Siba Prasad Bahinipati

Classics

3  

Siba Prasad Bahinipati

Classics

କନ୍ଯା ଅମୂଲ୍ୟ ରତ୍ନ

କନ୍ଯା ଅମୂଲ୍ୟ ରତ୍ନ

12 mins
515



   ଛୋଟ ଏକ ପଡ଼ା କେଉଟ ପାଟଣା ; ମାତ୍ର ପଚାଶଟି ଘରର ସମଷ୍ଟି । ପ୍ରାୟ ଚାରି ଶହ ହେବ ଜନ ସଂଖ୍ୟା । ସମସ୍ତେ ଦିନ ମଜୁରିଆ। କ୍ଷେତ ବାଡିରେ ଖଟି, ମାଟି ସହ ମାଟି ହୋଇ ନିଜର ପରିବାର ପ୍ରତିପୋଷଣ କରନ୍ତି । ସେ ଗାଁରେ ପ୍ରଚଳିତ ଜମିଦାର ପ୍ରଥା ଏବେ ଆଉ ନାହିଁ ; ତଥାପି ପ୍ରଥାର ଛାପ ଲିଭିନି । ଏବେ ସୁଦ୍ଧା ସେଇ ପଚାଶଟି ଘର ସେ ପଡ଼ାରେ ; ଗତ ଜନଗଣନାନୁସାରେ ପୂର୍ବ ଜନ ସଂଖ୍ୟା ଯାହା ଥିଲା ଏବେ ବି ସେଇଆ ଅଛି । କେବଳ ବଦଳିଛି ଗାଁର ପାରିପାର୍ଶ୍ବିକ ପରିବେଶ । ଆଗ ଭଳି ଚାଳ ଛପର ଘର ଆଉ ନାହିଁ ; ଟିଣ ଛପର ଘର ସବୁ ଛିଡା ହୋଇ ସାରିଛି । ଆଗର ସେ ଖଣ୍ଡିଆ ଖାବରା ଢ଼େଲା ମୋରମ ରାସ୍ତାଟି ଏବେ ପକ୍କା ରାସ୍ତାରେ ବଦଳି ଯାଇଛି । କେବଳ ଗୋଟାଏ ଘର ଛାତ ସେ ଗାଁରେ ଅଛି । ପୂର୍ବ ଜମିଦାର ବେଲାଳସେନ ଡ଼ିଆବାଘଙ୍କର ପୂର୍ବ କାଳିଆ ଛାତ ଘରଟି ବ୍ଯତିତ ଆଉ କାହାର ଛାତ ନାହିଁ । ସେତେବେଳ ଜମିଦାର ବେଲାଳସେନ ଡ଼ିଆବାଘଙ୍କ ଘରେ ଦେଖିବାକୁ ମିଳୁଥିଲା ସାଇକେଲ୍‌ ; କାହା ଘରେ ଆଉ ସାଇକେଲ୍‌ ନଥିଲା । ଏବେ ଘରେ ଘରେ ପୁଞ୍ଜେ-ଛଅଟା ଲେଖାଏଁ ସାଇକେଲ୍‌ । ବହୁତ କିଛି ବଦଳି ଯାଇଛି । ଗ୍ରାମବାସୀଙ୍କର ଅବସ୍ଥାରେ ବି ସୁଧାର ଆସିଛି ଅନେକାଂଶରେ । ଏ କାହାଣୀଟି ସେହି ଜମିଦାର ପ୍ରଥା ସମୟ ପରର । 


   ଜମିଦାର ବେଲାଳସେନ ଡ଼ିଆବାଘ ବହୁତ କଡ଼ା ଲୋକ ; କିନ୍ତୁ ଦରଦୀ ହୃଦୟର ଥିଲେ । ସେ ଏକାଧାରରେ ଜଣେ ସଂସ୍କାରୀ, ଦରଦୀ, ସତ୍ଯନିଷ୍ଠ ଓ ନ୍ଯାୟବନ୍ତ ଥିଲେ । ପାଖାପାଖି ପନ୍ଦର ଖଣ୍ଡ ମୌଜାର ସେ ଥିଲେ ଜମିଦାର ; ତାଙ୍କୁ ଥିଲା ସମସ୍ତଙ୍କର ଖାତିର୍‌ । ବେଲାଳସେନ ବାବୁ ଦେଖିବାକୁ ବାଘ ଠାରୁ ଆହୁରି ଭୟଙ୍କର ସିନା ; କିନ୍ତୁ ମନଟି ସ୍ବଚ୍ଛ ଓ ନିର୍ମଳ । ପର ପାଇଁ ଜୀବନ ଦେବାକୁ ବି ପଛାନ୍ତି ନାହିଁ ସେ । କାହା ଆଖିରେ ଲୁହ ଦେଖିଲେ ସେ ନିଜେ କାନ୍ଦି ପକାନ୍ତି ଏବଂ ନିଜର ଉତ୍ତରୀୟରେ ପୋଛି ପକାନ୍ତି ଅନ୍ଯ ଆଖିର ଲୁହକୁ । ସମସ୍ତଙ୍କର ସୁବିଧା ଅସୁବିଧାରେ ସଦାସର୍ବଦା ସାମିଲ୍‌ ରୁହନ୍ତି ଜମିଦାର ବେଲାଳସେନ । ତାଙ୍କ ଅମଳରେ କାହାର ପେଟ କେତେବେଳେ ବି ଉପବାସରେ ଗଡେ ନାହିଁ । ସେମାନେ ସମସ୍ଯା ପ୍ରକାଶ କରିବା ଆଗରୁ ସମାଧାନର ପନ୍ଥା ଖୋଲି ଦିଅନ୍ତି ସେମାନଙ୍କ ପାଇଁ ଜମିଦାର ବେଲାଳସେନ । କାଟି ଦେଲେ ଭାସି ଯାଉଥିଲା ସମ୍ପତ୍ତି ତାଙ୍କର । 


   ଛଅ ଶହ ଛଅ ବାଟି ସମ୍ପତ୍ତିର ମାଲିକ ଥିଲେ ବେଲାଳସେନ । ଛଅ ଫୁଟ ଲମ୍ବା ମଣିଷ , ଲଙ୍ଗଳ ଦଉଡି ପରି ଦୀର୍ଘ ନିଶ ; ଯେ କେହି ଦେଖିଲେ ଭେଟଣା ହୋଇଯିବ । ପର ପାଇଁ ଉତ୍ସର୍ଗ କରି କରି ହରାଇ ଦେଇଛନ୍ତି ସେ ସବୁ ସମ୍ପତ୍ତି ; ଆଗ ପରି ଆଉ ସେ ସମ୍ପତ୍ତି ନାହିଁ । ସାଧାରଣ ଲୋକ ପରି ଅଳ୍ପ କିଛି ସମ୍ପତ୍ତି ଓ ପୁରୁଣା କାଳିଆ ଛାତ ଘରଟି ବ୍ଯତିତ ଆଉ କିଛି ନାହିଁ । ଆଜିର ଏ ଗଣତନ୍ତ୍ର ଶାସନର ପ୍ରଭାବରେ ବିଲୁପ୍ତ ହୋଇ ସାରିଛି ଜମିଦାରୀ ପ୍ରଥା । ଜମିଦାର ବେଲାଳସେନ ଡ଼ିଆବାଘ ବି ଇହଧାମ ତ୍ଯାଗ କରି କେବେ ଠାରୁ ଚାଲି ଗଲେଣି । କିନ୍ତୁ ପନ୍ଦର ଖଣ୍ଡ ମୌଜାରେ ଚିର ଅମର ସେ । 


   ଜମିଦାର ବେଲାଳସେନ ଡ଼ିଆବାଘଙ୍କର ଦୁଇ ପୁଅ ଚନ୍ଦ୍ରଗୁପ୍ତ ଓ ଇନ୍ଦ୍ରଦ୍ୟୁମ୍ନ ; ଗୋଟିଏ ଝିଅ ଲିପିରେଖା । ଚନ୍ଦ୍ରଗୁପ୍ତ ଏବେ ରାଜନୀତିରେ ପାଦ ଦେଇଛି ; ସରପଞ୍ଚ ଭାବେ ନିର୍ବାଚିତ ହୋଇଛି । ସାନ ପୁଅ ଇନ୍ଦ୍ରଦ୍ୟୁମ୍ନ ନିଜର କ୍ଷେତ କିଆରୀରେ କାମ କରେ ଓ ପରିବା ଚାଷ ବି କରେ । ଇନ୍ଦ୍ରଦ୍ୟୁମ୍ନର ଗୋଟିଏ ପୁଅ ସମ୍ପର୍କ ଏବଂ ଚନ୍ଦ୍ରଗୁପ୍ତର ଦୁଇଟି ଝିଅ ସ୍ବର୍ଣ୍ଣଲତା ଏବଂ ଦୀପିକା । ଜମିଦାର ବେଲାଳସେନଙ୍କ ଝିଅ ଲିପିରେଖା ପାଖ ଗାଁରେ ବିବାହ କରିଛି ; ସେ ବି ବୃଦ୍ଧାବସ୍ଥା ପ୍ରାପ୍ତ କଲାଣି । ସ୍ବର୍ଣ୍ଣଲତା ଓ ଦୀପିକାଙ୍କର ବିବାହ ସରି ଯାଇଛି ଏକ ବଣିକ ପରିବାରରେ ; ଦୁଇ ଭଉଣୀ ଦୁଇ ଯାଆ ହୋଇଛନ୍ତି । ଚନ୍ଦ୍ରଗୁପ୍ତର ପୁଅ ନଥିବାରୁ ଇନ୍ଦ୍ରଦ୍ୟୁମ୍ନର ଏକମାତ୍ର ପୁଅକୁ ସେ ପୁଅ ରୂପେ ଗ୍ରହଣ କରିଛି । ନିକଟରେ ଖୁବ୍ ଧୁମ୍‌ଧାମ୍‌ରେ ଇନ୍ଦ୍ରଦ୍ୟୁମ୍ନର ପୁଅ ସମ୍ପର୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇ ସାରିଛି ; ଘରକୁ ଆସି ସାରିଛି ବୋହୂ ଅପ୍ସରା । ବିବାହ ହେବାର ଦୁଇ ବର୍ଷ ହୋଇ ଗଲାଣି ; କିନ୍ତୁ ସମ୍ପର୍କ ବାପା ହେବାର ସୌଭାଗ୍ୟରୁ ବଞ୍ଚିତ ଥିଲା । ଏବେ ଭଗବାନଙ୍କ ଅପାର କରୁଣାରୁ ଅପ୍ସରା ମାଆ ହେବାକୁ ଯାଉଛି ଜାଣି ପରିବାରର ସମସ୍ତେ ଖୁସି ହୋଇଥିଲେ । ଦୁଇ ମାସ ପୂରି ତିନି ମାସ ଚାଲିଛି ଏବେ ଅପ୍ସରାର । ସମସ୍ତେ ପ୍ରୀତ ଅଛନ୍ତି ; ଭଗବାନ୍‌ ଆମ ଉପରେ ଦୟା କରିଛନ୍ତି ବୋଲି ମନେ କରି ସମସ୍ତଙ୍କ ଓଠରେ ହସ । 


    ଗଡ଼ି ଚାଲିଲା ସମୟ ; ଆସିଗଲା ଉପଯୁକ୍ତ ବେଳ । ଠିକ୍‌ ଦଶ ମାସ ଦଶ ଦିନ ; ବିଭୁଙ୍କ ବିଚାର ବିଧିର ନିୟମ ବହିର୍ଭୂତ ବି ନୁହେଁ । ସକାଳ ଆଠଟା ହେବ ; କଷ୍ଟ ଅନୁଭବ କଲା ଅପ୍ସରା । ଧିରେ ଧିରେ ସମୟ ଅତିବାହିତ ହୋଇ ଏଗାୟଟାରେ ପହଞ୍ଚିଲା ଘଣ୍ଟା କଣ୍ଟା ; ଅତ୍ଯଧିକ ଯନ୍ତ୍ରଣା ଅନୁଭବ କରିବାରୁ ସମ୍ପର୍କ ତାକୁ ନେଇଗଲା ନିକଟସ୍ଥ ଡ଼ାକ୍ତରଖାନାକୁ । ଡ଼ାକ୍ତରମାନେ ପ୍ରସୂତି ବିଭାଗକୁ ନେଇଗଲେ ଓ ଦାୟିତ୍ବରେ ଲାଗି ପଡ଼ିଲେ । ବାହାରେ ଅପେକ୍ଷାରତ ଥିଲା ସମ୍ପର୍କ । କିଛି ସମୟ ପରେ ଡ଼ାକ୍ତର ଆସି ଝିଅଟିଏ ହୋଇଛି ବୋଲି ଖୁସି ଖବରଟିଏ ଦେଲେ । ହଠାତ୍ ମଳିନତାରେ ଭରିଗଲା ସମ୍ପର୍କର ମୁଖମଣ୍ଡଳ । ସମ୍ପର୍କର ଇଚ୍ଛା ଥିଲା ପୁଅଟିଏ ହେବ ବୋଲି ; କିନ୍ତୁ ଝିଅ ହେଲା । ଡ଼ାକ୍ତର ବି ଶୁଣେଇ ସାରିଛନ୍ତି ଏଇଟା ପ୍ରଥମ ଓ ଶେଷ ବୋଲି ; ଆଉ ଆଗକୁ ସନ୍ତାନ ହେବାର ନାହିଁ । ଡ଼ାକ୍ତରଙ୍କ ଠାରୁ ଏସବୁ ଶୁଣି ଚିନ୍ତାରେ ପଡ଼ିଗଲା ସମ୍ପର୍କ । ବଂଶ ରକ୍ଷା ପାଇଁ ପୁଅଟିଏ ହେଲେ ହୋଇଥା'ନ୍ତା ଭଲା ! ସମସ୍ତ ଚିକିତ୍ସା କରି ସାରିବା ପରେ ଦୁଇ ଦିନରେ ଡ଼ାକ୍ତରଖାନାରୁ ଫେରିଲା ଅପ୍ସରା । 


    ଘରେ ସମସ୍ତେ ଚିନ୍ତାଗ୍ରସ୍ତ ; ଝିଅ ବଦଳରେ ପୁଅ ଆଶାୟୀ ଥିଲେ ପରିବାରବର୍ଗ । କିଛିଦିନ ଗତ ହେଲା ପରେ ପରିବାରରେ ବିଚାର ପଡ଼ିଲା । ବଂଶ ରକ୍ଷା ପାଇଁ ପୁଅଟିଏ ଲୋଡ଼ା । ତେଣୁ ସମ୍ପର୍କର ଦ୍ବିତୀୟ ବିବାହ କଥା ଉଠିଲା । ଅପ୍ସରା ଆଉ ମାଆ ହୋଇ ପାରିବନି ଜାଣିବା ପରେ ବହୁତ ମନସ୍ତାପ କଲା ; ଶେଷରେ ବାଧ୍ଯ ହୋଇ ସମ୍ପର୍କକୁ ଦ୍ବିତୀୟ ବିବାହ ପାଇଁ ଅନୁମତି ଦେଲା ବିନା ଦ୍ବିଧାରେ । ସମ୍ପର୍କ ପାଇଁ ଖୋଜା ଚାଲିଲା ଝିଅ । ଏଭଳି ପରିସ୍ଥିତି ଓ ବ୍ଯବସ୍ଥାରେ କିଏ ବା ସାଜିବ ସମ୍ପର୍କର ସହଧର୍ମିଣୀ ? ଖୋଜାଖୋଜିରେ ବିତି ଗଲାଣି ଏକ ବର୍ଷ । ଆଗଭଳି ଅପ୍ସରା ପ୍ରତି ସମ୍ପର୍କର ଏତେଟା ଆଉ ଭଲପାଇବା ନାହିଁ । ବର୍ଷକ ପରେ ମିଳିଗଲା ପ୍ରସ୍ତାବଟିଏ କେଉଟ ପାଟଣା ଠାରୁ ଏକୋଇଶି କି. ମି. ଦୂର ବାରାନିଧିପୁର ଗାଁରେ । ଚତୁର୍ଥୀ ରାତିରେ ହୃଦ୍‌ଘାତରେ ସ୍ବାମୀର ମୃତ୍ଯୁ ପରେ ବାପଘର ଲୋକେ ସବୁ ସମ୍ପର୍କ ଛିନ୍ନ କରି ଝିଅକୁ ଆଣି ପାଖରେ ରଖିଥିଲେ ଦୁଇ ବର୍ଷ ହେବ ; ଝିଅର ଭବିଷ୍ଯତକୁ ଲକ୍ଷ୍ୟ କରି ଖୋଜୁଥିଲେ ପ୍ରସ୍ତାବଟିଏ । ଭାଗ୍ଯକୁ ପୂର୍ବ ଜମିଦାରଙ୍କ ବଂଶରେ ବୋହୂ ହେବାର ସୌଭାଗ୍ୟ ମିଳି ପାରିଲା ଜାଣି ବହୁତ ଖୁସି ହେଲେ ଏବଂ ପ୍ରସ୍ତାବକୁ ନାପସନ୍ଦ ନ କରି ସମ୍ମତି ପ୍ରଦାନିଲେ । ଉଭୟଙ୍କ ସମ୍ମତିରେ ବାହାଘର ପାଇଁ ଧାର୍ଯ୍ୟ ହୋଇଗଲା ଦିନ ବାର । ଜଣେ ଜଉତିଷଙ୍କ ପରାମର୍ଶରେ ମାର୍ଗଶିର ମାସ କୃଷ୍ଣ ପକ୍ଷ ପ୍ରଥମ ମାଣବସା ଗୁରୁବାର ଦିନ ବାରାନିଧିପୁରର ଇଷ୍ଟଦେବ ଶ୍ରୀ ବରାଳ ବିଶ୍ବେଶ୍ବର ମହାଦେବଙ୍କ ପୀଠରେ ବିବାହ କାର୍ଯ୍ୟ ସମାପନ ହେଲା । ସକ୍ଷମ ଅନୁସାରେ ଯାନିଯୌତୁକ ଯାହା କିଛି ଦେଇ ଝିଅ ବିଶ୍ବାସିନୀକୁ ବୋହୂ କରି ଜମିଦାରଙ୍କ ଘରକୁ ପଠାଇ ଦେଲେ । ନିଜେ ଅପ୍ସରା ଯାଇ ବନ୍ଦାପନା କରି ପାଛୋଟି ଆଣିଲେ ଘର ଭିତରକୁ ସମ୍ପର୍କ ଓ ବିଶ୍ବାସିନୀକୁ । ଆଖିର ଲୁହକୁ ଲୁଚାଇ ଦିନ ସାରା ମିଛ ହସ ବାଣ୍ଟି ସାରିବା ପରେ ରାତିରେ ସବୁତକ ଲୁହକୁ ନିଗାଡ଼ି ଦେଇ ଚକ୍ଷୁ ପାତ୍ରକୁ ଖାଲି କରିବା ଥିଲା ଅପ୍ସରାର ଦୈନନ୍ଦିନ କାର୍ଯ୍ଯ । ସେତେବେଳକୁ ଝିଅଟିକୁ ଦେଢ଼ ବର୍ଷ ଚାଲିଥାଏ । ଗଡ଼ି ଚାଲିଲା ଦିନ ପରେ ଦିନ ଆଉ ମାସ ପରେ ମାସ ; ବିଶ୍ବାସିନୀ ମାଆ ହେବାର ସୂଚନା ମିଳିଲା । ଅପ୍ସରାର ଝିଅ ନାମ ରଖା ଯାଇଥିଲା ଆସ୍ପର୍ଦ୍ଧା । ଆସ୍ପର୍ଦ୍ଧାକୁ ଅଢ଼େଇ ବର୍ଷ ହେବା ପୂର୍ବରୁ ବିଶ୍ବାସିନୀ ଗର୍ଭରୁ ଜନ୍ମ ନେଲା ପୁତ୍ର ସନ୍ତାନଟିଏ । ତା'ର ନାମ ରଖାଗଲା ସୌମିକ ; କାରଣ ତା'ର ଜନ୍ମ ସୋମବାରରେ । ଏବେ ଠାରୁ ବିଶ୍ବାସିନୀ ଓ ସମ୍ପର୍କର ଭଲପାଇବା ଦୃଢ଼ରୁ ଦୃଢ଼ତର ହେଲା କିନ୍ତୁ ଅପ୍ସରା ପ୍ରତି ଶ୍ରଦ୍ଧା ଓ ଭଲପାଇବା କ୍ଷୀଣ ହେବାକୁ ଲାଗିଲା ସମ୍ପର୍କର । ପରିବାରର ସମସ୍ତ ସଦସ୍ୟ ବି ଅପ୍ସରାକୁ ଆଗଭଳି ସ୍ନେହ ଶ୍ରଦ୍ଧା ନ ବାଣ୍ଟି ବିଶ୍ବାସିନୀ ଆଡ଼କୁ ଢ଼ଳିବାକୁ ଲାଗିଲେ । 


   ଆଖି ଲୁହକୁ ନିଜ ପଣତକାନିରେ ପୋଛି ବିତାଉଥିଲା ଜୀବନ ଅପ୍ସରା । ବର୍ଷ ମାସ ଦିନ ବିଗତ ହୋଇ ହୋଇ ସୌମିକକୁ ଚାଲିଲା ଏଗାର ବର୍ଷ । ସେତେବେଳକୁ ଆସ୍ପର୍ଦ୍ଧାର ବୟସ ତେର ଚାଲିଛି । ଆସ୍ପର୍ଦ୍ଧା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସପ୍ତମରେ ନାମ ଲେଖାଇଛି ସୌମିକ । ସବୁ ଠିକ୍‌ ଠାକ୍‌ ଥିବା ବେଳେ ହଠାତ୍ ଏକ ସମସ୍ୟା ଆସି ମଥା ଟେକି ଛିଡା ହେଲାଣି । ବିଶ୍ବାସିନୀକୁ ଏକ ଅଜବ ଚିନ୍ତା ଗ୍ରାସି ପକାଇଛି ଯାହା ସୃଷ୍ଟି କରିବ ବିରାଟ ମହାଭାରତ । ଯେତେହେଲେ ବି ବିଶ୍ବାସିନୀ ଓ ଅପ୍ସରା ଦୁଇ ସଉତୁଣୀ ଆଉ ଆସ୍ପର୍ଦ୍ଧା ସଉତୁଣୀର ଝିଅ । ଏ ଘରର ସମ୍ପତ୍ତି ଦୁଇ ଭାଗ ଯଦି ହୁଏ ତେବେ ସୌମିକର ଭାଗ କମିଯିବ । ତେଣୁ ଏ ସମସ୍ତ ସମ୍ପତ୍ତି କିପରି ସୌମିଡ଼ର ହେବ ସେକଥା ଭାବିବାକୁ ଲାଗିଲା ବିଶ୍ବାସିନୀ । ନାନା ପ୍ରକାର ଫନ୍ଦିଫିକର କରିବା ଆରମ୍ଭ କରିଦେଲା ବିଶ୍ବାସିନୀ । ସ୍ବାମୀଙ୍କ ଆଗରେ ସତ ମିଛ କହି ଅପ୍ସରାକୁ ଗାଳିମନ୍ଦ ଶୁଣାଇବା ସହିତ ପରିବାରଙ୍କ ଠାରୁ ବିନା ଦୋଷରେ ମାଡ଼ ଖୁଆଇବା ଯାଏଁ ଗଲା । ସମ୍ପର୍କ ଓ ଅପ୍ସରା ଭିତରେ ବିଭେଦତା ସୃଷ୍ଟି କରାଇ ନିଜେ ଧୂଆ ମୂଳା ହୋଇ ରହିଲା । ଘରର ମାଲିକାଣୀ ହୋଇ ଗୋଡ଼ ଉପରେ ଗୋଡ଼ ପକାଇ ମଠରେ ଖାଇ ଖଟରେ ଶୋଇବା ନୀତିରେ ବସି ରହିଲା । ଘରର ଯାବତୀୟ କାମ ଅପ୍ସରା ଓ ଆସ୍ପର୍ଦ୍ଧା କଲେ । ଦଶମ ଶ୍ରେଣୀ ପରୀକ୍ଷାରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଆସ୍ପର୍ଦ୍ଧାର ପାଠପଢାରେ ବନ୍ଧା ହୋଇଗଲା ଡୋର । ପୁଅ ସୌମିକ କିନ୍ତୁ ଆଗକୁ ପଢ଼ି ଚାଲିଲା । ଏବେ ସେ କଲେଜରେ ପ୍ଲସ୍ ଥ୍ରୀ ସେକେଣ୍ଡ୍‌ ଇୟର୍‌ ଛାତ୍ର ।


   ଏହିପରି ଭାବରେ ଚାଲିଥିଲା ସବୁକିଛି । କିଛିଦିନ ପରେ ଏକ ଘଟଣା ବଦଳାଇ ଦେଲା କାହାଣୀର ମୋଡଟିକୁ । ଘରକୁ ଆସୁଥିବା ଖବରକାଗଜରୁ ବିଜ୍ଞାପନଟିଏ ପାଇଲା ଆସ୍ପର୍ଦ୍ଧା ବେସରକାରୀ କମ୍ପାନୀର ।"ଶ୍ରମିକ ନିଯୁକ୍ତି ପାଇଁ ଈଚ୍ଛୁକ ବ୍ଯକ୍ତି (ପୁଅ ହେଉ କି ଝିଅ) ଏଇ ନମ୍ବରରେ ଯୋଗାଯୋଗ କରନ୍ତୁ ।" ପଢ଼ି ସାରିବା ପରେ ଯୋଗାଯୋଗ ପୂର୍ବକ ଆସ୍ପର୍ଦ୍ଧା ଶ୍ରମିକ ଭାବରେ କାମ କରିବା ପରେ ତା'ର କର୍ମ ଦକ୍ଷତାରେ ସନ୍ତୁଷ୍ଟ ହୋଇ ମାଲିକ ତାକୁ ସୁପର୍‌ଭାଇଜର୍‌ ଭାବରେ ନିଯୁକ୍ତି ଦେଲେ । ଆସ୍ପର୍ଦ୍ଧାର ଏଭଳି ଭାଗ୍ୟର। ପରିବର୍ତ୍ତନ ଅସହ୍ୟବୋଧ ହେଉଥିଲା ବିଶ୍ବାସିନୀକୁ । ପ୍ରତି କ୍ଷେତ୍ରରେ ଭଲକୁ ମନ୍ଦ କହି ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ବୁଡ଼ାଇ ରଖୁଥିଲା ଅପ୍ସରାକୁ ସଉତୁଣୀ ବିଶ୍ବାସିନୀ । ସୌମିକ ଥିଲା ଉଗ୍ର ସ୍ବଭାବର ; ଗୁଣ୍ଡାଗର୍ଦ୍ଦି କରିବା ଛଡା ଆଉ କ'ଣ ଜାଣେ ସେ ? ପର ଝିଅ ବୋହୂଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ବ୍ଯବହାର , କଲେଜ୍‌ର ଅଧ୍ଯାପକ ଏବଂ ଅଧ୍ଯାପିକାଙ୍କୁ ଅସମ୍ମାନ କରିବା ତା'ର ନିତ୍ଯ ବୃତ୍ତି । କୁସଙ୍ଗରେ ପଡ଼ି ନିଶା ସେବନ କରିବା ବି କେବେଠାରୁ ଆରମ୍ଭ କରି ଦେଇଛି । ଦିନକର ଘଟଣା ଅଜବ ଥିଲା । ସୌମିକ ତା'ର ଡ୍ରେସ୍‌ ହଳକ ଇସ୍ତ୍ରି କରିଦେବା ପାଇଁ ଅପ୍ସରାକୁ କହି ବାହାରକୁ ଚାଲି ଯାଇଥିଲା ; କାର୍ଯ୍ଯ ବ୍ଯସ୍ତତାରେ ଭୁଲିଯାଇ ଅପ୍ସରା ଆଉ ଇସ୍ତ୍ରି କରି ପାରିନି ସୌମିକର ଡ୍ରେସ୍‌ । ସୌମିକ ବାହାରୁ ଫେରି ଦେଖେ ତା' ଡ୍ରେସ୍‌ ଇସ୍ତ୍ରି ହୋଇନାହିଁ ।


  ଝିମିଟି ଖେଳରୁ ମହାଭାରତ ଜାତ ହେଲା ପରି ଆରମ୍ଭ ହୋଇଗଲା ଅକଥନୀୟ ଅତ୍ଯାଚାର ଅପ୍ସରା ପ୍ରତି । ସ୍ବାମୀ ସମ୍ପର୍କ ବି କିଛି ନ ବୁଝି ନ ସୁଝି ପୁଅ ସୌମିକ କଥାରେ ମାଡ଼ ଗାଳି ଦେଇ ମାଆ ଝିଅଙ୍କୁ ଘରୁ ବିଦା କରିଦେଲେ । ଦିହେଁ ଘରଟିଏ ଭଡ଼ା ନେଇ ରହିଲେ ; ଝିଅର ମାସକ ଦରମାରେ ଦିହେଁ ଚଳିଲେ । ମାଲିକର ପୁଅ ପାଇଁ ଖୋଜା ଚାଲିଥିଲା ଝିଅ । ମାଲିକ ଦିରେ ଏଇ ଆସ୍ପର୍ଦ୍ଧାକୁ ତା' ପୁଅ ପାଇଁ ପ୍ରସ୍ତାବ ଦେଲା । ଆସ୍ପର୍ଦ୍ଧା ଏକ ଭଲ ଝିଅ , ବ୍ଯବହାର ଓଚାଲି ଚଳଣି ସହିତ ଦଶମ ପାଠ ପଢ଼ି ବି ବହୁ ବୁଦ୍ଧିମତୀ ସେ । ପ୍ରସ୍ତାବଟି ଶୁଣି ଆସ୍ପର୍ଦ୍ଧା ଅରାଜି ହେଲା । ମାଲିକର ପୁଅକୁ ସେ ଭଲଭାବରେ ଜାଣିଥିଲା । ବହୁତ ଭଲ ପିଲା ; ମାଛିକୁ 'ମ' ଅକ୍ଷର ସୁଦ୍ଧା ଉଚ୍ଚାରଣ କରେନି । ଶାନ୍ତ ଶିଷ୍ଟ ଓ ଭଦ୍ର ପିଲାଟିଏ ସେ । କିନ୍ତୁ ବାମନ ହୋଇ ଚନ୍ଦ୍ରଙ୍କୁ ଛୁଇଁବାର ଦୁଃସାହସ କରିବାକୁ ଅନିଚ୍ଛୁକ ଆସ୍ପର୍ଦ୍ଧା । ବହୁ ବୁଝାସୁଝା ପରେ "ମାଆକୁ ପଚାରନ୍ତୁ" କହିବାରୁ ମାଲିକ ଯାଇ ପହଞ୍ଚିଲେ ଆସ୍ପର୍ଦ୍ଧାର ମାଆ ଅପ୍ସରାଙ୍କ ପାଖରେ । ପ୍ରଥମେ ପ୍ରସ୍ତାବଟି ଶୁଣି ଅରାଜି ହେଉଥିଲେ ; ପରେ ବହୁ ଭାବି ଚିନ୍ତି ରାଜି ହେଲେ । ବହୁ ଧୂମ୍‌ଧାମ୍‌ରେ ବିବାହ ହେଲା ; ମାଲିକର ପୁଅ ଅକୃର ବହୁତ ଖୁସି ହେଲା ଆସ୍ପର୍ଦ୍ଧାକୁ ପାଇ । ଭଡାଘର ଛାଡ଼ି ଅପ୍ସରା ଝିଅ ପାଖରେ ରହିଲେ । ବାହାଘରର କିଛି ଦିନ ପରେ କମ୍ପାନୀର ମାଲିକାଣୀ ଆସନ ଅଳଙ୍କୃତ କଲେ ଆସ୍ପର୍ଦ୍ଧା । ନିଜ ବୁଦ୍ଧି ଓ ପରିଶ୍ରମ ବଳରେ କମ୍ପାନୀର ଆର୍ଥିକ ପରିସ୍ଥିତି ସୁଦୃଢ କରାଇବା ସହ ସାରା ବିଶ୍ୱରେ ପରିଚିତ ହେଲେ । ପିଲାଠୁ ବୁଢ଼ା ପର୍ଯ୍ଯନ୍ତ ପ୍ରତ୍ଯେକ ଦେଶ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲା ଏ କମ୍ପାନୀଟି । 


    କେଉଟ ପାଟଣା ଗ୍ରାମ ଠାରୁ ମାତ୍ର ପାଞ୍ଚ କି. ମି. ଦୂର ଏକ ଛୋଟ ବଜାର ମଧୁମଙ୍ଗଳପୁରରେ ଥିବା ଏହି କମ୍ପାନୀଟି ଲାଗି ଏ ଛୋଟ ବଜାରର କଳେବର ବଢ଼ି ଏକ ସହରର ରୂପ ନେଇ ସାରିଛି । ଦିନକର କଥା ;କଲେଜ୍‌ରେ ଗଣ୍ଡଗୋଳ କରି ଗିରଫ ହୋଇଛି ସୌମିକ। ଏ ଖବର ଆସ୍ପର୍ଦ୍ଧା କାନକୁ ଯିବା ପରେ ସେ ପରିବାରବର୍ଗଙ୍କ ପାଖେ ଆଲୋଚନା କରିବା ପରେ ଆସ୍ପର୍ଦ୍ଧାର ଶ୍ବଶୁର ସୁବ୍ରମଣ୍ଯମ୍‌ ଛୁଆଳସିଂହ ଥାନାକୁ ଯାଇ ସମ୍ପର୍କର ସମ୍ପର୍କୀୟ ବୋଲି ପରିଚୟ ଦେଇ ବୁଝାମଣା କରି ସୌମିକକୁ ସସମ୍ମାନେ ଗାଁ ପାଖରେ ଛାଡ଼ି ଦେଇ ଗଲେ । ସୌମିକ ତାଙ୍କୁ ପରିଚୟ ମାଗିବାରୁ ସୁବ୍ରମଣ୍ଯମ୍‌ ବାବୁ "ସମୟ ଆସିଲେ ଜାଣିବେ" କହି ଚାଲି ଆସିଲେ । ଏମିତି ବହୁଥର ସୁବ୍ରମଣ୍ଯମ୍‌ ବାବୁ ତାକୁ ଥାନାରୁ ଆଣିଛନ୍ତି । ଏତେଥର ଗିରଫ ହେଲା ପରେ ବି ତା'ର ଗୁଣ୍ଡାଗର୍ଦ୍ଦି ଛାଡ଼ୁନି । କିଛିଦିନ ପରେ ଚନ୍ଦ୍ରଗୁପ୍ତଙ୍କର ମୃତ୍ଯୁ ହେଲା। ବାର୍ଦ୍ଧକ୍ୟବସ୍ଥା ସାଙ୍ଗକୁ ନାନାଦି ରୋଗଗ୍ରସ୍ତ ଶରୀରଟି ନିସ୍ତେଜ ହୋଇ ପଡ଼ିଲା । ଚାରିଆଡେ ଖବର ଖେଳିଗଲା ଚନ୍ଦ୍ରଗୁପ୍ତ ଡିଆବାଘଙ୍କର ମୃତ୍ଯୁ ହୋଇଛି । ସେମାନେ କିନ୍ତୁ ଅପ୍ସରାକୁ ଜଣାଇଲେ ନାହିଁ ; ବାହାର ଲୋକଙ୍କ ଠାରୁ ମରିବାର ପାଞ୍ଚ ଦିନ ପରେ ଖବର ପାଇଲେ । ଦଶଦିନି ଦିନ ମୁଣ୍ଡ ଧୋଇ ତିଳ ତର୍ପଣ ଦେଇ ଆପେ ଶୁଦ୍ଧି ହେଲେ ।କିଛିଦିନ ପରେ ବଡଭାଇ ମରିବାର ବର୍ଷେ ନପୂରୁଣୁ ସାନଭାଇ ଇନ୍ଦ୍ରଦ୍ୟୁମ୍ନ ହୃଦ୍‌ଘାତରେ ଚାଲିଗଲେ । ସେମିତି ପୂର୍ବ ପରି ଜଣାଇଲେ ନାହିଁ ; ଖବର ପାଇ ଦଶମ ଦିନ ତିଳ ତର୍ପଣ ପ୍ରଦାନି ଶୁଦ୍ଧ ହେଲେ ।କିଛିଦିନ ଗତ ହୋଇଗଲା ; ପ୍ରାୟ ଅଢ଼େଇ ବର୍ଷ । ଆସ୍ପର୍ଦ୍ଧାର କନ୍ୟା ସନ୍ତାନଟିଏ ଜନ୍ମ ହୋଇ ତାକୁ ଏକ ବର୍ଷ ପୂରିବା ଉପରେ । ଏକ ଟ୍ରକ୍‌ ଆକ୍ସିଡ଼େଣ୍ଟ୍‌ରେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବିଶ୍ବାସିନୀର ପୁଅ ସୌମିକ । ଡ଼ାକ୍ତରଙ୍କ ପରାମର୍ଶରେ ଖୋଜା ଚାଲିଲା ସୌମିକ ପାଇଁ ଏ-ପଜେଟିଭ୍‌ ବ୍ଲଡ଼୍‌ । ବ୍ଲଡ଼୍‌ ବ୍ଯାଙ୍କ୍‌ରେ ବି ମିଳିଲାନି କି ସମ୍ପର୍କର ରକ୍ତ ସହ ମିଶିଲାନି ସୌମିକର ରକ୍ତ । ବିଶ୍ବାସିନୀ ଯେତିକି ରକ୍ତ ଦେଲା ସେତିକି ଯଥେଷ୍ଟ ନୁହେଁ ; ଆଉ ସେତିକି ରକ୍ତ ଦରକାର । ବିଶ୍ବାସିନୀ ଠାରୁ ଆଉ ରକ୍ତ ନେବା ଅସମ୍ଭବ ବୋଲି ଶୁଣିବା ପରେ ସମ୍ପର୍କ ଖବରକାଗଜରେ ବିଜ୍ଞାପନ ଦେଲେ । ବିଜ୍ଞାପନ ପଢ଼ି ଆସ୍ପର୍ଦ୍ଧା ନିକଟସ୍ଥ ଡ଼ାକ୍ତରଖାନାକୁ ଆସି ଛଦ୍ମ ନାମରେ ରକ୍ତଦାନ କରିଲା । ଧିରେ ସୁସ୍ଥେ ସୁସ୍ଥ ହୋଇ ଆସିଲା ସୌମିକ । ରକ୍ତଦାନ କରିଥିବା ଲୋକ କିଏ ଜାଣିବାକୁ ବହୁ ଚେଷ୍ଟା କରି ସୁଦ୍ଧା ଜାଣିବା ଅସମ୍ଭବ ହୋଇ ପଡ଼ିଛି ସମ୍ପର୍କର । 


   କିଛିଦିନ ପରେ ଏକ କନ୍ଦଳ ସୃଷ୍ଟି ହେଲା ସମ୍ପର୍କର ପରିବାରରେ । ବାପ ହିସାବରେ ସୌମିକକୁ ତାଗିଦ୍‌ କରି ନିଶାପାଣି ଓ ଗୁଣ୍ଡାଗର୍ଦ୍ଦିରୁ ନିବୃତ ରହିବାକୁ କହିବାରୁ ସୌମିକ ପ୍ରତିବାଦ ଡ଼ରି କହିଛି -"ମୋ ଈଚ୍ଛା, ମତେ ମୋ ସ୍ବାଧିନତାରେ ବଞ୍ଚିବାକୁ ଦିଅ ।" ଅଯଥା ଅପବ୍ୟୟ କରି ସଞ୍ଚିତ ସମ୍ପତ୍ତିରୁ ଅର୍ଦ୍ଧେକ ଚାଲି ଗଲାଣି । ସେଲାଗି ସୌମିକକୁ ଭୟ ଦେଖାଇବା ପାଇଁ ସମ୍ପର୍କ "ସମସ୍ତ ସମ୍ପତ୍ତି ଅନାଥ ଆଶ୍ରମକୁ ଦାନ କରିଦେବି" କହନ୍ତେ ସୌମିକ ମୁଣ୍ଡକୁ ପିତ୍ତ ଚଢ଼ି ଗଲା । ବାପ ଉପରକୁ ବି ହାତ ଉଠାଇବାକୁ ପଛାଇନି ସୌମିକ । ତାଜୁବ୍ ହୋଇଗଲେ ବିଶ୍ବାସିନୀ । ପ୍ରତିବାଦ କରିବାରୁ ଗୋଳର ସୂତ୍ରପାତ । ପୁଅର ଚିନ୍ତାରେ ଚିନ୍ତିତ ରହି ବିଶ୍ବାସିନୀଙ୍କୁ ଧିରେ ଧିରେ ଅବଶ ଲାଗିଲା । ଋହୃଦ୍‌ରୋଗର ଶିକାର ହେଲେ ବିଶ୍ବାସିନୀ । ହଠାତ୍‌ ଲିଭିଗଲା ଜୀବନର ଦୀପ । ଶିବରାତ୍ରିର ତୃତୀୟ ପ୍ରହରରେ ବିଶ୍ବାସିନୀଙ୍କର ମହାପ୍ରୟାଣ । ଭାଙ୍ଗି ପଡ଼ିଲା ସମ୍ପର୍କ ;ଭବିଷ୍ଯତଟା ଆଖି ଆଗରେ ଢ଼ଳ ଢ଼ଳ ହୋଇ ନାଚୁଥିଲା । 


  ଖବର ପାଇ ଆସିଲା ଆସ୍ପର୍ଦ୍ଧା ; କେତେ ଅଳି କଲା ଓ କାକୁତି ମିନତି ହେଲା ବଡ଼ ମା'କୁ ଟିକେ ଦେଖିବ ବୋଲି । କିନ୍ତୁ ସୌମିକ ସେ ସୁଯୋଗ ତାକୁ ଦେଲାନି । ଗାଁର କିଛି ଲୋକ ବି କହିଲେ ; କିଛି ଶୁଣିଲାନି । ଶେଷରେ ସମ୍ପର୍କ ବି କହିଲା ;ତଥାପି ତା' ଜିଦିରେ ଅଟଳ ସୌମିକ । ଦୂରରେ ରହି ଶ୍ମଶାନର ଅଗ୍ନିଶିଖାକୁ ଦେଖି ତୃପ୍ତି ହେବାର ଅଭିନୟ କରି ଚାଲି ଆସିଲା ଆସ୍ପର୍ଦ୍ଧା । ଯଥାବିଧି ସରିଗଲା ଶୁଦ୍ଧିକ୍ରିୟା । ବାର ଦିନ ଗତ ହୋଇ ତେର ଦିନର ତପନଙ୍କ ତପ୍ତ କିରଣରେ ସୀତ ହେଲା ଆଲୋକିତ । ଟିଣ ଚୌକିରେ ନିରବ ନିଶ୍ଚଳରେ ବସି ଅତୀତ, ବର୍ତ୍ତମାନ ଓ ଭବିଷ୍ଯତକୁ ତର୍ଜମା କରୁଥିଲା ସମ୍ପର୍କ । ପୁଅଟିଏ ପାଇଁ କରିଥିବା କର୍ମର ହିସାବ କରୁ କରୁ ଜୀବନଟା ଯେ ବେହିସାବୀ ବନିଯିବ ; ବିଶ୍ବାସ କରି ପାରୁନଥିଲା ନିଜକୁ । ଚକ୍ଷୁରୁ ଝରି ପଡ଼ୁଥିଲା ଲୋତକ ରୂପରେ ଶୋଣିତ ନିର୍ଝର । ହଠାତ୍ ଟଳି ପଡ଼ିଲା ଦାଣ୍ଡପିଣ୍ଡାରେ ପଡିଥିବା ଚୌକି ଉପରୁ ସମ୍ପର୍କ । 


  ସାମ୍ନା ଘରର ଜଣେ ବ୍ୟକ୍ତି ସାନ ବାବୁ ସାନ ବାବୁ ଡ଼ାକି ଦୌଡ଼ି ଆସିଲା ସମ୍ପର୍କ ନିକଟକୁ । ଚାହୁଁ ଚାହୁଁ ବେଢ଼ି ଗଲେ ଗାଁ ସାରା ଲୋକ । ଉଠାଇ ନେଇଗଲେ ଡାକ୍ତରଖାନା । ଚିକିତ୍ସା ପରେ ହୋସ୍‌ ଫେରିଲା ; କିନ୍ତୁ ଡ଼ାକ୍ତରଙ୍କ କଥାରେ ଗ୍ରାମବାସୀଙ୍କର ହୋସ୍‌ ଉଡ଼ିଗଲା । ଡ଼ାକ୍ତରଙ୍କ କହିବାନୁଯାୟୀ ସମ୍ପର୍କର କିଡ଼୍‌ନୀ ନଷ୍ଟ ହୋଇ ଯାଇଛି । ଦୁଇଟା ଯାକ କିଡ୍‌ନୀ ଡ୍ଯାମେଜ୍‌ । ଭଗବାନ୍‌ ଭରସା ; ଏବେ ଦି'ଟା କିଡ୍‌ନୀ କିଏ ଦେବ ?


   ଖବର ପାଇ ପହଞ୍ଚି ସାରିଥିଲେ ଅପ୍ସରା ଦେବୀ ଓ ଆସ୍ପର୍ଦ୍ଧା । ଦୁହିଁଙ୍କ ଆଖି ଛଳଛଳ । ଚିତ୍କାର କରି କାନ୍ଦୁଥିଲେ । ଡାକ୍ତରଙ୍କ କଥା ଶୁଣି ନିଜକୁ ଆଉ ବାହାରେ ରୋକି ନପାରି ଭିତରକୁ ପଶିଗଲେ ଅପ୍ସରା ଦେବୀ । ସମସ୍ତେ ଚିହ୍ନି ସାରିଥିଲେ ଅପ୍ସରା ଦେବୀ ଓ ଆସ୍ପର୍ଦ୍ଧାଙ୍କୁ । ପଛେ ପଛେ ଆସ୍ପର୍ଦ୍ଧା ବି ପହଞ୍ଚି ଗଲେ ଭିତରେ । ଅପ୍ସରା ଦେବୀ କହିଲେ -"ମୁଁ ଦେବି କିଡ୍‌ନୀ ; ମୋର ଦି'ଟା ଯାକ କିଡ୍‌ନୀ ନେଇଯାଅ । ମୋତେ ମୋ ଶଙ୍ଖା ସିନ୍ଦୂର ଫେରାଇ ଦିଅ ।" ଆସ୍ପର୍ଦ୍ଧା ବାରଣ କରି କହିଲା -"ନା, ବୋଉ ! ତୁ ରହ, ମୁଁ ଦେବି କିଡ୍‌ନୀ । ଡ଼କ୍ଟର୍‌ ! ମୋ କିଡ଼୍‌ନୀ ନିଅ । " ଉଭୟଙ୍କ ଭିତରେ ଜିଦି ବଳବତ୍ତର ଥିବା ବେଳେ ଆସି ପହଞ୍ଚି ଗଲେ ଆସ୍ପର୍ଦ୍ଧାର ଶ୍ବଶୁର ଓ ସ୍ବାମୀ । ସୁବ୍ରମଣ୍ୟମ୍‌ ବାବୁ କହିଲେ "ନା, କାହାର ନିଅନି ; ମୋର ନିଅ । ମୁଁ ତ ପାଚିଲା ପତର ; ମୋର କିଛି ଅସୁବିଧା ନାହିଁ ।" ଡ଼ାକ୍ତର କହିଲେ ଆମେ ପରୀକ୍ଷା କରିବୁ ; କାହାର ମ୍ଯାଚ୍‌ କରୁଛି ।" ପରୀକ୍ଷା ସରିବା ପରେ ଅପ୍ସରା ଓ ଆସ୍ପର୍ଦ୍ଧାର କିଡ଼୍‌ନୀ ହିଁ ମ୍ଯାଚ୍‌ ହେଲେ । ତେଣୁ ଉଭୟଙ୍କ ବିଚାରଧାରା ଓ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଉଭୟେ ଗୋଟିଏ ଲେଖାଏଁ କିଡ଼୍‌ନୀ ଦେଲେ ସମ୍ପର୍କକୁ । ସ୍ତ୍ରୀ ଓଝିଅର ଅଙ୍ଗକୁ ନିଜ ଛାତିରେ ବହନ କରି ନୂଆ ଜୀବନ ପାଇଲା ସମ୍ପର୍କ । ନିଜର ଭୁଲ୍‌ ବୁଝି ପାରି କ୍ଷମା ପ୍ରାର୍ଥନା ପୂର୍ବକ ଫେରାଇ ନେଲା ଘରକୁ ଅପ୍ସରାକୁ । ଝିଅ ଆସ୍ପର୍ଦ୍ଧା ଫେରିଗଲା ଶାଶୁଘରକୁ ।


   ଦୀର୍ଘ ପାଞ୍ଚ ବର୍ଷ ବିତିଗଲା । ହଠାତ୍‌ ପୀଡ଼ିତା ପାଲଟି ଗଲା ଆସ୍ପର୍ଦ୍ଧା । ଡ଼ାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ "ଅଯଥା ଖର୍ଚ୍ଚ କରନ୍ତୁନି ; ଆସ୍ପର୍ଦ୍ଧା ଆଉ ବେଶି ଦିନ ନୁହଁ । ବେଶି ହେଲେ ଦିନେ କି ଦୁଇ ଦିନ ।" ବିଷାଦର କଳା ବାଦଲ ଖେଳିଗଲା ସବୁରି ମୁହଁରେ । ଦିନ ଗଡ଼ି ସଞ୍ଜ ଆଉ ସଞ୍ଜରୁ ରାତି ; ରାତି ପାହି ସକାଳ ହେଲା । ସୂର୍ଯ୍ୟଙ୍କ ଆଦ୍ଯ କର ସ୍ପର୍ଶରେ ଉଲ୍ଲସିତ ହୋଇ ଉଠିଲାଣି ଧରଣୀ । ପାଖରେ ଘୁମେଇ ପଡ଼ିଥିବା ସ୍ବାମୀ ଅକୃରକୁ ଟିକେ ହଲେଇ ଦେଇ ଡ଼ାକିବାରୁ ଉଠି ପଡ଼ିଲା ଅକୃର । ଆସ୍ପର୍ଦ୍ଧା ଡ଼କ୍ଟର୍‌ଙ୍କୁ ଟିକେ ଡ଼ାକି ଦେବାକୁ କହିବାରୁ ସେ ଯାଇ ଡକ୍ଟର୍‌ଙ୍କୁ ଡ଼ାକି ଆଣିଲା । ଆସ୍ପର୍ଦ୍ଧା ଡ଼କ୍ଟର୍‌ଙ୍କୁ କହିଲା -"ଡ଼କ୍ଟର୍‌ ! ମୋର ଗୋଟେ ଛୋଟ ଅନୁରୋଧ ରଖିବେ ?" ଡ଼କ୍ଟର୍‌ ମୁଣ୍ଡ ଟୁଙ୍ଗାରି 'ହଁ'ର ପ୍ରତିଶୃତି ଦେବା ପରେ ଆସ୍ପର୍ଦ୍ଧା କହିଲା -"ମୁଁ ଆଉ ବେଶି ସମୟ ନୁହେଁ । ମୋର ଶେଷ ଇଚ୍ଛା ମୋର ଏ କିଡ଼୍‌ନୀଟାକୁ ମୋ ମା'କୁ ମୁଁ ଉତ୍ସର୍ଗ କରିବାକୁ ଉତ୍ସୁକ । ଏତିକି କରିବେ ଡ଼କ୍ଟର୍‌ ;ପ୍ଲିଜ୍‌ ।" ସମ୍ମତି ପ୍ରଦାନିଲେ ଡ଼କ୍ଟର୍‌ । କିଛି ଘଣ୍ଟା ପରେ ନିରବରେ ଚିରନିଦ୍ରା ଗଲା ଆସ୍ପର୍ଦ୍ଧା । ତା' କହିବା ମୁତାବକ ତା' କିଡ଼୍‌ନୀଟାକୁ ତା' ମାଆକୁ ଦିଆଗଲା । କନ୍ୟାର ଏ ଅତୁଳନୀୟ ଦାନ ଆଲୋଡ଼ନ ଖେଳାଇ ଦେଇଥିଲା ସାରା ଅଞ୍ଚଳରେ ।


   ନିଜର ଭୁଲ୍‌ ବୁଝି ପାରି ବହୁ ଅନୁତାପ କରିଥିଲା ସମ୍ପର୍କ । ଝିଅ ଭାବି ଘୃଣା କରି ଯୋଉ ଭୁଲ୍‌ କରିଛି ତା'ର ପ୍ରାୟଶ୍ଚିତ କ'ଣ ହେବ ସେ ଜାଣି ପାରୁ ନଥିଲା । ପୁଅଟିଏ ପାଇଁ ଯାହାକୁ ହାତ ଧରି ଘରକୁ ନେଇ ଆସିଥିଲା ସେ ଯାହା କଲା, ଆଜି ନିଜ ଆଖି ଦେଖିଲା । ସୁନ୍ଦର ମନ୍ଦିରଟି ଆଜି ପାଲଟି ଗଲା ଶ୍ମଶାନ । ଯୋଉ ପୁଅକୁ ମଣିଷ କରିବାର ପ୍ରୟାସ କରିଥିଲା ; ନା ସେ ମଣିଷ ହେଲା, ନା ପୁତ୍ରର କର୍ତ୍ତବ୍ୟ କଲା ! ଝିଅଟିଏ ଯୋଉ ଅତୁଳନୀୟ ଦାନ କରିଦେଇ ଗଲା, ତାହା ସତରେ ଯୁଗ ଯୁଗକୁ ଚିର ସ୍ମରଣୀୟ ହୋଇ ରହିଲା । "ପୁଅ ଜନ୍ମ କରିଥଲି ବୋଲି ଆଜି ମାନ,ସମ୍ମାନ,ସ୍ଥିତି ସବୁକିଛି ଉଜୁଡ଼ି ଗଲା । ନା, ସେ ଥାଉ ଜେଲ୍‌ ବାଜତରେ ; ଯିବିନି ମୁକୁଳେଇବାକୁ । ସେଠି ବରଂ ସୁରକ୍ଷିତ ଅଛି, ମୋ ବଂଶ ତ ବୁଡ଼ିବନି ନା ।" ଭାବି ଭାବିନିରବରେ କାନ୍ଦୁଥିଲା ସମ୍ପର୍କ । କାନ୍ଥକୁ ଆଉଜି ବସି ଲୁହ ଗଡ଼ାଉଥିଲେ ଅପ୍ସରା । ସମ୍ପର୍କ ଭାବୁଥିଲା -" ସତରେ କନ୍ଯା ଅମୂଲ୍ୟ ରତ୍ନ ।"



Rate this content
Log in

Similar oriya story from Classics