ଗପ ହେଲେ ବି ଗାଥାଟି ସତ୍ଯ
ଗପ ହେଲେ ବି ଗାଥାଟି ସତ୍ଯ


ମୋ' ଅତୀତ ଜୀବନର ନିଚ୍ଛକ ସତ୍ଯ ଘଟଣାକୁ ନେଇ ଉପସ୍ଥାପିତ ଏହି ଗଳ୍ପଟି ପୁଣ୍ୟତୋୟା ଜାହ୍ନବୀ ପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିବା ସହ ଏକ ଔପନ୍ଯାସିକା ରୂପରେ ପରିଚିତ ହୋଇ ପାରିଛି । ଆଶା କରେ ଲେଖାଟି ପାଠକୀୟ ଆଦୃତି ଲାଭ କରିବ ।
🔰 ଗପ ହେଲେ ବି ଗାଥାଟି ସତ୍ଯ🔰
💲 ଶିବ ପ୍ରସାଦ ବାହିନୀପତି 💲
ଗପଟିଏ ଲେଖୁଛି ,ନିଚ୍ଛକ ସତ୍ଯ ଘଟଣାକୁ ନେଇ । ଗପଟିଏ ଭାବି ପଢ଼ି ଦେଲେ ତ ହେବନି , ବୁଝିବାକୁ ପଡ଼ିବ କାହାଣୀରେ ବର୍ଣ୍ଣିତ ପ୍ରତି ଚରିତ୍ରକୁ । ଯୋଉ ଚରିତ୍ର ସବୁ ପାଇବେ ତହିଁରେ ଦେଖିବେ ଲୁହ , କୋହ ଏବଂ ଯନ୍ତ୍ରଣାରେ ଜର୍ଜରିତ ବ୍ଯକ୍ତି ବିଶେଷଙ୍କୁ । ପାଇବେ ବନ୍ଧୁତ୍ୱ , ପ୍ରେମ ଏବଂ ଶାଶ୍ୱତ ସମ୍ପର୍କର ଚିତ୍ରଣ । ପଢ଼ିବେ ସେମାନଙ୍କର ସତ୍ ପ୍ରେମର ଏବଂ ସତ୍ ହୃଦୟର ଅଲିଭା ଗାଥା । ଯାହା କାହାଣୀଟିଏ ହୋଇ କାଗଜର ମସୃଣ ସମାନ୍ତରାଳ ଚଟାଣ ଉପରେ ବିଞ୍ଚି ହୋଇ ପଡ଼ିଛି । ହୃଦୟର ସହ ଭଲପାଇବା ଏବଂ ବନ୍ଧୁତ୍ବ ସ୍ଥାପନର ମହତ୍ତ୍ବକୁ ବୁଝି ପାରିଲେ ହସି ଉଠିବ ଏ କାହାଣୀ । ପ୍ରକୃତରେ ବନ୍ଧୁତା କ'ଣ ଏବଂ ପ୍ରେମ କ'ଣ ଆପେ ଆପେ ବୁଝି ପାରିବେ ଏହି କାହାଣୀ ପଠନ ମାତ୍ରେ । ସଚ୍ଚା ବନ୍ଧୁ ଓ ସଚ୍ଚା ପ୍ରେମିକର ପ୍ରକୃତ ଚିତ୍ରଣ ପ୍ରସ୍ଫୁଟିତ ଏହି କାହାଣୀରେ । କାହାଣୀଟି ଏହିପରି -
ପୁରୀ ଜିଲ୍ଲାର ଛୋଟ ଗ୍ରାମଟିଏ । ସେହି ଗ୍ରାମରେ ଦୀନଦୁଃଖୀ ପରିବାରରେ ଜନ୍ମ ସଦାଶିବ ର । ପିତା ପରମାନନ୍ଦ ଏବଂ ମାତା ସୌଦାମିନୀଙ୍କ ଔରସରୁ ଜ୍ଯେଷ୍ଠପୁତ୍ର ଭାବେ ଜ୍ଯେଷ୍ଠ ମାସ ଶିବ ଚତୁର୍ଦ୍ଦଶୀ ମଙ୍ଗଳବାର ପହିଲି ରଜରେ ଭୂମିଷ୍ଠ ହୋଇଥିଲା । ପରିବାର ତା'ର ନାମ ରଖିଥିଲେ ସଦାଶିବ । ଜନ୍ମ ହେବାର ବର୍ଷକ ପରେ ଆଉ ଗୋଟିଏ ସନ୍ତାନ ଜନ୍ମ ଦେଲେ ତା'ର ମାଆ ସୌଦାମିନୀ । ଭୂମିଷ୍ଠ ହେବାର କିଛି ସମୟ ପରେ ହଠାତ୍ ଆଖି ବୁଜିଦେଲା ସନ୍ତାନଟି । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା ହିଁ ପରିଲକ୍ଷିତ ହେଲା । ସଦାଶିବ ଗୋଟେ ଭାତୃଖାଦକ । ତା' ଭାଇକୁ ଜନ୍ମ ହେଉ ହେଉ ଖୀଇଦେଲା । ତା' ପରଠୁ ସଦାଶିବ ପ୍ରତି ପରିବାର ଲୋକଙ୍କ ମନରେ ଜାତ ହେଲା ଅଜସ୍ର ଘୃଣା । ମା' କ୍ଷୀର ପରିବର୍ତ୍ତେ ତାକୁ ମିଳିଲା ପାଣି ବୋତଲରେ ଭର୍ତ୍ତି ଡ଼ବା କ୍ଷୀର । ପାଠ ପଢ଼ିଲା ସତ, କିନ୍ତୁ ପ୍ରାୟତଃ ସବୁଥିରୁ ବଞ୍ଚିତ । ସେ ସବୁ ଜୀବନ କାହାଣୀ ବର୍ଣ୍ଣନା କଲେ ହୁଏତ ଗୋଟେ ଯୁଗ ବି ଅଣ୍ଟିବନି । ଏକ ବିରାଟ ବିରଳ ଇତିହାସଟିଏ ହେବ । ତା' ପରେ ପରେ ଜନ୍ମ ନେଲେ ଗୋଟାଏ ପରେ ଗୋଟାଏ ସନ୍ତାନ , ଦୁଇ ଝିଅ ଏବଂ ଆଉ ଗୋଟାଏ ପୁଅ । ସେମାନଙ୍କୁ ପାଠପଢାରୁ ଆରମ୍ଭ କରି ସବୁ କାର୍ଯ୍ଯ ପର୍ଯ୍ୟନ୍ତ ଯୋଗାଇ ଦିଆଗଲା ସମସ୍ତ ପ୍ରକାର ସୁବିଧା ସୁଯୋଗ । କିନ୍ତୁ , ଏହି ଜ୍ଯେଷ୍ଠପୁତ୍ର ସଦାଶିବଟି ସବୁଥିରୁ ପ୍ରାୟତଃ ବଞ୍ଚିତ ହେଲା । ଏମିତିକି ସେମାନେ ଏକତ୍ର ପଂକ୍ତି ଭୋଜନ ସମୟରେ ଖାଦ୍ଯ ପଦାର୍ଥର ବି ତାରତମ୍ୟ । ସେମାନେ ମାଛ , ମାଂସ , ଅଣ୍ଡା ଖାଉଥିବା ବେଳେ ; ଇଏ କିନ୍ତୁ ଆଳୁ ପୋଡ଼ା ଓ ପଖାଳ ଭାତ ଧରି ବସିଥାଏ ।
ବିନା କାରଣରେ ଦୋଷୀ ସାବ୍ଯସ୍ତ ହୁଏ । ମିଥ୍ୟା ବର୍ଜି ସତ୍ଯକୁ ଆପଣେଇ ଥାଏ କିନ୍ତୁ ମୁହଁରେ ସତକଥାଟା କହିଦେବା ହେତୁ ପରିବାରର ବୈରୀ ଏ ସଦାଶିବ । ଚୋରୀ ନ କରି ଚୋରରେ ସାବ୍ଯସ୍ତ ସଦାକାଳେ । ମିଛରେ ଅପରାଧୀ ସଜେଇ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଥା'ନ୍ତି ପରିବାର । ସେସବୁକୁ ବର୍ଣ୍ଣନା କଲେ କେତେ ଯୁଗ ଯେ ବିତିବ ତା'ର କଳ୍ପନା କରିହେବ ନାହିଁ । ବର୍ତ୍ତମାନ ଯିବା ମୁଖ୍ୟ କାହାଣୀ ଉପରକୁ । କାହାଣୀଟିର ନାମ "ଗପ ହେଲେ ବି ଗାଥାଟି ସତ୍ଯ " ।
ସଦାଶିବର ପାଠପଢା ସରିଗଲା ଗ୍ରାମ ବିଦ୍ଯାଳୟରୁ । ସେ ପ୍ରାଥମିକ ଶିକ୍ଷା ପଞ୍ଚମ ଶ୍ରେଣୀ ପରିସମାପ୍ତି ପରେ ଷଷ୍ଠ ଶ୍ରେଣୀରେ ପଢ଼ିବା ନିମିତ୍ତ ପାଖ ଗାଁର ମାଇନର ସ୍କୁଲ୍ରେ ନାମ ଲେଖାଇଲା । ସେହି ବର୍ଷ ବ୍ରାହ୍ମଣ ଧର୍ମ ପାଳନର କଣ୍ଠ ଭୂଷଣ ସଙ୍କେତ ପାଇଁ ଦିନ ବାରର ଯୋଗାଡ । ବୈଶାଖ ମାସରେ ସ୍ଥିର ହେଲା ବ୍ରତୋପନୟନ । ସବୁ ପ୍ରସ୍ତୁତି ଶେଷ ପରେ ମଉଳା ନିମନ୍ତ୍ରଣ ତାଟ ନେଇ ତାଙ୍କ ବାପାଙ୍କ ସହିତ ସଦାଶିବ ଗଲା । ତା'ର ମାମୁଁ ଘରକୁ । ତାଟ ଦେଇସାରି ଫେରିଲା ପୁଣି ବାପାଙ୍କ ସହିତ ନିଜ ବାସସ୍ଥାନକୁ । ବାଟହସ ଦିନ ରାତିରେ ତା'ର ଅଜା ସମସ୍ତ ଜିନିଷ ଯାହା ମାମୁଁ ଘରୁ ଆସିବା କଥା ; ସବୁ ଯୋଗାଡ଼ କଲେ । କିନ୍ତୁ ସେଦିନ ଯେ ଏପରି ଗୋଟାଏ ଅଘଟଣ ଘଟିବ କେହି ବି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ । ସେଦିନ ରାତ୍ରି ପାଲଟି ଯାଇଥିଲା ତା' ଅଜାଙ୍କ ପାଇଁ କାଳରାତ୍ରୀ । ରାତିରେ ଖାଇ ପିଇ ନିଘୋଡ଼ ନିଦରେ ଶୋଇଗଲେ ତା' ଅଜା । ତା' ପରଦିନ ସକାଳ ସାତଟା ଡ଼େଇଁଲାଣି ଅଜାଙ୍କର ଭାଙ୍ଗୁନି ନିଦ । ସମସ୍ତେ ଡ଼ାକିଲେ ତାଙ୍କୁ ; ହେଲେ ନିର୍ଜୀବ ମାଟି ଘଟରୁ ବା କି ଉତ୍ତର ମିଳିବ ? ସେତେବେଳକୁ ଅଜା ଶେଷ ନିଃଶ୍ବାସ ଛାଡ଼ି ସାରିଥିଲେ । ସେଦିନ ଥିଲା ସଦାଶିବର ବ୍ରତୋପନୟନର ପୂର୍ବ ଦିବସ ମଙ୍ଗଳକୃତ୍ଯ ।
ଫୋନ୍ ବାଜିଲା ସଦାଶିବର ଘରେ । କେହି ବି ଉଠେଇଲେନି । ସମସ୍ତେ କାର୍ଯ୍ଯ ବ୍ଯସ୍ତ । ନିକଟରେ ସଦାସିବର ମାଉସୀ ଘର । ତାଙ୍କ ଘରକୁ ଆସିଲା ଖବର ମାମୁଁଙ୍କ ଠାରୁ ଫୋନ୍ ଜରିଆରେ । ନନା ଚାଲିଗଲେ । ହଠାତ୍ ସ୍ତବ୍ଧ ପାଲଟି ଗଲେ ସଦାଶିବର ମାଉସୀ ଘର ପରିବାର । ବୁହେ ଉଠିଲା କ୍ରନ୍ଦନର ରୋଳ । ତା'ପରେ ଅଟୋ କରି ସଦାଶିବ ଘରକୁ ଆସିଲେ ତା' ମାଉସୀର ପରିବାର । ଖବର ଦେଲେ ସଦାଶିବର ପରିବାରରେ । ଏଠି ବି ଉଠିଲା ଘନ ଘନ କ୍ରନ୍ଦନର ରୋଳ । କିଛି ସମୟ ପରେ ପୂରାପୂରି ନିରବ । ମାମୁଁ ବଦଳରେ ସଦାଶିବର ବଡ଼ ମାଉସୀର ପୁଅ ବେଦିରେ ଥାଳି ଧରିଥିଲା ।
ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା । ସତରେ ; କେତେ ହୀନକପାଳିଆ ଏ ସଦାଶିବ ! ସୁରୁଖୁରୁରେ ସରିଗଲା ଉପନୟନ କର୍ମ । ତା'ର ଦୁଇ ମାସ ପରେ ଆଶାଢ଼ ମାସରେ ସଦାଶିବର ବୁଢ଼ୀ ମା'ଙ୍କର ଅକାଳ ବିୟୋଗ । ଯିଏ କହିଥିଲା ମୁଁ ନାତୁଣୀ ବୋହୂ ଦେଖିଲେ ମରିବି । କିନ୍ତୁ ସବୁ ଓଲଟପାଲଟ । ଦୈବର ଖେଳ ବିଚିତ୍ର । ପରେ ପରେ ପଡ଼ିଲା ପୁନରାୟ ଆଉ ଏକ ଅକାଳ ଚଡ଼କ । ଯାହାକି ସଦାଶିବର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ସଦାଶିବର ନିକଟସ୍ଥ ମାଉସୀ ପୁଅ ଦିନେ ଆସି ପହଞ୍ଚିଲା ସଦାଶିବର ପରିବାରରେ । ସଦାଶିବର ମାଆକୁ କହିଲା - "ମାଉସୀ ! ତୁମ ପୁଅକୁ ଛାଡ଼ ଆମ ଘରକୁ । ସେ ଆମ ଘରେ ରହି ପଢ଼ିବ । ମଣିଷଟିଏ ହେବ ।" ସଦାଶିବର ମାଆ ଶୁଣି ଖୁସି ହୋଇଗଲେ । ସମ୍ମତି ପ୍ରଦାନ କଲେ ତା' କଥାରେ । ଷଷ୍ଠ ଶ୍ରେଣୀ ପରିସମାପ୍ତି ପରେ ସପ୍ତମ ଶ୍ରେଣୀରେ ପଢ଼ିବାକୁ ତା' ମାଉସୀ ଘରକୁ ଗଲା ସଦାଶିବ । ପାଖ ସ୍କୁଲ୍ରେ ନାମ ଲେଖାଇଲା । କିଛିଦିନ ମାତ୍ର ତା'ର କଟିଛି ସେଠାରେ । ପ୍ରାୟ ଚାରି ମାସ । ଖାତା କଲମ ଗଡ଼େ ଖଟ ଉପରେ । ହେଲେ ସଦାଶିବ ନଥାଏ ସେଠି । ମାଉସୀ ଘରର ଯାବତୀୟ କାମରେ ବ୍ଯସ୍ତ ଥାଏ । ଏହିପରି ବିତି ଗଲା କିଛିଟା ଦିନ ।
ଦିନେ ସ୍କୁଲ୍ରେ ମଧ୍ଯାହ୍ନ ଛୁଟିରେ ସ୍କୁଲ୍ରୁ ଘରକୁ ଆସିଥାଏ ମଧ୍ୟାହ୍ନ ଭୋଜନ ପାଇଁ । ଖାଇବା ବଢ଼ା ହୋଇ ଖାଇବା କାର୍ଯ୍ଯ ଆରମ୍ଭ । କ'ଣ ଗୋଟେ କଥାକୁ ନେଇ ଘଟିଲା ଅଘଟଣ । ସଦାଶିବର ମାଉସୀ ପୁଅ ବି ପାଖରେ ଖାଇ ବସିଥାଏ । ହଠାତ୍ କ'ଣ ବାର୍ତ୍ତାଳାପ ପରେ ଖାଇବାବସ୍ଥାରେ ସଦାଶିବର ମଝି ପିଠିରେ ଶକ୍ତ କହୁଣିର ପ୍ରହାର ଦେଲା । ଆକତାମାକତା ସଦାଶିବ । ବୁହେ ପରେ ଫେରିଲା ବାସ୍ତବିକ ଅବସ୍ଥାକୁ । ଅଧା ଖାଇବାରୁ ଉଠି ଚାଲି ଆସିଲା ସଦାଶିବ ବିଦ୍ଯାଳୟକୁ । ସ୍କୁଲ୍ ଛୁଟି ହେଲା , ସମସ୍ତେ ଫେରିଲେ ଘରକୁ । କିନ୍ତୁ ଫେରିଲାନି ସଦାଶିବ । ସଦାଶିବ କିନ୍ତୁ ଫେରିଥିଲା , ମାଉସୀ ଘରକୁ ନୁହଁ , ନିଜ ଜନ୍ମମାଟିକୁ । ପାଦରେ ଚାଲି ଚାଲି ଦଶ କି.ମି. ଦୂର ତା' ନିଜ ବାସସ୍ଥାନକୁ । ସେପଟେ ମାଉସୀ ଘର ଆରମ୍ଭ କରିଦେଲେ ଖୋଜାଖୋଜି ; ଯେତେବେଳେ ଗଡ଼ି ଗଲା ସଞ୍ଜ । ଶେଷରେ ପହଞ୍ଚିଲେ ସଦାଶିବର ଘରେ । ବହୁ ଆଲୋଚନା ; କିନ୍ତୁ ସଦାଶିବର ଏକା ଜିଦ୍ । ମୁଁ ଚାଲି ଚାଲି ଯାଇ ପଢ଼ିବି ପଛେ ; ସେ ଘରକୁ ଯିବିନି । ଶେଷରେ ହିଁ ସେଇଆ ହେଲା । ଦୀର୍ଘ ଆଠମାସ କାଳ ସଦାଶିବ ପ୍ରତ୍ଯହ ଦଶ କି.ମି ଖାଲି ପାଦରେ ଚାଲି ଚାଲି ପାଠ ପଢିଛି ।
ସେଠି ପଢ଼ିବା ଭିତରେ ଅନେକ ସାଙ୍ଗଙ୍କ ସହ ସୁସମ୍ପର୍କ ଥିଲା । ସେଥିରୁ ଦୁଇଜଣ ସାଙ୍ଗ ତା'ର ଥିଲେ ଅନ୍ତରଙ୍ଗ । ଜଣେ ସ୍ବଜାତିର ; ବ୍ରାହ୍ମଣ । ଆଉ ଜଣେ ଖଣ୍ଡାୟତ । ବ୍ରାହ୍ମଣ ଜାତିର ସାଙ୍ଗଟି ଦେଖିବାକୁ ଠିକ୍ ସଦାଶିବ ପରି । ଅବିକଳ ନକଲ କହିଲେ ଚଳେ । ସତେ ଅବା ଦୁହେଁ ଯାଆଁଳା ଭାଇ । ଯଦି ଦୁଇଜଣ ଏକାଠି ଛିଡ଼ା ହୁଅନ୍ତି ତେବେ କେହି ଜାଣି ପାରନ୍ତିନି ଯେ , ୟାଙ୍କ ଭିତରୁ ସଦାଶିବ କିଏ ? ସେହି ସ୍ବଜାତିର ସାଙ୍ଗ ଘରକୁ ସଦାଶିବ ପ୍ରତ୍ଯହ ଯା' ଆସ କରେ । ତା' ମାଆ ବି ଦୁଇଜଣଙ୍କ ଭିତରୁ ପୁଅକୁ ଠଉରେଇ ପାରନ୍ତିନି । ନାଁ କହିଲେ ଯାଇ ଜାଣନ୍ତି । ସେ ଲାଗି ତାଙ୍କ ମାଆଙ୍କ କଥାନୁସାରେ ଦୁହେଁ ଦୁଇ ସାଙ୍ଗରୁ ବନିଗଲେ ଦୁଇ ସଙ୍ଗାତ । ତା'ପରେ ଯାହା ବି ନିବିଡ଼ତା ଥିଲା ଆହୁରି ବଢ଼ିଗଲା ବେଶି । ସଦାଶିବର ସଙ୍ଗାତର ଭଉଣୀ 'ରୁନୁ' ସଦାଶିବ ସହିତ ପଢ଼ୁଥିଲା ଏକା ଶ୍ରେଣୀରେ । ସଦାଶିବର ଆଚାର ବ୍ୟବହାର ଏବଂ ସର୍ବଦା ସତ୍ୟନିଷ୍ଠାରେ ସେ ଆଚ଼ମ୍ବିତ । ସଦାଶିବର ବି ତା' ସହିତ ଭଲ ସମ୍ପର୍କ । ହଠାତ୍ କ'ଣ ହେଲା କେଜାଣି ସେଦିନ । ସଦାଶିବ ଓ ରୁନୁ ବିଦ୍ଯାଳୟର ସମ୍ମୁଖରେ ପାଇନ୍ ଗଛ ମୂଳରେ ବାର୍ତ୍ତାଳାପେ ବ୍ଯସ୍ତ । ହଠାତ୍ ରୁନୁ ପାଟିରୁ ବାହାରି ଆସିଲା "ମୁଁ ତୁମକୁ ଭଲପାଏ" । ସଦାଶିବ ବୁଝି ନ ପାରି କହିଲା "ମୁଁ ବି" । ସେ କୋଉ ଭଲପାଇବା କଥା କହୁଥିଲା ତାକୁ ସେକଥା ସଦାଶିବକୁ ଜ୍ଞାତ ନ ଥିଲା ।
ତା'ପରେ ରୁନୁର ପ୍ରଶ୍ନ "କ'ଣ ବୁଝିଲ ? ମୁଁ ଯାହା କହିଲି ବୁଝି ପାରିଲ ତ ?" ସଦାଶିବ ଆଟୁମାଟୁ କରି ତା' ମୁହଁକୁ ଚାହିଁ ରହିଲା । ପୁନରାୟ ରୁନୁ କହିଲା - "ମୁଁ ତୁମକୁ ଭଲ ପାଏ । ମାନେ ଲଭ୍" । ସଦାଶିବ ସବୁକିଛି ବୁଝିଗଲା କିନ୍ତୁ କିଛି ସମ୍ମତି ନ ଦେଇ ଚାଲି ଆସିଲା ତା' ପାଖରୁ ।
ସ୍କୁଲ୍ ଛୁଟି ହେଲା ସମସ୍ତେ ଫେରିଲେ ; ଏମିତିକି ସଦାଶିବ ବି ଚାଲି ଚାଲି ତା' ଗାଁକୁ ଦଶ କି.ମି । ତା' ପରଦିନ ସ୍କୁଲ୍ର ମଧ୍ୟ କାଳୀନ ଛୁଟିରେ ସଦାଶିବ ଯାଇଥାଏ ତା' ସଙ୍ଗାତ ଘରକୁ । ସଙ୍ଗାତର ମାଆ ଖାଇବାକୁ ବାଢ଼ିଲେ । ସଦାଶିବ ଓ ସଙ୍ଗାତ ସହ ରୁନୁ ବି ଖାଇ ବସିଲା । ରୁନୁର ସାନ ଭଉଣୀ ସବିତା ବି ଖାଇ ବସିଲା । ଖାଇବା ସରିଲା । ସଦାଶିବକୁ ତା' ସଙ୍ଗାତର ମାଆ ପାଖକୁ ଡ଼ାକି କହିଲେ , "ପୁଅ ! ମୋ' ଝିଅ ଯାହା କହୁଛି କ'ଣ ସତ ?"
ଭୟଭୀତ ହୋଇ ପଡ଼ିଥିଲା ସଦାଶିବ । ରୁନୁ ଆଉ କହିଦେଲା କି ମତେ ଭଲପାଏ ବୋଲି । କିଛି ନ କହି ନିରବ ରହିଲା ସଦାଶିବ । ମାଆ ଆଉ କିଛି କହିଲେନି । ଫେରି ଆସିଲେ ବିଦ୍ଯାଳୟକୁ । କଟିଗଲା ପ୍ରାୟ ତିନି ମାସ । ସଦାଶିବ ଲକ୍ଷ୍ୟ କଲା ରୁନୁର ଗତିବିଧିକୁ । କ୍ଲାସ୍ରେ ଯଦି ସଦାଶିବକୁ ଶିକ୍ଷକଙ୍କ ମାଡ଼ ବାଜେ , ରୁନୁ ଆଖିରେ ଭରିଯାଏ ଅଶ୍ରୁର ଅମାପ ଜଳ । ବିରତି ପରେ ରୁନୁ ଆସି ସଦାଶିବର ମାଡ଼ ଚିହ୍ନକୁ ଆଉଁସି ଦେଇ ଦୁଇଧାର ଲୁହ ଢ଼ାଳିଦିଏ । ସଦାଶିବ ତା'ର ଏତାଦୃଶ କାର୍ଯ୍ଯକଳାପକୁ ଧିରେ ଧିରେ ବୁଝିବାକୁ ଚେଷ୍ଟା କରେ । ସଦାଶିବ ପାଖରେ ପଇସା ନ ଥାଏ ବିଦ୍ଯାଳୟ ପରିସରରେ ବିକ୍ରି ହେଉଥିବା ସବୁ କାକୁଡି , ଚ଼ାଟ୍ ଆଦି ଖାଇବାକୁ । ରୁନୁ ଓ ସଦାଶିବର ସଙ୍ଗାତ କିଣି ଆଣି ଖାଇବାକୁ ଦିଅନ୍ତି । ରୁନୁ ଓ ସଦାଶିବ ସମ୍ପର୍କ ଅତି ନିବିଡ଼ରୁ ନିବିଡ଼ତର ଆଡ଼କୁ ଗତି କଲା । ଧିରେ ଧିରେ ସଦାଶିବ ରୁନୁ ଆଡ଼କୁ ଢ଼ଳିବାକୁ ଲାଗିଲା । ବିତିଗଲା ପୁଣି କିଛିଦିନ ମାତ୍ର ।
ହଠାତ୍ ରୁନୁର ମାଆଙ୍କ ମୃତ୍ୟୁ ହୃଦ୍ଘାତେ । ବାପା ଚାଲି ଯାଇଥିଲେ ଆଗରୁ । ରୁନୁ ଯେତିକି କାନ୍ଦି ନଥିଲା କି ତା' ପରିଜନ ଯେତିକି କାନ୍ଦି ନଥିଲେ , ବେଶି କାନ୍ଦିଥିଲା ସଦାଶିବ । ଅଜସ୍ର ସ୍ନେହ , ଶ୍ରଦ୍ଧା ଓ ଭଲ ପାଇବା ସହିତ ମାଆ ପରି ମମତା ଦେଇଥିବା ଲୋକଟାକୁ ସବୁଦିନ ପାଇଁ ହଜେଇ ଦେଇଥିଲା ଯେମିତି ସଦାଶିବ । ଏମିତି ବର୍ଣ୍ଣନା କଲେ ଚାଲିଥିବ ସିନା ; ସରିବନି କେବେ । ସଦାଶିବ ଓ ରୁନୁ ଭିତରେ ସୃଷ୍ଟି ହୋଇ ସାରିଥିଲା ଏକ ସୁଦୃଢ ସମ୍ପର୍କ । ଯାହା ଆଗକୁ ବଦଳି ଯାଇଥିଲା ପ୍ରେମରେ । ସରିଲା ସପ୍ତମ ଶ୍ରେଣୀ ପରୀକ୍ଷା । ଆଠମାସ କାଳ ଚାଲି ଚାଲି ଯାଇ ପାଠ ପଢିଛି ସଦାଶିବ । ଘରେ ପଢ଼ିବାକୁ ସମୟ ବି ପାଇନି । ତଥାପି ରେଜଲ୍ଟ୍ ଥିଲା ସେକେଣ୍ଡ୍ ଡିଭିଜନ୍ । ସେଠାରୁ ଟି.ସି ନେଇ ଚାଲି ଆସିଲା ନିଜ ଜନ୍ମ ମାଟିକୁ । ଗାଁ ପାଖ ହାଇସ୍କୁଲରେ ନାମ ଲେଖିଲା ସଦାଶିବ । ଆସିଲା ବେଳେ ରୁନୁ ବହୁତ କାନ୍ଦିଲା ଓ କହିଲା , " ଆଉ କ'ଣ ଦେଖା ହୋଇ ପାରିବନି?" ସଦାଶିବ କହିଲା - "ନିଶ୍ଚୟ ମୁଁ ଦେଖା କରିବି । କାନ୍ଦନି , ପ୍ଲିଜ୍ । ମୁଁ ବିଦ୍ଯାଳୟର ଦୀର୍ଘ ଅବସର ପରେ ଖରାଛୁଟିରେ ଆସିବି । ମଝିରେ ମଝିରେ ବି ଆସିବି ।" କୋହକୁ ଚ଼ାପି ବିଷାଦେ ବିଦାୟ ଦେଲା ରୁନୁ , ସଦାଶିବକୁ । ଗାଁ ପାଖ ସ୍କୁଲ୍ରେ ଆଡ଼ମିଶନ୍ ହେଲା ସଦାଶିବର ।
ମଝିରେ ମଝିରେ ସଦାଶିବ ଯାଏ ତା' ସଙ୍ଗାତ ଘରକୁ । ତା' ସଙ୍ଗାତ ବି ଆସନ୍ତି ବେଳେବେଳେ । ଏମିତି ଯିବା ଆସିବା ଭିତରେ ଘନିଷ୍ଠତା ସୁଦୃଢ଼ତାର ରୂପ ନେଲା ଧିରେ ଧିରେ । ଅଷ୍ଟମ ଶ୍ରେଣୀ ଡ଼େଇଁ ନବମ ଓ ନବମରୁ ଦଶମ କ୍ଲାସ୍ରେ ଉପନୀତ ହେଲା ସଦାଶିବ । ରୁନୁର ବି ଦଶମ ଚ଼ାଲିଲା । ମେଟ୍ରିକ୍ରେ ରୁନୁ ସିନା ଉତ୍ତୀର୍ଣ୍ଣ ହୋଇଗଲା ହେଲେ ସଦାଶିବ ନୁହେଁ । ଗଣିତ ଓ ଇଂରାଜୀରେ ଦୁଇ ନମ୍ବର ଲେଖାଏଁ କମ୍ ପଡ଼ିଗଲା ପାସ୍ମାର୍କ୍ରୁ ସଦାଶିବର । ଅବଶ୍ଯ ତା'ର କମ୍ପାଣ୍ଟ୍ମେଣ୍ଟ୍ଲି ହୋଇଥାଏ । ପୁନରାୟ ପରୀକ୍ଷା ଦେଲା । ଗଣିତରେ ସିନା ପାସ୍ କରିଗଲା , ହେଲେ ଇଂରାଜୀରେ ସେଇ ଦୁଇ ନମ୍ବର କମ୍ । ଆଉ କିନ୍ତୁ ମନ ବଳିଲାନି ପଢ଼ିବାକୁ ତା'ର । ରୁନୁ କିନ୍ତୁ କଲେଜ ଛାତ୍ରୀ । ମାଟ୍ରିକ ଫେଲ୍ ଜାଣି ବି ଘୃଣା କରିନି ସଦାଶିବକୁ । ଅନ୍ତରରୁ ଭଲ ପାଉଥିଲା । ସଦାଶିବ କିନ୍ତୁ ସଙ୍କୋଚବୋଧ କରୁଥିଲା । ଭାବୁଥିଲା ଯେ , ଜଣେ ଉଚ୍ଚଶିକ୍ଷିତ ଝିଅ କ'ଣ କେବେ ମେଟ୍ରିକ୍ ଫେଲ୍ ପିଲାକୁ ନିଜର କରି ପାରିବ ? ଜମା ବିଶ୍ବାସ ଆସୁ ନ ଥିଲା ତା'ର । ଦିନେ ଏମିତି କହୁ କହୁ ଏଇ କଥା କହିଦେଲା ତା' ଆଗରେ ସଦାଶିବ ।
ରୁନୁ ଆଖିରେ ଘନେଇ ଆସିଲା ଅଜସ୍ର ଅମାପ ପରିମାଣର ଅଶ୍ରୁ ବୁନ୍ଦା । ଛାତିରେ ଭରିଗଲା ଅମାପ କୋହ । ଦଲକାଏ ପବନ ବହିଗଲା ଯେମିତି ତା' ସର୍ବାଙ୍ଗ ଶରୀରକୁ ସ୍ପର୍ଶ କରି । ଥରିଲା ଓଠରୁ ଅସ୍ପଷ୍ଟ ସ୍ବର - "ମୁଁ ଷ୍ଟାଣ୍ଡାର୍ଡ ଦେଖେନି । ମୁଁ ହୃଦୟକୁ ଦେଖେ । ତୁମ ଭିତରେ ମୁଁ ଗୋଟେ ସରଳ ହୃଦୟଟେ ପାଇଛି । ମୋ ଜୀବନରେ ମୁଁ ଗୋଟେ ଭର ମଣିଷ ପାଇଛି । ଆଉ କ'ଣ ଦରକାର ମୋର ? ମୁଁ ତୁମକୁ ହିଁ ଚାହେଁ ।" ବାସ୍ ! ଏତିକି କଥାରେ ତା'ର ତାଜୁବ୍ ହୋଇଗଲା ସଦାଶିବ । ରୁନୁର ଛଳଛଳ ଆଖିକୁ ଚ଼ାହିଁ ସଦାଶିବ କହିଲା - "ତୁମ ଭାଇ କ'ଣ ରାଜି ହେବେ ?" ରୁନୁର ଉତ୍ତର - "ହଁ, ସେ ଅଲ୍ରେଡ଼ି ରାଜି । ମୁଁ କହି ସାରିଛି ଭାଇକୁ । ସେ ସମ୍ମତି ଦେଇ ସାରିଛି ।" ଆଶ୍ବସ୍ତି ହେଲା ସଦାଶିବ । ପୁଣି ରୁନୁ କହିଲା - "ଆଜିଠୁ ମୁଁ ଆଉ କଲେଜ୍ ଆସିବିନି ।"
- କାହିଁକି ?
- ତୁମ ମନରେ ଉଠିଥିବା ପ୍ରଶ୍ନର ସମାଧାନ କରିବାକୁ ।
- ନା , ନା , କିଛି ପ୍ରଶ୍ନ ନାହିଁ । ବୁଝିଗଲି । ମୋ' ରାଣ କଲେଜ ଆସିବ ।
- ଚେଷ୍ଟା କରିବି । କିନ୍ତୁ ତୁମକୁ ହିଁ ମ୍ଯାରେଜ୍ କରିବି ।
କହିଦେଲା ସିନା, କିନ୍ତୁ ସେଇଠୁ ପୂର୍ଣ୍ଣଚ୍ଛେଦ ପକାଇ ଦେଲା ପାଠପଢାରେ ରୁନୁ ।
ସଦାଶିବ ଲାଗି ପାଠପଢାରେ ଭଟ୍ଟା ପଡ଼ିଗଲା ରୁନୁର ଜାଣି ବହୁତ ଅନୁତାପ କରିଥିଲା ସେଦିନ ସେ । ନିଜକୁ ମନେ ମନେ ବିତୃଷ୍ଣାରେ ପୋତି ପକେଇ ଥିଲା ସଦାଶିବ । ବହୁତ ଧିକ୍କାରି ଥିଲା ନିଜକୁ । ନିଜକୁ ଗୋଟିଏ ବଡ଼ ଦୋଷୀ ମାନି ନେଇଥିଲା । ବହୁତ୍ ବଡ଼ ଅପ୍ରାଧ କରିଛି ବୋଲି ମାନି ନେଲା ନିଜକୁ । ଆଖି ଦୁଇଟା ଲୁହରେ ଭିଜୁଥିଲା ତା'ର । ସେଦିନ ଯଦି ସେକଥା ସେ ତାକୁ କହି ନଥା'ନ୍ତା, ହୁଏତ ରୁନୁ ଆଜି ଏମିତି ପଦକ୍ଷେପ ନେଇ ନ ଥା'ନ୍ତା । ସଦାଶିବ ବୁଝି ପାରିଥିଲା ଯେ ରୁନୁ ତାକୁ କେତେ ଭଲପାଏ । ବହୁତ ଶାନ୍ତ ଶିଷ୍ଟ ସରଳ ଝିଅଟିଏ । ନିଷ୍କପଟ ମାନସଧାରିଣୀ । ମନରେ ନଥିଲା ତା'ର ଆବିଳତା । କିନ୍ତୁ ଚ଼ାଲାକ୍ ଚତୁର ଥିଲା । ସଦାଶିବ କିନ୍ତୁ ଭାବୁଥିଲା ଯେ ସେ ଯାହା କରିଛି ଭୂଲ୍ କରିଛି । ତା' ଲାଗି ହିଁ ତା'ର ପାଠପଢାରେ ଫୁଲ୍ଷ୍ଟପ୍ । ପର ମୁହୂର୍ତ୍ତରେ ଆଉ ସେ ଭୂର୍ ନ କରିବାର ପ୍ରତିଜ୍ଞାବଦ୍ଧରେ ବାନ୍ଧି ହୋଇଗଲା ନିଜେ ।
ଏମିତି ଦିନେ ଯାଇଥିଲା ସଦାଶିବ ତା' ସଙ୍ଗାତ କତିକୁ । ସଙ୍ଗାତ ସେତେବେଳକୁ କୌଣସି ଏକ କାମରେ ବାହାରି ଯାଇଥିଲେ । କାମଟା ବୋଧହୁଏ ଥିଲା ବାହାରକୁ ଯାଇ କିଛି କାର୍ଯ୍ଯ କରିବା । ସମ୍ବଲପୁରର ଏକ ମନ୍ଦିରରେ ରହିବାକୁ ସ୍ଥିର କରି ଚାଲି ଯାଇଥିଲେ ସେହି କାମରେ । ଘରେ ଥିଲେ ରୁନୁ ଓ ସବିତା । ରୁନୁ ପିଲାଟି ଦିନରୁ ବୃକ୍ଷ ରୋପଣ ଓ ତା'ର ଯତ୍ନରେ ରୁଚି ରଖିଥିଲା । ନିଜ ହାତରେ ପ୍ରସ୍ତୁତ କରିଥିଲା ଏକ ସୁନ୍ଦର ବଗିଚ଼ା ଏବଂ ଜାତି ଜାତି ଫୁଲଗଛରେ ପରିପୂର୍ଣ୍ଣ ଥିଲା ତାହା । ସେହି ବଗିଚ଼ାରେ ବସାଉଠା କରିବାକୁ ସଙ୍ଗାତ ନିର୍ମାଣ କରିଥିଲେ ଏକ କଂକ୍ରିଟ୍ ବେଞ୍ଚଟିଏ । ସେହି କଂକ୍ରିଟ୍ ବେଞ୍ଚରେ ବସି ଦୁହେଁ ଆଳାପ କରନ୍ତି , ଯେତେବେଳେ ସଦାଶିବ ରୁନୁ ଘରକୁ ଯାଏ । ସେଦିନ ବି ଠିକ୍ ସେଇଠି ବସି ଭଲ ମନ୍ଦ ଓ ସୁଖ ଦୁଃଖ ; କିଛି ପ୍ରେମାଳାପରେ ମଜ୍ଜି ଯାଇଥିଲେ ଦୁହେଁ । ସଦାଶିବ ସେଦିନ ମନକୁ ହାଲୁକା କରିବା ଲାଗି କହିଦେଲା - "ମୋ' ଲାଗି ତୁମେ ପାଠପଢା ବନ୍ଦ କରିଦେଲ । ମୁଁ ତୁମ ପାଠପଢାର ପ୍ରତିବନ୍ଧକଟେ ପାଲଟି ଗଲି । ନିଜକୁ ଦୋଷ ମୁକ୍ତ କରିପାରୁନି ।" ରୁନୁ ଏକଥା ଶୁଣି ଉତ୍ତରେ କହିଥିଲା - " ନା, ତମେ ମୋର ସବୁକିଛି । ତମ ଠାରୁ ମୋ' ପଢ଼ାଟା ବେଶି କିଛି ନୁହେଁ । ଏଠି କେହି ବି ଦୋଷୀ ନୁହଁ । ଭାଗ୍ୟ ଆମକୁ ଯୁଆଡ଼େ ଟାଣେ , ଆମେ ସେଇ ଦିଗରେ ଗତି କରୁ ।" ସଦାଶିବ ଏକଥା ଶୁଣି ପୂରା ନିରବ । ବୁଝି ଗଲା ଏବେ ଯାହା କିଛି ଥିଲା ତା'ର ଅବୁଝା ଅଙ୍କ । ଏବେଠୁ ଆରମ୍ଭ ହେଲା ପ୍ରେମ ଅଙ୍କ କଷା ରୁନୁ ଏବଂ ସଦାଶିବର ।
ସପ୍ତମ ଶ୍ରେଣୀରୁ ରୁନୁ କବିତା ଲେଖିବାରେ ରୁଚି ରଖିଥିଲା । ଭଲ କବିତା ବି ଲେଖିପାରେ । ସଦାଶିବକୁ ବି ଶିଖେଇ ଦେଇଥିଲା ସେ କବିତା ଲେଖିବାର ଶୈଳୀ । ପର ମୁହୂର୍ତ୍ତରେ ବହୁ କବିତା ଆସରରେ ଦୁହେଁ ସାଙ୍ଗ ହୋଇ କବିତା ପାଠ ପାଇଁ ଯୋଗଦାନ କରୁଥିଲେ । ସେ ଭଲ ନୃତ୍ଯ କରିପାରେ । ଶେଷରେ ଡ଼୍ଯାନ୍ସ୍ ମାଷ୍ଟରଟେ ପାଲଟି ଯାଇଥିଲା । ତା' କବିତା ଅତି ଚମତ୍କାର ଥିଲା । ବାରମ୍ବାର ପଢ଼ନ୍ତି ପାଠକ । ସେସବୁ ଛାଡ଼ି ଚ଼ାଲ ଯିବା ମୁଖ୍ୟ ପ୍ରସଙ୍ଗକୁ । କିଛି ଦିନ ପରେ ସଙ୍ଗାତଙ୍କର ବାହାଘର ହେଲା । ବ୍ରହ୍ମପୁର ନିକଟବର୍ତ୍ତୀ ଜଗନ୍ନାଥପୁରରେ । ଗୋଟିଏ ଝିଅ , ବାପା ମାଆଙ୍କର ବୃଦ୍ଧାବସ୍ଥା । ଝିଅର ଭାଇ ନାହିଁ । ବଡ଼ ଘର ନୁହେଁ , ମଧ୍ୟବିତ୍ତ ପରିବାରର । କିନ୍ତୁ ସଙ୍ଗାତଙ୍କର ଟିକେ ବଡ଼ ଘର । ବାହାଘର ସରିଲା । ବହୁ ଧୁମ୍ଧାମ୍ରେ ଭୋଜିଭାତର ଆସର । ବିତିଗଲା ଏକବର୍ଷ । ସଙ୍ଗାତୁଣୀ ତାକୁ ବହୁତ ସ୍ନେହ ଆଦର କରନ୍ତି ; ଠିକ୍ ନିଜର ମାଆ ପରି । ସଙ୍ଗାତ ନ ଡ଼ାକି ପୁଅ ବୋଲି ଡ଼ାକନ୍ତି ସଦାଶିବକୁ । ବହୁତ ଧର୍ମ ପରାୟଣା ଓ ଉଦାର ମଣିଷଟିଏ ଥିଲେ ସେ । କାହାର ଅସହାୟତା ଓ ବିଷାଦତାରେ ଆଖିରେ ତାଙ୍କର ଜମାଟ ବାନ୍ଧି ଦେଉଥିଲା ଲୁହ । ଖୁବ୍ ସ୍ବଳ୍ପଭାଷୀ ଓ ନମ୍ରଭାଷୀ ଥିଲେ । ରୂପ ଗୁଣରେ ପାଞ୍ଚ ଖଣ୍ଡ ମଉଜାର ସ୍ତ୍ରୀ ଲୋକମାନେ ବି ଉଣା ପଡ଼ିଯିବେ ।
ସଙ୍ଗାତଙ୍କ ବାହାଘରର ଏକବର୍ଷ ପରେ ସଦାଶିବର ଆରମ୍ଭ ହେଲା ଛାତି ଯନ୍ତ୍ରଣା । ସଙ୍ଗାତ ଏକଥା ଶୁଣି ସଦାଶିବକୁ ନେଇଗଲେ ବ୍ରହ୍ମପୁରର ଜଣେ ପ୍ରସିଦ୍ଧ ଚେଷ୍ଟ୍ ପ୍ରଫେସର ପାଖକୁ । ଯିଏକି ଜଣେ ମହିଳା ଥିଲେ । ତାଙ୍କର ଗୋଟିଏ ଝିଅ ; ପୁଅ ନାହିଁ ଜମାରୁ । ସେଠାରେ ପରୀକ୍ଷା ନିରୀକ୍ଷା ପରେ ପ୍ରଫେସର ଘୋଷଣା କଲେ ତିନି ଷ୍ଟେପ୍ରେ ଅପରେସନ୍ ହେବ । ପ୍ରଥମ ଷ୍ଟେପ୍ରେ ଖର୍ଚ୍ଚ ହେବ ପ୍ରାୟ ଏକ ଲକ୍ଷ ବତିଶି ହଜାର ଟଙ୍କା । ସଦାଶିବର ସଙ୍ଗାତ କହିଲେ "ଆପଣ ଅପରେସନ୍ ବ୍ଯବସ୍ଥା କରନ୍ତୁ , ମୁଁ ଟଙ୍କା ଆରେଞ୍ଜ୍ କରୁଛି ।" ପ୍ରଫେସର କହିଲେ - "ଓକେ ।" ସଦାଶିବ କହିଲା - "ସଙ୍ଗାତ ! ଏତେ ଟଙ୍କା ତମେ ମୋ' ପାଇଁ କାହିଁକି ଖର୍ଚ୍ଚ କରିବ ?" ସଙ୍ଗାତ କହିଲେ - "ତମେ ମୋ' ସଙ୍ଗାତ । ଆଉ ମୁଁ ମୋ' ସଙ୍ଗାତ ପାଇଁ କରୁଛି , ଆଉ କାହା ପାଇଁ ତ ନୁହେଁ । ପୁଣି ତମେ ତ ରୁନୁର ଭବିଷ୍ଯ । ରୁନୁ ଆଖିରେ ମୁଁ ଲୁହ ଦେଖି ପାରିବିନି ।" ସଙ୍ଗାତଙ୍କର ଏହି ସ୍ନେହ ଓ ଦୟା ଭାବରେ ସଦାଶିବ ନିରବି ଯାଇଥିଲା । ସଦାଶିବ କହିଲା - "ଏତେ ଟଙ୍କା ତମେ କୋଉଠୁ ଆଣିବ ?" ସଙ୍ଗାତଙ୍କ ଉତ୍ତର - "ମୋ' ପାଖରେ ଅଭାବ ନାହିଁ । ଭଗବାନ ଯାହା ଦେଇଛନ୍ତି ଖାଇବାକୁ କି ଭୋଗିବାକୁ କିଏ ଅଛି ?" ସଦାଶିବ ବୁଝି ଯାଇଥିଲା ସବୁକିଛି ।
ସ୍ଥିର ହୋଇଗଲା ପ୍ରଥମ ଷ୍ଟେପ୍ ଅସ୍ତ୍ରୋପଚ଼ାର ତାରିଖ । ସଦାଶିବର ସଙ୍ଗାତ ଯୋଗାଡ଼ କଲେ ଟଙ୍କା । ସଦାଶିବ ତ ଗରିବ ପିଲାଟାଏ । ସେ କ'ଣ ବା ଆଉ କରି ପାରିବ । ହଁ , ଏଠାରେ ଆଉ ଗୋଟିଏ କଥା । ସଦାଶିବର ପରିବାରକୁ ସଦାଶିବ ବି ଜଣେଇନି ଏ କଥା । ଅଜଣାରେ ସବୁଦିନ ପାଇଁ ରହି ଯାଇଛନ୍ତି ତା' ପରିବାର । ଏତେ ଦିନ କୁଆଡ଼େ ଗଲା ବୋଲି ଦିନେ ବି ଖୋଜି ନାହାନ୍ତି ତାକୁ ତା' ପରିବାର । ଆଉ ଗୋଟିଏ କଥା ହେଲା ସଦାଶିବର ସଙ୍ଗାତ ଟଙ୍କା ଯୋଗାଡ଼ କଲାବେଳେ କିଛି ଟଙ୍କା ନିଅଣ୍ଟ ପଡ଼ିଗଲା । ସଦାଶିବର ସଙ୍ଗାତୁଣୀ ନିଜ ସୁନାଚୁଡ଼ିକୁ ବିକ୍ରି କରି ଦେଇ ଟଙ୍କା ଦେଲେ ତାଙ୍କ ସ୍ବାମୀଙ୍କୁ । ତାଙ୍କ ସ୍ବାମୀ ନେବାକୁ ନାରାଜ ଥିଲେ ସେ ଟଙ୍କା । ସଦାଶିବର ସଙ୍ଗାତୁଣୀ ତାଙ୍କ ସ୍ବାମୀଙ୍କୁ କହିଲେ , "ତୁମ ସଙ୍ଗାତ ମୋର ସଙ୍ଗାତ ନୁହଁ ପୁଅ । ପୁଅ ପାଇଁ ଏ ଜୀବନ ଗଲେ ବି ମୁଁ ହସି ହସି ଦେବି । ପୁଅର ଜୀବନ ରକ୍ଷା ହେବା ଦରକାର । ଗୋଟେ ମାଆ ପାଖରେ ତା' ପୁଅ ସବୁଠୁ ମୂଲ୍ଯବାନ । ମୋ' ପୁଅ ଠାରୁ ଏ କ'ଣ ଏ ସୁନାଚୁଡ଼ି ଅଧିକ ଦାମିକା ?" ସଦାଶିବର ସଙ୍ଗାତ ଆଉ କିଛି କହି ନ ପାରି ନିରବ ହୋଇଗଲେ । ଆଉ ଟଙ୍କା ନେଇ ଦାଖଲ କଲେ ।
ସରିଗଲା ଅପରେସନ । ପାଖରେ ରୁନୁ ଓ ସଙ୍ଗାତ ଥିଲେ । ରୁନୁ ଦିନରାତି ମେଡ଼ିକାଲରେ ସଦାଶିବ ପାଖରେ ରହି ତା'ର ସେବା ଶୁଶ୍ରୂଷା କଲା । ସଦାଶିବର ବ୍ଯବହାର ଏବଂ ଶାଳୀନତାରେ ଚ଼େଷ୍ଟ୍ ପ୍ରଫେସର ମାମ୍ ଆକୃଷ୍ଟ ହୋଇ ତାକୁ ପୁତ୍ର ଭାବରେ ଆଦରି ନେଲେ । ସଦାଶିବକୁ କହିଲେ - "ମୋର ଗୋଟିଏ ଝିଅ । ଆଜିଠୁ ତୁମେ ମୋର ପୁଅ । ମତେ ମାମ୍ ନୁହେଁ ; ମାଆ ବୋଲି ଡ଼ାକ ।" ସଦାଶିବ ସହମତି ଦେଲା ତାଙ୍କ କଥାରେ । ପୁଣି ମିଳିଗଲା ତାକୁ ଆଉ ଜଣେ ମାଆର ସ୍ନେହ ମମତା । ଆଠ ଦିନ ଗତ ହୋଇଗଲା ସେଠି ମେଡ଼ିକାଲରେ ସଦାଶିବର । ଷ୍ଟିଚ୍ ଖୋଲା ହେଲା । ସଦାଶିବ , ରୁନୁ ଓ ସଦାଶିବର ସଙ୍ଗାତ ମେଡ଼ିକାଲରୁ ଆସି ପ୍ରଫେସର ନୀଳିମା ଦାଶଙ୍କ ଘରେ ଚ଼ାରିଦିନ ରହିଲେ । ତା'ପରେ ମେଡ଼ିସିନ୍ ଧରି ଘରକୁ ଫେରିଲେ । ପ୍ରଫେସର କହିଲେ ଆଉ ଦୁଇଟା ଷ୍ଟେପ୍ ବାକି ରହିଲା ଅପରେସନ୍ । ସେ ପର୍ଯ୍ୟନ୍ତ ମେଡ଼ିସିନ୍ ଚ଼ାଲୁ ରଖିବ । ବନ୍ଦ୍ କଲେ ବିପଦ । ସଦାଶିବର ସଙ୍ଗାତ ପ୍ରତି ମାସରେ ଯୋଗାଇ ଦିଅନ୍ତି ମେଡ଼ିସିନ୍ । ସଦାଶିବ କଦବା କ୍ବଚିତ୍ ପଇସା ଦେଇ କିଣଇ । ନ ହେଲେ ସଦାଶିବର ସଙ୍ଗାତ ଔଷଧ ପଠେଇ ଦିଅନ୍ତି । ଗତ ହୋଇଗଲା କିଛି ଦିନ ।
ପ୍ରାୟ ଏକବର୍ଷ ଗତ ହେବା ପରେ ପୁଣି ଦ୍ବିତୀୟ ଷ୍ଟେପ୍ ପାଇଁ ପ୍ରସ୍ତୁତି । ଏ ଷ୍ଟେପ୍ ପାଇଁ ଖର୍ଚ୍ଚ ହେବ ନବେ ହଜାର ବୋଲି ପ୍ରଫେସର ନୀଳିମା ଦାଶ ଜଣେଇ ଦେଲେ । ସଦାଶିବର ସଙ୍ଗାତ ପାଖରେ ମାତ୍ର ଅଶୀ ହଜାର ଟଙ୍କା ଥାଏ । ତଥାପି ଦ୍ବିଧା ନ କରି ଦ୍ବିତୀୟ ଷ୍ଟେପ୍ ପାଇଁ ସଦାଶିବକୁ ନେଇ ପୁନର୍ବାର ବ୍ରହ୍ମପୁର ଗଲେ । ସେହି ବଡ଼ ମେଡ଼ିକାଲରେ ହେଲା ଦ୍ବିତୀୟ ଷ୍ଟେପ୍ ଅପରେସନ୍ । ସଦାଶିବର ସଙ୍ଗାତଙ୍କର ଏହି ଅହେତୁକ ସ୍ନେହ ଶ୍ରଦ୍ଧା ଓ ଭଲପାଇବାରେ ପ୍ରଫେସର ନୀଳିମା ଦାଶ ବି ବିସ୍ମିତ । ଏଥର କିନ୍ତୁ ସବିତା , ରୁନୁ , ସଙ୍ଗାତ ତିନି ଜଣ ଯାକ ସଦାଶିବର ପାଖରେ ମେଡ଼ିକାଲରେ ଥିଲେ । ଦଶ ହଜାର ନିଅଣ୍ଟ ଥିବାରୁ ସଦାଶିବର ସଙ୍ଗାତ ଚିନ୍ତାରେ ଥିଲେ । କିନ୍ତୁ ସେ ଚିନ୍ତାକୁ ଦୂର କରିଦେଲେ ପ୍ରଫେସର ନୀଳିମା ଦାଶ । ସେ ଅବଶିଷ୍ଟ ଅର୍ଥରାଶିକୁ ଭରଣା କରିଦେଲେ । ଭଲରେ ସରିଗଲା ଅପରେସନ୍ । ଖୋଲା ହୋଇଗଲା ଷ୍ଟିଚ୍ । ଫେରି ଆସିଲେ ଏବେ ସମସ୍ତେ ନିଜ ବାସସ୍ଥାନକୁ ।
କିଛିଦିନ ଗତ ହୋଇଗଲା । ସଦାଶିବ ଓ ରୁନୁର ପ୍ରେମ ସମ୍ପର୍କ ବି ନିବିଡ ହୋଇ ସାରିଥାଏ । ତା'ପରେ ସଦାଶିବର ସଙ୍ଗାତ ବାପା ହେବାର ସୌଭାଗ୍ୟ ଅର୍ଜନ କଲେ । ଭୁବନେଶ୍ବର ବଡ଼ ମେଡ଼ିକାଲରେ ସିଜରିଙ୍ଗ୍ ହେଲା ସଦାଶିବର ସଙ୍ଗାତୁଣୀଙ୍କର । ଷ୍ଟିଚ୍ ଖୋଲା ହୋଇନି , ଡ଼ାକ୍ତର କହିଲେ ଘରକୁ ନେଇଯାଅ । ଅଯଥାରେ ଖର୍ଚ୍ଚାନ୍ତ ହୁଅନି । ସାତଦିନ ପରେ ଆଣିବ । ସ୍ତ୍ରୀଙ୍କୁ ନେଇ କାର୍ରେ ଆସି ପହଞ୍ଚିଲେ । ସଦାଶିବ ଗଲା ତା' ସଙ୍ଗାତୁଣୀଙ୍କୁ ଦେଖିବାକୁ । ତାଙ୍କ ଘରେ କଥାବାର୍ତ୍ତା ହୋଇ ହସଖୁସି କଲେ । ସଙ୍ଗାତଙ୍କର ପୁଅଟିଏ ହୋଇଥାଏ । ମଧ୍ଯାହ୍ନ ସମୟ ଭୋଜନ ସାରି ସଦାଶିବ ବାହୁଡ଼ିଲା ନିଜ ଗ୍ରାମ ଅଭିମୁଖେ । କଟିଗଲା ଆଉ କିଛି ଦିନ । ସେପଟେ ତାଙ୍କର ଷ୍ଟିଚ୍ ବି ଖୋଲି ସାରିଥିଲା । ସଦାଶିବର ସଙ୍ଗାତ ବି ଫେରି ଯାଇଥିଲେ ନିଜ କର୍ମସ୍ଥଳକୁ ସୁଦୂର ସମ୍ବଲପୁର । କିଛି ଦିନ ପରେ ଫେରିଲେ । ସଦାଶିବ ଗଲା ତା' ସଙ୍ଗାତକୁ ଦେଖିବାକୁ ।
ତାଙ୍କ ଘରେ ଚ଼ା' ଜଳଖିଆ ଖାଇ ବସିଛନ୍ତି ଦୁଇ ବନ୍ଧୁ । ହଠାତ୍ ତାଙ୍କ ସାନ ଭଉଣୀ ସବିତାର ପେଟ କାଟିବା ଆରମ୍ଭ । ସଙ୍ଗାତ କହିଲେ ଏମିତି ମଝିରେ ମଝିରେ ତା'ର ପେଟ କାଟେ । ମୁଁ ପାଖ ଦୋକାନରୁ ମେଡ଼ିସିନ୍ ଦେଇଦେଲେ ଭଲ ହୋଇଯାଏ । ସଦାସିବ କହିଲା - ନାଇଁ ସଙ୍ଗାତ , ହେଳା ଉଚିତ୍ ନୁହେଁ । ଚ଼ାଲ ତାକୁ ମେଡ଼ିକାଲ ନେଇଯିବା । କଥାରେ ସମ୍ମତି ଦେଇ ସାଙ୍ଗ ହୋଇ ସବିତାକୁ ନେଇ ମେଡ଼ିକାଲ ଗଲେ ।
ହଁ ୟା' ପୂର୍ବର ଆଉ ଏକ ଦୁର୍ବିସହ ଘଟଣା ବାକି ରହି ଯାଇଛି । ସଦାଶିବର ସଙ୍ଗାତୁଣୀଙ୍କର ଏକ ମର୍ମନ୍ତୁଦ ଘଟଣା । ଯାହା ହୃଦୟ ବିଦାରକ ଥିଲା । ସେଦିନ ଚ଼ା' ଜଳଖିଆ ଖାଇ ଡ଼ାଇନିଙ୍ଗ୍ ଟେବୁଲ୍ ପାଖରେ ସଦାଶିବ , ତା'ର ସଙ୍ଗାତ ଏବଂ ରୁନୁ ବାର୍ତ୍ତାଳାପରେ ବ୍ଯସ୍ତ । ଘର ଭିତରୁ ସବିତା ଦୌଡ଼ି ଆସି କହିଲା କହିଲା - "ଭାଇ ଭାଇ ! ଜଲ୍ଦି ଆସ । ଭାଉଜ ବେହୋସ । ରକ୍ତ ଭାସୁଛି ଘରସାରା ।" ସଦାଶିବ , ତା'ର ସଙ୍ଗାତ ଓ ରୁନୁ ଧାଇଁ ଯାଇ ଦେଖିଲେ , ଆଚମ୍ବିତ ! ଇଏ କ'ଣ ! ହଠାତ୍ ଏମିତି କ'ଣ ହେଲା ? ସଦାଶିବ ଆଉ ଡ଼େରି ନ କରି ଗୋଟେ ଅଟୋକୁ ଫୋନ୍ କଲା । ଅଟୋରେ ସମସ୍ତେ ଗଲେ ସଙ୍ଗାତୁଣୀଙ୍କୁ ନେଇ ଭୁବନେଶ୍ବର ବଡ଼ ମେଡ଼ିକାଲ । ଯେଉଁଠି ତାଙ୍କର ସିଜରିଙ୍ଗ୍ ହୋଇଥିଲା । ରୋଗୀଙ୍କ ଭିଡ଼ । ସଦାଶିବ ସଙ୍ଗାତୁଣୀଙ୍କୁ ଦୁଇ ହାତରେ ଟେକି ନେଇ ମେଡ଼ିକାଲ ବାରଣ୍ଡା ପାହାଚରେ ଠିଆ ହେଲା । ପଛରେ ସଙ୍ଗାତ ,ରୁନୁ ଏବଂ ସବିତା । ଧାଡ଼ିରେ ଠିଆ ହେବାକୁ ପଡ଼ିଲା । ପାଳି ଆସିବା ଯାଏଁ ପ୍ରତୀକ୍ଷା । କିନ୍ତୁ ସମସ୍ତେ ବ୍ଯତିବ୍ଯସ୍ତ କିଛି ଘଟିବା ଆଗରୁ ଚିକିତ୍ସା ଅପରିହାର୍ଯ୍ଯ ।
ଦୀର୍ଘ ସମୟର ପ୍ରତୀକ୍ଷା ପରେ ଜଣେ ଡ଼ାକ୍ତରଙ୍କୁ ମିନତି ବାଢ଼ିଲା ସଦାଶିବ । ସେ ଶୁଣିଲେନି, ଓଲଟି କହିଲେ ଧାଡ଼ିରେ ଛିଡ଼ା ହୁଅ । ତୁମ ପାଳି ପଡ଼ିଲେ ଡ଼କାଯିବ । ସଦାଶିବର ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଯାହିତାହିରେ ଗୁଡ଼ାଏ ବକିଲା । ଶେଷରେ ଜଣେ ସହୃଦୟବାନ୍ ବ୍ଯକ୍ତି ତାଙ୍କ ଆଗ ଧାଡ଼ିରେ ଥିଲେ । ସେ ବି ପାଟି ଖୋଲିଲେ । ସଦାଶିବ ନିରାଶ ହୋଇ ଶେଷରେ ମେଡ଼ିକାଲ ବାରଣ୍ଡାରେ ରୋଗୀକୁ ଶୁଆଇ ଦେଇ କହିଲା - "ଏଇଟି ଥାଉ ; ତମେ କେତେବେଳେ ଚିକିତ୍ସା କରିବ ଆମେ ଦେଖିବୁ । ଆମ ପାଳି କେତେବେଳେ ପଡ଼ିବ ଦେଖିବା । ରୋଗୀ ମରୁଛି ନା ବଞ୍ଚୁଛି ; ଦେଖିବାକୁ ଅପେକ୍ଷାରତ ଆମେ ।" ସେତେବେଳକୁ ସଦାଶିବର ସର୍ବାଙ୍ଗ ଶରୀର ରକ୍ତ ଜୁଡ଼ୁବୁଡ଼ୁ । ତା' ଡ଼୍ରେସ୍ରୁ ଝରି ପଡ଼ୁଥାଏ ଠପ୍ ଠପ୍ ହୋଇ ରକ୍ତ ବୁନ୍ଦା ।
ପରିଶେଷରେ ଜଣେ ନର୍ସ ଆସି ରୋଗୀକୁ ଭିତରକୁ ନେଲେ । ଡ଼କ୍ଟରଙ୍କୁ ସେ କହିଲେ - "ପ୍ଲିଜ୍ ସାର୍ , ରୋଗୀର ଯଦି କିଛି ହୋଇଯାଏ ତେବେ ଆମ ପ୍ରତି ବିପଦ । ଦୟାକରି ଆସନ୍ତୁ ।" ଡ଼କ୍ଟର୍ ବାଧ୍ଯ ହୋଇ ଗଲେ । ସମସ୍ତ ପ୍ରକାରର ଆରେଞ୍ଜମେଣ୍ଟ ହେଲା ଅପରେସନ୍ ପାଇଁ । ରୋଗୀ ଅପରେସନ୍ ଥିଏଟର୍କୁ ଗଲା । ଜଣା ପଡିଲା ରୋଗୀ ପେଟରେ ଛୋଟ କଇଁଚିଟି ରହି ଚିପି ହୋଇ ଗୋଟେ ନାଡ଼ି କଟି ଯାଇଛି । ଏକଥା ଶୁଣିଲା ପରେ ସଦାଶିବର ସଙ୍ଗାତ ଗର୍ଜି ଉଠିଲେ । ଆଉ କହିଲେ - "ଆମେ ତ ଏଇଠି ସିଜରିଙ୍ଗ୍ କରିଥିଲୁ । ତୁମର ଏ ଅବହେଳା ପାଇଁ ଆମର ଏ ଅବସ୍ଥା ।" ମୁଁ ଥାନାରେ ଏତାଲା ଦେବି ବୋଲି କହି ପ୍ରସ୍ତୁତ ହେଲେ । ସଦାଶିବ କିନ୍ତୁ ବାରଣ କଲା । ସଙ୍ଗାତର କଥାରେ ସମ୍ମତି ଦେଇ ନିରବ ରହିଲେ । ଚିକିତ୍ସା ସରିଲା ; ଷ୍ଟିଚ୍ ବି ଖୋଲିଲା । ଫେରିଲେ ନିଜ ଗ୍ରାମକୁ ପାଞ୍ଚ ଦିନ ପରେ । ଏବେ ପୂର୍ବ କଥାକୁ ଫେରିବା । ସବିତାକୁ ମେଡ଼ିକାଲ ନେଇ ଚେକ୍ ଅପ୍ କଲା ପରେ ଜଣା ପଡିଲା ତା'ର ପେଟରେ ଟ୍ଯୁମର୍ ହୋଇଅଛି । ବହୁତ ବଡ଼ ଟ୍ଯୁମର୍ ଯାହାକି ବଢ଼ି ବଢ଼ି ଗଳା ପ୍ରଦେଶକୁ ଛୁଇଁବାକୁ ଗଲାଣି । ଡକ୍ଟର ମନା କରିଦେଲେ ଯେ ସେ ଚିକିତ୍ସା କରି ପାରିବେନି । ବହୁତ ରିକ୍ସ୍ ଅଛି ଏଥିରେ । ତୁରନ୍ତ ନିଅ ବାଙ୍ଗାଲୋର ସାଇ ହସ୍ପିଟାଲ । ନଚେତ୍ କିଛି ବି ଘଟିପାରେ । ମୁଣ୍ଡରେ ହାତ ଦେଇଦେଲେ ସଦାଶିବ ଓ ତା' ସଙ୍ଗାତ । ଆଉ ଦୁଇଜଣ ସାଙ୍ଗଙ୍କୁ ଫୋନ୍ କରାଗଲା , ସେମାନେ ଆସି ପହଞ୍ଚିଲେ । ବାଙ୍ଗାଲୋର ଯିବା ପାଇଁ ରେଳରେ ଟିକେଟ୍ ହେଲା । ସଦାଶିବକୁ କିନ୍ତୁ ତା' ସଙ୍ଗାତ ଯିବାକୁ ମନା କଲେ , ଯେହେତୁ ସଦାଶିବ ବି ଥିଲା ଅସୁସ୍ଥ । ସଦାଶିବ ଜିଦ୍ ଧରିଲା ଯିବା ପାଇଁ । କିନ୍ତୁ ସେ ମନା କରି କହିଲେ , ଆମେ ତିନିଜଣ ଅଛୁ । ଚିନ୍ତା କରନି , ସୁବିଧା ଅସୁବିଧା ହେଲେ ମୁଁ ଜଣେଇଲେ ତମେ ଯିବ । ତୁମେ ବି ଅସୁସ୍ଥ । ଜିଦି କରନି ସଙ୍ଗାତ । ମୁଁ କଥା ଦଉଛି ସବୁ କାର୍ଯ୍ଯ ମୁଁ ଭଲରେ କରିବି । ଆଉ ଦୁଇଜଣ ସାଙ୍ଗ ବି ତାଙ୍କ କଥାରେ ସହମତି ଦେଲେ । ସଦାଶିବ ଫେରି ଆସିଲା । ସେମାନେ ବାଙ୍ଗାଲୋର ଅଭିମୁଖେ ଯାତ୍ରା ଆରମ୍ଭିଲେ ।
ହଠାତ୍ ସେହିଦିନ କେଉଁ କାମରେ କେଜାଣି ସଦାଶିବ ବାହାରିଲା ତା'ର ବଡ଼ ପିଉସୀର ଝିଅ ଘରକୁ । ସେଠାରେ ଗୋଟିଏ ଦିନ ମାତ୍ର ରହଣି ତା'ର । ତହିଁ ଆର ଦିନ ପଦାକୁ ଲୋଟା ଧରି ଯାଇଥାଏ । ଫୋନ୍ କଲା ତା' ସଙ୍ଗାତ ପାଖକୁ । ରିଙ୍ଗ୍ ହେଲା ହେଲେ କେହି ଉଠେଇଲେନି । ବାରମ୍ବାର କଲ୍ କରି ନିରାଶ । ସେପଟୁ କିଛି ବି ଉତ୍ତର ନ ପାଇ ବ୍ଯସ୍ତ ହୋଇ ପଡ଼ିଲା ସେ । ଦୁଇ କରିସାରି ଶୌଚ ହୋଇ ପୁଣି କଲ୍ କଲା । ତଥାପି ରିସିଭଯ କଲେନି ସଙ୍ଗାତ ତା'ର । ଆଶ୍ଚର୍ଯ୍ୟ ! ଫୋନ୍ଟା ଉଠାଉ ନାହାନ୍ତି କ'ଣ ପାଇଁ ? କିଛି ଆଉ ଘଟିନି ତ ! ମନେ ମନେ ଇଷ୍ଟଦେବୀଙ୍କୁ ସୁମରଣା କରୁଥିଲା ସଦାଶିବ ; ଯେମିତି ସବୁ କୁଶଳ ମଙ୍ଗଳ ଥାଉ ।
ତା'ପରେ ସଦାଶିବର ମନେ ପଡିଗଲା । ଆଉ ଦୁଇଜଣ ସାଙ୍ଗ ବି ସାଙ୍ଗରେ ଥିଲେ ତାଙ୍କର । ଯାଏଁ ତାଙ୍କୁ କଲ୍ କରେଁ , ରିସିଭ୍ କରିବେ ପରା । ଏଇଆ ଭାବି ତାଙ୍କ ଭିତରୁ ଜଣଙ୍କୁ ଫୋନ୍ କଲା ସଦାଶିବ । ଦୀର୍ଘ ରିଙ୍ଗ୍ ପରେ ଫୋନ୍ ରିସିଭ୍ ହେଲା ।
- ହାଲୋ !
- ହଁ, ରମା ! ମୁଁ ସଦାଶିବ କହୁଛି ।
- ହଁ , ସଦାଶିବ ; କହ ।
- ଆରେ ସବୁ ଠିକ୍ଠାକ୍ ଅଛି ତ ? ହସ୍ପିଟାଲରେ ପହଞ୍ଚି ଗଲଣି ?
- ଆରେ ସଦାଶିବ ! ଆମେ ଗାଁକୁ ଫେରୁଛୁ ।
- ଗାଁକୁ ! ଆଉ ସବିତାର ଟିଉମର୍ ! ହସ୍ପିଟାଲରେ ଟ୍ରିଟମେଣ୍ଟ ହେଲା ନା ନାହିଁ ?
- ଗାଁକୁ ଗଲେ ଜାଣିବୁନି ? ତୁ ସଙ୍ଗାତଙ୍କ ଘରକୁ ଆସ୍ ।
ହଠାତ୍ ଚିହିଁକି ଉଠିଲା ସଦାଶିବ । କିଛି ବୁଝି ପାରିଲାନି । ଏମିତି କ'ଣ କହିଲା ରମା ! ସେପଟୁ ଅସ୍ପଷ୍ଟ ସ୍ବରଟିଏ ଶୁଭିଲା । ଆର ସାଙ୍ଗ ଜଣକର ପଦେ କଥା ସଦାଶିବ କାନରେ ପଡ଼ିଲା - "ଲୁଚେଇ ଲାଭ କ'ଣ ? ଯେମିତି ହେଲେ ବି ସେ ଜାଣିବ ନା ।" ତା'ପରେ ଏ ପାଖୁ ସଦାଶିବ କହିଲା - "ଆରେ କ'ଣ ଫୁସୁଲୁଫାସୁଲୁ ଚ଼ାଲିଛି ? ମତେ କିଛି ଲୁଚେଇବାକୁ ଚେଷ୍ଟା କରୁଛ ତୁମେମାନେ । ପ୍ଲିଜ୍ କୁହ , କ'ଣ ହୋଇଛି ?" ସେ ପାଖୁ ରମାର ଉତ୍ତର ଆସିଲା - "ସବିତା ଚ଼ାଲିଗଲା ।"
ହଠାତ୍ ଫୋନ୍ଟା ଖସି ପଡ଼ିଲା ସଦାଶିବର ହାତରୁ । ପାଦତଳୁ ତା'ର ଖସିଗଲା ମାଟି । ଯେମିତି ସେ ତଳକୁ ତଳକୁ ପାତାଳଗାମୀ ହେବାରେ ଲାଗିଛି । ମୁଣ୍ଡଟା ଚକ୍କର କାଟିଦେଲା ତା'ର । ଲଥ୍କିନା ବସି ପଡ଼ିଲା ସେ ଭୂମି ଉପରେ । ହାତ ଦୁଇଟା ସ୍ପର୍ଶ କରିଥିଲା ତା'ର ଲଲାଟ ପାବକକୁ । ଆଖି କୋଣରୁ ଝରି ପଡ଼ିଲା ଗଙ୍ଗା ଯମୁନାର ଦୁଇ ଧାର ଖରସ୍ରୋତା ଅଶ୍ରୁ ବାରି । ଭୋ ଭୋ ହୋଇ ରଡ଼ିଲା ସଦାଶିବ । ତତ୍କ୍ଷଣାତ୍ ଘରକୁ ଆସି ପ୍ଯାଣ୍ଟ୍ ସାର୍ଟ୍ ପିନ୍ଧି ବାହାରି ଆସିଲା ସେଠୁ ସଙ୍ଗାତଙ୍କ ଘରକୁ । ଘରେ ତା'ର ସଙ୍ଗାତୁଣୀ ଓ ରୁନୁ କେହି ଏ ବିଷୟରେ ଜାଣି ନ ଥିଲେ । ଦୀର୍ଘ ଦୁଇଘଣ୍ଟା ପରେ ଆସି ପହଞ୍ଚି ଗଲେ ସଙ୍ଗାତ ଓ ଦୁଇ ସାଙ୍ଗ । କାର୍ ଭିତରୁ ଟେକି ଆଣିଲେ ନିଦରେ ଶୋଇଥିବା ସବିତାକୁ । ଘର ଭିତରୁ ଦୌଡ଼ି ଆସିଲେ ସଙ୍ଗାତୁଣୀ ଓ ରୁନୁ । ମୃତ ସବିତାକୁ ଦେଖି ଲୋଟିଗଲେ ମାଟିରେ ସେମାନେ । ସେମାନଙ୍କୁ ବୁଝେଇବା ପାଇଁ ଗ୍ରାମବାସୀ ବି ନୟାନ୍ତ । ରୁନୁର ତ ବାରମ୍ବାର ସେନ୍ସ୍ ଚ଼ାଲି ଯାଉଥାଏ । ବହୁ କଷ୍ଟରେ ତାଙ୍କୁ ଘର ଭିତରକୁ ନିଆଗଲା । ସଦାଶିବର ସଙ୍ଗାତ ସେତେବେଳକୁ ପଥର ମୂର୍ତ୍ତି ପାଲଟି ଯାଇଥିଲେ । ସମସ୍ତେ ମିଶି ପୁରୀ ଗଲେ ସବିତାର ଶବ ନେଇ ; ସ୍ବର୍ଗଦ୍ବାରରେ ଦାହ କରିବା ପାଇଁ । ଦାହ କାର୍ଯ୍ୟ ଶେଷ କରି ଫେରିଲା ବେଳକୁ ରାତ୍ରି ପ୍ରାୟ ଦୁଇଟା ହୋଇଗଲା । ସବିତାର ଶୁଦ୍ଧି କାର୍ଯ୍ୟ ବି ସରିଲା । ଶୁଦ୍ଧି କାର୍ଯ୍ୟର ପରିସମାପ୍ତି ଯାଏଁ ସଦାଶିବର ରହଣି ସେଠାରେ । ଇଏ ଗଲା ଗୋଟେ ଅଘଟଣ ।
କିଛି ଦିନ ପରେ ସ୍କୁଟିରେ ରୁନୁ ଖୋର୍ଦ୍ଧା ଯାଉଥିଲା । ପଛରୁ ଏକ ମାଟାଡ଼ୋର ଧକ୍କା ଦେବା ଫଳରେ ତା'ର ବାମ ହାତଟି ଭାଙ୍ଗିଗଲା । ଖୋର୍ଦ୍ଧା ମେଡ଼ିକାଲରେ ଟ୍ରିଟମେଣ୍ଟ ହେଲା । ଖବର ପାଇ ସଦାଶିବ ଓ ତା'ର ସଙ୍ଗାତ ଗଲେ । ସ୍ଥାନୀୟ ଲୋକଙ୍କ ଜରିଆରେ ରୁନୁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା । ଯାହା ହେଉ ବିଶେଷ କିଛି କ୍ଷତି ହୋଇନି । ଏତାଦୃଶ ଦୃଶ୍ଯରେ ସଦାଶିବ ବି କାନ୍ଦିଥିଲା । ରୁନୁକୁ କହିଲା - "ସ୍କୁଟି ନେଇ ଆସିବା ଏକୁଟିଆ କ'ଣ ଦରକାର ଥିଲା ? ବସ୍ରେ ଆସିଲନି । ଆଜି ତୁମର ଯଦି କିଛି ହୋଇଯାଇଥା'ନ୍ତା ?" ସଦାଶିବର କଥା ଶୁଣି ରୁନୁ ଟିକେ ମୁରୁକି ହସି କହିଲା - "ମୋର କିଛି ହେବନି । ମୋ' ପାଖରେ ପରା ମୋ' ଶିବ ଠାକୁର ଅଛନ୍ତି । ସେ ଥାଉ ଥାଉ ମୋର କ'ଣ ହେବ ?" ତା'ପରେ ସମସ୍ତେ ମିଶି ଘରକୁ ଆସିଲେ ।
ଏମିତିରେ ବିତିଗଲା ପୁଣି ଦେଢ଼ବର୍ଷ । କଟକରେ ପଡ଼ିଲା ଏକ ବିରାଟ କବିତା ଆସର । ରୁନୁକୁ ଆସିଲା ନିମନ୍ତ୍ରଣ । ସଦାଶିବ ପାଖକୁ କଲ୍ କଲା ରୁନୁ ସେଦିନ ।
- ହାଲୋ ! ମୁଁ ତୁମ ରୁନୁ କହୁଛି ।
- ହଁ କୁହ । କ'ଣ କରୁଛ ?
- ଏଇଠି ବସି କବିତା ଲେଖୁଛି । ଆଉ ତମେ ?
- ମୁଁ ଗୋଟେ ଆର୍ଟିକିଲ୍ ଲେଖୁଛି ।
- କୋଉ ବିଷୟରେ ?
- ଏଇ ପ୍ରେମକୁ ନେଇ ।
- ଆଚ୍ଛା.....
- ହଁ , ଶୁଣ ଗୋଟେ କବିତା ଉତ୍ସବକୁ ମତେ ନିମନ୍ତ୍ରଣ ଆସିଛି । ଚ଼ାଲ ଆମେ ସାଙ୍ଗ ହୋଇ ଯିବା କଟକ ।
- କେବେ ? କୋଉ ଦିନ ?
- ଆସନ୍ତା ରବିବାର । କ'ଣ କହୁଛ ? ଯିବ ତ ?
- ତମେ କହିବ ଆଉ ମୁଁ ଯିବିନି ! ନିଶ୍ଚୟ ଯିବି ।
- ଓକେ , ମୁଁ ଏବେ ରହିଲି ।
- ହଁ ରୁନୁ । ମୁଁ ନିଶ୍ଚୟ ଯିବି ।
- ଓକେ ।
ଫୋନ୍ କାଟିଲା ରୁନୁ । ଧିରେ ଧିରେ ପାଦ ଥାପି ଆସିଗଲା ରବିବାର । ଫୋନ୍ ବାଜିଲା ସଦାଶିବର ; କ୍ରିଂ... କ୍ରିଂ... କ୍ରିଂ... । ରିସିଭ୍ କଲା ଏବେ ସଦାଶିବ ।
- ହାଲୋ ! ରୁନୁ !
- ହଁ , ବାହାରିଲଣି ନା ନାଇଁ ?
- ହଁ , ମୁଁ ଘର ଛାଡ଼ି ସାରିଲିଣି । ଆଉ ତମେ ?
- ତମେ ଆମ ଘରକୁ ଆସ ଆଗ ।
- ହଉ ; ମୁଁ ଯାଉଛି ।
ସଦାଶିବ ସାଇକେଲ୍ରେ ଯାଇ ପହଞ୍ଚି ଗଲା ରୁନୁ ଘରେ । ରୁନୁ ବାହାରି ନ ଥାଏ । ରୁନୁ ସଦାଶିବକୁ ଦେଖି ପଚ଼ାରିଲା - "କ'ଣ ଖାଇକି ଆସିଛ ?" ସଦାଶିବ କହିଲା - "ପଖାଳ ଭାତ, ବଡ଼ିଚୂରା, ଶାଗଭଜା ଆଉ ଆଳୁ ଫୁଟଣ । ତମେ ଏ ଯାଏଁ ରେଡ଼ି ହୋଇନ ଯେ ?" ରୁନୁ କହିଲା - "ମୋର ଟିକେ କାମ ଅଛି । ତମେ ଯାଅ । ତୁମ ପଛରେ ପଛ ବସ୍ରେ ମୁଁ ଯାଇ ପହଞ୍ଚୁଛି ।" ସଦାଶିବ ସମ୍ମତି ଦେଲା ରୁନୁ କଥାରେ ଏବଂ ଚ଼ାଲିଲା କଟକ ଅଭିମୁଖେ । ସଦାଶିବ ପହଞ୍ଚିବାର ଦୁଇଘଣ୍ଟା ପରେ ଖବର ଖେଳିଗଲା ଦୃତ ଗତିରେ , ମହାନଦୀ ପୋଲ ତଳକୁ ବସ୍ ଓଲଟି ପଡ଼ିଛି । ସଦାଶିବ କାନରେ ବି ଏ ଖବର ପଡ଼ିଛି । ସଦାଶିବ ଫୋନ୍ କଲା ରୁନୁ ନିକଟକୁ । ଅଥଚ ଫୋନ୍ ଲାଗିଲା ନାହିଁ । ଗ୍ରାହକ ସେବା କେନ୍ଦ୍ରର ସୂଚନା - "ଆପଣ ଚେଷ୍ଟା କରୁଥିବା ନମ୍ବରଟି ବନ୍ଦ ଅଛି କିମ୍ବା ଅପହଞ୍ଚ ଦୂରତାରେ ଅଛି ।" ବାରମ୍ୱାର କଲ୍ କରି ବି ବିଫଳ । ତା' ମନକୁ ପାପ ଛୁଇଁଲା । ରୁନୁ ଆଉ ସେ ବସ୍ରେ ନଥିଲା ତ ?
ସାଙ୍ଗେ ସାଙ୍ଗେ ଟାଉନ୍ ବସ୍ରେ ସଦାଶିବ ଚାଲିଲା ମହାନଦୀ ପୋଲ ନିକଟକୁ । ଦେଖିଲା ଲୋକ ଜମା ହୋଇଛନ୍ତି । ସତକୁ ସତ ବସ୍ଟି ଓଲଟି ପଡ଼ିଛି । ସେଠି ପଚ଼ାରି ବୁଝିଲା ଟାଉନ୍ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି । ପ୍ଲଟ୍ ଉପରେ ପାଞ୍ଚ ମୃତ । ସଦାଶିବ ଫୋନ୍ କଲା ତା' ସଙ୍ଗାତ ପାଖକୁ ଏବଂ ବୁଝିନେଲା ତାଙ୍କ ଠାରୁ ରୁନୁ କେତେବେଳୁ ଆସିଲାଣି ? ତା' ସଙ୍ଗାତ କହିଲେ ହଁ , ଏଇ ଦଶଟା ବେଳ ବସ୍ରେ ଗଲା । ଯେଉଁ ବସ୍ଟି ଓଲଟି ଥିଲା ସେହି ବସ୍ଟି ଦିନ ଦଶଟାରେ ହିଁ ତାଙ୍କ ଗାଁରୁ ବାହାରେ । ସଦାଶିବ ଜାଣିଗଲା ଯେ ରୁନୁ ଏଇ ବସ୍ରେ ହିଁ ଆସିଛି । ତା'ପରେ ସେ ସଙ୍ଗାତଙ୍କୁ କହିଲା - "ରୁନୁର ଆକ୍ସିଡ଼େଣ୍ଟ୍ ହୋଇଛି । କଟକ ମହାନଦୀ ପୋଲ ତଳକୁ ବସ୍ ଓଲଟି ପଡ଼ିଛି । ତମେ ଯଥାଶୀଘ୍ର ଆସ ।" ଏକଥା ଶୁଣିବା ମାତ୍ରେ ସଦାସିବର ସଙ୍ଗାତ ମର୍ମାହତ ହୋଇ ପଡ଼ିଲେ ଏବଂ ସଙ୍ଗାତୁଣୀ ବି କାନ୍ଦିବା ଆରମ୍ଭ କରିଦେଲେ । କାଳ ବିଳମ୍ବ ନ କରି ତୁରନ୍ତ ବାଇକ୍ରେ ବାହାରି ପଡ଼ିଲେ ସଦାଶିବର ସଙ୍ଗାତ କଟକ ଅଭିମୁଖେ । ଏକ ଘଣ୍ଟା ଭିତରେ ଆସି ପହଞ୍ଚି ଗଲେ ମହାନଦୀ ପୋଲ ନିକଟରେ । ସେଠୁ ଫୋନ୍ କଲେ ସଦାଶିବକୁ । ସଦାଶିବ ଫୋନ୍ରେ ଉତ୍ତର ଦେଲା ମୁଁ ଟାଉନ୍ ହସ୍ପିଟାଲ ଯାଉଛି । ତୁମେ ଆସ ସେଠାକୁ । ଫୋନ୍ ରଖି ସଦାଶିବ ଚ଼ାଲିଲା ଟାଉନ୍ ହସ୍ପିଟାଲ ଆଡ଼କୁ । ସଦାଶିବ ପହଞ୍ଚୁ ପହଞ୍ଚୁ ପହଞ୍ଚି ଗଲେ ତା'ର ସଙ୍ଗାତ ସେହି ଟାଉନ୍ ହସ୍ପିଟାଲରେ । ଏକା ସାଙ୍ଗରେ ଏଣ୍ଟ୍ରି କଲେ ଭିତରକୁ । ତନତନ କରି ୱାର୍ଡ ପରେ ୱାର୍ଡ ଖୋଜିଲେ ରୁନୁକୁ । କେତେଟା ୱାର୍ଡ ଖୋଜିଲା ପରେ ଶେଷରେ ପାଇଲେ ଆଠ ନମ୍ବର ୱାର୍ଡ । ସେଇଠି ହିଁ ରୁନୁ ଥିଲା । ସଦାଶିବ ଓ ତା' ସଙ୍ଗାତ ମିଶି ତା' ପାଖକୁ ଗଲେ । ଦେଖୁ ଦେଖୁ ଦୁଇଜଣଙ୍କୁ କାନ୍ଦି ପକାଇଲା ରୁନୁ ।
ତା'ପରେ ସଦାଶିବ ଡ଼କ୍ଟରଙ୍କ ପାଖକୁ ପରାମର୍ଶ ପାଇଁ ଆସିଲା । ଏମାନେ ପହଞ୍ଚିବା ଆଗରୁ ଅପରେସନ୍ ସରି ସେନ୍ସ୍ ଚ଼ାଲି ଆସିଥାଏ ରୁନୁ ସହିତ ଆଉ କିଛି ରୋଗୀଙ୍କର । ଡ଼କ୍ଟରଙ୍କ ଉତ୍ତର ଥିଲା - "ଭଗବାନଙ୍କୁ ଡ଼ାକ , ସେ ଯାହା କରିବେ । ସେନ୍ସ୍ ଆସିଛି ସତ ; ହେଲେ ବି କିଛି କହି ହେଉନି । ତାଙ୍କ କଣ୍ଡିସନ୍ ଯାହା ଆମେ କ'ଣ କରିବା ? ତଥାପି ଆମେ ଚେଷ୍ଟା ଜାରି ରଖିଛୁ । ସବୁ ଉପରବାଲା ହାତରେ ।" ସେତେବେଳକୁ ଦ୍ବାର ଦେଶରେ ଉଭା ହୋଇ ସାରିଥିଲେ ସଦାଶିବର ସଙ୍ଗାତ । ହଠାତ ଚଡ଼କ ପଡ଼ିଗଲା ମୁଣ୍ଡରେ । ଖସି ପଡ଼ିଲା ମାଟି ; ଛିଡ଼ି ଗଲା ଆକାଶ । ଭୋ ଭୋ ହୋଇ କାନ୍ଦିଲେ ସଦାଶିବ ଓ ତା' ସଙ୍ଗାତ । ସଦାଶିବ ଡ଼କ୍ଟରଙ୍କ ସାମ୍ନାରେ କାନ୍ଦି କାନ୍ଦି ହାତ ଯୋଡ଼ି ପ୍ରାର୍ଥନା କଲା - ସାର୍ ! ଆପଣ ଦ୍ବିତୀୟ ଭଗବାନ । ପ୍ଲିଜ୍, ଯାହା ଖର୍ଚ୍ଚ ହେବ ହେଉ , ଯେତେ ଟଙ୍କା ଦରକାର ଆମେ ଦେବୁ , ପ୍ରତିବଦଳରେ ଆମକୁ ରୁନୁର ଜୀବନ ହିଁ ଦରକାର । ପ୍ଲିଜ୍ , ବଞ୍ଚେଇ ଦିଅନ୍ତୁ ସାର୍ । ଡ଼କ୍ଟର କହିଲେ - ଦେଖନ୍ତୁ ; ଏଇଟା ହସ୍ପିଟାଲ । ଏଠି କନ୍ଦାକଟା କରନି । କହିଲୁ ତ ଆମେ ଚେଷ୍ଟା କରୁଛୁ । ପେସେନ୍ସ୍ ରଖ ।
ଲୁହ ଛଳଛଳ ଆଖିରେ ଦୁହେଁ ଫେରି ଆସିଲେ ରୁନୁର ବେଡ଼୍ ପାଖକୁ । ରୁନୁ ଉଠିବାକୁ ଚେଷ୍ଟା କଲା । ସଦାଶିବ ବାରଣ ମୁଦ୍ରାରେ ତାକୁ ଶୋଇ ରହିବାର ସୂଚନା ଦେଲା । ତା' ମୁଣ୍ଡ ପାଖରେ ବସି ସଦାଶିବ ତା' କୋଳକୁ ରୁନୁର ମୁଣ୍ଡ ରଖି କର ସ୍ପର୍ଶ କରୁଥାଏ । ରୁନୁ କହିଲା - "ବାବୁ ! ମତେ ଆଜି କିଛି ଭଲ ଲାଗୁନି । ହୁଏତ ମୋ' ଅଭିନୟ ବୋଧହୁଏ ଶେଷ ପର୍ଯ୍ଯାୟରେ ।" ସଦାଶିବ କହିଲା - "ଚୁପ୍ କର ।" କାନ୍ଦି ପକାଇଲା ସିଏ । ପୁଣି କାନ୍ଦି କାନ୍ଦି କହିଲା - "ଏମିତି କାହିଁକି କହୁଛ ? ତୁମର କିଛି ହେବନି । ଡ଼କ୍ଟର କହିଛନ୍ତି ଭଲ ହୋଇଯିବ ।" ସଦାଶିବର ସଙ୍ଗାତ କୋହକୁ ଚ଼ାପି କାନ୍ଦୁଥା'ନ୍ତି ତା' ପାଖରେ । କିଛି ଆଉ କହିବାର ବାଟ ନାହିଁ । ରାହା ଦିଶୁନି କି ସାହା ନାହିଁ କେହି । ଉପାୟ ଶୂନ୍ଯ ସଦାଶିବ ଓ ତା' ସଙ୍ଗାତ । କେବଳ ଗୋବିନ୍ଦ ଭରସା ।
ରୁନୁ ପୁଣି କହିଲା - " ମତେ ଲାଗୁଛି ମୁଁ ଆଉ ବଞ୍ଚିବିନି । ମୋ' ଶ୍ବାସ ରୁଦ୍ଧ ହୋଇ ଯାଉଛି । ମୋ' ନିଃଶ୍ବାସ ପ୍ରଶ୍ବାସ ଧିରେ ଧିରେ ବନ୍ଦ ହୋଇ ଯାଉଛି । ମୋର ଗୋଟେ ଶେଷ କଥା ରଖିବ ବାବୁ ? ମୁଁ ମଲା ପରେ ତୁମେ ତୁମେ ଗୋଟେ ଭଲ ଝିଅ ଦେଖି ବାହା ହୋଇଯିବ । ଏ ଜନ୍ମରେ ଏ ଅଭିଳାଷ ମୋର ଅପୂର୍ଣ୍ଣ ରହିଲା । ଆର ଜନ୍ମରେ ଭଗବାନ୍ କରନ୍ତୁ ପୁଣି ଭେଟ ହେବ ଏବଂ ତୁମ ସାନ୍ନିଧ୍ୟ ନିଶ୍ଚୟ ମୋତେ ମିଳିବ ।" ସଦାଶିବ ରୁନୁର ଏ ବଚନ ଶୁଣି ଭୋ ଭୋ ହୋଇ କାନ୍ଦି ଉଠିଲା । କାନ୍ଦି ଉଠିଲେ ତା' ସଙ୍ଗାତ । ପୁଣି ରୁନୁ ଓଠରୁ ସ୍ଫୁରିଲା ଚ଼ାପା ଗଳାର ସ୍ବର - "ତମେ କାନ୍ଦୁଛ ! ଛିଃ ! ଏମିତି ପିଲାଙ୍କ ଭଳି କାନ୍ଦୁଛ କ'ଣ ପାଇଁ ?" ରୁନୁ ଆଖିରୁ ବି ଝରିଗଲା ଦି'ଧାର ଉଷ୍ମାଶ୍ରୁ । ଥରିଲା ଓଠରେ ପୁନରାୟ ରୁନୁ କହି ଉଠିଲା - "ମୋର ଗୋଟେ ଅନୁରୋଧ ରଖିବ ବାବୁ ?"
- କୁହ , କୁହ ରୁନୁ ।
- ତୁମେ କେବେ ବି ନିଜକୁ ଏକୁଟିଆ ଭାବି କାନ୍ଦିବନି । ମନ ଖରାପ କରିବନି ଜମାରୁ । ମୁଁ ସବୁବେଳେ ତୁମ ପାଖେ ପାଖେ ଅଛି ଜାଣିବ । ଆଉ ଗୋଟେ କଥା ବାବୁ । ନିଜକୁ ଟିକେ ବଦଳାଅ । ଏତେ ସରଳ ଓ ସତ୍ଯବାଦୀ ହେଲେ ଚଳିବନି । ଏ ସଂସାର ଏତେ ସହଜରେ ତୁମକୁ ଗ୍ରହଣ କରିନେବ , ଏ କଥା ଭୂଲ୍ । ମୁଁ ଥିଲି , ତୁମ ଟିକିନିଖି ଖବର ବୁଝୁଥିଲି । ଏବେ ନିଜେ ଟିକେ ସଜାଗ ହୁଅ ।"
ଆହୁରି ଜୋର୍ରେ କାନ୍ଦିଲା ସଦାଶିବ । ପାଖରେ ବସିଥିବା ସଙ୍ଗାତ ତାକୁ ଶାନ୍ତ୍ବନା ଦେଲେ । ପୁଣି ରୁନୁ କଣ୍ଠରୁ ଝରି ପଡ଼ିଲା ଅସ୍ପଷ୍ଟ ସ୍ବରଟିଏ । ଥରିଲା ଓଠରେ କହିଲା ଏବେ ସଦାଶିବକୁ ସେ -
- ଦୁନିଆରେ କାହାକୁ ବି ବିଶ୍ବାସ କରିବନି ବାବୁ । ଏତେ ସରଳ ବିଶ୍ବାସୀ ସ୍ବଭାବ ବର୍ଜନ କରିବ । ସେ ପୁଅ ହେଉ ବା ଝିଅ , ବିଶ୍ବାସୀ କେହି ନୁହେଁ । ମୋ' ପରି ତୁମକୁ କେହି ଦେଇ ପାରିବେନି ସ୍ନେହ - ମମତା କି ଭଲପାଇବା । ବରଂ ତୁମର ସରଳତାର ସୁଯୋଗ ନେଇ ନିଜର ଫାଇଦା ଉଠାଇବେ ସବୁ । ଏ ସଂସାରରେ ସମସ୍ତେ ସ୍ବାର୍ଥବାଦୀ ।
ପୁଣି ଝରିଗଲା ଦୁଇଧାର ଲୁହ ରୁନୁ ଆଖିରୁ । ସଦାଶିବ ପୋଛି ପକାଇଲା ତା' ଲୁହକୁ ଦୁଇ ହାତରେ । ଆଉ କିଛି କହିବା ପୂର୍ବରୁ ଘନ ଘନ କୋହ ଉଠିଲା ରୁନୁର । ଦୌଡ଼ି ଗଲେ ସଦାଶିବର ସଙ୍ଗାତ ଡ଼କ୍ଟରଙ୍କ ପାଖକୁ । ଏପଟେ ସଦାଶିବ ବିବ୍ରତରେ "ରୁନୁ ! ରୁନୁ !" ବୋଲି ଚିଲାଉଥାଏ । ହଠାତ୍ ଶାନ୍ତ ପଡ଼ିଗଲା ସବୁକିଛି । ଡ଼କ୍ଟର ଆସି ପହଞ୍ଚିଲେ । ଦେଖିଲେ ରୁନୁ ଜଳଜଳ କରି ଚାହିଁଛି । ନାଡ଼ି ଚିପିଲେ , ଷ୍ଟେଥୋସ୍କୋପ୍ ପକାଇ ହୃତ୍ସ୍ପନ୍ଦନ ମାପିଲେ । କିଛି ସମୟ ପରେ ଖୋଲା ଥିବା ଆଖି ଦୁଇଟିକୁ ନିଜ ହାତରେ ମୁଦି ଦେଇ ଚ଼ାଦର ଢ଼ାଙ୍କି ଦେଲେ ମୁହଁରେ । ସଦାଶିବ କୋଳରେ କିନ୍ତୁ ଥାଏ ରୁନୁ ମୁଣ୍ଡ । ସଦାଶିବର ସଙ୍ଗାତ ବୁଝିଗଲେ ; କିନ୍ତୁ ବୁଝି ପାରିଲାନି ସଦାଶିବ । ଡ଼କ୍ଟରଙ୍କୁ ପ୍ରଶ୍ନ କଲା ସେ - "ସାର୍ ! ମୋ' ରୁନୁ..." ଡ଼କ୍ଟର କହିଲେ - "ସି ଇଜ୍ ନୋ ମୋର୍ ।" ଭୋ ଭୋ ହୋଇ କାନ୍ଦିଲା ସେ । ଖଟ ବାଡ଼ରେ ପିଟି ପକାଇଲା ତା' ମୁଣ୍ଡକୁ । ସଦାଶିବର ସଙ୍ଗାତ ବି କାନ୍ଦି ଉଠିଲେ । ତଥାପି ଧୈର୍ଯ୍ୟ ଧରି ଛାତିରେ ଛାତିଏ କୋହକୁ ଚ଼ାପି ସଦାଶିବକୁ ଶାନ୍ତ୍ବନା ଦେଲେ । ତିନି ତିନି ଥର ବେହୋସ ସଦାଶିବ ସେହି ମେଡ଼ିକାଲ ବେଡ୍ରେ । ପାଣି ଛାଟି ପୁଣି ହୋସ୍କୁ ଆଣନ୍ତି ସଙ୍ଗାତ ତା'ର । କିଛି ସମୟ ଶାନ୍ତ୍ବନା ପରେ ଦୁହେଁ କାର୍ରେ ଆସି ପହଞ୍ଚିଲେ ସଙ୍ଗାତଙ୍କ ବାସଭବନରେ । ସଙ୍ଗାତୁଣୀ ମରଶରୀରକୁ ଦେଖି ବାରମ୍ବାର ବେହୋସ୍ । ତାଙ୍କୁ ବୁଝାସୁଝା କରି ତିନିହେଁ ମିଶି ପୁରୀ ସ୍ବର୍ଗଦ୍ବାର ଗଲେ । ସତ୍କାର କାର୍ଯ୍ଯ ସମାପ୍ତ କରି ଫେରିଲେ ।
ହଁ , ଆଉ ଗୋଟେ କଥା । ସବିତାକୁ ସଦାଶିବ ଦେଇଥିଲା ମୁଖାଗ୍ନି । ଏବେ ରୁନୁକୁ ବି ସେଇ ସଦାଶିବ ମୁଖାଗ୍ନି ଦେଲା । ଭାଙ୍ଗି ଗଲା ସଦାଶିବର ସମସ୍ତ ସ୍ବପ୍ନ ; ମଉଳି ଗଲା ସବୁ ଆଶା । ଧୂଳିସାତ୍ ହୋଇଗଲା ସବୁ ହସଖୁସି । ଜନ୍ମରୁ ଯନ୍ତ୍ରଣା ସହି ଥିଲା । ଟିକେ ହସଖୁସି ଦଉଥିବା , ଆନ୍ତରିକ ଭଲ ପାଉଥିବା ମଣିଷ ଜଣକ ବି ଆଜି ଅଲଗା ହୋଇଗଲା ତା' ଠାରୁ । ଯିଏ କହୁଥିଲା ମୁଁ ତୁମ ସହିତ ଅଛି , ଥିବି ଆଉ ରହିଥବି ମଧ୍ୟ , ସେ ଆଜି ଏକା କରିଦେଇ ପୁଣି ସ୍ନେହ , ପ୍ରେମ କାଙ୍ଗାଳଟିଏ ସଜେଇ ଚ଼ାଲିଗଲା ଆରପାରିକୁ । ଏବେ ସଦାଶିବ ସମ୍ପୂର୍ଣ୍ଣ ଏକା । ପୂରା ନିଃସ୍ବ ପାଲଟି ଗଲା । ମରି ମରି ବଞ୍ଚିବାଟା ସାର ହେଲା ତା'ର । ଖାଲି ସେତିକି ନୁହେଁ , ଆହୁରି ବି ଦାଉ ସାଧିଲା ଦୈବ । ବୋଧହୁଏ ତା'ର ଏତିକିରେ ମନ ପୂରିଲାନି । ଦୁଃଖ ଯେତେବେଳେ ଆସେ , ଏକା ଆସେନି । ତା' ସହ ତା' ପରିବାରବର୍ଗଙ୍କୁ ସାଥିରେ ଆଣି ହିଁ ଆସିଥାଏ । ଏ ଥିଲା ସଦାଶିବର ଫଟା କପାଳର ଫିକା ସୁଖ ।
କିଛି ଦିନାନ୍ତେ ସଦାଶିବର ତୃତୀୟ ଷ୍ଟେପ୍ ଅପରେସନ୍ ହେଲା । ସେ ଅପରେସନ୍ ଟିକେ କ୍ରିଟିକାଲ୍ ଥିଲା । ସମସ୍ତ ଚେଷ୍ଟା ସତ୍ତ୍ୱେ ଡ଼ାକ୍ତରମାନେ ନିରାଶା ହୋଇ ପଡ଼ିଥିଲେ । କେବଳ ଭଗବାନଙ୍କୁ ଭରସା କରିବା ଛଡ଼ା ଆଉ ଉପାୟ ନଥିଲା । ସଦାଶିବର ସଙ୍ଗାତ ପାଖ ଦେବୀ ମନ୍ଦିରରୁ ଯାଇ ପୂଜାପୂଜି କରି ଫୁଲ ଆଣି ମଥା ଉପରେ ରଖି ଥିଲେ । ଦେବୀଙ୍କ ଅପୂର୍ବ କରୁଣାରୁ ସଦାଶିବର ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆସିଥିଲା । ସେଥରକ ଖର୍ଚ୍ଚ ହୋଇଥିଲା ପ୍ରାୟ ଅଶୀ ହଜାର ଟଙ୍କା । ହଠାତ୍ ଶେଷ ସମୟରେ କିଛି ଅର୍ଥରାଶି କମ୍ ପଡ଼ିବାରୁ ସଦାଶିବର ସଙ୍ଗାତ ବ୍ରହ୍ମପୁର ସହରରେ ବୁଲି ବୁଲି ଭିକ୍ଷା କରି କିଛି ଟଙ୍କା ବି ଯୋଗାଡ଼ କରିଥିଲେ ସଦାଶିବର ଚିକିତ୍ସା ପାଇଁ । ଯାହାହେଉ ସଦାଶିବ ଏବେ ପୂରାପୂରି ଆରୋଗ୍ୟ । ତଥାପି ଡ଼ାକ୍ତରଙ୍କ ମନ୍ତବ୍ୟ ଥିଲା ; ସମ୍ପୂର୍ଣ୍ଣ ଭଲ ହେଲେ ବି ଗୋଟେ ବର୍ଷ ପର୍ଯ୍ଯନ୍ତ ଔଷଧ ଚ଼ାଲୁ ରହିବ । ଫେରିଲେ ଦୁଇ ସଙ୍ଗାତ ମେଡ଼ିକାଲରୁ ଘରକୁ । କିଛି ଦିନ ପରେ ପ୍ରଫେସର ନୀଳିମାଙ୍କର ଆକ୍ସିଡ଼େଣ୍ଟ୍ରେ ମୃତ୍ୟୁ । ପୁଣି ଏକ ଦୁଃଖଦ ଘଟଣା ସଦାଶିବର ମନ ଆକାଶରେ ଢ଼ାଙ୍କି ଦେଲା କଳା ବାଦଲର ଛାୟା । ସଦାଶିବର ଜୀବନ ଆକାଶ ସଦାସର୍ବଦା କୃଷ୍ଣ ବାଦଲରେ ଆଚ୍ଛାଦିତ । ସଦାସର୍ବଦା ସନ୍ତୁଳିତ ତା'ର ଜୀବନ । ସୁଖ ବୋଲି ତା' ଜୀବନରେ କିଛି ନଥିଲା । ବିଧାତା ହୁଏତ ତା' କପାଳରେ ଦୁଃଖ ହିଁ ଲେଖିଛି , ସୁଖ ଲେଖିବାକୁ ଭୂଲି ଯାଇଛି ସେ । ସବୁ ଦୁଃଖକୁ ଅଙ୍ଗେ ନିଭେଇ ଗଦା ଗଦା କୋହକୁ ବୁକୁ ବିବରେ ଚ଼ାପି ସତେ ଯେମିତି ସଦାଶିବ ପାଲଟି ଯାଇଛି ପାଷାଣ ମୂର୍ତ୍ତିଟିଏ ।
ଏକ ଦିନକର ଘଟଣା । ସଦାଶିବ ମେଡ଼ିସିନ୍ ପାଇଁ ଯାଇଥାଏ ମେଡ଼ିସିନ୍ ଷ୍ଟୋର୍କୁ । ମେଡ଼ିସିନ୍ କିଣିବା ଭିତରେ କିଛି ଟଙ୍କା କମ୍ ପଡ଼ିଗଲା ତା'ର । ସଦାଶିବ କହିଲା ଆରଥରକୁ ଆସିଲେ ଦେଇଦେବ । ଠିକ୍ ସେହି ସମୟରେ ସଦାଶିବର ସଙ୍ଗାତ ଆସି ପହଞ୍ଚି ଗଲେ । ସଦାଶିବର ବାକିଆ ଅର୍ଥ ସେ ହିଁ ପୈଠ କରିଦେଲେ ସେଠି । ତା'ପରେ କହିଲେ , "ସଙ୍ଗାତ ! ମୁଁ କାଲି ସମ୍ବଲପୁର ଯାଉଛି । ଭାବୁଛି ସଙ୍ଗାତୁଣୀଙ୍କୁ ସାଥିରେ ନେଇଯିବି । ଏଠି ଏକୁଟିଆ କାହିଁକି ରହିବେ ? ଆସ ଆମ ଘରକୁ ଯିବା । କାଲି ତ ମୁଁ ପଳାଇବି । ଆଉ ଟିକେ ଆମ ଘର ଆଡ଼େ ଆସ ।" ସଦାଶିବ ତା'ର ସଙ୍ଗାତ ସହ ତାଙ୍କ ଘରକୁ ଗଲା । ଦୁଇଜଣ ସେଦିନ ବହୁତ ଗପିଲେ । ପୁଣି ସଦାଶିବକୁ ତା' ସଙ୍ଗାତ ଆଣି ତା' ଗାଁରେ ଛାଡି ଦେଇ ଗଲେ । ତା' ପରଦିନ ସଙ୍ଗାତ ଓ ସଙ୍ଗାତୁଣୀ ସମ୍ବଲପୁର ଚ଼ାଲିଗଲେ । ସେଠି ପହଞ୍ଚିବାର ଦୁଇ ଦିନ ପରେ ଆଉ ଏକ କାଳ ପଡ଼ିଗଲା । ଯାହା କେବେ ବିଶ୍ବାସଯୋଗ୍ଯ ହୋଇ ନଥିଲା ।
ଖବର ଆସିଲା ସଦାଶିବ ପାଖକୁ , ମନ୍ଦିର ପୂଜକଙ୍କୁ ହତ୍ଯା ଉଦ୍ଯମ । ସିରିୟସ୍ କଣ୍ଡିସନ୍ରେ ସୁରେନ୍ଦ୍ର ସାଏ ମେଡ଼ିକାଲରେ । ସଦାଶିବ ଓ ଆଉ କେତେଜଣ ସାଙ୍ଗ ମିଶି ସମ୍ବଲପୁର ଗଲେ । ସତକୁ ସତ ଅବସ୍ଥା ଶୋଚନୀୟ । ଶ୍ବାସନଳୀ କଟି ଯାଇଛି । ବସାରେ ଅଛନ୍ତି ସଙ୍ଗାତୁଣୀ । ତାଙ୍କ ମୁଣ୍ଡ ବି ଫାଟିଛି । ବ୍ଯାଣ୍ଡେଜ୍ ହୋଇଛି ତାଙ୍କର । ଘଟଣା କ'ଣ ଜାଣିବାକୁ ଚେଷ୍ଟା କଲେ ସଦାଶିବ ଓ ତା'ର ସାଙ୍ଗମାନେ । ରାତିରେ ମନ୍ଦିରରେ ଚ଼ୋର ପଶି ଚ଼ୋରୀ କରୁଥିଲେ । ସଦାଶିବର ସଙ୍ଗାତ ସେତେବେଳକୁ ବାହାରକୁ ଉଠିଥା'ନ୍ତି । ରାତି ବାରଟା କି ଗୋଟାଏ ହେବ , ଦେଖିଲେ ମନଦିର ଦୁଆର ମେଲା । ଭିତରେ ଖଡ୍ଖଡ୍ ଧଡ୍ଧଡ୍ ଶବ୍ଦ । କିଏ ଜାଣିବାକୁ ସଦାଶିବର ସଙ୍ଗାତ ପଶି ଗଲେ ମନ୍ଦିର ଭିତରକୁ । ଚ଼ୋରମାନେ ପାଲଟି ଗଲେ ନୃଶଂସ । ଦେବୀ ହସ୍ତ ଖଡ୍ଗକୁ ଭିଡ଼ି ସଙ୍ଗାତଙ୍କୁ ଚ଼ୋଟ ପକାଇଲେ । ଚିତ୍କାର ଶୁଣି ଭିତରୁ ଦୌଡ଼ି ଆସିଲେ ତାଙ୍କ ସ୍ତ୍ରୀ । ତାଙ୍କୁ ଚ଼ୋରମାନେ ଧକ୍କା ଦେଇ ସବୁକିଛି ମନ୍ଦିରରୁ ଲୁଟି ନେଇ ଚ଼ାଲିଗଲେ । ଚ଼ୋରଙ୍କ ଧକ୍କାରେ ସଙ୍ଗାତୁଣୀଙ୍କର ଲୌହ କବାଟରେ ପିଟି ହୋଇ ମୁଣ୍ଡ ଫାଟି ଯାଇଛି । ୟା' ଭିତରେ ଗୁପ୍ତ ରହସ୍ୟ ଅଛି । ମନ୍ଦିର ମାଲିକ ସଦାଶିବର ସଙ୍ଗାତଙ୍କୁ ପୁଅ କରିଥାଏ ; ଯେହେତୁ ତା'ର ପୁଅ ନଥାଏ । ଦିନେ ମାଲିକଟି କହିଲା - ତୁମେ ହଇରାଣ ହେଉଛ ମୁଁ ଜାଣୁଛି । ବ୍ଯସ୍ତ ହୁଅନି , ମୁଁ ଜଣେ ଲୋକ ପଠେଇ ଦେଉଛି ତୁମ ଦୁହିଁଙ୍କର ଦେଖାଶୁଣା କରିବ ।
ମାଲିକ ଜଣକ ଗୋଟେ ଚ଼ାକରାଣୀ ଯୋଗାଡ଼ କରିଦେଲା ତାଙ୍କ ପାଇଁ । ସେହି ଚ଼ାକରାଣୀ ଜଣକ ଯେ କାଳଡ଼ାଙ୍କୁଣୀ ଏକଥା କିଏ ଜାଣେ ? ମନ୍ଦିରର ସବୁ ସମ୍ପତ୍ତି ଦେଖି ତା'ର ଆସିଗଲା ଲୋଭ । ତା' ମୁଣ୍ଡରେ ସବାର ହେଲା ଚ଼ୋରୀ କରିବାର ଅଭିନବ ଭୂତ । ସିନେମାର କାଳ୍ପନିକ କାହାଣୀ ପରି ଘଟେଇ ଦେଲା ଏକ ସୁଚିନ୍ତିତ ଉପାୟରେ ଏଭଳି ଅମାନୁଷିକ କାଣ୍ଡ । କିଛି ଚ଼ୋରଙ୍କୁ ହାତରେ କରି ଅଧେ ଅଧେ ବାଣ୍ଟି ନେବାର ପ୍ରତିଶ୍ରୁତି ଦେଇ ଆରମ୍ଭ କଲା ବିଧିବଦ୍ଧ ଯୋଜନା । ମନ୍ଦିର ଚ଼ାବିକୁ ସାବୁନ୍ ଉପରେ ଚ଼ାପି ଚିହ୍ନ କଲା ଚ଼ାକରାଣୀ । ଟିକେ ଅବାଗ ହେଲା । ପୁନରାୟ ଆରପଟ ଓଲଟାଇ ଚିହ୍ନ କଲା । ମଝିରୁ ଦି'ଫାଳ କଲା ସେ ସାବୁନ୍କୁ । ଭଲଭାବେ ଚିହ୍ନ ପଡ଼ି ନଥିବା ସାବୁନ୍ ଫାଳଟିକୁ ଓଲଟାଇ ଝରକା ଚଟାଣରେ ରଖିଦେଲା । ଅନ୍ଯଟିକୁ ଚ଼ୋରଙ୍କ ହାତରେ ଧରେଇ ଦେଲା । କେତେ ଚ଼ାଲାକ ସେ ଚ଼ାକରାଣୀ ! ସେପଟେ ସଦାଶିବର ସଙ୍ଗାତର ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଘର ଭିତରୁ ବାହାରି ଗଲେ । ଅଥଚ ବାହାରେ ଏରୁଣ୍ଡି ଦାଢ଼ରେ ଶୋଇଥିବା ଚ଼ାକରାଣୀର ନିଦ ଭାଙ୍ଗୁନି । ଦୁଇଘଣ୍ଟା ପରେ ଉଠି ମାଲିକ ପାକକୁ ଫୋନ୍ କରୁଛି । ବାଃ ! ସୁନ୍ଦର ଉପାୟ । ଏବେ ପୂର୍ବ କଥାକୁ ଯିବା ।
ଆଗ୍ରାରୁ ଆସିଲେ ଡ଼ାକ୍ତର ତାଙ୍କର ଚିକିତ୍ସା କରିବାକୁ । ଭଲ ହୋଇ ଯାଇଥିଲେ ସଦାଶିବର ସଙ୍ଗାତ । ବହୁଦିନ କୋମାରେ ରହିବା ପରେ ଚେତା ଫେରିଲା ; ସେ ପୁଣି ଦେଢ଼ ଦିନର ଚେତା । ତା'ପରେ ତିନୋଟି ହେଙ୍କା ଉଠିଲା । ସେଇ ହେଙ୍କାରେ ଅବଶ ହୋଇ ଚ଼ିରନିଦ୍ରାରେ ସବୁଦିନ ପାଇଁ ଶୋଇଗଲେ ସଦାଶିବର ସଙ୍ଗାତ । ଲିଭି ଗଲା ତାଙ୍କର ଜୀବନ ପ୍ରଦୀପ । ତାଙ୍କ ସଂସାର କୁଟୀର ହୋଇଗଲା ତିମିରାଚ୍ଛନ୍ନ । ସମସ୍ତେ କାନ୍ଦି ଉଠିଲେ ଉଚ୍ଚ ସ୍ବରରେ । ସଦାଶିବ ଚେତାଶୂନ୍ୟ ହୋଇ ପଡ଼ିଲା । ବାରମ୍ବାର ଚେତା ହରେଇବାରେ ଲାଗିଲା । ପାଖରେ ଥିବା ସାଙ୍ଗ ମାନଙ୍କ ଶାନ୍ତ୍ବନା ବାଣୀ ଶୁଣି ଲୌହ ପ୍ରତିମୂର୍ତ୍ତି ପାଲଟି ଗଲା । ପାଲଟି ଗଲା ସ୍ଥାଣୁ ସ୍ଥବିର ।
ସଦାଶିବର ସଙ୍ଗାତୁଣୀ ପାଖରେ ଖବର ପହଞ୍ଚିଲା । ସେ ବି ଠିକ୍ ସଦାଶିବ ପରି ଚେତା ଶୂନ୍ୟ । କୌଣସି ପ୍ରକାରେ ପରିସ୍ଥିତିକୁ ନିୟନ୍ତ୍ରଣ କରି ମର ଶରୀର ଆସିଲା ଗ୍ରାମକୁ । ପୁରୀ ସ୍ବର୍ଗଦ୍ବାରେ ଦାହ ହେଲା ଶବ । ମୁଖାଗ୍ନି ସଦାଶିବ ହିଁ ଦେଲା । ସରିଗଲା ଶୁଦ୍ଧିକ୍ରିୟା । ସେପଟେ ସଦାଶିବର ସଙ୍ଗାତୁଣୀ ଭେନ୍ କାଟି ଆତ୍ମହତ୍ଯାର ଉଦ୍ଯମ କରିଛନ୍ତି । କେମିତି କ'ଣ ସଠିକ୍ ଏଯାବତ୍ ଜଣା ପଡ଼ି ନାହିଁ । ସେ ବି ଧିରେ ଧିରେ କୋମାକୁ ଚ଼ାଲିଗଲେ । ବହୁଦିନ କୋମାରେ ରହିବା ପରେ ସେନ୍ସ୍ ଫେରିଲା । ହେଲେ କାହାକୁ ଚିହ୍ନି ପାରିଲେ ନାହିଁ । ପାଗଳୀ ପ୍ରାୟ ହେଲେ । ଏପଟୁ ଯାଇଥିଲେ ତାଙ୍କ ଗଞ୍ଜୋଡ଼ ମଳାଶୂର ଏବଂ ମଦ୍ୟପ ଦଦେଇ ଶ୍ବଶୁର ।
ଦିନେ ହଠାତ୍ ସଦାଶିବର ସଙ୍ଗାତୁଣୀ ମେଡ଼ିକାଲରୁ କୁଆଡ଼େ ଗାଏବ୍ ହୋଇଗଲେ । ଆଉ ପତ୍ତା ମିଳିଲାନି ତାଙ୍କର । ବହୁତ ଖୋଜାଖୋଜି ଚ଼ାଲିଲା । ଦୀର୍ଘ ଛଅ ମାସ ବିତି ଗଲା । ଭୁବନେଶ୍ବରରେ ପହଞ୍ଚିଲେ ଖୋଜିଖୋଜି ମଳାଶୂର ଓ ଦଦେଇ ଶ୍ବଶୁର । ସ୍ଥାନୀୟ ଲୋକେ କହିଲେ ଜଣେ ପାଗଳୀ ସ୍ତ୍ରୀଲୋକ ମୁଣ୍ଡ ଫାଟି ଲିଙ୍ଗରାଜ ରୋଡ୍ରେ ପଡ଼ିଛି । ଦେଖିଲା ବେଳକୁ ତାଙ୍କରି ଲୋକ । ସେଠୁ ଆଣି ମେଡ଼ିକାଲରେ ଆଡ଼୍ମିଟ୍କଲେ । ମାତ୍ର କେଇଟା ଦିନ । ସେ ବି ଚ଼ାଲିଗଲେ ଆରପାରି । ଗାଁ ଶ୍ମଶାନରେ ଦାହ ହେଲା ଶବ । ମୁଖାଗ୍ନି ଦେଲା ସଦାଶିବ । କି ଅଭିଶପ୍ତ ଏ ଜୀବନ ! ଶେଷରେ ସଦାଶିବର ସଙ୍ଗାତଙ୍କର ଆଠ ମାସର ଛୁଆଟିକୁ ତା'ର ଅଜା ଆଈ ନେଇଗଲେ । କିଛିଦିନ ପରେ ତା'ର ବି ଦେହାନ୍ତ ହେଲା ରକ୍ତ କର୍କଟ ରୋଗରେ ।
ଏବେ ସଦାଶିବ ପୂରାପୂରି ଏକା ; ନିଃସଙ୍ଗ ଜୀବନ । ଏଇ ହେଉଛି ସଦାଶିବର ଅଭିଶପ୍ତ ଜୀବନ ଏବଂ ତା' ସଙ୍ଗାତ ଘର ବି ଅଭିଶପ୍ତ ପରିବାର । ଲୁହ-କୋହ-ଯନ୍ତ୍ରଣାର ଆବହ । କାହାଣୀଟିଏ ହେଲେ ବି ବର୍ଣ୍ଣିତ କଥାଟି ସତ୍ୟ । ଦାରୁଣ ଦୁ଼ଃଖର ପାହାଡ଼ ମୁଣ୍ଡେଇ ସଦାଶିବ ମର୍ମାହତ । ଉପରେ ଉପରେ ସମସ୍ତଙ୍କ ଆଗରେ ହସିଦିଏ ଆଉ ହସାଇ ଦିଏ ସଭିଙ୍କୁ ; ହେଲେ ନିଜେ ଭିତରେ ବିତରେ କୁହୁଳୁଥାଏ ଖାଲି । ଜଳୁଥାଏ ହୃଦ ଗହ୍ୱରେ ଖେଦାଗ୍ନି । ସେହି ଖେଦାଗ୍ନିର ଜ୍ଜ୍ବାଳାରେ ସଦାଶିବ ପ୍ରତ୍ଯହ କାନ୍ଦେ । ତା' ମିଛ ହସକୁ ସମସ୍ତେ ଦେଖୁଛନ୍ତି ; କିନ୍ତୁ ଦେଖି ପାରି ନାହାନ୍ତି ତା' ମନ ଭିତରର ହୃଦୟାଭ୍ଯନ୍ତରର ସଞ୍ଚିତ ବାସ୍ତବ ଖେଦକୁ ।