STORYMIRROR

Padmalaya Mishra

Abstract Crime Others

4  

Padmalaya Mishra

Abstract Crime Others

ମନ ସିଲଟ

ମନ ସିଲଟ

3 mins
388


  ଭାରି ଅଭିମାନୀ ଆମ ମାନୁ । ଯେ ଯାଏଁ କିଛି କୁହାଯାଇନି ହାତ ଦେବନି । ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରିବନି । ବୋଉ ଏମିତି କିଛି ପଡିଶା ଘର ବୀଣା ମାଉସୀଙ୍କୁ କହିଲା ବେଳେ ମାନୁ ଆସି ପହଞ୍ଚିଲା । ବୋଉ ଚୁପ୍ ହେଇଗଲା ଆଉ ବୀଣା ମାଉସୀ ତାଙ୍କ ଘରକୁ ଗଲେ । 


   ପିଲାଦିନୁ ମାନୁ ଅଭିମାନୀ ବୋଲି ବୋଉର ଭାରି ଚିନ୍ତା । ଖାଲି ଅଭିମାନୀ କଣ, ନାକ କାନ୍ଦୁରି ବି । ପିଲାଟା କୋଉଠି କେମିତି ଚଳିବ । ଦଶମ ପର୍ଯ୍ୟନ୍ତ ଗାଁରେ ପଢିଗଲା । କଲେଜ ପଢିବାକୁ ତ ଦୂରକୁ ଯିବାକୁ ହବ । ଆଜି ଯାଏଁ ହାତରେ ଠିକ୍ ରେ ଖାଇ ଶିଖିନି, କେମିତି ସବୁ ନିଜ କାମ କରିବ । ସେଇ ଚିନ୍ତାରେ ବୋଉ ଆଖିକୁ ନିଦ ନାହିଁ । 


   ମାନୁ ବି ତରତର ହେଇ ସ୍କୁଲ୍ ବାହାରିଲା ବେଳେ ଖାଇ ପାରେନି ଯେ ବୋଉ ବସି ଖୁଆଇବ । ତାଠୁ ସାତ ସାନ କୁନା ବସି ପୋଛି ଖାଇ ହାତ ମୁହଁ ଧୋଇ ସ୍କୁଲ୍ ଯିବ । ମାନୁର ମୁହଁ ବି ବୋଉ ଧୁଆଇଦେବ । ହାଏରେ ବିଧାତା ! ଏ ଝିଅ କୋଉଠି କେମିତି ଚଳିବ ।


    ସହରରେ କଲେଜ ପଢି ଏବେ ଚାକିରୀ କଲାଣି ମାନୁ । ପାଖରେ ନେଇ ସାନ ଭାଇକୁ ରଖି ପଢାଉଛି । ବୋଉ ବାପାଙ୍କୁ କେତେ ଥର କହିଲାଣି ସହର ଚାଲି ଆସିବା ପାଇଁ । ହେଲେ ବାପା ଗାଁ ଛାଡି କୁଆଡେ ଯିବାକୁ ରାଜି ନୁହେଁ । ବୋଉ ବାପାଙ୍କୁ ଛାଡି କେମିତି ଯିବ । ବାପା ଏକା ବେଳେ ଘରକାମ, ବାଡିବଗିଚା କାମ କେମିତି କରିବେ । ଦେହ ବି ଭଲ ରହୁନି । ଡାଇବେଟିସ୍ ରୋଗୀ ।


   ତଥାପି ଝିଅର ବହୁ କୁହାକୁହିରେ ଏଥର ସହରକୁ ଆସିଛନ୍ତି ବାପା ବୋଉ । ବୋଉ ଆଶ୍ଚର୍ଯ୍ୟ ଯୋଉ ଝିଅ ହାତରେ ଖାଇ ଶିଖି ନଥିଲା, ଦଶଟା ସୁଧା ରୋଷେଇ କରି ଭାଇକୁ ଖାଇବାକୁ ଦେଇ ନିଜେ ଖାଇ ଦିପହର ପାଇଁ ଉଭୟଙ୍କ ଟିଫିନ୍ ରେଡି କରି ଅଫିସ୍ ଯାଉଛି । ସନ୍ଧ୍ୟା ପାଞ୍ଚ ବେଳକୁ ଘରକୁ ଆସି ପୁଣି ଭାଈର ପଢା କଥା ବୁଝି ରାତି ଖାଇବା ପ୍ରସ୍ତୁତ କରୁଛି । ବୋଉ ଅଛି ବୋଲି ମଧ୍ୟ ରେଷ୍ଟ ନଉନି । ତାର ଚିରାଚରିତ ରୁଟିନରେ ସେ ଚାଲିଛି । ଅବଶ୍ୟ ବୋଉ ଅଛି ବୋଲି ରୋଷେଇ ଟିକେ ହାଲୁକା ହେଇଛି । 


   ରବିବାର ଦିନ ବାପାଙ୍କୁ ନେଇ ସହରର ପ୍ରତିଷ୍ଠିତ ଡାଇବେଟିସ୍ ଡକ୍ଟର ଙ୍କ ସହ ପରାମର୍ଶ କରି ଆସିଛି । ଚାହୁଁ ଚାହୁଁ ଅଲିଅଳୀ ନାକକାନ୍ଦୁରୀ ମାନୁ ଯେ ସୁଯୋଗ୍ୟା କନ୍ୟା ବୋଲି ନିଜକୁ ପ୍ରମାଣିତ କରିଚି ଦେଖି ବାପା ବୋଉ ଭାବବିହ୍ଵଳ ହୋଇ ଯାଉଛନ୍ତି । 


    କେଉଁ ବେଳାରେ ଆଜି ରାତି ପାହିଥିଲା କେଜାଣି, ସୁଖର ସଂସାର ଭିତରକୁ ଦୁଃଖର ପରମାଣୁ ବୋମା କିଏ ନିକ୍ଷେପ କରିଦେଲା । ଖୁସି ତକ ଲୁହର ନଦୀ ହୋଇ ବହିଗଲା । ମାନୁ ଉପରକୁ ଏସିଡ୍ ଆଟାକ୍ ହେଇଛି । ସେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି । କିଏ ସେ ଦୁର୍ବୁତ୍ତ । ପୋଲିସ୍ ତନାଘନା ଖୋଜି ଚାଲିଛି । 


   ହେଇପାରେ ଓ୍ଵାନ୍ ସାଇଡ୍ ଲଭର୍ । ଆଜିକାଲି ଏମିତି ତ ଅନେକ କେଶ୍ ହେଉଛି । କିନ୍ତୁ ଏ ଏସିଡ୍ ଆଟାକ୍ ର ଦିଗ କଣ ସଠିକ୍ ଜଣା ପଡୁନାହିଁ । ଏକରେ ମାନୁ କିଛି କହିବା ପୋଜିସନକୁ ଆସିଲେ ଘଟଣା ଜଣା ପଡିବ, ନହେଲେ ସେଇ ଏରିଆର ସିସିଟିଭି ଫୁଟେଜ୍ ରୁ ଦୋଷୀକୁ ପୋଲିସ୍ ଧରି ପାରିଲେ ମାମଲା ଜଣା ପଡିବ । 


    ମାସେ ବିତିଗଲାଣି । ବୋଉ ଆଖିରୁ ଲୁହ ଶୁଖୁନି । ବାପା ପ୍ରାୟ ନିସ୍ତେଜ । ସାନ ଭାଇ କଲେଜ୍ ପଢା ବ୍ୟାଘାତ ହେଲାଣି । ହସ୍ପିଟାଲ ଓ ଥାନା ମଧ୍ୟରେ ଦୌଡାଦୌଡି କରୁଛି । ପୋଲିସର ଶତଚେଷ୍ଟା ସତ୍ତ୍ୱେ ଏଯାଏଁ ଆରୋପି ଧରାଯାଇନି । କିଛି ଦିନ ମିଡିଆର ହୋହାଲ୍ଲା ପରେ ସେମାନେ ବି ପ୍ରାୟ ଶାନ୍ତ । ନୂଆ ନୂଆ ନିଉଜ୍ ମାନୁ ଏସିଡ୍ ଆଟାକ୍ କୁ ଲୁଚେଇ ଦେଲାଣି । 


    ଏବେ ମାନୁ ଖନେଇ ଖନେଇ ପଦେ ଅଧେ କହିଲାଣି । ଏଥର ଆରୋପି ନିଶ୍ଚୟ ଧରା ପଡିବ । ଶାନ୍ତନୁ । ମାନୁର କଲେଜ ଫ୍ରେଣ୍ଡ୍ । ମାନୁର ପ୍ରଥମ ପ୍ରେମିକ । ପ୍ରେମ ସମ୍ପର୍କରେ ବିଫଳ ହେବାରୁ ଏମିତି କରିଛି । ଦିନ ଥିଲା ମାନୁ ବି ଶାନ୍ତନୁ କୁ ଭଲ ପାଉଥିଲା । କିନ୍ତୁ କଲେଜ୍ ପରେ ମାନୁ ନିଜ ଗୋଡରେ ଠିଆ ହେଲା ଆଉ ଶାନ୍ତନୁ ବାତେରାଙ୍କ ପରି ଟାଇମ୍ ପାଶ୍ କଲା । ମାନୁ ଦୂରେଇ ଗଲା । କିନ୍ତୁ ଶାନ୍ତନୁ ମାନୁକୁ ହରେଇବାକୁ ଚାହୁଁ ନଥିଲା । ଉଭୟଙ୍କ ମଧ୍ୟରେ ଅନେକ ବଚସା ହୋଇଛି । ନିଜ ମନରୁ ଶାନ୍ତନୁକୁ ସେ କେବେଠୁ କାଢି ସାରିଲାଣି ବୋଲି ଜଣେଇ ଦେଇଚି । ମନ ସିଲଟରୁ ସେ ନା କୁ ଲିଭେଇ ଦେଇଚି କହିବା ସତ୍ତ୍ୱେ ବି ଶାନ୍ତନୁ ନଛୋଡବନ୍ଦା । ଦିନେ ବାଧ୍ୟ ହୋଇ ନିଜ ଅଫିସର କଲିଗ୍ କୁ ନିଜର ପ୍ରେମିକ ବୋଲି ଶାନ୍ତନୁ ଆଗରେ ଘୋଷଣା କଲା । ଯାହାର ଏ ପରିଣାମ ।


   ମାନୁର କହିବା ଅନୁସାରେ ଶାନ୍ତନୁ ଏବେ ପୋଲିସ୍ ହାଜତରେ । ମାନୁ ହସ୍ପିଟାଲ ବେଡ଼ରେ ପଡି ନିଜ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଭାବି ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛି । କଣ ଭୁଲ୍ ଥିଲା ତାର । ମନ ସିଲଟରେ ଜଣଙ୍କ ଛବି ଆଙ୍କିବା ଭୁଲ୍ ଥିଲା ନା ସେଇ ଛବିକୁ ଲିଭେଇବା । ତାର ମନ ସିଲଟ ଭାଙ୍ଗି ଯାଇଥିଲା ।


 



Rate this content
Log in

Similar oriya story from Abstract