Sachidananda Kar

Romance

3  

Sachidananda Kar

Romance

ମନେମନେ

ମନେମନେ

3 mins
235



              କୋଉଠି ନା କୋଉଠି ମୋ ପାଇଁ ଝିଅଟିଏ ଅଛି।


              ମୋ ଗାଆଁରେ, ଦୂର ଅଜଣା ଗାଆଁରେ କିମ୍ବା ସହରରେ - କୋଉଠି ନା କୋଉଠି ନିଶ୍ଚୟ ଅଛି ସେ।


              ଏବେ ସବୁଦିନେ ଗୋଟେ ଝିଅର ଦେହର ମିଠା ମିଠା ବାସ୍ନା ମୋ ନାକ ପଯ୍ୟନ୍ତ ଭାସି ଆସୁଛି।ବେଶ୍ ଆଘ୍ରାଣ କରି ପାରୁଛି ମୁଁ ସେଇ ବାସ୍ନା।ଭାବୁଛି ଇଏ ବୋଧହୁଏ ସେଇ ଝିଅର ଦେହର ବାସ୍ନା ଯିଏ ମୋ ପାଇଁ ଅଛି।


              ସୁନ୍ଦର ଆଖି ଓ ଓଠ ଥିବା ଗୋଟେ ଝିଅର ମୁହଁ ମୋତେ ଦିଶିଯାଉଛି ସବୁ ସମୟରେ।ଦିଶିଯାଉଛି ମୋତେ ତା'ର ମଧୁର, ମନଜିଣା ହସ।ମୁଁ ଭାବୁଛି ଇଏ ବୋଧହୁଏ ସେଇ ଝିଅର ଯିଏ ମୋ ପାଇଁ ଅଛି।


              ବେଳେବେଳେ ଗୋଟେ ସୁନ୍ଦର ଝିଅ ହସି ହସି ମୋତେ କେତେ କଥା କହି ଦେଲା ଭଳି ଲାଗୁଛି।ଏଇଟା କର,ସେଇଟା କରନା - ଏମିତି କହିଦେଉଛି।ରାଗୁଛି,ରୁଷୁଛି,ଅଭିମାନ କରୁଛି।ଅଭିସାରିକା ସାଜୁଛି।ମୁଁ ଭାବଛି ଇଏ ବୋଧହୁଏ ସେଇ ଝିଅ ଯିଏ ମୋ ପାଇଁ ଅଛି।


              କିଛି ଖାଇଲା ପିଇଲାବେଳେ ମୋ ତଣ୍ଟିରେ ଲାଗିଯାଉଛି।ତତେ କିଏ ମନେ ପକାଉଛି - ମୋ ମାଆ ମୋତେ କହୁଛନ୍ତି ସେତେବେଳେ।ମୋତେ ହସ ମାଡୁଛି।ସତ କଥା।ଏଠି କିଏ ଅଛି ଆଉ ମନେ ପକାଇବ ମୋତେ !ମୁଁ ଭାବୁଛି ଇଏ ବୋଧହୁଏ ସେଇ ଝିଅ ଯିଏ ମୋ ପାଇଁ ଅଛି।ମୋତେ ମନେ ପକାଉଛି।


              ବେଳେବେଳେ ମୋର ମନ ଚାହୁଁଛି ଗୋଟିଏ ଝିଅ ପାଖରେ ବସିବାକୁ।ତା' ପାଖରେ ବସି ଗପିବାକୁ,ତାକୁ ଆଖି ପୂରେଇ ଦେଖିବାକୁ ଓ ତା'ର ଭଲମନ୍ଦ ବୁଝିବାକୁ ମଧ୍ୟ ମୋର ମନ ଚାହୁଁଛି।ମୁଁ ଖୋଜୁଛି ଏଣେ ତେଣେ।ଯେଉଁ ଝିଅଟି ମୋ ଆଖି ସାମ୍ନାକୁ ଆସୁଛି, ତା' ଭିତରେ ମୁଁ ଖୋଜୁଛି ସେଇ ଝିଅକୁ।କିଛି ସମୟ ପାଇଁ କୁଆଡ଼େ ହଜିଯାଉଛି।ମୁଁ ଭାବୁଛି ଇଏ ବୋଧହୁଏ ସେଇ ଝିଅ ଯିଏ ମୋ ପାଇଁ ଅଛି।


              ଭାବୁଛି ଆକାଶର ତାରାମାନେ ନିଶ୍ଚୟ ତାକୁ ଦେଖୁଥିବେ।ସୂର୍ଯ୍ୟ ଓ ଚନ୍ଦ୍ର ସେମାନଙ୍କ କିରଣରେ ଛୁଉଁଥିବେ ତାକୁ।ବର୍ଷା ତାକୁ ଗାଧେଇ ଦେଉଥିବ ତା'ର ଅସରା ଅସରା ପାଣିରେ।ପ୍ରଜାପତି ଉଡି ଯାଉ ଯାଉ କେବେ ବସି ପଡୁଥିବ ତା' କାନ୍ଧରେ।ଭାବୁଛି ପୁଣି ଇଏ ଆଉ କେହି ନୁହେଁ,ଇଏ ସେଇ ଝିଅ ଯିଏ ମୋ ପାଇଁ ଅଛି।


              ସେଇ ଝିଅକୁ ନେଇ ମୋ ଭିତରେ ଟିକେ ବି ଅବିଶ୍ୱାସ ନାହିଁ।କୋଉଠି ନା କୋଉଠି ସେ ଅଛି।ହୁଏ ତ ମୁଁ ତାକୁ ଦେଖିଥାଇପାରେ।ତା' ସହିତ କଥା ବି ହୋଇଥାଇପାରେ।ସେ କିନ୍ତୁ ଅଛି ନିଶ୍ଚୟ।ମୋ ମନ କହୁଛି ସେ ନିଶ୍ଚୟ ଦିନେ ନା ଦିନେ ମୋ ପାଖକୁ ଆସିବ।ମୋର ନିଜର ହେବ।ମୋ ପାଇଁ ତ ସେ ଅଛି।


              ଆମ ଘରର ସ୍କାଇଲାଇଟରେ ପାରା ଦୁଇଟି ଲଗାଲଗି ହୋଇ ବସିଥିବା ଦେଖିଲେ ମୋର ବେଶୀ ମନେପଡୁଛି ସେଇ ଝିଅ।ସେମାନେ ଯେତେବେଳେ ପରସ୍ପର ଖୁମ୍ପାଖୁମ୍ପି ହେଉଛନ୍ତି ମୋ ଦେହରେ ପୁଲକ ଖେଳିଯାଉଛି।ମୁଁ ତା' କଥା ଭାବୁଛି ଯିଏ ଏଇ ପୃଥିବୀରେ କୋଉଠି ନା କୋଉଠି ମୋ ପାଇଁ ଅଛି।


              ଖାସ୍ ତା'ରି ପାଇଁ ମୋ ଭିତରେ ଆବେଗ ବଢୁଛି।ଉନ୍ମାଦନା ବଢୁଛି।ଜୀବନ ପାଇଁ ଭାବିବାକୁ ଅନେକ ଖୋରାକ ମିଳିଯାଉଛି।ଭାବୁଛି ଜୀବନର ଅର୍ଥ ତ ଏକରୁ ଦୁଇ ହେବା।ଦୁଇରୁ ତିନି, ଚାରି ଇତ୍ୟାଦି।ଅନେକ ଅନେକ ଅକୁହା କଥା ମୋ ମନ ଭିତରେ ଖେଳୁଛି।ତେଣୁ ମୁଁ ଭାବୁଛି ମୋ ପାଇଁ ଝିଅଟିଏ ଅଛି ନିଶ୍ଚୟ।ନ ହେଲେ ଏତେ ସବୁ କଥା କାହିଁକି ହୁଅନ୍ତା ଯେ !


               ମୁଁ ତାକୁ ଏତେ ଭାବୁଛି, ସେ କ'ଣ ଭାବୁ ନ ଥିବ ମୋତେ ! ଲକ୍ଷ୍ୟ କରୁ ନ ଥିବ ମୋ ଗତିବିଧି ! ମୋତେ ପାଇବାକୁ ଡାକୁ ନ ଥିବ ଠାକୁରଙ୍କୁ !କହୁ ନ ଥିବ କୋଉଠି ନା କୋଉଠି ତା' ପାଇଁ ପୁଅଟିଏ ଅଛି ବୋଲି ! - ବେଳେବେଳେ ଏମିତି ଭାବନାରେ ହଜିଯାଉଛି ମୁଁ।


              ବୋଧହୁଏ ସେଇଥିପାଇଁ ମୋତେ କିଏ ଚେତେଇ ଦେଉଛି।ମୁଁ ଆଦୌ ପାପ କି ଭୁଲ୍ କରିବାକୁ ଚାହୁଁନାହିଁ।ମୋ ପାଇଁ ଝିଅଟିଏ କୋଉଠି ନା କୋଉଠି ଅଛି ଯେତେବେଳେ .......।


               ସେ ଯଦି ନ ଥାଆନ୍ତା ମୁଁ କାହିଁକି ନିଜକୁ ସଜାଡିବାକୁ ଚାହୁଁଥାନ୍ତି ଯେ ? କାହିଁକି ବଞ୍ଚିବାକୁ ଏତେ ଲୋଭ ଲାଗୁଥାନ୍ତା ?କାହିଁକି ପୁଣି ଏ ପୃଥିବୀଟା ଏତେ ସୁନ୍ଦର ମନେହୁଅନ୍ତା ?


               ଅତଏବ ମୁଁ ଏଇ ସିଦ୍ଧାନ୍ତରେ ପହଞ୍ଚୁଛି ଯେ ପୁଅଟିଏ ଥିଲେ ଝିଅଟିଏ ଥାଏ।ଝିଅଟିଏ ଥିଲେ ପୁଅଟିଏ ବି ଥାଏ।


               ଏଇ ଦୁଇ ହିଁ ସଂସାରର ଆଭିମୁଖ୍ୟ।ଏଇ ଦୁହିଙ୍କୁ ନେଇ ତ ଏଠି କାରୁକାର୍ଯ୍ୟର ଜୀବନ।ତେଣୁ ଏମିତି ଭାବିବା ମୋର ଆଦୌ ଭୁଲ୍ ନୁହେଁ ଯେ କୋଉଠି ନା କୋଉଠି ମୋ ପାଇଁ ଝିଅଟିଏ ଅଛି।ନା,ଆଦୌ ଭୁଲ୍ ନୁହେଁ।


Rate this content
Log in

Similar oriya story from Romance