Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Siba Prasad Bahinipati

Inspirational Drama


3  

Siba Prasad Bahinipati

Inspirational Drama


ମନ୍ଦିର ମସ୍‌ଜିଦ୍‌ ଚର୍ଚ୍ଚ୍‌ ଗୁରୁଦ୍ୱାର

ମନ୍ଦିର ମସ୍‌ଜିଦ୍‌ ଚର୍ଚ୍ଚ୍‌ ଗୁରୁଦ୍ୱାର

61 mins 553 61 mins 553


  ହଜାର ଘର ସମଷ୍ଟିରେ ମୁଣ୍ଡ ଟେକି ଛିଡ଼ା ହୋଇଛି ବହୁତ ବଡ଼ ଗାଁ ଓଡ୍ର । ବିଭିନ୍ନ ଜାତିର ଲୋକ ଏ ଗାଁରେ ବସତି ସ୍ଥାପନ କରିଛନ୍ତି । ବ୍ରାହ୍ମଣ,ବାରିକ,ତନ୍ତୀ, କଣ୍ଡରା, କେଉଟ, କୁମୁଟୀ, କୁମ୍ଭାର, କମାର, ତେଲୀ, ସଅର, ବାଉରୀ, ପାଣ, ଚମାର, ଗୁଡ଼ିଆ, ଖଣ୍ଡାୟତ ଆଦି ସବୁ ଜାତିର ଲୋକଙ୍କୁ ଏ ଗାଁରେ ଦେଖିବା ପାଇଁ ମିଳେ । ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଖ୍ରୀଷ୍ଟିୟାନ ସବୁ ଧର୍ମର ଲୋକ ଏଠାକାର ବାସିନ୍ଦା ବନିଛନ୍ତି । ସମସ୍ତଙ୍କ ଭିତରେ ସ୍ନେହ - ଶ୍ରଦ୍ଧା - ଭଲପାଇବା ବଣ୍ଟାବଣ୍ଟି , କାନ୍ଧକୁ କାନ୍ଧ ମିଳାଇ ଚଳନ୍ତି । ସବୁ ଗାଁ ପରି ଏହି ଗାଁରେ କେହି କଦାପି ହେଲେ ବି ବଡ଼ ଧରଣର କଳିଗୋଳକୁ ଉପଲବ୍ଧି କରିନାହାନ୍ତି । କେବେ ବି ଏ ଗାଁରେ ଏଯାଏଁ ଦଙ୍ଗା ସୃଷ୍ଟି ହୋଇନି । ହିଂସା,ଦ୍ବେଷ ଏଯାବତ୍‌ କାହା ପାଖରେ ପାଇ ପାରିନାହାନ୍ତି ଆଖପାଖ ଅଞ୍ଚଳର ବାସିନ୍ଦା । ସମସ୍ତେ ଏକ ମନ-ଏକ ପ୍ରୀଣ ହୋଇ ଚଳନ୍ତି । ଆଖପାଖ ଅଞ୍ଚଳର ବାସିନ୍ଦା ମାନଙ୍କ ପାଖରେ ଉଦାହରଣଟିଏ ହୋଇ ରହିଛି ଏହି ଗ୍ରାମ ଓଡ୍ର । ସମସ୍ତଙ୍କ ତୁଣ୍ଡରେ ଗୋଟି କଥା ଉଠେ - ସବୁଠୀରୁ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଗାଁ ହେଲା ଓଡ୍ର । ଏଭଳି ଭାଇଚାରାର ସମ୍ପର୍କରେ ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ । 


   ଏ ଗାଁରେ ଶତକଡ଼ା ସତସ୍ତରି ଭାଗ ଲୋକ ଥିଲାବାଲା ଓ ଅବଶିଷ୍ଟ ତେଇଶି ଭାଗ ଲୋକଙ୍କର ଆର୍ଥିକ ସ୍ବଚ୍ଛଳତା ଅନୁନ୍ନତ । ପ୍ରାୟ ସରକାରୀ ଚାକିରିଆ , କିଛି ବେପାର ବଣିଜ କରିବା ସହ ଚାଷବାସ ବି କରନ୍ତି । ସରକାରୀ ଚାକିରିଆମାନେଏ ବି ଚାଷବାସକୁ ଭୁଲି ନାହାନ୍ତି , ସଂକ୍ଷେପରେ କହିବାକୁ ଗଲେ ଚାଷ ହିଁ ପ୍ରଧାନ ବେଉସା ଏହି ଗ୍ରାମବାସୀନ୍ଦାଙ୍କର । ଧାନ, ବିରି, ଯଅ, ତିଳ, ଚିନାବାଦାମ, ମୁଗ ଆଦି ସହ ପନିପରିବା ଚାଷ ବି ବେସ୍‌ ଭଲ ରକମ ହୁଏ ଏ ଗାଁରେ । କେହି କେହି ଏଠି ଆଖୁଚାଷ ବି କରନ୍ତି । ସମସ୍ତଙ୍କ ବାଡ଼ି ମଧ୍ୟରେ ଚାଉଳିଆ, ସପଟା,କେନ୍ଦୁ, କମଳା ଆଦି ବୃକ୍ଷ ସହ ନଡ଼ିଆ ଗଛ ବି ରହିଥାଏ । ଗାଁକୁ ଗ୍ରାମୀଣ ବିଜୁ ସଡ଼କ ଯୋଜନାରେ ପକ୍କାରାସ୍ତା , ବିଜୁଳିବତୀର ସୁବିଧା ସାଙ୍ଗକୁ ପ୍ରାୟ ସମସ୍ତଙ୍କ ଘରେ ପାଇଖାନା ଏବଂ ପାଣିର ସୁବିଧା ରହିଛି । ସାତଖଣ୍ଡ ମୌଜାର ରୋଗୀ ଏ ଗାଁରେ ଥିବା ସରକାରୀ ହାସପାତାଳ ଉପରେ ନିର୍ଭରଶୀଳ ପ୍ରାୟ । ଗ୍ରାମ ମୁଣ୍ଡରେ ସୁନ୍ଦର ସବୁଜ ବନାନୀ ଘେର ଭିତରେ ଅଛି ଉଚ୍ଚ ପ୍ରାଥମିକ ନୋଡ଼ାଲ ବିଦ୍ଯାଳୟ ।


  ଏ ଗାଁର ପରିବେଶ ବହୁତ ରମଣୀୟ କାନ୍ତିଯୁକ୍ତ । ଦକ୍ଷୀଣ ଦିଗରେ ଝରି ଯାଉଛି ପ୍ରଭାସ ନଦୀର ଧାର । ନଦୀ ପାର୍ଶ୍ବରେ ସବୁଜିମା ଭରା ବୃକ୍ଷରାଜି ପରିବେଶକୁ ଆହୁରି ମଞୁଳ କରୁଛି । ଏ ଗାଁର ମଧ୍ୟଭାଗରେ ପୂଜା ପାଆନ୍ତି ବିଷ୍ଣୁଙ୍କର ଅବତାର ପଣ୍ଡୁରଙ୍ଗ । ପଣ୍ଡୁରଙ୍ଗଙ୍କ ମନ୍ଦିର ବେଢ଼ା ଭିତରେ ଭାଗବତ ଟୁଙ୍ଗି , ବର୍ଷକ ବାରମାସ ପ୍ରତ୍ଯହ ଉଷା-ପ୍ରଦୋଷରେ ପୁରାଣ ପଠନ କରାଯାଏ । ଏ ଗାଁର ବାସିନ୍ଦା ସକଳ ଭାରି ଇଶ୍ବର ବିଶ୍ବାସୀ ଅଟନ୍ତି । ପ୍ରତିବର୍ଷ ପଣ୍ଡୁ ଓଷାରେ ଏ ଗ୍ରାମରେ ଅପେରା ହୁଏ , ବାରମାସରେ ତେର ପର୍ବ ସମସ୍ତେ ମିଳିମିଶି ପାଳନ କରନ୍ତି । ପଣ୍ଡୁରଙ୍ଗଙ୍କ ମନ୍ଦିର ପାଖରେ ଅତି ଛୋଟ ସଙ୍କୀର୍ଣ୍ଣ ସ୍ଥାନରେ ଛୋଟ ଟିଣ ଛପର ଘରଟିଏ । ସେଇ ଘରେ ବିରାଜମାନ କରିଛନ୍ତି ଗ୍ରାମର ଇଷ୍ଟଦେବୀ ଗ୍ରାମଦେବତୀ । ଉତ୍ତର ଦିଗରେ ଅଛି ସ୍ବଚ୍ଛ କାଚକେନ୍ଦୁ ପରି ଛୋଟ ଚୁଆଟିଏ , ତା' ପାଖରେ ବିରାଟ ପଦ୍ମ ପୋଖରୀ ବି ଅଛି । ସେହି ଚୁଆରୁ ପାଣି କଦାପି ଶୁଖେନି ଏବଂ ସେ ଜଳର ସ୍ବାଦ ଗୁଡ଼ ଠାରୁ ବି ଆହୁରି ମିଠା ଲାଗେ । କିନ୍ତୁ ପୋଖରୀର ଜଳ ସାମାନ୍ୟ କ୍ଷାରୀ ରହେ । ଏଠାରେ ଥିବା ଚୁଆକୁ ନେଇ ଗୋଟିଏ ସୁନ୍ଦର ଲୋକକଥା ଜନମୁଖରୁ ଶୁଣିବା ପାଇଁ ମିଳେ । ବାସ୍ତବ ନା କଳ୍ପନା ସେ କଥା ଇଶ୍ବର ହିଁ ଜାଣନ୍ତି ।


 କାହିଁ କେତେକାଳର କଥା । ଏହି ଓଡ୍ର ଗ୍ରାମରେ ଜନେ ସାଧୁ ପୁରୁଷ ଥିଲେ । ତାଙ୍କ ନାମ ଥିଲା ଆଙ୍ଗିରସ । ଏହି ପଦ୍ମ ପୋଖରୀର ପଶ୍ଚିମ ପଟେ ଏକ ବିରାଟ ଢ଼ାଲୁ ଅଛି ପୋଖରୀ ଠାରୁ ଅନତି ଦୂରରେ । ସେ ଢ଼ାଲୁଟି ଘଞ୍ଚାରଣ୍ଯ ଥିଲା ସେତେବେଳେ । ଏବେ ସେ ଅରଣ୍ୟ ଆଉ ନାହିଁ , ବାତ୍ୟା ବିଭୀଷିକାରେ ବାରମ୍ୱାର ଆଘାତ ପ୍ରାପ୍ତ କରି ବୃକ୍ଷ ସବୁ ବିନିଷ୍ଟ ହୋଇଗଲାଣି । ଏ ଅଞ୍ଚଳର ଲୋକମାନେ ନିଜ ଆବଶ୍ଯକତା ମେଣ୍ଟାଇବାକୁ ଗଛ ସବୁ ହଣାହଣି କରି ନେଇ ସମ୍ପୂର୍ଣ୍ଣ ଟାଙ୍ଗରା ଭୂଇଁ କରି ସାରିଲେଣି ସେ ସ୍ଥାନଟିକୁ । ସେହି ସବୁଜ ବନାନୀ ଭିତରେ ପର୍ଣ୍ଣ କୁଟୀରଟିଏ କରି ବାସ କରୁଥିଲେ ଜଣେ ସାଧୁ ପୁରୁଷ ଆଙ୍ଗିରସ ଏବଂ ତାଙ୍କର ଶିଷ୍ଯ କୁରାଳସେନ । ଆଙ୍ଗିରସ ଥିଲେ ଜଣେ ମହାନ ତପସ୍ବୀ ଏବଂ ତାଙ୍କ ତପ ସାଧନାର ସ୍ଥଳ ଥିଲା ସେହି ଢ଼ାଲୁରେ ଥିବା ଏକ ସୀତାଫଳ ବୃକ୍ଷ । ସେହି ବୃକ୍ଷ ମୂଳରେ ଗଛର ବକ୍କଳ ପକାଇ ତା'ରି ଉପରେ ବସି ଜପ-ତପ କରନ୍ତି ଆଙ୍ଗିରସ । ସବୁ ଗଛ ସିନା ବିନିଷ୍ଟ ହୋଇ ଯାଇଛି ହେଲେ ସୀତାଫଳ ବୃକ୍ଷଟି ଏବେ ବି ସେ ସ୍ଥାନରେ ଅଚଳ-ଅଟଳ ଅବସ୍ଥାରେ ମଥା ଟେକି ଛିଡ଼ା ହୋଇଛି । କେତେ ବନ୍ଯା-ବାତ୍ଯା-ମରୁଡ଼ିର ସମ୍ମୁଖୀନ ହୋଇଛି , ଭାଙ୍ଗି ପଡ଼ିନି ସେ ବୃକ୍ଷ । ବୃକ୍ଷଟି ଯେଡ଼ିକି ସେଡ଼ିକି , ବଢ଼ୁନି କି କମୁନି । ସେଥିରେ ଏଯାବତ୍‌ ଫଳ ବି ଧରୁନି । ଦୁଇ ମଣିଷ ଉଚ୍ଚର ଗଛଟିଏ । 


   ଜନଶୃତିରୁ ଜଣାଯାଏ ଯେ, ଆଙ୍ଗିରସଙ୍କ ତପରେ ତୃପ୍ତ ହୋଇ ଦେବୀ ଦୁର୍ଗା ତାଙ୍କୁ ଅମ୍ବାଳିକା ରୂପରେ ଦର୍ଶନ ଦେଇ ବର ପ୍ରଦାନ କରିଥିଲେ କି ସେ ଭବିଷ୍ଯତକୁ ସ୍ବଚକ୍ଷୁରେ ଦେଖି ପାରିବେ । ଏବେ ବି ସେ ଗଛ ମୂଳରେ ପୂଜା ପାଉଛନ୍ତି ମା' ଅମ୍ବିକା । ପାଖ ଗାଁର ଜଣେ ମହାଜନ ସେଠି ଛୋଟ ମନ୍ଦିରଟିଏ କରି ଦେଇଛି । ସେ ଗାଁର ଦାମୋଦର ଦାଶ ସେ ମନ୍ଦିରର ପୂଜକ । କାହିଁ କେତେ ଆଡ଼ୁ ତାଙ୍କ ପାଖକୁ ଲୋକ ଆସନ୍ତି ନିଜର ଭବିଷ୍ଯ ଡାଣିବାକୁ , ବାବା ଆଙ୍ଗିରସ ସମସ୍ତଙ୍କ ଆଗତ ଭବିଷ୍ଯ ଭଣତି କରନ୍ତି । ବାବା ଆଙ୍ଗିରସଙ୍କର କଥା କେହି କେବେ ମିଥ୍ୟା ମଣନ୍ତି ନାହିଁ , ସେ କହିଥିବା କଥା ସବୁ ଅକ୍ଷରେ ଅକ୍ଷରେ ସତ୍ଯ ପାଲଟି ଯାଏ । ସମସ୍ତଙ୍କୁ ଆଙ୍ଗିରସ ସୁଶିକ୍ଷା ପ୍ରଦାନ କରନ୍ତି । ଆଙ୍ଗିରସ ସମସ୍ତଙ୍କୁ କହନ୍ତି - ଇଶ୍ବର ବିଶ୍ବାସୀ ହୁଅ,ସଫଳତାର ମାର୍ଗଆପେ ଆପେ ମିଳିଯିବ । ବୋଧହୁଏ ସେଲାଗି ଏ ଗ୍ରାମବାସୀ ଇଶ୍ବର ବିଶ୍ବାସୀ । ଆଙ୍ଗିରସ ଯେତିକି ମେଳାପି ଓ ଶାନ୍ତ ସ୍ବଭାବର ଥିଲେ, ସେତିକି କ୍ରୋଧୀ ବି ଥିଲେ । ସେ ଏତେ ଶିଘ୍ର କ୍ରୋଧୀତ ହୁଅନ୍ତିନି, ଅନ୍ଯାୟ ଓ ମିଥ୍ୟାଚରଣ ଦେଖିଲେ ସେ ଏତେ ମାତ୍ରାରେ ରାଗି ଯାଆନ୍ତି ଯେ ଶାପ ଦେଇ ଦିଅନ୍ତି ତତକ୍ଷଣାତ୍‌ । 


    ଆଙ୍ଗିରସଙ୍କର ଅଭିଶାପ କେବେ ନିଷ୍ଫଳ ଯାଏନି । ଥରେ ଆଙ୍ଗିରସ ତପ କରୁଥିଲେ ସୀତାଫଳ ବୃକ୍ଷ ମୂଳରେ । କୌଣସି ଏକ କାରଣ ଆଙ୍ଗିରସଙ୍କ ଶିଷ୍ଯ ଆଙ୍ଗିରସଙ୍କୁ ଜଣାଇବା ନିତାନ୍ତ ଆବଶ୍ଯକ ଭାବି ତାଙ୍କ ତପ ଭଙ୍ଗ କଲେ । ତପ ଭଙ୍ଗ ହେବାରୁ ପ୍ରବଳ ବେଗରେ ରାଗିଗଲେ ଆଙ୍ଗିରସ । ଉଠିପଡ଼ି କୁରାଳସେନଙ୍କୁ ଅଭିଶାପ ଦେଲେ । ଆଙ୍ଗିରସଙ୍କ ଅଭିଶାପରୁ ଶିଷ୍ଯ କୁରାଳସେନ ପାଷାଣ ମୂର୍ତ୍ତି ପାଲଟି ଗଲା । ସେହି କୁରାଳସେନଙ୍କ ପାଷାଣ ମୂର୍ତ୍ତିଟି ଅଦ୍ଯାବଧି ସେହି ସୀତାଫଳ ବୃକ୍ଷ ପାଖରେ ଦଣ୍ଡାୟମାନ ଅକ୍ଷୁର୍ଣ୍ଣ ଭାବରେ । ଆଙ୍ଗିରସ ଶିଷ୍ଯ କୁରାଳସେନଙ୍କୁ ଅଭିଶାପ ଦେଇ ବଡ଼ ଭୂଲ୍‌ କଲି ଭାବି ଦୁଃଖିତ ହେଲେ । ମୋର ଅଭିଶାପ ଦେବା ଅନୁଚିତ ବୋଲି ଅନୁତାପ କଲେ ଏବଂ ନିଜ କ୍ରୋଧକୁ ଆୟତାଧୀନ କରିବାକୁ ନାରାୟଣଙ୍କୁ ତପସ୍ଯା କଲେ । କିଛି ବର୍ଷ ତପସ୍ଯା କରିବା ପରେ ନାରାୟଣାଙ୍କ ଦର୍ଶନ ନ ମିଳିବାରୁ କ୍ରୋଧ ଜର୍ଜରିତ ହୋଇ ନାରାୟଣଙ୍କୁ ଅଭିଶାପ ଦେବାକୁ ବାହାରିବା ବେଳେ ସ୍ବୟଂ ନାରାୟଣ ଆସି ଆଙ୍ଗିରସଙ୍କୁ ଦର୍ଶନ ଦେଇ ଶାନ୍ତ ହେବା ପାଇଁ ଅନୁରୋଧ କରିବାରୁ ଆଙ୍ଗିରସ ଶାନ୍ତ ହେଲେ । ନାରାୟଣ କହିଲେ - ଆଗରେ ଥିବା ପଦ୍ମ ପୋଖରୀ ପାଖରେ ଗୋଟିଏ ପଥର ଉପରେ ଚକ୍ର ଚିହ୍ନ ଥିବାର ଦେଖିବେ । ସେହି ଚକ୍ର ଚିହ୍ନ ଥିବା ପଥରକୁ ଖନନ କରିବା ପରେ ସେଥିରୁ ଜଳ ନିର୍ଗତ ହେବ । ସେ ସୁମିଷ୍ଟ ନୀର ପାନ କଲେ ତୁମେ ସ୍ବ-କ୍ରୋଧକୁ ଆୟତକୁ ଈଣି ପାରିବ । ଏହା କହି ଅନ୍ତର୍ଦ୍ଧାନ ହୋଇଗଲେ ନାରାୟଣ । 


  ଆଙ୍ଗିରସ ପଦ୍ମ ପୋଖରୀ ପାଖକୁ ଗଲେ ଏବଂ ଦେଖିଲେ ସେଠି ବିରାଟ ଏକ ପାଷାଣ ମାଟିରେ ପୋତି ହୋଇ ରହିଛି । ପାଷାଣ ଉପରେ ସୁନ୍ଦର ଓ ପରିଷ୍କାର ଭାବରେ ସୁଦର୍ଶନ ଚକ୍ରଟିଏ ଖୋଦିତ ହୋଇଥିବାର ଦେଖିଲେ । ଆଙ୍ଗିରସ ନିଜର ତପ ବଳରେ ମନ୍ତ୍ର ଶକ୍ତି ଦ୍ବାରା ସେହି ପ୍ରସ୍ତର ଖନନ କରିବାରୁ ସେଥିରୁ ଜଳ କ୍ଷରଣ ହେବାକୁ ଲାଗିଲା , ଚାହୁଁ ଚାହୁଁ ଗର୍ତ୍ତଟି ଜଳରେ ପୂର୍ଣ୍ଣ ହୋଇଗଲା । ଆଙ୍ଗିରସ ଅତ୍ଯନ୍ତ ପ୍ରୀତରେ ସେ ଜଳ ପାନ କରି ଆଶ୍ଚର୍ଯ୍ୟ ହୋଇଗଲେ । ଜଳର ସ୍ବାଦ ଏତେ ମିଠା ! ତତ୍‌କ୍ଷଣାତ୍‌ ତାଙ୍କ କ୍ରୋଧ ତାଙ୍କର ଆୟତାଧୀନ ହୋଇଗଲା । ଆଙ୍ଗିରସ ପ୍ରୀତ ହୋଇ କହିଲେ - ଏ ଜଳପାନଲେ ମୋର ଉପକାର ହେଲା , ଏ ଜଳ ଜନତାଙ୍କର ଉପକାରରେ ଆସିଲେ ଭଲ ହୁଅନ୍ତା । ସଙ୍ଗେ ସଙ୍ଗେ ସେ ଜଳକୁ ଅଭିମନ୍ତ୍ରିତ କରି କହିଲେ - ଏଥିରୁ କେବେ ଜଳ ଶୁଷ୍କ ହେବନି କି ଏ ଜଳର ପରିସମାପ୍ତି ଘଟିବନି , ଏ ଜଳ ଅପୁତ୍ରିକ ନାରୀକୁ ପୁତ୍ରବତୀ କରିବା ସଙ୍ଗେ ସଙ୍ଗେ ସବୁରି ଶତ ଜନ୍ମର ପାତକକୁ ଧୌତ କରିବ । ତା'ପରେ ଆଙ୍ଗିରସ ସେ ସ୍ଥାନ ପରିତ୍ଯାଗ କରି ଚାରିଗଲେ , ଆଉ କେହି ତାଙ୍କୁ ପାଇଲେ ନାହିଁ । ସେଦିନଠୁ ଏ ଚୁଆଟି ଶୁଖୁନି କି ଜଳ ସରୁନି । ବହୁ ସଂଖ୍ୟାରେ ଏଠାକୁ ଲୋକ ଆସନ୍ତି ଏବଂ ପାନ, ସ୍ନାନ କରନ୍ତି । ଅପୁତ୍ରିକ ନାରୀ ପୁତ୍ରବତୀ ହୋଇଛନ୍ତି ବୋଲି ଏ ଅଞ୍ଚଳବାସୀ କହନ୍ତି । ପ୍ରତିବର୍ଷ ଭୀଷ୍ମାଷ୍ଟମୀ ଦିନ ଏଠାରେ ତିନିଦିନ ବ୍ଯାପୀ ଯାଗ ଯଜ୍ଞ କରାଯାଏ । ହଜାର ହଜାର ଜନ ସମାଗମ ହୁଏ । ଏ ହେଉଛି ଏହି ଓଡ୍ର ଗ୍ରାମର କିମ୍ବଦନ୍ତୀ । ସତରେ ଏକ ନିଆରା ଗାଁଟିଏ ଓଡ୍ର । 


   ଗ୍ରାମର ଦକ୍ଷିଣ ଦିଗରେ ମୁଖ୍ଯରାସ୍ତାକୁ ଲାଗି ଏକ ବିସ୍ତୀର୍ଣ୍ଣ ପଡ଼ିଆ । ସେହି ପଡ଼ିଆର ମଧ୍ୟଭାଗରେ ହାତେ ଲେଖାଁ ଛଡ଼ାଛଡ଼ିରେ ଗୋଟିଏ ସ୍ଥାନରେ ଚାରି ସମ୍ପ୍ରଦାୟର ଧର୍ମପୀଠ ଗାଁର ଭାଇଚାରା ଏବଂ ଏକ ମନ-ଏକ ପ୍ରାଣର ଜ୍ବଳନ୍ତ ଉଦାହରଣ । ହିନ୍ଦୁ-ମୁସ୍‌ଲିମ- ଶିଖ୍‌-ଖ୍ରୀଷ୍ଟିୟାନ ଏହି ଚାରି ସମ୍ପ୍ରଦାୟର ଚାରୋଟି ଧର୍ମପୀଠ ଏକସ୍ଥାନରେ ଦଣ୍ଡାୟମାନ । ମନ୍ଦିର - ମସ୍‌ଜିଦ୍‌ - ଚର୍ଚ୍ଚ୍‌ - ଗୁରୁଦ୍ୱାର , ମାତ୍ର ହାତେ ଲେଖାଁ ଛଡ଼ାଛଡ଼ି ହୋଇ । ମଝିରେ ନାହିଁ ପ୍ରାଚୀର କି ବାଡ଼ବନ୍ଦି , ଗୋଟିଏ ଜାଗାରେ ସମସ୍ତେ ଏକତ୍ରିତ ସକାଳ - ସଞ୍ଜରେ । ଅତି ସୁନ୍ଦର କମନୀୟ କାରୁକାର୍ଯ୍ୟର ମନ୍ଦିର - ମସ୍‌ଜିଦ୍‌ - ଚର୍ଚ୍ଚ୍‌ - ଗୁରୁଦ୍ୱାର ଦେଖିଲେ ଲାଗୁଛି ସେମାନେ ଆମକୁ ଚେତେଇ ଦେଉଛନ୍ତି ଆ ଦେଖେଇ ଦେଉଛନ୍ତି - ଦେଖ, ଆମେ କେମିତି ଏକାଠି ଦଣ୍ଡାୟମାନ । ସମସ୍ତେ ଗୋଟିଏ ମାଆର ସନ୍ତାନ, ଆମ ଭିତରେ ନାହିଁ ବାଛ ବିଚାର । ଆମେ ସମସ୍ତେ ଭାଇ ଭାଇ, ଆମର ଗୋଟିଏ ମାଆ - ମାଟି ମାଆ । ଆମେ ଏ ମାଟି ମାଆର ସନ୍ତାନ । ସୁଖରେ - ଦୁଃଖରେ, ଭଲରେ - ମନ୍ଦରେ ଏକାଠି , ପରସ୍ପର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ । ଆମକୁ ଦେଖ - ଆମଠୁଁ ଶିଖ , ଆସ ସମସ୍ତେ ଏକ ହେବା । ବାଃ ! କି ସୁନ୍ଦର ଏ ଗାଁର ଚିତ୍ର ! ସତରେ ଏ ଗାଁ ସବୁଠାରୁ ନିଆରା ଗାଁ । ଏହି ମନ୍ଦିର - ମସ୍‌ଜିଦ୍‌ - ଚର୍ଚ୍ଚ୍‌ - ଗୁରୁଦ୍ୱାର ପାଇଁ କେତେ କ'ଣ ନ ଘଟିଛି ? ବୟୋଜ୍ୟେଷ୍ଠ ବୃଦ୍ଧଙ୍କ ଠାରୁ ଶୁଣିବାକୁ ମିଳେ ଏହାର ଇତିହାସ ।


   ଦିନକର କଥା, ଖରାଦିନ ସମୟ । ବୈଶାଖ ମାସ ଏଇ କେତେଦିନ ହେବ ଭୋଗ ହୋଇଛି । ସବଦିନ ପରି ସେଦିନ ବି ପାୱାର୍‌କଟ୍‌ ହେତୁ ବିଦ୍ଯୁତ୍‌ ଚାଲି ଯାଇଥାଏ । ପବନ ପକେଇ ଦେବାରୁ ପ୍ରବଳ ଗୁଳୁମୁଳି ଗରମରେ ଦେହ-ହାତ ସିଝି ଯାଉଥାଏ । ଦେହରୁ ଝରି ପଡ଼ୁଥାଏ ଅବିଶ୍ରାନ୍ତ ଗତିରେ ସ୍ବେଦ । ସନ୍ଧ୍ୟା ପ୍ରାୟ ସାଢ଼େ ଛଅଟା ହେବ । ଦାଣ୍ଡ ଦୁଆରେ କାଠ ଷ୍ଟୁଲ୍‌ରେ ବସି ହାତରେ ପ୍ଲାଷ୍ଟିକ୍‌ ବିଞ୍ଚଣାଟେ ଧରି ବିଞ୍ଚି ହେଉଛନ୍ତି ଜଟାଧାରୀ ଝପଟସିଂହ । ବହୁତ ସାଧାସିଧା ଲୋକ ସେ ଏବଂ ବହୁତ ଧର୍ମ ପରାୟଣ ବ୍ଯକ୍ତି । ବୟସ ପଚାଶ ଟପିଲାଣି ତାଙ୍କର । ଦେଖିବାକୁ ଗେଡ଼ା ଓକଦାକାର ମଣିଷ । କଳା ମଚମଚ ଦେହକୁ ଖଇରିଆ ଚିଙ୍ଗୁଡିଆ ଚୁଟି ଗୁଡ଼ାକ ମୁଣ୍ଡ ଉପରେ ଠିଆ ହୋଇ ରହିଥାଏ । ପାଞ୍ଚ ଖଣ୍ଡ ମୌଜାରେ ତାଙ୍କର ଖାତିର୍‌ କହିଲେ ନ ସରେ । ପୁଅ-ବୋହୂ-ନାତି ଏବଂ ତାଙ୍କ ସ୍ତ୍ରୀ ଓ ସ୍ବୟଂକୁ ନେଇ ସୁନ୍ଦର ପରିବାର ତାଙ୍କର । ଅଚଳାଚଳ ସମ୍ପତ୍ତି ତାଙ୍କର । ପୁଅ ମନ୍ମଥ ବାୟୁସେନାରେ ଚାକିରୀ କରିଥିବା ବେଳେ ବୋହୂ ଆଲ୍ଲାଦିନୀ ଜଣେ ଆୟୁର୍ବେଦିକ୍‌ ଡ଼କ୍ଟର୍‌ । ନାତି ସୋମୁ ଅଷ୍ଟମରେ ପଢ଼େ । ଅଭାବ ବୋଲି କିଛି ନାହିଁ ତାଙ୍କର । ଗ୍ରାମର ମୁରବୀ ସାଜିଥିଲେ ଜଟାଧାରୀ ଝପଟସିଂହ । 


    ଷ୍ଟୁଲ୍‌ରେ ବସି ବିଞ୍ଚି ହେଉ ହେଉ ମନେ ମନେ ରାମାୟଣ ପୁରାଣ ଗୁଣୁଗୁଣୁ ହୋଇ ଗାଉଥା'ନ୍ତି । ଏତିକି ବେଳେ ଆସି ପହଞ୍ଚିଲେ ଜଣେ ବୟୋବୃଦ୍ଧ ବ୍ଯକ୍ତି ତ୍ରୈଲୋକ୍ଯ ସାମନ୍ତ । ଜଟାଧାରୀ ବାବୁ ଘର ଭିତରୁ ଆଉ ଗୋଟିଏ କାଠ ଷ୍ଟୁଲ୍‌ ଆଣି ଦାଣ୍ଡ ପିଣ୍ଡାରେ ପକାଇ ଦେଲେ ଏବଂ ତାଙ୍କୁ ବସିବା ପାଇଁ କହିଲେ । ତ୍ରୈଲୋକ୍ଯ ସାମନ୍ତ ଆର ସାହିର ଲୋକ , ତାଙ୍କର ହିସାବରେ ମାମୁଁଅଜା ହେବେ । ବସୁ ବସୁ କହିଲେ - ଆଉ ସବୁ କ'ଣ ଚାଲିଛି କିରେ ନାତିଆ ? ତୋ' ଖବର କ'ଣ ? ସବୁ ଭଲ ତ ? ଜଟାଧାରୀ ଉତ୍ତର ଦେଲେ - କ'ଣ ଆଉ ହେବ ଅଜା, ସବୁ ସେମିତି ଆଉ । ଏତକ କହି ସାରି ଜଟାଧାରୀ କହିଲେ - ଅଜା ! ଆଉ ଆପଣଙ୍କ ଖବର କ'ଣ ? ତ୍ରୈଲୋକ୍ଯ କହିଲେ - ମୋର ଆଉ ଭଲ-ମନ୍ଦ କ'ଣ ? ସବୁ ସେଇମିତି ସୁଖେ-ଦୁଃଖେ ଚାଲିଛି । ବଳ ବୟସ ଗଲାଣି, ଗଛରେ ପତ୍ର ପାଚିବାକୁ ଆରମ୍ଭ କଲାଣି । ଝଡ଼ିବାର ଅପେକ୍ଷାରେ ଅଛି ।


   ଜଟାଧାରୀ କହିଲେ - ମୁଁ ଏବେ ଦୁଇଦିନ ହେବ ଆପଣଙ୍କ ସାହି ଆଡ଼େ ଯାଇ ପାରିନି । ଆଉ ଘରେ ସମସ୍ତେ ଭଲ ତ ? ତ୍ରୈଲୋକ୍ଯ କହିଲେ - ହଁ , ସମସ୍ତେ ଭଲ । ସେ ନାତି ଟୋକାଟାକୁ ଦୁଇଦିନ ହେଲା ଜ୍ବର , ଔଷଧପତ୍ର ଦିଆ ହୋଇଛି । ଏମିତି କଥାବାର୍ତ୍ତା ଭିତରେ ଆସି ପହଞ୍ଚିଲା ପିଲାଟିଏ , ବୟସ ବାର-ତେର ବର୍ଷ ହେବ । ଜଟାଧାରୀଙ୍କ ହାତକୁ କାର୍ଡ଼ଟିଏ ବଢ଼ାଇ ଦେଇ କହିଲା - ଜେଜେ! ନିଅ । ଜଟାଧାରୀ କାର୍ଡ଼ଟି ତା' ହାତରୁ ନଉ ନଉ ପ୍ରଶ୍ନ କଲେ - କି କାର୍ଡ଼ କିରେ ଲିକୁ ? ପିଲାଟିର ନାମ ଲିଙ୍କନ , ଶ୍ରଦ୍ଧାରେ ସମସ୍ତେ ତାକୁ ଲିକୁ ବୋଲି ଡ଼ାକନ୍ତି । ଲିକୁ କହିଲା - ବ୍ରାହ୍ମୁଣିଆପଲ୍ଲୀରେ ବାର ତାରିଖ ଦିନ ଯଜ୍ଞ ହେବ , ସେଇ କାର୍ଡ଼ ଇଏ । ମତେ ତୁମକୁ ଦେବାକୁ କହିବାରୁ ମୁଁ ଦେଇଦେଲି । ଲିକୁ କାର୍ଡ଼ ଦେଇ ଚାଲିଗଲା ପରେ ତ୍ରୈଲୋକ୍ଯ କହିଲେ - ବ୍ରାହ୍ମଣିଆପଲ୍ଲୀରେ ଯଜ୍ଞ ! ସେଠି ତ ଆଗରୁ ଯଜ୍ଞ ହେଉ ନଥିଲା । କି ଯଜ୍ଞ ଏବେ ? ଜଟାଧାରୀ କହିଲେ - ଅଜା ! ସେ ଗାଁରେ ନୂଆ ଶିବ ମନ୍ଦିରଟିଏ ହୋଇଛି । ଲିଙ୍ଗ ଆଣି ସ୍ଥାପନା କରିଛନ୍ତି । ସେଇ ମନ୍ଦିର ଓ ଠାକୁର ପ୍ରତିଷ୍ଠା ଯଜ୍ଞ । ମୁଁ କାଲି ସେଇବାଟେ ଫେରିଲା ବେଳେ ସେ ଗାଁର ମଦନ ମିଶ୍ର ଗୋସେଇଁ ମତେ ଏକଥା କହିଥିଲେ । ତ୍ରୈଲୋକ୍ଯ କହିଲେ - ଓହୋ ! ହଁ, ହଁ ମନେ ପଡ଼ିଲା , ମୁଁ ଦେଖିଛି ଗାଁ ଶେଷ ମୁଣ୍ଡରେ ମନ୍ଦିର ତୋଳା ଚାଲିଥିଲା । ବହୁଦିନ ହେଲା ଯିବାକୁ ନାହିଁ ତ ମୋର ମନେ ନଥିଲା । ସେଇ ମନ୍ଦିର ପ୍ରତିଷ୍ଠା ।


   ତା'ପରେ ଟିକେ ସମୟ ନିରବତା ରକ୍ଷା କରି ତ୍ରୈଲୋକ୍ଯ କହିଲେ - ଆରେ ନାତିଆ ! ଆମ ଗାଁ ଠାକୁରାଣୀ ଗ୍ରାମଦେବତୀଙ୍କର ଉପର ଛପର ନଷ୍ଟ ହୋଇ ଗଲାଣି । ସେ ଟିଣ କାଢ଼ି ଆଉ ନୂଆ ଟିଣ ପକେଇଲେ ହୁଅନ୍ତାନି ? ସେ ଟିଣ କଣା ହୋଇ ପାଣି ଗଳୁଛି । କୋଉ ଦିନରୁ ସେ ଟିଣ ପଡ଼ିଥିଲା , ସବୁ କଳଙ୍କି ହୋଇଗଲାଣି । ଗାଁର ଇଷ୍ଟଦେବୀ ସିଏ , କାହାରି ନଜର ପଡ଼ୁନି । ଜଟାଧାରୀ କହିଲେ - ହଁ ଅଜା, ଭଲ କଥା ପଦେ କହିଲ । ଏଥର ଗ୍ରାମସଭାରେ ପକେଇବି ମୁଁ ଏହି କଥା । ମୋ ମନକୁ କିନ୍ତୁ ଆଉ ଗୋଟିଏ କଥା ଆସୁଛି ଅଜା । ତ୍ରୈଲୋକ୍ଯ - ଆଉ କି କଥା କିରେ ନାତିଆ ? ଜଟାଧାରୀ କହିଲେ - ଗ୍ରାମଦେବତୀଙ୍କ ମନ୍ଦିରଟି ସଙ୍କୀର୍ଣ୍ଣ ଜାଗାରେ ଅଛି , ବାଗ ଲାଗୁନି । ଆମ ଇଷ୍ଟ ଠାକୁରାଣୀଙ୍କ ପାଇଁ ପ୍ରଶସ୍ତ ଜାଗାରେ ଭଲ ମନ୍ଦିରଟିଏ କଲେ କେମିତି ହୁଅନ୍ତା ? ଓଡ୍ର ଗାଁରେ ଚାରିପଟେ ଜାଗା ପଡ଼ିଛି । କୋଠ ଜାଗା ବି ହାଉଜାଉ । ଗୋଟିଏ ଭଲ ଜାଗାରେ ମନ୍ଦିରଟିଏ ହେଲେ ହୁଅନ୍ତା ନାହିଁ ? ତ୍ରୈଲୋକ୍ଯ କହିଲେ - ମୋ' ପାଟିରୁ କଥା ଛଡ଼େଇ ନେଲୁରେ ନାତିଆ । ମୁଁ ସେଇ କଥା କହିବି କହିବି ହେଉଥିଲି । ବେସ୍‌ ଭଲ କଥା ପଦେ କହିଲୁ । ଜଟାଧାରୀ କହିଲେ - ଏଥର ଗ୍ରାମସଭାରେ ଏଇ କଥା ଉପସ୍ଥାପନ କରିବି । କରେଣ୍ଟ୍‌ ଆସିବାରୁ ତ୍ରୈଲୋକ୍ଯ କହିଲେ - ଲାଇନ୍ ଆସିଲା, ହଉ ମୁଁ ଯାଉଛି ରେ ନାତିଆ । ତ୍ରୈଲୋକ୍ଯ ଯିବା ପରେ ଜଟାଧାରୀ ବି ଘର ଭିତରକୁ ଚାଲିଗଲେ ।


    ପୁଣି ଆଉ ଦିନକର ଘଟଣା । ଓଡ୍ର ଗାଁର ଉତ୍ତର ଦିଗରେ ଗାଁ ଠାରୁ ଶହେ ହାତ ଦୂରରେ ଶିଖ୍‌ ସମ୍ପ୍ରଦାୟର ସାହି । ତିରିଶିଟି ଘରର ସମଷ୍ଟିରେ ସାହିଟି ସିଏ । ପୂର୍ବେ ଦଶଘର ମାତ୍ର ଥିଲେ , ଏବେ ଭାଇ ଭାଗ ସତ୍ତ୍ବ ଓ ଭିନଭାନ ହୋଇ ତିରିଶି ଘର ହୋଇଛନ୍ତି । ସେହି ସାହିରେ ରହୁଥିଲେ ରାମାନୁଜ ବାବୁ । ସେ ଜଣେ ଭଲ ନାମକରାଆ ଲୋକ , ବୃତ୍ତିରେ ଥିଲେ ଅମୀନ । ଉଦୁଉଦିଆ ଦ୍ବିପ୍ରହର ବେଳେ ବାରିପଟେ ବସିଥା'ନ୍ତି କାଠଚୌକି ଉପରେ । ପାଖରେ ସେହି ସାହିର ଶିଖ୍‌ ସମ୍ପ୍ରଦାୟର ଆଉ ଜଣେ ବି ଥା'ନ୍ତି । ତାଙ୍କ ନାମ ସୂର୍ଯ୍ୟସେଣ । ଉଭୟ ବସି ବିଭିନ୍ନ ପ୍ରକାର ଆଳାପରେ ମଜ୍ଜି ଥିବା ବେଳେ କଥା ପଡ଼ିଲା ଗୁରୁଦ୍ୱାର କଥା । ସୂର୍ଯ୍ୟସେଣ କହିଲେ କି - ରାମାନୁଜ ବାବୁ ! ଆମେ ପ୍ରାର୍ଥନା କରିବା ପାଇଁ ପଡ଼ୋଶୀ ଗାଁର ଗୁରୁଦ୍ୱାରକୁ ଯାଉଛେ । ପ୍ରାୟ ଚାରିଖଣ୍ଡ ଗାଁର ଲୋକ ସେଠି ପ୍ରାର୍ଥନା କରନ୍ତି । ଆମେ ନିଜ ଗାଁରେ ଯଦି ଗୁରୁଦ୍ୱାରଟେ ନିର୍ମାଣ କରନ୍ତେ କେମିତି ହୁଅନ୍ତା ? ରାମାନୁଜ କହିଲେ - ଯଥା ସମୟରେ ଯଥାର୍ଥ କଥାଟେ କହିଛ । ବହୁତ ଭଲ ପ୍ରସ୍ତାବଟିଏ ଦେଇଛ , ମୁଁ ଏ ପ୍ରସ୍ତାବକୁ ସ୍ବାଗତ କରୁଛି । ଏ ଓଡ୍ର ଗାଁର ଦକ୍ଷିଣ ଦିଗରେ ବିସ୍ତୀର୍ଣ୍ଣ ପଡ଼ିଆଟିଏ ଅଛି , ଅନାବାଦି ଜାଗା । ସେଇଠି କଲେ କେମିତି ହୁଅନ୍ତା କୁହ । ସୂର୍ଯ୍ୟସେଣ କହିଲେ - ବଢ଼ିଆ ଜାଗାଟିଏ , ବହୁତ ଭଲ ହୁଅନ୍ତା ସେ ଜାଗାରେ । ଆମେ ସେଇଠି କରିବା । ରାମାନୁଜ କହିଥିଲେ - ଏଥର ଗ୍ରାମସଭା ହେଲେ ମୁଁ ଏକଥା ଉଠାଇବି । ଘର ଭିତରୁ ରାମାନୁଜଙ୍କ ଝିଅର ଡ଼ାକରାରେ ରାମାନୁଜ ଘର ଭିତରକୁ କାଠଚୌକିକୁ ଟେକି ନେଇ ଚାଲିଗଲେ । ସୂର୍ଯ୍ୟସେଣ ବି ତାଙ୍କ ବାଟରେ ଫେରିଗଲେ । 


   ଗ୍ରାମର ପଶ୍ଚିମ ପଟେ ସତୁରି ମିଟର ଦୂରରେ ଖ୍ରୀଷ୍ଟଧର୍ମାବଲମ୍ବୀ ଜନବସତି ଅଛି । ଓଡ୍ର ଗ୍ରାମର ଲୋକମାନେ ତାକୁ ଖ୍ରୀଷ୍ଟିୟାନ ସାହି କହନ୍ତି । ସେ ସାହିରେ ମାତ୍ର ବାଇଶି-ତେଇଶିଟି ଘର । ସେ ସାହିରେ ବେସ୍‌ ଜଣାଶୁଣା ଓ ସର୍ବତ୍ର ପରିଚିତ ଖ୍ରୀଷ୍ଟଧର୍ମୀ ଲୋକ ଜଣେ ଥିଲେ । ତାଙ୍କ ନାମ ଯବନ , ସେ ଥିଲେ ପାଦ୍ରୀ । ତାଙ୍କୁ କିଏ ନ ଜାଣେ ? ଅଗାଧ ଜ୍ଞାନ ତାଙ୍କର ଏବଂ ମହାକ୍ରୋଧୀ । ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଉ ତିନିଦିନ ବାକି ଥାଏ । ଓଡ୍ର ଗ୍ରାମରେ ଚର୍ଚ୍ଚ୍‌ ନଥିବାରୁ ସାହିର ସମସ୍ତ ଲୋକ ଏକାଠି ହୋଇ ଭୁବନେଶ୍ବର ଚାଲିଯା'ନ୍ତି , ସେଠାରେ ଚର୍ଚ୍ଚ୍‌ରେ ଯୀଶୁଙ୍କର ଜନ୍ମଦିନ ପାଳି ପୁଣି ଫେରି ଆସନ୍ତି । ସେହି ସାହିର ମଙ୍ଗୁଳୁ ଆସି ଯବନଙ୍କ ଘରେ ପହଞ୍ଚିଲା । ପାଦ୍ରୀଙ୍କୁ ବାପା ଡ଼ାକନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକମାନେ । ମଙ୍ଗୁଳୁ କହିଲା - ବାପା! ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଉ ତିନିଦିନ ରହିଲା। ଭୁବନେଶ୍ବର ଯିବା ପାଇଁ ପଡ଼ିବ , କେବେ ଯିବା ? ଯବନ କହିଲେ - ଦିନକ ପୂର୍ବରୁ ତ ଯିବାକୁ ପଡ଼ିବ ନିଶ୍ଚୟ । ମଙ୍ଗୁଳୁ କହିଲା - ଆସନ୍ତା ଶନିବାର ପଡ଼ୁଛି , ତେଣୁ ଶୁକ୍ରବାର ଦିନ ଯିବା ? ଯବନ କହିଲେ - ହଁ, ନିଶ୍ଚିତ । ସାହିବାଲାଙ୍କୁ ଟିକେ ଜଣେଇ ଦେ' ଆଜି ସନ୍ଧ୍ଯାରେ ସଭା ହେବ । ସମସ୍ତେ ଉପସ୍ଥିତ ରହିବେ । ମଙ୍ଗୁଳୁ - ହୁ ବାପା । ମୁଁ ଆଜି ସାହିର ସମସ୍ତଙ୍କୁ ଅବଗତ କରି ଦେଉଛି । ମଙ୍ଗୁଳୁ ଫେରିଗଲା । ଦିନ ଗଡ଼ି ସଞ୍ଜ ନଇଁଲା , ସନ୍ଧ୍ଯା ସାତଟାରେ ସାହିର ସଭା ମଣ୍ଡପରେ ସାହିର ସମସ୍ତ ଲୋକ ଉପସ୍ଥିତ ହେଲେ । ସଭା ଚାଲିଲା , ଭୁବନେଶ୍ବର ଯିବାକୁ ସମସ୍ତେ ବି ସ୍ବୀକାରୋକ୍ତି ପ୍ରଦାନ କଲେ । 


        ସମସ୍ତେ ସବୁକିଛି କହିବା ପରେ ସଭା ଆରମ୍ଭରୁ ଏଯାଏଁ ନୀରବ ଥିବା ପ୍ରଦୋଷ କହିଲା - ମୁଁ କିଛି କହିବା ପାଇଁ ବାପାଙ୍କ ଠାରୁ ଅନୁମତି ମାଗୁଛି ।ଛୋଟ ମୁହଁରେ ବଡ଼ କଥା ବାପା । ଯବନ କହିଲେ - ଆରେ କଥାଟା କ'ଣ କୁହ ଆଗ । ପ୍ରଦୋଷ ଉତ୍ତର ଦେଲା - ଆମେ ଭଗବାନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବସ ପାଳନ ପାଇଁ ପ୍ରତିବର୍ଷ ଭୁବନେଶ୍ବର ଯାଉଛେ , ଘରଦ୍ୱାର ତାଲା ପକାଇ ସାହି ଛାଡ଼ି ଯାଉଛେ । ଯଦି ଏ ଓଡ୍ର ଗାଁରେ ଗୋଟିଏ ଚର୍ଚ୍ଚ୍‌ ଥାଆନ୍ତା, ତେବେ ଆମକୁ ଆଉ ଭୁବନେଶ୍ବର ଯିବାକୁ ପଡ଼ନ୍ତାନି । ଯବନ କହିଲେ - ସତରେ ତମେ ବଡ଼ କଥାଟିଏ କହିଦେଲ , ବଡ଼ ତ ନୁହେଁ ଭଲ କଥା ପଦେ କହିଲ । ଆମ ଗାଁରେ ଗୋଟିଏ ଚର୍ଚ୍ଚ୍‌ ତୋଳିଲେ ଭଲ ହୁଅନ୍ତା । ହେଲେ ଜାଗା କାହିଁ ? ଚର୍ଚ୍ଚ କରିବା ପାଇଁ ଜାଗା ଖଣ୍ଡେ ତ ଦରକାର ନା । ମଙ୍ଗୁଳୁ କହିଲା - ବାପା ! ଜାଗା ଅଛି । ଯବନ କହିଲେ - କୋଉଠି ? ମଙ୍ଗୁଳୁ କହିଲା - ଏ ଓଡ୍ର ଗାଁର ଦକ୍ଷିଣ ଭାଗରେ ରାସ୍ତା କଡରେ ଯୋଉ ଅନାବାଦି ଜାଗାଟା ଅଛି, ସେଇଠି କଲେ କେମିତି ହୁଅନ୍ତା ? ବହୁତ ବଡ଼ ପଡ଼ିଆଟାଏ ନା ସେଇଟା । ଯବନ କହିଲେ - ଆରେ ବାଃ ! ବଢ଼ିଆ ପ୍ରସ୍ତାବ । ସେଠି କେହି ପ୍ରତିବାଦ ବି କରିବେନି , ଅନାବାଦି ଜାଗାରେ କଲେ ଭଲ ହେବ । ସମସ୍ତେ ସମର୍ଥନ କଲେ । ଯବନ କହିଲେ ଆମେ ଆଗ ଭଗବାନ ଯୀଶୁଙ୍କ ଜନ୍ମଦିନ ସାରି ଫେରିବା , ତା'ପରେ ଏ ବିଷୟରେ ଚିନ୍ତା କରି ଆଉ ଥରେ ସଭା କରିବା । ସଭା ସରିଲା ଏବଂ ଯିଏ ଯାହା ଘରକୁ ଫେରିଲେ ।


   ଓଡ୍ର ଗ୍ରାମର ଅଗ୍ନି କୋଣରେ ମୁସ୍‌ଲିମ୍‌ ବସ୍ତି । ସମସ୍ତଙ୍କର ଚାଳଘର , ଘର କହିଲେ ପ୍ରାୟ ଚାଳିଶି ହେବ । ସେହି ମୁସ୍‌ଲିମ୍‌ ବସ୍ତିର ବାସିନ୍ଦା ରେହେମାନ ମିଆଁଙ୍କୁ କିଏ ବା ନ ଜାଣେ ? ବହୁତ ବଢ଼ିଆ ଲୋକ ସେ , ସମ୍ପୂର୍ଣ୍ଣ ମେଳାପୀ । ସମସ୍ତେ ତାଙ୍କୁ ଡ଼ାକନ୍ତି ରେହେମାନ ଚାଚା । ସେ ସିନା ବହୁତ ଭଲ ଲୋକ, ହେଲେ ତାଙ୍କ ବେଟା ଆଲ୍ଲାଉଦିନ ଅତି ଦୁର୍ଦ୍ଦାନ୍ତ ଗୁଣ୍ଡା । ତା' ନାଁ ଶୁଣିଲେ ଆଖପାଖର ଲୋକମାନେ ଭୟରେ ଥରନ୍ତି । ସବୁବେଳେ ଖାସି କଟା ଲମ୍ବା କଟରାଟାକୁ ଅଣ୍ଟାରେ ଖୋସି ବୁଲୁଥିବ । ଦେଖିବାକୁ ବି ଭାରି ଭୟଙ୍କର ଟା'ର ଚେହେରା । ସେ କଟରା ବୁଲାଇଲେ ଯିଏ ଯୁଆଡ଼େ ଧାଇଁ ପଳାନ୍ତି , ସମସ୍ତଙ୍କର ତାଟି କବାଟ ପଡ଼ିଯାଏ । ତା' ନାଁରେ କେତେ ମର୍ଡର୍‌ କେଶ୍‌ , କେତେ ଫାଇଲ୍‌ ଗଡୁଛି ଥାନାରେ । ଆଲ୍ଲାଉଦିନ ବହୁତ ଦିମାକବାଲା , ତେଣୁ ତା' ସହ ପଙ୍ଗା ନେବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା ସହ ସମାନ । ରେହେମାନ ଚାଚା କିନ୍ତୁ ପୂରା ଶାନ୍ତ ଓ ସୁଧାର । ଓଡ୍ର ଗ୍ରାମରେ ନମାଜ ପାଠ କରିବାକୁ ମସ୍‌ଜିଦ୍‌ ନଥିବାରୁ ନଦୀ ଆରପଟ ଗାଁ ଭାଇଲିପୁର ଯାଆନ୍ତି ମୁସ୍‌ଲିମ୍‌ ବସ୍ତି ବାସିନ୍ଦା । ଦିନେ ରେହେମାନ ଚାଚା ଗ୍ରାମରେ ଏକ ମସ୍‌ଜିଦ୍‌ କରିବାକୁ ମନସ୍ଥ କରି ମୁସ୍‌ଲିମ୍‌ ବସ୍ତି ବାସିନ୍ଦାଙ୍କୁ ଏକତ୍ରିତ କରି ସଭା କଲେ । ସଭାରେ ଉପସ୍ଥିତ ଲୋକମାନେ ସମର୍ଥନ କଲେ । ଜାଗା କଥା ଉଠିବାରୁ ସଭାରେ ଥିବା ଜଣେ ଲୋକ ଇଫାନ କହିଲା - ଆମେ ଓଡ୍ର ଗ୍ରାମର ଦକ୍ଷିଣ ପଟେ ରାସ୍ତା ପାଖର ସେ ଅନାବାଦି ପଡ଼ିଆରେ କଲେ କେମିତି ହୁଅନ୍ତା ? ରେହେମାନ ଚାଚା କହିଲେ - ହଁ ଭଲ ଜାଗାଟିଏ , ଜାଗାଟି ପ୍ରଶସ୍ତ ଅଛି । ତେଣୁ ଭଲ ହୁଅନ୍ତା । କିନ୍ତୁ ଆମ ସାହି ପାଖରେ ତ ଆମ କବରସ୍ଥାନ ରହିଲା । ରେହେମାନ ଚାଚାର ବେଟା ଆଲ୍ଲାଉଦିନ କହିଲା - ଅସୁବିଧା କ'ଣ ? ଏଠି କବର ଅଛି ତ ଥାଉ, ସେଠି ମସ୍‌ଜିଦ୍‌ ହେଉ । ସମସ୍ତେ ସମର୍ଥନ କରିବା ପରେ ସଭା ସାଙ୍ଗ୍‌ ହେଲା । 


   ଏପଟେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବି ସଭା କରି ସେହି ବିସ୍ତୀର୍ଣ୍ଣ ପଡ଼ିଆକୁ ନିର୍ବାଚିତ କରିଛନ୍ତି ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ ପାଇଁ । ସମସ୍ତଙ୍କର ଆଖି ସେହି ପଡ଼ିଆଟି ଉପରେ । ତେବେ ଇଏ ଗଣ୍ଡଗୋଳିଆ ପରିସ୍ଥିତି ଭିତରେ ରହିଛି । ଗ୍ରାମସଭା ହେଲେ ଚାରି ସମ୍ପ୍ରଦାୟର ଲୋକ ଏକାଠି ହୋଇ ଗ୍ରାମର ଉନ୍ନତି ପାଇଁ ବିଚାର କରନ୍ତି । ଇଏ ଯୋଉ ସଭା ହେଉଥିଲା , ନିଜ ନିଜର ମତବ୍ୟକ୍ତର ସଭା । ଜଟାଧାରୀ ଝପଟସିଂହ ପୂରା ଓଡ୍ର ଗ୍ରାମର ମୁରବୀ । ତାଙ୍କ ନିର୍ଦ୍ଦେଶରେ ଗାଁ ସାରା ଡ଼େଙ୍ଗୁରା ପିଟା ହେଲା । ସମସ୍ତଙ୍କୁ ଜଣେଇ ଦିଆଗଲା ଆସନ୍ତା ରବିବାର ସନ୍ଧ୍ଯାରେ ଗ୍ରାମସଭାର ଆୟୋଜନ କରାଯାଇଛି , ତେଣୁ ପ୍ରତ୍ଯେକ ଲୋକ ଉପସ୍ଥିତ ରହିବାର ଆବଶ୍ଯକତା ଅଛି । ସମସ୍ତେ ତାଜୁବ୍‌ , ହଠାତ୍ ଗ୍ରାମସଭା ! କ'ଣ ପାଇଁ ? ସମସ୍ତେ କୁହାକୁହି ହେଲେ । ସଭାକୁ ଗଲେ ଜଣା ପଡ଼ିବ ଭାବି ରବିବାର ସନ୍ଧ୍ଯା ପର୍ଯ୍ୟନ୍ତ ଅପେକ୍ଷା କଲେ । 


    ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସାରି ଫେରି ଆସିଲେଣି ଖ୍ରୀଷ୍ଟିୟାନ ସାହି ବାସିନ୍ଦା । ଶନିବାର ସନ୍ଧ୍ଯାରେ ଆସି ପହଞ୍ଚି ଗ୍ରାମସଭା କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ହଠାତ୍ କ'ଣ ଗ୍ରାମସଭା ! କ'ଣ ବୋଧେ କିଛି ହୋଇଛି । ସମସ୍ତେ ଟୁପୁରୁ ଟାପୁରୁ ହେଲେ । ଚାହୁଁ ଚାହୁଁ ଆସିଗଲା ରବିବାର ସନ୍ଧ୍ଯା । ସମସ୍ତେ ଆସି ସଭାସ୍ଥଳରେ ପହଞ୍ଚିଲେ । ହିନ୍ଦୁ - ମୁସ୍‌ଲିମ୍‌ - ଶିଖ୍‌ - ଖ୍ରୀଷ୍ଟିୟାନ ଚାରି ସମ୍ପ୍ରଦାୟର ସମ୍ମିଳନରେ ସଭା ମଣ୍ଡପଟି ପୂରି ଉଠୁଥିଲା । ଚାରି ଦିଗରେ ଚାରି ସମ୍ପ୍ରଦାୟ ବସିଥିବା ବେଳେ ମଝିରେ ବସିଥିଲେ ଗ୍ରାମ ମୁରବୀ ଜଟାଧାରୀ ଝପଟସିଂହ । 


    ଜଟାଧାରୀ ଝପଟସିଂହ କହିଲେ - ସମସ୍ତେ ଆସିଗଲେ ତ ? ସମସ୍ତେ ଲକ୍ଷ୍ୟ ଦେଲେ , ଦେଖିଲେ ସମସ୍ତେ ଉପସ୍ଥାନ ପକେଇ ସାରିଛନ୍ତି । ଏଥର ଉତ୍ତର ଆସିଲା - ହଁ ସମସ୍ତେ ଉପସ୍ଥିତ ଅଛନ୍ତି । ଜଟାଧାରୀ କହିଲେ - ଆଜିର ଏ ସଭା ଗ୍ରାମର ଏକ ଉନ୍ନତି ମୂଳକ କାର୍ଯ୍ୟର ଆଲୋଚନା ପାଇଁ । ଆମ ଗ୍ରାମର ଇଷ୍ଟଦେବୀ ଗ୍ରାମଦେବତୀଙ୍କର ମନ୍ଦିରର ଟିଣ ଛପର ନଷ୍ଟ ହୋଇ ସାରିଲାଣି । ଗ୍ରାମଦେବତୀଙ୍କ ମନ୍ଦିରଟି ଏକ ସଙ୍କୀର୍ଣ୍ଣ ଜାଗାରେ ଅଛି । ତେଣୁ ସେ ମନ୍ଦିରଟିକୁ ଆମକ ଅନ୍ଯତ୍ର ସ୍ଥାନାନ୍ତର କରିବାକୁ ପଡ଼ିବ । ଏ ବିଷୟରେ ଆଲୋଚନା ମୂଳକ ପଦକ୍ଷେପ ପାଇଁ ଏ ସଭା ଆଜିର । ତେଣୁ ସମସ୍ତେ ସହଯୋଗ କରିବାକୁ ହେବ । ସମସ୍ତେ ଏକ ସ୍ବରରେ କହିଲେ -ହଁ, ଆମେ ସହଯୋଗ କରିବୁ । ଜଟାଧାରୀ ଝପଟସିଂହ କହିଲେ - ମୁଁ ସେଥିପାଇଁ ଜାଗାଟିଏ ସ୍ଥିର କରିଛି । ଆମ ଗ୍ରାମର ଦକ୍ଷିଣ ଦିଗରେ ଥିବା ବିସ୍ତୀର୍ଣ୍ଣ ଅନାବାଦି ପଡ଼ିଆଟିରେ ଆମ ଗ୍ରାମଦେବତୀଙ୍କ ମନ୍ଦିର ପାଇଁ ମନସ୍ଥ କରିଛି । କୁହନ୍ତୁ , ପ୍ରସ୍ତାବଟି କେମିତି ?


    ସମସ୍ତେ ନିରବ ନିଶ୍ଚଳ ହୋଇ ତଳକୁ ମୁହଁ ପୋତି ବସି ରହିଲେ । କାହାରି ପାଟିରୁ ଭାଷା ବାହାରିଲାନି । କିଛି ସମୟ ଉତ୍ତର ପ୍ରତୀକ୍ଷାରେ ରହିବା ପରେ ଜଟାଧାରୀ ଝପଟସିଂହ କହିଲେ - ସମସ୍ତେ ନିରବ କ'ଣ ପାଇଁ ? କେହି ତ କିଛି କୁହ , ନିରବ ରହିଲେ ଏ କାମ କରିବ କିଏ ? ଇଏ ଜଣଙ୍କର କାମ ନୁହେଁ , ସମୂହଙ୍କର କାମ । ତଥାପି କେହି କିଛି ବି ଉତ୍ତର ନ ଦେଇ ନିରବ ରହିଲେ । ପୁନର୍ବାର ପଚାରିଲେ ଜଟାଧାରୀ - ଆଶ୍ଚର୍ଯ୍ୟ ! କ'ଣ ନିରବ ସବୁ ? ଏ ପ୍ରସ୍ତାବ ବୋଧେ କାହା ମନ ତୋଷି ପାରିଲାନି । ନ କହିଲେ ମୁଁ ଜାଣିବି କ'ଣ ? କେହି ତ କିଛି କୁହ । ସମସ୍ତେ ତ ସେଇ ବିସ୍ତୀର୍ଣ୍ଣ ଅନାବାଦି ପଡ଼ିଆଟି ଉପରେ ଆଖି ରଖିଛନ୍ତି ନିଜ ନିଜର ଧର୍ମସ୍ଥଳୀ ବନେଇବାକୁ । ଜଟାଧାରୀ ବାବୁଙ୍କ କଥା ଶୁଣିବା ମାତ୍ରେ ସମସ୍ତଙ୍କର ଆଶା ଧୂଳିସାତ ହେବା ଲକ୍ଷ୍ୟରେ ସମସ୍ତଙ୍କ ମନ ମରି ଯାଇଛି ଯେମିତି । କେହି ପାଟି ଖୋଲି କିଛି କହିପାରୁ ନାହାନ୍ତି । 


    ସବୁ ନିରବତାକୁ ଭଙ୍ଗ କରି ଶିଖ୍‌ ସମ୍ପ୍ରଦାୟର ମୁଖିଆ ରାମାନୁଜ ବାବୁ ହଠାତ୍ କହିଲେ - ସେ ଜାଗାରେ ଆମେ ଗୁରୁଦ୍ୱାର କରିବାକୁ ଆମ ସାହିର ସମସ୍ତେ ସାହି ସଭା କରି ନିଷ୍ପତ୍ତି ନେଇଥିଲୁ । ଆପଣ ଗ୍ରାମଦେବତୀଙ୍କ ମନ୍ଦିର କରିବା କଥା କହିଲେଣି । ଆମେ ଆଉ କ'ଣ କହିବୁ ଯେ ? ସମସ୍ତେ ଚମକି ଉଠିଲେ , ସମସ୍ତଙ୍କ ଆଖିରେ ଆଶ୍ଚର୍ଯ୍ୟର ଚିହ୍ନ । ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଭାବୁଥିଲେ ଆମ ସ୍ବପ୍ନ ପୂରଣ ହେବନି ? ମୁସ୍‌ଲିମ୍‌ ସମ୍ପ୍ରଦାୟ ଭାବୁଥିଲେ ଆମେ ନିରାଶ ହେବୁ ? ସେପଟେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବି ଭାବୁଥିଲେ ଆମେ ଦେଖି ଥିବା ସ୍ବପ୍ନ ଧୂଳିସାତ୍ !! ପୁଣି ନିରବତା ଖେଳିଗଲା । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ସମସ୍ତେ । 


  ରାମାନୁଜ କହିଲେ - ଆମେ ପଡ଼ୋଶୀ ଗାଁର ଗୁରୁଦ୍ୱାର ଯାଉଛୁ । ଆମ ଗ୍ରାମରେ ଯଦି ଗୋଟିଏ ଗୁରୁଦ୍ୱାର ଥାଆନ୍ତା, ତେବେ ପଡ଼ୋଶୀ ଗ୍ରାମର ଗୁରୁଦ୍ୱାର ଉପରେ ଆଉ ଆମକୁ ନିର୍ଭରଶୀଳ ହେବାକୁ ପଡ଼ନ୍ତାନି । ଏଇ ଲକ୍ଷ୍ୟ ନେଇ ଆମେ ସେ ଜାଗାଟିକୁ ଚୟନ କରିଥିଲୁ । ହଠାତ୍ କହି ଉଠିଲେ ପାଦ୍ରୀ ଯବନ - ଆମେ ସେଠି ଏକ ଚର୍ଚ୍ଚ୍‌ କରିବା ପାଇଁ ଆମ ବସ୍ତି ସଭାରେ ନିଷ୍ପତ୍ତି ନେଇଥିଲୁ । ପ୍ରତିବର୍ଷ ଆମକୁ ଖ୍ରୀଷ୍ଟମାସ ଦିବସରେ ଭୁବନେଶ୍ବର ଯିବାକୁ ପଡୁଛି । ଗାଁ, ବସ୍ତି ଓ ଘରଦ୍ୱାର ଛାଡ଼ି ଆମେ ଭୁବନେଶ୍ବରରେ ଭଗବାନ ଯୀଶୁଙ୍କର ଜନ୍ମଦିନ ପାଳନ ପାଳନ କରୁଛୁ । ତେଣୁ ଆମ ଗାଁରେ ନିର୍ମାଣ କରିବା ପାଇଁ ଚାହୁଁଥିଲୁ । ରେହେମାନ ଚାଚା କହିଲେ - ଆମକୁ ନମାଜ ପଢ଼ିବାକୁ ନଦୀ ପାର ହୋଇ ଆରପଟରେ ଥିବା ଭାଇଲିପୁର ଗାଁକୁ ଯିବାକୁ ପଡୁଛି । ବନ୍ଯା ବେଳେ ଯାଇ ନ ପାରି ଘରେ ନମାଜ ପାଠ କରୁଛୁ । ତେଣୁ ଆମ ବସ୍ତି ବାସିନ୍ଦା ସେଇଠି ମସ୍‌ଜିଦ୍‌ କରିବାର ଅଭିପ୍ରାୟ ରଖି ବସ୍ତି ସଭାରେ ଆଲୋଚନା କରିଥିଲୁ । ସମସ୍ତେ ଉପାୟଶୂନ୍ଯ ହୋଇପଡ଼ିଲେ , କ'ଣ କରାଯାଇ ପାରିବ ଭାବି ନିରବ ରହିଲେ । ସମସ୍ତେ ତ ସମସ୍ତଙ୍କର କଥା ଓ ଇଚ୍ଛା କହିଲେ, ସବୁରି ଆଖି ସେଇଠି । ସମସ୍ତେ ଏବେ ଦ୍ବନ୍ଦରେ ପଡ଼ିଲେ , କାହା କଥା ରଖିବେ ଆଉ କାହା କଥା କାଟିବେ ଭାବି ପାରିଲେ ନାହିଁ କେହି । 


    ଜଟାଧାରୀ କହିଲେ - ଇଏ ତ ଦ୍ବନ୍ଦାତ୍ମକ ଆଡ଼କୁ ଗତି କଲା , ତେବେ କ'ଣ କରାଯିବ କୁହ । ଏଠି କାହାର ଲକ୍ଷ୍ୟ ପୂରଣ କଥା ଚିନ୍ତା କରିବା ? ବଡ଼ ସମସ୍ୟା ହେଲା ତ ଇଏ !! ରାମାନୁଜ କହିଲେ - ଆପଣଙ୍କର ତ ମନ୍ଦିରଟିଏ ଅଛି , ଆମକୁ ଦିଅନ୍ତୁ ସେ ଜାଗା । ଯବନ କହିଲେ - ଆମକୁ ଦିଅ, ଆମେ ଟିକେ ଉପକୃତ ହେବୁ । ରେହେମାନ ଚାଚା କହିଲେ - ଏ ଦ୍ବନ୍ଦ ଭିତରେ ମୁଁ ବା ଆଉ କ'ଣ କହିବି ?


   ସମସ୍ତଙ୍କ ଭିତରେ ଟୁପୁରୁ ଟାପୁରୁ ଭୁଟୁରୁ ଭାଟୁରୁ ଚାଲିଲା । ସୂର୍ଯ୍ୟସେଣ କହିଲେ - ଆମେ ଗୁରୁଦ୍ୱାର କରିବୁ । ଆମେ ଆଉ ପର ଉପରେ ନିର୍ଭର କରି ଚଳି ପାରିବୁନି । ତେଣୁ ଗାଁରେ ଗୋଟିଏ ଗୁରୁଦ୍ୱାର ଆମର ଦରକାର । ମଙ୍ଗୁଳୁ କହିଲା ଯେ - ସେ ଜାଗା ଅନାବାଦି, ତେଣୁ ଆମେ ସେ ଜାଗାରେ ଚର୍ଚ୍ଚ କରିବୁ । ଘରଦ୍ୱାର ଛାଡ଼ି ଆମେ ଭୁବନେଶ୍ବର ଯାଇ ପାରିବୁନି ପ୍ରତିବର୍ଷ । ସଭାରେ ଉପସ୍ଥିତ ଥିଲା ଆଲ୍ଲାଉଦିନ । ସେ କହିଲା - ଆମେ କ'ଣ ନାକରା ଯିବୁ ? ଆମେ ନଦୀ ପାର ହୋଇ ଭାଇଲିପୁର ଯିବୁ ନମାଜ ପଢ଼ିବାକୁ, ତମେ ଗାଁରେ ରହି ଅଏସ୍‌ କରିବ ? କଦାପି ହୋଇ ପାରିବନି । ହିନ୍ଦୁ ସମ୍ପ୍ରଦାୟ ବି ମନ୍ଦିର କରିବାକୁ ଅଡ଼ି ବସିଲେ । 


   ସମସ୍ୟା ସମାଧାନ କିଏ କରିବ ? ଏଠି ସମସ୍ତେ ତ ସମସ୍ତଙ୍କ ଲକ୍ଷ୍ଯ ପୂରଣରେ ବ୍ଯସ୍ତ । ଧିରେ ଧିରେ ପରିବେଶ ଅଶାନ୍ତ ହେବାକୁ ଲାଗିଲା , ପରସ୍ପର ମଧ୍ୟରେ ଚାଲିଲା ବାକ୍‌ଯୁଦ୍ଧ ଓ କଥା କଟାକଟି । ଦ୍ବନ୍ଦ ଉପୁଜିବାର ପରିସ୍ଥିତି ଲକ୍ଷ୍ଯ କରାଗଲା । ସମସ୍ତେ ସମସ୍ତଙ୍କ ଧର୍ମପୀଠ ନିର୍ମାଣ ପାଇଁ ଅଡ଼ି ବସିଲେ । ତେଣୁ ସମସ୍ୟା ଜଟିଳ ଆଡ଼କୁ ଗତି କଲା । ଏଭଳି ସମସ୍ୟାର ସମାଧାନର ସୂତ୍ର ମିଳି ପାରିଲାନି । ସଭା ବନ୍ଦ କରାଗଲା । ସେତେବେଳକୁ କଜିଆ ଆରମ୍ଭ ହୋଇ ସାରିଥାଏ । ସମସ୍ତେ ଜୋର ଜବରଦସ୍ତ ସେଠାରେ ଧର୍ମପୀଠ ନିର୍ମାଣ ପାଇଁ ପ୍ରସ୍ତୁତି ହେବାର ପରିଲକ୍ଷିତ ହେଲା । ନଛୋଡ଼ବନ୍ଧା ସମସ୍ତେ , କେହି ନିଜ ନିଜର କଥାରୁ ଓହରିବାକୁ ପ୍ରସ୍ତୁତ ନୁହଁନ୍ତି । ସମସ୍ତେ ନିଜ ନିଜର ଲକ୍ଷ୍ଯ ପୂରଣ ପାଇଁ ବ୍ଯଗ୍ର ।


   ଏଇ କଥାକୁ ନେଇ ସବୁଦିନ ଚର୍ଚ୍ଚା ଗାଁ ସାରା । ସବୁଦିନ ପାଟିତୁଣ୍ଡ ଓ କଳିକଜିଆ । ଶାନ୍ତି ଶୃଙ୍ଖଳାର ଗାଁ ଓଡ୍ର ଏବେ ପୂରା ଅଶାନ୍ତ । ଯୋଉ ଗାଁର ଗୁଣଗାନ କରୁଥିଲେ ପଡ଼ୋଶୀ, ଆଜି ଏସବୁ ଦେଖି ଆଶ୍ଚର୍ଯ୍ୟ ସମସ୍ତେ । ଭାଇଚାରାର ସମ୍ପର୍କ ଥିବା ଓଡ୍ର ଗ୍ରାମରେ ପରସ୍ପର ମଧ୍ୟରେ ତିକ୍ତତା, ଆଚମ୍ବିତ କରି ଦେଉଥିଲା ସମସ୍ତଙ୍କୁ । କାନ୍ଧକୁ କାନ୍ଧ ମିଶାଇ ଚଳୁଥିବା ଓଡ୍ର ଗ୍ରାମର ପ୍ରତ୍ଯେକ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଯାଇଛି ଦଙ୍ଗା । ଚାଲିଛି ହଙ୍ଗାମା , ସମସ୍ତେ ରକ୍ତମୁଖା ପ୍ରାୟ । ସାଗର ଗର୍ଭରେ ଶକ୍ତି ସାଉଁଟୁଛି ଘୂର୍ଣ୍ଣିଝଡ଼ , ଯେତେବେଳେ ଆସିବ ସବୁକିଛି ଧ୍ବଂସ ବିଧ୍ୱଂସ କରିଦେବ । ସ୍ଥଳଭାଗ ଛୁଇଁଲେ କ'ଣ ଯେ ହେବ ତା' କଳନା ବାହାରେ । ଝଲକ ଦେଖାଇ ସାରିଲାଣି । ପବନ ବହିବା ଆରମ୍ଭ କଲାଣି, ବର୍ଷା ବି କୁଣ୍ଡାଝରା ହେଲାଣି । ମହାସମର ପାଇଁ ଚାଲିଛି ପ୍ରସ୍ତୁତି । 


   ଏହି ଘଟଣାକୁ ନେଇ ସବୁଦିନ ଗୋଳ ଉପୁଜିବାକୁ ଲାଗିଲା , ଏମିତିକି ଠେଙ୍ଗାବାଡ଼ି ଉଠିବା ପର୍ଯ୍ୟନ୍ତ କଥା ଗଲା । ପୋଲିସ୍‌ ପଶିଲା ଗାଁରେ । ଅନାବାଦି ଜାଗାରେ କେହି କିଛି କରିପାରିବେ ନାହିଁ ବୋଲି ଅର୍ଡର ହେଲା । ତେଣୁ ସମସ୍ତେ ରାଗରେ କୁହୁଳିବା ସହ କିଛିଦିନ ପାଇଁ ଗଣ୍ଡଗୋଳ ଥମି ଯାଇଥିଲା । ପାଖାପାଖି ଅଞ୍ଚଳର ଲୋକମାନେ ଭାବିଲେ ଯେ ଝଡ଼ ଥମିଗଲା । କିନ୍ତୁ ଝଡ଼ଟା ଯେ ଲୁକ୍କାୟିତ ଅବସ୍ଥାରେ ଥିଲା, ଏକଥା କାହାକୁ ଜ୍ଞାତ ନଥିଲା । ଜଣେ ସମ୍ପ୍ରଦାୟ ଆଉ ଜଣେ ସମ୍ପ୍ରଦାୟକୁ ଦୋଷ ଦେବାରେ ଲାଗି ଥିଲେ । ସମସ୍ତେ ନିରବି ଯାଇଥିବା ବେଳେ ଆଲ୍ଲାଉଦିନ କିନ୍ତୁ ନିରବି ପାରି ନଥିଲା । ତା'ର ଏକା ଜିଦ୍ ଏ ଗାଁରେ ମସ୍‌ଜିଦ୍‌ ହେବ । ସେ କହୁଥିଲା - ମସ୍‌ଜିଦ୍‌ ଗଢ଼ା ହେବ ହିଁ ହେବ , ସେ ରକ୍ତରେ ହେଉ କି ପ୍ରୀତରେ ହେଉ । ଯଦି ମତେ କିଏ ବାଧା ଦେବ, ତେବେ ମୁଁ ତା' ମୁଣ୍ଡ ଉଡ଼େଇ ଦେବି । ମସ୍‌ଜିଦ୍‌ କରିବାର ଚିନ୍ତନ କରି ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡ଼ିଥିଲା ସେ ।

  

    ଦିନେ ଓଡ୍ର ଗ୍ରାମବାସୀ ଦେଖିଲେ ସେହି ପଡ଼ିଆରେ ମାପଚୁପ ହେଲା ପରି ବତା ବାଡିଆ ଯାଇଛି । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏସବୁ କାମ କିଏ କରିଛି ? କେହି କିଛି ବୁଝି ପାରୁ ନଥିଲେ । ପରସ୍ପର ପଚରାପଚରି ଚାଲିଲା । ଶେଷରେ ଜଣା ପଡ଼ିଲା ଆଲ୍ଲାଉଦିନ ଏସବୁ କରିଛି । ପୋଲିସ୍‌କୁ ଖବର ଦିଆଗଲା , କିଛି ସମୟ ଭିତରେ ପୋଲିସ୍‌ ଆସି ପହଞ୍ଚି ଗଲା । ଆଲ୍ଲାଉଦିନ ଖୋଜିକି ବି ପାଇଲା ନାହିଁ । କନେଷ୍ଟବଳ ସେ ସବୁ ବତାକୁ ଓପାଡ଼ି ଫିଙ୍ଗି ଦେଲା । ଆଲ୍ଲାଉଦିନ ଗ୍ରାମରେ ପହଞ୍ଚି ଦେଖିଲା ବତା ନାହିଁ । ଓପଡ଼ା ହୋଇ ଏଣେତେଣେ ଫିଙ୍ଗା ହୋଇଛି । କଥା ବୁଝୁ ବୁଝୁ ଜଣା ପଡ଼ିଲା ପୋଲିସ୍‌ ଆସିଥିଲା , ଏସବୁ ଫିଙ୍ଗା ଫୋପଡ଼ା କରି ଯାଇଛି । କିଏ ପୋଲିସ୍‌କୁ ଖବର ଦେଲା ବୋଲି ଜାଣିବାକୁ ଚେଷ୍ଟା କଲା । ଜଣା ପଡ଼ିଲା ସୂର୍ଯ୍ୟସେଣ ପୋଲିସ୍‌କୁ ଖବର ଦେଇଛି ବୋଲି । ଆଲ୍ଲାଉଦିନ ରାଗିକି ପଞ୍ଚମ , ଭଜା ଶୁଖିଲା ଲଙ୍କା ପରି ପ୍ରତୀୟମାନ ହେଲା । ପଣ କଲା ସୂର୍ଯ୍ୟସେଣକୁ ସଂହାର କରିବ । ଖୋଜି ବୁଲିଲା ସୁଯୋଗ । 


    ଦିନେ ଆର ଗାଁରୁ ସାଇକେଲ୍‌ରେ ଫେରୁଥିଲେ ସୂର୍ଯ୍ୟସେଣ । ଓଡ୍ର ଗ୍ରାମରେ ପହଞ୍ଚିବାକୁ ଆଉ ଅଧକିଲୋମିଟର ରାସ୍ତା ଥାଏ । ହଠାତ୍ ରାସ୍ତା ମଝିରେ ଅଟକାଇ ଦେଲେ ସାଇକେଲ । କାରଣ ଆଗରେ ଛିଡ଼ା ହୋଇଥିଲା ଆଲ୍ଲାଉଦିନ । ଅମାପ ଭୟ ସଞ୍ଚରଣ ହେଉଥିଲେ ବି ସାହସର ସହିତ ପଚାରିଲେ - ମୋ' ରାସ୍ତା ଅଟକେଇଲ କ'ଣ ପାଇଁ ? ଆଲ୍ଲାଉଦିନ କହିଲା - ଏ ରାସ୍ତା କ'ଣ ତୋ ବୋପାର ? ସୂର୍ଯ୍ୟସେଣ କିଛି ବୁଝି ପାରୁ ନଥିଲେ । କହିଲେ - ମାନେ ? ବୁଝି ପାରିଲିନି । ଆଲ୍ଲାଉଦିନ କହିଲା - ସବୁ ପ୍ରଶ୍ନର ଉତ୍ତର ନଥାଏ କି ସବୁ କଥା କେହି ବୁଝି ପାରନ୍ତିନି । ସୂର୍ଯ୍ୟସେଣ କହିଲେ - କ'ଣ କହିବାକୁ ଚାହଁ ? ମୋ' ରାସ୍ତା ଛାଡ଼ ମୁଁ ଯିବି । ଆଲ୍ଲାଉଦିନ କହିଲା - ଯିବ ତ ନିଶ୍ଚୟ , ଓଡ୍ର ଗ୍ରାମକୁ ନୁହେଁ । ସୂର୍ଯ୍ୟସେଣ କହିଲେ - କ'ଣ ଧମକ ଦେଉଛ ? ଆଲ୍ଲାଉଦିନର ଉତ୍ତର ଥିଲା - ନା, ଏ ଆଲ୍ଲାଉଦିନ କେବେ ଧମକ ଦିଏନି । ଚମକ ଦେଖାଏ । ସୂର୍ଯ୍ୟସେଣ ସମ୍ପୂର୍ଣ୍ଣ ଭୟଭୀତ ହୋଇ ସାରିଥା'ନ୍ତି । ଆଲ୍ଲାଉଦିନ ଅଣ୍ଟାରୁ କଟରା କାଢ଼ି ହାତରେ ଘସିବାକୁ ଲାଗିଲା ଏବଂ କହିଲା - ମୋ' ନାଁରେ ପୋଲିସ୍‌ରେ ଖବର ଦେବାକୁ ସାହସ କେମିତି ହେଲା ? ସୂର୍ଯ୍ୟସେଣ କହିଲେ - ମୁଁ ଯାହା କରିଛି ଠିକ୍‌, ସେ ଜାଗା ଦଖଲ ନ ହେବାକୁ ଅର୍ଡ଼ର ହୋଇଛି । ଆଲ୍ଲାଉଦିନ କହିଲା - ଅର୍ଡର ! ହେଲେ ତୁ କିଏ ? ସେ ଜାଗାର ମାଲିକ ? ମୋ' ନାଁରେ କହିଲୁ ମାନେ ତିନି ପାଞ୍ଜିରୁ ଗଲୁ । ଭିଡ଼ି ଆଣି ଚୋଟ ପରେ ଚୋଟ ମାରି ଚାଲିଲା । ସେଇଠି ଟଳି ପଡ଼ିଲେ ସୂର୍ଯ୍ୟସେଣ । ସେ ସ୍ଥାନ ଛାଡ଼ି ଚାଲିଗଲା ଆଲ୍ଲାଉଦିନ । 


    ଚାରିଆଡ଼େ ଖେଳିଗଲା ଚାଞ୍ଚଲ୍ୟ , ସୃଷ୍ଟି ହେଲା କୋକୁଆ ଭୟ । ଆଲ୍ଲାଉଦିନ ହତ୍ଯା କରିଛି ସୂର୍ଯ୍ୟସେଣଙ୍କୁ , ଏକଥା ପ୍ରବଳ ବେଗରେ ବ୍ଯାପି ଗଲା ଅଞ୍ଚଳ ସାରା । ସେପଟେ ଶିଖ୍‌ ସମ୍ପ୍ରଦାୟ ସୂର୍ଯ୍ୟସେଣଙ୍କ ହତ୍ଯା ଖବର ପାଇ ମର୍ମାହତ ହେବା ସହିତ ରାଗରେ ରକ୍ତଚାଉଳ ରଗଡ଼ିବାରେ ଲାଗିଥିଲେ । ପରିବାର ଲୋକେ ଶିଖ୍‌ ସାହି ବାସିନ୍ଦାଙ୍କର ପ୍ରରୋଚନାରେ ପଡ଼ି ଥାନାରେ ଏତାଲା ଦେଲେ । ପୋଲିସ୍‌ ଖୋଜି ବୁଲିଲା ହତ୍ଯାକାରୀ ଆଲ୍ଲାଉଦିନକୁ । ଚାଲିଲା ତନାଘନା ଅପରେସନ । ଆଲ୍ଲାଉଦିନକୁ ନ ପାଇ ଘୋଷଣା କଲା ପୋଲିସ୍‌ ଆଲ୍ଲାଉଦିନକୁ ଫେରାର୍‌ ଆସାମୀ । କିଛିଦିନ ପରେ ଅନତି ଦୂରରେ ଥିବା ଏକ ବଜାର ଅଞ୍ଚଳରୁ ଆଲ୍ଲାଉଦିନକୁ ଗିରଫ କଲା । କୋର୍ଟ୍‌ରେ ହାଜର ହେଲା ଆଲ୍ଲାଉଦିନ । କୋର୍ଟ୍‌ ଅର୍ଡର୍‌ ଅନୁସାରେ ଆଲ୍ଲାଉଦିନକୁ ହତ୍ଯା ଅଭିଯୋଗରେ ପାଞ୍ଚବର୍ଷ ଜେଲ୍‌ ଦଣ୍ଡ ଦିଆଗଲା । ଆଲ୍ଲାଉଦିନ ଜେଲ୍‌ ଯିବା ପରେ ଅଞ୍ଚଳବାସୀ ଟିକେ ଆଶ୍ବସ୍ତି ହେଲେ । 


   ଏହା ପରେ ପରେ ଗ୍ରାମରେ ଥିବା ସମ୍ପ୍ରଦାୟଙ୍କ ମଧ୍ୟରେ ବିଭେଦ ଫଳରେ ଚାରି ସମ୍ପ୍ରଦାୟ ଚାରି ଦଳ ହୋଇ ଛିଡ଼ା ହେଲେ । ଗାଁ ବିଭାଜନ ପରେ ବିଭ୍ରାଟ ସୃଷ୍ଟି ହେଲା । କେହି କାହା ମୁହଁକୁ ଅନେଇଲେ ନାହିଁ । କାନ୍ଧକୁ କାନ୍ଧ ମିଳାଇ ଚଳୁଥିବା ଗ୍ରାମବାସିନ୍ଦାଙ୍କର ଏବେ ଶନି ଗ୍ରହ ପଡ଼ିଗଲା । ଟିକେ କଥାରେ ମାର୍‌ଧର୍‌ ଓ ଠେଙ୍ଗାବାଡ଼ି ଉଠାଉଠି ଚାଲିଲା । ଗ୍ରାମରେ ଲାଗି ରହିଲା ଅଶାନ୍ତି । ଆସିଲା ଗଣେଶ ପୂଜା ସମୟ । ଠାଆକୁ ଠାଆ ସୁନ୍ଦର ମେଢ଼ ଉପରେ ଗଜାନନଙ୍କର କମନୀୟ ରୂପକାନ୍ତି , ଗାଁଟା ସାରା ରଙ୍ଗୀନ ଆଲୋକରେ ଝଲସି ଉଠୁଥିଲା । ଡ଼ାକବାଜି ଯନ୍ତ୍ରର କାନଫଟା ଗର୍ଜନରେ ଫାଟି ପଡୁଥିଲା ଗାଆଁ ଗୋଟାକ । ଆତସବାଜିର ଠୋ' ଠୋ' ଗର୍ଜନ କାନଗିରି ଫଟାଇ ପକାଉଥିଲା । ସମସ୍ତେ ଭାବ ଓ ଭକ୍ତିରେ ଗଦଗଦ ହୋଇ ଯେମିତି ଗଣପତିଙ୍କ ପାଖରେ ନିଜକୁ ସମର୍ପଣ କରି ଦେଇଥିଲେ । ଗାଁ ସାରା ଭୋଜିଭାତର ଆସର , ଅହେତୁକ ଆନନ୍ଦରେ ବିଭୋର ଓଡ୍ର ଗ୍ରାମର ସମସ୍ତ ହିନ୍ଦୁ ସମ୍ପ୍ରଦାୟ । ବ୍ରାହ୍ମଣଙ୍କ ମନ୍ତ୍ରପାଠ ସାଙ୍ଗକୁ ଘଣ୍ଟଘଣ୍ଟାର ନିନାଦ ଆଧ୍ଯାତ୍ମିକ ଭାବଧାରାକୁ ଯେମିତି ପରିପ୍ରକାଶ କରୁଥିଲା , ନାମ ସଙ୍କୀର୍ତ୍ତନ ଏବଂ ମେଳା ଆୟୋଜନ ଭକ୍ତିଧାରାର ପ୍ରମାଣ ପ୍ରଦାନ କରୁଥିଲା । ଭକ୍ତ ଓ ଭଗବାନ ଯେମିତି ଏକାକାର ହୋଇଯାଇଥିବାର ମନେ ହେଉଥିଲା । ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ଭୋଜିଭାତରେ ମଜ୍ଜି ଯାଇଥିଲେ ହିନ୍ଦୁ ସମ୍ପ୍ରଦାୟ । ସରିଲା ଗଣେଶ ପୂଜା , ଆସିଲା ଭସାଣି ଉତ୍ସବ । କୌଣସି ଏକ କାରଣରୁ ମେଢ଼ ଭସାଣିକୁ ନେଇ ହିନ୍ଦୁ ଏବଂ ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକମାନଙ୍କ ମଧ୍ୟରେ ଲାଗିଲା ପାଟିତୁଣ୍ଡ । ଚାହୁଁ ଚାହୁଁ ସୃଷ୍ଟି ହେଲା ମହାଯୁଦ୍ଧ । ଉଠିଲା ଠେଙ୍ଗାବାଡ଼ି, ଫାଟିଲା ମୁଣ୍ଡ । ଖଣ୍ଡା-କଟୁରୀ ବି ବାଦ୍‌ ପଡ଼ିନି , ରକ୍ତର ବନ୍ଯା ସୃଷ୍ଟି ହେଲା । ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ମଧ୍ୟରୁ ଦୁଇଜଣ ଅକାଳରେ ଝଡ଼ି ପଡ଼ିଲେ । ଉଭୟ ଦଳ ରକ୍ତାକ୍ତ , ଅନେକ ଲୋକ ହେଲେ ଆହତ । ହିନ୍ଦୁ ସମ୍ପ୍ରଦାୟର ବି ଜଣେ ମୃତ୍ୟୁ ହେଲା । 


   ଦଙ୍ଗା ବଢ଼ିଲା ପଛେ କମିବାର ନାଁ ଧରିଲାନି । ଖବର ପାଇ ସୁଭଦ୍ରାପ୍ରସାଦ ଫାଣ୍ଡି ଅଧିକାରୀ ସଦଳବଳେ ପହଞ୍ଚି ଗଲେଣି ଓଡ୍ର ଗ୍ରାମରେ । ଉଭୟ ଦଳଙ୍କୁ ବହୁ କଷ୍ଟରେ ରୋକାଗଲା । ବୁଝାସୁଝା କରି ଉଭୟପଟର ମୁରବୀଙ୍କୁ ବସାଇ ଗ୍ରାମରେ ଚାରିରା ଏକ ଆଲୋଚନା ଚକ୍ର । ହିନ୍ଦୁ ସମ୍ପ୍ରଦାୟର ମୁରବୀ ଜଟାଧାରୀ ଝପଟସିଂହ ଏବଂ ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକଙ୍କ ମୁରବୀ ଥିଲେ ଯବନ । ଗ୍ରାମ ସଭା ମଣ୍ଡପରେ ବସି ଚାଲିଲା ବିଚାର ଓ ଆଲୋଚନା । କ'ଣ ପାଇଁ କଳିର ସୃଷ୍ଟି ପଚରାଗଲା । ଜଟାଧାରୀ କହିଲେ - ଆମ ଗାଁର ପ୍ରତିବର୍ଷ ଭଳି ଏ ବର୍ଷ ବି ଗଣେଶ ପୂଜା ଧୂମ୍‌ଧାମ୍‌ରେ ଚାଲିଥିଲା । ଆମ ଗାଁରେ ସବୁବର୍ଷ ପାଞ୍ଚ ଜାଗା ଗଣେଶ ପୂଜା ହୁଏ , ଏବର୍ଷ କିନ୍ତୁ ତିନି ଜାଗା ହୋଇଥିଲା । ଗୁଡ଼ିଆ ସାହିରେ, ତେଲି ଓ ତନ୍ତୀ ମାନଙ୍କ ମିଳିତ ସହଯୋଗରେ ଦୁଇ ଜାଗା ହୋଇଥିଲା ଏବର୍ଷ । ଆଉ ଏ ଗଣେଶ ପୂଜାଟି ଗ୍ରାମ ତରଫରୁ ସ୍ବତନ୍ତ୍ର ଆୟୋଜନରେ ବଡ଼ ଆକାରରେ ପ୍ରତିବର୍ଷ ଭଳି ଏବର୍ଷ ବି ହୋଇଥିଲା । ମେଢ଼ ବିସର୍ଜନ ଗୁଡ଼ିଆ ସାହି ବାଲା ପ୍ରଥମେ କରିଦେଲେ , ଯାହା ଏତେ ସରଗରମ ନଥିଲା । ତା'ପରେ ସାଧାରଣ ଜାକଜମକ ସହିତ ତେଲି ଓ ତନ୍ତୀ ମାନଙ୍କର ମୂର୍ତ୍ତି ବିସର୍ଜନ ହେଲା । କିନ୍ତୁ ଗ୍ରାମ ତରଫରୁ ଗଣେଶ ପୂଜାର ମୃର୍ତ୍ତି ବିସର୍ଜନ ବେସ୍‌ ଭଲ ଭାବରେ ମାତ୍ରାଧିକ ଅର୍ଥ ବ୍ଯୟରେ କରିବାକୁ ନିଷ୍ପତ୍ତି ନିଆ ଗଲା । 


     ଫାଣ୍ଡି ଅଧିକାରୀ କହିଲେ - ବାସ୍‌, କ'ଣ ହେଲା ସେଇଠୁ ? ଦ୍ବନ୍ଦର ସୂତ୍ରପାତ କେଉଁଠୁ ଆରମ୍ଭ ହେଲା ଓ କିଏ କଲା ? ଜଟାଧାରୀ କହିଲେ - ମୁଁ ତ ଭଲ ଭାବରେ ଜାଣିନି, ତଥାପି ଯାହା ଶୁଣିଛି କହୁଛି । ଏମାନେ ବିସର୍ଜନ କରିବାକୁ ଗଲା ବେଳେ ଖ୍ରୀଷ୍ଟିୟାନ ସାହିର ମଙ୍ଗୁଳୁ ମାଇକ୍‌ ବନ୍ଦ କରିବା ପାଇଁ କହିଲା । ଏତେ ଜୋର୍‌ରେ ସାଉଣ୍ଡ୍‌ କରି ଏପଟେ ଯାଇ ପାରିବ ନାହିଁ । ଏମାନେ କହିଲେ - ଆମକୁ ମନା କରିବାକୁ ତମେ କିଏ ? ଯୁକ୍ତିତର୍କ ହୋଇଛି ବୋଲି ମୁଁ ଶୁଣିବାକୁ ପାଇଲି । ମୁଁ ଆଉ କିଛି ଜାଣିନି । ଫାଣ୍ଡି ଅଧିକାରୀ ଗଣେଶ ପୂଜାରେ ସାମିଲ୍ ଥିବା ପିଲାଙ୍କୁ ପଚାରିବାରୁ ସେମାନେ ବି ସେଇ କଥା କହିଲେ ଏବଂ ଅଭାଷାଭାଷାରେ ସେମାନେ ଆମକୁ ଗାଳି କଲେ ବୋଲି କହିଲେ । ଫାଣ୍ଡି ଅଧିକାରୀ ଯବନଙ୍କୁ ବି ପଚାରିଲେ । ଯବନ ସେଇ ଏକା କଥା କହିବା ସହ କହିଲେ - ସେମାନେ ଆଗ ଆମକୁ ଦୋ' ଅକ୍ଷରିରେ ଶୋଧିଲେ । ପରସ୍ପର ପରସ୍ପରକୁ ତମେ ଆଗ ବକାଗାଳି କରିଛ ବୋଲି କହିଲେ , ଆରମ୍ଭ ହେଲା ହଟ୍ଟଗୋଳ । ପରସ୍ପରକୁ ଦୋଷାରୋପ କରିବାର ଉଚ୍ଚଶବ୍ଦରେ ପୁଣି କମ୍ପି ଉଠିଲା ସଭା ମଣ୍ଡପ । ଫାଣ୍ଡି ଅଧିକାରୀ ସମସ୍ତଙ୍କୁ ଆୟତକୁ ଆଣି ଉଭୟ ପଟୁ ମରିଥିବା ଲୋକଙ୍କର ହତ୍ଯାକାରୀ କିଏ ବୋଲି ଜାଣିବାକୁ ପ୍ରୟାସ କଲେ । 


   ତଦାରଖ କରୁ କରୁ ପ୍ରକୃତ ଆସାମୀ ଧରା ପଡ଼ିଲେ । ଖ୍ରୀଷ୍ଟଧର୍ମାବଲମ୍ବୀ ଦୁଇଜଣଙ୍କୁ ହିନ୍ଦୁ ସମ୍ପ୍ରଦାୟର ବେଣୁପାଣି ବଳ ଏବଂ ପିକ ପ୍ରଧାନ ହତ୍ଯା କରିଥିବା ବେଳେ ହିନ୍ଦୁ ସମ୍ପ୍ରଦାୟର ଗୋମତୀ ଘଡ଼େଇଙ୍କୁ ମଙ୍ଗୁଳୁ ହତ୍ଯା କରିଥିବାର ଜଣାଗଲା । ଘଟଣା ସ୍ଥଳରୁ ବେଣୁପାଣି ବଳ ଓ ପିକ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ମଙ୍ଗୁଳୁ ଫେରାର୍‌ ଥିଲା । ଓଡ୍ର ଗ୍ରାମରେ ଗଣେଶ ପୂଜା ଓ ସରସ୍ବତୀ ପୂଜାଦି ଉତ୍ସବକୁ ବ୍ଯାନ୍‌ କରି ଦିଆଗଲା , ଏ ଗାଁରେ ଏଭଳି ଉତ୍ସବ ହେବନି କି ଗଣ୍ଡଗୋଳ ବି ହେବନି । ସମସ୍ତଙ୍କୁ ବୁଝାସୁଝା କରି ଗ୍ରାମରୁ ଗହଳି ଭାଙ୍ଗି ଯାହା ଘରକୁ ଯିଏ ଫେରି ଯିବାକୁ କହି ଫାଣ୍ଡି ଅଧିକାରୀ ଆସାମୀ ଦୁଇଜଣଙ୍କୁ ନେଇ ଚାଲିଗଲେ । ଖୋଜା ଚାଲିଲା ମଙ୍ଗୁଳୁକୁ । ରାତିଦିନ ପୋଲିସ୍‌ ପେଟ୍ରୋଲିଂ କଲା ।


   ଚାହୁଁ ଚାହୁଁ ଆସିଗଲା ଆଙ୍ଗିରସ ନାରାୟଣଙ୍କ ଯଜ୍ଞ । କୌଣସି ସମ୍ପ୍ରଦାୟ ଆଉ ସାମିଲ୍‌ ହେଲେ ନାହିଁ । କେବଳ ହିନ୍ଦୁ ସମ୍ପ୍ରଦାୟର ମିଳିତ ସହଯୋଗରେ ଉକ୍ତ ଯଜ୍ଞ କର୍ମ ସମ୍ପାଦିତ ହେଲା , କିନ୍ତୁ ପୂର୍ବ ବର୍ଷ ମାନଙ୍କ ଭଳି ଏତେ ଆଉ ସରଗରମ ହେଲା ନାହିଁ । ଯାହା ଯେମିତି ହେଉ ସରିଗଲା ଯଜ୍ଞ । ହିନ୍ଦୁ ସମ୍ପ୍ରଦାୟଙ୍କୁ ଛାଡ଼ି ଦେଲେ ଅନ୍ଯ ତିନୋଟି ସମ୍ପ୍ରଦାୟ ଚାନ୍ଦା-ଭେଦା ବି ଦେଲେନି । ସବୁ ବର୍ଷ ଭଳି ଏବର୍ଷ ବି ବହୁ ଦୂରଦୂରାନ୍ତରୁ ଛୁଟିଥିଲା ଭକ୍ତଙ୍କ ସୁଅ , କିନ୍ତୁ ଏବର୍ଷ ଏତେ ଜାକଜମକହୀନ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ସମସ୍ତେ । ସମସ୍ତଙ୍କ ମଧ୍ୟରେ ଚାଲିଥିଲା ଆଲୋଚନା - ଏବର୍ଷ ଏତେଟା ଜାକଜମକ ନାହିଁ । ଆଙ୍ଗିରସ ନାରାୟଣଙ୍କ ଯଜ୍ଞ ସରିବାର ଦୁଇଦିନ ପରେ ଢ଼ାଲୁରେ ଥିବା ଅମ୍ବିକା ଦେବୀଙ୍କ ହୋମ ହେଲା । ପ୍ରତିବର୍ଷ ସେଠି ଗୋଟିଏ ଦିନ ହୋମ , ସଙ୍କୀର୍ତ୍ତନ ହୁଏ । ଏବର୍ଷ ବି ହେଲା, କିନ୍ତୁ ହିନ୍ଦୁ ସମ୍ପ୍ରଦାୟଙ୍କ ବ୍ଯତିତ ଅନ୍ଯ ସମ୍ପ୍ରଦାୟର କୌଣସି ସହଯୋଗ ନାହିଁ । ଆଗରୁ ପ୍ରତ୍ଯେକ କାର୍ଯ୍ୟରେ କିଛି କିଛି ସହଯୋଗ କରୁଥିଲେ , ଏବେ କିନ୍ତୁ ପଛଘୁଞ୍ଚା ଦେଲେ । ତା'ପରେ ଗ୍ରାମଦେବତୀଙ୍କ ଗୋଟିଏ ଦିନ ହୋମ ହେଲା । ଅମ୍ବିକାଙ୍କ ପରଦିନ ଗ୍ରାମଦେବତୀଙ୍କ ହୋମ ହୁଏ । ଏଥର ବି ସହଯୋଗ କଲେନି । ଗ୍ରାମଦେବତୀଙ୍କ ହୋମ ସରିବା ଦିନ ଖବର ମିଳିଲା ମଙ୍ଗୁଳୁକୁ ପୋଲିସ୍‌ ଆରେଷ୍ଟ କରିଛି ।


  କିଛିଦିନ ପରେ ଉପନୀତ ହେଲା ପଣ୍ଡୁ ଓଷା । ପଣ୍ଡୁରଙ୍ଗଙ୍କ ଯଜ୍ଞ ଆରମ୍ଭ ହେଲା । ସବୁକିଛି ସାଧାରଣ ଭାବରେ ହେଲା । ହିନ୍ଦୁ ସମ୍ପ୍ରଦାୟଙ୍କ ବ୍ଯତିତ ଅନ୍ଯମାନେ ସହଯୋଗ କଲେନି କି ଚାନ୍ଦାଭେଦା ଦେଲେନି । ଯଜ୍ଞ ସରିଲା , ଗ୍ରାମସଭା ଡ଼କା ହେଲା । କେବଳ ହିନ୍ଦୁ ସମ୍ପ୍ରଦାୟ ମାନେ ସଭାରେ ଥିଲେ , ଅନ୍ଯ ତିନି ସମ୍ପ୍ରଦାୟ ସଭାକୁ ବି ଆସିଲେନି । ତେଣୁ ସଭାରେ ନିଷ୍ପତ୍ତି ହେଲା ଯେ - ସେ ଚାନ୍ଦାଭେଦା ଦେଲେନି କି ସହଯୋଗ କଲେନି । ସଭାକୁ ବି ଆସିଲେନି । ତେଣୁ ତାଙ୍କୁ ଆମ ଗ୍ରାମର ବାସିନ୍ଦା କହିବା କେମିତି ? ନିଆଁ - ପାଣି ବାଛନ୍ଦ କରିଦିଆଯାଉ ଏବଂ ଆମ ଗ୍ରାମର ସମସ୍ତ ସୁବିଧା ସହଯୋଗରୁ ତାଙ୍କୁ ବଞ୍ଚିତ କରାଯାଉ । ସେଇଆ ହିଁ ହେଲା , ଗ୍ରାମରେ ଡ଼େଙ୍ଗୁରା ପିଟାଗଲା ଯେ ଓଡ୍ର ଗ୍ରାମରେ ମୁସ୍‌ଲିମ୍‌,ଶିଖ୍‌ ଓ ଖ୍ରୀଷ୍ଟିୟାନଙ୍କ ପାଇଁ ନିଆଁ -ପାଣି ବାଛନ୍ଦ କରି ଦିଆଗଲା । ଗ୍ରାମର କୌଣସି କୋଠ ଜାଗା, ପୋଖରୀ ସେମାନଙ୍କର ବ୍ଯବହାରରେ ଲାଗି ପାରିବନି ଏବଂ ଆମ ଗ୍ରାମର ସମସ୍ତ ସୁବିଧା ସୁଯୋଗରୁ ସେମାନେ ବଞ୍ଚିତ ରହିବେ । ସମସ୍ତଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା । ସବୁ ସମ୍ପ୍ରଦାୟ ନିଜ ନିଜ ଭିତରେ ଆଲୋଚନା କରିଲେ । ଏବେ କ'ଣ କରିବା ? ଇଏ ତ ବଡ଼ ସମସ୍ୟା ହେଲା , ଆମେ ଚଳିବା କେମିତି ? ଚିନ୍ତା ବଢ଼ିଗଲା ତିନି ସମ୍ପ୍ରଦାୟଙ୍କ ମଧ୍ୟରେ , ସମସ୍ତେ ବ୍ଯତିବ୍ଯସ୍ତ ହୋଇ ପଡ଼ିଲେ । 


   ଡ଼େଙ୍ଗୁରା ବାଜିବା ପରଦିନ ଜଟାଧାରୀ ବାବୁ ଦାଣ୍ଡଘରେ ବସି ଗାଁ କୋଠର ଖର୍ଚ୍ଚବାର୍ଚ୍ଚ ହିସାବ କରୁଛନ୍ତି । ରାମାନୁଜ ବାବୁ ଆସି ପହଞ୍ଚି ଗଲେ ଜଟାଧାରୀ ଝପଟସିଂହଙ୍କ ଘରେ । ସଉପ ପଟିଟାକୁ ଦେଖେଇ ବସିବା ପାଇଁ କହିଲେ ତାଙ୍କୁ ଜଟାଧାରୀ ଝପଟସିଂହ । ଆସିବାର ଅଭିପ୍ରାୟ ପଚାରିବାରୁ ରାମାନୁଜ ବାବୁ ସଭାରେ ଘୋଷଣା କଥାକୁ ଉତ୍‌ଥାପନ କଲେ । ରାମାନୁଜ ଓ ଜଟାଧାରୀଙ୍କ ଭିତରେ କ୍ଷୁବ୍ଧତା ସୃଷ୍ଟି ହେଲା । ଗାଁ ଯାହା ନିଷ୍ପତ୍ତି ନେଇଛି ତାହାକୁ ଅଙ୍ଗୀକାର କରିବାକୁ ପଡ଼ିବ ବୋଲି ଜଟାଧାରୀ ଝପଟସିଂହ ମୁହେଁ ମୁହେଁ ଜଣାଇ ଦେଲେ । ନିରାଶରେ ରାମାନୁଜ ବାବୁ ଯିବାର କିଛି ସମୟ ପରେ ଯବନ ବାବୁ ଆସି ପହଞ୍ଚିଲେ । ସେ ବି ଏକା କଥା ଶୁଣି ନୈରାଶ୍ଯର କଳା କପଡ଼ା ମୁହଁରେ ଢ଼ାଙ୍କି ଚାଲିଗଲେ । ଯବନ ବାବୁ ଯିବାର ଦଶ ମିନିଟ୍ ନ ଯାଉଣୁ ରେହେମାନ ଚାଚା ବି ପହଞ୍ଚି ଗଲେ । ସେଇ ଗୋଟିଏ କଥା - ଗ୍ରାମବାସୀଙ୍କ ନିଷ୍ପତ୍ତି ମାନିବାକୁ ପଡ଼ିବ । ରେହେମାନ ଚାଚା ବି ଫେରି ଗଲେ ନିରାଶରେ । ସମସ୍ତେ ବାଛନ୍ଦ ହୋଇ ରହିଲେ । ସମସ୍ତେ ଯାଇ ଥାନାରେ ଅଭିଯୋଗ କଲେ । ପୋଲିସ୍‌ ଆସି ଗ୍ରାମରେ ଜଟାଧାରୀ ବାବୁଙ୍କୁ ପଚାରିଲେ । ଜଟାଧାରୀ ବାବୁ କହିଲେ - ସେମାନେ ଚାନ୍ଦାଭେଦା ଦେଲେନି କି ଗ୍ରାମର କୌଣସି କାର୍ଯ୍ୟ ତୁଲାଇବାକୁ ଆସିଲେନି , ଏମିତିକି ଗ୍ରାମସଭାରେ ବି ଯୋଗଦାନ କଲେନି । ତେବେ ସେ ଗ୍ରାମର କୌଣସି ଜିନିଷକୁ ବ୍ଯବହାର କରିବେ କେମିତି ? ପୋଲିସ୍‌ ସେମାନଙ୍କୁ ବି ପଚାରିଲା । ସେମାନେ ସଠିକ୍‌ ଉତ୍ତର ବା ଆଶାନୁରୂପ ଉତ୍ତର ଦେଇ ପାରିଲେନି । ପୋଲିସ୍‌ ତା' ବାଟରେ ଚାଲିଗଲା ।


    ଶିଖ୍‌ ସାହିର ଲୋକେ ସ୍ବ-ଅର୍ଥ ବ୍ଯୟରେ ପୋଖରୀଟିଏ ଖୋଳିଲେ ତାଙ୍କ ନିଜ ଜାଗାରେ । ଶିଖ୍‌ ସାହି ବାସିନ୍ଦା ସେହି ପୋଖରୀରେ ସ୍ନାନ ଶୌଚାଦି କାମ କଲେ । ଘରେ ଘରେ କୂଅ, ନଳକୂଅ ବସାଇଲେ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଗାଡ଼ିଆଟିଏ କରି ବ୍ଯବହାର କଲେ ଏବଂ ପ୍ରତ୍ଯେକ ଘରେ ନଳକୂଅ ବସାଇଲେ । ମୁସ୍‌ଲିମ୍‌ ସାହିର ଲୋକ ନଦୀକୁ ବ୍ଯବହାର କଲେ । କିଛି ଲୋକ ନଳକୂପ ବି ବସାଇଲେ । ଯାହାର ଯିଏ ଚଳିବାକୁ ଆରମ୍ଭ କଲେ । 


   ଦିନେ ଏକ ଅଭାବନୀୟ ଘଟଣା ଘଟିଲା । ବିରାଟ ଏକ ଝଡ଼ ଅନୁଭୂତ ହେଲା । ଚାଳଛପର ଘର ଓ ଟିଣ ଛପର ଘର ଉଡ଼ାଇ ଦେଲା । ଲୋକ ମାନେ ଖୋରା ଆକାଶ ତଳେ ଦିନ ବିତାଇଲେ । ପ୍ରଶାସନ ପରିଦର୍ଶନରେ ଆସିଲା , ଗାଁକୁ ଆସିଲା ରିଲିଫ୍ । ରିଲିଫ୍‌ ସାମଗ୍ରୀକୁ ଚାରି ଭାଗ କରି ଦିଆ ଗଲା । ହିନ୍ଦୁ ସମ୍ପ୍ରଦାୟର ଲୋକେ ନିଜ ଭାଗ ରଖି ଆଉ ତିନି ଭାଗ ତିନି ସମ୍ପ୍ରଦାୟର ସାହିକୁ ପଠାଇ ଦେଲେ । 


   କିଛିଦିନ ଗଲା ପରେ ଜେଲ୍‌ରୁ ରିଲିଜ୍ ହେଲା ଆଲ୍ଲାଉଦିନ । ଗ୍ରାମକୁ ଫେରି ଏପରି ଅବସ୍ଥା ଦେଖି ବହୁ ଜୋର୍‌ରେ ରାଗିଗଲା । ହିନ୍ଦୁ ସମ୍ପ୍ରଦାୟର ବିନାଶ କରିବାକୁ ପଣ କରି ନେଇଥିଲା ସେ । ଆଲ୍ଲାଉଦିନ ବନ୍ଦିମୁକ୍ତ ହେବାର ପନ୍ଦର ଦିନ ପରେ ଜେଲ୍‌ରୁ ବାହାରିଲେ ବେଣୁପାଣି ବଳ ଓ ପିକ ପ୍ରଧାନ । ସେମାନେ ବି ଗ୍ରାମ ବିଭାଜନ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ । ମହିଷାସୁରର ଉତ୍ପାତ୍ତରେ ସାରା ସ୍ବର୍ଗ ଭୁବନ ଥରହର ହେବା ଭଳି ଓଡ୍ର ଗ୍ରାମ ବି ଥରି ଉଠିଥିଲା ଆଲ୍ଲାଉଦିନର ପ୍ରତ୍ଯାବର୍ତ୍ତନ ପରେ । ଅଞ୍ଚଳ ସାରା ପୁଣି କୋକୁଆଭୟ ସୃଷ୍ଟି ହେଲା । ଚାରିଆଡ଼େ ଭୟର ବାତାବରଣ । ଆଲ୍ଲାଉଦିନକୁ ତା' ପିତା ରେହେମାନ ଚାଚା ବହୁତ ବୁଝାଇବା ପରେ ବି ଆଲ୍ଲାଉଦିନ ବୁଝିବା ଅବସ୍ଥାରେ ନଥିଲା । ତା' ଆଖି ଦୁଇଟା ଜଳୁଥିଲା ଯେମିତି । ପ୍ରତିଶୋଧର ଅଗ୍ନି ପିଣ୍ଡୁଳାଟି ସତେ ଯେମିତି ସବୁକିଛି ଛାରଖାର କରିଦେବା ପରି ମନେ ହେଉଥିଲା । ଗ୍ରାମରୁ ତାଙ୍କୁ ବାଛନ୍ଦ କରିଥିବା ଜଟାଧାରୀ ଝପଟସିଂହଙ୍କ ଉପରେ ବଦଲା ନେବାକୁ ମନେ ମନେ ସ୍ଥିର କରି ନେଇଥିଲା ଆଲ୍ଲାଉଦିନ ।


   ଦିନେ ଘଟିଲା ଏକ ବିରାଟ ଘଟଣା , ରାତ୍ରିର ନିର୍ଜନ ପ୍ରହରରେ ଖଣ୍ଡାୟତ ସାହିରେ ଥିବା ପ୍ରଥମ ମୁଣ୍ଡ ଘର ସଖା ସାମନ୍ତଙ୍କ ଘରୁ ଶୁଭିଲା ପାଟି । କେହି ଜଣେ ସ୍ତ୍ରୀଲୋକ ପାଟି କରି କହୁଛି - ଭାଇମାନେ ଦଉଡ଼ି ଆସ, ଗାଁ ପୋଡ଼ିଗଲା । ମୋ' ଘରେ ନିଆଁ ଲାଗିଗଲା । ସେତେବେଳକୁ ରାତ୍ରି ପ୍ରାୟ ଦୁଇଟା ହେବ । ଏତେ ରାତିରେ କିଏ ଏମିତି ଆକୁଳରେ ପାଟି କରୁଛି ? କାହା ଘର ପୋଡ଼ିଗଲା ? ସାହି ସାରା ଲୋକ ଉଠିଗଲେ । ଦେଖିଲେ ସଖା ସାମନ୍ତଙ୍କ ଘରୁ ଧୂଆଁ ଉଠୁଛି । କେହି କିଛି ଭାବିବା ବେଳକୁ ତିନି-ଚାରି ଘର ନିଆଁ ଧରି ସାରିଲାଣି । ନିଆଁ ଲିଭେଇବାକୁ ପ୍ରୟାସ କଲା ବେଳକୁ ଗାଁର ଅଧା ଲୋକ ପାଟି ଶୁଣି ଜମା ହୋଇ ସାରିଲେଣି । ନିଆଁକୁ ପାଣି ପକାଇ ଲିଭାଇଲେ । ନିଆଁ ଲିଭିରା ବେଳକୁ ଚାରି-ପାଞ୍ଚ ଘର ପୋଡ଼ି ଧୂଳିସାତ । ବହୁ କ୍ଷୟକ୍ଷତି ହୋଇ ସାରିଥିଲା । ଗ୍ରାମ ସରପଞ୍ଚ ଓ ଗ୍ରାମବାସୀନ୍ଦାଙ୍କ ସହାୟତାରେ କିଛିଟା ପୂରଣ ହୋଇଗଲା କ୍ଷତି । କିଏ ନିଆଁ ଲଗାଇଛି କେହି ବି କିଛି ଟେର୍‌ ପାଇ ପାରିଲେନି । କେମିତି ଲାଗିଲା କେହି ବି କିଛି ଜାଣି ପାରିଲେନି । ପରମୁହୂର୍ତ୍ତରେ ଇନ୍ଦିରା ଆବାସ ଯୋଜନାରେ ସେମାନଙ୍କର ଛାତଘର ବ୍ଯବସ୍ଥା ହୋଇଛି । 


  ଦିନେ ଜଟାଧାରୀ ଝପଟସିଂହ ପାଖ ଗାଁ ରଣରମଣପୁରର ହାଇସ୍କୁଲ୍‌ରୁ ସେଦିନର ଶିକ୍ଷକତା କାମ ଶେଷ କରି ଫେରିଲା ବେଳକୁ ରାସ୍ତା କଡ଼ରେ ଜଣେ କ୍ଷତବିକ୍ଷତ ହୋଇ ପଡ଼ି ରହିଥିବାର ଦେଖିଲେ । ଆଶ୍ଚର୍ଯ୍ୟ ହୋଇଗଲେ ସେ , ଏ ରାସ୍ତା କଡ଼ରେ କିଏ ଏମିତି ଅବସ୍ଥାରେ ପଡ଼ିଛି ଭାବି ସାଇକେଲ୍‌ ଷ୍ଟାଣ୍ଡ୍‌ଟାକୁ ମାରି ପାଖକୁ ଯାଇ ଦେଖିଲେ ଓଡ୍ର ଗ୍ରାମର ତେଲି ସାହିର ଜୀବଧନ । ଚକିତ ହୋଇଗଲେ, କିଏ ଏମିତି ଅବସ୍ଥା କଲା ଭାବୁଥିଲେ । ତା'ର ହାତ ଧରି ନାଡ଼ି ଚିପି ଦେଖିଲେ ଓ ନାକରେ ହାତ ମାରି ଦେଖିଲେ, ସବୁକିଛି ସ୍ତମ୍ଭୀଭୂତ । ନାଡ଼ି ଚାଲୁନି କି ନିଃଶ୍ବାସ ଯାଉନି । ଜଟାଧାରୀ ଝପଟସିଂହ ଜାଣି ପାରିଲେ ଯେ ସେ ଲୋକଟିର ପ୍ରାଣବାୟୁ ଉଡ଼ି ଯାଇଛି । ଗାଁରେ ଆସି ଖବର ଦେଲେ । ଗାଁର କିଛି ଲୋକ ଧାଇଁଗଲେ ସେ ଜାଗାକୁ । ତାଙ୍କ ପରିବାର ଲୋକ ବି ଗଲେ । ଜୀବଧନର ବଡ଼ ପୁଅ ଭଦ୍ର ବାପର ଶବକୁ କାନ୍ଧରେ ପକାଇ ଓଡ୍ର ଗ୍ରାମକୁ ଆଣିଲା, ଗାଁ ଦାଣ୍ଡରେ ପଡ଼ିଥାଏ ଶବ , ଗାଁଟା ସାରା ଲୋକ ଗଦା ହୋଇଥା'ନ୍ତି । ସବୁରି ନେତ୍ର ଛଳଛଳ । ସମସ୍ତଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ - କ'ଣ ହେଲା ? କେମିତି ମଲା ? ଜୀବଧନର ମୃତ୍ୟୁ ରହସ୍ୟ ଜାଣି ହେଉ ନଥାଏ । ପରିବାର ଓ ଆତ୍ମୀୟ ସ୍ବଜନଙ୍କର କ୍ରନ୍ଦନର ରୋଳରେ ପୂରି ଉଠୁଥାଏ ତେଲି ସାହିଟି । ଗ୍ରାମ ମଶାଣିରେ ଶବ ସତ୍କାର କରାଗଲା । ଏବେ ରହସ୍ୟ ଘେରରେ ଜୀବଧନର ମୃତ୍ୟୁ ଘଟଣା । 


  ଏମିତି ଗୋଟାଏ ପରେ ଗୋଟାଏ ଘଟଣା ସ୍ତମ୍ଭୀଭୂତ କରି ଦେଉଥାଏ ଗ୍ରାମର ବାସିନ୍ଦା ମାନଙ୍କୁ । ଆଗରୁ ସବୁକିଛି ଠିକ୍‌ଠାକ୍‌ ଥିଲା, ଗ୍ରାମ ବିଭାଜନ ପରଠାରୁ ଏଭଳି ଅଭାବନୀୟ ଘଟଣା ସବୁ ଦେଖିବାକୁ ମିଳୁଛି । କେହି ଠୋସ୍‌ ଖବର ଜାଣିପାରୁ ନଥିଲେ ମଧ୍ୟ ସମସ୍ତଙ୍କର ସନ୍ଦେହୀ ଆଖି ଆଲ୍ଲାଉଦିନ ଉପରେ ଥିଲା । ନିଜ ପ୍ରାଣକୁ ସଙ୍କଟରେ ନ ପକାଇବାକୁ ସମସ୍ତେ ନିରବତା ରକ୍ଷା କରି ଚାଲିଥିଲେ । ତୁଣ୍ଡ ଖୋଲି ପରିପ୍ରକାଶ କରିବାକୁ ଯୁ' ଜୁଟାଇ ପାରୁ ନଥିଲେ କେହି । ଭାଗ୍ୟର ବିଡ଼ମ୍ବନା ଭାବି କର୍ମକୁ ଆବୋରି ସବୁ ଦୁଃଖ ଓ ଯନ୍ତ୍ରଣାକୁ ବୋହି ଚାଲିଥିଲେ ।


   କିଛିଦିନ ପରେ ପ୍ରବଳ ବନ୍ଯା ଦେଖାଗଲା । ଗାଁ ଭିତରକୁ ମାଡ଼ି ଆସିଲା ପାଣି । ଘରେ ଘରେ ଆଣ୍ଠୁଏ ଲେଖା ପାଣି । କିଏ ଗାଁ ଛାଡ଼ି ଚାଲିଗଲା ତ କିଏ ଘରଦ୍ୱାର ଜଗି ପଡ଼ି ରହିଲା । ଗାଈ ଗୋରୁ ଛେଳି ମେଣ୍ଢା ଭାସିଗଲେ । ବହୁ ଧନ ଜୀବନ କ୍ଷୟ ହେଲା । ଏ ଅଞ୍ଚଳରେ ଏଭଳି ବନ୍ଯା କେବେ ଆସି ନଥିଲା, ଯାହା ଏବର୍ଷ ଏଇ ବନ୍ଯାଟି ଥିଲା । ଅଞ୍ଚଳଟା ସାରା ଶୋକର ଛାୟା ଖେଳିଗଲା । ବନ୍ଯା କମିଲା ପରେ ଗାଁ ଛାଡ଼ି ଯାଇଥିବା ଲୋକ ଗାଁକୁ ଫେରିଲେ । ମାଟିଘର ସବୁ ଭୁସୁଡ଼ି ପଡ଼ିଥିଲା । ଅକଳନୀୟ କ୍ଷତି ହୋଇଥିଲା । 


   ବନ୍ଯା ଛାଡ଼ିବାର ଦୁଇ-ଚାରି ଦିନ ପରେ ନେତା-ମନ୍ତ୍ରୀମାନେ ପରିଦର୍ଶନରେ ଆସିଲେ । କ୍ଷୟକ୍ଷତିର ଆକଳନ କରି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଗଲେ । ତା'ପରେ ଦୁଇ-ଚାରି ଦିନ ଗତ ହୋଇଗଲା । ଗାଁକୁ ଯଥାସମ୍ଭବ ପଲିଥିନି ଜରି, ଖାଦ୍ୟ ସାମଗ୍ରୀ ଆଦି ଆସିଲା । ପୂର୍ବ ପରି ତିନି ସମ୍ପ୍ରଦାୟଙ୍କୁ ତାଙ୍କ ଭାଗ ପଠେଇ ଦିଆଗଲା ଏବଂ ହିନ୍ଦୁ ସମ୍ପ୍ରଦାୟ ଲୋକମାନେ ତାଙ୍କ ଭାଗ ବାଣ୍ଟି ନେଇଗଲେ । ଘରଭଙ୍ଗା ସାହାଯ୍ୟ ଅନୁସାରେ ଲୋକ ମାନଙ୍କୁ ଟଙ୍କା ମିଳିଲା । ସରକାରଙ୍କ ତରଫରୁ ବିଭିନ୍ନ ସହଯୋଗ ରାଶି ଆସି ଲୋକ ମାନଙ୍କୁ ବଣ୍ଟାଗଲା । ବନ୍ଯା ଛାଡ଼ିବାର ପନ୍ଦର ଦିନ ପରେ ବିଲବାଡ଼ି ଗଣ୍ଡଗୋଳକୁ ନେଇ ଏକ ସମସ୍ୟା ଉପୁଜିଲା ବଳିୟାର ସାହୁ ଓ ତା' ସାନଭାଇ ବଲ୍ଲଭ ସାହୁ ମଧ୍ୟରେ । ଉଭୟଙ୍କ ସମସ୍ୟା ସମାଧାନ କରିବାକୁ କେହି ବି ସମର୍ଥ ହୋଇ ପାରିଲେନି । ଶେଷରେ କଥା ଯାଇ ଥାନାରେ ପହଞ୍ଚିଲା । ଥାନା ଅଧିକାରୀ ଉଭୟଙ୍କୁ ଥାନାକୁ ଡ଼ାକି ଜେରା କଲେ । ଯାହା ବି ହେଉ କଥାଟି ସମାଧାନ ହୋଇଗଲା । ଯାହା ବାଟରେ ଯିଏ ଫେରିଲେ ନିଜ ନିଜ ଘରକୁ । କିନ୍ତୁ ଘରକୁ ଆସିବା ବାଟରେ ଆଲ୍ଲାଉଦିନର ଗାଡ଼ି ବଳିୟାର ସାହୁକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ତା'ର ମୃତ୍ୟୁ ଘଟିଲା । ବଳିୟାର ସାହୁର ମୃତ୍ୟୁ ପରେ ଓଡ୍ର ଗ୍ରାମରେ ଖେଳିଗଲା ଶୋକର ଛାୟା । ବଳିୟାର ସାହୁର ଆର୍ଥିକ ସ୍ବଚ୍ଛଳତା ଏତେ ଉନ୍ନତ ନଥିବାରୁ ଥାନାରେ ଏତାଲା ଦେଇ କେସ୍‌ ଲଢ଼ିବାକୁ ଅସମର୍ଥ ପ୍ରକାଶ କଲା ତା'ର ଏକମାତ୍ର ପୁଅ କିରାଣୀ ସାହୁ । 

    

     ବାପ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ମନରେ ରାଗ ରଖିଥିବା କିରାଣୀ ସାହୁ ଦିନେ ମୁସ୍‌ଲିମ୍‌ ବସ୍ତିରେ ନିଆଁ ଲଗେଇ ଦେଲା । ନିଆଁ ଏତେ ଜୋର୍‌ରେ ବ୍ଯାପି ଯାଇଥିଲା ଯେ ଆୟତ କରିବାକୁ ଅଣାୟତ ହୋଇ ପଡ଼ିଥିଲେ ମୁସ୍‌ଲିମ୍‌ ସାହି ବାସିନ୍ଦା । ସବୁକିଛି ପୋଡ଼ି ଛାରଖାର ହୋଇଗଲା । କିଏ ନିଆଁ ଲଗେଇଲା ବୋଲି ଖୋଳତାଡ଼ ହେଲା । କିଏ ଦେଖିଛି କାହାକୁ ଯେ, କିଏ କହିବ କାହାର ନାଁ ? ମୁସ୍‌ଲିମ୍‌ ସାହି ବାସିନ୍ଦା ସରପଞ୍ଚଙ୍କୁ ଜଣାଇବାରୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗେଇ ଦିଆଗଲା । ଚାଳଘର ସବୁ ଟିଣ ଓ ଆଜ୍‌ବେଷ୍ଟ୍‌ସ୍‌ ଛପରରେ ବଦଳି ଗଲା । ଆଲ୍ଲାଉଦିନ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ କାମ ବୋଲି ଭାବି ନେଇଥିଲା ଏ ଘରପୋଡ଼ିକୁ । ଆହୁରି ରାଗ ତା' ମୁଣ୍ଡରେ ଜମାଟ ବାନ୍ଧି ରହିଥିଲା । ଧାନ ଅମଳ ସମୟ ଆସିଲା । ଓଡ୍ର ଗ୍ରାମର ପଶ୍ଚିମ ପଟେ ପ୍ରାୟ ଏକରେ ଚବିଶି ଡ଼ିସିମିଲିର ଏକ ପଡ଼ିଆ ଥାଏ । ସେହି ପଡ଼ିଆରେ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକ ଧାନ ଅମଳ କରନ୍ତି । ଧାନ କଟା ଯାଇ ସେଇଠି ଗଦା ମରା ଯାଇଥାଏ । ରାତ୍ରିର ନିର୍ଜନ ପ୍ରହରେ ଆଲ୍ଲାଉଦିନ ସେହି ଗଦାରେ ସବୁ ନିଆଁ ଲଗାଇ ଚାଲି ଆସିଲା । ସକାଳୁ ଲୋକେ କେବଳ ପାଉଁଶ ଦେଖିଲେ ।


   ଚାଷୀମାନେ ମଥାରେ କର ଥାପି ବସିଲେ । ଝରିଗଲା ଅଶ୍ରୁ ନିର୍ଝର , ଶୁଭୁଥିଲା କ୍ରନ୍ଦନର ସ୍ବର । ବର୍ଷକର ଖାଦ୍ଯ ଚାଲିଗଲା ବୋଲି ବାହୁନି କାନ୍ଦୁଥିଲେ ଚାଷୀମାନେ । କିନ୍ତୁ କିରାଣୀ ସାହୁକୁ ଭଲ ଭାବରେ ମାଲୁମ୍‌ ହୋଇଯାଇଥିଲା ଯେ, ଏସବୁ କାମ ମୁସ୍‌ଲିମ୍‌ ବସ୍ତି ଲୋକଙ୍କର । ସେ ଆହୁରି ରାଗରେ ଜଳିଗଲା । ଗ୍ରାମ ମୁରବୀ ଜଟାଧାରୀ ବାବୁଙ୍କୁ ଜଣାଇଲା । ଜଟାଧାରୀ ବାବୁ କହିଲେ - ମୁଁ ଜାଣିଛି ବହୁ ଚାଷୀଙ୍କର ଧାନ କଳେଇ ପୋଡ଼ି ଯାଇଛି । ମୁଁ ବି ମର୍ମାହତ । ମୁଁ ସରପଞ୍ଚ ନିଧି ସାହୁଙ୍କୁ ଫୋନ୍‌ କରିଥିଲି , ସେ କିଛି ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସରକାରୀ ସହାୟତା ମିଳିବ । କିନ୍ତୁ କିଏ ନିଆଁ ଲଗାଇଲା କେମିତି ଜାଣିବା ? କିରାଣୀ ସାହୁ କିଛି କହିବାକୁ ଯାଇ ଛେପ ଢ଼ୋକି ଅଟକି ଯାଇ ହଉ ବୋଲି କହି ଚାଲି ଆସିଲା ।


   କିଛିଦିନ ଗତ ହେବା ପରେ ହୋଲି ଦିନ ଜେଲ୍‌ରୁ ବାହାରିଲା ମଙ୍ଗୁଳୁ । ଗାଁରେ ପହଞ୍ଚି ସମସ୍ତ ଘଟଣା ଶୁଣି ବିସ୍ମିତ ହେଉଥିଲା । ଏତେସବୁ ଘଟଣା ଘଟିଛି ଶୁଣି ତାକୁ ଯେମିତି ନୂଆ ନୂଆ ଲାଗୁଥିଲା । ମଙ୍ଗୁଳୁ ଫେରିବା ପରେ ଖ୍ରୀଷ୍ଟିୟାନ ସାହିରେ ଖୁସିର ବାତାବରଣ ଖେଳି ଯାଇଥିଲା । ସମସ୍ତଙ୍କ ସହିତ ଆଳାପ ଭିତରେ ବାକି ଯାହା ଥିଲା, ସବୁକିଛି ବୁଝି ଯାଇଥିଲା ମଙ୍ଗୁଳୁ । ଓଡ୍ର ଗ୍ରାମର ଏ ପ୍ରକାର ପରିବର୍ତ୍ତନ ବ୍ଯଥିତ କରି ପକାଇ ଥିଲା ମଙ୍ଗୁଳୁକୁ । ସେ ଏକ ନୂଆ ପ୍ରକାରର ଚିନ୍ତାଧାରାରେ ଗତି କରିବାକୁ ଲାଗିଲା । ହିଂସା, ଦ୍ବେଷର ଦୂରୀକରଣାର୍ଥେ ଉପାୟ ଚିନ୍ତା କରୁଥିଲା ମଙ୍ଗୁଳୁ । କେମିତି ପୂର୍ବ ପରି ପୁଣି ସୃଷ୍ଟି କରିପାରିବ ଭାଇଚାରାର ସମ୍ପର୍କ , ସେହି ଚିନ୍ତା ଘାରୁଥିଲା ମଙ୍ଗୁଳୁକୁ । ଜେଲ୍‌ରୁ ଫେରିବା ପରେ ସତେ ଯେମିତି ବଦଳି ଯାଇଥିଲା ମଙ୍ଗୁଳୁ । ଉଚ୍ଚ ଚିନ୍ତାଧାରାରେ ଗତି କରୁଥିଲା ସେ । 


  ମୁସ୍‌ଲିମ୍‌ ବସ୍ତିରେ ବସ୍ତି ବାସିନ୍ଦାଙ୍କ ସଭାରେ ନିଷ୍ପତ୍ତି କ୍ରମେ ମୁସ୍‌ଲିମ୍‌ ବସ୍ତିଟି ଓଡ୍ର ଗ୍ରାମର ପରିଚୟ ନେଇ ରହିବାକୁ ଆଉ ଇଚ୍ଛା ପ୍ରକାଶ ନ କରି ନିଜର ଏକ ସ୍ବତନ୍ତ୍ର ଗ୍ରାମ କରିବାକୁ ପ୍ରସ୍ତୁତ ହେଲେ । ସରକାରୀ ସ୍ତରରେ କାଗଜପତ୍ରରେ ବି ଧାଁ ଧଉଡ଼ କରି ଏକ ନୂତନ ନାମକରଣ କଲେ । ମୁସ୍‌ଲିମ୍‌ ବସ୍ତିଟି ଏବେ ନୂତନ ନାମକରଣରେ ପୀରପଲ୍ଲୀ ନାମରେ ନାମିତ । ମୁସ୍‌ଲିମ୍‌ ବସ୍ତିର ସ୍ବତନ୍ତ୍ର ଗ୍ରାମ ଗଠନକୁ ଲକ୍ଷ୍ୟ କରି ଶିଖ୍‌ ସମ୍ପ୍ରଦାୟର ଲୋକମାନେ ବି ଓଡ୍ର ଗ୍ରାମରୁ ସମ୍ପର୍କ ତୁଟାଇ ତାଙ୍କ ବସ୍ତିକୁ ନୂତନ ନାମରେ ପରିଣତ କଲେ । ଶିଖ୍‌ ସମ୍ପ୍ରଦାୟର ଗ୍ରାମର ନାମ ପାଟଣା । କିନ୍ତୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ନାମ ପରିବର୍ତ୍ତନ ନ କରି ଅପରିବର୍ତ୍ତିତ ରହିଥିଲେ । 


     ଦିନେ ମଙ୍ଗୁଳୁ ଏକ ଭଲ ଉଦ୍ଦେଶ୍ଯ ଓ ଚିନ୍ତାଧାରା ନେଇ ଜଟାଧାରୀ ଝପଟସିଂହଙ୍କ ନିକଟକୁ ଗଲା । ମନ୍ଦିର,ମସ୍‌ଜିଦ୍‌,ଚର୍ଚ୍ଚ୍‌ ଓ ଗୁରୁଦ୍ୱାର ପାଇଁ ଉପୁଜିଥିବା ଦ୍ବନ୍ଦ ବିଷୟରେ ଆଲୋଚନା କଲା । ମଙ୍ଗୁଳୁ କହିଲା - ଆଜ୍ଞା ! ଯାହା ହେବାର ତ ହେଲାଣି । ପୁଣି ଆମେମାନେ ଏକାଠି ହେଲେ କେମିତି ହୁଅନ୍ତା ? ଜଟାଧାରୀ କହିଲେ - ନା, ଆଉ ସମ୍ଭବ ନୁହେଁ । ଏ ଗ୍ରାମବାସିନ୍ଦା ଏ ପ୍ରସ୍ତାବରେ ଆଉ ରାଜି ହେବେନି । ବହିଗଲା ପାଣି ଆଉ ପଛକୁ ଫେରିବାର ଦେଖିଛ କି ? ମଙ୍ଗୁଳୁ କହିଲା - ଆମରି ହାତରେ ଛୁରୀ, ଆଉ ଆମରି ହାତରେ ତରଭୁଜ । ଆମେ ହିଁ ଚାହିଁଲେ ସବୁ ସମ୍ଭବ । ଆପଣ ଟିକେ ଚେଷ୍ଟା କରନ୍ତୁ । ଜଟାଧାରୀ ଉତ୍ତର ଦେଲେ - ମୋ' ହାତରେ କିଛି ନାହିଁ, ସବୁକିଛି ଗ୍ରାମବାସୀଙ୍କ ହାତରେ । ଏ ଯୋଉ ଝଞ୍ଜା ବହି ଯାଇଛି, ତାହା ଅପୂରଣୀୟ । ତା' ଛଡା ତମେ ତମ କଥା କହିଦେଲ, ସେମାନେ ତାଙ୍କ କଥା କହିଲେଣି କି ? ମଙ୍ଗୁଳୁ ଟିକେ ନିରବ ରହି କହିଲା - ତାଙ୍କ କଥା ମୋତେ ଲାଗିଲା । ମୁଁ ସେମାନଙ୍କୁ କହିବି । କିଛି ଗୋଟେ ସମାଧାନ କରି ପୁଣି ଏକାଠି ହେବା । ଜଟାଧାରୀ କହିଲେ - ହଉ , ଆଗ ଚେଷ୍ଟା କର । ତା'ପରେ ଦେଖିବା । ପୁଣି ଯଦି ହୃତ ଶାନ୍ତି ଫେରି ଆସିବ ତେବେ ମୁଁ ବା କ'ଣ ପାଇଁ ମନା କରିବି ? ମଙ୍ଗୁଳୁ ଚାଲିଗଲା ତା'ବାଟରେ । 


  କିଛିଦିନ ଗଲା ପରେ ଗ୍ରାମସଭା ଡ଼କାଗଲା । ମଙ୍ଗୁଳୁ କହିଥିବା କଥା ସବୁ ଆଲୋଚନା ପରିସର ଅନ୍ତର୍ଭୂକ୍ତ ହେଲା । ଗ୍ରାମବାସୀ ପ୍ରଥମେ ଅରାଜି ଥିଲେ । ଜଟାଧାରୀ ଝପଟସିଂହ ବୁଝାସୁଝା କରିବା ପରେ ପୁନଃ ଶାନ୍ତି ପ୍ରତିଷ୍ଠା ପାଇଁ ରାଜି ହେଲେ ସମସ୍ତେ । ଏ ଦାୟିତ୍ୱ ଗ୍ରହଣ କଲେ ନିଜେ ଜଟାଧାରୀ ଝପଟସିଂହ । ସେପଟେ ଖ୍ରୀଷ୍ଟିୟାନ ବସ୍ତିର ସଭାରେ ମଙ୍ଗୁଳୁ ଏକଥା ଉପସ୍ଥାପନ କରିବାରୁ ଯବନ ବେସ୍‌ ଖୁସି ହୋଇ ମଙ୍ଗୁଳୁ କଥାରେ ସମ୍ମତି ପ୍ରଦାନ କଲେ । ମଙ୍ଗୁଳୁ ଗଲା ଶିଖ୍‌ ବସ୍ତିକୁ । ସେମାନଙ୍କୁ ଏସବୁ ବୁଝାଇଲା , ସେମାନେ ପ୍ରଥମେ ଅରାଜି ଥିଲେ । କିନ୍ତୁ ପରେ ସମ୍ମତି ପ୍ରଦାନ କଲେ । ପାଖରେ ଗୁରୁଦ୍ୱାର ହେବ ଜାଣି ଖୁସି ହେଲେ । ଆଲ୍ଲାଉଦିନର ଭୟରେ ମୁସ୍‌ଲିମ୍‌ ବସ୍ତିକୁ ଯିବା ପାଇଁ କାହାର ବି ସାହସ ହେଲାନି ।


  ହିନ୍ଦୁ-ଶିଖ୍‌-ଖ୍ରୀଷ୍ଟିୟାନ - ଏହି ତିନି ସମ୍ପ୍ରଦାୟର ଲୋକ ପରସ୍ପର ମଧ୍ୟରେ ଆଲୋଚନା ସମାଲୋଚନା ପୂର୍ବକ ଟୁପୁରୁଟାପୁରୁ ହେଲେ । ପ୍ରତି ସମ୍ପ୍ରଦାୟରେ ଏହି କଥା ଉପରେ ଆଲୋଚନା ଚାଲିଲା । ଧିରେ ଧିରେ କଥା ମୁସ୍‌ଲିମ୍‌ ସମ୍ପ୍ରଦାୟ ଲୋକମାନେ ଜାଣିବାକୁ ପାଇଲେ । ଆଲ୍ଲାଉଦିନର କାନକୁ ଏକଥା ଆସିବା ପରେ ସେ ନିଜ କ୍ରୋଧକୁ ରୋକି ପାରିଲାନି । ସେ କହିଲା - ଆମେ ମସ୍‌ଜିଦ୍‌ କରିବାକୁ ସ୍ଥିର କରିଥିଲୁ, ସେମାନେ ସେଠି ଗୁରୁଦ୍ୱାର, ଚର୍ଚ୍ଚ, ମନ୍ଦିର କରିବାର ନିଷ୍ପତ୍ତି ନେଲେ ! ନା, କଦାପି କରାଇ ଦେବିନି ।


  ଆଲ୍ଲାଉଦିନ ରାଗରେ ଜଳିବାକୁ ଲାଗିଲା । ଗର୍ଜନ କରି କହୁଥିଲା - ଏସବୁ ସେଇ ହିନ୍ଦୁ ସମ୍ପ୍ରଦାୟର ହୀନଚକ୍ରାନ୍ତ । ସେମାନେ ସମସ୍ତଙ୍କୁ ମତେଇ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଆମ ମୁସ୍‌ଲିମ୍‌ ସମ୍ପ୍ରଦାୟ ପ୍ରତି ଏ ଷଡ଼ଯନ୍ତ୍ରକୁ ଆଲ୍ଲାଉଦିନ ବରଦାସ୍ତ କରି ପାରିବନି । ଛାଡ଼ିବିନି କାହାକୁ , ହିନ୍ଦୁ ରକ୍ତର ସ୍ବାଦ ଚାଖିବାକୁ ବ୍ଯଗ୍ର ହେଉଥିବା ମୋ' କଟରାର ଅଭିପ୍ସା ନିଶ୍ଚୟ ପୂରଣ କରିବି । ଆଲ୍ଲାଉଦିନର ଗର୍ଜନରେ ସତେ ଯେପରି ଥରି ଉଠୁଥିଲା ବସୁମାତା । ହାତରେ ଧରିଥିବା କଟରାଟାକୁ କଟୀଦେଶରେ ଖୋସି ଦେଇ ପୀରପଲ୍ଲୀରୁ ବାହାରି ଗଲା ଆଲ୍ଲାଉଦିନ ।


  ପାଟଣା ବସ୍ତିରେ କିଛି ଲୋକଙ୍କ ଭିତରେ ଏମିତି ସାଧାରଣ ଭାବରେ ଆଲୋଚନା ଚାଲିଥିଲା । ଶିଖ୍‌ ସମ୍ପ୍ରଦାୟର କିଛି ଜଣ ବ୍ଯକ୍ତି ଏକ ବରଗଛ ଚାନ୍ଦିନୀ ପାଖରେ ବସି ଆଲୋଚନାରେ ମଗ୍ନ ଥିଲେ । ଗୁରୁଦ୍ୱାର ହେବାର ଜାଣି ପ୍ରୀତ ଥିଲେ ସମସ୍ତେ । ଏହି ସମୟରେ ହଠାତ୍‌ ଆସି ପହଞ୍ଚିଲା ଆଲ୍ଲାଉଦିନ । ଆଲ୍ଲାଉଦିନକୁ ଦେଖି ସମସ୍ତେ ଭୟଭୀତ ହୋଇଥିଲେ ବି ଦମ୍ଭର ସହିତ ତା' ସହ କଥା ହେଉଥିଲେ । ଆଲ୍ଲାଉଦିନ ପଚାରିଲା - କ'ଣ ସେଠି ଗୁରୁଦ୍ୱାର କରିବାର ଆଲୋଚନା କରୁଛ ?ଜଣେ ବ୍ଯକ୍ତି - ନାଇଁ ଆଜ୍ଞା, ଏମିତି..... ଆଲ୍ଲାଉଦିନ କହିଲା - ସେ ଜାଗାରେ କେବଳ ମସ୍‌ଜିଦ୍‌ ହେବ, ଅନ୍ଯ କିଛି ନୁହଁ । ସେଠି ଆଖି ପକେଇଲେ କିଛି ଭଲ ହେବନି କହି ଦେଉଛି । ତେଣୁ ନିବୃତ ରହିବାକୁ ପଡ଼ିବ ତୁମ ମାନଙ୍କୁ । ହଁ, କାଉ ଅତି ଚାଲାକ୍‌ ହେଲେ ଅଭକ୍ଷ ଭକ୍ଷେ । ବେଶି ଚାଲାକି କଲେ ମୁଁ ନୁହେଁ, ମୋ' କଟରା କଥା କହିବ । ବୁଝିଲ ସମସ୍ତେ ? ଆସୁଛି , ମୋ' କଥା ଯେମିତି ମନେ ରହେ । ଆଲ୍ଲାଉଦିନ ଚାଲିଗଲା । ଏକଥା ଶିଖ୍‌ ସମ୍ପ୍ରଦାୟର ମୁଖିଆଙ୍କ କାନରେ ପଡ଼ିବାକୁ ବିଳମ୍ବ ହୋଇ ନଥିଲା । ପାଟଣାରେ ଖେଳି ଗଲା ଭୟର ବାତାବରଣ । 


   ରାମାନୁଜ ବାବୁ ଏକଥା କହିଲେ ମଙ୍ଗୁଳୁକୁ । ମଙ୍ଗୁଳୁ କହିଲା - ସେ ଆଲ୍ଲାଉଦିନର ଭୟ ଆମକୁ ଅସ୍ତବ୍ୟସ୍ତ କରି ଦେଲାଣି । ଆମ ବସ୍ତିକୁ ବି ସେ ଆସିଥିଲା । ଆମ ବସ୍ତିର ଯାଜନର ପୁଅକୁ ଧମକ ଦେଲା ଭଳି କଥା କହିଛି । ତେବେ ଆମେ ତା'ରି ଭୟରେ ପଛଘୁଞ୍ଚା ଦେଇ ରହିବା କି ? ରାମାନୁଜ ବାବୁ କିଛି ଆଉ କହି ନପାରି ଖ୍ରୀଷ୍ଟିୟାନ ବସ୍ତିରୁ ଲେଉଟି ଆସିଲେ । ଆଲ୍ଲାଉଦିନର ଧମକରେ ଭୟଭୀତ ହୋଇ ପଡ଼ିଥିଲେ ପାଟଣାର ଶିଖ୍‌ ସମ୍ପ୍ରଦାୟର ବ୍ଯକ୍ତିମାନେ ଓ ଖ୍ରୀଷ୍ଟିୟାନ ବସ୍ତି ସାରା ବି ଭୟର ତରଙ୍ଗ ଖେଳୁଥିଲା । ସମସ୍ତଙ୍କୁ ଯେପରି ସେ ଆଲ୍ଲାଉଦିନ ଡ଼ରେଇ ରଖିଥିଲା । 


   ଏକଦିନର ଘଟଣାଚକ୍ର ଓଡ୍ର ସୃଷ୍ଟି ଦଙ୍ଗାକୁ ପୁନର୍ଜୀବିତ କରି ଛିଡ଼ା କରାଇଲା । ଘଟଣାଟି ହିନ୍ଦୁ ସମ୍ପ୍ରଦାୟର ଜନୈକ ବ୍ଯକ୍ତି ଗୁଆଁର ଗୁମାନସିଂହଙ୍କ ହତ୍ଯା , ଫଳତଃ ଚପି ରହିଥିବା ହିଂସାତ୍ମକ ଦଙ୍ଗାର ପୁନର୍ଜୀବନ । ସେଦିନ ଥିଲା ମଙ୍ଗଳବାର । ଖାଲି ମଙ୍ଗଳବାର ନୁହେଁ, ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି । ଓଡ୍ର ଗ୍ରାମରେ ଏକ ଅପେରା ପାର୍ଟି ପଡ଼ିଥାଏ , ସେ ପୁଣି ଟିକେଟ୍‌ ସେଲ୍‌ । ଗ୍ରାମରେ ପ୍ରଥମ ଥର ପାଇଁ ସାତଦିନ ବ୍ଯାପି ଟିକେଟ୍‌ ସେଲ୍‌ ଯାତ୍ରା ଆୟୋଜନ କରିବାର ନିଷ୍ପତ୍ତି ନିଆଯାଇଥିଲା ଗ୍ରାମସଭାରେ । ପନ୍ଦର ଦିନ ଆଗରୁ ବୁଝାସୁଝା ସରିଛି । ବହୁ ଚର୍ଚ୍ଚିତ ଏବଂ ସବୁଠାରୁ ବଡ ଅପେରା ପାର୍ଟି ଯାତ୍ରା ଜଗମୋହନ ଆସି ତା'ର ପ୍ରସ୍ତୁତି ପର୍ବ ଶେଷ କରି ସାରିଲାଣି । ତମ୍ବୁ ବନ୍ଧା ସରି ଟିକେଟ୍‌ ବିକ୍ରି ଆରମ୍ଭ ହୋଇ ସାରିଲାଣି । ପ୍ରଥମ ଦିନର ବିଷୟବସ୍ତୁଟି ବହୁତ ଭଲ ଥିଲା ଏବଂ ଓଡ୍ର ଗ୍ରାମରେ ପ୍ରଥମ ଥର ପାଇଁ ଟିକେଟ୍‌ ସେଲ୍‌ ଯାତ୍ରା ପଡ଼ି ଥିବାରୁ ଅପର୍ଯ୍ଯାପ୍ତ ଲୋକଙ୍କ ଭିଡ଼ ଲାଗିଥିଲା । ଦୁଇଦିନ ଆଗରୁ ପ୍ରଚାର ଗାଡ଼ି ପ୍ରଚାର କରି ଚାଲିଥିଲା ଯାତ୍ରା ବିବରଣୀ । ପ୍ରଥମ ଦିନର ବିଷୟ ଥିଲା ଜୀବନ ଜଟିଳ ଅଙ୍କ। ବହୁ ଚର୍ଚ୍ଚିତ କଳାକାର ସୌରୀ ସାମନ୍ତ ଖଳନାୟକ ଭୂମିକାରେ ଥିଲେ , ଯିଏକି ଅତି ଦୁର୍ଦ୍ଦାନ୍ତ ଅଭିନୟ କରି ପାରନ୍ତି । 


   ଟିକେଟ୍‌ କାଉଣ୍ଟରରେ ପ୍ରବଳ ଭିଡ଼, ସୋରିଷ ବୁଣିବାକୁ ଜାଗା ନଥାଏ । ଗହଳିଚହଳି - ମତେ ଦିଅ, ମତେ, ସିଟ୍‌ ଫିଲ୍‌ଅପ୍‌ । ତଥାପି ଛିଡ଼ା ହୋଇ ଦେଖିବାକୁ ବି ଲୋକେ ବାଡ଼ିଆବାଡ଼ି । ପ୍ରଥମ ଶ୍ରେଣୀ ଟିକେଟ୍‌ର ମୂଲ୍ଯ ଦୁଇଶହ ଟଙ୍କା ଥିବା ବେଳେ ଦ୍ବିତୀୟ ଶ୍ରଣୀ ଟିକେଟ୍‌ ଶହେ ଟଙ୍କା ଏବଂ ତୃତୀୟ ଶ୍ରେଣୀ ଟିକେଟ୍‌ ପଞ୍ଚସ୍ତରି ଟଙ୍କା କରାଯାଇଥିଲା । ସିଟ୍‌ ଫିଲ୍‌ଅପ୍‌ ପରେ ଛିଡ଼ା ହୋଇ ଦେଖିବାକୁ ତିରିଶି ଟଙ୍କା ଧାର୍ଯ୍ୟ କରାଗଲା । ରାତି ବାରଟାରେ ଟିକେଟ୍‌ କାଉଣ୍ଟର ବନ୍ଦ କରାଗଲା ଓ ଫାଟକ ଖୋଲାଗଲା । ଟିକେଟ୍‌ ଦେଖେଇ ସମସ୍ତେ ଭିତରକୁ ପଶିଲେ । ଯାତ୍ରା ଆରମ୍ଭ ହେଲା । ରାତି ତିନିଟାରେ ଟିକେଟ୍‌ ଯାଞ୍ଚ ଚାଲିଥାଏ । ପ୍ରାୟ ସମସ୍ତଙ୍କର ଯାଞ୍ଚ ସରି ଆସିଥାଏ । ଆଲ୍ଲାଉଦିନ ପାଖରେ ପହଞ୍ଚିଲେ ଗୁଆଁର ଗୁମାନସିଂହ । ସେ ଥିଲେ ଯାତ୍ରା କମିଟିର ମୁଖ୍ଯ ସଦସ୍ଯ ଏବଂ ସେ ହିଁ ଟିକେଟ୍‌ ଯାଞ୍ଚ କରୁଥିଲେ । ଗୁଆଁର ଗୁମାନସିଂହ ଆଲ୍ଲାଉଦିନକୁ ଟିକେଟ୍‌ ଦେଖେଇବାକୁ କହିଲେ । ଆଲ୍ଲାଉଦିନ କିନ୍ତୁ ଟିକେଟ୍‌ କାଟି ନଥିବାରୁ ଦେଖାଇ ପାରିଲା ନାହିଁ । ଆଲ୍ଲାଉଦିନ କହିଲା - କୋଉ ଟିକେଟ୍‌ ବେ ? ସେତେବେଳକୁ ସୌରୀ ସାମନ୍ତଙ୍କ ଅଭିନୟ ପରିବେଷଣ ହେଉଥାଏ । 


  ଆଲ୍ଲାଉଦିନର କଥାରେ ଗୁଆଁର ଗୁମାନସିଂହଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଏତେ ଦର୍ଶକଙ୍କ ଆଗରେ ଅଭଦ୍ର ଭଳି ଅସମ୍ମାନ ଜନକ ବାକ୍ଯଟି ତାଙ୍କୁ ଅତି ମାତ୍ରାରେ କ୍ରୋଧିତ କରି ପକାଇଥିଲା । ତଥାପି ରାଗକୁ ଚାପି ରଖିଲେ ଗୁଆଁର ଗୁମାନସିଂହ ନିଜ ଭିତରେ । ଆଲ୍ଲାଉଦିନ ନିଜେ ଜଣେ ପ୍ରତ୍ଯକ୍ଷ ଦୁର୍ଦ୍ଦାନ୍ତ ଶ୍ରେଣୀୟ ଖଳନାୟକ , ତେଣୁ ଭୟ ବି ଲାଗୁଥିଲା ତାଙ୍କୁ । ସେ ପୁନର୍ବାର ପ୍ରଶ୍ନ କଲେ ତାକୁ । କହିଲେ - ଯାତ୍ରା ଟିକେଟ୍‌ ଦିଅନ୍ତୁ । ଆଲ୍ଲାଉଦିନ କହିଲା - ମୋ' ପାଖରେ ନାହିଁ । କୋଉ ଟିକେଟ୍‌ ଫିକେଟ୍‌ ମୁଁ ଜାଣିନି । ଗୁଆଁର ଗୁମାନସିଂହ ପୁନର୍ବାର କହିଲେ - ଟିକେଟ୍‌ ନାହିଁ ! ତେବେ ଏ ଭିତରକୁ ଆସିଲ କେମିତି ? ଗୁଆଁର ଗୁମାନସିଂହଙ୍କୁ ସଙ୍କେତରେ ଏକ ସ୍ଥାନକୁ ଦେଖାଇ ଦେଇ ଆଲ୍ଲାଉଦିନ କହିଲା - ତମ୍ବୁ କଣା କରି ଭିତରକୁ ଆସିଲି ।


      ଗୁଆଁର ଗୁମାନସିଂହ ଦେଖିଲେ ଗୋଟେ ଜାଗାରେ ବିରାଟ କଣାଟେ ହୋଇଛି । ଟିକେଟ୍‌ ନକରି ତମ୍ବୁ କାଟି ଭିତରେ ପଶି ପ୍ରଥମ ଶ୍ରେଣୀ ଚୌକିରେ ବସିଛି ଆଲ୍ଲାଉଦିନ । ଗୁଆଁର ଗୁମାନସିଂହ କ୍ରୋଧକୁ ନିଜ ଅକ୍ତିଆରରେ ଆଉ ରଖି ପାରିଲେନି । ଗର୍ଜି ଉଠି କହିଲେ - ଆବେ ହେଇ ! ତୁ ତମ୍ବୁ ଚିରି ଭିତରେ ପଶିଚୁ ! ପୁଣି ବିନା ଟିକେଟ୍‌ରେ ପ୍ରଥମ ଶ୍ରେଣୀ ଚୌକିରେ ବସିଚୁ ! ତୋର ଏତେ ବଡ଼ ସାହସ ! ଉଠ୍‌, ଉଠ୍‌ କହୁଛି । ଆଲ୍ଲାଉଦିନ କହିଲା - ନ ଉଠିଲେ କ'ଣ କରିବୁ ବେ ? ଗୁଆଁର ଗୁମାନସିଂହ କହିଲେ - ମୋତେ ଜାଣିଛୁ ? ମୁଁ ଗୁଆଁର ଗୁମାନସିଂହ । ଗଳାଧକ୍କା ଦେଇ ଏଠୁ ବାହାର କରିବି । ଭଲରେ ଭଲରେ ଏଠୁ ଉଠ୍‌ କହୁଛି । ଆଲ୍ଲାଉଦିନ କହିଲା - ଆଚ୍ଛା ! କାହା ସହ କଥାବାର୍ତ୍ତା କରୁଛୁ ଜାଣିଛୁ ତ ? ଗୁଆଁର କହିଲେ - ଗୋଟେ କୁକୁର ସହ । ଆଲ୍ଲାଉଦିନ ଗର୍ଜି ଗୁଆଁରଙ୍କ ସାର୍ଟ୍‌ କାର୍ଲର୍‌କୁ ଭିଡ଼ି ଧରିଲା । ଯାତ୍ରା କମିଟିର ଦଶଜଣ ଯାକ ସଦସ୍ୟ ଏସବୁ ଲକ୍ଷ୍ୟ କରି ଉପସ୍ଥିତ ହୋଇ ସାରିଲେଣି ଘଟଣାସ୍ଥଳରେ । ଡ଼ାକବାଜି ଯନ୍ତ୍ରରେ ଘନଘନ ଡ଼ାକରା - ଦୟା କରି ଶାନ୍ତି ବଜାୟ ରଖନ୍ତୁ । ସଦସ୍ୟମାନେ ଆଲ୍ଲାଉଦିନର ହାତକୁ ଭିଡ଼ି ଧରିଥିବା କାର୍ଲର୍‌ରୁ ଅଲଗା କଲେ । ସେ ବିନା ଟିକେଟ୍‌ରେ ତମ୍ବୁ ଚିରି ପଶିଥିବାରୁ ତାକୁ ଭର୍ତ୍ସନା କଲେ । ଗୁଆଁର ଗୁମାନସିଂହ କହିଲେ - ଶଳା କୁକୁର ! ପାଖରେ ପୈସା ତ ନାହିଁ, ଯାତ୍ରା ଦେଖିବାକୁ ହଙ୍କହଙ୍କ କାହିଁକି ? ତମ୍ବୁ ଚିରି ଭିତରେ ପଶୁଛି । ଅଲାଜୁକ, ଥୋବରା କୋଉଠିକାର ।


   ଆଲ୍ଲାଉଦିନ ନିଜକୁ ନିୟନ୍ତ୍ରଣରେ ରଖି ପାରିଲା ନାହିଁ । ଗଣ୍ଡଗୋଳ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ସମାଧାନ ହେବା ଯାଏଁ ଯାତ୍ରା ପରିବେଷଣକୁ ସ୍ଥଗିତ ରଖାଗଲା । ବସିଥିବା ଦର୍ଶକମାନେ ବି ତାକୁ ନାହିଁ ନଥିବା କଥା କହିଲେ । ଲାଗିଲା ଧସ୍ତାଧସ୍ତି । ସମସ୍ତେ ମିଶି ବୋହେ ଛେଚିଲେ ଆଲ୍ଲାଉଦିନକୁ । ଗଳାଧକ୍କା ଦେଇ ବାହାର କଲେ ଭିତରୁ । ମାଡ଼ ଖାଇ ଆଲ୍ଲାଉଦିନ ଅସ୍ତବ୍ୟସ୍ତ ଏବଂ ଶୋଚନୀୟ ହୋଇ ପଡ଼ିଲା । ତା' ଭିତରେ ଚେଇଁ ଉଠିଲା ପଶୁ ପ୍ରବୃତ୍ତି । ସେ ବାହାରକୁ ଗଲା ପରେ ପୁନରାୟ ଆରମ୍ଭ ହେଲା ଯାତ୍ରା ପରିବେଷଣ । ଯାତ୍ରା ସରିଲା ବେଳକୁ ଦିନ ଆଠଟା ହୋଇଯାଇଥାଏ । 


  ସକାଳୁ ପୁଣି ବୁଲିଲା ପ୍ରଚାର ଗାଡ଼ି । ଦ୍ବିତୀୟ ଦିନର ବିଷୟ ବି ସବୁଠାରୁ ବଢ଼ିଆ ବିଷୟ ଥିଲା । ବିଷୟ ଥିଲା - ମୁଁ ଖଳନାୟକ କହୁଛି । ସକାଳ ଦଶଟାରୁ ଟିକେଟ୍‌ ବିକ୍ରି ଆରମ୍ଭ । ରାତ୍ରି ଦଶଟାରେ ଆରମ୍ଭ ହେଲା ଯାତ୍ରା । ଗେଟ୍‌ ପାଖରେ ଟିକେଟ୍‌ ତନଖି କରୁଛନ୍ତି ଗୁଆଁର ଗୁମାନସିଂହ । ବାରଣା ଲୋକ ଭିତରେ ପ୍ରବେଶ କରି ନିଜ ନିଜର ସ୍ଥାନ ଗ୍ରହଣ କରି ସାରିଲେଣି । ବାକି ଦର୍ଶକ ଟିକେଟ୍‌ ଦେଖେଇ ଭିତରେ ପ୍ରବେଶ କରୁଛନ୍ତି । ଏତିକିବେଳେ ଶୁଭିଲା କାନଫଟା ଶବ୍ଦ , ସ୍ତବ୍ଧ ହୋଇଗଲେ ଫାଟକ ନିକଟରେ ଟିକେଟ୍‌ ଧରି ଛିଡ଼ା ହୋଇଥିବା ଦର୍ଶକ । ସତରେ କୋଉଠି କିଛି ଫାଟିଲା କି ଫୁଟିଲା । ବୋମା ଫୁଟିବାର ଶବ୍ଦ ପରି ମନେ ହେଲା । ଟଳି ପଡ଼ିଲେ ଗୁଆଁର ଗୁମାନସିଂହ । ଛାତିରୁ ଝରି ଯାଉଥିଲା ଧାର ଧାର ରକ୍ତ । ଆରମ୍ଭ ହୋଇଗଲା ଗହଳି । ଗୁଆଁର ବାବୁଙ୍କର ଏ କ'ଣ ହେଲା ? କିଏ କୋଉଠି ଲୁଚି ରହି ଗୁଳି କଲା ? ଯିଏ ଯୁଆଡ଼େ ଦୌଡ଼ି ଚାଲିଗଲେ ପ୍ରାଣ ଭୟରେ । କିଛି ଲୋକ ତାଙ୍କୁ ତଳୁ ଉଠାଇଲେ , ସେତେବେଳକୁ ଆଖି ବୁଜି ସାରିଥିଲେ ଗୁଆଁର ଗୁମାନସିଂହ । ଆଲ୍ଲାଉଦିନ ଗୁଳି କରିଛି ବୋଲି ଜାଣି ପାରିଥିଲେ ସମସ୍ତେ । ଯାତ୍ରା ବନ୍ଦ କରିବା ପରିସ୍ଥିତି ଉପୁଜିବାରୁ ଯାତ୍ରା କମିଟି ସଦସ୍ୟମାନେ ଯାତ୍ରା ପରିବେଷଣ ବନ୍ଦ ନ କରି ଚାଲୁ ରଖିବାକୁ କହିଲେ । ଯାତ୍ରା ପରିବେଷଣ ହେଲା । ପୋଲିସ୍‌କୁ ଖବର । ସକାଳୁ ପୋଲିସ୍‌ ଆସି ସମସ୍ତ ବୃତ୍ତାନ୍ତ ଶୁଣି ଆଲ୍ଲାଉଦିନକୁ ଖୋଜି ବୁଲିଲା । ସେ କିନ୍ତୁ ଫେରାର୍‌ ଥିଲା । କେସ୍‌ ରୁଜୁ ହେଲା ଓଡ୍ର ଗ୍ରାମବାସୀଙ୍କ ତରଫରୁ । ଗାଁ କୋଠରୁ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ତା' ପରିବାରକୁ ଦିଆଗଲା ଏବଂ ତା'ର ଶୁଦ୍ଧି କାର୍ଯ୍ଯର ସମସ୍ତ ବ୍ଯୟ ଓଡ୍ର ଗ୍ରାମବାସୀ ତୁଲାଇଲେ । ଶୁଦ୍ଧି କାର୍ଯ୍ଯ ସରିଲା ବେଳକୁ ଯାତ୍ରା ପାର୍ଟି ଫେରି ଯାଇଥାଏ । 


   ଗୁଆଁର ଗୁମାନସିଂହଙ୍କର। ଗୋଟିଏ ବୋଲି ପୁଅ ଗ୍ରାମେଶ୍ବର । ସେ ନୂଆ କରି ବିବାହ କରିଛି , ଏଇ ପାଞ୍ଚ ମାସ ହେବ ତା'ର ବିବାହ ସରିଛି । ଗୁଆଁର ଗୁମାନସିଂହଙ୍କର ସ୍ତ୍ରୀ ପ୍ରବାସିନୀ ଦେବୀ ଉଚ୍ଚରକ୍ତଚାପ ରୋଗୀ ଅଟନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ଅତି ମାତ୍ରାରେ ଭାଙ୍ଗି ପଡ଼ିଥିଲେ । ସ୍ବାମୀ ମରିବାର ଅଠରଦିନି ଦିନ ହୃଦ୍‌ଘାତରେ ପ୍ରାଣ ହରାଇଲେ ପ୍ରବାସିନୀ ଦେବୀ । ବାପା ଚାଲିଯିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ଗ୍ରାମେଶ୍ବର ଗୁମାନସିଂହ ଏବେ ମାଆ ଚାଲିଯିବା ପରେ ପାଗଳ ପ୍ରାୟ ହୋଇପଡ଼ିଛି । ଗାଁର ପିଲାଠୁ ବୁଢ଼ା ଯାଏଁ ଏହି ଘଟଣା ପାଇଁ ମର୍ମାହତ ହୋଇ ପଡ଼ିଛନ୍ତି । ସବୁରି ମଧ୍ୟେ ସବୁଠି ଉଠୁଛି କଥା - ଆଲ୍ଲାଉଦିନ ପାଇଁ ଆମେ ବି ଦିନେ ମରିବା । ଆଲ୍ଲାଉଦିନ ପରି ରାକ୍ଷସ କବଳରୁ ବର୍ତ୍ତିବା ଉପାୟ ନାହିଁ । ବାଡ଼ିପଡ଼ାଟାକୁ ଯମ ଡ଼ାକୁନି । ତା' ଦାଉରୁ କେବେ ରକ୍ଷା ମିଳିବ କେଜାଣି । ସେ ନ ମରିବା ପର୍ଯ୍ୟନ୍ତ ଏ ଓଡ୍ର ଗ୍ରାମରେ କେହି ଶାନ୍ତିରେ ନିଃଶ୍ବାସ ମାରି ପାରିବେନି । ଏମିତି କେତେ କିଏ କେତେ ପ୍ରକାରର କଥା କୁହନ୍ତି । ପ୍ରବାସିନୀ ଦେବୀଙ୍କ ଶୁଦ୍ଧିକ୍ରିୟା ସରିଲା । ଗ୍ରାମେଶ୍ବର ଗୁମାନସିଂହ ଆଲ୍ଲାଉଦିନକୁ ହତ୍ଯା କରିବାକୁ ପଣ କରି ନେଇ ଥିଲା ଏବଂ ସୁଯୋଗ ଉଣ୍ଡି ରହିଲା । ପ୍ରତିଶୋଧର ସପ୍ତଜିହ୍ବା ଜାଗ୍ରତ ହୋଇ ଉଠିଥିଲା ଗ୍ରାମେଶ୍ବର ମନରେ । ସମୟ ଓ ସୁବିଧା ଅପେକ୍ଷାରେ ଥିଲା ଗ୍ରାମେଶ୍ବର । 


   ପୋଲିସ୍‌ର ତନାଘନା ଅପରେସନ ଜାରି ରହିଥିଲା । ଆଲ୍ଲାଉଦିନକୁ ଧରିବା ସମ୍ଭବପର ହୋଇପାରି ନ ଥିବା ବେଳେ ଇଦ୍‌ ଉଲ୍‌ ଫିତର୍‌ ପର୍ବରେ ସେଦିନ ଦିନ ଗୋଟାଏରେ ମଣିମାଣିକ୍ଯ ନଗର ମସ୍‌ଜିଦ୍‌ ସାମ୍ନାରୁ ଆଲ୍ଲାଉଦିନକୁ ଠାବ କରି ଗିରଫ କରିଥିଲା ପୋଲିସ୍‌ । ଓଡ୍ର ଗ୍ରାମରେ ପହଞ୍ଚି ଥିଲା ଖବର , ଆଲ୍ଲାଉଦିନ ଗିରଫ ହୋଇଛି । ଓଡ୍ର ଗ୍ରାମବାସୀ ଟିକେ ଆଶ୍ବସ୍ତି ହେଲେ , ଯାହାହେଉ କିଛିଦିନ ପାଇଁ ଭୟରୁ ମୁକ୍ତି ମିଳିଲା । 


   ଦିନେ ଗାଁରେ ବାଉଁଶରାଣୀ ଖେଳ ପ୍ରଦର୍ଶନ ହେଉଥାଏ । ଖେଳ ଦେଖିବାକୁ ଚାରି ସାହିର ଲୋକ ଜମା ହୋଇଥା'ନ୍ତି । ଖେଳ ଚାଲିଥାଏ । ପୀରପଲ୍ଲୀ ଓ ପାଟଣାର ଲୋକ ବି ଦେଖୁ ଥାଆନ୍ତି ଖେଳ । ଖ୍ରୀଷ୍ଟିୟାନ ବସ୍ତିର ଲୋକମାନେ ବି ଉପସ୍ଥିତ ଥା'ନ୍ତି । ଖେଳ ସରିବାକୁ ଆଉ କିଛି ସମୟ ମାତ୍ର ବାକି ଥାଏ । ପେଲାପେଲି ଠେଲାଠେଲି ହୋଇ ଖେଳ ଦେଖିବା ଭିତରେ ଶିଖ୍‌ ସମ୍ପ୍ରଦାୟ ଓ ମୁସ୍‌ଲିମ୍‌ ସମ୍ପ୍ରଦାୟର ବୁଇ ଲୋକ ଭିତରେ ଗଣ୍ଡଗୋଳ ପରିଲକ୍ଷିତ ହେଲା । ଚାଲିଲା ଶବ୍ଦର ଯୁଦ୍ଧ , ଖେଳ ସରିଲା ବେଳକୁ ଦୁଇଟି ସମ୍ପ୍ରଦାୟର ଲୋକ ମଧ୍ୟରେ ଦ୍ବନ୍ଦ ଉପୁଜି ସାରିଥିଲା । 

    

      ଚାହୁଁ ଚାହୁଁ ପାଟଣାର ବାସିନ୍ଦା ଓ ପୀରଲ୍ଲୀର ବାସିନ୍ଦା ମାନେ ତାତି ଉଠିଲେ । ଚାଲିଲା ଘମାଘୋଟ ଧସ୍ତାଧସ୍ତି , ଉଠିଲା ଠେଙ୍ଗାବାଡ଼ି । କଜିଆ ଏତେ ବଢ଼ି ଯାଇଥିଲା ଯେ ତାଙ୍କୁ ଅଟକାଇବା ଅସମ୍ଭବ ହୋଇ ପଡ଼ିଥିଲା । କାହା ମୁଣ୍ଡ ଫାଟି ରକ୍ତ ଝରିଲାଣି ତ କିଏ ପୁଣି ମେଡ଼ିକାଲ ଗଲାଣି । ତଥାପି କମୁନି ଦ୍ବନ୍ଦ , ଅଶାନ୍ତ ପରିବେଶ । ସବୁରି ସହଯୋଗରେ ଯାହା ହେଉ ଦ୍ବନ୍ଦ କମିଲା । ମାଡ଼ପିଟ କମିଲା ବେଳକୁ ଶିଖ୍‌ ଓମୁସ୍‌ଲିମ୍‌ ଉଭୟ ସମ୍ପ୍ରଦାୟର ବହୁ ଲୋକ ଆହତ ହୋଇଛନ୍ତି । ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ପରି ପରିସ୍ଥିତି ଓଡ୍ର ଗ୍ରାମରେ ଉପୁଜି ଥିଲା । 


    କିଛିଦିନ ପରେ ସଜ୍ଜା ଭୋଗ କରି ସଜ୍ଜାମୁକ୍ତ ହେଲା ଆଲ୍ଲାଉଦିନ । ପୁଣି ଥରେ ଲୋକେ ଆତଙ୍କିତ ହେଲା ଭଳି ଲାଗୁଥିଲେ । ଆଲ୍ଲାଉଦିନ ଜେଲ୍‌ରୁ ଫେରିଛି ଜାଣି ଗ୍ରାମେଶ୍ବର ଗୁମାନସିଂହ ଭୋକିଲା ସିଂହ ପାଲଟି ଯାଇଥିଲେ । ଆଲ୍ଲାଉଦିନର ମାଂଳ ଶରୀର ଉପରେ ଥିଲା ଗ୍ରାମେଶ୍ବର ଗୁମାନସିଂହଙ୍କ ଆଖି । ତା'ରି ମାଂସରେ କ୍ଷୁଧା ନିବାରଣ କରିବାର ଉତ୍ସୁକତା ଜାଗି ଉଠିଥିଲା ଗ୍ରାମେଶ୍ବର ଗୁମାନସିଂହଙ୍କ ଠାରେ । ଉପାୟ ଚିନ୍ତନରେ ଲାଗି ଥିଲେ । ଦିନେ ଗ୍ରାମେଶ୍ବର ଗୁମାନସିଂହ ଏକ ଉପାୟ ଚିନ୍ତା କଲେ । ସେ ସବୁଦିନ ଯିବା ଆସିବା କରିବା ରାସ୍ତାରେ ଛକି ରହିଲେ । କିଛି ସମୟ ପରେ ଆଲ୍ଲାଉଦିନ ସେଇ ବାଟ ଦେଇ ଆସିଲା । ରାଇଫଲ ଧରି ଛକି ରହିଥିବା ଗ୍ରାମେଶ୍ବର ଗୁମାନସିଂହ ରାଇଫଲ ଉଠାଇଲେ , ଏତିକି ବେଳେ ବମ୍‌ ବ୍ଲାଷ୍ଟ୍‌ ହେଲା । ରାଇଫଲ ଫୁଟାଇବା ପୂର୍ବରୁ ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା ଗ୍ରାମେଶ୍ବର ଗୁମାନସିଂହଙ୍କ ଶରୀର । ଆଲ୍ଲାଉଦିନ ଆଗରୁ ଜାଣି ପାରିଥିଲା ଷଡ଼ଯନ୍ତ୍ର ଚାଲିଛି ତାକୁ ହତ୍ଯା କରିବାକୁ । ଗ୍ରାମେଶ୍ବର ଗୁମାନସିଂହ ଥିଲେ ଷଡ଼ଯନ୍ତ୍ରକାରୀ । ତେଣୁ ସେ ସୁପର୍‌ ବ୍ରେନ୍‌ ଖଟାଇ ବ୍ଯବସ୍ଥା କରି ସାରିଥିଲା । ରାସ୍ତାଧାରରେ ଥିବା ଏକ ବିରାଟ ବଟବୃକ୍ଷ ର ମୂଳରେ ଖଞ୍ଜି ଦେଇଥିଲା ବୋମା । ହାତରେ ଥିଲା ରିମୋର୍ଟ୍‌ । ରାଇଫଲ ଟିପିବା ଆଗରୁ ରିମୋର୍ଟ୍‌ର ସ୍ବିଚ୍‌ ଟିପି ଦେଇଥିଲା ଆଲ୍ଲାଉଦିନ । ଚାରିଆଡେ ଚହଳ ପଡ଼ିଗଲା । ବୋମା ବିସ୍ଫୋରଣରେ ଗ୍ରାମେଶ୍ବର ଗୁମାନସିଂହଙ୍କ ମୃତ୍ୟୁ ହୋଇଛି । ଘରେ ପଡ଼ିଗଲା କାନ୍ଦବୋବାଳି । ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡ଼ିଥିଲା ଗ୍ରାମେଶ୍ବର ଗୁମାନସିଂହଙ୍କ ଶରୀର , ଅଙ୍ଗପ୍ରତ୍ୟଙ୍ଗ ସମସ୍ତକୁ ସଂଗ୍ରହ କରି ଗ୍ରାମ ଶ୍ମଶାନରେ ଦାହ କରାଗଲା ।


  ଓଡ୍ର ଗ୍ରାମରେ ଗ୍ରାମସଭା କରାଗଲା । ଆଲ୍ଲାଉଦିନର ଅତ୍ଯାଚାରରୁ ବର୍ତ୍ତିବାର ଉପାୟ ଚିନ୍ତା କରାଗଲା । ଜଟାଧାରୀ ଝପଟସିଂହ କହିଲେ - ଆଲ୍ଲାଉଦିନ, ଆଲ୍ଲାଉଦିନ, ଆଲ୍ଲାଉଦିନ , ନିଜକୁ କ'ଣ ଭାବୁଛି ସିଏ ? ସମସ୍ତେ ତାକୁ ଡ଼ରିକି ରହିବା ଅର୍ଥ ନିଜର ଦୁର୍ବଳତାକୁ ପରିପ୍ରକାଶ କରିବା । ସମସ୍ତଙ୍କୁ ଆତଙ୍କିତ କରି ରଖିବାର ମାନେ କ'ଣ ମୁଁ ବୁଝି ପାରୁନି । ଏମିତି ହେଲେ ତ ଏ ଗାଁ ଶ୍ମଶାନ ଭୂମି ପାଲଯିବ । ସମସ୍ତେ ଏଠି ନିରବ ବସି ରୁହ ନାହିଁ । ଅତ୍ଯାଚାରର ମୁକାବିଲା କରିବାର ଉପାୟ ଭାବ । ସମସ୍ତେ ନିରବ ଥିବା ବେଳେ ଜେଲ୍‌ ଫେରନ୍ତା ପିକ ପ୍ରଧାନ କହିଲା - ନା, ଆଉ ବରଦାସ୍ତ କରିହେବ ନାହିଁ । ଏଥର ଜବାବ ଦେବାକୁ ପଡ଼ିବ । ଆଲ୍ଲାଉଦିନକୁ ଉଚିତ ମଜା ଚଖେଇ ଦେବାକୁ ହେବ । ଯେମିତି ସଜୀବନ ସାରା ପଶ୍ଚାତାପ କରୁଥିବ ନିଜ କଲା କର୍ମର । ଆମେ ବହୁତ ସହିଲୁଣି , ବହୁତ ମୁଣ୍ଡ ଗଡ଼ିଲାଣି ଆମ ଗାଁରୁ । ଏବେ ଜବାବ ଦରକାର ତାକୁ ।


     ଜେଲ୍‌ ଫେରନ୍ତା ବେଣୁପାଣି ବଳ କହିଲା - ଆମେ ଡ଼ରିଯିବା ଅର୍ଥ ଆପେ ମରି ଯିବା । ଡ଼ରିବାର ବେଳ ଆଉ ନାହିଁ , ଏବେ କିଛି କରିବାର ବେଳ । ସମସ୍ତେ ଏକ ହୁଅ, ଅନ୍ୟାୟର ଜବାବ ଦିଅ । ସମସ୍ତେ ଏକସ୍ୱରରେ କହି ଉଠିଲେ - ହଁ, ହଁ , ଆମେ ସମସ୍ତେ ଏକ ହେବା ଆଉ ଅତ୍ଯାଚାର ବିରୁଦ୍ଧରେ ଲଢ଼ିବା । ଜଟାଧାରୀ ଝପଟସିଂହ କହି ଉଠିଲେ - ତେବେ ଠିକ୍‌ ଅଛି, କ'ଣ କରିବା ? ଣିଏ ତା' ବିରୁଦ୍ଧରେ ଛିଡ଼ା ହେଉଛି ସେ ମରୁଛି । ଉପାୟ କ'ଣ ? ସମସ୍ତେ ଚିନ୍ତା କର । ସମସ୍ତେ ନିରବ ରହିଲେ । ସଭାରେ ବସିଥିଲା ରତ୍ନାକର ଭୋଇ, ବୟସ ପାଖାପାଖି ପଚାସ ବର୍ଷ ହେବ । କଳା ମଚମଚ ଶରୀରକୁ ଟିକି ଟିକି କହରିଆ ଚୁଟି ଗୁଡ଼ିକୁ ମୁଣ୍ଡରେ ଦେଖିଲେ ଯେ କେହି ଭୟ ନ କରି ରହି ପାରିବ ନାହିଁ । ସେ ବି ଆଗରୁ ବହୁ ଦୁର୍ଦ୍ଦାନ୍ତ ଥିଲା, ତାକୁ ଦେଖିଲେ ସମସ୍ତେ ଡ଼ରୁଥିଲେ । କିନ୍ତୁ ସେ ସବୁବେଳେ ଅନ୍ୟାୟର ପ୍ରତିବାଦ କରେ । ଅନ୍ୟାୟ ବିରୁଦ୍ଧରେ ସ୍ବର ତୋଳି ଛିଡ଼ା ହୁଏ । ସମାଜର କ୍ଷତି ଘଟାଉଥିବା ବଡ଼ପଣ୍ଡା ମାନଙ୍କୁ ଉଚିତ୍‌ ଦଣ୍ଡ ଦେବାରେ ମାହିର୍‌ ଥିଲା ସେ । ଅନ୍ୟାୟୀ , ଅତ୍ଯାଚାରୀ , ଶୋଷକ ମାନଙ୍କ ବିରୁଦ୍ଧରେ ସେ ଲଢ଼ି ଥାଏ । କିନ୍ତୁ ତା'ର ଗୋଟିଏ ଭଲ ଗୁଣ ଥିଲା, ସେ ଭଲ ଲୋକ ମାନଙ୍କର କିଛି କ୍ଷତି ଘଟାଏନି । ଅନ୍ୟାୟ , ଅତ୍ଯାଚାର ଓ ଶୋଷଣ କରୁଥିବା ଲୋକଙ୍କର ସେ ଥିଲା କାଳଯମ । ବିଚ୍‌ ବଜାରରେ ବଡ଼ ବଡ଼ ଗୁଣ୍ଡା ଓ ଅନ୍ୟାୟୀ ରାଜନେତା ମାନଙ୍କୁ ଠିଆ ଠିଆ ହାଣି ପକାଏ । କେହି ପାଟି ଫିଟେଇ ପାରନ୍ତିନି । ପୋଲିସ୍‌ ଓ ସାମ୍ବାଦିକ ମାନେ ବି ଭୟରେ ତା' ବିପକ୍ଷରେ ନ ଯାଇ କେସ୍‌କୁ ଦଫାରଫା କରି ଦିଅନ୍ତି କିମ୍ବା ଅପମୃତ୍ୟୁ ମାମଲା ରୁଜୁ କରି ଦିଅନ୍ତି । ସେ ଏବେ ବହୁଦିନ ହେଲା ଟିକେ ଏସବୁ କାର୍ଯ୍ୟରୁ ନିବୃତ ରହିଛି , ମନ୍ତ୍ରୀ ଭଗୀରଥ ବଡ଼ଜେନାଙ୍କୁ ହାଣିବା ପରେ ଟିକେ ଶୀତଳ ହୋଇଛି ସେ । 

   ଦୀର୍ଘ ପନ୍ଦର ବର୍ଷ ତଳର କଥା । ମନ୍ତ୍ରୀ ଭଗୀରଥ ବଡ଼ଜେନା ଥିଲେ ଅନ୍ୟାୟୀ ଓ ଅତ୍ଯାଚାରୀ ମାନଙ୍କ ଭିତରୁ ଜଣେ । ଇଲେକ୍ସନରେ ଜିତିବା ପରେ ନିଜକୁ ସେ ଭଗବାନ ବୋଲି ଯେମିତି ମାନି ନେଇଥିଲେ । ସେ ଥିଲେ ଜଣେ କୋରଡ଼ପତି , ଟଙ୍କାର ପାହାଡ଼ରେ ଘର କରିଥିବା ଲୋକ ସିଏ । ଅଜସ୍ର ସମ୍ପତ୍ତି , ବିରାଟ ଶିଳ୍ପପତି ଥିଲେ । ତାଙ୍କ ପୁଅ ଗ୍ରୀଷ୍ମ ବଡ଼ଜେନା ଥିଲା ଆହୁରି ଅନ୍ଯାୟୀ ଓ ଗୁଣ୍ଡା ଜାତୀୟ । ଭଗୀରଥ ବଡ଼ଜେନା ଦୁର୍ନୀତି, ଶୋଷଣ, କଷଣ ଆଦି କାମରେ ମାହିର୍‌ ଥିଲେ । ପୁଅ ଗ୍ରୀଷ୍ମ ଗୁଣ୍ଡାରାଜ୍‌ କରୁଥିଲା , ଗୋଟିଏ ପୁଅ ବୋଲି ସେ ଭଗୀରଥ ବଡ଼ଜେନାଙ୍କର ଅତି ପ୍ରିୟ ଥିଲା । ଖଣି ଦୁର୍ନୀତି, ଗୋ-ଖାଦ୍ଯ ଦୁର୍ନୀତି ଆଦିରେ ଭଗୀରଥ ବଡ଼ଜେନାଙ୍କ ନାମ ଶୀର୍ଷରେ । ପୁଅ ଗ୍ରୀଷ୍ମ ବଡ଼ଜେନା ପର ଝିଅ, ପର ବୋହୂର ଇଜ୍ଜତ ଲୁଟିବାରେ ଲାଗିଥିଲା । ତା' ଭୟରେ କେହି ଘରୁ ବାହାରକୁ ପାଦ ବଢ଼ାଉ ନଥିଲେ । ତାକୁ ଦେଖିଲେ ଲୋକଙ୍କର ତାଟି-କବାଟ ବନ୍ଦ ହୋଇଯାଏ । 


   ଦିନକର ଘଟଣା, ରତ୍ନାକର ଭୋଇ ବସ୍‌ଷ୍ଟପ୍‌ରେ ବସ୍‌କୁ ଅପେକ୍ଷା କରିଥାଏ । ସେତେବେଳେ ରତ୍ନାକର ଭୋଇର ଯୁବ ବୟସ । ଖରାଦିନ ସମୟ , ସମୟ ପ୍ରାୟ ବାରଟା ହେବ । କାଁ ଭାଁ ଲୋକଙ୍କ ଯାଆ-ଅସ ଲାଗିଥାଏ । ଅତ୍ଯଧିକ ଖରା ହେତୁ କେହି ବାହାରକୁ ବାହାରୁ ନାହାନ୍ତି । ଗୋଟିଏ ବଡ଼ ଅଶ୍ୱତ୍‌ଥ ବୃକ୍ଷ ମୂଳର ଚାନ୍ଦିନୀ ପାଖରେ ବସିଥିଲା ରତ୍ନାକର ଭୋଇ , ଭଉଣୀ ଘରୁ ଫେରୁଥିଲା । ଗାଁକୁ ଯିବାକୁ ବସ୍‌କୁ ଅପେକ୍ଷା କରିଥିଲା । ଠିକ୍‌ ଏତିକି ବେଳେ ଜଣେ ସ୍ତ୍ରୀଲୋକ ଇତଃସ୍ତତ ହୋଇ ଧାଇଁ ଆସି ରତ୍ନାକର ଭୋଇ ପାଦତଳେ ପଡ଼ି କାନ୍ଦି କାନ୍ଦି କହିଲା - ମତେ ବଞ୍ଚାନ୍ତୁ ଆଜ୍ଞା । ରତ୍ନାକର ଭୋଇ ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଆଖି ବୁଲାଇ ଦେଖିଲା କେହି କୁଆଡ଼େ ନାହାନ୍ତି । ପଚାରିଲା -କ'ଣ ହେଇଛି ? କେହି ତ କୁଆଡ଼େ ନାହାନ୍ତି , କିଏ ତୁମର କ୍ଷତି ଘଟାଇବ ? ସ୍ତ୍ରୀଲୋକଟି କହିଲା - ସେ ଗୁଣ୍ଡାଟା ମୋ' ପଛରେ ପଡ଼ି ଯାଇଛି । ମୋ' ଯୌବନ ଉପରେ ତା' ଆଖି , ସେ ମୋତେ ପିଚ୍ଛା କରୁଛି । ରତ୍ନାକର ଭୋଇ କହିଲା - ଉଠ ମା' ଉଠ, ବସ ମୋ' ପାଖରେ । ତୁମର କେହି କିଛି କରିପାରିବେନି । ହଠାତ୍‌ ଦଉଡ଼ି ଦଉଡ଼ି ଆସି ପହଞ୍ଚି ଗଲା ଗ୍ରୀଷ୍ମ ବଡ଼ଜେନା । ରତ୍ନାକର ଭୋଇ ପାଖରେ ଅଟକି ଯାଇ କଟମଟ କରି ଅନେଇଲା ତାକୁ । ରତ୍ନାକର ଭୋଇ ତାକୁ ଦେଖି ମୁରୁକି ହସା ଦେଉଥିବା ବେଳେ ଭୟରେ ଥରୁଥିଲା ସ୍ତ୍ରୀ ଲୋକଟି । ରତ୍ନାକର ଭୋଇ ଗ୍ରୀଷ୍ମକୁ ଲକ୍ଷ୍ୟ କରି କହିଲା - କ'ଣ ବାବୁ ? ଏତେ ବ୍ଯସ୍ତ ବିବ୍ରତ ଜଣା ପଡୁଛନ୍ତି ? କ'ଣ ହୋଇଛି ? କାହାକୁ ଖୋଜୁଛନ୍ତି କି ? ଗ୍ରୀଷ୍ମ ଗର୍ଜନ କରି କହିଲା - ଏଇ ! ସେ ସ୍ତ୍ରୀ ଲୋକଟାକୁ ମତେ ଦେଇଦେ', ନହେଲେ..... ହଠାତ୍‌ ହସି ଉଠି କହିଲା ରତ୍ନାକର ଭୋଇ - ନହେଲେ.....? କ'ଣ ଅଧା କହି ଅଟକି ଗଲ ଯେ ? ବାକ୍ଯଟା ପୂରଣ କଲନି କାହିଁକି ? 


       ଗ୍ରୀଷ୍ମ ବଡ଼ଜେନା ଚ଼କିତ ନେତ୍ରରେ ଚ଼ାହିଁ ରହିଥିଲା । ପ୍ରଥମ ଥର ପାଇଁ କେହି ଜଣେ ତା' ଆଖିରେ ଆଖି ମିଶେଇ କଥାବାର୍ତ୍ତା କରୁଥିବାର ଲକ୍ଷ୍ୟ କରୁଥିଲା ସେ । ଯହାକୁ ଦେଖିଲେ ଗଗନ ପବନ ପ୍ରକମ୍ପିତ ହେଉଥିଲା, ଲୋକଙ୍କର କବାଟ ପଡ଼ି ଯାଉଥିଲା, ବଜାରଘାଟର ଦୋକାନ ବନ୍ଦ ହୋଇ ଯାଉଥିଲା , ତା'ରି ସାମ୍ନାରେ ଆଜି ଜଣେ ସାଧାରଣ ମଳିମୁଣ୍ଡିଆ ଟୋକା ବିନା ଭୟରେ ହସି ହସି ତାକୁ ଜବାବ ଦେଉଛି ! ତାକୁ କେମିତି କେମିତି ଲାଗୁଥିଲା । ଗ୍ରୀଷ୍ମର ନିରବତାକୁ ଲକ୍ଷ୍ଯ କରି ରତ୍ନାକର ଭୋଇ କହି ଉଠିଲା - ମୋ' ପ୍ରଶ୍ନର ଉତ୍ତର ମୁଁ ଏଯାଏଁ ପାଇଲିନି ଯେ.........? ଗ୍ରୀଷ୍ମ ଗର୍ଜି ଉଠି ଉତ୍ତରରେ କହିଲା - ଆବେ ଚୁପ୍‌, କାହା ସହ କଥାବାର୍ତ୍ତା କରୁଛୁ ଜାଣି ପାରୁଛୁ ତ ? ମନ୍ତ୍ରୀ ଭଗୀରଥ ବଡ଼ଜେନାର ପୁଅ ଗ୍ରୀଷ୍ମ ବଡ଼ଜେନା ମୁଁ , ଯାଆ ନାଁ ଶୁଣିଲେ ସାରା ମୂଲକରେ ଖେଳିଯାଏ ଭୟର ବାତାବରଣ, ଲୋକଙ୍କର ତାଟି କବାଟ ପଡ଼ିଯାଏ ଆଉ ଦୋକାନ ବଜାର ବନ୍ଦ ହୋଇଯାଏ , ମୁଁ ସେଇ ଗ୍ରୀଷ୍ମ ବଡ଼ଜେନା । ରତ୍ନାକର ଭୋଇ ଗର୍ଜି ଉଠି କହିଲା - ଚୁପ୍‌ , ଏକ୍‌ଦମ୍‌ ଚୁପ୍‌ । ତୁ ଯିଏ ବି ହୁଅ , ମନ୍ତ୍ରୀର ପୁଅ ହୁଅ କି ଯନ୍ତ୍ରୀର ପୁଅ ହୁଅ , ମୋର କିଛି ଯାଏ-ଆସେ ନାହିଁ । ମୁଁ କେବଳ ଏତିକି ଜାଣେ, ଶରଣାର୍ଥୀର ସୁରକ୍ଷା । ବାସ୍‌ , ସେ ବର୍ତ୍ତମାନ ମୋ' ଶରଣାର୍ଥୀ , ମୁଁ ତା'ର ସୁରକ୍ଷାଦାତା , ତାକୁ ସୁରକ୍ଷା ଦେବା ମୋର ପ୍ରଥମ କର୍ତ୍ତବ୍ୟ ।


   ଗ୍ରୀଷ୍ମ ବଡ଼ଜେନା ଗର୍ଜି ଉଠି କହିଲା - ତେବେ ତୁ ତାକୁ ଛାଡ଼ିବୁନି ? ରତ୍ନାକର ଭୋଇ କହିଲା - ନା, ଛାଡ଼ିବିନି । ତା' ପାଖରେ ପହଞ୍ଚିବାକୁ ହେଲେ ପ୍ରଥମେ ମୋତେ ମାନେ ଏ ସୁରକ୍ଷା ବଳୟକୁ ଭେଦ କରିବାକୁ ପଡ଼ିବ । ଗ୍ରୀଷ୍ମ ବଡ଼ଜେନା ରାଗି ପାଚ଼ି ଲାଲ୍‌ ପଡ଼ି ଗଲାଣି । ଗର୍ଜି ଉଠି କହିଲା - ବେଶ୍‌, ତେବେ ମୋତେ ଆଗ ତୋର ଦଫାରଫା କରିବାକୁ ପଡ଼ିବ । ଅଣ୍ଟାରେ ଖୋସିଥିବା ଭୁଜାଲିଟି କାଢ଼ି ବୀର ଦର୍ପରେ ଆଗେଇ ଆସିଲା । ରତ୍ନାକର ଭୋଇ ତା' ବ୍ଯାଗ୍‌ ଭିତରୁ ପଇଡ଼ ହଣା କାତିଟି ଧରି ବୀର ଦର୍ପରେ ଛିଡ଼ା ହେଲା । ଗ୍ରୀଷ୍ମ ବଡ଼ଜେନା ଅଟକି ଯାଇ କହିଲା - ତେବେ ତୁ ବି ପ୍ରସ୍ତୁତ ? ରତ୍ନାକର ଭୋଇ କହିଲା - ହୁଁ, ଆସେ , ଠିଆରେ ଚ଼ିରିଦେଦି । ଲାଗିଲା ଯୁଦ୍ଧ, ଏକା ଚ଼ୋଟରେ ରକ୍ତାକ୍ତ ଗ୍ରୀଷ୍ମ ବଡ଼ଜେନା । ଜୀବନ ନେଇ ଚ଼ାଲିଗଲା ସେଠାରୁ । ସେ ଗଲା ପରେ ଏକ ଅଟୋରେ ସେ ସ୍ତ୍ରୀ ଲୋକକୁ ଠିକଣା ଜାଗାକୁ ପଠେଇ ଦେଲା ରତ୍ନାକର ଭୋଇ । ବସ୍‌ ଆସିଲା , ବସ୍‌ରେ ଚ଼ଢ଼ି ଘରକୁ ଆସିଲା ରତ୍ନାକର । ସେପଟେ ପୁଅର ଏ ଅବସ୍ଥା ଦେଖି ମନ୍ତ୍ରୀ ଭଗୀରଥ ବଡ଼ଜେନା କ୍ଷୁବ୍ଧ ହୋଇଗଲେ ଏବଂ ତା'ର ଠିକଣା ଖୋଜିବାରେ ଲାଗିଲେ । ଗ୍ରୀଷ୍ମ ମେଡ଼ିକାଲରେ ଭଲ ହୋଇ ଫେରିଲା । 


  କିଛିଦିନ ପରେ ପାଖ ବଜାରରେ ଏକ ପାନ ଦୋକାନରୁ ପାନ ଭାଙ୍ଗୁଥିଲା ରତ୍ନାକର ଭୋଇ । କାହାର ନଡ଼ିଆ ଗଛ ହାଣିବାକୁ ଯିବାର ଥିଲା । ଦିନ ଦଶଟା ବାଜେ ନ ବାଜେ ହୋଇଛି , ହଠାତ ଗହଳି ଶୁଭିଲା ବଜାରରେ । କେହି ଜଣେ ସ୍ତ୍ରୀ ଲୋକର ପାଟି , ମତେ ଛାଡ଼ିଦିଅ , ମୋର କିଛି କ୍ଷତି କରନା ଏପରି ଶୁଣି ସ୍ତବ୍ଧ ହୋଇ ଯାଇଥିଲା ରତ୍ନାକର ଭୋଇ । ଦୋକାନୀକୁ ପଚ଼ାରିଲା - ଏ କାହା ପାଟି ? ଏମିତି ବିକଳ ହୋଇ ପାଟି କରୁଛି ! ଦୋକାନୀଟି କହିଲା - ଆପଣ ଆପଣଙ୍କ ବାଟରେ ଯାଆନ୍ତୁ , ମୁଣ୍ଡ ଖେଳାନ୍ତୁନି ସେଥିରେ । ନହେଲେ ଜୀବନ ନେଇ ଫେରିବନି । ପାନ ନିଅନ୍ତୁ, ଆଉ ନିଜ କାମରେ ଯାଆନ୍ତୁ । ଦୋକାନୀ ହାତରୁ ପାନ ନେଇ କହିଲା ରତ୍ନାକର - କିଛି ବୁଝି ହେଲାନି । କ'ଣ ହୋଇଛି ? ଦୋକାନୀଟି ଉତ୍ତର ଦେଲା - ମନ୍ତ୍ରୀ ଭଗୀରଥ ବଡ଼ଜେନାଙ୍କ ପୁଅ ଗ୍ରୀଷ୍ମ ବଡ଼ଜେନା ହୋଇଥିବ । କୋଉ ଝିଅର ଇଜ୍ଜତ ଲୁଟୁଥିବ । ଯିଏ ପାଟି ଖୋଲିବ, ସେ ମରିବ । ତେଣୁ କେହି କିଛି କୁହନ୍ତିନି କି ପ୍ରତିବାଦ କରନ୍ତିନି । ତେଣୁ ଆପଣ କିଛି ନ ବୁଝି ଆପଣଙ୍କ ବାଟରେ ଯାଆନ୍ତୁ । ରତ୍ନାକର ଭୋଇ ଉତ୍ତର ଦେଲା - ଏଇ କ'ଣ ମାନବିକତା ! ଅନ୍ୟାୟ କରୁଥିବା ଲୋକ ଅପେକ୍ଷା ଅନ୍ୟାୟକୁ ଦେଖି ଚୁପ୍‌ ରହୁଥିବା ଲୋକ ଅଧିକ ଅନ୍ୟାୟୀ । ସେଦିନ ମୋ'ଠୁ ହଣା ଖାଇ ଥିଲା , ଆଜି ତା' ଜୀବନ ଯିବା ନିଶ୍ଚିତ । ଦୋକାନୀଟି କହିଲା - ତମେ ସେଦିନ ତାକୁ..... ଆଶ୍ଚର୍ଯ୍ୟ ସହିତ ଅଧା ବାକ୍ଯରେ ଅଟକି ଗଲା ଦୋକାନୀଟି । ରତ୍ନାକର କହିଲା - ହଁ, ମୁଁ । ସବୁ କଥା କହିଲା ଦୋକାନୀକୁ । ଦୋକାନୀ କହିଲା - ତମ ଉପରେ ରାଗ ରଖିଥିବ । ଯାଆନ୍ତୁନି ସେଠାକୁ । ରତ୍ନାକର କହିଲା - ଆଜି ଚ଼ଳଚ଼ିତ୍ର ଦେଖିବ ରୁହ । ଗଛ ହଣା କାପାଟିକୁ କାନ୍ଧରେ ପକାଇ ଘଟଣାସ୍ଥଳ ଆଡ଼େ ମୁହାଁଇଲା ରତ୍ନାକର ଭୋଇ । ଦୋକାନୀଟି କହୁଥିଲା - ବିଚ଼ରା ଆଜି ବଳି ପଡ଼ିଲା ଜାଣ , ଗ୍ରୀଷ୍ମ ବଡ଼ଜେନା ହାତରେ ପ୍ରାଣ ଯିବା ନିଶ୍ଚିତ ।


    ରତ୍ନାକର ଭୋଇ ଘଟଣାସ୍ଥଳରେ ଉପନୀତ ହୋଇ ଦେଖିଲା ଅନେକ ଲୋକ ରୁଣ୍ଢ ହୋଇଛନ୍ତି । ସର୍କସ ଖେଳ ପରି ଗୋଲାକାର ବୃତ୍ତ ସଜ୍ଜିତ ଦର୍ଶକ ମହଲର ମଧ୍ୟଭାଗରେ ଖେଳ ଚ଼ାଲିଛି । ଜନରାଶି ଆଡ଼େଇ ସାମ୍ନାକୁ ଗଲା ରତ୍ନାକର ଭୋଇ । ଦେଖିଲା ବିବାହିତ ସୁନ୍ଦର ସ୍ତ୍ରୀ ଲୋକଟିର ଅନ୍ତବସ୍ତ୍ର ବ୍ଯତିତ ତା' ଦେହରେ ନଥିଲା ଶାଢ଼ୀ । ଶାଢ଼ୀଟି ବାହାରେ ଫିଙ୍ଗା ଯାଇଛି । ଚୁଟି ମୁଠାକ ଧରି ଟାଣିବାରେ ଲାଗିଛି ମନ୍ତ୍ରୀ ଭଗୀରଥ ବଡ଼ଜେନାର ପୁଅ ଗ୍ରୀଷ୍ମ ବଡ଼ଜେନା । ଚ଼ାଲିଛି ବଳାତ୍କାର ଉଦ୍ଯମ । ନିରବଦ୍ରଷ୍ଟା ସାଜିଛନ୍ତି ସମସ୍ତ ଜନତା । ସବୁକିଛି ଚ଼ଳଚ଼ିତ୍ର ସୁଟିଙ୍ଗ୍‌ ପରି ମନେ ହେଉଥାଏ । କେହି କିଛି କହିବାକୁ ନାରାଜ , କାହାର ନାହିଁ ପ୍ରତିବାଦ । ମନେ ହେଉଥାଏ ଏମାନେ ସବୁ ଦର୍ଶକ ଯେମିତି । 


  ଆଚ଼ମ୍ବିତ ହୋଇଗଲା ରତ୍ନାକର ଭୋଇ । ଏତେ ଲୋକଙ୍କ ଉପସ୍ଥିତିରେ ଏଠି ଜଣେ ଲୋକ ଜଣେ ସ୍ତ୍ରୀ ଲୋକକୁ ଅତ୍ଯାଚ଼ାର କରି ଚ଼ାଲିଛି , ଅଥଚ଼ କେହି ତୁଣ୍ଡ ଖୋଲୁ ନାହାନ୍ତି ! ଏମାନେ ମଣିଷ ନା ପଶୁ ? ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ ରତ୍ନାକର ଭୋଇ , ଝପଟି ଆସିଲା ମଧ୍ୟସ୍ଥଳକୁ । ରତ୍ନାକରକୁ ଦେଖି ଥପ୍‌କିନା ରହିଗଲା ଗ୍ରୀଷ୍ମ ବଡ଼ଜେନା । ଘଡ଼ିଏ ଚ଼ାହିଁ ରହିଲା ରତ୍ନାକର ମୁହଁକୁ । ସ୍ତ୍ରୀ ଲୋକଟିର ଚୁଟିଟି କିନ୍ତୁ ଗ୍ରୀଷ୍ମ ବଡ଼ଜେନାର ହାତମୁଠାରେ ଟାଣି ହୋଇ ରହିଥାଏ । ନମ୍ର ଗଳାରେ ପ୍ରଶ୍ନ କଲା ଗ୍ରୀଷ୍ମ - ତୁ ସେଇ ଲୋକ ନା, ଯିଏ ସେଦିନ ଦେଖା ହୋଇଥିଲା ବସ୍‌ଷ୍ଟପ୍‌ରେ ? ରତ୍ନାକର କହିଲା - ହଁ, ମୁଁ ସେଇ ଲୋକ , ଯିଏ ତୋତେ ସେଦିନ ହାଣିଥିଲା । ତୁ ଠିକ୍‌ ଚ଼ିହ୍ନିଛୁ ମୋତେ । ଉପସ୍ଥିତ ଜନତାଙ୍କ ପାଖରେ ଖବର ପହଞ୍ଚି ଯାଇଥିଲା - କେହି ଗ୍ରୀଷ୍ମ ବଡ଼ଜେନାକୁ ରକ୍ତାକ୍ତ କରିଛି , କିନ୍ତୁ କେହି ଜାଣି ନଥିଲେ ଯେ ରକ୍ତାକ୍ତକାରୀ ଏଇ ରତ୍ନାକର ଭୋଇ ବୋଲି । ଏବେ ଏସବୁ ଜାଣି ଜନତାଙ୍କ ମଧ୍ୟରେ ଟୁପୁରୁଟାପୁରୁ ଆରମ୍ଭ ହୋଇଗଲା । ମୃଦୁ ଶବ୍ଦ ଗୁଞ୍ଜରଣରେ ପୂରି ଉଠୁଥିଲା ଘଟଣାସ୍ଥଳଟି । 


  ଗ୍ରୀଷ୍ମ ବଡ଼ଜେନା କହିଲା - ଓହୋ, ତେବେ ତୁ ସେଇ ଲୋକ ! ଆଜି ତୋ' ବିନାଶ ମୋ' ହାତରେ । ଭାଗ୍ଯ ତୋତେ ମରଣ ପଥକୁ ଘୋସାରି ଆଣିଛି । ଦେଖିବି, ତତେ କିଏ ରଖିବ ଆଜି । ରତ୍ନାକର ଉତ୍ତର ଦେଲା - କିଏ ମରିବ ଆଉ କିଏ ବଞ୍ଚିବ, ସେକଥା ବର୍ତ୍ତମାନର ସମୟ କହିବ , ଆଉ ଉପସ୍ଥିତ ଥିବା ନିରବ ଦ୍ରଷ୍ଟା ମାନେ ସ୍ବଚକ୍ଷୁରେ ଦେଖିବେ । ଆଗ ତା'ର ଚୁଟି ଛାଡ୍‌ । ଗ୍ରୀଷ୍ମ ଉତ୍ତର ଦେଲା - ଯଦି ନ ଛାଡ଼େ ? ରତ୍ନାକର କହିଲା - ଆଉଥରେ କହୁଛି , ତା' ଚୁଟି ଛାଡ୍‌ , ଭଲ ଦଶା ଅଛି ତ ତାକୁ ଛାଡ଼େ । ଗ୍ରୀଷ୍ମ କହିଲା - ନା, ମୁଁ ତାକୁ ଛାଡ଼ିବିନି । ତୋର କ'ଣ କରିବା କଥା କର୍‌ , କର୍‌ କର୍‌, କ'ଣ କରିବୁ କର୍‌ । ରତ୍ନାକର ଭୋଇ ରାଗରେ ଜଳିଗଲା । ଏକ ଶକ୍ତ ମୁଥାଟେ ବାଜିଲା ଗ୍ରୀଷ୍ମ ବଡ଼ଜେନା ମୁହଁରେ , ଛିଟିକି ପଡ଼ିଲା ଗ୍ରୀଷ୍ମ ବଡ଼ଜେନା । ରତ୍ନାକର ଭୋଇର ମୁଥାରେ ଏତେ ଶକ୍ତି ଥିଲା ଯେ, ଗ୍ରୀଷ୍ମ ବଡ଼ଜେନାର ଗୋଟାଏ ଦାନ୍ତ ଗଳି ପଡ଼ିଲା । ଝରୁଥିବା ରକ୍ତକୁ ଆତରେ ପୋଛି ଉଠିଲା ଗ୍ରୀଷ୍ମ ବଡ଼ଜେନା । ଝପଟି ଆସିଲା ରତ୍ନାକର ଭୋଇ ଉପରକୁ । ଲାଗିଲା ପ୍ରଚ଼ଣ୍ଡ ଧସ୍ତାଧସ୍ତି । ଆଃ, ଉଃ ଶବରେ ଫାଟି ପଡୁଥିଲା ଘଟଣାସ୍ଥଳ । କିଛି ସମୟର ଧସ୍ତାଧସ୍ତି ପରେ ଅବଶ ହୋଇ ପଡ଼ିଲା ଗ୍ରୀଷ୍ମ ବଡ଼ଜେନା । ରତ୍ନାକର ପୁଣି ଏକ ମୁଥାକେ ତାକୁ ଧରାଶାୟୀ କରିଦେଲା । ତଳେ ପଡ଼ିଥିବା ନଡ଼ିଆ ଗଛ ହଣା କାପାଟାକୁ ଉଠାଇ କାନ୍ଧରେ ପକାଇଲା । 


  ଧରାଶାୟୀ ହୋଇଥିବା ଗ୍ରୀଷ୍ମ ବଡ଼ଜେନା ପୁଣି ଝପଟି ଆସିଲା , କାପାର ପଶ୍ଚାତ୍‌ ପଟରେ ଏକ ଶକ୍ତ ପ୍ରହାର ଦେଲା ରତ୍ନାକର ତାକୁ । ପୁନରାୟ ପଡ଼ିଗଲା ତଳେ ଗ୍ରୀଷ୍ମ ବଡ଼ଜେନା । ତଳେ ପଡ଼ିଥିବା ଶାଢ଼ୀଟାକୁ ଉଠାଇ ସେ ସ୍ତ୍ରୀ ଲୋକର ଦେହରେ ଗୁଡ଼ାଇ ଦେଲା । କାପାଟାକୁ ଧରି ଗ୍ରୀଷ୍ମ ବଡ଼ଜେନା ସାମ୍ନାରେ ଠିଆ ହେଲା । ତାକୁ ଲକ୍ଷ୍ୟ କରି କହିଲା - କହିଥିଲି ନା, କିଏ ମରିବ କିଏ ବଞ୍ଚିବ ସେକଥା ସମୟ କହିବ ଆଉ ନିରବ ନିରବ ଦ୍ରଷ୍ଟାମାନେ ଦେଖିବେ ବୋଲି ? କାହା କଥା ସତ୍ଯ ହେଲା ? ଏବେ କିଏ ହାରିଲା ? ତୁ ନା ମୁଁ ? ଭୟରେ ଥରୁଥାଏ ଗ୍ରୀଷ୍ମ ବଡ଼ଜେନା । ଥଙ୍ଗ ଥଙ୍ଗ ହୋଇ କ'ଣ କହିବାକୁ ଚେଷ୍ଟା କଲା - ତୁ... ତୁ... ତୁ... କିନ୍ତୁ କହିପାରୁ ନଥିଲା ସେ । ରତ୍ନାକର କହିଲା - ହଁ ମୁଁ , ପାଟି କାଇଁ ଖନି ମାରି ଯାଉଛି ? ଏବେ ଦେଖିଲୁ କାହାର ହେଲା ପରାଜୟ ? ନିରବଦ୍ରଷ୍ଟାଗଣ ଦେଖିଲେ କିଏ ହାରିଲା , ଏବେ ଦେଖିବେ କିଏ ମରିବ ।


     ଗ୍ରୀଷ୍ମ ବଡ଼ଜେନା ସମ୍ପୂର୍ଣ୍ଣ ଭୟଭୀତ ହୋଇ ସାରିଥାଏ । ଥଙ୍ଗ ଥଙ୍ଗ ହୋଇ ଥରିଲା କଣ୍ଠରେ କହିଲା - ମତେ ଛାଡ଼ି ଦେ', ମତେ ମାର୍‌ନା । ଛାଡ଼ି ଦେ' ମତେ । ରତ୍ନାକର କହିଲା - କେତେ ଝିଅ ବୋହୂଙ୍କର ଇଜ୍ଜତ ନେଇଛୁ , କେତେ ଲୋକଙ୍କର ମୁଣ୍ଡ ଗଡେଇଛୁ ତା'ର କଳନା ନାହିଁ । କିଏ କେତେ ନେହୁରା ହୋଇଥିବେ, ମତେ ଛାଡ଼ିଦିଅ, ମତେ ଛାଡ଼ିଦିଅ । ତୁ ତ ସେମାନଙ୍କୁ ଛାଡ଼ି ନଥିବୁ ନା, ଆଜି ମୁଁ କେମିତି ଛାଡ଼ିଦେବି ତତେ ? ଗ୍ରୀଷ୍ମ ବଡ଼ଜେନା କହିଲା - ଦେଖ୍‌, ମୁଁ ମନ୍ତ୍ରୀର ପୁଅ । ମତେ ମାରିଲେ ତତେ ଜେଲ୍‌ ହୋଇଯିବ , ଫାଶି ହୋଇଯିବ ତତେ । ରତ୍ନାକର କହିଲା - ହେଇଯାଉ ଜେଲ୍‌ ଅବା ଫାଶି , କିନ୍ତୁ ଆଜି ତୋର ମୃତ୍ୟୁ ମୋ' ହାତରେ ହେବ । ଗ୍ରୀଷ୍ମ ବଡ଼ଜେନା କାକୁତି ମିନତି ହେଉଥିଲା । ହାତ ଯୋଡ଼ି ନେହୁରା ହେଉଥିଲା । କିନ୍ତୁ ରତ୍ନାକର ଆଖି ଦୁଇଟା ଜଳିଲାପରି ମନେ ହେଉଥିଲା । ଯେମିତି ଘାଇଲା ବାଘ ପାଲଟି ଯାଇଥିଲା ରତ୍ନାକର ଭୋଇ । ଶିକାର କରିବା ପାଇଁ ବସିଥିଲା ଗ୍ରୀଷ୍ମ ବଡ଼ଜେନାକୁ । କାକୁତି ମିନତି ହୋଇ ଗ୍ରୀଷ୍ମ ବଡ଼ଜେନା କହୁଥିଲା - ମୁଁ ତୋ' ଗୋଡ଼ ଧରୁଛି, ମତେ ଛାଡ଼ି ଦେ' । ରତ୍ନାକର କିନ୍ତୁ ନଛୋଡ଼ବନ୍ଧା । ସେ ଆଜି ଗ୍ରୀଷ୍ମ ବଡ଼ଜେନାକୁ ମାରିବ ହିଁ ମାରିବ ବୋଲି ଯେମିତି ପଣ କରି ନେଇଥିଲା ମନେ ମନେ । ରତ୍ନାକର କହିଲା - ତୋ' ଗୋଡ଼ କେତେ କିଏ ଧରିଥିବେ ତ ନିଶ୍ଚୟ ? ଛାଡ଼ି ଦେଇଥିଲୁ କି ତାଙ୍କୁ ? ମୁଁ କେମିତି ଛାଡ଼ିବି ? ରାଗି ଯାଇଥିଲା ପ୍ରଚ଼ଣ୍ଡ ଭାବରେ ରତ୍ନାକର । ଗଛ ହଣା କାପାରେ ପ୍ରହାର ପରେ ପ୍ରହାର କରି ଧରାରେ ଲୋଟେଇ ଦେଲା ଗ୍ରୀଷ୍ମ ବଡ଼ଜେନାକୁ ରତ୍ନାକର ଭୋଇ ।


   ତଳେ ପଡ଼ିଛି ଶବ, ଚ଼ାରିପଟେ ରୁଣ୍ଢ ହୋଇଛନ୍ତି ଜନତା । ଭାସି ଯାଉଛି ରକ୍ତ । ଦୀର୍ଘ ନିଃଶ୍ଵାସ ପକାଉଛି ରତ୍ନାକର ଭୋଇ । ଜନ ବଳୟର ଏକ ପାଖରେ ସ୍ତବ୍ଧ ହୋଇ ଛିଡ଼ା ହେଉଛି ସ୍ତ୍ରୀ ଲୋକଟି । ସତେ ଯେପରି ସେ ମୁକ ପାଲଟି ଯାଇଛି । ଆଖି ସାମ୍ନାରେ ଘଟି ଯାଉଥିବା ଘଟଣା ଗୁଡ଼ିକୁ ସେ ଚ଼ଳଚ଼ିତ୍ରର ଦୃଶ୍ୟ ମନେ କରି ତା' ନିଜ ଆଖିରେ ଆଙ୍କି ଚ଼ାଲିଛି ଏବଂ ସ୍ବ ଚ଼କ୍ଷୁ ଯନ୍ତ୍ରରେ ଉତ୍ତୋଳିତ ଚ଼ିତ୍ର ବୁକୁ ସଞ୍ଚିତ କରି ଚାଲିଛି । କାପାରେ ଲାଗି ଥିବା ରକ୍ତକୁ ଗ୍ରୀଷ୍ମ ବଡ଼ଜେନାର ପୋଷାକରେ ଘସି ସଫା କରିଲା ରତ୍ନାକର ଭୋଇ । ଉଚ୍ଚ ସ୍ବରରେ କହିଲା - ଧନ୍ୟ, ଧନ୍ୟ ତୁମେମାନେ ସବୁ । ଏତେ ଲୋକ ଥାଉ ଥାଉ ଗୋଟେ ଲୋକକୁ କାବୁ କରି ପାରୁନ କି ଅନ୍ଯାୟର ପ୍ରତିବାଦ କରି ପାରୁନ ? କୁରୁସଭାରେ ଦ୍ରୌପଦୀର ବସ୍ତ୍ରହରଣକୁ ନିରବରେ ଦେଖି ଚ଼ାଲିଛ ? ପର ଝିଅ -ବୋହୂର ଇଜ୍ଜତ ଲୁଟ୍‌ ଚ଼ାଲିଛି, ଅଥଚ଼ ତମେ ଏଠି ପ୍ରତିବାଦ ନ କରି ତାମସା ଦେଖୁଛ ? ଧିକ୍‌, ଶତଧିକ୍‌ ତୁମ ମଣିଷପଣିଆକୁ , ଧିକ୍‌ ତୁମ ମାନଙ୍କୁ । ତୁମେମାନେ ଏତେ ଭୀରୁ? ଏତେ କାପୁରୁଷ ତୁମେମାନେ ? ଆଜି ଯଦି ଏ ଝିଅଟି ତୁମର କେହି ହୋଇଥା'ନ୍ତା, ତେବେ ତୁମକୁ କେମିତି ଲାଗିଥାଆନ୍ତା ? ପ୍ରତିବାଦ କରିବା ପରିବର୍ତ୍ତେ ଛିଡ଼ା ହୋଇ ତାମସା ଦେଖିବାର ମାନେ ? କାହାର ବିବେକ କହିଲାନି ପ୍ରତିବାଦ କରିବାକୁ ? ତୁମେମାନେ ମଣିଷ ନା ପଶୁ ?


  ସମସ୍ତେ ନିରବ ଥିଲେ । ନିଜକୁ ଲଜ୍ଜିତ ମନେ କରି ନତ ମସ୍ତକରେ ଛିଡ଼ା ହୋଇ ରହିଥିଲେ । କିଛି ସମୟ ନିରବତା ପରେ ଏକ ସ୍ୱରରେ କହିଲେ - ଆମେ ଭୟଭୀତ ଥିଲୁ । ପ୍ରତିବାଦ କରିବାର ସାହସ ଜୁଟାଇ ପାରୁ ନ ଥିଲୁ । ରତ୍ନାକର ଭୋଇ କହିଲା - ଛି ! ତୁମେ ସବୁ ମାଇଚିଆ ,କେହି ଗୋଟାଏ ପୁରୁଷ ନୁହଁ । ଚୁଡ଼ି ପିନ୍ଧି ଚୂଲିମୁଣ୍ଡ ଆବୋରି ବସିବା ଯୋଗ୍ୟ ତୁମେମାନେ । ଶତଧିକ୍‌ ତୁମ ମାନଙ୍କୁ । ତୁମ ମାନଙ୍କ ପାଖରେ ପୁରୁଷତ୍ବ ବୋଲି କିଛି ନାହିଁ । ସବୁ ଗୁଡ଼ାକ ଛକା । ନିଜକୁ ଲଜ୍ଜିତ ମଣୁଥିଲେ ସମସ୍ତେ । ଅପମାନରେ ନଇଁ ଯାଉଥିଲା ମଥା । ପୁଣି କହି ଉଠିଲା ରତ୍ନାକର ଭୋଇ - ଛାଡ଼, କ'ଣ ଆଉ କହିବି ? କହିଦେବ ସମସ୍ତେ , ରତ୍ନାକର ଭୋଇ ଏ କୁକୁରଟାକୁ ମାରିଛି । ମନ୍ତ୍ରୀ ଭଗୀରଥ ବଡ଼ଜେନା ବି ଜାଣୁ , ମଳିମୁଣ୍ଡିଆର ବି ଯଥେଷ୍ଟ ତାକତ ରହିଛି । ରାସ୍ତାରେ ପଡ଼ିଛି ଶବ , ଲୋକମାନେ ଚ଼ାରିପଟେ ବଳୟଟେ ତିଆରି କରି ଘେରି ରହିଛନ୍ତି । ଧିରେ ଧିରେ ବଳୟ ପତଳା ହେବାରେ ଲାଗିଛି , ଜଣ ଜଣ କରି ମୁହଁ ପୋତି ଫେରିବାରେ ଲାଗିଛନ୍ତି । ବଳୟ ଭାଙ୍ଗି ସାରିଛି । କାନ୍ଧରେ କାପା ପକାଇ ଫେରି ଯାଇଛି ରତ୍ନାକର ଭୋଇ । 


    ଖବର ପାଇ ପୋଲିସ୍‌ ଆସିଛି । ସମସ୍ତଙ୍କୁ ବଜାର ସାରା ପଚ଼ାରିଛି । କେହି କିଛି କହି ପାରି ନାହାନ୍ତି । ସମସ୍ତେ କହିଛନ୍ତି ଆମେ କେହି ଦେଖିନୁ । ଶବ ପୋଷ୍ଟ୍‌ମର୍ଟମ୍‌ ହେବାକୁ ଯାଇଛି । ରିପୋର୍ଟ ଆସିଛି ହତ୍ଯା । କିନ୍ତୁ ହତ୍ଯାକାରୀ ଚ଼ିହ୍ନଟ ହୋଇ ପାରିନାହିଁ । ରତ୍ନାକର ଭୋଇ ଯେ ହତ୍ଯାକାରୀ , ଏ କଥା କେହି ବି କହି ପାରିଲେନି । ପୁଅର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ମନ୍ତ୍ରୀ ଭଗୀରଥ ବଡ଼ଜେନା । ପୋଲିସ୍‌ ଡ଼ିପାର୍ଟ୍‌ମେଣ୍ଟ୍‌କୁ ଅର୍ଡ଼ର୍‌ ଦିଆ ଯାଇଛି , ଚ଼ବିଶି ଘଣ୍ଟା ଭିତରେ ଆସାମୀକୁ ଧରିବାକୁ । ବାଇଶି ଘଣ୍ଟା ବିତି ଗଲାଣି , ଆସାମୀ ଧରା ପଡୁନି । ସୀରା ପୋଲିସ୍‌ ଡ଼ିପାର୍ଟ୍‌ମେଣ୍ଟ୍‌ ଚ଼ିନ୍ତାରେ ବୁଡ଼ି ରହିଛନ୍ତି । ହାତରେ ମାତ୍ର ଆଉ ଦୁଇ ଘଣ୍ଟା । ହଠାତ୍‌ ଘୋଷଣା ହେଲା - ମୃତ ବା ଜୀବିତ, ମନ୍ତ୍ରୀ ପୁଅର ହତ୍ଯାକାରୀକୁ ଧରାଇ ଦେଲେ ସରକାରଙ୍କ ତରଫରୁ ନଗଦ ଦୁଇ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ବିଭିନ୍ନ ଗଣମାଧ୍ୟମ ଓ ସମ୍ବାଦପତ୍ର ସହ ପ୍ରଚ଼ାର ଗାଡ଼ି ବି ବୁଲିଲା । 


  ଠିକ୍‌ ସେଇଦିନ ଏକ ପାଗଳର ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହେଲା । ପାଗଳଟି ବେଶ୍‌ ହୃଷ୍ଟପୁଷ୍ଟ ଥିଲା, ଭଲ ଲୋକ ପରି ଜଣା ପଡ଼ୁଥିଲା । ହାତରେ ମାତ୍ର ଏକ ଘଣ୍ଟା ସମୟ ଆଉ , ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା ପୋଲିସ୍‌ । ଶବ ଜବତ କଲା, ମିଛ ପ୍ରମାଣଟେ ମିଳିଗଲା ତାକୁ । ସବ୍‌ଇନ୍ସ୍‌ପେକ୍ଟର୍‌ ସାହେବ ମନ୍ତ୍ରୀଙ୍କୁ ଜଣାଇଲେ ଯେ -ଆପଣଙ୍କ ପୁଅର ହତ୍ଯାକାରୀର ଶବ ମିଳିଛି । ଗାଡ଼ି ଦୁର୍ଘଟଣାରେ ତା'ର ମୃତ୍ୟୁ ହୋଇଛି । ନେତା ମନ୍ତ୍ରୀଙ୍କର ସୁଅ ଛୁଟିଲା ଥାନାକୁ । ଶବକୁ ଦେଖି ସମସ୍ତେ ଅନୁମାନ କରୁଥିଲେ ଏ ନିଶ୍ଚୟ ହତ୍ଯାକାରୀ । ମାରିବା ଆଗରୁ ଭଗବାନ ମାରିଦେଲେ ତାକୁ । ଆଉ କିଛି କରିବାର ଉପାୟ ନଥିଲା । ଏକଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଗଲା ସବ୍‌ଇନ୍ସ୍‌ପେକ୍ଟର୍‌ଙ୍କୁ । ସେ ଟଙ୍କାକୁ ନେଇ ରିଲିଫ୍ ପାଣ୍ଠିରେ ଦାନ କରିଦେଲେ ଅଫିସର । ପାପ ଟଙ୍କା ନେଇ ଲାଭ କ'ଣ ? ବରଂ ଏ ଟଙ୍କା ଜନତାଙ୍କ କଲ୍ଯାଣରେ ଲାଗୁ । ଏକଥା ଭାବି ସେ ରିଲିଫ୍ ପାଣ୍ଠିରେ ଦାନ କରିଦେଲେ । ଦୁଇ ଲକ୍ଷ ଟଙ୍କାରୁ ଏକଲକ୍ଷ ପାଇଲେ । ବାକି ଏକଲକ୍ଷ ସାତଦିନ ପରେ ତାଙ୍କ ଆକାଉଣ୍ଟ୍‌କୁ ଆସିବାରୁ ସେ ଟଙ୍କାକୁ ନେଇ ବୃଦ୍ଧାଶ୍ରମରେ ବୃଦ୍ଧ - ବୃଦ୍ଧାଙ୍କ ସହାୟତା ପାଇଁ ଦେଇ ଆସିଲେ । ଏକଥା ରତ୍ନାକର ଭୋଇ କାନରେ ପଡ଼ିଲା । ସେ ଜାଣି ମଧ୍ଯ ଚୁପ୍‌ ରହିଲା । ମନେ ମନେ ଭାବୁଥିଲା - କଳିଯୁଗର ଦୁଃଶାସନର ପତନ ହେଲା, ଲୋକେ ଟିକେ ଶାନ୍ତିରେ ନିଃଶ୍ବାସ ମାରିବେ । କେତେ ଦ୍ରୌପଦୀ ଅବହେଳିତ ଓ ଅତ୍ଯାଚାରିତରୁ ବଞ୍ଚିଯିବେ ନିଶ୍ଚୟ । 


  ଗଡ଼ି ଗଲା ଏକ ବର୍ଷ ଦୁଇ ମାସ , ଆଉ ଏକ ଘଟଣା ସାରା ରାଜ୍ଯରେ ଚ଼ାଞ୍ଚଲ୍ଯ ସୃଷ୍ଟି କରିଦେଲା । ମନ୍ତ୍ରୀ ଭଗୀରଥ ବଡ଼ଜେନା ଏକ ଗୁପ୍ତ ବ୍ଯବସାୟଟିଏ ଆପଣେଇ ଥିଲେ । ଓଡ଼ିଶାର ଝିଅ ମାନଙ୍କୁ ବିଦେଶ ଚ଼ାଲାଣ କରିବାର ଗୁପ୍ତ ବେପାର କେବେଠୁ ଚ଼ଳେଇ ଥିଲେ । ତାଙ୍କର କିଛି ଲୋକ ଚ଼ାକିରୀର ଲୋଭ ଦେଖାଇ ଝିଅ ମାନଙ୍କୁ ବିଦେଶ ଚ଼ାଲାଣ କରୁଥିଲେ । ସେଥିରୁ ମିଳୁଥିବା ଅର୍ଥ ସିଧା ଆସୁଥିଲା ମନ୍ତ୍ରୀ ଭଗୀରଥ ବଡ଼ଜେନାଙ୍କ ନିକଟକୁ  ଏବଂ ସେ ତାକୁ ସହାୟତା କରୁଥିବା ଲୋକ ମାନଙ୍କୁ ଶ୍ରେୟ ଦେଉଥିଲେ । ରତ୍ନାକର ଭୋଇ ଥିଲା ଗରିବ ଶ୍ରେଣୀର ଲୋକ । ତା'ର ଗୋଟିଏ ଝିଅ ଥିଲା , ତା'ର ନ ଶାମ୍ଭବୀ । ଘରର ପରିସ୍ଥିତିକୁ ଲକ୍ଷ୍ଯ କରି ଚ଼ାକିରୀଟେ ଖୋଜୁଥିଲା । ସେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ପଢ଼ି ଘରେ ବସି ରହିଥିଲା । ଚ଼ାକିରୀ ପାଇବାର ଲୋଭରେ ଭୁବନେଶ୍ବରରେ ପହଞ୍ଚିଲା । ଚ଼ାକିରୀ ଖୋଜୁଥିବା ସମୟରେ ସେ ଦେଖା ହେଲା ବିଧାୟକ ଭୃଗୁ ଠାଗୋରଙ୍କ ସହିତ । ତାକୁ ଚ଼ାକିରୀ ଦେବାକୁ କହି ବିଦେଶ ଚ଼ାଲାଣ କରିବାର ଗୁପ୍ତ କଥୋପକଥନ ଶାମ୍ଭବୀ କାନରେ ପଡ଼ିଥିଲା । ତେଣୁ ସେ ଚ଼ାଲାକ କରି ସେଠାରୁ ଖସି ଚ଼ାଲି ଆସିଲା । ଥାନାରେ ଜଣାଇବାରୁ ଥାନା ବାବୁ ଏତାଲା ରଖିଲାନି । ଶାମ୍ଭବୀ ଫେରି ଆସିଲା ନିଜ ଗ୍ରାମକୁ । 


  ଶାମ୍ଭବୀ ଖସି ଆସିଛି ବୋଲି ଜାଣିଲେ ବିଧାୟକ । ଥାନା ବାବୁ ବି ଥିଲେ ମନ୍ତ୍ରୀ ଭଗୀରଥ ବଡ଼ଜେନାଙ୍କ ଲୋକ , ତେଣୁ ଶାମ୍ଭବୀ ଏତାଲା ଦାୟର କରିବାକୁ ଆସିଥିଲା ବୋଲି ମନ୍ତ୍ରୀଙ୍କୁ ଜଣାଇ ଦିଆଗଲା । କାଳେ ବାହାରେ କୋଉଠି ପ୍ରକାଶ କରିଦେବ ଭାବି ସେ ଡ଼ରି ଯାଇଥିଲେ ଏବଂ ଶାମ୍ଭବୀକୁ ଧରିବାକୁ ଚ଼େଷ୍ଟା କରି ତା'ଘରେ ପହଞ୍ଚି ଥିଲେ । ସେତେବେଳକୁ ଶାମ୍ଭବୀ ଓ ତା' ବୋଉ ରମ୍ଭା ଦେବୀ କଥା ହେଉଥିଲେ ଏକାଠି, ପାଖରେ ଥିଲା ରତ୍ନାକର ଭୋଇ । ମନ୍ତ୍ରୀ ଭଗୀରଥ ବଡ଼ଜେନା ପଶି ଆସିଲେ ଘର ଭିତରକୁ । ମନ୍ତ୍ରୀଙ୍କୁ ଦେଖି ସମସ୍ତେ ପ୍ରଣାମ ଜଣାଇଲେ । ରତ୍ନାକର ଭୋଇ ବସିବା ପାଇଁ ଚ଼େୟାର୍‌ ଦେଲା , ମନ୍ତ୍ରୀ ଭଗୀରଥ ବଡ଼ଜେନା ବସିଲେ । ରତ୍ନାକର ଭୋଇ ପଚାରିଲା - ଏ ଗରିବ କୁଡ଼ିଆରେ ଆପଣଙ୍କ ପାଦ କେମିତି ପଡ଼ିଲା ବାବୁ ? ଆସିବାର କାରଣ କ'ଣ ? ଭଗୀରଥ ବଡ଼ଜେନା କହିଲେ - ତୋ' ଝିଅ ଶାମ୍ଭବୀ ମୋ' ନାଁରେ ଏତାଲା ଦେବାକୁ ଥାନାକୁ ଯାଇଥିଲା, ସେ ଜାଣି ସାରିଛି ମୋର କଳା କାରନାମା । ତେଣୁ କୋଉଠି ପ୍ରକାଶ କରିବା ଆଗରୁ ତା' ମୁହଁଟାକୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ହେବ ଭାବି ପୂର୍ଣ୍ଣ   ପ୍ରସ୍ତୁତିର କଷ୍ଟ କରି ଆସିବାକୁ ହେଲା ମତେ ତୋ ଘରକୁ ।


       ସମସ୍ତେ ଭୟଭୀତ ହୋଇଗଲେ , ଏମିତି କ'ଣ କହୁଛନ୍ତି ଭଗୀରଥ ବାବୁ ! କେହି କିଛି ବୁଝି ପାରୁ ନଥିବା ବେଳେ କଥାଟା କିନ୍ତୁ ଠିକ୍‌ ଧରିଥିଲା ଶାମ୍ଭବୀ । ରତ୍ନାକର ଭୋଇ ବଲବଲ ଅନେଇଛି । ରମ୍ଭା ଦେବୀ କହିଲେ - ଆମେ କିଛି ବୁଝି ପାରୁନୁ । କଥାଟା ଖୋଲିକି କୁହନ୍ତୁ । ମୋ' ଝିଅ ଥାନେ ଏତାଲା ଦେବାକୁ ଯାଇଥିଲା , ହେଲେ କାହିଁକି ? ଶାମ୍ଭବୀ କହିଲା - ଝିଅ ଚ଼ାଲାଣ କରୁଥିଲେ ମନ୍ତ୍ରୀ ମହାଶୟ , ମୁଁ ଖସି ଚ଼ାଲି ଆସିଛି । ତା'ପରେ ସବୁ କଥା କହିଲା ଶାମ୍ଭବୀ । ମନ୍ତ୍ରୀ ଭଗୀରଥ ବଡ଼ଜେନା କହିଲେ - ଏବେ କୁହ , କ'ଣ କରିବି ? ତା' ମୁହଁ ବନ୍ଦ ନ କଲେ ମୋ' ମୁହଁ ରହିବ ତ ? ଏ ମନ୍ତ୍ରୀପଦ ବଞ୍ଚାଇବାକୁ ଆଉ ମୋ' ମୁହଁରେ ଚୁନ-କାଳି ବୋଳା ନ ହେବାକୁ ମତେ ତା' ମୁହଁ ବନ୍ଦ କରିବାକୁ ପଡ଼ିବ । ରମ୍ଭା ଦେବୀ କହିଲେ - ନା , ମୋ' ଝିଅକୁ ଛାଡ଼ି ଦିଅ । ମୋ' ଝିଅ କାହାକୁ କିଛି କହିବନି । ଶାମ୍ଭବୀ କହିଲା - ନା , ସେଇଟା ମଣିଷ ନୁହଁ । ତା' ଗୋଡ଼ ଧରିବା କି ତାକୁ ହାତ ଯୋଡ଼ିବା ଠିକ୍‌ ନୁହେଁ । ସେ କ'ଣ କରିବ କରୁ । ରତ୍ନାକର ଭୋଇ କହିଲା - ମୋ' ଝିଅ ଠିକ୍‌ କହିଛି । ଅନ୍ଯାୟର ପ୍ରତିବାଦ କରିବା ଦରକାର । ଆପଣ ମନ୍ତ୍ରୀ ବୋଲି ମୁଁ ଚ଼େୟାର୍‌ଟେ ଦେଲି ବସିବାକୁ । ଆଉ କିଏ ହୋଇଥିଲେ........... ଅଧାରେ ଅଟକି ଗଲା ରତ୍ନାକର । ଗାଁ ଲୋକ ଘେରି ଗଲେଣି ଗାଁ ଦାଣ୍ଡରେ ଏବଂ କଥାବାର୍ତ୍ତା ଶୁଣି ସବୁକିଛି ବୁଝି ସାରିଲେଣି ସମସ୍ତେ । 


   ରତ୍ନାକର କଥା ଶୁଣି କ୍ରୋଧିତ ମନ୍ତ୍ରୀ ଭଗୀରଥ ବଡ଼ଜେନା । ଗର୍ଜି ଉଠିଲେ ଓ ରିଭର୍‌ବଲ୍‌ କାଢ଼ି ଭୟ ଦେଖାଇ କହିଲେ - ଛୋଟଲୋକ ! ମୋ' ମୁହଁରେ ଜବାବ ଦେବାକୁ ସାହସ ହେଲା କେମିତି ? ମନ୍ତ୍ରୀ ଭଗୀରଥ ବଡ଼ଜେନା ଶାମ୍ଭବୀକୁ ଭିଡ଼ି ଆଣି ମୁଣ୍ଡରେ ବନ୍ଧୁକ ଲଗାଇ ମାରିବାର ଧମକ ଦେବାରୁ ରତ୍ନାକର କହିଲା - ମାରିବେ ? ମାରନ୍ତୁ, କିନ୍ତୁ ଲକ୍ଷ୍ୟ କରନ୍ତୁ ଗାଁ ସାରା ଲୋକ । ମନ୍ତ୍ରୀ ଭଗୀରଥ ବଡ଼ଜେନା ବାହାରକୁ ଚ଼ାହିଁଲେ , ହଜାର ହଜାର ଲୋକ ଜମା ହୋଇଛନ୍ତି । ଏତିକିବେଳେ ପଇଡ଼ ହଣା କାତିଟି ଘରର ଗୋଟେ କଣରେ ଥିଲା । କାତିଟି କଣରୁ ଉଠାଇ ରତ୍ନାକର ଭୋଇ ଗୋଟେ ଶକ୍ତ ପ୍ରହାର ମନ୍ତ୍ରୀ ଭଗୀରଥ ବଡ଼ଜେନାଙ୍କ ହାତକୁ ଦେଲା । ବନ୍ଧୁକ ଖସି ପଡ଼ିଲା , ବନ୍ଧୁକକୁ ଗୋଡ଼ରେ ଠେଲି ଦେଲା ପଛକୁ ରତ୍ନାକର ଭୋଇ । ଝିଅ ଶାମ୍ଭବୀ ବନ୍ଧୁକଟିକୁ କାବୁ କରି ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ରଖିଲା । ରତ୍ନାକର ପଇଡ଼ ହଣା ଦାଢ଼ୁଆ କାତିରେ ପ୍ରହାର କଲେ , ଝରିଗଲା ରକ୍ତ, ପ୍ରାଣ ବିରେ ଦଉଡ଼ି ପଳାଇଲେ ବାହାରକୁ ମନ୍ତ୍ରୀ ଭଗୀରଥ ବଡ଼ଜେନା । 


   ପଛେ ପଛେ ଧାଇଁଲା ରତ୍ନାକର ଭୋଇ । ଗାଁ ଦାଣ୍ଡରେ କାବୁ କରି ନେଇ ପଇଡ଼ ହଣା କାତିରେ ହାଣି ପକାଇଲା । ମୁଣ୍ଡରୁ ଗଣ୍ଡିଟାକୁ ହାଣି ଅଲଗା କରିଦେଲା ରତ୍ନାକର ଭୋଇ ,କଲବଲ ହୋଇ ପ୍ରାଣବାୟୁ ଉଡ଼ି ଗଲା ଭଗୀରଥ ବଡ଼ଜେନାଙ୍କର । ସମସ୍ତ ଜନତା ସ୍ତବ୍ଧ , ମନ୍ତ୍ରୀଙ୍କୁ ହାଣି ପକାଇଲା ରତ୍ନାକର । ମନ୍ତ୍ରୀଙ୍କ ଶୋଷଣ ଓ ଅତ୍ଯାଚାରରୁ ଜନତା ମୁକ୍ତି ପାଇଲେ । ପୋଲିସ୍‌ ଗାଡ଼ିର ସାଇରନ ଶୁଣି ରତ୍ନାକରର ସ୍ତ୍ରୀ ଧାଇଁ ଆସି ରତ୍ନାକର ହାତରୁ କାତିଟାକୁ ଛଡ଼ାଇ ନେଲେ । ପୋଲିସ୍‌ ପଚ଼ାରିଲା - କିଏ ହତ୍ଯା କରିଛି ? ରତ୍ନାକର ଭୋଇ କହିଲା - ମୁଁ ମାରିଛି, ତମେ କାହିଁକି ନିଜ ମୁଣ୍ଡକୁ ନେଉଛ ? ପୋଲିସ୍‌ ଦେଖିଲା ରକ୍ତ ଲଗା କାତିଟି ରମ୍ଭା ଦେବୀଙ୍କ ହାତରେ ଅଛି । ଲୋକମାନେ ମଧ୍ୟ ମିଛରେ ରମ୍ଭା ଦେବୀଙ୍କ ନାମ କହିଲେ । ପୋଲିସ୍‌ ରମ୍ଭା ଦେବୀଙ୍କୁ ଗିରଫ କଲା ଓ କାତିଟାକୁ ଜବତ କଲା । ରମ୍ଭା ଦେବୀଙ୍କୁ ନେଇ ପୋଲିସ୍‌ ଚ଼ାଲିଗଲା ପରେ ଲୋକମାନେ ରତ୍ନାକରକୁ ସାବାସି ଦେଲେ । ଝିଅ ଅଛି , ତେଣୁ ତୁ ଗିରଫ ହେଲେ ତା' କଥା କ'ଣ ହେବ ? - କହିଲେ ସବୁ । 


  ରମ୍ଭା ଦେବୀ କୋର୍ଟ୍‌ ଫରୱାର୍ଡ଼ ହେଲେ । କୋର୍ଟ୍‌ ଅର୍ଡ଼ର ଅନୁସାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ଝିଅ ଶାମ୍ଭବୀ ଏବେ ବିବାହ କରି ସାରିଲାଣି । ତା'ର ବି ପୁଅଟିଏ ହୋଇ ସାରିଲାଣି । ଏ ହେଲା ରତ୍ନାକର ଭୋଇର କାହାଣୀ । ଗ୍ରାମସଭାରେ ସମସ୍ତେ ନିରବ ଥିବା ବେଳେ ହଠାତ୍ ତୁଣ୍ଡ ଖୋଲିଲା ରତ୍ନାକର । କହିଲା - ଉପାୟ କ'ଣ ଆଉ ଚ଼ିନ୍ତା କରିବା ? ଗୋଟିଏ ଉପାୟ ସମସ୍ତେ ଏକଜୁଟ୍‌ ହେବା । ପାଞ୍ଚଟା ଆଙ୍ଗୁଠି ମିଶିଲେ ମାଟି ତାଡ଼ିବ । ତେଣୁ ଏଠି ସମସ୍ତେ ଭୟ ତ୍ଯାଗ କରି ଏକାଠି ତା' ବିରୁଦ୍ଧରେ ସ୍ବର ଉଠାଇବା ଦରକାର । ଏ ସମାଜ ତଥା ଏ ଅଞ୍ଚଳର ମଙ୍ଗଳ ପାଇଁ ପ୍ରତ୍ଯେକ ବ୍ଯକ୍ତି ସଶସ୍ତ୍ର ହେବା ଜରୁରୀ । ବେଣୁପାଣି ବଳ କହିଲା - ଠିକ୍‌ କଥା , ଆମେ ପ୍ରସ୍ତୁତ । ପିକ ପ୍ରଧାନ କହିଲା - ସମସ୍ତେ ଏକ ହେବା , ଆମେ ଏକାଠି ହେଲେ ଆଲ୍ଲାଉଦିନକୁ ସମ୍ମୁଖୀନ ହୋଇ ପାରିବା । ଏମାନଙ୍କ କଥା ଶୁଣି ସଭାସଦ୍‌ଗଣ ଏକସ୍ୱରରେ କହି ଉଠିଲେ - ହଁ , ଆମେ ଏକ ହେବା , ଆଲଉଦିନକୁ ଛାଡ଼ିବାନି । ଜଟାଧାରୀ ଝପଟସିଂହ କହିଲେ - ଠିକ୍‌ ଅଛି , ଯାହା ହେବ ଦେଖା ଯିବ । ଏବେ ସଭା ସରିଲା । ଠିକ୍‌ ସମୟରେ ଠିକ୍‌ କଥା ହେବ । ସଭା ସାରି ଉଠିଲେ ସମସ୍ତେ । 


    ଗ୍ରାମ ସଭାରେ ଆଲୋଚ୍ୟ କଥା ସମସ୍ତ ଆଲଉଦିନ କାନରେ ପଡ଼ିଲା । ସେ ନିଜର କ୍ରୋଧ ସମ୍ବରଣ କରି ନ ପାରି ହିନ୍ଦୁ ସମ୍ପ୍ରଦାୟର ବିନାଶ ବ୍ଯବସ୍ଥା ଚ଼ିନ୍ତନରେ ମନୋନିବେଶ କଲା । ଆଲ୍ଲାଉଦିନର ପିତାଶ୍ରୀ ରେହେମାନ ଚ଼ାଚ଼ା ତାକୁ ବହୁତ ବୁଝାଇଲେ । ରେହେମାନ ଚ଼ାଚ଼ା କହିଲେ - ଦେଖ୍‌ ବେଟା , ଯାହା କଲୁ କଲୁ , ଏବେ ସେ ସବୁରୁ ନିବୃତ୍ତ ରହ । ଓଡ୍ର ଗାଁର ସାରା ହିନ୍ଦୁ ସମ୍ପ୍ରଦାୟ ଏକ ହୋଇ ଗଲେଣି । ତା'ଛଡ଼ା ଜଟାଧାରୀ ଝପଟସିଂହଙ୍କୁ ମୁଁ ଯେତିକି ଜାଣିଛି , ସେ ଏକଜିଦିଆ ଲୋକ ଜଣେ । ଯାହା ବୁଝି ଥିବେ ସେଇଆ , ଯାହା କରିବାକୁ ଚ଼ାହିଁବେ ନ କରି ରହି ପାରିବେନି । ଲାଗିପଡ଼ି ସେ କାମ ହାସଲ କରିବାରେ ଧୁରନ୍ଧର ସେ । ତେଣୁ ତୁ ଆଉ ସେମାନଙ୍କ ସହ ପଙ୍ଗା ନେ'ନା , କ'ଣ ମିଳିବ ସେଥିରୁ ଆମକୁ ? ଆମ ଦୁଃଖରେ ଆମେ , ଆମ ସୁଖରେ ଆମେ । ସାରା ହିନ୍ଦୁ ତାତିକି ଅଛନ୍ତି , ଜୀବନ ପ୍ରତି ବିପଦ ଅଛି ତୋର । ଜାଣି ବିପଦ ନିମନ୍ତ୍ରଣ କରିବା ବୋକାମୀର ପରିଚ଼ୟ ହେବ । ଏଥର ତୋତେ ସେମାନେ ଜୀବିତ ଛାଡ଼ିବେନି । ପିତାଶ୍ରୀଙ୍କ କଥା ସବୁ କେମିତି ଅଖାଡୁଆ ଲାଗୁଥିଲା ଆଲ୍ଲାଉଦିନକୁ ।


   ରେହେମାନ ଚ଼ାଚ଼ା କହିଲେ - ରତ୍ନାକର ଭୋଇ ଜଣେ ଦୁର୍ଦ୍ଦାନ୍ତ ଲୋକ । ଯିଏ ମନ୍ତ୍ରୀ ଭଗୀରଥ ବଡ଼ଜେନା ଓ ତା' ପୁଅ ଗ୍ରୀଷ୍ମ ବଡ଼ଜେନାଙ୍କୁ ସର୍ବସାଧାରଣରେ ହାଣି ପକାଇଥିଲା , ସେ ଏଥର ତୋତେ ମାରିବାର ଗୁରୁଦାୟିତ୍ବ ବହନ କରିଛି । ତୁ ମୋ' କଥା ମାନେ, ଏ ପୀରପଲ୍ଲୀ ତଥା ଏ ଅଞ୍ଚଳ ଛାଡ଼ି ଅଣ୍ଡରଗ୍ରାଉଣ୍ଡ୍‌ ହୋଇଯାଆ । ତାଙ୍କ ସହ ଲାଗିବା କିଛି ଦରକାର ନାହିଁ । ପିତାଶ୍ରୀଙ୍କର କଥା ଶୁଣି ଗର୍ଜି ଉଠିଲା ଆଲ୍ଲାଉଦିନ - ପିତାଶ୍ରୀ ! ମତେ ଆପଣ ଭୟଭୀତ କରିବାକୁ ଚ଼େଷ୍ଟା କରୁଛନ୍ତି । ମୁଁ କାହାକୁ ଭୟ କରେନି , ମତେ ସମସ୍ତେ ଡ଼ରନ୍ତି । ମୁଁ ବି ଭୀରୁ ନୁହେଁ ଯେ ଏ ଗାଆଁ , ଏ ଅଞ୍ଚଳ ଛାଡ଼ି କୁଆଡ଼େ ଲୁଚ଼ି ଯିବି । ମୁଁ ବି ଦେଖିବାକୁ ଚ଼ାହେଁ , କିଏ ମୋର କ'ଣ କ୍ଷତି କରିବ । ସେ ହିନ୍ଦୁ ସମ୍ପ୍ରଦାୟର ବିନାଶ ମୋ ' ପାଇଁ ଅପରିହାର୍ଯ୍ୟ । ହିନ୍ଦୁ ରକ୍ତରେ ସ୍ନାନ କରିବି ମୁଁ । ମତେ ଶୋଷ , ବହୁତ୍‌ ଶୋଷ , ହିନ୍ଦୁ ରକ୍ତରେ ହିଁ ମୋର ମେଣ୍ଟିବ ତୃଷା । ବାଶ୍‌ , ମୁଁ କାହା କଥା ଶୁଣିବାକୁ ଚ଼ାହେଁନି, ଏମିତି କି ଆପଣଙ୍କ କଥା ବି । ରେହେମାନ ଚ଼ାଚ଼ା ରାଗିଗଲେ ଏବଂ ଆଲ୍ଲାଉଦିନ ଗାଲରେ ଶକ୍ତ ଚ଼ାପୁଡ଼ାଟାଏ ଦେଲେ । କହିଲେ - ମୁର୍ଖ ! କୁଳାଙ୍ଗାର ! ତୋର ପ୍ରତ୍ଯେକଟି ଭୂଲ୍‌କୁ ମୁଁ ଆଖି ବୁଜି ସହିଛି ଆଉ ନିରବରେ ସମର୍ଥନ କରି ଆସିଛି । ତା' ବୋଲି ଭାବେନା ମୁଁ ଦୁର୍ବଳ ହୋଇ ପଡ଼ିଛି । ମୋ' ଦେହରେ ଅଦ୍ଯାପି ବି ଶକ୍ତି ଅଛି । ଆଲ୍ଲା କସମ୍‌ , ମୁଁ ବଞ୍ଚିଥିଲା ଯାଏଁ ତୋତେ ଆଉ ଭୂଲ୍‌ କରିବାକୁ ଦେବିନି । 


  ଆଲ୍ଲାଉଦିନ କ୍ଷୁବ୍ଧ ହୋଇଗଲା ପିତାଶ୍ରୀଙ୍କ ଉପରେ । ଆଖି ଯୋଡ଼ାକ ତା'ର ଜଳିଲା ପରି ଦିଶୁଥିଲା । ସିଂହ ମୁହଁରୁ ଯେମିତି ଖାଦ୍ଯ ଛଡ଼େଇ ନେବାର ପ୍ରୟାସ , ସେଭଳି ତା' ପାଖରୁ ତା' ଇଚ୍ଛାକୁ ଛଡ଼େଇ ନେବାକୁ ତା' ପିତାଶ୍ରୀ ଚ଼େଷ୍ଟିତ ବୋଲି ମନେ କରି ଅତି କ୍ରୋଧରେ ଜଳି ଉଠୁ ଥିଲା ଆଲ୍ଲାଉଦିନ । ରେହେମାନ ଚ଼ାଚ଼ା ମୁହଁକୁ ଚ଼ାହିଁ କହିଲା - ତମେ ଶତଚ଼େଷ୍ଟା କରି ବି ରୋକି ପାରିବନି ମୋତେ । ମୁଁ ଯାହା ଚ଼ାହେଁ , ସେଇଆ କରେ । ରେହେମାନ ଚ଼ାଚ଼ା ପୁଣି ଦୋହରାଇଲେ - ମୁଁ ବଞ୍ଚିଥିବା ଯାଏଁ ତୁ ସେ ଭୂଲ୍‌ କରି ପାରିବୁନି ଆଉ । ଆଲ୍ଲାଉଦିନର ଉତ୍ତର ଥିଲା - ତେବେ ତୁମକୁ ମରିବାକୁ ପଡ଼ିବ । ଏଇଆ ତ ? ବେଶ୍‌, ତୁମ ଇଚ୍ଛା ମୁଁ ପୂରଣ କରିବି ପିତାଶ୍ରୀ । ରେହେମାନ ଚ଼ାଚ଼ା ଚ଼ମକି ଉଠିଲେ । ନିଜ ପିତାଶ୍ରୀଙ୍କୁ ମଧ୍ୟ ମାରିବାକୁ ଉଦ୍ଯତ ସେ । ଆଶ୍ଚର୍ଯ୍ୟ ହେଲେ । ରେହେମାନ ଚ଼ାଚ଼ା କହିଲେ - ଧନ୍ୟ ବେଟା , ପିତାଶ୍ରୀକୁ ହତ୍ଯା କରିବାକୁ ବି ପ୍ରସ୍ତୁତ । ଆଲ୍ଲାଉଦିନ ଖାସି କଟା କଟରା କାଢ଼ି କହିଲା - ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରିବା ମୋର ଧର୍ମ । ତେଣୁ ମୁଁ' ସେହି ଧର୍ମ ପାଳନ କରୁଛି । ରେହେମାନ ଚ଼ାଚ଼ା କହିଲେ - ତୁ ବେଟା ନା ଶତ୍ରୁ ? ଆଲ୍ଲାଉଦିନ କହିଲା - ଉହୁଁ , ଅଜାତଶତ୍ରୁ । ମୁଁ ଅଜାତଶତ୍ରୁ । ହେ ଆଲ୍ଲା ! ମେରି ପିତାଶ୍ରୀ କୋ ମୁକ୍ତି ଦେ' ଦୋ , ଉସ୍‌କା ଇଚ୍ଛା ପୂରା କିଜିଏ । ତୁଝେ ମେରି କସମ୍‌ ଆଲ୍ଲା , ମେରେ ବାତ୍‌ ରଖିଏ । ରେହେମାନ ଚ଼ାଚ଼ା ଭୟରେ ଦୌଡ଼ି ପଳାଇଗଲେ । ପଛରେ ଧାଉଁଥିଲା ଆଲ୍ଲାଉଦିନ ।


   ପୀରପଲ୍ଲୀରୁ ବାହାରି ଓଡ୍ର ଗ୍ରାମ ଭିତରକୁ ପଶିଗଲେ ରେହେମାନ ଚ଼ାଚ଼ା । ରେହେମାନ ଚ଼ାଚ଼ାକୁ କଟରା ଧରି ହାଣିବାକୁ ପଛରେ ଧାଇଁଛି ଆଲ୍ଲାଉଦିନ । ଓଡ୍ରର ହିନ୍ଦୁ ସମ୍ପ୍ରଦାୟର ପ୍ରତ୍ଯେକ ଲୋକ ଘେରିଗଲେ , ସୁରକ୍ଷାରେ ରଖିଲେ ରେହେମାନ ଚ଼ାଚ଼ାକୁ । ରେହେମାନ ଚ଼ାଚ଼ା ସବୁକଥା କହିବାରୁ ଆଲ୍ଲାଉଦିନକୁ ଭର୍ତ୍ସନା କଲେ ସମସ୍ତେ । ଅଟକାଇଲେ ତାକୁ , ସବୁ ଲୋକ ମିଶି କାବୁ କରିନେଲେ । ନିଧୁମ୍‌ ଛେଚ଼ିଲେ । ଆଲ୍ଲାଉଦିନ ସହ ଧସ୍ତାଧସ୍ତି ଲାଗିଲା । ହଠାତ୍‌ ତଳୁ କଟରା ଉଠାଇ ରେହେମାନ ଚ଼ାଚ଼ାକୁ ମାରିବାକୁ ଗଲା ବେଳେ ପଛରୁ ବାଜିଲା ଶକ୍ତ ପ୍ରହାର ଆଲ୍ଲାଉଦିନ ମୁଣ୍ଡରେ । ପଛକୁ ବୁଲି ଚ଼ାହିଁଲା ବେଳକୁ ରତ୍ନାକର ଭୋଇର ପଇଡ଼ ହଣା କଟରାଟା ତା'ର ବକ୍ଷସ୍ଥଳକୁ ବିଦ୍ଧ କଲା । ଝରି ଗଲା ରକ୍ତ , ପଡ଼ିଗଲା ତଳେ ଆଲ୍ଲାଉଦିନ । ସଙ୍ଗେ ସଙ୍ଗେ ଏକାଚ଼ୋଟକେ ମୁଣ୍ଡରୁ ଗଣ୍ଡିଟା ଅଲଗା କରି ପକାଇଲା ରତ୍ନାକର ଭୋଇ , ଅତି ଦୁର୍ଦ୍ଦାନ୍ତ ଭାବରେ । ଶେଷ ନିଃଶ୍ବାସ ଛାଡ଼ିଲା ଆଲ୍ଲାଉଦିନ । 


   ତାକୁ ନେଇ କବର ସ୍ଥାନରେ କବର ଦେଲେ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକମାନେ । ପାଖ ଅଞ୍ଚଳରେ ବି ପହଞ୍ଚି ଗଲା ଖବର । ଏ କାନରୁ ସେ କାନକୁ କଥା ବ୍ଯାପିଲା , ସମସ୍ତେ ଟୁପୁରୁଟାପୁରୁ ହେବାକୁ ଲାଗିଲେ । ସବୁଠି ଚ଼ାଲିଲା ଆଲୋଚ଼ନା , ଲୋକେ ଆଲ୍ଲାଉଦିନ ଦାଉରୁ ରକ୍ଷା ପାଇଲେ । ଥାନାରେ ପହଞ୍ଚିଲା ଖବର , ପୋଲିସ୍‌ ଆସିଲା ଗାଁକୁ । ସମସ୍ତ ବୃତ୍ତାନ୍ତ ଶୁଣିଲା ଏବଂ ଆଲ୍ଲାଉଦିନର ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ରିପୋର୍ଟ୍‌ କରି ନେଇ ଚ଼ାଲିଗଲା । 


  କିଛିଦିନ ପରେ ମଙ୍ଗୁଳୁ ଉତ୍ଥାପନ କଲା ମନ୍ଦିର , ମସ୍‌ଜିଦ୍‌ , ଚର୍ଚ୍ଚ୍‌ ଓ ଗୁରୁଦ୍ବାର ନିର୍ମାଣ କଥା । ଗ୍ରାମସଭା ବସିଲା ଏବଂ ଗ୍ରାମସଭାରେ ନିଷ୍ପତ୍ତି ନିଆଗଲା ଗୋଟିଏ ଜାଗାରେ ମନ୍ଦିର ,ମସ୍‌ଜିଦ୍‌ ,ଚର୍ଚ୍ଚ୍‌ ଓ ଗୁରୁଦ୍ବାର ନିର୍ମାଣ ହେବ । ଆମେ ସବୁ ସମ୍ପ୍ରଦାୟ ଏକ , କାନ୍ଧକୁ କାନ୍ଧ ମିଳାଇ ଭାଇ ଭାଇ ହୋଇ ଚ଼ଳିବା ବୋଲି କହିଲେ ଜଟାଧାରୀ ଝପଟସିଂହ ଗ୍ରାମସଭାରେ । ବାଛନ୍ଦ ହୋଇଥିବା ଲୋକଙ୍କୁ ବାଛନ୍ଦ ନ କରି ପୁନରାୟ ଓଡ୍ର ଗ୍ରାମ ଭାଇ ବୋଲି ଭାବି ନେଲେ । ଶିଖ୍‌ ସମ୍ପ୍ରଦାୟ ପାଟଣା ଓ ମୁସ୍‌ଲିମ୍‌ ସମ୍ପ୍ରଦାୟ ପୀରପଲ୍ଲୀ ବାସିନ୍ଦା ହେଲେ ବି ଆମ ଓଡ୍ର ଗ୍ରାମର ସମସ୍ତ କାର୍ଯ୍ୟରେ ଯୋଗ ଦେବେ ଏବଂ ଆମେ ତାଙ୍କ କାର୍ଯ୍ୟରେ ଯୋଗ ଦେବା ବୋଲି ନିଷ୍ପତ୍ତି ନିଆଗଲା । ବାଛନ୍ଦ ମୁକ୍ତ ହେଲେ ଖ୍ରାଷ୍ଟିୟାନ ସାହି ବାସିନ୍ଦା । ଜଟାଧାରୀ ଝପଟସିଂହ ଓଡ୍ର ଗ୍ରାମବାସିନ୍ଦା ଏବଂ ସମସ୍ତଙ୍କ ଦସ୍ତଖତ ନେଇ ସେଠାରେ ମନ୍ଦିର ,ମସ୍‌ଜିଦ୍‌ ,ଚର୍ଚ୍ଚ୍‌ ,ଗୁରୁଦ୍ବାର ନିର୍ମାଣ ପାଇଁ ଥାନାରୁ ଅନୁମତି ଆଣିବାକୁ ଯିବା ଗ୍ରାମସଭାରେ ନିଷ୍ପତ୍ତି ହେଲା । 


   ସକାଳୁ ଗଲେ ଜଟାଧାରୀ ଝପଟସିଂହ ଥାନାକୁ , ସମସ୍ତଙ୍କ ସ୍ବୀକୃତିପତ୍ରଟାକୁ ଥାନା ଅଧିକାରୀଙ୍କୁ ଦେଲେ । କିଛିଦିନ ଭିତରେ ଅନୁମତି ମିଳିଗଲା ଏବଂ କାର୍ଯ୍ୟ ଆରମ୍ଭ ହେଲା , ସମସ୍ତେ କାନ୍ଧକୁ କାନ୍ଧ ଲଗେଇ କାମ କଲେ । କାର୍ଯ୍ୟ ସରିଲା , ସମସ୍ତେ ଏକାଠି ହେଲେ ସେଠାରେ । ଗ୍ରାମର ସମସ୍ତ କାର୍ଯ୍ୟ ପୂର୍ବ ପରି ଚ଼ାଲିଲା । ହଜି ଯାଇଥିବା ଶାନ୍ତିର ପ୍ରତ୍ଯାବର୍ତ୍ତନ ହେଲା । ପୁଣି ଥରେ ଜାଗି ଉଠିଲା ଭାଇଚାରାର ସମ୍ପର୍କ ।


   ଗପ ସରିଲା ବେଳକୁ ସଉପ ବିଛାଇ ବସିଥିବା ବୃଦ୍ଧ ଗାଜି ପ୍ରଧାନଙ୍କ କୋଳରେ ନାତି ଟୋକା ଟିଙ୍କନ ଘୁମେଇ ପଡ଼ିଥାଏ । ଗାଜି ପ୍ରଧାନ ଡ଼ାକ ଛାଡ଼ିଲେ - ଆଲୋ ବୋହୂ ! ନାତିଆଟା ଶୋଇ ପଡ଼ିଲା ଲୋ । ଭିତରୁ ଗାଜି ପ୍ରଧାନଙ୍କ ବୋହୂ ଆସି ଟିଙ୍କନକୁ କୋଳକୁ ନେଉ ନେଉ କହିଲେ - ପିଲାଟା କିଛି ଖାଇଲାନି ଶୋଇ sibacool12@gmail.com 

    ପଡ଼ିଲା , ହଉ , ଯେତେବେଳେ ଉଠିବ ଖାଇବ । ଶ୍ବଶୁରଙ୍କୁ ଖାଇବାକୁ ଡ଼ାକି ଭିତରକୁ ଚ଼ାଲିଗଲେ ଟିଙ୍କନକୁ ନେଇ ।




Rate this content
Log in

More oriya story from Siba Prasad Bahinipati

Similar oriya story from Inspirational