ ସ୍ନେହୀ ଓ ବିଶ୍ଵାସ ଭାଜନ ସାଥି ପୃଥିବୀରେ ବିରଳ । ଥରେ ଖାଇଥିଲେ ନିଜର ପ୍ରାଣ ଦେଇ ସେ ମୁନିବ ଓ ତା'ର ପରିବାରକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରେ । ମୁନିବକୁ ଦେଖିଲେ ଆଜୀବନ ଲାଙ୍ଗୁଡ଼ ହଲାଏ । ମଣିଷ ଯେତେ ଖାଇଥିଲେ ମଧ୍ୟ ସମୟକ୍ରମେ ସ୍ଵାର୍ଥର ତାଡ଼ନାରେ ସବୁ ଭୁଲିଯାଏ । ମନିର ମୃତ୍ୟୁ ପରଠାରୁ ବହୁତ ବର୍ଷ ବିତିଗଲାଣି, ହେଲେ ସେ ସ୍ଵର୍ଗୀୟ ସ୍ନେହ ମୋ ଆତ୍ମାରେ ବାସ କରି ଅମର ହୋଇ ରହିଛି ଓ ମୋର ମୃତ୍ୟୁ ପର୍ଯ୍ୟନ୍ତ ରହିଥିବ ।



Rate this content
Log in

Similar oriya story from Inspirational